John
Chapter 18
1 ଯେତେବେଳେ ଯୀଶୁ ତାହାଙ୍କ ପ୍ରାର୍ଥନାକୁ ସମାପ୍ତ କଲେ, ସେ ତାହାଙ୍କ ଶିଷ୍ୟମାନଙ୍କ ସହିତ କିଦ୍ରୋଣ ଉପତ୍ୟକାକୁ ପାର କଲେ| ତାର ଅନ୍ୟ ପାରିରେ ଜିତ ବୃକ୍ଷମାନଙ୍କ ଏକ ଉଦ୍ୟାନ ଥିଲା, ଏବଂ ସେମାନେ ସେଠାରେ ପ୍ରବେଶ କଲେ| 2 ଯିହୁଦା, ଯିଏ ଯୀଶୁଙ୍କୁ ତାହାର ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରିବାକୁ ମନସ୍ତ କରିଥିଲେ, ସେ ସ୍ଥାନ ବିଷୟରେ ଜ୍ଞାତ ଥିଲେ କାରଣ ଯୀଶୁ ଅନେକ ସମୟରେ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେସ୍ଥାନକୁ ଯାଉଥଲେ| 3 ବର୍ତମାନ୍, ପ୍ରଧାନ ଯାଜକ ଓ ଫାରୁଶୀମାନେ କେତେକ ସୈନିକ ଓ ଅଧିକାରୀମାନଙ୍କୁ ଯିହୁଦାଙ୍କ ସହିତ ଯିବା ନିମନ୍ତେ ଆଦେଶ ଦେଲେ| ତହିରେ ସେମାନେ ବତୀ, ମଶାଲ ଓ ଅସ୍ତ୍ରଶସ୍ତ୍ର ଧରି ଉଦ୍ୟାନ ମଧ୍ୟକୁ ଗଲେ|
4 ଯୀଶୁ ଜାଣିଥିଲେ ଯେ ତାହାଙ୍କ ପ୍ରତି କଅଣ ଘଟିବାକୁ ଯାଉଅଛି, ସେଥିରେ ସେ ଆଗକୁ ଯାଇ ସେମାନଙ୍କୁ ପଚାରିଲେ, "ତୁମ୍ଭେମାନେ କାହାକୁ ଖୋଜୁଅଛ?" 5 ସେମାନେ ତାହାଙ୍କୁ ଉତ୍ତର ଦେଲେ, "ନାଜରିତୀୟ ଯୀଶୁଙ୍କୁ|" ଯୀଶୁ ସେମାନଙ୍କୁ କହିଲେ, "ମୁଁ ସେହି ବ୍ୟକ୍ତି|" (ବର୍ତମାନ୍ ଯିହୁଦା, ଯିଏ ତାହାଙ୍କୁ ସମର୍ପଣ କରିବାକୁ ଯାଉଥିଲେ, ସେମାନଙ୍କ ସହିତ ଠିଆ ହୋଇଥିଲେ|)
6 ଯେତେବେଳେ ଯୀଶୁ ସେମାନଙ୍କୁ କହିଲେ, "ମୁଁ ସେହି ବ୍ୟକ୍ତି," ସେମାନେ ଧିରେ ଧିରେ ପଛକୁ ଯାଇ ଭୁମିରେ ପଡିଗଲେ| 7 ସେଥିରେ ସେ ପୁନର୍ବାର ସେମାନଙ୍କୁ ପଚାରିଲେ, "ତୁମ୍ଭେମାନେ କାହାକୁ ଖୋଜୁଅଚ୍ଛ?" ସେମାନେ ଉତ୍ତର ଦେଲେ, "ନାଜରିତୀୟ ଯୀଶୁକଙ୍କୁ|"
8 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, "ମୁଁ ତୁମମାନଙ୍କୁ କହିଲି ଯେ ମୁଁ ସେହି ବ୍ୟକ୍ତି| ଯେହେତୁ ମୁଁ ସେହି ବ୍ୟକ୍ତି ଯାହାଙ୍କୁ ତୁମ୍ଭେମାନେ ଖୋଜୁଅଚ୍ଛ, ତାହାହେଲେ ଏମାନଙ୍କୁ ଯିବାକୁ ଦିଅ| 9 ତାହାଙ୍କ ଉକ୍ତ ବାକ୍ୟ ସଫଳ ହେବା ନିମନ୍ତେ ଏହା ଘଟିଲା ଯାହା ସେ ନିଜ ପିତାଙ୍କ ନିକଟରେ ପ୍ରାର୍ଥନା କରିବା ସମୟରେ କହିଥିଲେ, "ତୁମେ ଦେଇଥିବା ଗୋଟିଏ ବ୍ୟକ୍ତିଙ୍କୁ ସୁଦ୍ଧା ମୁଁ ହରାଇ ନାହିଁ |"
10 ସେଥିରେ ଶିମୋନ ପିତର ଖଣ୍ଡେ ଖଣ୍ଡା ବହାର କଲେ ଓ ମହାଯାଜକଙ୍କ ଦାସ, ମାଲଖ୍ ନାମକ ବ୍ୟକ୍ତିକୁ ଆଘାତ କଲେ ଓ ତାହାଙ୍କ ଡାହାଣ କାନକୁ କାଟିପକାଇଲେ| 11 ଯୀଶୁ ପିତରଙ୍କୁ କହିଲେ, "ତୁମର ଅସ୍ତ୍ରକୁ ଖଣ୍ଡା ଖାପରେ ରଖ! ନିଶ୍ଚୟ ମୋତେ ପିତାଙ୍କ ଯୋଜନାନୁସାରେ ଦୁଃଖ ଭୋଗ କରିବାକୁ ହେବ|"
12 ଏହାପରେ ସୈନ୍ୟଦଳ, ପ୍ରଧାନ ସେନାପତି ଓ ମନ୍ଦିର ରକ୍ଷକମାନେ ଯୀଶୁଙ୍କୁ ବନ୍ଦୀ କଲେ ଓ ତାହାଙ୍କୁ ବାନ୍ଧିପକାଇଲେ ଯେପରି ସେ ଖସି ନ ପଳାନ୍ତି| 13 ତହିରେ ସେମାନେ ତାହାକୁ ହାନାନା, କୟାଫାଙ୍କ ଶ୍ବଶୁରଙ୍କ ନିକଟକୁ ନେଇଗଲେ, ଯିଏ କି ସେହି ବର୍ଷର ମହାଯାଜକ ଥିଲେ| 14 ଏହି କୟାଫା ଯିଏ ଅନ୍ୟ ନେତାମାନଙ୍କୁ ପରାମର୍ଶ ଦେଇଥିଲେ ଯେ ସମସ୍ତ ଲୋକ ବିନଷ୍ଟ ହେବା ଅପେକ୍ଷା ସମସ୍ତଙ୍କ ନିମନ୍ତେ ଜଣେ ବ୍ୟକ୍ତି ମରିବା ଉତ୍ତମ ହେବ|
15 ଶିମୋନ ପିତର ଓ ଆଉ ଜଣେ ଶିଷ୍ୟ ମଧ୍ୟ ଯୀଶୁଙ୍କ ପଛେ ପଛେ ଗଲେ| ଅନ୍ୟ ଶିଷ୍ୟ ଜଣକ ମହାଯାଜକଙ୍କ ସହିତ ପରିଚିତ ଥିଲେ, ସେଥିପାଇଁ ଯୀଶୁଙ୍କୁ ସୈନିକମାନେ ମହାଯାଜକଙ୍କ ପ୍ରାଙ୍ଗଣକୁ ନେଇଯିବା ବେଳେ ସେଥିରେ ପ୍ରବେଶ କରିବାକୁ ସେ ଅନୁମତି ପାଇଥିଲେ| 16 ପିତରଙ୍କୁ ଦ୍ବାର ବାହାରେ ରହିବାକୁ ହେଲା| ସେଥିରେ ଅନ୍ୟ ଶିଷ୍ୟ ଜଣକ ପୁନର୍ବାର ବାହାରକୁ ଗଲେ ଓ ଦ୍ବାରକୁ ଜଗୁଥିବା ବାଳିକା ଦାସୀକୁ କହିଲେ, ସେଥିରେ ସେ ପିତରଙ୍କୁ ଭିତରେ ପ୍ରବେଶ କରିବାକୁ ଅନୁମତି ଦେଲେ|
17 ସେହି ଦାସୀ ପିତରଙ୍କୁ କହିଲେ, "ଯେଉଁ ବ୍ୟକ୍ତିଙ୍କୁ ବନ୍ଦୀ କରାଯାଇଅଛି ତୁମେ ମଧ୍ୟ କଅଣ ତାଙ୍କର ଜଣେ ଶିଷ୍ୟ ନୁହ କି?" ସେ କହିଲେ, ନାହି, ମୁଁ ନୁହେଁ |" 18 ଏହା ଶୀତ ସମୟ ଥିଲା, ତେଣୁ ମହାଯାଜକଙ୍କ ଦାସମାନେ ଏବଂ ମନ୍ଦିର ରକ୍ଷକମାନେ ଅଙ୍ଗାର ଜାଳି ତହି ଚାରିପଟେ ଠିଆ ହୋଇ ନିଆ ପୋଉଁଥିଲେ ଓ ନିଜ ନିଜକୁ ଉଷୁମ କରୁଥିଲେ| ପିତର ମଧ୍ୟ ସେମାନଙ୍କ ସହିତ ଥିଲେ| ସେ ଠିଆ ହୋଇ ନିଆ ପୋଉଁଥିଲେ|
19 ମହାଯାଜକ ଯୀଶୁଙ୍କୁ ପଚାରିଲେ ଯେ ସେ ତାହାଙ୍କ ଶିଷ୍ୟମାନଙ୍କୁ କେଉଁ ସବୁ ବିଷୟରେ ଶିକ୍ଷା ଦିଅନ୍ତି| 20 ଯୀଶୁ ଉତ୍ତର ଦେଲେ, "ମୁଁ ସମସ୍ତଙ୍କୁ ଖୋଲାଖୋଲି ଭାବରେ ଶିକ୍ଷା ଦେଇଅଛି| ମୁଁ ସର୍ବଦା ସମାଜଗୃହରେ ଓ ମନ୍ଦିରରେ, ଯେଉଁ ସ୍ଥାନରେ ଲୋକମାନେ ଏକତ୍ରିତ ହେଉଥିଲେ ସେଠାରେ ପ୍ରଚାର କରୁଥିଲି| ମୁଁ କୌଣସି ବିଷୟ ଗୁପ୍ତରେ ଶିକ୍ଷା ଦେଇନାହିଁ| 21 ତେବେ କାହିକୀ ତୁମ୍ଭେ ମୋତେ ଏହି ପ୍ରଶ୍ନ କରୁଅଛ? ଶୁଣିଥିବା ଲୋକମାନଙ୍କୁ ପଚାର ମୁଁ ସେମାନଙ୍କୁ କଅଣ ଶିକ୍ଷା ଦେଉଥିଲି| ମୁଁ ଯାହା କହିଅଛି ସେମାନେ ଜାଣନ୍ତି|"
22 ଯେତେବେଳେ ଯୀଶୁ ଏହି ସବୁ କଥା କହିଲେ, ପାଖରେ ଠିଆ ହୋଇଥିବା ଜଣେ ମନ୍ଦିର ରକ୍ଷକ ତାହାଙ୍କ ହସ୍ତ ଉଠାଇ ଯୀଶୁଙ୍କୁ ଶକ୍ତ ଆଘାତ କଲେ| ସେ କହିଲେ, "ଏହା ମହାଯାଜକଙ୍କୁ ଉତ୍ତର ଦେବାର ଶୈଳି ନୁହ|" 23 ଯୀଶୁ ତାହାକୁ ଉତ୍ତର ଦେଲେ, "ଯଦି ମୁଁ କିଛି ଭୁଲ୍ କହିଅଛି, ତେବେ ତାହା କଣ ଥିଲା ମୋତେ କୁହ| ଯଦି ମୁଁ ଯାହା କହିଅଛି ଠିକ୍ ଅଛି, ତେବେ ତୁମେ ମୋତେ ଚାପୁଡା ମାରିବା ଉଚିତ୍ ନୁହ|" 24 ସେଥିରେ ହାନାନ ବନ୍ଧା ହୋଇଥିବା ଯୀଶୁଙ୍କୁ କାୟାଫା ମହାଯାଜକଙ୍କ ନିକଟକୁ ପଠାଇଲେ|
25 ଶିମୋନ ପିତର ଏ ପର୍ଯ୍ୟନ୍ତ ଠିଆ ହୋଇ ନିଆ ପୋଉଁଥିଲେ| ଅନ୍ୟ ଏକ ବ୍ୟକ୍ତି ଜଣକ ତାହାଙ୍କୁ କହିଲେ, "ତୁମ୍ଭେ ମଧ୍ୟ କଅଣ ସେହି ବନ୍ଦୀ କରାଯାଇଥିବା ବ୍ୟକ୍ତିଙ୍କର ଜଣେ ଶିଷ୍ୟ ନୁହ କି? ସେ କହିଲେ, "ନୁହ, ମୁଁ ନୁହ|" 26 ମହାଯାଜକଙ୍କ ଜଣେ ଦାସ, ସେହି ଲୋକଙ୍କର ସମ୍ପକିୟ ଥିଲେ ଯାହାଙ୍କୁ ପିତର ଆଘତ କରି କାନ କାଟି ଦେଇଥିଲେ, ତାଙ୍କୁ କହିଲେ, "ନିଶ୍ଚୟ ମୁଁ ତୁମକୁ ସେହି ଜିତ ବୃକ୍ଷ ଉଦ୍ୟାନରେ ସେମାନେ ବନ୍ଦୀ କରିଥିବା ବ୍ୟକ୍ତିଙ୍କ ସହିତ କଅଣ ଦେଖି ନାହି କି?" 27 ପିତର ପୁନର୍ବାର ଏହାକୁ ଅସ୍ବୀକାର କଲେ, ଆଉ ସେହି କ୍ଷଣି କୁକୁଡା ଡାକିଲା|
28 ସେଥିରେ ସୈନିକମାନେ ଯୀଶୁଙ୍କୁ କୟାଫାଙ୍କ ଗୃହରୁ ପିଲାତଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ନେଇଗଲେ, ଯିଏ ଜଣେ ରୋମୀୟ ରାଜ୍ୟପାଳ| ଏହା ପ୍ରଭାତ ସମୟ ହୋଇଥିଲା| ପିଲାତ ଜଣେ ଯିହୁଦୀୟ ନ ଥିଲେ, ତେଣୁ ଯୀଶୁଙ୍କ ଅଭିଯୋଗକାରୀମାନେ ଭାବିଲେ ଯେ ଯଦି ସେମାନେ ମୁଖ୍ୟ କାର୍ଯ୍ୟାଳୟର ଦ୍ବାର ମଧ୍ୟରେ ପ୍ରବେଶ କରନ୍ତି, ସେମାନେ ନିଜକୁ ଅଶୁଚୀ କରିପାରନ୍ତି ଏବଂ ନିସ୍ତାର ପର୍ବ ପାଳନ କରିବା ନିମନ୍ତେ ଅକ୍ଷମ ହେବେ| ସେଥିସକାଶୁ ସେମାନେ ଭିତରେ ପ୍ରବେଶ କଲେ ନାହି| 29 ସେଥିରେ ପିଲାତ ବାହାରକୁ ଆସି ସେମାନଙ୍କ ସହିତ କଥାବାର୍ତା କଲେ| ସେ କହିଲେ, "ଏହି ବ୍ୟକ୍ତିଙ୍କ ବିରୋଧରେ ତୁମ୍ଭେମାନେ କଅଣ ଅଭିଯୋଗ କରୁଅଚ୍ଛ?" ସେମାନେ ଉତ୍ତର ଦେଲେ 30 "ଏହି ଲୋକ ଯଦି ଜଣେ ଦୋଷୀ ହୋଇ ନ ଥାନ୍ତେ, ତେବେ ଆମ୍ଭେମାନେ ଏହାଙ୍କୁ ତୁମ୍ଭ ନିକଟକୁ ଆଣି ନ ଥାନ୍ତୁ|"
31 ସେଥିରେ ପିଲାତ ସେମାନଙ୍କୁ କହିଲେ, "ତୁମେ ନିଜେ ତାହାଙ୍କୁ ଘେନିଯାଅ, ଏବଂ ତୁମ୍ଭମାନଙ୍କ ନିଜ ନିୟମାନୁସାରେ ତାହାଙ୍କର ବିଚାର କର|" ସେଥିରେ ଯିହୁଦୀ ନେତାମାନେ କହିଲେ, "ଆମେ ତାହାଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଚାହୁଛୁ, କିନ୍ତୁ ତୁମ୍ଭର ରୋମୀୟ ନିୟମ ଆମ୍ଭମାନଙ୍କୁ ତାହା କରିବାକୁ ଅନୁମତି ଦେଉନାହି|" 32 ଯୀଶୁ ଯାହା କହିଥିଲେ ଯେ ସେ କିପ୍ରକାରେ ମୃତ୍ୟୁ ବରଣ କରିବେ ତାହା ଯେପରି ସତ୍ୟ ହୁଏ ଏଥିନିମନ୍ତେ ସେମାନେ ଏହା କହିଲେ |
33 ସେଥିରେ ପିଲାତ ତାହାଙ୍କ ନିଜ ମୁଖ୍ୟ କାର୍ଯ୍ୟାଳୟ ଭିତରକୁ ଗଲେ| ସେ ଯୀଶୁଙ୍କୁ ଡାକି କହିଲେ, "ତୁମେ କଣ ଯିହୁଦୀମାନଙ୍କ ରାଜା?" 34 ଯୀଶୁ ଉତ୍ତର ଦେଲେ, " ତୁମ୍ଭେ ନିଜେ ଜାଣିବାକୁ ଚାହୁଥିବା ଯୋଗୁ କଅଣ ମୋତେ ପଚାରୁଅଛ, କିମ୍ବା ଅନ୍ୟମାନେ ମୋତେ ପଚାରିବା ପାଇଁ ତୁମକୁ କହିଅଛନ୍ତି?" 35 ପିଲାତ ଉତ୍ତର ଦେଲେ, "ମୁଁ ଜଣେ ଯିହୁଦୀ ନୁହେଁ! ତୁମ୍ଭର ସ୍ବଜାତି ଏବଂ ପ୍ରଧାନ ଯାଜକମାନେ ତୁମ୍ଭକୁ ମୋ ହସ୍ତରେ ସମର୍ପଣ କରିଅଛନ୍ତି| ତୁମ୍ଭେ କଣ ଭୁଲ କରିଅଚ୍ଛ?"
36 ଯୀଶୁ ଉତ୍ତର ଦେଲେ, "ମୋହର ରାଜ୍ୟ ଏହି ଜଗତର ନୁହେଁ| ଯଦି ମୋହର ରାଜ୍ୟ ଏହି ଜଗତର ହୋଇଥାନ୍ତେ, ମୁଁ ଯେପରି ଯିହୁଦୀମାନଙ୍କ ହସ୍ତରେ ସମର୍ପଣ ନ ହୁଏ ସେଥିପାଇଁ ମୋହର ଦାସମାନେ ମୋହର ବିପକ୍ଷ ଯିହୁଦୀମାନଙ୍କ ହସ୍ତରୁ ରକ୍ଷା କରିବା ନିମନ୍ତେ ଯୁଦ୍ଧ କରିଥାନ୍ତେ, କିନ୍ତୁ ମୋହର ରାଜ୍ୟ ଏହି ଜଗତର ନୁହେଁ|" 37 ସେଥିରେ ପିଲାତ ତାହାଙ୍କୁ କହିଲେ, "ତେବେ ତୁମେ ଜଣେ ରାଜା?" ଯୀଶୁ ଉତ୍ତର ଦେଲେ, "ହଁ, ମୋହର ଜନ୍ମ, ଓ ଏହି ଜଗତକୁ ଆସିବାର ଉଦେଶ୍ୟ ଏହା ଯେ ମୁଁ ଯେପରି ଲୋକମାନଙ୍କୁ ଇଶ୍ବରଙ୍କ ବିଷୟର ସତ୍ୟକୁ କହିପାରେ| ପ୍ରତ୍ୟକ ଜଣ ଯେଉଁମାନେ ସତ୍ୟକୁ ପ୍ରେମ କରନ୍ତି ସେମାନେ ମୋ କଥା ଶୁଣନ୍ତି|"
38 ପିଲାତ ତାହାଙ୍କୁ ପଚାରିଲେ, "ସତ୍ୟ କଣ?" ପିଲାତ ସେହି ପ୍ରଶ୍ନକୁ ପଚାରିଲା ପରେ, ସେ ବାହାରକୁ ଯାଇ ପୁନର୍ବାର ଯିହୁଦୀ ନେତାମାନଙ୍କ ସହିତ କଥାବାର୍ତା କଲେ| ସେ ସେମାନଙ୍କୁ କହିଲେ, "ସେ କୌଣସି ନିୟମକୁ ଭଂଗ କରିଥିବା ମୁଁ ଦେଖୁନାହି| 39 ଯଦ୍ୟପି, ତୁମେ ଯିହୁଦୀମାନଙ୍କର ଗୋଟିଏ ନିୟମ ଅଛି ଯେ ପ୍ରତି ବର୍ଷ ଏହି ନିସ୍ତାର ପର୍ବରେ, ତୁମେ ଗୋଟିଏ ବ୍ୟକ୍ତିକୁ ବନ୍ଦୀଗୃହରୁ ମୁକ୍ତ କରିବାକୁ ଅନୁରୋଧ କରିଥାଅ| ତେବେ ଯିହୁଦୀମାନଙ୍କ ରାଜାଙ୍କୁ ମୁଁ ତୁମ୍ଭମାନଙ୍କ ନିମନ୍ତେ ମୁକ୍ତ କରିଦେବୁ ବୋଲି କଅଣ ତୁମ୍ଭମାନଙ୍କ ଇଚ୍ଛା?" 40 ସେମାନେ ପୁନର୍ବାର ଚିତ୍କାର କଲେ, "ନା, ଏହି ବ୍ୟକ୍ତିଙ୍କୁ ମୁକ୍ତ କର ନାହି, କିନ୍ତୁ ବାରବ୍ବାକୁ ମୁକ୍ତ କର!" ଏହି ବାରବ୍ବା ଜଣେ କ୍ରାନ୍ତିକାରୀ ଥିଲେ|