ଓଡ଼ିଆ: Indian Revised Version - Oriya

Updated ? hours ago # views See on DCS

ଯୋହନ

ଲେଖକ

ଜେବଦୀଙ୍କ ପୁତ୍ର ଯୋହନ, ଏହି ସୁସମାଚାରର ଲେଖକ ଅଟନ୍ତି ଯାହା ଯୋହନ ନିଜେ 21:20,24 ପଦରେ ପ୍ରକାଶ କରନ୍ତି ଏବଂ ନିଜକୁ ଯୀଶୁଙ୍କର ପ୍ରିୟ ଶିଷ୍ୟ ବୋଲି କହନ୍ତି। ଯୋହନଙ୍କୁ ଓ ତାହାଙ୍କ ଭାଇ ଯାକୁବଙ୍କୁ “ମେଘନାଦର ପୁତ୍ର” ବୋଲି ସମ୍ବୋଧନ କରାଯାଏ (ମାର୍କ 3:17)। ସେମାନେ ଯୀଶୁଙ୍କ ଜୀବନର ସମସ୍ତ ଘଟଣା ଗୁଡିକର ଚାକ୍ଷୁଷ ସାକ୍ଷୀ ଥିଲେ।

ସମୟ ଓ ସ୍ଥାନ

ପ୍ରାୟ 50-90 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।

ଯୋହନଙ୍କ ସୁସମାଚାର ହୁଏତ ଏଫିସରେ ଲେଖାଯାଇଅଛି, ଲେଖାର ମୁଖ୍ୟ ସ୍ଥାନ ଯିହୂଦାର ଗ୍ରାମାଞ୍ଚଳ, ଶମିରୋଣ, ଗାଲିଲୀ, ବେଥନୀୟା, ଯିରୂଶାଲମ ଥିଲା।

ପ୍ରାପକ

ଯୋହନ ପୁସ୍ତକ ଯିହୁଦୀମାନଙ୍କୁ ଲେଖାଯାଇଥିଲା। ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ତାହା ଯିହୁଦୀମାନଙ୍କୁ ପ୍ରମାଣ କରିବା ନିମନ୍ତେ ଏହି ସୁସମାଚାର ଲେଖାଯାଇ ଥିଲା। ସେମାନେ ଯୀଶୁଙ୍କୁ ବିଶ୍ଵାସ କରି ଅନନ୍ତ ଜୀବନ ପ୍ରାପ୍ତ କରନ୍ତୁ ବୋଲି ସେ ଏହି ସୂଚନାକୁ ସେମାନଙ୍କୁ ଦେଇଥିଲେ।

ଉଦ୍ଦେଶ୍ୟ

"କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ, ଯୀଶୁ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି, ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥିନିମନ୍ତେ ଏସମସ୍ତ ଲେଖାଯାଇଅଛି।" ଯୋହନ 20:31 ପଦରେ ଯେପରି ଏହା ବିଶେଷ ଭାବରେ ଉଲ୍ଲେଖ କରାଯାଇଅଛି, ସେହିପରି ଖ୍ରୀଷ୍ଟୀୟ ବିଶ୍ଵାସୀମାନଙ୍କୁ ବିଶ୍ୱାସରେ ଦୃଢ ଏବଂ ସୁରକ୍ଷିତ କରିବାକୁ ଯୋହନ ଏହି ସୁସମାଚାର ଲେଖିଥିଲେ। ଯୋହନ ସ୍ପଷ୍ଟ ଭାବରେ କହନ୍ତି ଯେ ଯୀଶୁ ଈଶ୍ବର ଅଟନ୍ତି (ଯୋହ. 1.1) ଯିଏ ସମସ୍ତ ବିଷୟ ସୃଷ୍ଟି କରିଛନ୍ତି (ଯୋହ. 1.3)। ସେ ଜ୍ୟୋତିଃ (ଯୋହ. 1.4, 8.12) ଏବଂ ଜୀବନ (ଯୋହ. 1.4, 5.26, 14.6) ଅଟନ୍ତି। ଯୀଶୁ ଖ୍ରୀଷ୍ଟ ଯେ ଈଶ୍ଵରଙ୍କ ପୁତ୍ର ଏହା ପ୍ରମାଣ କରିବା ନିମନ୍ତେ ଏହି ସୁସମାଚାର ଯୋହନ ଲେଖିଥିଲେ।

ବିଷୟବସ୍ତୁ

ଯୀଶୁ ଈଶ୍ବରଙ୍କ ପୁତ୍ର

ରୂପରେଖା 1. ଯୀଶୁ ଜୀବନର ରଚୟିତା ଅଟନ୍ତି—1:1-18 2. ପ୍ରଥମ ଶିଷ୍ୟଙ୍କୁ ଆହ୍ୱାନ—1:19-51 3. ଲୋକମାନଙ୍କ ମଧ୍ୟରେ ଯୀଶୁଙ୍କର ସେବାକାର୍ଯ୍ୟ—2:1-16:33 4. ମହାଯାଜକ ଭାବରେ ପ୍ରାର୍ଥନା—17:1-26 5. ଯୀଶୁଙ୍କ କ୍ରୁଶାର୍ପିତ ଓ ପୁନରୁତ୍ଥାନ—18:1-20:10 6. ଯୀଶୁଙ୍କ ପୁନରୁତ୍ଥାନ ପରେ ସେବାକାର୍ଯ୍ୟ—20:11-21:25

Chapter 1

ଜୀବନ୍ତ, ଦେହବନ୍ତ ବାକ୍ୟ

1 ସୃଷ୍ଟିର ପୂର୍ବରୁ ବାକ୍ୟ ଥିଲେ, ବାକ୍ୟ ଈଶ୍ବରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ବର ଥିଲେ। 2 ସେ ଆଦ୍ୟରେ ଈଶ୍ବରଙ୍କ ସହିତ ଥିଲେ। 3 ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା; ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ। 4 ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତିଃ। 5 ସେହି ଜ୍ୟୋତିଃ ଅନ୍ଧକାରରେ ଜାଜ୍ୱଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରି ନାହିଁ। 6 ଈଶ୍ବରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ; ତାହାଙ୍କ ନାମ ଯୋହନ। 7 ସେ ଯେପରି ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି, ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। 8 ସେ ନିଜେ ସେହି ଜ୍ୟୋତିଃ ନ ଥିଲେ, କିନ୍ତୁ ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। 9 ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ। 10 ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। 11 ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। 12 ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍‍, ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ବରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ; 13 ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ବରଙ୍କଠାରୁ ଜାତ ହେଲେ। 14 ଆଉ, ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି, ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ। 15 ଯୋହନ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ ଉଚ୍ଚସ୍ୱରରେ କହିଲେ, ଯେ ମୋ' ଉତ୍ତାରେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି। 16 ଏଣୁ ତାହାଙ୍କ ପୂର୍ଣ୍ଣତାରୁ ଆମ୍ଭେମାନେ ସମସ୍ତେ ପ୍ରାପ୍ତ ହୋଇଅଛୁ, ହଁ, ଅନୁଗ୍ରହ ଉପରେ ଅନୁଗ୍ରହ ପ୍ରାପ୍ତ ହୋଇଅଛୁ। 17 କାରଣ ମୋଶାଙ୍କ ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା। 18 କେହି କେବେ ଈଶ୍ବରଙ୍କୁ ଦେଖି ନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ।

ବାପ୍ତିଜକ ଯୋହନଙ୍କ ସାକ୍ଷ୍ୟ

(ମାଥିଉ 3:1-12; ମାର୍କ 1:1-8; ଲୂକ 3:1-18)

19 ଆପଣ କିଏ, ଏହା ଯୋହନଙ୍କୁ ପଚାରିବା ନିମନ୍ତେ ଯିହୁଦୀ ନେତାମାନେ ଯେତେବେଳେ ଯିରୂଶାଲମ ସହରରୁ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ନିକଟକୁ ପଠାଇଲେ, ସେତେବେଳେ ସେ ଏହି ସାକ୍ଷ୍ୟ ଦେଲେ, 20 ସେ ସ୍ୱୀକାର କଲେ, ଅସ୍ୱୀକାର କଲେ ନାହିଁ; ସେ ସ୍ୱୀକାର କଲେ, ମୁଁ ଖ୍ରୀଷ୍ଟ ନୁହେଁ। 21 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତେବେ କଅଣ ? ଆପଣ କଅଣ ଏଲୀୟ ? ସେ କହିଲେ, ମୁଁ ନୁହେଁ। ଆପଣ କଅଣ ସେହି ଭାବବାଦୀ ? ସେ ଉତ୍ତର ଦେଲେ, ନା। 22 ସେଥିରେ ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କୁ ପଠାଇଥିବା ଲୋକଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥିସକାଶେ ଆପଣ କିଏ ? ଆପଣ ନିଜ ବିଷୟରେ କଅଣ କହୁଅଛନ୍ତି ? 23 ସେ କହିଲେ, “ଯିଶାଇୟ ଭାବବାଦୀ ଯେପରି କହିଥିଲେ, ‘ମୁଁ ସେହି ପ୍ରକାର ମରୁପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ସଳଖ କର।’” 24 ପୁଣି, ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ପ୍ରେରିତ ହୋଇଥିଲେ। 25 ସେମାନେ ତାହାଙ୍କୁ ପଚାରିଲେ, ଆପଣ ଯଦି ଖ୍ରୀଷ୍ଟ ବା ଏଲୀୟ ବା ସେହି ଭାବବାଦୀ ନୁହଁନ୍ତି, ତାହାହେଲେ କାହିଁକି ବାପ୍ତିସ୍ମ ଦେଉଅଛନ୍ତି ? 26 ଯୋହନ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଜଳରେ ବାପ୍ତିସ୍ମ ଦେଉଅଛି; ଯାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ, ସେ ତୁମ୍ଭମାନଙ୍କ ମଧ୍ୟରେ ବିଦ୍ୟମାନ; 27 ସେ ମୋ' ଉତ୍ତାରେ ଆସୁଅଛନ୍ତି, ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ। 28 ଯର୍ଦ୍ଦନ ନଦୀର ପରପାରସ୍ଥ ଯେଉଁ ବେଥନୀୟାରେ ଯୋହନ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନରେ ଏହି ସବୁ ଘଟିଲା।

ଈଶ୍ବରଙ୍କ ମେଷଶାବକ

29 ତହିଁ ଆରଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ, ଈଶ୍ବରଙ୍କ ମେଷଶାବକ, ଯେ ଜଗତର ପାପ ବୋହିନେଇଯାଆନ୍ତି। 30 ମୋ' ଉତ୍ତାରେ ଯେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି। 31 ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, କିନ୍ତୁ ସେ ଯେପରି ଇସ୍ରାଏଲ ନିକଟରେ ପ୍ରକାଶିତ ହୁଅନ୍ତି, ଏଥିସକାଶେ ମୁଁ ଜଳରେ ବାପ୍ତିସ୍ମ ଦେବାକୁ ଆସିଅଛି। 32 ଆଉ, ଯୋହନ ସାକ୍ଷ୍ୟ ଦେଇ କହିଲେ, ମୁଁ ପବିତ୍ର ଆତ୍ମାଙ୍କୁ କପୋତ ପରି ଆକାଶରୁ ଅବତରଣ କରିବା ଦେଖିଅଛି, ଆଉ ସେ ତାହାଙ୍କ ଉପରେ ଅବସ୍ଥାନ କଲେ। 33 ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, ମାତ୍ର ଯେ ମୋତେ ଜଳରେ ବାପ୍ତିସ୍ମ ଦେବାକୁ ପଠାଇଲେ, ସେ ମୋତେ କହିଲେ, ଯାହାଙ୍କ ଉପରେ ଆତ୍ମାଙ୍କୁ ଅବତରଣ ଓ ଅବସ୍ଥାନ କରିବା ଦେଖିବ, ଯେ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି, ସେ ସେହି ବ୍ୟକ୍ତି। 34 ଆଉ, ମୁଁ ତାହା ଦେଖିଅଛି ଓ ସେ ଈଶ୍ବରଙ୍କ ପୁତ୍ର ବୋଲି ସାକ୍ଷ୍ୟ ଦେଇଅଛି।

ପ୍ରଥମ ଶିଷ୍ୟଙ୍କୁ ଆହ୍ୱାନ

35 ତହିଁ ଆରଦିନ ପୁନର୍ବାର ଯୋହନ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣ ଠିଆ ହୋଇଥିଲେ; 36 ଆଉ, ସେ ଯୀଶୁଙ୍କୁ ସେହି ବାଟ ଦେଇ ଯାଉଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହି ଦେଖ, ଈଶ୍ବରଙ୍କ ମେଷଶାବକ। 37 ସେହି ଦୁଇ ଜଣ ଶିଷ୍ୟ ତାହାଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଗଲେ। 38 ଯୀଶୁ ବୁଲିପଡ଼ି ସେମାନଙ୍କୁ ପଛେ ପଛେ ଆସୁଥିବା ଦେଖି ପଚାରିଲେ, “ତୁମ୍ଭେମାନେ କଅଣ ଖୋଜୁଅଛ ?” ସେମାନେ ତାହାଙ୍କୁ ପଚାରିଲେ, ରାବ୍‌ବୀ (ଅନୁବାଦ କଲେ ଏହାର ଅର୍ଥ ଗୁରୁ), ଆପଣ କେଉଁଠାରେ ରୁହନ୍ତି ? 39 ସେ ସେମାନଙ୍କୁ କହିଲେ, “ଆସ, ଦେଖିବ।” ସେଥିରେ ସେମାନେ ଯାଇ ତାହାଙ୍କ ବସା ଦେଖିଲେ, ପୁଣି, ସେହି ଦିନ ତାହାଙ୍କ ସାଙ୍ଗରେ ରହିଲେ; କାରଣ ସେତେବେଳେ ପ୍ରାୟ ସନ୍ଧ୍ୟା ଚାରି ଘଣ୍ଟା [1] ହୋଇଥିଲା। 40 ଯେଉଁ ଦୁଇ ଜଣ ଯୋହନଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଶିମୋନ ପିତରଙ୍କ ଭାଇ ଆନ୍ଦ୍ରିୟ ଥିଲେ। 41 ସେ ପ୍ରଥମେ ଆପଣା ଭାଇ ଶିମୋନଙ୍କ ଦେଖା ପାଇ ତାହାଙ୍କୁ କହିଲେ, ଆମ୍ଭେମାନେ ମସୀହଙ୍କର (ଅନୁବାଦ କଲେ ଏହି ନାମର ଅର୍ଥ ଖ୍ରୀଷ୍ଟ) ଦେଖା ପାଇଅଛୁ। 42 ସେ ତାହାଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ଯୀଶୁ ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭେ କୈଫା(ଅନୁବାଦ କଲେ ଏହାର ଅର୍ଥ ପିତର) ନାମରେ ଖ୍ୟାତ ହେବ।”

ଫିଲିପ୍ପ ଓ ନିଥନିୟେଲଙ୍କୁ ଆହ୍ୱାନ

43 ତହିଁ ଆରଦିନ ଯୀଶୁ ଗାଲିଲୀକୁ ବାହାରିଯିବା ପାଇଁ ଇଚ୍ଛା କଲେ, ଆଉ ସେ ଫିଲିପ୍ପଙ୍କ ଦେଖା ପାଇ ତାହାଙ୍କୁ କହିଲେ, “ମୋହର ଅନୁଗମନ କର।” 44 ଫିଲିପ୍ପ ବେଥ୍‌ସାଇଦାର ଲୋକ ଥିଲେ, ତାହା ଆନ୍ଦ୍ରିୟ ଓ ପିତରଙ୍କର ନଗର ଥିଲା। 45 ଫିଲିପ୍ପ ନିଥନିୟେଲଙ୍କ ଦେଖା ପାଇ ତାହାଙ୍କୁ କହିଲେ, ଯାହାଙ୍କ ବିଷୟରେ ମୋଶା ମୋଶାଙ୍କ ବ୍ୟବସ୍ଥାରେ ଲେଖିଅଛନ୍ତି, ପୁଣି, ଭାବବାଦୀମାନେ ମଧ୍ୟ ଲେଖିଅଛନ୍ତି, ଆମ୍ଭେମାନେ ତାହାଙ୍କର ଦେଖା ପାଇଅଛୁ; ସେ ଯୋଷେଫଙ୍କ ପୁତ୍ର ନାଜରିତୀୟ ଯୀଶୁ। 46 ନିଥନିୟେଲ ତାହାଙ୍କୁ ପଚାରିଲେ, ନାଜରିତରୁ କି କୌଣସି ଉତ୍ତମ ବିଷୟ ଉତ୍ପନ୍ନ ହୋଇପାରେ ? ଫିଲିପ୍ପ ତାହାଙ୍କୁ କହିଲେ, ଆସି ଦେଖ। 47 ଯୀଶୁ ନିଥନିୟେଲଙ୍କୁ ଆପଣା ନିକଟକୁ ଆସୁଥିବା ଦେଖି ତାହାଙ୍କ ବିଷୟରେ କହିଲେ, “ଏହି ଦେଖ, ପ୍ରକୃତରେ ଏ ଜଣେ ଇସ୍ରାଏଲୀୟ ଲୋକ, ଏହାଙ୍କଠାରେ ଛଳନା ନାହିଁ।” 48 ନିଥନିୟେଲ ତାହାଙ୍କୁ ପଚାରିଲେ, ଆପଣ ମୋତେ କିପରି ଚିହ୍ନିଲେ ? ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଫିଲିପ୍ପ ତୁମ୍ଭକୁ ଡାକିବା ପୂର୍ବେ ତୁମ୍ଭେ ଯେତେବେଳେ ଡିମ୍ବିରିବୃକ୍ଷ ତଳେ ଥିଲ, ସେତେବେଳେ ମୁଁ ତୁମ୍ଭକୁ ଦେଖିଥିଲି।” 49 ନିଥନିୟେଲ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ ଆପଣ ଈଶ୍ବରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା। 50 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ଡିମ୍ବିରିବୃକ୍ଷ ତଳେ ଦେଖିଥିଲି ବୋଲି କହିବାରୁ କି ତୁମ୍ଭେ ବିଶ୍ୱାସ କରୁଅଛ ? ତୁମ୍ଭେ ଏହାଠାରୁ ଆହୁରି ମହତ‍୍-ମହତ‍୍ ବିଷୟ ଦେଖିବ।” 51 ପୁଣି, ସେ ତାହାଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ସ୍ୱର୍ଗକୁ ଉନ୍ମୁକ୍ତ ଓ ଈଶ୍ବରଙ୍କ ଦୂତମାନଙ୍କୁ ମନୁଷ୍ୟପୁତ୍ରଙ୍କ ଉପରେ ଆରୋହଣ ଓ ଅବତରଣ କରିବା ଦେଖିବ।”


1:39 [1] ସନ୍ଧ୍ୟା ଚାରି ଘଣ୍ଟା ଯିହୁଦୀ ସମୟ ଅନୁସାରେ ଦଶ ପହର

Chapter 2

କାନ୍ନା ବିବାହ ଭୋଜରେ ଯୀଶୁ

1 ତୃତୀୟ ଦିବସରେ ଗାଲିଲୀର କାନ୍ନାରେ ଗୋଟିଏ ବିବାହ ହେଲା, ଆଉ ଯୀଶୁଙ୍କ ମାତା ସେଠାରେ ଥିଲେ; 2 ଯୀଶୁ ମଧ୍ୟ ଆପଣା ଶିଷ୍ୟମାନଙ୍କ ସହିତ ସେହି ବିବାହକୁ ନିମନ୍ତ୍ରିତ ହେଲେ। 3 ପରେ ଦ୍ରାକ୍ଷାରସ ସରିଯିବାରୁ ଯୀଶୁଙ୍କ ମାତା ତାହାଙ୍କୁ କହିଲେ, ସେମାନଙ୍କର ଦ୍ରାକ୍ଷାରସ ନାହିଁ। 4 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ଗୋ ନାରୀ, ମୋତେ କାହିଁକି ଏଥିରେ ଜଡ଼ିତ କରୁଅଛ ? ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ।” 5 ତାହାଙ୍କ ମାତା ପରିଚାରକମାନଙ୍କୁ କହିଲେ, ସେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା କର। 6 ଆଉ, ସେଠାରେ ଯିହୁଦୀମାନଙ୍କ ଶୁଚିକରଣ ରୀତି ଅନୁସାରେ ଦୁଇ ବା ତିନି ମହଣିଆ [1] ଛଅଗୋଟା ପଥର ଜାହାଲା ରଖାଯାଇଥିଲା। 7 ଯୀଶୁ ସେମାନଙ୍କୁ କହିଲେ, “ଜାହାଲାଗୁଡ଼ିକରେ ପାଣି ଭର୍ତ୍ତି କର।” ସେଥିରେ ସେମାନେ ସେହିସବୁ ଫନ୍ଦ ପର୍ଯ୍ୟନ୍ତ ଭର୍ତ୍ତି କଲେ। 8 ଆଉ, ସେ ସେମାନଙ୍କୁ କହିଲେ, “ଏବେ କାଢ଼ିନେଇ ଭୋଜର ଅଧ୍ୟକ୍ଷଙ୍କ ନିକଟକୁ ଘେନିଯାଅ।” ସେଥିରେ ସେମାନେ ଘେନିଗଲେ। 9 ଭୋଜର ଅଧ୍ୟକ୍ଷ ଦ୍ରାକ୍ଷାରସରେ ପରିବର୍ତ୍ତନ ହୋଇଥିବା ସେହି ପାଣିକୁ ଚାଖି ତାହା କେଉଁଠାରୁ ଆସିଲା, ଏହା ଜାଣି ନ ଥିବାରୁ (କିନ୍ତୁ ଯେଉଁ ପରିଚାରକମାନେ ପାଣି କାଢ଼ିଥିଲେ, ସେମାନେ ଜାଣିଥିଲେ) ବରଙ୍କୁ ଡାକି କହିଲେ, 10 ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷାରସ ଦେଇଥାଆନ୍ତି, ଆଉ ଲୋକେ ମାତାଲ ହେଲା ଉତ୍ତାରେ ମନ୍ଦ ଦିଅନ୍ତି; ତୁମ୍ଭେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷାରସ ରଖିଅଛ। 11 ଯୀଶୁ ଏହି ପ୍ରକାରେ ଗାଲିଲୀର କାନ୍ନାରେ ଆଶ୍ଚର୍ଯ୍ୟକର୍ମ ଆରମ୍ଭ କରି ଆପଣା ମହିମା ପ୍ରକାଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କଠାରେ ବିଶ୍ୱାସ କଲେ। 12 ଏଥିଉତ୍ତାରେ ସେ ଆପଣା ମାତା, ଭାଇବୃନ୍ଦ ଓ ଶିଷ୍ୟମାନଙ୍କ ସହିତ କଫର୍ନାହୂମକୁ ଗଲେ; ପୁଣି, ସେମାନେ ସେଠାରେ ଅଧିକ ଦିନ ରହିଲେ ନାହିଁ।

ଯୀଶୁଙ୍କ ମନ୍ଦିର ପରିଷ୍କାର

(ମାଥିଉ 21:12,13; ମାର୍କ 11:15-17; ଲୂକ 19:45,46)

13 ସେତେବେଳେ ଯିହୁଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ହୋଇଥିଲା, ଆଉ ଯୀଶୁ ଯିରୂଶାଲମ ସହରକୁ ଗଲେ। 14 ପୁଣି, ସେ ମନ୍ଦିରରେ ଗୋରୁ, ମେଣ୍ଢା ଓ କାପ୍ତା-ବ୍ୟବସାୟୀମାନଙ୍କୁ ଆଉ ମୁଦ୍ରା-ବ୍ୟବସାୟୀମାନଙ୍କୁ ବସିଥିବା ଦେଖି ଦଉଡ଼ିରେ ଗୋଟିଏ କୋରଡ଼ା ବନାଇ ମେଣ୍ଢା ଓ ଗୋରୁ ସହିତ ସମସ୍ତଙ୍କୁ ମନ୍ଦିରରୁ ବାହାର କରିଦେଲେ; 15 ପୁଣି, ମୁଦ୍ରା-ବ୍ୟବସାୟୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ସେମାନଙ୍କ ମେଜଗୁଡ଼ାକ ଓଲଟାଇ ପକାଇଲେ; 16 ଆଉ, ସେ କାପ୍ତା-ବ୍ୟବସାୟୀମାନଙ୍କୁ କହିଲେ, “ଏଗୁଡ଼ିକ ଏଠାରୁ ଘେନିଯାଅ, ମୋହର ସ୍ୱର୍ଗସ୍ଥ ପିତା ଈଶ୍ବରଙ୍କର ଗୃହକୁ ବାଣିଜ୍ୟର ଗୃହ କର ନାହିଁ।” 17 ତୁମ୍ଭ ଗୃହ ନିମନ୍ତେ ଉଦ୍‌ଯୋଗ ମୋତେ ଗ୍ରାସ କରିବ, ଏହା ଲେଖାଅଛି ବୋଲି ତାହାଙ୍କ ଶିଷ୍ୟମାନଙ୍କର ମନରେ ପଡ଼ିଲା। 18 ସେଥିରେ କେତେକ ଯିହୁଦୀ ନେତାମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ଯେ ଏସମସ୍ତ କରିବାକୁ ଅଧିକାର ପାଇଅଛ, ଆମ୍ଭମାନଙ୍କୁ ସେଥିର କି ଚିହ୍ନ ଦେଖାଉଅଛ ? 19 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଏହି ମନ୍ଦିରକୁ ବିନାଶ କର, ଆଉ ତିନି ଦିନ ମଧ୍ୟରେ ମୁଁ ତାହା ତୋଳି ଦେବି।” 20 ସେଥିରେ ଯିହୁଦୀମାନେ କହିଲେ, ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ଛୟାଳିଶ ବର୍ଷ ଲାଗିଅଛି; ଆଉ ତୁମ୍ଭେ କଅଣ ତାହାକୁ ତିନି ଦିନରେ ତୋଳି ଦେବ ? 21 କିନ୍ତୁ ସେ ଆପଣା ଶରୀରରୂପ ମନ୍ଦିର ସମ୍ବନ୍ଧରେ କହୁଥିଲେ। 22 ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ; ପୁଣି, ସେମାନେ ଧର୍ମଶାସ୍ତ୍ର ଓ ଯୀଶୁଙ୍କ କଥିତ ବାକ୍ୟ ବିଶ୍ୱାସ କଲେ।

ଯୀଶୁ ମନୁଷ୍ୟ ପ୍ରକୃତି ବିଷୟରେ ଜ୍ଞାତ

23 ନିସ୍ତାର ପର୍ବର ଉତ୍ସବ ସମୟରେ ସେ ଯିରୂଶାଲମ ସହରରେ ଥିବା ସମୟରେ ଅନେକେ ତାହାଙ୍କ ସାଧିତ ଆଶ୍ଚର୍ଯ୍ୟକର୍ମଗୁଡ଼ିକ ଦେଖି ତାହାଙ୍କ ନାମରେ ବିଶ୍ୱାସ କଲେ, 24 କିନ୍ତୁ ଯୀଶୁ ସେମାନଙ୍କୁ ବିଶ୍ୱାସ ନ କରି ସେମାନଙ୍କଠାରୁ ଆପଣାକୁ ପୃଥକ ରଖିଲେ, କାରଣ ସେ ସମସ୍ତଙ୍କୁ ଜାଣିଥିଲେ, 25 ପୁଣି, କେହି ଯେ ମନୁଷ୍ୟ ବିଷୟରେ ସାକ୍ଷ୍ୟ ଦେବ, ଏହା ତାହାଙ୍କର ପ୍ରୟୋଜନ ନ ଥିଲା, ଯେଣୁ ମନୁଷ୍ୟ ଅନ୍ତରରେ କଅଣ ଅଛି, ତାହା ସେ ଆପେ ଜାଣିଥିଲେ।


2:6 [1] ଦୁଇ ବା ତିନି ମହଣିଆ 120-150 ଲିଟର ଧରି ପାରୁଥିବା ଜାହାଲା

Chapter 3

ଯୀଶୁ ଓ ନୀକଦୀମ

1 ଫାରୂଶୀମାନଙ୍କ ମଧ୍ୟରେ ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଯିହୁଦୀମାନଙ୍କର ଜଣେ ନେତା। 2 ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ବରଙ୍କଠାରୁ ଆଗତ ଗୁରୁ, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ବର ସାଙ୍ଗରେ ନ ଥିଲେ ସେହିସବୁ କେହି କରିପାରେ ନାହିଁ। 3 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ବରଙ୍କ ରାଜ୍ୟ ଦେଖି ପାରେ ନାହିଁ।” 4 ନୀକଦୀମ ତାହାଙ୍କୁ ପଚାରିଲେ, ବୃଦ୍ଧ ହେଲେ ମନୁଷ୍ୟ କି ପ୍ରକାର ଜନ୍ମ ହୋଇପାରେ? ସେ କଅଣ ଦ୍ୱିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହୋଇପାରେ? 5 ଯୀଶୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। 6 ମାଂସରୁ ଯାହା ଜାତ, ତାହା ମାଂସ; ପୁଣି, ଆତ୍ମାରୁ ଯାହା ଜାତ, ତାହା ଆତ୍ମା। 7 ‘ତୁମ୍ଭମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ’ ବୋଲି ମୁଁ ଯେ ତୁମ୍ଭକୁ କହିଲି, ଏଥିରେ ଚମତ୍କୃତ ହୁଅ ନାହିଁ। 8 ବାୟୁ ଯେଉଁ ଦିଗରେ ଇଚ୍ଛା କରେ, ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି, କେଉଁଠାକୁ ଯାଏ, ତାହା ଜାଣ ନାହିଁ; ପବିତ୍ର ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର।” 9 ନୀକଦୀମ ତାହାଙ୍କୁ ଉତ୍ତର ଦେଲେ, ଏହି ସବୁ କିପରି ହୋଇପାରେ ? 10 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଇସ୍ରାଏଲର ଜଣେ ଗୁରୁ ହୋଇ ସୁଦ୍ଧା କଅଣ ଏହି ସବୁ ବୁଝୁ ନାହଁ ? 11 ମୁଁ ତୁମ୍ଭକୁ ସତ୍ୟ ସତ୍ୟ କହୁଅଛି, ଆମ୍ଭେମାନେ ଯାହା ଜାଣୁ, ତାହା କହୁ, ପୁଣି, ଯାହା ଦେଖିଅଛୁ, ତାହା ବିଷୟରେ ସାକ୍ଷ୍ୟ ଦେଉ, ଆଉ ତୁମ୍ଭେମାନେ ଆମ୍ଭମାନଙ୍କର ସାକ୍ଷ୍ୟ ଗ୍ରହଣ କରୁ ନାହଁ। 12 ମୁଁ ତୁମ୍ଭମାନଙ୍କୁ ପାର୍ଥିବ ବିଷୟ କହିଲେ ଯଦି ତୁମ୍ଭେମାନେ ବିଶ୍ୱାସ ନ କର, ତେବେ ତୁମ୍ଭମାନଙ୍କୁ ସ୍ୱର୍ଗୀୟ ବିଷୟ କହିଲେ କିପରି ବିଶ୍ୱାସ କରିବ ? 13 ଆଉ, ଯେଉଁ ମନୁଷ୍ୟପୁତ୍ର ସ୍ୱର୍ଗରୁ ଅବତରଣ କଲେ, ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରି ନାହିଁ। 14 ମୋଶା ଯେପ୍ରକାର ପ୍ରାନ୍ତରରେ ପିତ୍ତଳର ଏକ ସର୍ପକୁ - ଗଣନା ପୁସ୍ତକ ୨୧:୯ ଊର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ, 15 ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ।” 16 କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। 17 ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ବର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। 18 ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ବିଚାରିତ ହୁଏ ନାହିଁ; ଯେ ବିଶ୍ୱାସ କରେ ନାହିଁ, ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ବରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ। 19 ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ। 20 କାରଣ ଯେ କେହି କୁକର୍ମ କରେ, ଯେ ଜ୍ୟୋତିଃକୁ ଘୃଣା କରେ, ପୁଣି, କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ। 21 କିନ୍ତୁ ଯେ କେହି ସତ୍ୟ ଆଚରଣ କରେ, ସେ ଜ୍ୟୋତିଃ ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ବରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ।

ଯୀଶୁଙ୍କୁ ବାପ୍ତିଜକ ଯୋହନଙ୍କ ସମ୍ଭ୍ରମ

22 ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିହୂଦିୟା ପ୍ରଦେଶକୁ ଗଲେ, ଆଉ ସେ ସେହି ସ୍ଥାନରେ ସେମାନଙ୍କ ସହିତ ରହି ବାପ୍ତିସ୍ମ ଦେବାକୁ ଲାଗିଲେ। 23 ଯୋହନ ମଧ୍ୟ ଶାଲମ ନିକଟସ୍ଥ ଏନୋନରେ ବାପ୍ତିସ୍ମ ଦେଉଥିଲେ, କାରଣ ସେ ସ୍ଥାନରେ ବହୁତ ଜଳ ଥିଲା, ଆଉ ଲୋକେ ଆସି ବାପ୍ତିସ୍ମ ଗ୍ରହଣ କରୁଥିଲେ। 24 ଯେଣୁ ଯୋହନ ସେପର୍ଯ୍ୟନ୍ତ କାରାଗାରରେ ନିକ୍ଷିପ୍ତ ହୋଇ ନ ଥିଲେ। 25 ସେଥିମଧ୍ୟରେ ଶୁଚିକ୍ରିୟା ସମ୍ବନ୍ଧରେ ଯୋହନଙ୍କ ଶିଷ୍ୟମାନଙ୍କ ପକ୍ଷରୁ ଜଣେ ଯିହୁଦୀ ସହିତ ବାଦାନୁବାଦ ଘଟିଲା। 26 ଆଉ, ସେମାନେ ଯୋହନଙ୍କ ନିକଟକୁ ଯାଇ ତାହାଙ୍କୁ କହିଲେ, ହେ ଗୁରୁ, ଯେ ଯର୍ଦ୍ଦନ ନଦୀର ଅପର ପାରିରେ ଆପଣଙ୍କ ସହିତ ଥିଲେ, ଯାହାଙ୍କ ସମ୍ବନ୍ଧରେ ଆପଣ ସାକ୍ଷ୍ୟ ଦେଇଅଛନ୍ତି, ଦେଖନ୍ତୁ, ସେ ବାପ୍ତିସ୍ମ ଦେଉଅଛନ୍ତି ଓ ସମସ୍ତେ ତାହାଙ୍କ ନିକଟକୁ ଯାଉଅଛନ୍ତି। 27 ଯୋହନ ଉତ୍ତର ଦେଲେ, ସ୍ୱର୍ଗରୁ ପ୍ରଦତ୍ତ ନ ହେଲେ ମନୁଷ୍ୟ କିଛି ପ୍ରାପ୍ତ ହୋଇପାରେ ନାହିଁ। 28 ମୁଁ ଯେ ଖ୍ରୀଷ୍ଟ ନୁହେଁ, କିନ୍ତୁ ତାହାଙ୍କ ଆଗରେ ପ୍ରେରିତ ହୋଇଅଛି, ଏହା ମୁଁ କହିଥିଲି ବୋଲି ତୁମ୍ଭେମାନେ ନିଜେ ନିଜେ ମୋହର ସାକ୍ଷୀ। 29 ଯେ କନ୍ୟା ଗ୍ରହଣ କରନ୍ତି, ସେ ବର, କିନ୍ତୁ ବରଙ୍କ ଯେଉଁ ବନ୍ଧୁ ଠିଆ ହୋଇ ତାହାଙ୍କ କଥା ଶୁଣେ, ସେ ବରଙ୍କ ସ୍ୱର ସକାଶେ ଅତ୍ୟନ୍ତ ଆନନ୍ଦିତ ହୁଏ। ଅତଏବ, ମୋହର ଏହି ଆନନ୍ଦ ପୂର୍ଣ୍ଣ ହୋଇଅଛି। 30 ସେ ଅବଶ୍ୟ ବୃଦ୍ଧି ହେଉନ୍ତୁ, ପୁଣି ମୁଁ ହ୍ରାସ ହେବି। 31 ଯେ ଊର୍ଦ୍ଧ୍ୱରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ; ଯେ ପୃଥିବୀରୁ ଉତ୍ପନ୍ନ, ସେ ପାର୍ଥିବ, ଆଉ ସେ ପାର୍ଥିବ କଥା କହେ; ଯେ ସ୍ୱର୍ଗରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ। 32 ସେ ଯାହା ଦେଖିଅଛନ୍ତି ଓ ଶୁଣିଅଛନ୍ତି, ତାହା ସମ୍ବନ୍ଧରେ ସେ ସାକ୍ଷ୍ୟ ଦିଅନ୍ତି, କିନ୍ତୁ ତାହାଙ୍କର ସାକ୍ଷ୍ୟ କେହି ଗ୍ରହଣ କରେ ନାହିଁ। 33 ଯେ ତାହାଙ୍କର ସାକ୍ଷ୍ୟ ଗ୍ରହଣ କରିଅଛି, ଈଶ୍ବର ଯେ ସତ୍ୟ, ଏହା ସେ ମୁଦ୍ରାଙ୍କନ କରିଅଛି। 34 କାରଣ ଈଶ୍ବର ଯାହାକୁ ପ୍ରେରଣ କରିଅଛନ୍ତି, ସେ ଈଶ୍ବରଙ୍କ ବାକ୍ୟ କହନ୍ତି, ଯେଣୁ ସେ ପରିମିତ ଭାବରେ ପବିତ୍ର ଆତ୍ମା ପ୍ରଦାନ କରନ୍ତି ନାହିଁ। 35 ପିତା ପୁତ୍ରଙ୍କୁ ପ୍ରେମ କରନ୍ତି, ପୁଣି, ସମସ୍ତ ବିଷୟ ତାହାଙ୍କ ହସ୍ତରେ ଅର୍ପଣ କରିଅଛନ୍ତି। 36 ଯେ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ, ସେ ଜୀବନ ଦେଖିବ ନାହିଁ, କିନ୍ତୁ ସେ ଈଶ୍ବରଙ୍କ କ୍ରୋଧର ପାତ୍ର ହୋଇ ରହିଥାଏ।

Chapter 4

ଯୀଶୁ ଓ ଶମିରୋଣୀୟା ସ୍ତ୍ରୀ

1 ଯୀଶୁ ଯେ ଯୋହନଙ୍କ ଅପେକ୍ଷା ଅଧିକ ଶିଷ୍ୟ କରୁଅଛନ୍ତି ଓ ବାପ୍ତିସ୍ମ ଦେଉଅଛନ୍ତି 2 (ଯଦ୍ୟପି ଯୀଶୁ ଆପେ ବାପ୍ତିସ୍ମ ଦେଉ ନ ଥିଲେ, ମାତ୍ର ତାହାଙ୍କ ଶିଷ୍ୟମାନେ ଦେଉଥିଲେ), ଏହା ଫାରୂଶୀମାନେ ଶୁଣିଅଛନ୍ତି ବୋଲି ଯେତେବେଳେ ପ୍ରଭୁ ଜାଣିଲେ, 3 ସେତେବେଳେ ସେ ଯିହୂଦିୟା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲୀକୁ ପ୍ରସ୍ଥାନ କଲେ। 4 କିନ୍ତୁ ଶମିରୋଣ ମଧ୍ୟ ଦେଇ ତାହାଙ୍କୁ ଯିବାକୁ ପଡ଼ିଲା। 5 ତେଣୁ ସେ ଯାଇ ଯାକୁବ ଆପଣା ପୁତ୍ର ଯୋଷେଫଙ୍କୁ ଯେଉଁ ଭୂମିଖଣ୍ଡିକ ଦାନ କରିଥିଲେ, ସେଥିର ନିକଟବର୍ତ୍ତୀ ସୁଖାର ନାମକ ଶମିରୋଣର ଗୋଟିଏ ନଗରରେ ପହଞ୍ଚିଲେ; 6 ସେହି ସ୍ଥାନରେ ଯାକୁବଙ୍କ କୂପ ଥିଲା। ଅତଏବ, ଯୀଶୁ ପଥଶ୍ରାନ୍ତ ହୋଇଥିବାରୁ ସେହି କୂପ ନିକଟରେ ବସିପଡ଼ିଲେ। ସେତେବେଳେ ମଧ୍ୟାହ୍ନ ହୋଇଥିଲା। 7 ଆଉ, ଜଣେ ଶମିରୋଣୀୟା ସ୍ତ୍ରୀ ପାଣି କାଢ଼ିବା ନିମନ୍ତେ ଆସିଲା। ଯୀଶୁ ତାହାକୁ କହିଲେ, “ମୋତେ ପିଇବାକୁ ଦିଅ।” 8 କାରଣ ତାହାଙ୍କର ଶିଷ୍ୟମାନେ ଖାଦ୍ୟ କିଣିବା ନିମନ୍ତେ ନଗରକୁ ଯାଇଥିଲେ। 9 ସେଥିରେ ଶମିରୋଣୀୟା ସ୍ତ୍ରୀ ତାହାଙ୍କୁ କହିଲା, ଆପଣ ଜଣେ ଯିହୁଦୀ ହୋଇ କିପରି ଶମିରୋଣୀୟା ସ୍ତ୍ରୀ ଯେ ମୁଁ, ମୋ' ହାତରୁ ପିଇବାକୁ ମାଗୁଅଛନ୍ତି ? କାରଣ ଶମିରୋଣୀୟମାନଙ୍କ ସହିତ ଯିହୁଦୀମାନଙ୍କର ବ୍ୟବହାର ନାହିଁ। 10 ଯୀଶୁ ତାହାକୁ ଉତ୍ତର ଦେଲେ, “ଈଶ୍ବରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯଦି ତୁମ୍ଭେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ।” 11 ସେହି ସ୍ତ୍ରୀଲୋକ ତାହାଙ୍କୁ କହିଲା, ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ ପୁଣି, କୂଅ ତ ଗଭୀର; ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇଅଛନ୍ତି ? 12 ଆମ୍ଭମାନଙ୍କର ଯେଉଁ ପିତୃ-ପୁରୁଷ ଯାକୁବ ଆମ୍ଭମାନଙ୍କୁ ଏହି କୂଅ ଦେଇଥିଲେ, ଆଉ ଆପେ, ପୁଣି, ତାହାଙ୍କ ପୁତ୍ରମାନେ ଓ ପଶୁପଲ ଏଥିରୁ ପାନ କରିଥିଲେ, ତାଙ୍କଠାରୁ କି ଆପଣ ଶ୍ରେଷ୍ଠ ? 13 ଯୀଶୁ ତାହାକୁ ଉତ୍ତର ଦେଲେ, “ଯେ କେହି ଏହି ଜଳ ପାନ କରେ, ସେ ପୁନର୍ବାର ତୃଷିତ ହେବ; 14 କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ।” 15 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ମୋତେ ଯେପରି ଶୋଷ ନ ଲାଗେ, ପୁଣି, ପାଣି କାଢ଼ିବା ନିମନ୍ତେ ଏତେ ବାଟ ଏଠାକୁ ଆସିବାକୁ ନ ପଡ଼େ, ଏଥିନିମନ୍ତେ ମୋତେ ସେହି ଜଳ ଦିଅନ୍ତୁ। 16 ଯୀଶୁ ତାହାକୁ କହିଲେ, “ଯାଅ, ତୁମ୍ଭ ସ୍ୱାମୀକୁ ଡାକି ଏଠାକୁ ଆସ।” 17 ସ୍ତ୍ରୀଲୋକଟି ତାହାଙ୍କୁ ଉତ୍ତର ଦେଲା, ମୋହର ସ୍ୱାମୀ ନାହିଁ। ଯୀଶୁ ତାହାଙ୍କୁ କହିଲେ, “ମୋହର ସ୍ୱାମୀ ନାହିଁ, ଏହା ତ ଠିକ୍ କହିଲ; 18 “କାରଣ ତୁମ୍ଭର ପାଞ୍ଚ ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ତୁମ୍ଭ ପାଖରେ ଯେ ଅଛି, ସେ ତୁମ୍ଭର ସ୍ୱାମୀ ନୁହେଁ; ଏହା ସତ୍ୟ କହିଅଛ।” 19 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ମହାଶୟ, ଆପଣ ଯେ ଜଣେ ଭାବବାଦୀ, ଏହା ମୁଁ ଜାଣି ପାରୁଅଛି। 20 ଆମ୍ଭମାନଙ୍କ ପିତୃ-ପୁରୁଷମାନେ ଏହି ପର୍ବତରେ ଉପାସନା କଲେ; ଆଉ, ଆପଣମାନେ କହୁଅଛନ୍ତି, ଯେଉଁ ସ୍ଥାନରେ ଉପାସନା କରିବା ଉଚିତ, ତାହା ଯିରୂଶାଲମ ସହରରେ ଅଛି। 21 ଯୀଶୁ ତାହାକୁ କହିଲେ, “ଆଗୋ ନାରୀ, ମୋ' କଥା ବିଶ୍ୱାସ କର, ଯେଉଁ ସମୟରେ ତୁମ୍ଭେମାନେ ଏହି ପର୍ବତରେ କିମ୍ବା ଯିରୂଶାଲମ ସହରରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଅଛି। 22 “ଯାହାକୁ ତୁମ୍ଭେମାନେ ଜାଣ ନାହିଁ, ତାହାକୁ ଉପାସନା କରୁଥାଅ; ଯାହାଙ୍କୁ ଆମ୍ଭେମାନେ ଜାଣୁ, ତାହାଙ୍କୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୁଦୀମାନଙ୍କ ମଧ୍ୟରୁ ଆସେ। 23 କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ଈଶ୍ବର ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି; ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ; କାରଣ ପିତା ଏହି ପ୍ରକାର ଉପାସକ ଚାହାନ୍ତି। 24 ଈଶ୍ବର ଆତ୍ମା ଅଟନ୍ତି, ପୁଣି, ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ।” 25 ସ୍ତ୍ରୀଲୋକଟି ତାହାଙ୍କୁ କହିଲା, ଖ୍ରୀଷ୍ଟ, ଯାହାଙ୍କୁ ଖ୍ରୀଷ୍ଟ କହନ୍ତି, ସେ ଆସୁଅଛନ୍ତି ବୋଲି ମୁଁ ଜାଣେ; ଯେତେବେଳେ ସେ ଆସିବେ, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ। 26 ଯୀଶୁ ତାହାକୁ କହିଲେ, “ତୁମ୍ଭ ସହିତ କଥା କହୁଅଛି ଯେ ମୁଁ, ମୁଁ ସେହି ଅଟେ।” 27 ଏପରି ସମୟରେ ତାହାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ, ତଥାପି ଆପଣ କଅଣ ଚାହାନ୍ତି, କିମ୍ବା କାହିଁକି ତାହା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ। 28 ସେଥିରେ ସେହି ସ୍ତ୍ରୀ ଆପଣା ଜାହାଲା ଥୋଇଦେଇ ନଗରକୁ ଯାଇ ଲୋକମାନଙ୍କୁ କହିଲା, ଆସ, ଜଣଙ୍କୁ ଦେଖିବ, 29 ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ; ସେ କେଜାଣି ଖ୍ରୀଷ୍ଟ ହେବେ ପରା ? 30 ଏଥିରେ ଲୋକେ ନଗରରୁ ବାହାରି ତାହାଙ୍କ ନିକଟକୁ ଯିବାକୁ ଲାଗିଲେ। 31 ଇତିମଧ୍ୟରେ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କରି କହିଲେ, ହେ ଗୁରୁ, ଭୋଜନ କରନ୍ତୁ। 32 କିନ୍ତୁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେଉଁ ଖାଦ୍ୟ ବିଷୟ ଜାଣ ନାହିଁ, ଭୋଜନ କରିବା ନିମନ୍ତେ ମୋହର ଏପରି ଖାଦ୍ୟ ଅଛି।” 33 ତେଣୁ ଶିଷ୍ୟମାନେ ପରସ୍ପର କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣି ଦେଇଅଛି ପରା ? 34 ଯୀଶୁ ସେମାନଙ୍କୁ କହିଲେ, “ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋହର ଖାଦ୍ୟ। 35 ଶସ୍ୟ କାଟିବାକୁ ଆହୁରି ଚାରି ମାସ ଅଛି, ଏହା କି ତୁମ୍ଭେମାନେ କହୁ ନାହଁ? ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର; ସେହିସବୁ କଟାଯିବା ନିମନ୍ତେ ପାଚିଗଲାଣି। 36 ଏବେ ସୁଦ୍ଧା କଟାଳି ମୂଳ ପାଉଅଛି ଓ ଅନନ୍ତ ଜୀବନ ନିମନ୍ତେ ଫଳ ସଂଗ୍ରହ କରୁଅଛି, ଯେପରି ବୁଣାଳୀ ଓ କଟାଳି ଉଭୟ ମିଳି ଆନନ୍ଦ କରନ୍ତି। 37 କାରଣ ଜଣେ ବୁଣେ ଓ ଅନ୍ୟ ଜଣେ କାଟେ, ଏହି କଥା ଏ ସମ୍ବନ୍ଧରେ ସତ୍ୟ। 38 ତୁମ୍ଭେମାନେ ଯାହା ନିମନ୍ତେ ପରିଶ୍ରମ କରି ନାହଁ, ତାହା କାଟିବା ପାଇଁ ମୁଁ ତୁମ୍ଭମାନଙ୍କୁ ପଠାଇଲି; ଅନ୍ୟମାନେ ପରିଶ୍ରମ କରିଅଛନ୍ତି, ଆଉ ତୁମ୍ଭେମାନେ ସେମାନଙ୍କ ପରିଶ୍ରମର ଫଳ ପାଉଅଛ।” 39 ମୁଁ ଯାହା ଯାହା କରିଅଛି, ସେହିସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀଲୋକ ସାକ୍ଷ୍ୟ ଦେଇଥିଲା, ତାହାର କଥା ହେତୁ ସେହି ନଗରର ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ। 40 ଅତଏବ, ସେହି ଶମିରୋଣୀୟମାନେ ତାହାଙ୍କ ନିକଟକୁ ଆସି ସେମାନଙ୍କ ସହିତ ରହିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ, ଆଉ ସେ ଦୁଇ ଦିନ ସେ ସ୍ଥାନରେ ରହିଲେ। 41 ପୁଣି, ତାହାଙ୍କ ବାକ୍ୟ ହେତୁ ଆହୁରି ଅନେକ ଲୋକ ବିଶ୍ୱାସ କଲେ; 42 ଆଉ, ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, ଏବେ ତୁମ୍ଭ କଥା ହେତୁ ଆମ୍ଭେମାନେ ବିଶ୍ୱାସ କରୁ ନାହୁଁ, ବରଂ ଆମ୍ଭେମାନେ ନିଜେ ନିଜେ ଶୁଣିଅଛୁ, ପୁଣି, ଏ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହା ଆମ୍ଭେମାନେ ଜାଣିଅଛୁ।

ରାଜକର୍ମଚାରୀ ପୁତ୍ରଙ୍କ ସୁସ୍ଥତା

43 ସେହି ଦୁଇ ଦିନ ପରେ ସେ ସେଠାରୁ ବାହାରି ଗାଲିଲୀକୁ ଗଲେ। 44 କାରଣ ଭାବବାଦୀ ସ୍ୱଦେଶରେ ଆଦର ପାଆନ୍ତି ନାହିଁ ବୋଲି ଯୀଶୁ ଆପେ ସାକ୍ଷ୍ୟ ଦେଲେ। 45 ପୁଣି, ସେ ଗାଲିଲୀକୁ ଆସନ୍ତେ, ପର୍ବ ସମୟରେ ସେ ଯିରୂଶାଲମ ସହରରେ ଯାହା ଯାହା କରିଥିଲେ, ସେହିସବୁ ଦେଖିଥିବାରୁ ଗାଲିଲୀୟମାନେ ତାହାଙ୍କୁ ଗ୍ରହଣ କଲେ, ଯେଣୁ ସେମାନେ ମଧ୍ୟ ପର୍ବକୁ ଯାଇଥିଲେ। 46 ଏଥିମଧ୍ୟରେ ଗାଲିଲୀର ଯେଉଁ କାନ୍ନା ନଗରରେ ସେ ଜଳକୁ ଦ୍ରାକ୍ଷାରସ କରିଥିଲେ, ସେ ସ୍ଥାନକୁ ସେ ପୁନର୍ବାର ଗଲେ। ଆଉ ଜଣେ ରାଜକର୍ମଚାରୀ ଥିଲେ, ତାହାଙ୍କ ପୁତ୍ର କଫର୍ନାହୂମରେ ପୀଡ଼ିତ ଥିଲା। 47 ଯୀଶୁ ଯିହୂଦିୟା ପ୍ରଦେଶରୁ ଗାଲିଲୀକୁ ବାହାରି ଆସିଅଛନ୍ତି, ଏହା ଶୁଣି ସେ ତାହାଙ୍କ ନିକଟକୁ ଯାଇ ସେ ଯେପରି ଆସି ତାହାଙ୍କ ପୁତ୍ରକୁ ସୁସ୍ଥ କରନ୍ତି, ଏଥିପାଇଁ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲେ, କାରଣ ସେ ମୃତବତ୍‍ ହୋଇଥିଲା। 48 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ଚିହ୍ନ ଓ ଅଦ୍ଭୁତ କର୍ମମାନ ନ ଦେଖିଲେ ତୁମ୍ଭେମାନେ କୌଣସି ପ୍ରକାରେ ବିଶ୍ୱାସ କରିବ ନାହିଁ।” 49 ରାଜକର୍ମଚାରୀ ତାହାଙ୍କୁ କହିଲେ, ହେ ପ୍ରଭୁ, ମୋହର ପିଲାଟି ମରିବା ପୂର୍ବରୁ ଆସନ୍ତୁ। 50 ଯୀଶୁ ତାହାଙ୍କୁ କହିଲେ, “ଯାଅ, ତୁମ୍ଭର ପୁଅ ବଞ୍ଚିବ।” ଯୀଶୁ ସେହି ବ୍ୟକ୍ତିଙ୍କୁ ଯେଉଁ ବାକ୍ୟ କହିଲେ, ସେ ତାହା ବିଶ୍ୱାସ କରି ଚାଲିଗଲେ। 51 ପୁଣି, ସେ ଯାଉ ଯାଉ ତାହାଙ୍କ ଦାସମାନେ ତାହାଙ୍କୁ ଭେଟି ତାଙ୍କର ପୁତ୍ର ବଞ୍ଚିଲାଣି ବୋଲି କହିଲେ। 52 ତେଣୁ କେଉଁ ଦଣ୍ଡରେ ତାହାର ସୁସ୍ଥତା ହେଲା, ତାହା ସେ ସେମାନଙ୍କୁ ପଚାରିଲେ। ସେଥିରେ ସେମାନେ ତାହାଙ୍କୁ କହିଲେ, କାଲି ଅପରାହ୍ନ ପ୍ରାୟ ଗୋଟାଏ ବେଳେ [1] ତାହାକୁ ଜ୍ୱର ଛାଡ଼ିଗଲା। 53 ଏଥିରେ ପିତା ବୁଝିଲେ ଯେ, ଯୀଶୁ ଯେଉଁ ଦଣ୍ଡରେ “ତୁମ୍ଭର ପୁତ୍ର ବଞ୍ଚିଲାଣି” ବୋଲି ତାହାଙ୍କୁ କହିଥିଲେ, ଠିକ୍ ସେହି ସମୟରେ ଏହା ଘଟିଥିଲା। ଆଉ, ସେ ଆପେ ଓ ତାହାଙ୍କ ସମସ୍ତ ପରିବାର ବିଶ୍ୱାସ କଲେ। 54 ଯିହୂଦିୟା ପ୍ରଦେଶରୁ ପୁର୍ନବାର ଗାଲିଲୀ ପ୍ରଦେଶକୁ ଆସି ଯୀଶୁ ଏହି ଦ୍ୱିତୀୟ ଆଶ୍ଚର୍ଯ୍ୟକର୍ମ ସାଧନ କଲେ।


4:52 [1] ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଯିହୁଦୀ ସମୟ ଅନୁସାରେ ସାତ ପହର

Chapter 5

ଅଠତିରିଶି ବର୍ଷର ରୋଗୀର ସୁସ୍ଥତା

1 ଏଥିଉତ୍ତାରେ ଯିହୁଦୀମାନଙ୍କର ଗୋଟିଏ ପର୍ବ ପଡ଼ିଲା, ଆଉ ଯୀଶୁ ଯିରୂଶାଲମ ସହରକୁ ଯାତ୍ରା କଲେ। 2 ଯିରୂଶାଲମ ସହରର ମେଷଦ୍ୱାର ନିକଟରେ ଗୋଟିଏ ପୋଖରୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍‍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ଡପ। 3 ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ିରହୁଥିଲେ। [ସେମାନେ ଜଳସଞ୍ଚଳନ ଅପେକ୍ଷାରେ ରହୁଥିଲେ; 4 କାରଣ କୌଣସି କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୁଷ୍କରିଣୀରେ ଅବତରଣ କରି ଜଳ କମ୍ପାଉଥିଲେ, ଆଉ ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା, ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା।] 5 ସେଠାରେ ଅଠତିରିଶି ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା। 6 ଯୀଶୁ ତାହାକୁ ପଡ଼ିରହିଥିବା ଦେଖି ବହୁକାଳର ରୋଗୀ ବୋଲି ଜାଣି ତାହାକୁ ପଚାରିଲେ, “ତୁମ୍ଭେ କଅଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ ?” 7 ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହିଁ; ଆଉ, ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ' ଆଗରୁ ପଶିଯାଏ। 8 ଯୀଶୁ ତାହାଙ୍କୁ କହିଲେ, “ଉଠ, ତୁମ୍ଭର ଖଟିଆ ଘେନି ଚାଲ।” 9 ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା। ସେହି ଦିନ ବିଶ୍ରାମବାର ଥିଲା। 10 ଅତଏବ, କେତେକ ଯିହୁଦୀ ନେତାମାନେ ସୁସ୍ଥ ହୋଇଥିବା ଲୋକକୁ କହିବାକୁ ଲାଗିଲେ, ଆଜି ବିଶ୍ରାମବାର, ଖଟିଆ ବୋହିନେଇଯିବା ତୁମ୍ଭ ନିମନ୍ତେ ବିଧିସଙ୍ଗତ ନୁହେଁ। 11 କିନ୍ତୁ, ସେ ସେମାନଙ୍କୁ ଉତ୍ତର ଦେଲା, ଯେ ମୋତେ ସୁସ୍ଥ କଲେ, ସେ ମୋତେ କହିଲେ, “ତୁମ୍ଭର ଖଟିଆ ଘେନି ଚାଲ।” 12 ସେମାନେ ତାହାକୁ ପଚାରିଲେ, ତୁମ୍ଭର ଖଟିଆ ଘେନି ଚାଲ ବୋଲି ଯେ ତୁମ୍ଭକୁ କହିଲା, ସେ ଲୋକ କିଏ ? 13 କିନ୍ତୁ ସେ କିଏ, ତାହା ସେହି ସୁସ୍ଥ ହୋଇଥିବା ଲୋକ ଜାଣି ନ ଥିଲା, କାରଣ ସେ ସ୍ଥାନରେ ବହୁତ ଲୋକ ଥିବାରୁ ଯୀଶୁ ଅଗୋଚରରେ ଚାଲିଯାଇଥିଲେ। 14 ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାହାକୁ କହିଲେ, “ଦେଖ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ।” 15 ସେହି ଲୋକ ଚାଲିଯାଇ, ଯେ ତାହାକୁ ସୁସ୍ଥ କରିଥିଲେ, ସେ ଯୀଶୁ ବୋଲି ଯିହୁଦୀମାନଙ୍କୁ କହିଲା। 16 ତେଣୁ ଯୀଶୁ ବିଶ୍ରାମବାର ଦିନରେ ଏହା କରୁଥିବାରୁ ଯିହୁଦୀମାନେ ତାହାଙ୍କୁ ତାଡ଼ନା କରିବାକୁ ଲାଗିଲେ। 17 ମାତ୍ର ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋହର ପିତା ଏପର୍ଯ୍ୟନ୍ତ କାର୍ଯ୍ୟ କରୁଅଛନ୍ତି, ଆଉ ମୁଁ ମଧ୍ୟ କରୁଅଛି।” 18 ଏହି କାରଣରୁ ଯିହୁଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ ଆହୁରି ଅଧିକ ଚେଷ୍ଟା କରିବାକୁ ଲାଗିଲେ, ଯେଣୁ ସେ ଯେ ବିଶ୍ରାମବାର ବିଧି ଲଙ୍ଘନ କରୁଥିଲେ, କେବଳ ତାହା ନୁହେଁ, ମାତ୍ର ଈଶ୍ବରଙ୍କୁ ଆପଣା ପିତା ବୋଲି କହି ନିଜକୁ ଈଶ୍ବରଙ୍କ ସହିତ ସମାନ କରୁଥିଲେ।

ପୁତ୍ରଙ୍କ ଅଧିକାର

19 ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ପୁତ୍ର ପିତାଙ୍କୁ ଯାହା କରୁଥିବା ଦେଖନ୍ତି, ତାହା ଛଡ଼ା ସେ ନିଜେ କିଛି ହିଁ କରିପାରନ୍ତି ନାହିଁ। କାରଣ ସେ ଯାହା ଯାହା କରନ୍ତି, ପୁତ୍ର ମଧ୍ୟ ସେହିସବୁ ସେପ୍ରକାରେ କରନ୍ତି। 20 କାରଣ ପିତା ପୁତ୍ରଙ୍କୁ ସ୍ନେହ କରନ୍ତି, ପୁଣି, ଆପେ ଯାହା ଯାହା କରନ୍ତି, ସେହିସବୁ ତାହାଙ୍କୁ ଦେଖାନ୍ତି, ଆଉ ତୁମ୍ଭେମାନେ ଯେପରି ଚମତ୍କୃତ ହୁଅ, ଏଥିନିମନ୍ତେ ସେ ତାହାଙ୍କୁ ଏହାଠାରୁ ଆହୁରି ମହତ‍ ମହତ‍ କର୍ମ ଦେଖାଇବେ। 21 ଯେଣୁ ପିତା ଯେପ୍ରକାରେ ମୃତମାନଙ୍କୁ ଉତ୍ଥାପନ କରି ଜୀବିତ କରନ୍ତି, ସେହି ପ୍ରକାରେ ପୁତ୍ର ମଧ୍ୟ ଯାହାଯାହାକୁ ଇଚ୍ଛା, ସେମାନଙ୍କୁ ଜୀବିତ କରନ୍ତି। 22 ପୁଣି, ପିତା ମଧ୍ୟ କାହାର ବିଚାର କରନ୍ତି ନାହିଁ, ମାତ୍ର ସମସ୍ତେ ପିତାଙ୍କୁ ଯେଉଁ ପ୍ରକାରେ ସମାଦର କରନ୍ତି, ସେହି ପ୍ରକାରେ ପୁତ୍ରଙ୍କୁ ମଧ୍ୟ ଯେପରି ସମାଦର କରିବେ, ସେଥିନିମନ୍ତେ ପୁତ୍ରଙ୍କୁ ସମସ୍ତ ବିଚାର କରିବାର ଅଧିକାର ଦେଇଅଛନ୍ତି। 23 ଯେ ପୁତ୍ରଙ୍କୁ ସମାଦର କରେ ନାହିଁ, ସେ ତାହାଙ୍କର ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମାଦର କରେ ନାହିଁ। 24 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି, ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି। 25 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତମାନେ ଈଶ୍ବରଙ୍କ ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ, ସେମାନେ ଜୀବିତ ହେବେ ଏପରି ସମୟ ଆସୁଅଛି, ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ। 26 କାରଣ ପିତା ଯେପରି ସ୍ୱୟଂଜୀବୀ, ସେହିପରି ସେ ପୁତ୍ରଙ୍କୁ ମଧ୍ୟ ସ୍ୱୟଂଜୀବୀ ହେବାକୁ ଦେଇଅଛନ୍ତି; 27 ଆଉ, ସେ ମନୁଷ୍ୟପୁତ୍ର ହେବାରୁ ସେ ତାହାଙ୍କୁ ବିଚାର କରିବାର ଅଧିକାର ଦେଲେ। 28 ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି, 29 ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍‌ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି।

ଯୀଶୁଙ୍କ ସପକ୍ଷରେ ସାକ୍ଷ୍ୟ

30 “ମୁଁ ନିଜେ କିଛି କରିପାରେ ନାହିଁ; ମୁଁ ଯେପରି ଶୁଣେ, ସେହିପରି ବିଚାର କରେ, ଆଉ ମୋହର ବିଚାର ଯଥାର୍ଥ, କାରଣ ମୁଁ ଆପଣାର ଇଚ୍ଛା ସାଧନ କରିବାକୁ ଚେଷ୍ଟା ନ କରି ମୋହର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରିବାକୁ ଚେଷ୍ଟା କରେ। 31 ଯଦି ମୁଁ ନିଜ ବିଷୟରେ ସାକ୍ଷ୍ୟ ଦିଏ, ତାହାହେଲେ ମୋହର ସାକ୍ଷ୍ୟ ସତ୍ୟ ନୁହେଁ। 32 ମୋ' ବିଷୟରେ ଯେ ସାକ୍ଷ୍ୟ ଦିଅନ୍ତି, ସେ ଆଉ ଜଣେ; ପୁଣି, ମୋ' ବିଷୟରେ ତାହାଙ୍କର ସାକ୍ଷ୍ୟ ଯେ ସତ୍ୟ, ତାହା ମୁଁ ଜାଣେ। 33 ତୁମ୍ଭେମାନେ ଯୋହନଙ୍କ ନିକଟକୁ ଲୋକ ପଠାଇଅଛ ଓ ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି; 34 କିନ୍ତୁ ମୁଁ ମନୁଷ୍ୟଠାରୁ ସାକ୍ଷ୍ୟ ଗ୍ରହଣ କରେ ନାହିଁ, ବରଂ ତୁମ୍ଭେମାନେ ଯେପରି ପରିତ୍ରାଣ ପ୍ରାପ୍ତ ହୁଅ, ସେଥିପାଇଁ ଏହି ସବୁ କହୁଅଛି। 35 ସେ ଜ୍ୱଳନ୍ତ ଓ ତେଜୋମୟ ପ୍ରଦୀପ ଥିଲେ, ଆଉ ତୁମ୍ଭେମାନେ ଅଳ୍ପ କାଳ ତାହାଙ୍କ ଜ୍ୟୋତିଃରେ ଉଲ୍ଲାସ କରିବା ନିମନ୍ତେ ଇଚ୍ଛୁକ ହେଲ। 36 କିନ୍ତୁ ଯୋହନଙ୍କର ସାକ୍ଷ୍ୟ ଅପେକ୍ଷା ମୋହର ଗୁରୁତର ସାକ୍ଷ୍ୟ ଅଛି, କାରଣ ପିତା ମୋତେ ଯେ ଯେ କାର୍ଯ୍ୟ ସମାପ୍ତ କରିବାକୁ ଦେଇଅଛନ୍ତି, ଯେ ସମସ୍ତ କର୍ମ ମୁଁ କରୁଅଛି, ପିତା ମୋତେ ପ୍ରେରଣ କରିଅଛନ୍ତି ବୋଲି ସେହିସବୁ ମୋ' ବିଷୟରେ ସାକ୍ଷ୍ୟ ଦେଉଅଛି। 37 ଆଉ, ଯେଉଁ ପିତା ମୋତେ ପ୍ରେରଣ କଲେ, ସେ ମୋ' ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି। ତୁମ୍ଭେମାନେ କେବେ ହେଁ ତାହାଙ୍କର ସ୍ୱର ଶୁଣି ନାହଁ ବା ତାହାଙ୍କର ଆକାର ଦେଖି ନାହଁ, 38 ପୁଣି, ତାହାଙ୍କ ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ପାଇ ନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କଲେ, ତାହାଙ୍କୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ। 39 “ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋ' ବିଷୟରେ ସାକ୍ଷ୍ୟ ଦେଉଅଛି। 40 କିନ୍ତୁ ତୁମ୍ଭେମାନେ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୋ' ନିକଟକୁ ଆସିବାକୁ ଇଚ୍ଛା କରୁ ନାହଁ। 41 ମୁଁ ମନୁଷ୍ୟମାନଙ୍କଠାରୁ ଗୌରବ ଗ୍ରହଣ କରେ ନାହିଁ, 42 ମାତ୍ର ମୁଁ ତୁମ୍ଭମାନଙ୍କୁ ଜାଣିଅଛି, ତୁମ୍ଭମାନଙ୍କ ଅନ୍ତରରେ ଈଶ୍ବରଙ୍କ ପ୍ରେମ ନାହିଁ। 43 ମୁଁ ମୋହର ପିତାଙ୍କ ନାମରେ ଆସିଅଛି, ଆଉ ତୁମ୍ଭେମାନେ ତ ମୋତେ ଗ୍ରହଣ କରୁ ନାହଁ; ଅନ୍ୟ ଜଣେ ଯଦି ନିଜ ନାମରେ ଆସିବ, ତେବେ ତୁମ୍ଭେମାନେ ତାହାକୁ ଗ୍ରହଣ କରିବ। 44 ତୁମ୍ଭେମାନେ କିପରି ବିଶ୍ୱାସ କରିପାର ? ତୁମ୍ଭେମାନେ ତ ପରସ୍ପରଠାରୁ ଗୌରବ ଗ୍ରହଣ କରୁଅଛ, ପୁଣି, ଏକମାତ୍ର ଈଶ୍ବରଙ୍କଠାରୁ ଯେଉଁ ଗୌରବ, ତାହା ପାଇବା ପାଇଁ ଚେଷ୍ଟା କରୁ ନାହଁ। 45 ମୁଁ ଯେ ପିତାଙ୍କ ଛାମୁରେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବି, ଏହା ମନେ କର ନାହିଁ; ଯେଉଁ ମୋଶାଙ୍କଠାରେ ତୁମ୍ଭେମାନେ ଭରସା ରଖିଅଛ, ସେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଅଛନ୍ତି। 46 କାରଣ ତୁମ୍ଭେମାନେ ଯଦି ମୋଶାଙ୍କୁ ବିଶ୍ୱାସ କରିଥାଆନ୍ତ, ତେବେ ମୋତେ ବିଶ୍ୱାସ କରିଥାଆନ୍ତ, ଯେଣୁ ସେ ମୋ' ବିଷୟରେ ଲେଖିଅଛନ୍ତି। 47 କିନ୍ତୁ ତୁମ୍ଭେମାନେ ଯଦି ତାହାଙ୍କ ଲିଖିତ ବାକ୍ୟ ବିଶ୍ୱାସ କରୁ ନାହଁ, ତେବେ କିପରି ମୋହର ବାକ୍ୟ ବିଶ୍ୱାସ କରିବ?

Chapter 6

ପାଞ୍ଚ ରୁଟି ଦୁଇ ମାଛ

(ମାଥିଉ 14:13-21; ମାର୍କ 6:30-44; ଲୂକ 9:10-17)

1 ଏଥିଉତ୍ତାରେ ଯୀଶୁ ଗାଲିଲୀ ସମୁଦ୍ରର, ଅର୍ଥାତ୍‍, ତିବିରୀୟା ହ୍ରଦର ଆରପାରିକୁ ଗଲେ। 2 ଆଉ, ସେ ରୋଗୀମାନଙ୍କ ପ୍ରତି ଯେଉଁ ଯେଉଁ ଆଶ୍ଚର୍ଯ୍ୟକର୍ମ କରୁଥିଲେ, ସେହିସବୁ ଦେଖି ବହୁସଂଖ୍ୟକ ଲୋକ ତାହାଙ୍କ ପଶ୍ଚାତ୍‍ଗମନ କରିବାକୁ ଲାଗିଲେ। 3 ସେଥିରେ ଯୀଶୁ ପର୍ବତ ଉପରକୁ ଯାଇ ଆପଣା ଶିଷ୍ୟମାନଙ୍କ ସହିତ ସେଠାରେ ବସିଲେ। 4 ସେତେବେଳେ ଯିହୁଦୀମାନଙ୍କ ନିସ୍ତାର ପର୍ବ ନିକଟବର୍ତ୍ତୀ ଥିଲା। 5 ପୁଣି, ଯୀଶୁ ଦୃଷ୍ଟିପାତ କରି ବହୁସଂଖ୍ୟକ ଲୋକଙ୍କୁ ଆପଣା ନିକଟକୁ ଆସିବା ଦେଖି ଫିଲିପ୍ପଙ୍କ କହିଲେ, “ଏମାନଙ୍କର ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୁଟି କିଣିବା ?” 6 କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କଅଣ କରିବାକୁ ଯାଉଅଛନ୍ତି, ତାହା ସେ ନିଜେ ଜାଣିଥିଲେ। 7 ଫିଲିପ୍ପ ତାହାଙ୍କୁ ଉତ୍ତର ଦେଲେ, ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ ଦୁଇଶହ ଦିନର ମଜୁରୀ ସମାନ ମୂଲ୍ୟର [1] ରୁଟି ଯଥେଷ୍ଟ ନୁହେଁ। 8 ଶିମୋନ ପିତରଙ୍କର ଭାଇ ଆନ୍ଦ୍ରିୟ ନାମକ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଏଠାରେ ଜଣେ ବାଳକ ଅଛି, 9 ତାହା ପାଖରେ ଯଅର ପାଞ୍ଚୋଟି ରୁଟି ଓ ଦୁଇଟି ଭଜା ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କଅଣ ହେବ ? 10 ଯୀଶୁ କହିଲେ, “ଲୋକମାନଙ୍କୁ ବସାଅ।” ସେ ସ୍ଥାନରେ ବହୁତ ଘାସ ଥିଲା। ତେଣୁ ସଂଖ୍ୟାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଲେ। 11 ସେଥିରେ ଯୀଶୁ ସେହି ରୁଟି ଘେନି ଧନ୍ୟବାଦ ଦେଇ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଦେଲେ, ସେହି ପ୍ରକାରେ ମାଛ ମଧ୍ୟ ବାଣ୍ଟିଦେଲେ, ସେମାନେ ଯେତେ ଚାହିଁଲେ, ସେତେ ଦେଲେ। 12 ଆଉ, ସେମାନେ ପରିତୃପ୍ତ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ଯେପରି କିଛି ନଷ୍ଟ ନ ହୁଏ, ଏଥିନିମନ୍ତେ ବଳିଥିବା ଭଙ୍ଗାଯାଇଥିବା ଖଣ୍ଡଗୁଡ଼ିକ ଏକାଠି କର।” 13 ସେଥିରେ ସେମାନେ ସେହିସବୁ ଏକାଠି କଲେ, ପୁଣି, ଲୋକମାନଙ୍କର ଖାଇବା ପରେ ଯଅର ସେହି ପାଞ୍ଚ ରୁଟିରୁ ଯେଉଁ ଭଙ୍ଗାଯାଇଥିବା ଖଣ୍ଡଗୁଡ଼ିକ ବଳିଥିଲା, ସେଥିରେ ସେମାନେ ବାର ଟୋକେଇ ପୂର୍ଣ୍ଣ କଲେ। 14 ତେଣୁ ଲୋକମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ ଦେଖି କହିବାକୁ ଲାଗିଲେ, ଜଗତକୁ ଯେଉଁ ଭାବବାଦୀଙ୍କର ଆସିବାର ଥିଲା, ଏ ନିଶ୍ଚୟ ସେହି। 15 ଅତଏବ, ସେମାନେ ଆସି ରାଜା କରିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଉଦ୍ୟତ ଅଟନ୍ତି, ଏହା ଜାଣି ଯୀଶୁ ପୁନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ।

ଯୀଶୁଙ୍କ ଜଳ ଉପରେ ଚାଲିବା

16 ସନ୍ଧ୍ୟା ହୁଅନ୍ତେ ତାହାଙ୍କ ଶିଷ୍ୟମାନେ ସମୁଦ୍ରକୂଳକୁ ଗଲେ 17 ଓ ନୌକାରେ ଚଢ଼ି ସମୁଦ୍ର ସେପାରସ୍ଥ କଫର୍ନାହୂମ ଆଡ଼କୁ ଯିବାକୁ ଲାଗିଲେ। ଅନ୍ଧକାର ହୋଇଗଲା, ପୁଣି, ଯୀଶୁ ସେପର୍ଯ୍ୟନ୍ତ ସେମାନଙ୍କ ନିକଟକୁ ଆସି ନ ଥିଲେ, 18 ଆଉ ପ୍ରବଳ ପବନ ବହୁଥିବାରୁ ସମୁଦ୍ରରେ ଲହଡ଼ି ଉଠୁଥିଲା। 19 ଇତିମଧ୍ୟରେ ସେମାନେ ପ୍ରାୟ ଦେଢ଼ ବା ଦୁଇ କୋଶ [2] ବାହିଯାଇ ଯୀଶୁଙ୍କୁ ସମୁଦ୍ର ଉପରେ ଚାଲି ନୌକା ନିକଟକୁ ଆସୁଥିବା ଦେଖି ଭୀତ ହେଲେ। 20 କିନ୍ତୁ ସେ ସେମାନଙ୍କୁ କହିଲେ, “ଏ ତ ମୁଁ, ଭୟ କର ନାହିଁ।” 21 ତେଣୁ ସେମାନେ ତାହାଙ୍କୁ ନୌକାରେ ନେବାକୁ ଇଚ୍ଛୁକ ହେଲେ, ପୁଣି, ସେମାନେ ଯେଉଁ ସ୍ଥାନକୁ ଯାଉଥିଲେ, ନୌକାଟି ତତ୍‍କ୍ଷଣାତ୍‍ ସେହି ସ୍ଥାନରେ ପହଞ୍ଚିଲା।

ଯୀଶୁ ଜୀବନଦାୟକ ଆହାର

22 ସେ ସ୍ଥାନରେ ଗୋଟିଏ ସାନ ନୌକା ବ୍ୟତୀତ ଯେ ଅନ୍ୟ କୌଣସି ନୌକା ନ ଥିଲା, ଆଉ ସେଥିରେ ଯେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଯାଇ ନ ଥିଲେ, ମାତ୍ର କେବଳ ତାହାଙ୍କ ଶିଷ୍ୟମାନେ ଯାଇଥିଲେ, ଏହା ଯେଉଁ ଲୋକମାନେ ତହିଁ ଆରଦିନ ସମୁଦ୍ର ସେପାରିରେ ଠିଆ ହୋଇଥିଲେ, ସେମାନେ ଦେଖିଥିଲେ। 23 ପ୍ରଭୁ ଧନ୍ୟବାଦ ଦେଲା ଉତ୍ତାରେ ସେମାନେ ଯେଉଁ ସ୍ଥାନରେ ରୁଟି ଭୋଜନ କରିଥିଲେ, ସେହି ସ୍ଥାନ ନିକଟକୁ ତିବିରୀୟାରୁ ଆଉ କେତେକ ନୌକା ଆସିଲା; 24 ଅତଏବ, ଯୀଶୁ କିମ୍ବା ତାହାଙ୍କ ଶିଷ୍ୟମାନେ ଯେ ସେଠାରେ ନାହାନ୍ତି, ଏହା ଯେତେବେଳେ ଲୋକସମୂହ ଦେଖିଲେ, ସେତେବେଳେ ସେମାନେ ସେହି ସମସ୍ତ ସାନ ନୌକାଗୁଡିକରେ ଚଢ଼ି ଯୀଶୁଙ୍କୁ ଖୋଜୁ ଖୋଜୁ କଫର୍ନାହୂମକୁ ଆସିଲେ। 25 ଆଉ, ସେମାନେ ସମୁଦ୍ର ସେପାରିରେ ତାହାଙ୍କ ଦେଖା ପାଇ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆପଣ କେତେବେଳେ ଏଠାକୁ ଆସିଲେ ? 26 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଶ୍ଚର୍ଯ୍ୟକର୍ମ ଦେଖିବାରୁ ଯେ ତୁମ୍ଭେମାନେ ମୋହର ଅନ୍ୱେଷଣ କରୁଅଛ, ତାହା ନୁହେଁ, ମାତ୍ର ରୁଟି ଖାଇ ପରିତୃପ୍ତ ହେବାରୁ ମୋହର ଅନ୍ୱେଷଣ କରୁଅଛ।” 27 କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍‍, ଈଶ୍ବର ମୁଦ୍ରାଙ୍କିତ କଲେ।” 28 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଈଶ୍ବରଙ୍କ କାର୍ଯ୍ୟସବୁ କରିବା ନିମନ୍ତେ ଆମ୍ଭମାନଙ୍କୁ କଅଣ କରିବାକୁ ହେବ ? 29 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବର ଯାହାଙ୍କୁ ପ୍ରେରଣ କରିଅଛନ୍ତି, ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ବରଙ୍କ କାର୍ଯ୍ୟ ଅଟେ।” 30 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତାହାହେଲେ ଆପଣ ଚିହ୍ନ ସ୍ୱରୂପ କଅଣ କରୁଅଛନ୍ତି ଯେ, ତାହା ଦେଖି ଆମ୍ଭେମାନେ ଆପଣଙ୍କୁ ବିଶ୍ୱାସ କରିପାରୁ ? 31 ଆପଣ କଅଣ ସାଧନ କରୁଅଛନ୍ତି? ଆମ୍ଭମାନଙ୍କର ପିତୃ-ପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରୁଥିଲେ, ଯେପରି ଲେଖା ଅଛି, ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗରୁ ଆହାର ଦେଲେ। 32 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋଶା ତୁମ୍ଭମାନଙ୍କୁ ସ୍ୱର୍ଗରୁ ଆହାର ଦେଇ ନାହାନ୍ତି, କିନ୍ତୁ ମୋହର ପିତା ତୁମ୍ଭମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି; 33 କାରଣ ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରି ଜଗତକୁ ଜୀବନ ପ୍ରଦାନ କରେ, ତାହା ଈଶ୍ବରଦତ୍ତ ଆହାର।” 34 ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ସବୁବେଳେ ଆମ୍ଭମାନଙ୍କୁ ଏହି ଆହାର ଦିଅନ୍ତୁ। 35 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ସେହି ଜୀବନଦାୟକ ଆହାର; ଯେ ମୋ' ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ତୃଷିତ ହେବ ନାହିଁ। 36 କିନ୍ତୁ ତୁମ୍ଭେମାନେ ମୋତେ ଦେଖିଲେ ହେଁ ଯେ ବିଶ୍ୱାସ କରୁ ନାହଁ, ଏହା ମୁଁ ତୁମ୍ଭମାନଙ୍କୁ କହିଅଛି। 37 ପିତା ଯେଉଁ ସମସ୍ତଙ୍କୁ ମୋତେ ଦାନ କରନ୍ତି, ସେମାନେ ମୋ' ନିକଟକୁ ଆସିବେ; ଆଉ, ଯେ ମୋ' ନିକଟକୁ ଆସେ, ତାହାକୁ ମୁଁ କୌଣସି ପ୍ରକାରେ ବାହାର କରିଦେବି ନାହିଁ; 38 କାରଣ ମୁଁ ନିଜ ଇଚ୍ଛା ସାଧନ କରିବାକୁ ଅବତରଣ ନ କରି ବରଂ ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବାକୁ ସ୍ୱର୍ଗରୁ ଅବତରଣ କରିଅଛି। 39 ଆଉ, ମୋହର ପ୍ରେରଣକର୍ତ୍ତା ଯେଉଁ ସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ହିଁ ଯେପରି ମୁଁ ନ ହରାଇ ବରଂ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି, ଏହା ତାହାଙ୍କର ଇଚ୍ଛା। 40 କାରଣ ଯେ କେହି ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଏହା ହିଁ ମୋହର ପିତାଙ୍କର ଇଚ୍ଛା; ଆଉ, ମୁଁ ତାହାକୁ ଶେଷ ଦିନରେ ଉତ୍ଥାପନ କରିବି।” 41 ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ହୋଇଥିବା ଆହାର ଅଟେ,” ସେ ଏହା କହିବାରୁ ଯିହୁଦୀମାନେ ତାହାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, 42 ଏ କଅଣ ଯୋଷେଫର ପୁଅ ଯୀଶୁ ନୁହେଁ, ଆଉ ଆମ୍ଭେମାନେ କଅଣ ଏହାର ପିତାମାତାକୁ ଜାଣୁ ନାହୁଁ ? ତେବେ “ମୁଁ ସ୍ୱର୍ଗରୁ ଅବତରଣ କରିଅଛି” ବୋଲି ସେ ଏବେ କିପରି କହୁଅଛି ? 43 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଆପଣା ଆପଣା ମଧ୍ୟରେ ବଚସା କର ନାହିଁ। 44 “ମୋହର ପ୍ରେରଣକର୍ତ୍ତା ପିତା ଯାହାକୁ ଆକର୍ଷଣ କରନ୍ତି, କେବଳ ସେ ମୋ' ନିକଟକୁ ଆସି ପାରେ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। 45 ଭାବବାଦୀମାନଙ୍କ ଧର୍ମଶାସ୍ତ୍ରରେ ଲିଖିତ ଅଛି, ‘ସମସ୍ତେ ଈଶ୍ବରଙ୍କ ଦ୍ୱାରା ଶିକ୍ଷା ପ୍ରାପ୍ତ ହେବେ।’ ଯେ କେହି ପିତାଙ୍କଠାରୁ ଶ୍ରବଣ କରି ଶିକ୍ଷା ଲାଭ କରିଅଛି, ସେ ମୋ' ନିକଟକୁ ଆସେ। 46 କେହି ଯେ ପିତାଙ୍କୁ ଦେଖିଅଛି, ତାହା ନୁହେଁ; ଯେ ଈଶ୍ବରଙ୍କଠାରୁ ଆସିଅଛନ୍ତି, କେବଳ ସେ ପିତାଙ୍କୁ ଦେଖିଅଛନ୍ତି। 47 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। 48 ମୁଁ ଜୀବନଦାୟକ ଆହାର। 49 ତୁମ୍ଭମାନଙ୍କର ପିତୃ-ପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରି ମୃତ୍ୟୁଭୋଗ କଲେ। 50 କେହି ଯେପରି ଭୋଜନ କରି ମୃତ୍ୟୁଭୋଗ ନ କରେ, ଏଥିନିମନ୍ତେ ସ୍ୱର୍ଗରୁ ଅବତରଣ କରିବା ଆହାର ଏହି ଅଟେ। 51 ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ; ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି।” 52 ଏଥିରେ ଯିହୁଦୀମାନେ ପରସ୍ପର ବାଗ୍‍ଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇ ପାରେ? 53 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ, ତୁମ୍ଭମାନଙ୍କଠାରେ ଜୀବନ ନାହିଁ। 54 ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। 55 କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ। 56 ଯେ ମୋହର ମାଂସ ଭୋଜନ କରେ ଓ ମୋ' ରକ୍ତ ପାନ କରେ, ସେ ମୋ'ଠାରେ ରହେ ଓ ମୁଁ ତାହାଠାରେ ରହେ। 57 ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋ' ହେତୁ ଜୀବିତ ରହିବ। 58 ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି, ତାହା ଏହି; ପିତୃ-ପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ, ସେପ୍ରକାର ନୁହେଁ; ଯେ ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ।” 59 ସେ କଫର୍ନାହୂମର ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିବା ସମୟରେ ଏହି ସମସ୍ତ କଥା କହିଲେ।

ଅନନ୍ତ ଜୀବନର ବାକ୍ୟ

60 ଅତଏବ, ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, କିଏ ଏହା ଶୁଣି ପାରେ? 61 କିନ୍ତୁ ଯୀଶୁ, ତାହାଙ୍କ ଶିଷ୍ୟମାନେ ଯେ ସେ ବିଷୟରେ ବଚସା କରୁଅଛନ୍ତି, ତାହା ଅନ୍ତରରେ ଅବଗତ ହୋଇ ସେମାନଙ୍କୁ କହିଲେ, “ଏହା କଅଣ ତୁମ୍ଭମାନଙ୍କ ବିଘ୍ନର କାରଣ ହେଉଅଛି ? 62 “ତାହାହେଲେ ମନୁଷ୍ୟପୁତ୍ର ପୂର୍ବରେ ଯେଉଁ ସ୍ଥାନରେ ଥିଲେ, ସେ ସ୍ଥାନକୁ ଯେବେ ତାହାଙ୍କୁ ଆରୋହଣ କରିବା ଦେଖିବ, ତେବେ କଅଣ ? 63 ଆତ୍ମା ଜୀବନଦାୟକ; ମାଂସ କୌଣସି ଉପକାର କରେ ନାହିଁ; ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି, ସେହିସବୁ ଆତ୍ମା ଓ ଜୀବନ ଅଟେ। 64 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ବିଶ୍ୱାସ କରୁ ନାହାନ୍ତି। କାରଣ ଯେଉଁମାନେ ବିଶ୍ୱାସ କରୁ ନ ଥିଲେ ଏବଂ କିଏ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ,” ତାହା ଯୀଶୁ ଆଦ୍ୟରୁ ଜାଣିଥିଲେ। 65 ଆଉ ସେ କହିଲେ, “ଏହି ହେତୁ ମୁଁ ତୁମ୍ଭମାନଙ୍କୁ କହିଅଛି, ପିତାଙ୍କଠାରୁ ଅନୁଗ୍ରହ ଦତ୍ତ ନ ହେଲେ କେହି ମୋ' ନିକଟକୁ ଆସି ପାରେ ନାହିଁ।” 66 ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ବିମୁଖ ହୋଇ ବାହାରିଗଲେ, ପୁଣି, ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ। 67 ସେଥିରେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ, “ତୁମ୍ଭେମାନେ ମଧ୍ୟ କଅଣ ଚାଲିଯିବାକୁ ଇଚ୍ଛା କରୁଅଛ ?” 68 ଶିମୋନ ପିତର ତାହାଙ୍କୁ ଉତ୍ତର ଦେଲେ, ପ୍ରଭୁ, କାହା ପାଖକୁ ଯିବା ? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି; 69 ଆଉ, ଆପଣ ଯେ ଈଶ୍ବରଙ୍କର ସେହି ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ୱାସ କରିଅଛୁ ଓ ଜାଣିଅଛୁ। 70 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ କଅଣ ତୁମ୍ଭ ଦ୍ୱାଦଶଙ୍କୁ ମନୋନୀତ କରି ନାହିଁ? ଆଉ, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଶୟତାନ।” 71 ସେ ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦାକୁ ଲକ୍ଷ୍ୟ କରି ଏହା କହିଲେ, କାରଣ ସେ ଦ୍ୱାଦଶଙ୍କ ମଧ୍ୟରେ ଜଣେ, ଆଉ ସେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା।


6:7 [1] ଦୁଇଶହ ଦିନର ମଜୁରୀ ସମାନ ମୂଲ୍ୟର ଦୁଇଶହ ଦିନାର୍
6:19 [2] ପ୍ରାୟ ଛଅ କିଲୋମିଟର

Chapter 7

କୁଟୀରବାସ ପର୍ବରେ ଯୀଶୁ

1 ଏଥିଉତ୍ତାରେ ଯୀଶୁ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ, କାରଣ କେତେକ ଯିହୁଦୀ ନେତାମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସେ ଯିହୂଦିୟା ପ୍ରଦେଶରେ ଭ୍ରମଣ କରିବାକୁ ଇଚ୍ଛା କରୁ ନ ଥିଲେ। 2 କିନ୍ତୁ ଯିହୁଦୀମାନଙ୍କର କୁଟୀରବାସ ପର୍ବ ସନ୍ନିକଟ ହୁଅନ୍ତେ, 3 ତାହାଙ୍କ ଭାଇମାନେ ତାହାଙ୍କୁ କହିଲେ, ତୁମ୍ଭେ ଯେ ଯେ କର୍ମ କରୁଅଛ, ସେହିସବୁ ଯେପରି ତୁମ୍ଭର ଶିଷ୍ୟମାନେ ମଧ୍ୟ ଦେଖିବେ, ଏନିମନ୍ତେ ଏଠାରୁ ବାହାରିଯାଇ ଯିହୂଦିୟା ପ୍ରଦେଶକୁ ଯାଅ, 4 କାରଣ କେହି ପ୍ରକାଶିତ ହେବାକୁ ଇଚ୍ଛା କଲେ ଗୋପନରେ କିଛି କରେ ନାହିଁ। ତୁମ୍ଭେ ଯଦି ଏସମସ୍ତ କରୁଅଛ, ତେବେ ଆପଣାକୁ ଜଗତ ନିକଟରେ ପ୍ରକାଶ କର। 5 କାରଣ ତାହାଙ୍କ ଭାଇମାନେ ସୁଦ୍ଧା ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ। 6 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କର ସମୟ ସର୍ବଦା ଉପସ୍ଥିତ। 7 ଜଗତ ତୁମ୍ଭମାନଙ୍କୁ ଘୃଣା କରିପାରେ ନାହିଁ, କିନ୍ତୁ ମୋତେ ଘୃଣା କରେ, କାରଣ ତାହାର କର୍ମ ଯେ ମନ୍ଦ, ମୁଁ ତାହା ବିଷୟରେ ଏହି ସାକ୍ଷ୍ୟ ଦେଉଅଛି। 8 ତୁମ୍ଭେମାନେ ଏହି ପର୍ବକୁ ଯାଅ, ମୁଁ ଏବେ ଏହି ପର୍ବକୁ ଯାଉ ନାହିଁ, କାରଣ ମୋହର ସମୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ।” 9 ସେ ସେମାନଙ୍କୁ ଏହି ସମସ୍ତ କଥା କହି ଗାଲିଲୀରେ ରହିଲେ। 10 କିନ୍ତୁ ତାହାଙ୍କ ଭାଇମାନେ ପର୍ବକୁ ଗଲା ଉତ୍ତାରେ ସେ ମଧ୍ୟ ଗଲେ, ପ୍ରକାଶରେ ନୁହେଁ, ମାତ୍ର ଏକ ପ୍ରକାର ଗୋପନରେ। 11 ଏଣୁ ଯିହୁଦୀମାନେ ପର୍ବରେ ତାହାଙ୍କୁ ଖୋଜୁ ଖୋଜୁ ପଚାରିଲେ, ସେ କାହିଁ ? 12 ଆଉ, ତାହାଙ୍କ ବିଷୟରେ ଲୋକସମୂହ ମଧ୍ୟରେ ବହୁତ ଆନ୍ଦୋଳନ ହେବାକୁ ଲାଗିଲା; କେହି କେହି କହିଲେ, ସେ ଜଣେ ଉତ୍ତମ ଲୋକ; ଆଉ କେହି କେହି କହିଲେ, ନା, ସେ ଲୋକମାନଙ୍କୁ ଭ୍ରାନ୍ତ କରୁଅଛି। 13 ତଥାପି ଯିହୁଦୀମାନଙ୍କ ଭୟରେ ତାହାଙ୍କ ବିଷୟରେ ପ୍ରକାଶରେ କେହି କିଛି କହୁ ନ ଥିଲେ। 14 କିନ୍ତୁ ପର୍ବର ଅର୍ଦ୍ଧେକ ସମୟ ଗତ ହୁଅନ୍ତେ, ଯୀଶୁ ମନ୍ଦିରକୁ ଯାଇ ଶିକ୍ଷା ଦେବାକୁ ଲାଗିଲେ। 15 ଏଥିରେ ଯିହୁଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା ? 16 ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋହର ଶିକ୍ଷା ମୋ' ନିଜର ନୁହେଁ, କିନ୍ତୁ ମୋ' ପ୍ରେରଣକର୍ତ୍ତାଙ୍କର। 17 କେହି ଯଦି ତାହାଙ୍କର ଇଚ୍ଛା ସାଧନ କରିବାକୁ ଇଚ୍ଛୁକ ହୁଏ, ତାହାହେଲେ ଏହି ଶିକ୍ଷା ଈଶ୍ବରଙ୍କଠାରୁ ଉତ୍ପନ୍ନ, ନା ମୁଁ ଆପଣାଠାରୁ କହୁଅଛି, ତାହା ସେ ଜାଣିବ। 18 ଯେ ଆପଣାରୁ କହେ, ସେ ନିଜ ଗୌରବ ଅନ୍ୱେଷଣ କରେ, କିନ୍ତୁ ଯେ ଆପଣା ପ୍ରେରଣକର୍ତ୍ତାଙ୍କ ଗୌରବ ଅନ୍ୱେଷଣ କରେ, ସେ ସତ, ଆଉ ତାହାଠାରେ କୌଣସି ଅଧର୍ମ ନାହିଁ। 19 ମୋଶା କଅଣ ତୁମ୍ଭମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଦେଇ ନାହାନ୍ତି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ। ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ ?” 20 ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି ? 21 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଗୋଟିଏ କର୍ମ କଲି, ଆଉ ତୁମ୍ଭେମାନେ ସମସ୍ତେ ଚମତ୍କୃତ ହୋଇଅଛ। 22 ଏହି ହେତୁରୁ ମୋଶା ତୁମ୍ଭମାନଙ୍କୁ ସୁନ୍ନତ ବିଧି ଦେଇଅଛନ୍ତି (ଏହା ଯେ ମୋଶାଙ୍କଠାରୁ ହୋଇଅଛି, ତାହା ନୁହେଁ, ମାତ୍ର ପିତୃ-ପୁରୁଷଙ୍କଠାରୁ), ଆଉ ତୁମ୍ଭେମାନେ ବିଶ୍ରାମବାର ଦିନରେ ମନୁଷ୍ୟର ସୁନ୍ନତ କରୁଅଛ। 23 ମୋଶାଙ୍କର ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ନ ହେବା ନିମନ୍ତେ ଯଦି ବିଶ୍ରାମବାର ଦିନରେ ମନୁଷ୍ୟ ସୁନ୍ନତ ପ୍ରାପ୍ତ ହୁଏ, ତାହାହେଲେ ମୁଁ ବିଶ୍ରାମବାର ଦିନରେ ଜଣେ ମନୁଷ୍ୟକୁ ସର୍ବାଙ୍ଗ ସୁସ୍ଥ କରିବାରୁ ତୁମ୍ଭେମାନେ କାହିଁକି ମୋ' ଉପରେ କ୍ରୋଧ କରୁଅଛ ? 24 ବାହ୍ୟ ବିଷୟ ଦେଖି ବିଚାର ନ କରି ଉଚିତ ନ୍ୟାୟବିଚାର କର।”

ଏ କଅଣ ଖ୍ରୀଷ୍ଟ ?

25 ଏଥିରେ ଯିରୂଶାଲମ ସହରନିବାସୀମାନଙ୍କ ମଧ୍ୟରୁ କେହି କେହି କହିବାକୁ ଲାଗିଲେ, ସେମାନେ ଯାହାକୁ ବଧ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି, ଏ କଅଣ ସେ ନୁହେଁ? 26 ପୁଣି, ଦେଖ, ସେ ପ୍ରକାଶରେ କଥା କହୁଅଛି, ଆଉ ସେମାନେ ତାହାକୁ କିଛି କରୁ ନାହାନ୍ତି। ଏ ଯେ ଖ୍ରୀଷ୍ଟ, ଏହା କଅଣ ନେତାମାନେ ସତେ ଜାଣି ସାରିଲେଣି ? 27 ଯାହା ହେଉ, ଆମ୍ଭେମାନେ ଜାଣୁ ଯେ ଏହି ବ୍ୟକ୍ତି କେଉଁଠାରୁ, କିନ୍ତୁ ଖ୍ରୀଷ୍ଟ ଯେତେବେଳେ ଆସିବେ, ସେତେବେଳେ କେହି ଜାଣିବ ନାହିଁ ଯେ ସେ କେଉଁଠାରୁ ଅଟନ୍ତି। 28 ସେଥିରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଉ ଦେଉ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ମୋତେ ଓ ମୋହର ଉତ୍ପତ୍ତି ଉଭୟ ଜାଣ; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ସତ, ତାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ। 29 ମୁଁ ତାହାଙ୍କୁ ଜାଣେ, କାରଣ ମୁଁ ତାହାଙ୍କଠାରୁ ଉତ୍ପନ୍ନ, ଆଉ ସେ ମୋତେ ପ୍ରେରଣ କଲେ।” 30 ସେଥିରେ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ; କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ, କାରଣ ତାହାଙ୍କ ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା। 31 କିନ୍ତୁ ଲୋକସମୂହ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କରି କହିବାକୁ ଲାଗିଲେ, ଏ ଯେ ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି, ଖ୍ରୀଷ୍ଟ ଆସି ତାହାଠାରୁ କଅଣ ଅଧିକ କରିବେ ?

ଯୀଶୁଙ୍କୁ ଧରିବା ନିମନ୍ତେ ଚେଷ୍ଟା

32 ଫାରୂଶୀମାନେ ଲୋକସମୂହକୁ ତାହାଙ୍କ ବିଷୟରେ ଆନ୍ଦୋଳନ କରିବା ଶୁଣିଲେ ଏବଂ ପ୍ରଧାନ ଯାଜକମାନେ ଓ ଫାରୂଶୀମାନେ ତାହାଙ୍କୁ ଧରିବା ନିମନ୍ତେ ପଦାତିକମାନଙ୍କୁ ପଠାଇଲେ। 33 ସେଥିରେ ଯୀଶୁ କହିଲେ, “ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସହିତ ରହି ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି। 34 ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ; ଆଉ, ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ।” 35 ଏଥିରେ ଯିହୁଦୀମାନେ ପରସ୍ପର କହିଲେ, ଏ କେଉଁଠାକୁ ଯିବା ପାଇଁ ବାହାରିଅଛି ଯେ, ଆମ୍ଭେମାନେ ତାହାକୁ ପାଇବା ନାହିଁ? ଏ କଅଣ ଗ୍ରୀକ୍‍ମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ଆମ୍ଭମାନଙ୍କ ଯିହୁଦୀମାନଙ୍କ ନିକଟକୁ ଯାଇ ଗ୍ରୀକ୍‍ମାନଙ୍କୁ ଶିକ୍ଷା ଦେବାକୁ ବାହାରିଅଛି ? 36 ‘ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ, ଆଉ ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ,’ ସେ ଏହି ଯେଉଁ କଥା କହିଲେ, ସେ କଅଣ?

ଜୀବନଦାୟକ ସ୍ରୋତ

37 ଶେଷଦିନ, ଅର୍ଥାତ୍‍, ପର୍ବର ପ୍ରଧାନ ଦିନ, ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, “କେହି ଯଦି ତୃଷିତ ହୁଏ, ତେବେ ସେ ମୋ' ନିକଟକୁ ଆସି ପାନ କରୁ। 38 ଯେ ମୋ'ଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ।” 39 ତାହାଙ୍କଠାରେ ବିଶ୍ୱାସକାରୀମାନେ ଯେଉଁ ଆତ୍ମା ପାଇବାକୁ ଯାଉଥିଲେ, ତାହାଙ୍କ ବିଷୟରେ ସେ ଏହା କହିଲେ, କାରଣ ଯୀଶୁ ସେପର୍ଯ୍ୟନ୍ତ ମହିମାପ୍ରାପ୍ତ ହୋଇ ନ ଥିବାରୁ ପବିତ୍ର ଆତ୍ମା ପ୍ରଦତ୍ତ ହୋଇ ନ ଥିଲେ।

ଲୋକଙ୍କ ଭିତରେ ମତଭେଦ

40 ଅତଏବ, ଲୋକସମୂହ ମଧ୍ୟରୁ କେହି କେହି ଏହି କଥା ଶୁଣି କହିବାକୁ ଲାଗିଲେ, ଏ ପ୍ରକୃତରେ ସେହି ଭାବବାଦୀ। 41 ଅନ୍ୟମାନେ କହିବାକୁ ଲାଗିଲେ, ଏ ଖ୍ରୀଷ୍ଟ; କିନ୍ତୁ କେହି କେହି କହିବାକୁ ଲାଗିଲେ, କଅଣ! ଖ୍ରୀଷ୍ଟ ଗାଲିଲୀରୁ ଆସିବେ? 42 ଖ୍ରୀଷ୍ଟ ଯେ ଦାଉଦଙ୍କ ବଂଶରୁ ଓ ଦାଉଦ ଯେଉଁଠାରେ ଥିଲେ, ସେହି ବେଥଲିହିମ ଗ୍ରାମରୁ ଆସିବେ, ଏହା କଅଣ ଧର୍ମଶାସ୍ତ୍ରର ବାକ୍ୟ କହି ନାହିଁ? 43 ତେଣୁ ଲୋକସମୂହ ମଧ୍ୟରେ ତାହାଙ୍କ ହେତୁ ମତଭେଦ ଘଟିଲା; 44 ଆଉ, ସେମାନଙ୍କ ମଧ୍ୟରୁ କେହି କେହି ତାହାଙ୍କୁ ଧରିବାକୁ ଇଚ୍ଛା କରୁଥିଲେ, କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ। 45 ଇତିମଧ୍ୟରେ ପଦାତିକମାନେ ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କ ନିକଟକୁ ବାହୁଡ଼ି ଆସିଲେ, ଆଉ ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ତାହାକୁ ଆଣିଲ ନାହିଁ? 46 ପଦାତିକମାନେ ଉତ୍ତର ଦେଲେ, ଏହି ବ୍ୟକ୍ତି ଯେପ୍ରକାରେ କଥା କହନ୍ତି, କୌଣସି ମନୁଷ୍ୟ କେବେ ସେପ୍ରକାରେ କହି ନାହିଁ। 47 ସେଥିରେ ଫାରୂଶୀମାନେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ କଅଣ ଭ୍ରାନ୍ତ ହୋଇଅଛ ? 48 ନେତାମାନଙ୍କ ମଧ୍ୟରୁ କିମ୍ବା ଫାରୂଶୀମାନଙ୍କ ମଧ୍ୟରୁ କଅଣ କେହି ତାହାଙ୍କଠାରେ ବିଶ୍ୱାସ କରିଅଛନ୍ତି ? 49 କିନ୍ତୁ ଏହି ଯେଉଁ ଲୋକଗୁଡ଼ାକ ମୋଶାଙ୍କ ବ୍ୟବସ୍ଥା ଜାଣନ୍ତି ନାହିଁ, ସେମାନେ ଶାପଗ୍ରସ୍ତ। 50 ଯେଉଁ ନୀକଦୀମ ଏଥିପୂର୍ବେ ତାହାଙ୍କ ନିକଟକୁ ଆସିଥିଲେ ଓ ଯେ ସେମାନଙ୍କ ମଧ୍ୟରେ ଜଣେ, ସେ ସେମାନଙ୍କୁ ପଚାରିଲେ, 51 ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥା କଅଣ ତାହାକୁ ଦୋଷୀ କରେ ? 52 ସେମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ମଧ୍ୟ କଅଣ ଜଣେ ଗାଲିଲୀୟ ଲୋକ ? ଗାଲିଲୀରୁ କୌଣସି ଭାବବାଦୀ ଉତ୍ପନ୍ନ ହୁଅନ୍ତି ନାହିଁ, ଏହା ଅନୁସନ୍ଧାନ କରି ଦେଖ।

ବ୍ୟଭିଚାର କର୍ମରେ ଧୃତା ସ୍ତ୍ରୀ

53 [ଆଉ ସେମାନେ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ଚାଲିଗଲେ,

Chapter 8

1 କିନ୍ତୁ ଯୀଶୁ ଜୀତପର୍ବତକୁ ଗଲେ। 2 ତହିଁ ଆରଦିନ ପ୍ରତ୍ୟୁଷରେ ସେ ପୁନର୍ବାର ମନ୍ଦିରକୁ ଆସିଲେ, ପୁଣି, ସମସ୍ତ ଲୋକ ତାହାଙ୍କ ନିକଟକୁ ଆସନ୍ତେ, ସେ ଉପବେଶନ କରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ। 3 ଆଉ, ଶାସ୍ତ୍ରୀ ଓ ଫାରୂଶୀମାନେ ବ୍ୟଭିଚାର କର୍ମରେ ଧୃତା ଜଣେ ସ୍ତ୍ରୀଲୋକକୁ ଘେନିଆସି ତାହାକୁ ମଧ୍ୟସ୍ଥଳରେ ଠିଆ କରାଇ ତାହାଙ୍କୁ କହିଲେ, 4 ହେ ଗୁରୁ, ଏହି ସ୍ତ୍ରୀଲୋକଟି ବ୍ୟଭିଚାର କର୍ମ କରୁଥିବା ସମୟରେ ଧରାପଡ଼ିଅଛି। 5 ଏହିପରି ଲୋକମାନଙ୍କୁ ପଥର ଫୋପାଡ଼ି ମାରିବାକୁ ମୋଶା ଆମ୍ଭମାନଙ୍କୁ ମୋଶାଙ୍କ ବ୍ୟବସ୍ଥାରେ ଆଜ୍ଞା ଦେଇଅଛନ୍ତି; ତେବେ ଆପଣ କଅଣ କହୁଅଛନ୍ତି? 6 ସେମାନେ ଯେପରି ତାହାଙ୍କ ବିରୁଦ୍ଧରେ ଅଭିଯୋଗର କାରଣ ପାଇ ପାରନ୍ତି, ଏଥିନିମନ୍ତେ ସେମାନେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ। କିନ୍ତୁ ଯୀଶୁ ଅଧୋମୁଖ ହୋଇ ଅଙ୍ଗୁଳି ଦ୍ୱାରା ଭୂମିରେ ଲେଖିବାକୁ ଲାଗିଲେ। 7 ମାତ୍ର ସେମାନେ ତାହାଙ୍କୁ ପୁନଃ ପୁନଃ ପଚାରନ୍ତେ, ସେ ମସ୍ତକ ଉତ୍ତୋଳନ କରି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଯେ ନିଷ୍ପାପ, ସେ ପ୍ରଥମରେ ତାହାକୁ ପଥର ଫୋପାଡ଼ୁ। 8 ପୁନର୍ବାର ସେ ଅଧୋମୁଖ ହୋଇ ଭୂମିରେ ଲେଖିବାକୁ ଲାଗିଲେ। 9 ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରିଯିବାକୁ ଲାଗିଲେ, ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେହି ସ୍ତ୍ରୀଲୋକ ଅବଶିଷ୍ଟ ରହିଲେ। 10 ପୁଣି, ଯୀଶୁ ମସ୍ତକ ଉତ୍ତୋଳନ କରି ତାହାକୁ କହିଲେ, ଗୋ ନାରୀ, ସେମାନେ କାହାନ୍ତି ? କେହି କଅଣ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ ? 11 ସେ କହିଲା, କେହି ନାହିଁ, ପ୍ରଭୁ। ସେଥିରେ ଯୀଶୁ କହିଲେ, ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କରୁ ନାହିଁ; ଯାଅ, ଆଜିଠାରୁ ଆଉ ପାପ କର ନାହିଁ।]

ଯୀଶୁ ଜଗତର ଜ୍ୟୋତିଃ

12 ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, “ମୁଁ ଜଗତର ଜ୍ୟୋତିଃ; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ।” 13 ସେଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, ତୁମ୍ଭେ ନିଜ ବିଷୟରେ ସାକ୍ଷ୍ୟ ଦେଉଅଛ, ତୁମ୍ଭର ସାକ୍ଷ୍ୟ ସତ୍ୟ ନୁହେଁ। 14 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଯଦି ନିଜ ବିଷୟରେ ସାକ୍ଷ୍ୟ ଦେଉଥାଏ, ତେବେ ସୁଦ୍ଧା ମୋହର ସାକ୍ଷ୍ୟ ସତ୍ୟ, କାରଣ ମୁଁ କେଉଁ ସ୍ଥାନରୁ ଆସିଅଛି ଓ କେଉଁ ସ୍ଥାନକୁ ଯାଉଅଛି, ତାହା ଜାଣେ, କିନ୍ତୁ ମୁଁ କେଉଁ ସ୍ଥାନରୁ ଆସେ କିମ୍ବା କେଉଁ ସ୍ଥାନକୁ ଯାଏ, ତାହା ତୁମ୍ଭେମାନେ ଜାଣ ନାହିଁ। 15 ତୁମ୍ଭେମାନେ ମନୁଷ୍ୟ ଭାବରେ ବିଚାର କରିଥାଅ, ମୁଁ କାହାରି ବିଚାର କରେ ନାହିଁ। 16 କିନ୍ତୁ ମୁଁ ଯଦି ବିଚାର କରେ, ତେବେ ସୁଦ୍ଧା ମୋହର ବିଚାର ଯଥାର୍ଥ; କାରଣ ମୁଁ ଏକାକୀ ନୁହେଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ମୋ' ସାଙ୍ଗରେ ଅଛନ୍ତି। 17 ପୁଣି, ଦୁଇ ଜଣଙ୍କର ସାକ୍ଷ୍ୟ ଯେ ସତ୍ୟ, ଏହା ତୁମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥାରେ ମଧ୍ୟ ଲେଖା ଅଛି। 18 ମୁଁ ନିଜେ ନିଜର ସାକ୍ଷୀ, ପୁଣି, ମୋହର ପ୍ରେରଣକର୍ତ୍ତା ପିତା ମୋ' ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି।” 19 ସେଥିରେ ସେମାନେ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁମ୍ଭର ପିତା କାହାନ୍ତି ? ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ମୋତେ ଜାଣ ନାହିଁ କିମ୍ବା ମୋହର ପିତାଙ୍କୁ ମଧ୍ୟ ଜାଣ ନାହିଁ; ଯଦି ମୋତେ ଜାଣିଥାଆନ୍ତ, ତେବେ ମୋହର ପିତାଙ୍କୁ ମଧ୍ୟ ଜାଣିଥାଆନ୍ତ।” 20 ସେ ମନ୍ଦିର ମଧ୍ୟରେ ଶିକ୍ଷା ଦେଉଥିବା ସମୟରେ ଭଣ୍ଡାର ନିକଟରେ ଏହି ସମସ୍ତ କଥା କହିଲେ, କିନ୍ତୁ କେହି ତାହାଙ୍କୁ ଧରିଲେ ନାହିଁ, କାରଣ ତାହାଙ୍କର ନିଯୁକ୍ତ ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା। 21 ସେଥିରେ ସେ ପୁନର୍ବାର ସେମାନଙ୍କୁ କହିଲେ, “ମୁଁ ଯାଉଅଛି, ଆଉ ତୁମ୍ଭେମାନେ ମୋତେ ଖୋଜିବ ଓ ଆପଣା ଆପଣା ପାପରେ ମରିବ, ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେମାନେ ସେଠାକୁ ଯାଇ ପାର ନାହିଁ।” 22 ତେଣୁ ଯିହୁଦୀମାନେ କହିବାକୁ ଲାଗିଲେ, ଏ କଅଣ ଆତ୍ମହତ୍ୟା କରିବ ବୋଲି କହୁଅଛି, ‘ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେମାନେ ସେଠାକୁ ଯାଇ ପାର ନାହିଁ?’ 23 ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଅଧଃସ୍ଥାନରୁ ଉତ୍ପନ୍ନ, ମୁଁ ଊର୍ଦ୍ଧ୍ୱସ୍ଥାନରୁ ଉତ୍ପନ୍ନ; ତୁମ୍ଭେମାନେ ଜଗତରୁ ଉତ୍ପନ୍ନ, ମୁଁ ଜଗତରୁ ଉତ୍ପନ୍ନ ନୁହେଁ। 24 ତେଣୁ ତୁମ୍ଭେମାନେ ଆପଣା ଆପଣା ପାପରେ ମରିବ, ମୁଁ ତୁମ୍ଭମାନଙ୍କୁ ଏହା କହିଲି; କାରଣ ମୁଁ ଯେ ସେହି ବ୍ୟକ୍ତି, ଏହା ତୁମ୍ଭେମାନେ ବିଶ୍ୱାସ ନ କଲେ ଆପଣା ଆପଣା ପାପରେ ମରିବ।” 25 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ କିଏ? ଯୀଶୁ ସେମାନଙ୍କୁ କହିଲେ, “ପ୍ରାରମ୍ଭରୁ ମୁଁ ତୁମ୍ଭମାନଙ୍କୁ ଯାହା କହିଅଛି। 26 ତୁମ୍ଭମାନଙ୍କ ସମ୍ବନ୍ଧରେ କଥା କହିବାକୁ ଓ ବିଚାର କରିବାକୁ ମୋହର ଅନେକ ବିଷୟ ଅଛି; ଯାହା ହେଉ, ମୋହର ପ୍ରେରଣକର୍ତ୍ତା ସତ୍ୟ, ଆଉ ମୁଁ ତାହାଙ୍କଠାରୁ ଯାହା ଯାହା ଶ୍ରବଣ କଲି, ସେହିସବୁ ଜଗତକୁ ଜଣାଉଅଛି।” 27 ସେ ଯେ ପିତାଙ୍କ ସମ୍ବନ୍ଧରେ ସେମାନଙ୍କୁ କହୁଥିଲେ, ଏହା ସେମାନେ ବୁଝିଲେ ନାହିଁ। 28 ଅତଏବ, ଯୀଶୁ କହିଲେ, “ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଗୌରବ ଦେବ, ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ଓ ମୁଁ ନିଜରୁ କିଛି ନ କରି ବରଂ ପିତା ମୋତେ ଯେପ୍ରକାର ଶିକ୍ଷା ଦେଲେ, ସେହି ପ୍ରକାର ଏସମସ୍ତ କଥା ଯେ କହୁଅଛି, ଏହା ତୁମ୍ଭେମାନେ ବୁଝିବ। 29 ମୋହର ପ୍ରେରଣକର୍ତ୍ତା ମୋ' ସାଙ୍ଗରେ ଅଛନ୍ତି; ସେ ମୋତେ ଏକାକୀ କରି ନାହାନ୍ତି, କାରଣ ମୁଁ ସର୍ବଦା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରେ।” 30 ସେ ଏହି ସମସ୍ତ କଥା କହନ୍ତେ, ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କଲେ।

ସ୍ୱାଧୀନ ଏବଂ କ୍ରୀତଦାସ

31 ଅତଏବ, ଯୀଶୁ ତାହାଙ୍କୁ ବିଶ୍ୱାସ କରିଥିବା ଯିହୁଦୀମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ମୋହର ବାକ୍ୟରେ ସ୍ଥିର ହୋଇ ରହିବ, ତେବେ ତୁମ୍ଭେମାନେ ପ୍ରକୃତରେ ମୋହର ଶିଷ୍ୟ,

32 ପୁଣି, ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ।” 33 ସେମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଅବ୍ରହାମଙ୍କର ବଂଶ, ଆଉ କେବେ ହେଁ କାହାରି ଦାସ ହୋଇ ନାହୁଁ, ତେବେ ତୁମ୍ଭେମାନେ ମୁକ୍ତ ହେବ ବୋଲି ତୁମ୍ଭେ କିପରି କହୁଅଛ ? 34 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ପାପ କରେ, ସେ ପାପର ଦାସ। 35 ଦାସ ଅନନ୍ତକାଳ ଗୃହରେ ରହେ ନାହିଁ, ପୁତ୍ର ଅନନ୍ତକାଳ ରହେ। 36 ଅତଏବ, ପୁତ୍ର ଯଦି ତୁମ୍ଭମାନଙ୍କୁ ମୁକ୍ତ କରିବେ, ତାହାହେଲେ ତୁମ୍ଭେମାନେ ପ୍ରକୃତରେ ମୁକ୍ତ ହେବ। 37 ତୁମ୍ଭେମାନେ ଯେ ଅବ୍ରହାମଙ୍କର ବଂଶ, ତାହା ମୁଁ ଜାଣେ; କିନ୍ତୁ ମୋହର ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ନ ପାଇବାରୁ ତୁମ୍ଭେମାନେ ମୋତେ ବଧ କରିବାକୁ ଚେଷ୍ଟା କରୁଅଛ। 38 ମୁଁ ପିତାଙ୍କ ନିକଟରେ ଯାହା ଯାହା ଦେଖିଅଛି, ସେହିସବୁ କହୁଅଛି; ଅତଏବ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ପିତା ନିକଟରୁ ଯାହା ଯାହା ଶୁଣିଅଛ, ସେହିସବୁ କର।”

ଶୟତାନର ସନ୍ତାନ

39 ସେମାନେ ତାହାଙ୍କୁ ଉତ୍ତର ଦେଲେ, ଅବ୍ରହାମ ଆମ୍ଭମାନଙ୍କ ପିତା। ଯୀଶୁ ସେମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ଅବ୍ରହାମଙ୍କ ସନ୍ତାନ, ତେବେ ଅବ୍ରହାମଙ୍କ କର୍ମ କର; 40 କିନ୍ତୁ ଯେ ଈଶ୍ବରଙ୍କଠାରୁ ଶୁଣିଥିବା ସତ୍ୟ ତୁମ୍ଭମାନଙ୍କୁ କହୁଅଛି, ଏପରି ଲୋକ ଯେ ମୁଁ, ମୋତେ ତୁମ୍ଭେମାନେ ଏବେ ବଧ କରିବାକୁ ଚେଷ୍ଟା କରୁଅଛ; ଅବ୍ରହାମ ଏପରି କର୍ମ କଲେ ନାହିଁ। 41 ତୁମ୍ଭେମାନେ ତୁମ୍ଭମାନଙ୍କ ପିତାର କର୍ମସବୁ କରୁଅଛ।” ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ବ୍ୟଭିଚାରରୁ ଜାତ ହୋଇ ନାହୁଁ; ଆମ୍ଭମାନଙ୍କର ଏକମାତ୍ର ପିତା, ସେ ଈଶ୍ବର। 42 ଯୀଶୁ ସେମାନଙ୍କୁ କହିଲେ, ଯଦି ତୁମ୍ଭମାନଙ୍କର ପିତା ହୋଇଥାଆନ୍ତେ, ତାହାହେଲେ ତୁମ୍ଭେମାନେ ମୋତେ ପ୍ରେମ କରନ୍ତ; କାରଣ ମୁଁ ଈଶ୍ବରଙ୍କଠାରୁ ଆସିଅଛି; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ସେ ମୋତେ ପ୍ରେରଣ କଲେ।” 43 “ତୁମ୍ଭେମାନେ କାହିଁକି ମୋହର କଥା ବୁଝୁ ନାହଁ? ତୁମ୍ଭେମାନେ ତ ମୋହର ବାକ୍ୟ ଶୁଣି ପାରୁ ନାହଁ। 44 ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନଠାରୁ ଉତ୍ପନ୍ନ, ଆଉ ତୁମ୍ଭମାନଙ୍କ ପିତାର କାମନା ସାଧନ କରିବା ତୁମ୍ଭମାନଙ୍କର ଇଚ୍ଛା। ସେ ଆଦ୍ୟରୁ ନରଘାତକ, ଆଉ ସେ ସତ୍ୟରେ ରହେ ନାହିଁ, କାରଣ ତାହାଠାରେ ସତ୍ୟ ନାହିଁ। ଯେତେବେଳେ ସେ ମିଥ୍ୟା କହେ, ସେତେବେଳେ ସେ ନିଜଠାରୁ କହେ; କାରଣ ସେ ମିଥ୍ୟାବାଦୀ ଓ ମିଥ୍ୟାବାଦୀର ପିତା। 45 କିନ୍ତୁ ମୁଁ ସତ୍ୟ କହିଥିବାରୁ ତୁମ୍ଭେମାନେ ମୋତେ ବିଶ୍ୱାସ କରୁ ନାହଁ। 46 ମୋ'ଠାରେ ପାପ ଅଛି ବୋଲି ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରମାଣ ଦେଉଅଛି ? ମୁଁ ଯେବେ ସତ୍ୟ କହେ, ତେବେ ତୁମ୍ଭେମାନେ କାହିଁକି ମୋତେ ବିଶ୍ୱାସ କରୁ ନାହଁ? 47 ଯେ ଈଶ୍ବରଙ୍କଠାରୁ ଉତ୍ପନ୍ନ, ସେ ଈଶ୍ବରଙ୍କ ବାକ୍ୟ ଶୁଣେ; ଏହି ହେତୁ ତୁମ୍ଭେମାନେ ଶୁଣୁ ନାହଁ, କାରଣ ତୁମ୍ଭେମାନେ ଈଶ୍ବରଙ୍କଠାରୁ ଉତ୍ପନ୍ନ ନୁହଁ।

ଅବ୍ରହାମଙ୍କ ପୂର୍ବରୁ ଯୀଶୁ ଥିଲେ

48 ଯିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, ତୁ ଯେ ଜଣେ ଶମିରୋଣୀୟ ଓ ତୋତେ ଯେ ଭୂତ ଲାଗିଅଛି, ଏହା କଅଣ ଆମ୍ଭେମାନେ ଠିକ୍ କହୁ ନାହୁଁ? 49 ଯୀଶୁ ଉତ୍ତର ଦେଲେ, “ମୋତେ ଭୂତ ଲାଗି ନାହିଁ, କିନ୍ତୁ ମୁଁ ମୋହର ପିତାଙ୍କୁ ସମାଦର କରୁଅଛି, ଆଉ ତୁମ୍ଭେମାନେ ମୋତେ ଅନାଦର କରୁଅଛ। 50 କିନ୍ତୁ ମୁଁ ନିଜର ଗୌରବ ଅନ୍ୱେଷଣ କରେ ନାହିଁ; ଯେ ଅନ୍ୱେଷଣ କରନ୍ତି ଓ ବିଚାର କରନ୍ତି, ଏପରି ଜଣେ ଅଛନ୍ତି। 51 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁ ଦର୍ଶନ କରିବ ନାହିଁ।” 52 ଯିହୁଦୀ ଲୋକମାନେ ତାହାଙ୍କୁ କହିଲେ, ଏବେ ଆମ୍ଭେମାନେ ଜାଣିଲୁ ଯେ, ତୋତେ ଭୂତ ଲାଗିଅଛି, ଅବ୍ରହାମ ଓ ଭାବବାଦୀମାନେ ମୃତ୍ୟୁଭୋଗ କରିଅଛନ୍ତି, ଆଉ ତୁ କହୁଅଛୁ, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁର ଆସ୍ୱାଦ ପାଇବ ନାହିଁ। 53 ତୁ କଅଣ ଆମ୍ଭମାନଙ୍କ ପୂର୍ବପିତା ଅବ୍ରହାମଙ୍କ ଅପେକ୍ଷା ଶ୍ରେଷ୍ଠ ? ସେ ତ ମୃତ୍ୟୁଭୋଗ କରିଅଛନ୍ତି, ଭାବବାଦୀମାନେ ମଧ୍ୟ ମୃତ୍ୟୁଭୋଗ କରିଅଛନ୍ତି; ତୁ ନିଜକୁ କିଏ ବୋଲି କହୁଅଛୁ ? 54 ଯୀଶୁ ଉତ୍ତର ଦେଲେ, “ମୁଁ ଯଦି ନିଜର ଗୌରବ କରୁଥାଏ, ତେବେ ମୋହର ଗୌରବ କିଛି ନୁହେଁ; ମୋହର ଯେଉଁ ପିତାଙ୍କୁ ତୁମ୍ଭେମାନେ ତୁମ୍ଭମାନଙ୍କ ଈଶ୍ବର ବୋଲି କହୁଅଛ, ସେ ମୋହର ଗୌରବ କରୁଅଛନ୍ତି; 55 ଆଉ, ତୁମ୍ଭେମାନେ ତାହାଙ୍କୁ ଜାଣି ନାହଁ, କିନ୍ତୁ ମୁଁ ତାହାଙ୍କୁ ଜାଣେ। ପୁଣି, ମୁଁ ତାହାଙ୍କୁ ଜାଣେ ନାହିଁ ବୋଲି ଯଦି କହିବି, ତାହାହେଲେ ମୁଁ ତୁମ୍ଭମାନଙ୍କ ପରି ମିଥ୍ୟାବାଦୀ ହେବି, କିନ୍ତୁ ମୁଁ ତାହାଙ୍କୁ ଜାଣେ ଓ ତାହାଙ୍କର ବାକ୍ୟ ପାଳନ କରେ। 56 ତୁମ୍ଭମାନଙ୍କର ପିତା ଅବ୍ରହାମ ମୋହର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ।” 57 ସେଥିରେ ଯିହୁଦୀମାନେ ତାହାଙ୍କୁ କହିଲେ, ତୁମ୍ଭକୁ ତ ଏଯାଏଁ ପଚାଶ ବର୍ଷ ବୟସ ହୋଇ ନାହିଁ, ତୁମ୍ଭେ କଅଣ ଅବ୍ରହାମଙ୍କୁ ଦେଖିଅଛ ? 58 ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି।” 59 ସେଥିରେ ସେମାନେ ତାହାଙ୍କ ଉପରକୁ ଫୋପାଡ଼ିବା ନିମନ୍ତେ ପଥର ଉଠାଇଲେ, କିନ୍ତୁ ଯୀଶୁ ଗୋପନରେ ମନ୍ଦିରରୁ ବାହାରିଗଲେ।

Chapter 9

ଜନ୍ମାନ୍ଧକୁ ଦୃଷ୍ଟି ପ୍ରଦାନ

1 ସେ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ। 2 ଆଉ, ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା ? ନିଜେ ନା ଏହାର ପିତାମାତା ? 3 ଯୀଶୁ ଉତ୍ତର ଦେଲେ, “ଏ କିମ୍ବା ଏହାର ପିତାମାତା ପାପ କଲେ ନାହିଁ, କିନ୍ତୁ ଈଶ୍ବରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି। 4 ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ; ଯେଉଁ ସମୟରେ କେହି କର୍ମ କରିପାରେ ନାହିଁ, ଏପରି ରାତ୍ରି ଆସୁଅଛି। 5 ମୁଁ ଯେପର୍ଯ୍ୟନ୍ତ ଜଗତରେ ଅଛି, ସେପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତିଃ।” 6 ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଲେ ଏବଂ ତାହାକୁ କହିଲେ, ଯାଅ, 7 ଶୀଲୋହ (ଅନୁବାଦ କଲେ, ଏହାର ଅର୍ଥ ପ୍ରେରିତ) “ପୋଖରୀରେ ଧୋଇ ହୁଅ।” ସେଥିରେ ସେ ବାହାରିଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା। 8 ତେଣୁ ପ୍ରତିବାସୀମାନେ, ପୁଣି, ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କଅଣ ସେହି ନୁହେଁ? 9 କେହି କେହି କହିଲେ, ଏ ସେ; ଆଉ କେହି କେହି କହିଲେ, ନା, ଏ ତାହା ପରି। ସେ କହିଲା, ମୁଁ ସେହି। 10 ସେଥିରେ ସେମାନେ ତାହାକୁ କହିଲେ, ତାହାହେଲେ ତୋର ଆଖି କିପରି ଫିଟିଗଲା ? 11 ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ କରି ମୋହର ଦୁଇ ଆଖିରେ ଲଗାଇଲେ ଏବଂ ମୋତେ କହିଲେ, ଶୀଲୋହ ପୋଖରୀକୁ ଯାଇ ଧୋଇ ହୁଅ; ତେଣୁ ମୁଁ ବାହାରିଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି। 12 ସେମାନେ ତାହାକୁ ପଚାରିଲେ, ସେ କାହିଁ? ସେ କହିଲା, ମୁଁ ଜାଣେ ନାହିଁ। 13 ଯେ ପୂର୍ବରେ ଅନ୍ଧ ଥିଲା, ସେମାନେ ତାହାକୁ ଫାରୂଶୀମାନଙ୍କ ନିକଟକୁ ଆଣିଲେ। 14 ଯୀଶୁ ଯେଉଁ ଦିନ କାଦୁଅ କରି ତାହାର ଆଖି ଫିଟାଇ ଦେଇଥିଲେ, ସେହି ଦିନ ବିଶ୍ରାମବାର। 15 ଅତଏବ, ସେ କିପରି ଦୃଷ୍ଟି ପାଇଲା, ଏହା ଫାରୂଶୀମାନେ ମଧ୍ୟ ତାହାକୁ ଆଉ ଥରେ ପଚାରିବାକୁ ଲାଗିଲେ। ସେଥିରେ ସେ ସେମାନଙ୍କୁ କହିଲା, ସେ ମୋହର ଆଖିରେ କାଦୁଅ ଲଗାଇଦେଲେ, ପରେ ମୁଁ ଧୋଇ ହେଲି ଓ ଦେଖି ପାରୁଅଛି। 16 ତହୁଁ ଫାରୂଶୀମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଲୋକଟା ଈଶ୍ବରଙ୍କ ନିକଟରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ପାଳନ କରୁ ନାହିଁ। ଆଉ, କେହି କେହି କହିଲେ, ପାପୀ ଲୋକ କିପରି ଏହି ପ୍ରକାର ଆଶ୍ଚର୍ଯ୍ୟକର୍ମଗୁଡିକ କରିପାରେ? ଏହିପରି ଭାବେ ସେମାନଙ୍କ ମଧ୍ୟରେ ମତଭେଦ ହେଲା। 17 ତେଣୁ ସେମାନେ ଆହୁରି ଥରେ ସେହି ଅନ୍ଧ ଲୋକଟିକୁ ପଚାରିଲେ, ସେ ଯେ ତୋର ଆଖି ଫିଟାଇଲା, ଏଥିରେ ତୁ ତା' ବିଷୟରେ କଅଣ କହୁଅଛୁ? ସେ କହିଲା, ସେ ଜଣେ ଭାବବାଦୀ। 18 ସେ ଯେ ଅନ୍ଧ ଥିଲା ଆଉ ଦୃଷ୍ଟି ପାଇଅଛି, ସେହି ଦୃଷ୍ଟି ପାଇଥିବା ଲୋକର ପିତାମାତାଙ୍କୁ ଡାକି ନ ପଚାରିବା ପର୍ଯ୍ୟନ୍ତ କେତେକ ଯିହୁଦୀ ନେତାମାନେ ତାହା ସମ୍ବନ୍ଧରେ ଏହା ବିଶ୍ୱାସ କଲେ ନାହିଁ। 19 ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କର ଯେଉଁ ପୁଅ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି କହିଥାଅ, ଏ କଅଣ ତୁମ୍ଭମାନଙ୍କର ସେହି ପୁଅ ? ତାହାହେଲେ ସେ କିପରି ଏବେ ଦେଖୁଅଛି ? 20 ସେଥିରେ ତାହାର ପିତାମାତା ଉତ୍ତର ଦେଲେ, ଏ ଯେ ଆମ୍ଭମାନଙ୍କର ପୁଅ ଓ ଏ ଯେ ଅନ୍ଧ ହୋଇ ଜନ୍ମ ହୋଇଥିଲା, ଏହା ଆମ୍ଭେମାନେ ଜାଣୁ; 21 କିନ୍ତୁ ସେ କିପରି ଏବେ ଦେଖୁଅଛି, ତାହା ଜାଣୁ ନାହିଁ, କିମ୍ବା କିଏ ତାହାର ଆଖି ଫିଟାଇଦେଲେ, ତାହା ମଧ୍ୟ ଆମ୍ଭେମାନେ ଜାଣୁ ନାହୁଁ; ତାହାକୁ ପଚାରନ୍ତୁ, ସେ ତ ବୟସପ୍ରାପ୍ତ, ସେ ଆପଣା କଥା ଆପେ କହିବ। 22 ତାହାର ପିତାମାତା ଯିହୁଦୀମାନଙ୍କୁ ଭୟ କରୁଥିବାରୁ ଏହି ସମସ୍ତ କଥା କହିଲେ, କାରଣ ଯଦି କେହି ତାହାଙ୍କୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରେ, ତାହାହେଲେ ସେ ସମାଜଗୃହରୁ ବାହାର କରାଯିବ ବୋଲି ସେଥିପୂର୍ବେ ଯିହୁଦୀମାନେ ଏକମତ ହୋଇଥିଲେ। 23 ଅତଏବ, ତାହାର ପିତାମାତା କହିଲେ, ସେ ବୟସପ୍ରାପ୍ତ, ତାହାକୁ ପଚାରନ୍ତୁ। 24 ସେଥିରେ ପୂର୍ବରେ ଅନ୍ଧ ଥିବା ଲୋକକୁ ସେମାନେ ଦ୍ୱିତୀୟ ଥର ଡାକି କହିଲେ, ଈଶ୍ବରଙ୍କୁ ଗୌରବ ଦିଅ, ସେ ଲୋକଟା ଯେ ପାପୀ, ଏହା ଆମ୍ଭେମାନେ ଜାଣୁ। 25 ସେଥିରେ ସେ ଉତ୍ତର ଦେଲା, ସେ ପାପୀ କି ନୁହେଁ, ମୁଁ ତାହା ଜାଣେ ନାହିଁ; ମୁଁ ଗୋଟିଏ ବିଷୟ ଜାଣେ, ମୁଁ ଅନ୍ଧ ଥିଲି, ଏବେ ଦେଖି ପାରୁଅଛି। 26 ତେଣୁ ସେମାନେ ତାହାକୁ କହିଲେ, ସେ ତୋତେ କଅଣ କଲା ? ସେ କିପ୍ରକାରେ ତୋର ଆଖି ଫିଟାଇଦେଲା ? 27 ସେ ସେମାନଙ୍କୁ ଉତ୍ତର ଦେଲା, ମୁଁ କହିସାରିଲିଣି, ଆଉ ଆପଣମାନେ ଶୁଣିଲେ ନାହିଁ; କାହିଁକି ଆଉ ଥରେ ଶୁଣିବାକୁ ଇଚ୍ଛା କରୁଅଛନ୍ତି ? ଆପଣମାନେ ମଧ୍ୟ କଅଣ ତାହାଙ୍କର ଶିଷ୍ୟ ହେବାକୁ ଇଚ୍ଛା କରୁଅଛନ୍ତି ? 28 ସେଥିରେ ସେମାନେ ତାହାକୁ ଗାଳି ଦେଇ କହିଲେ, ତୁ ତାହାର ଶିଷ୍ୟ, କିନ୍ତୁ ଆମ୍ଭେମାନେ ମୋଶାଙ୍କର ଶିଷ୍ୟ। 29 ଆମ୍ଭେମାନେ ଜାଣୁ ଯେ, ଈଶ୍ବର ମୋଶାଙ୍କୁ କଥା କହିଅଛନ୍ତି, କିନ୍ତୁ ଏ ଲୋକଟା କେଉଁଠାରୁ ଆସିଅଛି, ତାହା ଆମ୍ଭେମାନେ ଜାଣୁ ନାହିଁ। 30 ସେହି ଲୋକଟି ସେମାନଙ୍କୁ ଉତ୍ତର ଦେଲା, ସେ ମୋହର ଆଖି ଫିଟାଇଦେଲେ, ଆଉ ସେ କେଉଁଠାରୁ ଆସିଅଛନ୍ତି, ତାହା ଆପଣମାନେ ଜାଣନ୍ତି ନାହିଁ, ଏ ତ ଆଶ୍ଚର୍ଯ୍ୟ କଥା। 31 ଈଶ୍ବର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ, ଏହା ଆମ୍ଭେମାନେ ଜାଣୁ, କିନ୍ତୁ ଯଦି କେହି ଈଶ୍ବରଭକ୍ତ ହୋଇ ତାହାଙ୍କର ଇଚ୍ଛା ସାଧନ କରେ, ତାହାହେଲେ ସେ ତାହାର କଥା ଶୁଣନ୍ତି। 32 କେହି ଯେ ଜନ୍ମାନ୍ଧର ଚକ୍ଷୁ ଫିଟାଇଦେଲା, ଏହା ତ କଦାପି ଶୁଣାଯାଇ ନ ଥିଲା। 33 ଏ ଈଶ୍ବରଙ୍କଠାରୁ ଆସି ନ ଥିଲେ କିଛି କରିପାରନ୍ତେ ନାହିଁ। 34 ସେମାନେ ତାହାକୁ ଉତ୍ତର ଦେଲେ, ତୁ ତ ପୁରା ପାପରେ ଜନ୍ମ ହେଲୁ, ଆଉ ତୁ ଆମ୍ଭମାନଙ୍କୁ ଶିକ୍ଷା ଦେଉଅଛୁ ? ସେଥିରେ ସେମାନେ ତାହାକୁ ବାହାର କରିଦେଲେ। 35 ସେମାନେ ଯେ ତାହାକୁ ବାହାର କରିଦେଇଅଛନ୍ତି, ଯୀଶୁ ଏହା ଶୁଣି ତାହାର ଦେଖା ପାଇ କହିଲେ, “ତୁମ୍ଭେ କଅଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଅଛ ?” 36 ସେ ଉତ୍ତର ଦେଲା, ହେ ପ୍ରଭୁ, ସେ କିଏ କହନ୍ତୁ, ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିବି ? 37 ଯୀଶୁ ତାହାକୁ କହିଲେ, “ତୁମ୍ଭେ ତାହାଙ୍କୁ ଦେଖିଅଛ, ଆଉ ଯେ ତୁମ୍ଭ ସାଙ୍ଗରେ କଥା କହୁଅଛନ୍ତି, ସେ ସେହି।” 38 ସେଥିରେ ସେ କହିଲା, ପ୍ରଭୁ ମୁଁ ବିଶ୍ୱାସ କରୁଅଛି; ଆଉ, ସେ ତାହାଙ୍କୁ ପ୍ରଣାମ କଲା। 39 ପୁଣି, ଯୀଶୁ କହିଲେ, “ଦେଖୁ ନ ଥିବା ଲୋକେ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକେ ଯେପରି ଅନ୍ଧ ହୁଅନ୍ତି, ଏହି ବିଚାର ନିମନ୍ତେ ମୁଁ ଜଗତକୁ ଆସିଅଛି।” 40 ଫାରୂଶୀମାନଙ୍କ ମଧ୍ୟରୁ ଯେଉଁମାନେ ତାହାଙ୍କ ସାଙ୍ଗରେ ଥିଲେ, ସେମାନେ ଏହା ଶୁଣି ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ କଅଣ ଅନ୍ଧ? 41 ଯୀଶୁ ସେମାନଙ୍କୁ କହିଲେ, “ଯଦି ଅନ୍ଧ ହୋଇଥା'ନ୍ତ, ତାହାହେଲେ ତୁମ୍ଭମାନଙ୍କର ପାପ ନ ଥାଆନ୍ତା, କିନ୍ତୁ ଆମ୍ଭେମାନେ ଦେଖୁଅଛୁ, ଏହା ଏବେ କହୁଅଛ; ତୁମ୍ଭେମାନେ ପାପରେ ରହୁଅଛ।”

Chapter 10

ଯୀଶୁ ଉତ୍ତମ ମେଷପାଳକ

1 “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ସ୍ଥାନରେ ଚଢ଼ି ପ୍ରବେଶ କରେ, ସେ ଚୋର ଓ ଡକାଇତ; 2 କିନ୍ତୁ ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ମେଷପାଳକ। 3 ଦ୍ୱାରୀ ତାହା ନିମନ୍ତେ ଦ୍ୱାର ଫିଟାଇଦିଏ, ପୁଣି, ମେଷଗୁଡ଼ିକ ତାହାର ସ୍ୱର ଶୁଣନ୍ତି, ଆଉ ସେ ନିଜର ମେଷସବୁକୁ ନାମ ଧରି ଡାକି ବାହାର କରି ଘେନିଯାଏ। 4 ସେ ନିଜର ମେଷସବୁକୁ ବାହାର କଲା ଉତ୍ତାରେ ସେମାନଙ୍କ ଆଗେ ଆଗେ ଚାଲେ ଓ ମେଷଗୁଡ଼ିକ ତାହାର ପଛେ ପଛେ ଚାଲନ୍ତି, କାରଣ ସେମାନେ ତାହାର ସ୍ୱର ଚିହ୍ନନ୍ତି; 5 କିନ୍ତୁ ସେମାନେ ଅଚିହ୍ନା ଲୋକର ପଛେ ପଛେ କେବେ ହେଁ ଚାଲିବେ ନାହିଁ, ମାତ୍ର ତାହା ପାଖରୁ ପଳାଇଯିବେ, କାରଣ ସେମାନେ ଅଚିହ୍ନା ଲୋକମାନଙ୍କର ସ୍ୱର ଚିହ୍ନନ୍ତି ନାହିଁ। 6 ଯୀଶୁ ସେମାନଙ୍କୁ ଏହି ଉପମା କହିଲେ, କିନ୍ତୁ ସେ ସେମାନଙ୍କୁ ଯାହା ଯାହା କହୁଥିଲେ, ସେହିସବୁ କଅଣ ବୋଲି ସେମାନେ ବୁଝିଲେ ନାହିଁ। 7 ତେଣୁ ଯୀଶୁ ପୁନର୍ବାର କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ମେଷଗୁଡ଼ିକର ଦ୍ୱାର। 8 ଯେତେ ଜଣ ମୋ' ପୂର୍ବରେ ଆସିଅଛନ୍ତି, ସେମାନେ ସମସ୍ତେ ଚୋର ଓ ଡକାଇତ, କିନ୍ତୁ ମେଷସବୁ ସେମାନଙ୍କ କଥା ଶୁଣିଲେ ନାହିଁ। 9 ମୁଁ ଦ୍ୱାର, ଯଦି କେହି ମୋ' ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ। 10 ଚୋର କେବଳ ଚୋରି, ବଧ ଓ ବିନାଶ କରିବା ନିମନ୍ତେ ଆସେ; ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥିନିମନ୍ତେ ମୁଁ ଆସିଅଛି। 11 ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ। 12 ଯେ ମେଷପାଳକ ନୁହେଁ, ମାତ୍ର ମୂଲିଆ, ମେଷଗୁଡ଼ିକ ଯାହାର ନିଜର ନୁହଁନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ (ଆଉ ବାଘ ସେମାନଙ୍କୁ ଧରି ଛିନ୍ନଭିନ୍ନ କରେ), 13 କାରଣ ସେ ମୂଲିଆ ଓ ମେଷଗୁଡ଼ିକ ନିମନ୍ତେ ଚିନ୍ତା କରେ ନାହିଁ। 14 ମୁଁ ଉତ୍ତମ ମେଷପାଳକ। ପିତା ଯେପରି ମୋତେ ଜାଣନ୍ତି ଓ ମୁଁ ପିତାଙ୍କୁ ଜାଣେ, 15 ସେହିପରି ମୁଁ ମୋ' ନିଜର ମେଷଗୁଡ଼ିକୁ ଜାଣେ, ଆଉ ମୋ' ନିଜର ମେଷଗୁଡ଼ିକ ମୋତେ ଜାଣନ୍ତି, ପୁଣି, ମେଷଗୁଡ଼ିକ ନିମନ୍ତେ ମୁଁ ମୋହର ପ୍ରାଣ ଦିଏ। 16 ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହଁନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି, ସେମାନେ ମୋହର ସ୍ୱର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ। 17 ମୁଁ ମୋହର ପ୍ରାଣ ଦାନ କରିବାରୁ ପିତା ମୋତେ ପ୍ରେମ କରନ୍ତି, ଆଉ ମୁଁ ମୋହର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ। 18 କେହି ମୋ'ଠାରୁ ତାହା ନେଇଯାଇ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ। ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି।” ମୁଁ ମୋହର ପିତାଙ୍କଠାରୁ ଏହି ଆଜ୍ଞା ପାଇଅଛି। 19 ଏହି ସମସ୍ତ କଥା ହେତୁ ଯିହୁଦୀମାନଙ୍କ ମଧ୍ୟରେ ପୁନର୍ବାର ମତଭେଦ ଘଟିଲା। 20 ସେମାନଙ୍କ ମଧ୍ୟରୁ ଅନେକେ କହିବାକୁ ଲାଗିଲେ, ତାହାକୁ ଭୂତ ଲାଗିଛି, ସେ ପାଗଳ, କାହିଁକି ତାହା କଥା ଶୁଣୁଅଛ ? 21 ଅନ୍ୟମାନେ କହିଲେ, ଏହି ସବୁ କଥା ତ ଭୂତ ଲାଗିଥିବା ବ୍ୟକ୍ତିର ନୁହେଁ; ଭୂତ କଅଣ ଅନ୍ଧବ୍ୟକ୍ତିର ଆଖି ଫିଟାଇପାରେ ?

ପିତା ଓ ପୁତ୍ର ଏକ

22 ସେତେବେଳେ ଯିରୂଶାଲମ ସହରରେ ମନ୍ଦିର ପ୍ରତିଷ୍ଠା ପର୍ବ ପଡ଼ିଲା; ସେ ସମୟ ଶୀତକାଳ, 23 ଆଉ ଯୀଶୁ ମନ୍ଦିରରେ ଶଲୋମନଙ୍କ ମଣ୍ଡପରେ ବୁଲୁଥିଲେ। 24 ସେଥିରେ ଯିହୁଦୀ ଲୋକମାନେ ତାହାଙ୍କୁ ଚାରିଆଡ଼େ ଘେରି ପଚାରିବାକୁ ଲାଗିଲେ, ଆଉ କେତେ କାଳ ଆମ୍ଭମାନଙ୍କୁ ସନ୍ଦେହରେ ରଖିବ ? ଯଦି ତୁମ୍ଭେ ଖ୍ରୀଷ୍ଟ, ତାହାହେଲେ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ କୁହ। 25 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ ମୁଁ ତୁମ୍ଭମାନଙ୍କୁ କହିଅଛି, କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ; ମୋହର ପିତାଙ୍କ ନାମରେ ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେହିସବୁ ମୋ' ବିଷୟରେ ସାକ୍ଷ୍ୟ ଦେଉଅଛି; 26 କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେମାନେ ମୋହର ପଲର ମେଷ ନୁହଁ। 27 ମୋ' ମେଷସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି, 28 ପୁଣି, ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ, ପୁଣି, କେହି ମୋ' ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ। 29 ମୋହର ପିତା ମୋତେ ଯାହା ଦେଇଅଛନ୍ତି, ତାହା ସବୁଠାରୁ ବହୁମୂଲ୍ୟ, ଆଉ ପିତାଙ୍କ ହସ୍ତରୁ କେହି ତାହା ହରଣ କରିପାରେ ନାହିଁ। 30 ମୁଁ ଓ ପିତା ଏକ। 31 ଯିହୁଦୀ ଲୋକମାନେ ତାହାଙ୍କୁ ଫୋପାଡ଼ିବା ନିମନ୍ତେ ଆଉ ଥରେ ପଥର ଆଣିଲେ। 32 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ପିତାଙ୍କଠାରୁ ଅନେକ ଉତ୍ତମ କର୍ମ ତୁମ୍ଭମାନଙ୍କୁ ଦେଖାଇଅଛି; ସେହିସବୁ କର୍ମ ମଧ୍ୟରୁ କେଉଁ କର୍ମ ନିମନ୍ତେ ମୋତେ ପଥର ଫୋପାଡ଼ୁଅଛ ?” 33 ଯିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, ଉତ୍ତମ କର୍ମ ନିମନ୍ତେ ଆମ୍ଭେମାନେ ତୋତେ ପଥର ଫୋପାଡ଼ୁ ନାହୁଁ, କିନ୍ତୁ ଈଶ୍ବର ନିନ୍ଦା ନିମନ୍ତେ, ପୁଣି, ତୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ବର ବୋଲାଉଥିବାରୁ ପଥର ଫୋପାଡ଼ୁଅଛୁ। 34 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ମୋଶାଙ୍କ ବ୍ୟବସ୍ଥାରେ ଏହା କଅଣ ଲେଖା ନାହିଁ, ଆମ୍ଭେ କହିଲୁ, ତୁମ୍ଭେମାନେ ଈଶ୍ବରଗଣ ? 35 ଯେଉଁମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ ଉପସ୍ଥିତ ହେଲା, ସେମାନଙ୍କୁ ଯଦି ସେ ଈଶ୍ବରଗଣ ବୋଲି କହିଲେ (ଆଉ ଧର୍ମଶାସ୍ତ୍ର ଖଣ୍ଡନ କରାଯାଇ ପାରେ ନାହିଁ), 36 ତାହାହେଲେ ଯାହାଙ୍କୁ ଈଶ୍ବର ପବିତ୍ର କରି ଜଗତକୁ ପ୍ରେରଣ କଲେ, ତାହାଙ୍କୁ କଅଣ ତୁମ୍ଭେମାନେ, ମୁଁ ଈଶ୍ବରଙ୍କ ପୁତ୍ର, ଏହା ମୁଁ କହିବାରୁ, ତୁ ଈଶ୍ବର ନିନ୍ଦା କରୁଅଛୁ ବୋଲି କହୁଅଛ? 37 ଯଦି ମୁଁ ମୋହର ପିତାଙ୍କ କର୍ମସବୁ କରେ ନାହିଁ, ତାହାହେଲେ ମୋତେ ବିଶ୍ୱାସ କର ନାହିଁ; 38 କିନ୍ତୁ ଯଦି ମୁଁ କରେ, ତାହାହେଲେ ଯଦ୍ୟପି ତୁମ୍ଭେମାନେ ମୋତେ ବିଶ୍ୱାସ ନ କର, ତଥାପି ପିତା ଯେ ମୋ'ଠାରେ ଅଛନ୍ତି ଓ ମୁଁ ପିତାଙ୍କଠାରେ ଅଛି, ଏହା ଯେପରି ତୁମ୍ଭେମାନେ ଜାଣ ଓ ବୁଝ, ଏଥିନିମନ୍ତେ କର୍ମସବୁ ବିଶ୍ୱାସ କର।” 39 ସେଥିରେ ସେମାନେ ତାହାଙ୍କୁ ଧରିବା ପାଇଁ ପୁନର୍ବାର ଚେଷ୍ଟା କରିବାକୁ ଲାଗିଲେ, କିନ୍ତୁ ସେ ସେମାନଙ୍କ ହସ୍ତରେ ନ ପଡ଼ି ବାହାରିଗଲେ। 40 ଏଥିଉତ୍ତାରେ ସେ ପୁନର୍ବାର ଯର୍ଦ୍ଦନ ନଦୀର ଆରପାରିକୁ ଚାଲିଯାଇ, ଯୋହନ ଯେଉଁ ସ୍ଥାନରେ ପୂର୍ବେ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନକୁ ଆସି ସେଠାରେ ରହିଲେ। 41 ଆଉ, ଅନେକେ ତାହାଙ୍କ ନିକଟକୁ ଆସି କହିଲେ, ଯୋହନ ସିନା କୌଣସି ଆଶ୍ଚର୍ଯ୍ୟକର୍ମ କଲେ ନାହିଁ, କିନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ ଯୋହନ ଯେ ସମସ୍ତ କଥା କହିଲେ, ସେହିସବୁ ସତ୍ୟ; 42 ଆଉ, ସେ ସ୍ଥାନରେ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ।

Chapter 11

ଲାଜାରଙ୍କ ମୃତ୍ୟୁ

1 ବେଥନୀୟା ନିବାସୀ ଲାଜାର ନାମକ ଜଣେ ଲୋକ ପୀଡ଼ିତ ଥିଲେ; ମରୀୟମ ଓ ତାହାଙ୍କ ଭଉଣୀ ମାର୍ଥା ସେହି ଗ୍ରାମର ଲୋକ। 2 ଯେଉଁ ସ୍ତ୍ରୀଲୋକ ପ୍ରଭୁଙ୍କୁ ତୈଳରେ ଅଭିଷେକ କରି ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଏ ସେହି ମରୀୟମ; ତାଙ୍କର ଭାଇ ଲାଜାର ପୀଡ଼ିତ ଥିଲେ। 3 ତେଣୁ ସେହି ଭଉଣୀମାନେ ତାହାଙ୍କ ନିକଟକୁ କହି ପଠାଇଲେ, ପ୍ରଭୁ, ଦେଖନ୍ତୁ, ଯାହାକୁ ଆପଣ ସ୍ନେହ କରନ୍ତି, ସେ ପୀଡ଼ିତ ଅଛି। 4 କିନ୍ତୁ ଯୀଶୁ ତାହା ଶୁଣି କହିଲେ, ପୀଡ଼ା ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ବରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ୱାରା ଈଶ୍ବରଙ୍କ ପୁତ୍ର ଗୌରବପ୍ରାପ୍ତ ହୁଅନ୍ତି। 5 ଯୀଶୁ ମାର୍ଥା, ତାହାଙ୍କ ଭଉଣୀ ଓ ଲାଜାରଙ୍କୁ ସ୍ନେହ କରୁଥିଲେ। 6 ଅତଏବ, ସେ ପୀଡ଼ିତ ଅଛନ୍ତି ବୋଲି ଯେତେବେଳେ ସେ ଶୁଣିଲେ, ସେତେବେଳେ ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନରେ ଦୁଇ ଦିନ ରହିଗଲେ। 7 ତତ୍ପରେ ସେ ଶିଷ୍ୟମାନଙ୍କୁ କହିଲେ, “ଚାଲ, ଆମ୍ଭେମାନେ ପୁନର୍ବାର ଯିହୂଦିୟା ପ୍ରଦେଶକୁ ଯିବା।” 8 ଶିଷ୍ୟମାନେ ତାହାଙ୍କୁ କହିଲେ, ହେ ଗୁରୁ, ଯିହୁଦୀ ଲୋକମାନେ ଏବେ ଆପଣଙ୍କୁ ପଥର ଫୋପାଡ଼ିବାକୁ ଚେଷ୍ଟା କରୁଥିଲେ, ପୁଣି, ଆପଣ ଆଉ ଥରେ ସେଠାକୁ ଯାଉଅଛନ୍ତି ? 9 ଯୀଶୁ ଉତ୍ତର ଦେଲେ, “ଦିନରେ କଅଣ ବାର ଘଣ୍ଟା ନାହିଁ ? କେହି ଦିନରେ ଚାଲିଲେ ଝୁଣ୍ଟେ ନାହିଁ, କାରଣ ସେ ଏହି ଜଗତର ଜ୍ୟୋତିଃ ଦେଖେ; 10 କିନ୍ତୁ ରାତିରେ ଚାଲିଲେ ସେ ଝୁଣ୍ଟେ, କାରଣ ତାହା ଅନ୍ତରରେ ଜ୍ୟୋତିଃ ନାହିଁ।” 11 ସେ ଏସମସ୍ତ କଥା କହିଲା ଉତ୍ତାରେ ସେମାନଙ୍କୁ ଆହୁରି କହିଲେ, “ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, କିନ୍ତୁ ତାହାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ମୁଁ ଯାଉଅଛି।” 12 ସେଥିରେ ଶିଷ୍ୟମାନେ ତାହାଙ୍କୁ କହିଲେ, ପ୍ରଭୁ, ଯଦି ସେ ନିଦ୍ରା ଯାଇଅଛନ୍ତି, ତାହାହେଲେ ସେ ସୁସ୍ଥ ହେବେ। 13 ଯୀଶୁ ତାଙ୍କର ମୃତ୍ୟୁ ବିଷୟରେ କହିଲେ, କିନ୍ତୁ ସେ ନିଦ୍ରାରେ ଶୋଇପଡ଼ିବା ବିଷୟରେ କହିଲେ ବୋଲି ସେମାନେ ମନେ କଲେ। 14 ଅତଏବ, ଯୀଶୁ ସେତେବେଳେ ସେମାନଙ୍କୁ ସ୍ପଷ୍ଟ ରୂପେ କହିଲେ, “ଲାଜାର ମରିଯାଇଅଛନ୍ତି; 15 ଆଉ, ମୁଁ ଯେ ସେ ସ୍ଥାନରେ ନ ଥିଲି, ଏଥିସକାଶେ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, ଯେପରି ତୁମ୍ଭେମାନେ ବିଶ୍ୱାସ କରିବ; କିନ୍ତୁ ଚାଲ, ଆମ୍ଭେମାନେ ତାହାଙ୍କ ନିକଟକୁ ଯିବା।” 16 ସେଥିରେ ଥୋମା, ଯାହାଙ୍କୁ ଦିଦୁମ ବୋଲି କହନ୍ତି, ସେ ଆପଣା ସଙ୍ଗୀ ଶିଷ୍ୟମାନଙ୍କୁ କହିଲେ, ଚାଲ, ଆମ୍ଭେମାନେ ମଧ୍ୟ ଯାଇ ତାହାଙ୍କ ସାଙ୍ଗରେ ମରିବା।

ଯୀଶୁ ହିଁ ପୁନରୁତ୍ଥାନ ଓ ଜୀବନ

17 ଯୀଶୁ ପହଞ୍ଚି ଶୁଣିଲେ ଯେ, ସେ ଚାରି ଦିନ ହେଲା ସମାଧିରେ ରଖାଗଲେଣି। 18 ବେଥନୀୟା ଯିରୂଶାଲମ ସହରରୁ ପ୍ରାୟ ଏକ କ୍ରୋଶ ଦୂରରେ ଥିଲା, ; 19 ଆଉ, ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ମାର୍ଥା ଓ ମରୀୟମଙ୍କୁ ସେମାନଙ୍କ ଭାଇ ବିଷୟରେ ସାନ୍ତ୍ୱନା ଦେବା ନିମନ୍ତେ ସେମାନଙ୍କ ନିକଟକୁ ଆସିଥିଲେ। 20 ସେଥିରେ ଯୀଶୁ ଆସିଅଛନ୍ତି ବୋଲି ଯେତେବେଳେ ମାର୍ଥା ଶୁଣିଲେ, ସେତେବେଳେ ସେ ତାହାଙ୍କୁ ଭେଟିବାକୁ ଗଲେ, କିନ୍ତୁ ମରୀୟମ ଗୃହରେ ବସି ରହିଲେ। 21 ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋହର ଭାଇ ମରି ନ ଥା'ନ୍ତା। 22 କିନ୍ତୁ ଆପଣ ଈଶ୍ବରଙ୍କୁ ଯାହା କିଛି ମାଗିବେ, ଈଶ୍ବର ଯେ ତାହା ଆପଣଙ୍କୁ ଦେବେ, ଏହା ଏବେ ସୁଦ୍ଧା ମୁଁ ଜାଣେ। 23 ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭ ଭାଇ ପୁଣି, ଉଠିବ।” 24 ମାର୍ଥା ତାହାଙ୍କୁ କହିଲେ, ସେ ଯେ ଶେଷ ଦିନରେ ପୁନରୁତ୍ଥାନ ସମୟରେ ଉଠିବ, ଏହା ମୁଁ ଜାଣେ। 25 ଯୀଶୁ ତାହାଙ୍କୁ କହିଲେ, “ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋ'ଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ, 26 ପୁଣି, ଯେ କେହି ବଞ୍ଚେ ଓ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ମରିବ ନାହିଁ; ଏହା କଅଣ ବିଶ୍ୱାସ କରୁଅଛ?” 27 ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ଯାହାଙ୍କର ଜଗତକୁ ଆଗମନ କରିବାର ଥିଲା, ଆପଣ ଯେ ଈଶ୍ବରଙ୍କ ପୁତ୍ର ସେହି ଖ୍ରୀଷ୍ଟ, ଏହା ମୋହର ବିଶ୍ୱାସ।

ଯୀଶୁ କାନ୍ଦିଲେ

28 ଏହା କହିଲା ଉତ୍ତାରେ ସେ ଯାଇ ଆପଣା ଭଉଣୀ ମରୀୟମଙ୍କୁ ଗୋପନରେ ଡାକି କହିଲେ, ଗୁରୁ ଆସିଲେଣି ଆଉ ତୋତେ ଡାକୁଅଛନ୍ତି। 29 ସେ ଏହା ଶୁଣି ଶୀଘ୍ର ଉଠି ତାହାଙ୍କ ନିକଟକୁ ଗଲେ। 30 ଯୀଶୁ ସେତେବେଳେ ଗ୍ରାମ ଭିତରକୁ ଆସି ନ ଥିଲେ, କିନ୍ତୁ ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଭେଟିଥିଲେ, ସେପର୍ଯ୍ୟନ୍ତ ସେ ସେହି ସ୍ଥାନରେ ଥିଲେ। 31 ଅତଏବ, ଯେଉଁ ଯିହୁଦୀମାନେ ତାହାଙ୍କ ସହିତ ଗୃହରେ ଥାଇ ତାହାଙ୍କୁ ସାନ୍ତ୍ୱନା ଦେଉଥିଲେ, ସେମାନେ ମରୀୟମଙ୍କୁ ଶୀଘ୍ର ଉଠି ବାହାରିଯିବା ଦେଖି, ସେ ସମାଧି ନିକଟରେ ରୋଦନ କରିବା ନିମନ୍ତେ ଯାଉଅଛନ୍ତି, ଏହା ମନେ କରି ତାହାଙ୍କ ପଛେ ପଛେ ଗଲେ। 32 ସେଥିରେ ଯୀଶୁ ଯେଉଁ ସ୍ଥାନରେ ଥିଲେ, ମରୀୟମ ସେହି ସ୍ଥାନରେ ଉପସ୍ଥିତ ହୋଇ ତାହାଙ୍କୁ ଦେଖି ତାହାଙ୍କର ଚରଣ ତଳେ ପଡ଼ି କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋ' ଭାଇ ମରି ନ ଥା'ନ୍ତା। 33 ଅତଏବ, ଯୀଶୁ ତାହାଙ୍କୁ ଓ ତାହାଙ୍କ ସହିତ ଆସିଥିବା ଯିହୁଦୀ ଲୋକମାନଙ୍କୁ ରୋଦନ କରୁଥିବା ଦେଖି ଆତ୍ମାରେ ଗଭୀର ଭାବେ ଉତ୍ତେଜିତ ହେଲେ, ପୁଣି, କର୍ତ୍ତବ୍ୟ ସାଧନ ନିମନ୍ତେ ଦୃଢ଼ ସଙ୍କଳ୍ପରେ ପଚାରିଲେ, 34 “ତାଙ୍କୁ କେଉଁଠାରେ ରଖିଅଛ ?” ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ଆସି ଦେଖନ୍ତୁ। 35 ଯୀଶୁ କାନ୍ଦିଲେ। 36 ସେଥିରେ ଯିହୁଦୀ ଲୋକମାନେ କହିଲେ, ଦେଖ, ସେ ତାହାଙ୍କୁ କିପରି ସ୍ନେହ କରୁଥିଲେ। 37 କିନ୍ତୁ ସେମାନଙ୍କ ମଧ୍ୟରେ କେହି କେହି କହିଲେ, ଏହି ଯେଉଁ ବ୍ୟକ୍ତି ସେହି ଅନ୍ଧବ୍ୟକ୍ତିର ଆଖି ଫିଟାଇଥିଲେ, ସେ କଅଣ ଏହାର ମୃତ୍ୟୁ ମଧ୍ୟ ନିବାରଣ କରିପାରି ନ ଥାଆନ୍ତେ ?

ମୃତ ଲାଜାରଙ୍କୁ ଜୀବନ ଦାନ

38 ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ହୋଇ ସମାଧି ନିକଟକୁ ଆସିଲେ; ତାହା ଗୋଟିଏ ଗୁହା, ପୁଣି, ତା' ମୁହଁରେ ଗୋଟାଏ ପଥର ଥିଲା। 39 ଯୀଶୁ କହିଲେ, ପଥର ଘୁଞ୍ଚାଇଦିଅ।” ବ୍ୟକ୍ତିଙ୍କ ଭଉଣୀ ମାର୍ଥା ତାହାଙ୍କୁ କହିଲେ, ପ୍ରଭୁ, ସେ ବାସିଗଲାଣି, କାରଣ ସେ ଚାରି ଦିନ ହେଲା ମଲାଣି। 40 ଯୀଶୁ ତାହାଙ୍କୁ କହିଲେ, “ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ବରଙ୍କ ମହିମା ଦେଖିବ, ଏହା କଅଣ ମୁଁ ତୁମ୍ଭକୁ କହିଲି ନାହିଁ?” ସେଥିରେ ସେମାନେ ପଥର ଘୁଞ୍ଚାଇଦେଲେ। 41 ଆଉ, ଯୀଶୁ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, “ପିତଃ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି। 42 ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ, ଏହା ମୁଁ ଜାଣିଥିଲି; କିନ୍ତୁ ଯେଉଁ ଲୋକସମୂହ ଚତୁର୍ଦ୍ଦିଗରେ ଠିଆ ହୋଇଅଛନ୍ତି, ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି।” 43 ସେ ଏହା କହି ଉଚ୍ଚସ୍ୱରରେ ଡାକିଲେ, “ଲାଜାର, ବାହାରି ଆସ।” 44 ମୃତ ଲୋକଟି ବାହାରି ଆସିଲେ; ତାହାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି, ତାହାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା। ଯୀଶୁ ସେମାନଙ୍କୁ କହିଲେ, “ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ।”

ଯୀଶୁଙ୍କ ବିରୁଦ୍ଧରେ ଚକ୍ରାନ୍ତ

(ମାଥିଉ 26:1-5; ମାର୍କ 14:1,2; ଲୂକ 22:1,2)

45 ଅତଏବ, ଯିହୁଦୀ ଲୋକମାନଙ୍କ ମଧ୍ୟରେ ଅନେକେ, ଅର୍ଥାତ୍‍ ଯେଉଁମାନେ ମରୀୟମଙ୍କ ନିକଟକୁ ଆସିଥିଲେ ଓ ଯୀଶୁଙ୍କ କର୍ମ ଦେଖିଥିଲେ, ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ; 46 ପୁଣି, ସେମାନଙ୍କ ମଧ୍ୟରୁ କେହି କେହି ଫାରୂଶୀମାନଙ୍କ ନିକଟକୁ ଯାଇ, ଯୀଶୁ ଯାହା ଯାହା କରିଥିଲେ, ସେହିସବୁ ସେମାନଙ୍କୁ ଜଣାଇଲେ। 47 ସେଥିରେ ପ୍ରଧାନ ଯାଜକ ଓ ଫାରୂଶୀମାନେ ମହାସଭା ଆହ୍ୱାନ କରି କହିଲେ, ଆମ୍ଭେମାନେ କଅଣ କରୁଅଛୁ ? ଏ ଲୋକ ତ ଅନେକ ଆଶ୍ଚର୍ଯ୍ୟକର୍ମ କରୁଅଛି। 48 ଯଦି ଆମ୍ଭେମାନେ ତାହାକୁ ଏପରି ଛାଡ଼ିଦେବା, ତାହାହେଲେ ସମସ୍ତେ ତାହାଠାରେ ବିଶ୍ୱାସ କରିବେ, ଆଉ ରୋମୀୟ ଅଧିକାରୀମାନେ ଆସି ଆମ୍ଭମାନଙ୍କର ଏହି ସ୍ଥାନ ଓ ଜାତି ଉଭୟଙ୍କୁ ନଷ୍ଟ କରିଦେବେ। 49 କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍‍, କୟାଫା ନାମକ ସେହି ବର୍ଷର ମହାଯାଜକ ସେମାନଙ୍କୁ କହିଲେ, ତୁମ୍ଭେମାନେ କିଛି ଜାଣ ନାହିଁ; 50 ସମୁଦାୟ ଜାତି ବିନଷ୍ଟ ନ ହୋଇ ଲୋକସାଧାରଣଙ୍କ ନିମନ୍ତେ ଜଣେ ଯେ ମରିବା ତୁମ୍ଭମାନଙ୍କ ପକ୍ଷରେ ମଙ୍ଗଳଜନକ, ଏହା ମଧ୍ୟ ତୁମ୍ଭେମାନେ ବିଚାର କରୁ ନାହଁ। 51 ସେ ଆପଣାଠାରୁ ଏହା କହିଲେ ନାହିଁ, କିନ୍ତୁ ସେ ସେହି ବର୍ଷର ମହାଯାଜକ ଥିବାରୁ ଯୀଶୁ ଯେ ଜାତି ନିମନ୍ତେ, 52 ଆଉ କେବଳ ସେହି ଜାତି ନିମନ୍ତେ ନୁହେଁ, ମାତ୍ର ଈଶ୍ବରଙ୍କ ଛିନ୍ନଭିନ୍ନ ସନ୍ତାନମାନଙ୍କୁ ମଧ୍ୟ ସଂଗ୍ରହ କରି ଏକ କରିବା ନିମନ୍ତେ ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ଏଥିସକାଶେ ଏହି ଭାବବାଣୀ କହିଲେ। 53 ତେଣୁ ସେହି ଦିନଠାରୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ମନ୍ତ୍ରଣା କଲେ। 54 ଅତଏବ, ଯୀଶୁ ଯିହୁଦୀ ଲୋକମାନଙ୍କ ମଧ୍ୟରେ ଆଉ ପ୍ରକାଶରେ ଗମନାଗମନ କଲେ ନାହିଁ, କିନ୍ତୁ ସେ ସେ ସ୍ଥାନରୁ ବାହାରିଯାଇ ପ୍ରାନ୍ତର ନିକଟରେ ଥିବା ଅଞ୍ଚଳର ଇଫ୍ରୟିମ ନାମକ ଗୋଟିଏ ନଗରକୁ ପ୍ରସ୍ଥାନ କଲେ, ଆଉ ସେ ଶିଷ୍ୟମାନଙ୍କ ସହିତ ସେଠାରେ ରହିଲେ। 55 ଯିହୁଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ଥିଲା, ପୁଣି, ପଲ୍ଲୀଗ୍ରାମଗୁଡ଼ିକରୁ ଅନେକେ ଆପଣା ଆପଣାକୁ ଶୁଚି କରିବା ନିମନ୍ତେ ନିସ୍ତାର ପର୍ବ ପୂର୍ବେ ଯିରୂଶାଲମ ସହରକୁ ଯାତ୍ରା କଲେ। 56 ସେଥିରେ ସେମାନେ ଯୀଶୁଙ୍କର ଅନ୍ୱେଷଣ କରୁ କରୁ ମନ୍ଦିରରେ ଠିଆ ହୋଇଥିବା ସମୟରେ ପରସ୍ପର କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ମନେ କରୁଅଛ? ସେ କି ପର୍ବକୁ ଆସିବେ ନାହିଁ ? 57 ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କୁ ଧରିବା ଉଦ୍ଦେଶ୍ୟରେ, ସେ କେଉଁଠାରେ ଅଛନ୍ତି, ଏହା ଯଦି କେହି ଜାଣେ, ତାହା ପ୍ରକାଶ କରିବାକୁ ଆଜ୍ଞା ଦେଇଥିଲେ।

Chapter 12

ବେଥନୀୟାରେ ଯୀଶୁଙ୍କ ଅଭିଷେକ

(ମାଥିଉ 26:6-13; ମାର୍କ 14:3-9)

1 ଇତିମଧ୍ୟରେ ଯୀଶୁ ନିସ୍ତାର ପର୍ବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଆସିଲେ; ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ସେ ସେହି ସ୍ଥାନରେ ଥିଲେ। 2 ତେଣୁ ସେମାନେ ତାହାଙ୍କ ନିମନ୍ତେ ସେହି ସ୍ଥାନରେ ଗୋଟିଏ ରାତ୍ରିଭୋଜ ପ୍ରସ୍ତୁତ କଲେ; ମାର୍ଥା ପରିଚର୍ଯ୍ୟା କରୁଥିଲେ, ଆଉ ଯେଉଁମାନେ ତାହାଙ୍କ ସହିତ ଭୋଜନରେ ବସିଲେ, ଲାଜାର ସେମାନଙ୍କ ମଧ୍ୟରୁ ଜଣେ ଥିଲେ। 3 ସେତେବେଳେ ମରୀୟମ ଅଧ ସେର ଅତି ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ସୁଗନ୍ଧି ତୈଳ ଘେନି ଯୀଶୁଙ୍କ ପାଦରେ ତାହା ଲଗାଇ ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଆଉ ତୈଳର ସୁବାସରେ ଘରଟି ମହକିଗଲା। 4 କିନ୍ତୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ଯେଉଁ ଶିଷ୍ୟ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା, ସେ କହିଲା, 5 ଏହି ତୈଳ ତିନିଶହ ଦିନର ମଜୁରୀ ସମାନ ମୂଲ୍ୟରେ [1] ବିକ୍ରୟ କରାଯାଇ କାହିଁକି ଦରିଦ୍ରମାନଙ୍କୁ ଦିଆ ନ ଗଲା ? 6 ସେ ଯେ ଦରିଦ୍ରମାନଙ୍କ ନିମନ୍ତେ ଚିନ୍ତା କରୁଥିଲା ବୋଲି ଏହା କହିଲା, ତାହା ନୁହେଁ, କିନ୍ତୁ ସେ ଜଣେ ଚୋର, ଆଉ ତାହା ନିକଟରେ ଟଙ୍କାଥଳୀ ଥିବାରୁ, ସେଥିରେ ଯାହା ଯାହା ରଖାଯାଉଥିଲା, ତାହା ସେ ଚୋରି କରି ନେଇଯାଉଥିଲା। 7 ସେଥିରେ ଯୀଶୁ କହିଲେ, ଛାଡ଼ିଦିଅ, ଯେପରି ମୋହର ସମାଧି ଦିନ ନିମନ୍ତେ ସେ ଏହା ରଖି ପାରେ। 8 ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି।”

ଲାଜାରଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର

9 ଇତିମଧ୍ୟରେ ବହୁସଂଖ୍ୟକ ଯିହୁଦୀ ଲୋକ ସେ ସେଠାରେ ଅଛନ୍ତି ବୋଲି ଜାଣି ପାରି କେବଳ ଯୀଶୁଙ୍କ ସକାଶେ ନୁହେଁ, ମାତ୍ର ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ତାହାଙ୍କୁ ଦେଖିବା ନିମନ୍ତେ ମଧ୍ୟ ଆସିଲେ। 10 କିନ୍ତୁ ଲାଜାରଙ୍କୁ ମଧ୍ୟ ବଧ କରିବା ନିମନ୍ତେ ପ୍ରଧାନ ଯାଜକମାନେ ମନ୍ତ୍ରଣା କଲେ, 11 କାରଣ ତାହାଙ୍କ ଯୋଗୁଁ ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଯାଇ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ।

ଯୀଶୁଙ୍କ ବିଜୟ ଯାତ୍ରା

(ମାଥିଉ 21:1-11; ମାର୍କ 11:1-11; ଲୂକ 19:28-40)

12 ତହିଁ ଆରଦିନ ପର୍ବକୁ ଆସିଥିବା ବହୁସଂଖ୍ୟକ ଲୋକ ଯୀଶୁ ଯିରୂଶାଲମ ସହରକୁ ଆସୁଅଛନ୍ତି ବୋଲି ଶୁଣି 13 ଖଜୁରୀ ବାହୁଙ୍ଗା ଘେନି ତାହାଙ୍କୁ ଭେଟିବା ନିମନ୍ତେ ବାହାରିଗଲେ ଓ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା। ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଧନ୍ୟ ଇସ୍ରାଏଲର ରାଜା। 14 ଆଉ, ଯୀଶୁ ଗୋଟିଏ ଗର୍ଦ୍ଦଭ ଶାବକ ପାଇ ତାହା ଉପରେ ଆରୋହଣ କଲେ, ଯେପରି ଲେଖା ଅଛି, 15 ଆଗୋ ସିୟୋନର କନ୍ୟେ, ଭୟ କର ନାହିଁ; ଦେଖ, ତୋର ରାଜା ଆସୁଅଛନ୍ତି, ସେ ଗର୍ଦ୍ଦଭ ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି। 16 ତାହାଙ୍କ ଶିଷ୍ୟମାନେ ପ୍ରଥମେ ଏହି ସମସ୍ତ ବିଷୟ ବୁଝିଲେ ନାହିଁ, କିନ୍ତୁ ଯୀଶୁ ମହିମାନ୍ୱିତ ହେଲା ଉତ୍ତାରେ ଏସମସ୍ତ ବିଷୟ ଯେ ତାହାଙ୍କ ସମ୍ବନ୍ଧରେ ଲେଖାଯାଇଥିଲା, ପୁଣି, ତାହାଙ୍କ ପ୍ରତି ସେମାନେ ଯେ ଏହି ସବୁ କରିଥିଲେ, ତାହା ସେମାନଙ୍କ ମନରେ ପଡ଼ିଲା। 17 ଆଉ, ସେ ଲାଜାରଙ୍କୁ ସମାଧିରୁ ଡାକି ମୃତମାନଙ୍କ ମଧ୍ୟରୁ ଉଠାଇବା ସମୟରେ ଯେଉଁ ଲୋକସମୂହ ତାହାଙ୍କ ସହିତ ଥିଲେ, ସେମାନେ ସାକ୍ଷ୍ୟ ଦେବାକୁ ଲାଗିଲେ। 18 ଏହି କାରଣରୁ ମଧ୍ୟ ଲୋକସମୂହ ତାହାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ, ଯେଣୁ ସେ ଏହି ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି ବୋଲି ସେମାନେ ଶୁଣିଥିଲେ। 19 ସେଥିରେ ଫାରୂଶୀମାନେ ପରସ୍ପର କୁହାକୋହି ହେଲେ, ଦେଖୁଅଛ ତ, ତୁମ୍ଭମାନଙ୍କ ସମସ୍ତ ଚେଷ୍ଟା ବିଫଳ ହେଉଅଛି; ଦେଖ, ଜଗତଟାଯାକ ତାହାର ପଛରେ ଗଲେଣି।

ଯୀଶୁଙ୍କ ସନ୍ଧାନରେ କେତେକ ଗ୍ରୀକ୍‍ ଲୋକ

20 ପର୍ବ ସମୟରେ ଉପାସନା କରିବା ନିମନ୍ତେ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେକ ଗ୍ରୀକ୍‍ ଲୋକ ଥିଲେ। 21 ସେମାନେ ଗାଲିଲୀସ୍ଥ ବେଥ୍‌ସାଇଦାନିବାସୀ ଫିଲିପ୍ପଙ୍କ ନିକଟକୁ ଆସି ତାହାଙ୍କୁ ଅନୁରୋଧ କରି କହିଲେ, ମହାଶୟ, ଯୀଶୁଙ୍କୁ ଦର୍ଶନ କରିବା ନିମନ୍ତେ ଆମ୍ଭମାନଙ୍କର ଇଚ୍ଛା। 22 ଫିଲିପ୍ପ ଯାଇ ଆନ୍ଦ୍ରିୟଙ୍କୁ କହିଲେ, ପୁଣି, ଆନ୍ଦ୍ରିୟ ଓ ଫିଲିପ୍ପ ଯାଇ ଯୀଶୁଙ୍କୁ କହିଲେ। 23 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମନୁଷ୍ୟପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ। 24 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଗହମବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ, ତାହାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ, ତାହାହେଲେ ବହୁତ ଫଳ ଫଳେ। 25 ଯେ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ, ସେ ତାହା ହରାଇବ, ଆଉ ଯେ ଆପଣା ପ୍ରାଣକୁ ଇହଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ। 26 କେହି ଯେବେ ମୋହର ସେବକ, ତେବେ ସେ ମୋହର ଅନୁଗମନ କରୁ; ଆଉ, ମୁଁ ଯେଉଁଠାରେ ଥାଏ, ମୋହର ସେବକ ମଧ୍ୟ ସେହିଠାରେ ରହିବ; କେହି ଯେବେ ମୋହର ସେବା କରେ, ତେବେ ପିତା ତାହାକୁ ସମ୍ମାନ ଦେବେ।

ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ସୂଚନା

27 “ଏବେ ମୋହର ପ୍ରାଣ ଉଦ୍‌ବିଗ୍ନ ହୋଇଅଛି, ଆଉ ମୁଁ କଅଣ କହିବି ? ପିତଃ, ମୋତେ ଏହି ସମୟଠାରୁ ରକ୍ଷା କର ? କିନ୍ତୁ ଏଥିସକାଶେ ତ ମୁଁ ଏହି ସମୟ ମଧ୍ୟକୁ ଆସିଅଛି। 28 ଆପଣା ନାମ ମହିମାନ୍ୱିତ କର।” ଆକାଶରୁ ଏହି ବାଣୀ ହେଲା, ଆମ୍ଭେ ତାହା ମହିମାନ୍ୱିତ କରିଅଛୁ, ଆଉ ପୁନର୍ବାର ମହିମାନ୍ୱିତ କରିବୁ। 29 ତେଣୁ ପାଖରେ ଠିଆ ହୋଇଥିବା ଲୋକସମୂହ ଏହା ଶୁଣି ମେଘଗର୍ଜ୍ଜନ ହେଲା ବୋଲି କହିଲେ; ଅନ୍ୟମାନେ କହିଲେ, ଜଣେ ଦୂତ ଏହାଙ୍କୁ କଥା କହିଅଛନ୍ତି। 30 ଯୀଶୁ ଉତ୍ତର ଦେଲେ, “ମୋ' ନିମନ୍ତେ ଏହି ବାଣୀ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କ ନିମନ୍ତେ ହୋଇଅଛି। 31 ଏବେ ଏହି ଜଗତର ବିଚାର ଉପସ୍ଥିତ; ଏବେ ଏହି ଜଗତର ଅଧିପତିକୁ ବାହାରେ ପକାଯିବ। 32 ମୁଁ ଯଦି ପୃଥିବୀରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବି, ତାହାହେଲେ ସମସ୍ତଙ୍କୁ ଆପଣା ନିକଟକୁ ଆକର୍ଷଣ କରିବି। 33 ସେ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ଏହା କହିଲେ।” 34 ସେଥିରେ ଲୋକସମୂହ ତାହାଙ୍କୁ ଉତ୍ତର ଦେଲେ, ଖ୍ରୀଷ୍ଟ ଅନନ୍ତକାଳ ରହିବେ ବୋଲି ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାରୁ ଶୁଣିଅଛୁ, ତେବେ ‘ମନୁଷ୍ୟପୁତ୍ର ଅବଶ୍ୟ ଊର୍ଦ୍ଧ୍ୱକୁ ଉତ୍ଥିତ ହେବେ’ ବୋଲି ତୁମ୍ଭେ କିପରି କହୁଅଛ? ଏହି ମନୁଷ୍ୟପୁତ୍ର କିଏ? 35 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତିଃ ତୁମ୍ଭମାନଙ୍କ ମଧ୍ୟରେ ଅଛି। ଅନ୍ଧକାର ଯେପରି ତୁମ୍ଭମାନଙ୍କୁ ଗ୍ରାସ ନ କରେ, ଏଥିନିମନ୍ତେ ତୁମ୍ଭମାନଙ୍କ ନିକଟରେ ଜ୍ୟୋତିଃ ଥାଉ ଥାଉ ଗମନାଗମନ କର; ଯେ ଅନ୍ଧକାରରେ ଗମନାଗମନ କରେ, ସେ କେଉଁଠାକୁ ଯାଉଅଛି, ତାହା ଜାଣେ ନାହିଁ। 36 ତୁମ୍ଭେମାନେ ଯେପରି ଜ୍ୟୋତିଃର ସନ୍ତାନ ହୁଅ, ସେଥିପାଇଁ ଜ୍ୟୋତିଃ ତୁମ୍ଭମାନଙ୍କ ନିକଟରେ ଥାଉ ଥାଉ ଜ୍ୟୋତିଃରେ ବିଶ୍ୱାସ କର।” ଯୀଶୁ ଏହି ସବୁ କଥା କହି ପ୍ରସ୍ଥାନ କଲେ ଓ ସେମାନଙ୍କଠାରୁ ଗୋପନରେ ରହିଲେ।

ଲୋକମାନଙ୍କର ଅବିଶ୍ୱାସ

37 କିନ୍ତୁ ଯଦ୍ୟପି ସେ ସେମାନଙ୍କ ସାକ୍ଷାତରେ ଏତେ ଆଶ୍ଚର୍ଯ୍ୟକର୍ମ କରିଥିଲେ, ତଥାପି ସେମାନେ ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ, 38 ଯେପରି ଭାବବାଦୀ ଯିଶାଇୟଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି ? ଆଉ ପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି ? 39 ଏହି କାରଣରୁ ସେମାନେ ବିଶ୍ୱାସ କରିପାରୁ ନ ଥିଲେ, ଯେଣୁ ଯିଶାଇୟ ପୁନଶ୍ଚ କହିଅଛନ୍ତି, 40 ସେ ସେମାନଙ୍କର ଚକ୍ଷୁ ଅନ୍ଧ କରିଅଛନ୍ତି, ଆଉ ସେମାନଙ୍କ ହୃଦୟ ଜଡ଼ କରିଅଛନ୍ତି, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ। 41 ଯିଶାଇୟ ଏହି ସବୁ କହିଲେ, କାରଣ ସେ ତାହାଙ୍କର ମହିମା ଦେଖିଲେ ଓ ତାହାଙ୍କ ବିଷୟରେ କଥା କହିଲେ। 42 ତଥାପି ଯିହୁଦୀ ନେତାମାନଙ୍କ ମଧ୍ୟରୁ ସୁଦ୍ଧା ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ, କିନ୍ତୁ କାଳେ ସେମାନେ ସମାଜଗୃହରୁ ବାହାର ହୁଅନ୍ତି, ଏଥିପାଇଁ ଫାରୂଶୀମାନଙ୍କ ହେତୁ ତାହା ସ୍ୱୀକାର କରୁ ନ ଥିଲେ, 43 କାରଣ ସେମାନେ ଈଶ୍ବରଙ୍କଠାରୁ ଗୌରବ ଅପେକ୍ଷା ବରଂ ମନୁଷ୍ୟମାନଙ୍କଠାରୁ ଗୌରବ ଭଲ ପାଇଲେ।

ଯୀଶୁଙ୍କ ବାକ୍ୟ ଦ୍ୱାରା ମନୁଷ୍ୟର ବିଚାର

44 ଯୀଶୁ ଉଚ୍ଚସ୍ୱରରେ କହିଲେ, “ଯେ ମୋ'ଠାରେ ବିଶ୍ୱାସ କରେ, ସେ ମୋ'ଠାରେ ବିଶ୍ୱାସ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କଠାରେ ବିଶ୍ୱାସ କରେ; 45 ଆଉ, ଯେ ମୋତେ ଦର୍ଶନ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଦର୍ଶନ କରେ। 46 ଯେ କେହି ମୋ'ଠାରେ ବିଶ୍ୱାସ କରେ, ସେ ଯେପରି ଅନ୍ଧକାରରେ ବାସ ନ କରେ, ଏଥିପାଇଁ ମୁଁ ଜଗତକୁ ଜ୍ୟୋତିଃ ହୋଇ ଆସିଅଛି। 47 କେହି ଯଦି ମୋହର ବାକ୍ୟ ଶୁଣି ପାଳନ କରେ ନାହିଁ, ତାହାହେଲେ ମୁଁ ତାହାର ବିଚାର କରେ ନାହିଁ; କାରଣ ମୁଁ ଜଗତର ବିଚାର କରିବାକୁ ନ ଆସି ବରଂ ଜଗତକୁ ପରିତ୍ରାଣ କରିବାକୁ ଆସିଅଛି। 48 ଯେ ମୋତେ ଅଗ୍ରାହ୍ୟ କରେ ଓ ମୋହର ବାକ୍ୟ ଗ୍ରହଣ କରେ ନାହିଁ, ତାହାର ବିଚାରକର୍ତ୍ତା ଅଛି; ମୁଁ ଯେଉଁ ବାକ୍ୟ କହିଅଛି, ତାହା ଶେଷ ଦିନରେ ତାହାର ବିଚାର କରିବ। 49 କାରଣ ମୁଁ ଆପଣାଠାରୁ କହି ନାହିଁ, ମାତ୍ର ମୁଁ କଅଣ କହିବି ଓ କଅଣ ବ୍ୟକ୍ତ କରିବି, ତାହା ମୋହର ପ୍ରେରଣକର୍ତ୍ତା ପିତା ମୋତେ ଆଜ୍ଞା ଦେଇଅଛନ୍ତି; 50 ପୁଣି, ତାହାଙ୍କ ଆଜ୍ଞା ଯେ ଅନନ୍ତ ଜୀବନ, ଏହା ମୁଁ ଜାଣେ। ଅତଏବ, ମୁଁ ଯେ ଯେ କଥା କହେ, ପିତା ମୋତେ ଯେପରି କହିଅଛନ୍ତି, ସେହିପରି କହେ।”


12:5 [1] ତିନିଶହ ଦିନର ମଜୁରୀ ସମାନ ମୂଲ୍ୟରେ ତିନିଶହ ଦିନାର୍

Chapter 13

ଶିଷ୍ୟମାନଙ୍କ ପାଦ ପ୍ରକ୍ଷାଳନ

1 ନିସ୍ତାର ପର୍ବ ହେବା ପୂର୍ବରୁ ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ଆପଣାର ପ୍ରୟାଣ କରିବାର ସମୟ ଉପସ୍ଥିତ ଜାଣି, ଜଗତରେ ଥିବା ନିଜର ଯେଉଁ ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ, ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ପ୍ରକାଶ କଲେ। 2 ଆଉ, ରାତ୍ରିଭୋଜ ସମୟରେ, ଯେତେବେଳେ ଶୟତାନ ଶିମୋନର ପୁତ୍ର ଇଷ୍କାରିୟୋତୀୟ ଯିହୂଦାର ହୃଦୟରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ସଂକଳ୍ପ ଜାତ କରିସାରିଥିଲା, 3 ସେତେବେଳେ, ପିତା ଯେ ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି ଓ ସେ ଯେ ଈଶ୍ବରଙ୍କ ନିକଟରୁ ଆସିଅଛନ୍ତି, ପୁଣି, ଈଶ୍ବରଙ୍କ ନିକଟକୁ ଯାଉଅଛନ୍ତି, 4 ଏହା ଜାଣି ସେ ଭୋଜନ ଆସନରୁ ଉଠି ଆପଣାର ବାହ୍ୟ ବସ୍ତ୍ର କାଢ଼ି ଦେଇ ଗୋଟିଏ ଗାମୁଛା ଘେନି ଆପଣାର କଟି ବନ୍ଧନ କଲେ। 5 ତତ୍ପରେ ସେ ପାତ୍ରରେ ଜଳ ଢାଳିଲେ, ପୁଣି, ଶିଷ୍ୟମାନଙ୍କ ପାଦ ଧୋଇଦେଇ ଆପଣା କଟିରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ। 6 କ୍ରମେ ସେ ଶିମୋନ ପିତରଙ୍କ ନିକଟକୁ ଆସିଲେ; ସେ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ମୋହର ପାଦ ଧୋଇ ଦେଉଅଛନ୍ତି ? 7 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ଯାହା କରୁଅଛି, ତାହା ତୁମ୍ଭେ ଏବେ ଜାଣୁ ନାହଁ, କିନ୍ତୁ ପରେ ବୁଝିବ।” 8 ପିତର ତାହାଙ୍କୁ କହିଲେ, ଆପଣ କଦାପି ମୋହର ପାଦ ଧୋଇଦେବେ ନାହିଁ। ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋ' ସହିତ ତୁମ୍ଭର କୌଣସି ଅଂଶ ନାହିଁ।” 9 ଶିମୋନ ପିତର ତାହାଙ୍କୁ କହିଲେ, ପ୍ରଭୁ, କେବଳ ମୋହର ପାଦ ନୁହେଁ, ମାତ୍ର ମୋହର ହସ୍ତ ଓ ମସ୍ତକ ମଧ୍ୟ। 10 ଯୀଶୁ ତାହାଙ୍କୁ କହିଲେ, “ଯେ ସ୍ନାନ କରିଅଛି, ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ, ସେ ପ୍ରକୃତରେ ଶୁଚି; ତୁମ୍ଭେମାନେ ଶୁଚି ଅଟ, କିନ୍ତୁ ସମସ୍ତେ ନୁହଁ।” 11 କାରଣ ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ସେ ତାହାକୁ ଜାଣିଥିଲେ; ଅତଏବ ସେ କହିଲେ, ତୁମ୍ଭେମାନେ ସମସ୍ତେ ଶୁଚି ନୁହଁ। 12 ତତ୍ପରେ ସେ ସେମାନଙ୍କର ପାଦ ଧୋଇଦେଇ ଆପଣା ବସ୍ତ୍ର ପିନ୍ଧି ପୁନର୍ବାର ବସିଲା ଉତ୍ତାରେ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କ ପ୍ରତି କଅଣ କରିଅଛି, ତାହା କି ତୁମ୍ଭେମାନେ ବୁଝୁଅଛ ?” 13 ତୁମ୍ଭେମାନେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଅଛ, ଆଉ ଯଥାର୍ଥ କହୁଅଛ; କାରଣ ମୁଁ ତ ସେହି। 14 ଅତଏବ, ପ୍ରଭୁ ଓ ଗୁରୁ ଯେ ମୁଁ, ମୁଁ ଯଦି ତୁମ୍ଭମାନଙ୍କର ପାଦ ଧୋଇ ଦେଇଅଛି, ତେବେ ତୁମ୍ଭମାନଙ୍କର ମଧ୍ୟ ପରସ୍ପରର ପାଦ ଧୋଇବା କର୍ତ୍ତବ୍ୟ। 15 କାରଣ ତୁମ୍ଭମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମ୍ଭେମାନେ ମଧ୍ୟ ଯେ ସେପରି କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି। 16 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, କିମ୍ବା ପ୍ରେରିତ ଆପଣା ପ୍ରେରକଠାରୁ ଶ୍ରେଷ୍ଠ ନୁହେଁ। 17 ଯଦି ତୁମ୍ଭେମାନେ ଏହି ସବୁ ଜାଣ, ତେବେ ସେହି ପ୍ରକାର କଲେ ତୁମ୍ଭେମାନେ ଧନ୍ୟ। 18 ମୁଁ ତୁମ୍ଭ ସମସ୍ତଙ୍କ ସମ୍ବନ୍ଧରେ କହୁ ନାହିଁ; କେଉଁ ପ୍ରକାର ଲୋକମାନଙ୍କୁ ମୁଁ ମନୋନୀତ କରିଅଛି, ତାହା ମୁଁ ଜାଣେ; କିନ୍ତୁ ଧର୍ମଶାସ୍ତ୍ରର ଏହି ବାକ୍ୟ ଯେପରି ସଫଳ ହୁଏ, ସେଥିପାଇଁ ଏହିପରି ଘଟୁଅଛି, ଯେ ମୋହର ଅନ୍ନ ଖାଏ, ସେ ମୋହର ବିରୁଦ୍ଧରେ ଗୋଇଠା ଉଠାଇଲା। 19 ତାହା ଘଟିବା ସମୟରେ, ମୁଁ ସେହି ଅଟେ ବୋଲି ତୁମ୍ଭେମାନେ ଯେପରି ବିଶ୍ୱାସ କର, ଏଥିନିମନ୍ତେ ତାହା ଘଟିବା ପୂର୍ବେ ମୁଁ ବର୍ତ୍ତମାନ ତୁମ୍ଭମାନଙ୍କୁ କହୁଅଛି। 20 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ପ୍ରେରିତ ବ୍ୟକ୍ତିଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ଓ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।”

ବିଶ୍ୱାସଘାତକ ସମ୍ପର୍କରେ ଯୀଶୁଙ୍କ ସୂଚନା

(ମାଥିଉ 26:20-25; ମାର୍କ 14:17-21; ଲୂକ 22:21-23)

21 ଯୀଶୁ ଏହି ସମସ୍ତ କଥା କହିଲା ଉତ୍ତାରେ ଆତ୍ମାରେ ଉଦ୍‌ବିଗ୍ନ ହେଲେ ଓ ସାକ୍ଷ୍ୟ ଦେଇ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।” 22 ସେ କାହା ସମ୍ବନ୍ଧରେ କହିଲେ, ସେ ବିଷୟରେ ହତବୁଦ୍ଧି ହୋଇ ଶିଷ୍ୟମାନେ ପରସ୍ପରକୁ ଚାହିଁବାକୁ ଲାଗିଲେ। 23 ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଯାହାକୁ ଯୀଶୁ ପ୍ରେମ କରୁଥିଲେ, ସେ ଯୀଶୁଙ୍କ ଦକ୍ଷିଣ ପାଖରେ ବସି ଭୋଜନ କରୁଥିଲେ। 24 ଅତଏବ, ଶିମୋନ ପିତର ତାହାଙ୍କୁ ସଙ୍କେତ କରି କହିଲେ, ସେ କାହା ସମ୍ବନ୍ଧରେ କହୁଅଛନ୍ତି, ତାହା କୁହ। 25 ସେ ସେହି ପ୍ରକାର ବସିଥାଇ ଯୀଶୁଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି ତାହାଙ୍କୁ ପଚାରିଲେ, ପ୍ରଭୁ, ସେ କିଏ? 26 ତେଣୁ ଯୀଶୁ ଉତ୍ତର ଦେଲେ, “ଯାହା ନିମନ୍ତେ ମୁଁ ଏହି ରୁଟିଖଣ୍ଡକ ବୁଡ଼ାଇବି ଓ ଯାହାକୁ ତାହା ଦେବି, ସେ।” ତହିଁରେ ସେ ସେହି ରୁଟିଖଣ୍ଡକ ବୁଡ଼ାଇ ତାହା ଘେନି ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦାକୁ ଦେଲେ। 27 ସେ ରୁଟିଖଣ୍ଡକ ପାଇଲା ଉତ୍ତାରେ ଶୟତାନ ତାହା ମଧ୍ୟରେ ପ୍ରବେଶ କଲା। ସେଥିରେ ଯୀଶୁ ତାହାକୁ କହିଲେ, “ଯାହା କରୁଅଛ, ତାହା ଶୀଘ୍ର କର।” 28 କିନ୍ତୁ ସେ କି ଉଦ୍ଦେଶ୍ୟରେ ତାହାକୁ ଏହି କଥା କହିଥିଲେ, ତାହା ଭୋଜରେ ବସିଥିବା ଲୋକମାନଙ୍କ ମଧ୍ୟରୁ କେହି ଜାଣିଲେ ନାହିଁ। 29 କାରଣ ଯିହୂଦା ନିକଟରେ ଟଙ୍କାଥଳୀ ଥିବାରୁ, ପର୍ବ ନିମନ୍ତେ ଯାହା ଯାହା ପ୍ରୟୋଜନ, ତାହା କ୍ରୟ କରିବାକୁ କିମ୍ବା ଦରିଦ୍ରମାନଙ୍କୁ କିଛି ଦାନ କରିବାକୁ ଯୀଶୁ ତାହାକୁ କହିଲେ ବୋଲି କେହି କେହି ମନେ କଲେ।

ନୂତନ ଆଜ୍ଞା

30 ରୁଟିଖଣ୍ଡକ ଗ୍ରହଣ କରି ସେ ତତ୍‍କ୍ଷଣାତ୍‍ ବାହାରିଗଲା, ସେତେବେଳେ ରାତ୍ରିକାଳ। 31 ସେ ବାହାରିଗଲା ଉତ୍ତାରେ ଯୀଶୁ କହିଲେ, “ଏବେ ମନୁଷ୍ୟପୁତ୍ର ମହିମାନ୍ୱିତ ହେଲେ ଓ ତାହାଙ୍କଠାରେ ଈଶ୍ବର ମହିମାନ୍ୱିତ ହେଲେ। 32 “ଯଦି ଈଶ୍ବର ତାହାଙ୍କଠାରେ ମହିମାନ୍ୱିତ ହେଲେ, ତେବେ ଈଶ୍ବର ମଧ୍ୟ ତାହାଙ୍କୁ ଆପଣାଠାରେ ମହିମାନ୍ୱିତ କରିବେ, ପୁଣି, ଶୀଘ୍ର ତାହାଙ୍କୁ ମହିମାନ୍ୱିତ କରିବେ। 33 ବତ୍ସଗଣ, ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସାଙ୍ଗରେ ଅଛି। ତୁମ୍ଭେମାନେ ମୋହର ଅନ୍ୱେଷଣ କରିବ; ଆଉ ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତୁମ୍ଭେମାନେ ସେ ସ୍ଥାନକୁ ଯାଇ ପାର ନାହିଁ, ଏହା ମୁଁ ଯେପରି ଯିହୁଦୀମାନଙ୍କୁ କହିଲି, ସେହିପରି ଏବେ ତୁମ୍ଭମାନଙ୍କୁ ମଧ୍ୟ କହୁଅଛି। 34 ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଏହି ନୂତନ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ଦେଉଅଛି; ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର। 35 ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ୱାରା ଜ୍ଞାତ ହେବେ।”

ପିତରଙ୍କ ଅସ୍ୱୀକାରର ପୂର୍ବ ସୂଚନା

(ମାଥିଉ 26:31-35; ମାର୍କ 14:27-31; ଲୂକ 22:31-34)

36 ଶିମୋନ ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ଆପଣ କେଉଁଠାକୁ ଯାଉଅଛନ୍ତି ? ଯୀଶୁ ଉତ୍ତର ଦେଲେ, “ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେ ବର୍ତ୍ତମାନ ମୋହର ପଛେ ପଛେ ସେଠାକୁ ଯାଇ ପାର ନାହିଁ, କିନ୍ତୁ ପରେ ଯିବ।” 37 ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ଆପଣଙ୍କ ପଛେ ପଛେ ଯାଇ ପାରେ ନାହିଁ? ମୁଁ ଆପଣଙ୍କ ନିମନ୍ତେ ନିଜ ପ୍ରାଣ ଦେବି। 38 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କଅଣ ମୋ' ନିମନ୍ତେ ନିଜ ପ୍ରାଣ ଦେବ ? ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, କୁକୁଡ଼ା ନ ଡାକୁଣୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ।”

Chapter 14

ଯୀଶୁ ହିଁ ପଥ, ସତ୍ୟ ଓ ଜୀବନ

1 “ତୁମ୍ଭମାନଙ୍କ ହୃଦୟ ଉଦ୍‌ବିଗ୍ନ ନ ହେଉ; ତୁମ୍ଭେମାନେ ଈଶ୍ବରଙ୍କଠାରେ ବିଶ୍ୱାସ କର, ମୋ'ଠାରେ ମଧ୍ୟ ବିଶ୍ୱାସ କର। 2 ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି; ଯଦି ନ ଥାଆନ୍ତା, ତାହାହେଲେ ମୁଁ ତୁମ୍ଭମାନଙ୍କୁ କହିଥାଆନ୍ତି, ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି; 3 ପୁଣି, ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ, ତୁମ୍ଭେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥିନିମନ୍ତେ ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନିଯିବି। 4 ପୁଣି, ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତାହାର ପଥ ତୁମ୍ଭେମାନେ ଜାଣ।” 5 ଥୋମା ତାହାଙ୍କୁ ପଚାରିଲେ, ପ୍ରଭୁ, ଆପଣ କେଉଁ ସ୍ଥାନକୁ ଯାଉଅଛନ୍ତି, ତାହା ଆମ୍ଭେମାନେ ଜାଣୁ ନାହିଁ; ପଥ ବା କିପରି ଜାଣି ପାରୁ ? 6 ଯୀଶୁ ତାହାଙ୍କୁ କହିଲେ, “ମୁଁ ପଥ, ସତ୍ୟ ଓ ଜୀବନ; ମୋ' ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। 7 ଯଦି ତୁମ୍ଭେମାନେ ମୋତେ ଜାଣିଥାଆନ୍ତ, ତାହାହେଲେ ମୋହର ପିତାଙ୍କୁ ମଧ୍ୟ ଜାଣିଥାଆନ୍ତ; ଏବେ ହେଁ ତାହାଙ୍କୁ ଜାଣୁଅଛ ଓ ତାହାଙ୍କୁ ଦେଖିଅଛ।” 8 ଫିଲିପ୍ପ ତାହାଙ୍କୁ କହିଲେ, ପ୍ରଭୁ, ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ, ତାହା ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ। 9 ଯୀଶୁ ତାହାଙ୍କୁ କହିଲେ, “ଫିଲିପ୍ପ, ଏତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଅଛି, ଆଉ ତୁମ୍ଭେ କଅଣ ମୋତେ ଜାଣିଲ ନାହିଁ ? ଯେ ମୋତେ ଦର୍ଶନ କରିଅଛି, ସେ ପିତାଙ୍କୁ ଦର୍ଶନ କରିଅଛି; ଆମ୍ଭମାନଙ୍କୁ ପିତାଙ୍କୁ ଦର୍ଶନ କରାଉନ୍ତୁ ବୋଲି ତୁମ୍ଭେ କିପରି କହୁଅଛ? 10 ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋ'ଠାରେ ଅଛନ୍ତି, ଏ କଥା କଅଣ ବିଶ୍ୱାସ କରୁ ନାହଁ ? ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହେ, ସେହିସବୁ ମୋ' ନିଜରୁ କହେ ନାହିଁ, କିନ୍ତୁ ପିତା ମୋ'ଠାରେ ଥାଇ ଆପଣା କର୍ମ କରୁଅଛନ୍ତି। 11 ମୁଁ ଯେ ପିତାଙ୍କଠାରେ ଅଛି ଓ ପିତା ମୋ'ଠାରେ ଅଛନ୍ତି, ମୋହର ଏହି କଥା ବିଶ୍ୱାସ କର, ନତୁବା କର୍ମ ଯୋଗୁଁ ହେଲେ ବିଶ୍ୱାସ କର। 12 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋ'ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେ ମଧ୍ୟ ସେହିସବୁ କରିବ, ଆଉ ସେ ସବୁ ଅପେକ୍ଷା ଅଧିକ ମହତ‍ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି। 13 ପୁଣି, ପିତା ଯେପରି ପୁତ୍ରଙ୍କଠାରେ ମହିମାନ୍ୱିତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ମୋ' ନାମରେ ଯାହା କିଛି ମାଗିବ, ତାହା ମୁଁ କରିବି। 14 ଯଦି ତୁମ୍ଭେମାନେ ମୋ' ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି।

ପବିତ୍ର ଆତ୍ମାଙ୍କ ଦାନର ପ୍ରତିଜ୍ଞା

15 “ଯଦି ତୁମ୍ଭେମାନେ ମୋତେ ପ୍ରେମ କର, ତାହାହେଲେ ମୋହର ଆଜ୍ଞାସବୁ ପାଳନ କରିବ। 16 ଆଉ, ମୁଁ ପିତାଙ୍କୁ ନିବେଦନ କରିବି, ପୁଣି, ତୁମ୍ଭମାନଙ୍କ ସାଙ୍ଗରେ ଅନନ୍ତକାଳ ରହିବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କୁ, 17 ଅର୍ଥାତ୍‍ ସେହି ସତ୍ୟମୟ ଆତ୍ମାଙ୍କୁ ଦେବେ। ଜଗତ ତାହାଙ୍କୁ ଗ୍ରହଣ କରିପାରେ ନାହିଁ, କାରଣ ଜଗତ ତାହାଙ୍କୁ ଦେଖେ ନାହିଁ କିମ୍ବା ଜାଣେ ନାହିଁ; ତୁମ୍ଭେମାନେ ତାହାଙ୍କୁ ଜାଣ, କାରଣ ସେ ତୁମ୍ଭମାନଙ୍କ ସାଙ୍ଗରେ ଥାଆନ୍ତି, ପୁଣି, ସେ ତୁମ୍ଭମାନଙ୍କ ଅନ୍ତରରେ ରହିବେ। 18 ମୁଁ ତୁମ୍ଭମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ, ମୁଁ ତୁମ୍ଭମାନଙ୍କ ନିକଟକୁ ଆସୁଅଛି। 19 ଅଳ୍ପମାତ୍ର ସମୟ ରହିଲା, ଜଗତ ମୋତେ ଆଉ ଦେଖିବ ନାହିଁ; ମାତ୍ର ତୁମ୍ଭେମାନେ ମୋତେ ଦେଖିବ, କାରଣ ମୁଁ ଜୀବିତ, ଆଉ ତୁମ୍ଭେମାନେ ମଧ୍ୟ ଜୀବିତ ରହିବ। 20 ମୁଁ ଯେ ମୋହର ପିତାଙ୍କଠାରେ ପୁଣି, ତୁମ୍ଭେମାନେ ଯେ ମୋ'ଠାରେ ଓ ମୁଁ ତୁମ୍ଭମାନଙ୍କଠାରେ ଅଛି, ଏହା ସେ ଦିନ ତୁମ୍ଭେମାନେ ଜାଣିବ। 21 ଯେ ମୋହର ଆଜ୍ଞାସବୁ ଗ୍ରହଣ କରି ପାଳନ କରେ, ସେହି ତ ମୋତେ ପ୍ରେମ କରେ, ଆଉ ଯେ ମୋତେ ପ୍ରେମ କରେ, ମୋହର ପିତା ତାହାକୁ ପ୍ରେମ କରିବେ, ପୁଣି, ମୁଁ ତାହାକୁ ପ୍ରେମ କରିବି ଓ ତାହା ନିକଟରେ ଆପଣାକୁ ପ୍ରକାଶ କରିବି। 22 ଯିହୂଦା (ଇଷ୍କାରିୟୋତୀୟ ନୁହେଁ) ତାହାଙ୍କୁ କହିଲେ, ହେ ପ୍ରଭୁ, କଅଣ ହେଲା ଯେ, ଆପଣ ଜଗତ ନିକଟରେ ଆପଣାକୁ ପ୍ରକାଶ ନ କରି ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିବାକୁ ଯାଉଅଛନ୍ତି ? 23 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଯଦି କେହି ମୋତେ ପ୍ରେମ କରେ, ତାହାହେଲେ ସେ ମୋହର ବାକ୍ୟ ପାଳନ କରିବ, ପୁଣି, ମୋହର ପିତା ତାହାକୁ ପ୍ରେମ କରିବେ, ଆଉ ଆମ୍ଭେମାନେ ତାହା ନିକଟକୁ ଆସି ତାହା ସହିତ ବାସ କରିବା। 24 ଯେ ମୋତେ ପ୍ରେମ କରେ ନାହିଁ, ସେ ମୋହର ବାକ୍ୟ ପାଳନ କରେ ନାହିଁ, ଆଉ ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣୁଅଛ, ତାହା ମୋହର ନୁହେଁ, ମାତ୍ର ମୋହର ପ୍ରେରଣକର୍ତ୍ତା ପିତାଙ୍କର। 25 ମୁଁ ତୁମ୍ଭମାନଙ୍କ ସାଙ୍ଗରେ ଥାଉ ଥାଉ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଲି। 26 କିନ୍ତୁ ସେହି ସାହାଯ୍ୟକାରୀ, ଅର୍ଥାତ୍‍ ଯେଉଁ ପବିତ୍ର ଆତ୍ମାଙ୍କୁ ପିତା ମୋ' ନାମରେ ପ୍ରେରଣ କରିବେ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ଆଉ ମୁଁ ତୁମ୍ଭମାନଙ୍କୁ ଯାହା ଯାହା କହିଅଛି, ସେହିସବୁ ତୁମ୍ଭମାନଙ୍କୁ ସ୍ମରଣ କରାଇବେ। 27 ମୁଁ ତୁମ୍ଭମାନଙ୍କୁ ଶାନ୍ତି ଦାନ କରି ଯାଉଅଛି, ମୋହର ନିଜର ଶାନ୍ତି ତୁମ୍ଭମାନଙ୍କୁ ଦାନ କରୁଅଛି; ଜଗତ ଯେପରି ଦାନ କରେ, ମୁଁ ତୁମ୍ଭମାନଙ୍କୁ ସେପରି ଦାନ କରୁ ନାହିଁ। ତୁମ୍ଭମାନଙ୍କ ହୃଦୟ ଉଦ୍‌ବିଗ୍ନ କି ଭୟଗ୍ରସ୍ତ ନ ହେଉ। 28 ମୁଁ ଯେ ଯାଉଅଛି ଓ ତୁମ୍ଭମାନଙ୍କ ନିକଟକୁ ପୁଣି, ଆସୁଅଛି, ମୋହର ଏହି କଥା ତ ଶୁଣିଅଛ। ଯଦି ତୁମ୍ଭେମାନେ ମୋତେ ପ୍ରେମ କରୁଥାଆନ୍ତ, ତାହାହେଲେ ମୁଁ ମୋହର ପିତାଙ୍କ ନିକଟକୁ ଯାଉଅଛି ବୋଲି ଆନନ୍ଦ କରିଥାଆନ୍ତ, କାରଣ ପିତା ମୋ'ଠାରୁ ମହାନ। 29 ଆଉ, ତାହା ଘଟିବା ସମୟରେ ତୁମ୍ଭେମାନେ ଯେପରି ବିଶ୍ୱାସ କରିବ, ଏଥିନିମନ୍ତେ ତାହା ଘଟିବା ପୂର୍ବେ ମୁଁ ଏବେ ତୁମ୍ଭମାନଙ୍କୁ କହିଅଛି। 30 ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଧିକ କଥାବାର୍ତ୍ତା କରିବି ନାହିଁ, କାରଣ ଜଗତର ଅଧିପତି ଆସୁଅଛି; ଆଉ, ମୋ'ଠାରେ ତାହାର କିଛି ହିଁ ନାହିଁ; 31 କିନ୍ତୁ ମୁଁ ଯେ ପିତାଙ୍କୁ ପ୍ରେମ କରେ ଓ ପିତାଙ୍କ ଆଜ୍ଞାନୁସାରେ କର୍ମ କରେ, ଏହା ଯେପରି ଜଗତ ଜାଣି ପାରେ, ଏଥିନିମନ୍ତେ ଏପରି ଘଟୁଅଛି।

“ଉଠ, ଆମ୍ଭେମାନେ ଏହି ସ୍ଥାନରୁ ଚାଲିଯାଉ।

Chapter 15

ଯୀଶୁ ପ୍ରକୃତ ଦ୍ରାକ୍ଷାଲତା

1 “ମୁଁ ପ୍ରକୃତ ଦ୍ରାକ୍ଷାଲତା, ପୁଣି, ମୋହର ପିତା କୃଷକ। 2 ମୋ'ଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ, ତାହା ସେ କାଟିପକାନ୍ତି; ଆଉ, ଯେକୌଣସି ଶାଖା ଫଳ ଫଳେ, ଅଧିକ ଫଳ ଫଳିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି। 3 ମୁଁ ତୁମ୍ଭମାନଙ୍କୁ ଯେଉଁ ବାକ୍ୟ କହିଅଛି, ସେଥିସକାଶେ ତୁମ୍ଭେମାନେ ପରିଷ୍କୃତ ହୋଇସାରିଅଛ। 4 ମୋ'ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋ'ଠାରେ ନ ରହିଲେ ଫଳ ଫଳି ପାର ନାହିଁ। 5 ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋ'ଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋ' ବିନା ତୁମ୍ଭେମାନେ କିଛି କରିପାର ନାହିଁ। 6 କେହି ଯେବେ ମୋ'ଠାରେ ନ ରହେ, ତାହାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ ଓ ଶୁଖିଯାଏ, ପୁଣି, ଲୋକେ ସେଗୁଡ଼ାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି ଓ ସେଗୁଡ଼ାକ ପୋଡ଼ିଯାଏ। 7 ଯଦି ତୁମ୍ଭେମାନେ ମୋ'ଠାରେ ରୁହ, ଆଉ ମୋହର ବାକ୍ୟ ତୁମ୍ଭମାନଙ୍କଠାରେ ରୁହେ, ତାହାହେଲେ ଯେକୌଣସି ବିଷୟ ଇଚ୍ଛା କର, ତାହା ମାଗ, ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ। 8 ତୁମ୍ଭେମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନ୍ୱିତ ହେବେ, ଆଉ ତୁମ୍ଭେମାନେ ମୋହର ପ୍ରକୃତ ଶିଷ୍ୟ ହେବ। 9 ପିତା ଯେପ୍ରକାର ମୋତେ ପ୍ରେମ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାର ତୁମ୍ଭମାନଙ୍କୁ ପ୍ରେମ କରିଅଛି; ମୋହର ପ୍ରେମରେ ସ୍ଥିର ହୋଇ ରହିଥାଅ। 10 ମୁଁ ଯେପରି ମୋହର ପିତାଙ୍କ ଆଜ୍ଞା ପାଳନ କରି ତାହାଙ୍କ ପ୍ରେମରେ ସ୍ଥିର ହୋଇ ରହିଥାଏ, ସେପ୍ରକାର ତୁମ୍ଭେମାନେ ଯେବେ ମୋହର ଆଜ୍ଞା ପାଳନ କର, ତାହାହେଲେ ମୋହର ପ୍ରେମରେ ସ୍ଥିର ହୋଇ ରହିବ। 11 ମୋହର ଆନନ୍ଦ ଯେପରି ତୁମ୍ଭମାନଙ୍କଠାରେ ଥାଏ, ଆଉ ତୁମ୍ଭମାନଙ୍କ ଆନନ୍ଦ ଯେପରି ପୂର୍ଣ୍ଣ ହୁଏ, ଏଥିନିମନ୍ତେ ମୁଁ ଏସମସ୍ତ ତୁମ୍ଭମାନଙ୍କୁ କହିଲି। 12 ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା। 13 ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ। 14 ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତାହା ଯଦି ପାଳନ କର, ତେବେ ତୁମ୍ଭେମାନେ ମୋହର ବନ୍ଧୁ। 15 ମୁଁ ତୁମ୍ଭମାନଙ୍କୁ ଆଉ ଦାସ ବୋଲି କହୁ ନାହିଁ, କାରଣ କର୍ତ୍ତା କଅଣ କରନ୍ତି, ଦାସ ତାହା ଜାଣେ ନାହିଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହିଅଛି, କାରଣ ମୁଁ ମୋହର ପିତାଙ୍କଠାରୁ ଯାହା ଯାହା ଶୁଣିଅଛି, ସେହିସବୁ ତୁମ୍ଭମାନଙ୍କୁ ଜଣାଇଅଛି। 16 ତୁମ୍ଭେମାନେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି, ଆଉ ତୁମ୍ଭେମାନେ ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମ୍ଭମାନଙ୍କର ଫଳ ସ୍ଥାୟୀ ହୁଏ, ଏଥିନିମନ୍ତେ ତୁମ୍ଭମାନଙ୍କୁ ନିଯୁକ୍ତ କରିଅଛି। ସେଥିରେ ତୁମ୍ଭେମାନେ ମୋ' ନାମରେ ପିତାଙ୍କୁ ଯାହା କିଛି ମାଗିବ, ସେ ତାହା ତୁମ୍ଭମାନଙ୍କୁ ଦେବେ; 17 ତୁମ୍ଭେମାନେ ଯେପରି ପରସ୍ପରକୁ ପ୍ରେମ କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ ଆଜ୍ଞା ଦେଉଅଛି।

ବିଶ୍ୱାସୀଙ୍କୁ ଜଗତର ଘୃଣା

18 “ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ତେବେ ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି, ଏହା ଜାଣ। 19 ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇଥାଆନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ଆପଣାର ଲୋକ ଜାଣି ପ୍ରେମ କରନ୍ତା; କିନ୍ତୁ ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ, ବରଂ ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥିନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ। 20 ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, ମୁଁ ତୁମ୍ଭମାନଙ୍କୁ ଏହି ଯେଉଁ ବାକ୍ୟ କହିଅଛି, ତାହା ସ୍ମରଣ କର। ଯଦି ସେମାନେ ମୋତେ ତାଡ଼ନା କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କୁ ମଧ୍ୟ ତାଡ଼ନା କରିବେ; ଯଦି ସେମାନେ ମୋହର ବାକ୍ୟ ପାଳନ କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କର ବାକ୍ୟ ମଧ୍ୟ ପାଳନ କରିବେ। 21 କିନ୍ତୁ ସେମାନେ ମୋହର ପ୍ରେରଣକର୍ତ୍ତାଙ୍କୁ ଜାଣି ନ ଥିବାରୁ ମୋହର ନାମ ସକାଶେ ତୁମ୍ଭମାନଙ୍କ ପ୍ରତି ଏହି ସମସ୍ତ କରିବେ। 22 ଯଦି ମୁଁ ଆସି ସେମାନଙ୍କୁ କହି ନ ଥାଆନ୍ତି, ତାହା- ହେଲେ ସେମାନଙ୍କ ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନଙ୍କ ପାପ ବିଷୟରେ ସେମାନେ କୌଣସି ବାହାନା କରିପାରନ୍ତି ନାହିଁ। 23 ମୋତେ ଘୃଣା କରେ, ସେ ମୋହର ପିତାଙ୍କୁ ମଧ୍ୟ ଘୃଣା କରେ। 24 ଯେଉଁ କର୍ମସବୁ ଆଉ କେହି କରି ନାହିଁ, ମୁଁ ଯଦି ସେହିସବୁ ସେମାନଙ୍କ ମଧ୍ୟରେ କରି ନ ଥାଆନ୍ତି, ତାହାହେଲେ ସେମାନଙ୍କର ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନେ ଦେଖିଅଛନ୍ତି, ଆଉ ମୋତେ ଓ ମୋହର ପିତା ଉଭୟଙ୍କୁ ଘୃଣା କରିଅଛନ୍ତି। 25 ‘ମାତ୍ର ସେମାନେ ଅକାରଣରେ ମୋତେ ଘୃଣା କଲେ,’ ସେମାନଙ୍କ ମୋଶାଙ୍କ ବ୍ୟବସ୍ଥାରେ ଲିଖିତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏପରି ଘଟୁଅଛି। 26 ପିତାଙ୍କ ନିକଟରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁ ସାହାଯ୍ୟକାରୀଙ୍କୁ ପ୍ରେରଣ କରିବି, ପିତାଙ୍କଠାରୁ ବର୍ହିଗତ ସେହି ସତ୍ୟମୟ ଆତ୍ମା ଆସିଲେ ମୋ' ବିଷୟରେ ସାକ୍ଷ୍ୟ ଦେବେ; 27 ଆଉ, ତୁମ୍ଭେମାନେ ମଧ୍ୟ ସାକ୍ଷୀ, କାରଣ ତୁମ୍ଭେମାନେ ଆରମ୍ଭରୁ ମୋ' ସହିତ ରହିଅଛ।

Chapter 16

1 “ତୁମ୍ଭେମାନେ ଯେପରି ବିଘ୍ନ ନ ପାଅ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଅଛି। 2 ସେମାନେ ତୁମ୍ଭମାନଙ୍କୁ ସମାଜଗୃହରୁ ବାହାର କରିବେ, ହଁ, ଏପରି ସମୟ ଆସୁଅଛି, ଯେତେବେଳେ ଯେ କେହି ତୁମ୍ଭମାନଙ୍କୁ ବଧ କରେ, ସେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉପାସନାରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ। 3 ଆଉ, ସେମାନେ ଏହାସବୁ କରିବେ, କାରଣ ସେମାନେ ପିତାଙ୍କୁ କିମ୍ବା ମୋତେ ଜାଣି ନାହାନ୍ତି। 4 ମାତ୍ର ଏସମସ୍ତ ଘଟିବାର ସମୟ ଉପସ୍ଥିତ ହେଲେ, ମୁଁ ଯେ ତୁମ୍ଭମାନଙ୍କୁ କହିଥିଲି, ଏହା ଯେପରି ତୁମ୍ଭେମାନେ ସ୍ମରଣ କର, ଏଥିନିମନ୍ତେ ମୁଁ ଏହି ସବୁ କଥା ତୁମ୍ଭମାନଙ୍କୁ କହିଅଛି। ମୁଁ ତୁମ୍ଭମାନଙ୍କ ସହିତ ଥିବାରୁ ଆରମ୍ଭରୁ ଏହି ସବୁ କଥା ତୁମ୍ଭମାନଙ୍କୁ କହିଲି ନାହିଁ।

ପବିତ୍ର ଆତ୍ମାଙ୍କ କାର୍ଯ୍ୟ

5 “କିନ୍ତୁ ବର୍ତ୍ତମାନ ମୁଁ ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି, ଆଉ ତୁମ୍ଭେ କେଉଁ ସ୍ଥାନକୁ ଯାଉଅଛ ବୋଲି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋତେ ପଚାରୁ ନାହଁ। 6 ମାତ୍ର ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିବାରୁ ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ ହୋଇଅଛି। 7 କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୋହର ପ୍ରସ୍ଥାନ କରିବାରେ ତୁମ୍ଭମାନଙ୍କର ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଦେବି। 8 ସେ ଆସି ପାପ, ଧାର୍ମିକତା ଓ ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ; 9 ପାପ ବିଷୟରେ, କାରଣ ସେମାନେ ମୋ'ଠାରେ ବିଶ୍ୱାସ କରନ୍ତି ନାହିଁ; 10 ଧାର୍ମିକତା ବିଷୟରେ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ଓ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ; 11 ନ୍ୟାୟବିଚାର ବିଷୟରେ- କାରଣ ଏହି ଜଗତର ଅଧିପତି ବିଚାରିତ ହୋଇଅଛି। 12 ମୋହର ତୁମ୍ଭମାନଙ୍କୁ ଆହୁରି ଅନେକ କଥା କହିବାର ଅଛି, ମାତ୍ର ତୁମ୍ଭେମାନେ ଏବେ ସେହିସବୁ ସହି ପାର ନାହିଁ। 13 କିନ୍ତୁ ସେ, ଅର୍ଥାତ୍‍, ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମ୍ଭମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ, ସେହିସବୁ କହିବେ, ପୁଣି, ଆଗାମୀ ବିଷୟସବୁ ତୁମ୍ଭମାନଙ୍କୁ ଜଣାଇବେ। 14 ସେ ମୋତେ ଗୌରବାନ୍ୱିତ କରିବେ, କାରଣ ସେ ମୋ' ବିଷୟ ଘେନି ତୁମ୍ଭମାନଙ୍କୁ ଜଣାଇବେ। 15 ଯାହା ଯାହା ପିତାଙ୍କର, ସେହିସବୁ ମୋହର; ଏହି ହେତୁ ମୁଁ କହିଲି, ସେ ମୋହର ବିଷୟ ଘେନି ତୁମ୍ଭମାନଙ୍କୁ ଜଣାଇବେ।”

ବିଷାଦ ଓ ଆନନ୍ଦ

16 “ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ, ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ।” 17 ସେଥିରେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେହି କେହି ପରସ୍ପର କହିଲେ, “ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଦେଖିବ ନାହିଁ, ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ ଓ ମୁଁ ପିତାଙ୍କ ନିକଟକୁ ଯାଉଅଛି,” ଏହି ଯେଉଁ କଥା ସେ ଆମ୍ଭମାନଙ୍କୁ କହୁଅଛନ୍ତି, ଏହା କଅଣ? 18 ଏଣୁ ସେମାନେ କହିଲେ, ‘ଅଳ୍ପ ସମୟ’ ବୋଲି ଏ କଅଣ କହୁଅଛନ୍ତି ? ସେ କଅଣ କହୁଅଛନ୍ତି, ଆମ୍ଭେମାନେ ବୁଝି ପାରୁ ନାହୁଁ। 19 ସେମାନେ ତାହାଙ୍କୁ ପଚାରିବାକୁ ଇଚ୍ଛା କରୁଅଛନ୍ତି ବୋଲି ବୁଝି ଯୀଶୁ ସେମାନଙ୍କୁ କହିଲେ, “ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଦେଖିବ ନାହିଁ, ‘ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ, ମୁଁ ଏହି ଯେଉଁ କଥା କହିଲି, ସେ ବିଷୟ ଘେନି ତୁମ୍ଭେମାନେ କଅଣ ପରସ୍ପର ବାଦାନୁବାଦ କରୁଅଛ ?’ 20 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ରୋଦନ ଓ ବିଳାପ କରିବ, କିନ୍ତୁ ଜଗତ ଆନନ୍ଦ କରିବ; ତୁମ୍ଭେମାନେ ଦୁଃଖିତ ହେବ, କିନ୍ତୁ ତୁମ୍ଭମାନଙ୍କ ଦୁଃଖ ଆନନ୍ଦରେ ପରିଣତ ହେବ। 21 ପ୍ରସବ ସମୟ ଉପସ୍ଥିତ ହେଲେ ସ୍ତ୍ରୀଲୋକ ଦୁଃଖ ପାଏ; କିନ୍ତୁ ସେ ସନ୍ତାନ ପ୍ରସବ କଲା ଉତ୍ତାରେ ଜଗତରେ ଜଣେ ମାନବ ଜନ୍ମଗ୍ରହଣ କଲା, ଏହି ଆନନ୍ଦ ଯୋଗୁଁ ଆଉ କଷ୍ଟ ସ୍ମରଣ କରେ ନାହିଁ। 22 ସେହିପରି ତୁମ୍ଭେମାନେ ବର୍ତ୍ତମାନ ଦୁଃଖ ପାଉଅଛ, କିନ୍ତୁ ମୁଁ ପୁନର୍ବାର ତୁମ୍ଭମାନଙ୍କୁ ଦର୍ଶନ ଦେବି, ଆଉ ତୁମ୍ଭମାନଙ୍କ ହୃଦୟ ଆନନ୍ଦିତ ହେବ ଓ କେହି ତୁମ୍ଭମାନଙ୍କଠାରୁ ତୁମ୍ଭମାନଙ୍କର ଆନନ୍ଦ ହରଣ କରିବ ନାହିଁ। 23 ସେ ଦିନ ତୁମ୍ଭେମାନେ ମୋତେ କିଛି ପଚାରିବ ନାହିଁ। ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି ତୁମ୍ଭେମାନେ ପିତାଙ୍କୁ କିଛି ମାଗିବ, ତେବେ ମୋ' ନାମରେ ସେ ତୁମ୍ଭମାନଙ୍କୁ ତାହା ଦେବେ। 24 ଏପର୍ଯ୍ୟନ୍ତ ତୁମ୍ଭେମାନେ ମୋ' ନାମରେ କିଛି ମାଗି ନାହଁ; ମାଗ, ପୁଣି, ତୁମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ସେଥିନିମନ୍ତେ ତୁମ୍ଭେମାନେ ତାହା ପାଇବ।

ଜଗତ ଉପରେ ବିଜୟ ଲାଭ

25 “ମୁଁ ତୁମ୍ଭମାନଙ୍କୁ ଉପମା ଦ୍ୱାରା ଏହି ସମସ୍ତ କଥା କହିଅଛି; ସମୟ ଆସୁଅଛି, ଯେତେବେଳେ ମୁଁ ଆଉ ଉପମା ଦ୍ୱାରା ତୁମ୍ଭମାନଙ୍କୁ କହିବି ନାହିଁ, କିନ୍ତୁ ପିତାଙ୍କ ବିଷୟ ସ୍ପଷ୍ଟ ରୂପେ ତୁମ୍ଭମାନଙ୍କୁ ଜଣାଇବି। 26 ସେ ଦିନ ତୁମ୍ଭେମାନେ ମୋ' ନାମରେ ମାଗିବ; ଆଉ, ମୁଁ ଯେ ତୁମ୍ଭମାନଙ୍କ ସପକ୍ଷରେ ପିତାଙ୍କୁ ନିବେଦନ କରିବି, ଏହା ମୁଁ ତୁମ୍ଭମାନଙ୍କୁ କହୁ ନାହିଁ; 27 କାରଣ ପିତା ସ୍ୱୟଂ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ଯେଣୁ ତୁମ୍ଭେମାନେ ମୋତେ ସ୍ନେହ କରିଅଛ ଓ ମୁଁ ଯେ ଈଶ୍ବରଙ୍କ ନିକଟରୁ ଆସିଅଛି, ତାହା ତୁମ୍ଭେମାନେ ବିଶ୍ୱାସ କରିଅଛ। 28 ମୁଁ ପିତାଙ୍କ ନିକଟରୁ ଜଗତକୁ ଆସିଅଛି; ପୁନର୍ବାର ମୁଁ ଜଗତ ପରିତ୍ୟାଗ କରି ପିତାଙ୍କ ନିକଟକୁ ଯାଉଅଛି।” 29 ତାହାଙ୍କ ଶିଷ୍ୟମାନେ କହିଲେ, ଦେଖନ୍ତୁ, ବର୍ତ୍ତମାନ ଆପଣ ସ୍ପଷ୍ଟ ରୂପେ କହୁଅଛନ୍ତି ଓ ଉପମା-କଥା ଆଉ କହୁ ନାହାନ୍ତି। 30 ଆପଣ ଯେ ସମସ୍ତ ବିଷୟ ଜାଣନ୍ତି, ପୁଣି, କେହି ଆପଣଙ୍କୁ ପ୍ରଶ୍ନ କରିବାର ଯେ ଆପଣଙ୍କର ପ୍ରୟୋଜନ ନାହିଁ, ତାହା ଏବେ ଆମ୍ଭେମାନେ ଜାଣିଲୁ; ଈଶ୍ବରଙ୍କ ନିକଟରୁ ଆପଣ ଆସିଅଛନ୍ତି ବୋଲି ଆମ୍ଭେମାନେ ଏହା ଦ୍ୱାରା ବିଶ୍ୱାସ କରୁଅଛୁ। 31 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ କଅଣ ଏବେ ବିଶ୍ୱାସ କରୁଅଛ ? 32 ଦେଖ, ସମୟ ଆସୁଅଛି, ହଁ, ଆସିଲାଣି, ଯେତେବେଳେ ତୁମ୍ଭେମାନେ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକେ ଆପଣା ଆପଣା ଘରକୁ ପଳାଇଯିବ, ଆଉ ମୋତେ ଏକାକୀ ପରିତ୍ୟାଗ କରିବ; ତଥାପି ମୁଁ ଏକାକୀ ନୁହେଁ, କାରଣ ପିତା ମୋ' ସାଙ୍ଗରେ ଅଛନ୍ତି। 33 ତୁମ୍ଭେମାନେ ଯେପରି ମୋ'ଠାରେ ଶାନ୍ତି ପ୍ରାପ୍ତ ହୁଅ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସବୁ ବିଷୟ କହିଅଛି। ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଳେଶ ଅଛି, କିନ୍ତୁ ସାହସ ଧର; ମୁଁ ଜଗତକୁ ଶକ୍ତିକୁ ପରାସ୍ତ କରିଅଛି।”

Chapter 17

ଯୀଶୁଙ୍କ ମହାଯାଜକୀୟ ପ୍ରାର୍ଥନା

1 ଯୀଶୁ ଏହି ସମସ୍ତ କଥା କହି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, “ପିତଃ, ସମୟ ଉପସ୍ଥିତ ହେଲାଣି; ତୁମ୍ଭର ପୁତ୍ରଙ୍କୁ ମହିମାନ୍ୱିତ କର, ଯେପରି ପୁତ୍ର ତୁମ୍ଭକୁ ମହିମାନ୍ୱିତ କରନ୍ତି, 2 ଯେପ୍ରକାର ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ, ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ତାହାଙ୍କୁ ସମସ୍ତ ମନୁଷ୍ୟ ଉପରେ ଅଧିକାର ଦେଲ। 3 ଆଉ, ଏକମାତ୍ର ସତ୍ୟ ଈଶ୍ବର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। 4 ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ୱିତ କରିଅଛି। 5 ଆଉ ଏବେ, ହେ ପିତା, ଜଗତର ସୃଷ୍ଟି ପୂର୍ବେ ତୁମ୍ଭ ସହିତ ମୋହର ଯେଉଁ ମହିମା ଥିଲା, ତଦ୍ୱାରା ତୁମ୍ଭେ ମୋତେ ତୁମ୍ଭ ସହିତ ମହିମାନ୍ୱିତ କର। 6 ତୁମ୍ଭେ ମୋତେ ଜଗତ ମଧ୍ୟରୁ ଯେଉଁ ଲୋକମାନଙ୍କୁ ଦାନ କଲ, ମୁଁ ସେମାନଙ୍କ ନିକଟରେ ତୁମ୍ଭର ନାମ ପ୍ରକାଶ କରିଅଛି; ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦାନ କଲ, ଆଉ ସେମାନେ ତୁମ୍ଭର ବାକ୍ୟ ପାଳନ କରିଅଛନ୍ତି। 7 ତୁମ୍ଭେ ମୋତେ ଯାହା ଯାହା ଦାନ କରିଅଛ, ସେହିସବୁ ଯେ ତୁମ୍ଭଠାରୁ ଉତ୍ପନ୍ନ, ଏହା ସେମାନେ ଏବେ ବୁଝିଅଛନ୍ତି; 8 କାରଣ ତୁମ୍ଭେ ମୋତେ ଯେ ସମସ୍ତ ବାକ୍ୟ ଦାନ କଲ, ମୁଁ ସେମାନଙ୍କୁ ସେହିସବୁ ଦାନ କରିଅଛି, ଆଉ ସେମାନେ ଗ୍ରହଣ କରିଅଛନ୍ତି, ପୁଣି, ମୁଁ ଯେ ତୁମ୍ଭ ନିକଟରୁ ଆସିଅଛି, ତାହା ସତ୍ୟ ରୂପେ ଜାଣିଅଛନ୍ତି ଓ ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ବିଶ୍ୱାସ କରିଅଛନ୍ତି। 9 ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି; ଜଗତ ନିମନ୍ତେ ପ୍ରାର୍ଥନା କରୁ ନାହିଁ, କିନ୍ତୁ ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, କାରଣ ସେମାନେ ତୁମ୍ଭର; 10 ଯାହା ଯାହା ମୋହର, ସେହିସବୁ ତୁମ୍ଭର, ପୁଣି, ଯାହା ଯାହା ତୁମ୍ଭର, ସେହିସବୁ ମୋହର; ଆଉ, ମୁଁ ସେମାନଙ୍କଠାରେ ମହିମାନ୍ୱିତ ହୋଇଅଛି। 11 ମୁଁ ଆଉ ଏ ଜଗତରେ ରହୁ ନାହିଁ, କିନ୍ତୁ ଏମାନେ ଜଗତରେ ରହୁଅଛନ୍ତି; ପୁଣି, ମୁଁ ତୁମ୍ଭ ନିକଟକୁ ଯାଉଅଛି। ପବିତ୍ର ପିତଃ, ତୁମ୍ଭ ନାମରେ ସେମାନଙ୍କୁ ରକ୍ଷା କର (ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ), ଯେପରି ଆମ୍ଭେମାନେ ଯେପ୍ରକାର ଏକ, ସେମାନେ ସେପ୍ରକାର ଏକ ହୁଅନ୍ତି। 12 ସେମାନଙ୍କ ସହିତ ରହୁଥିବା ସମୟରେ ମୁଁ ସେମାନଙ୍କୁ ତୁମ୍ଭ ନାମରେ ରକ୍ଷା କରି ଅାସିଅଛି (ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ), ଆଉ ମୁଁ ସେମାନଙ୍କୁ ସାବଧାନରେ ରକ୍ଷା କରିଅଛି ଓ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ଏଥିନିମନ୍ତେ ବିନାଶର ସନ୍ତାନ ବିନା ସେମାନଙ୍କ ମଧ୍ୟରୁ ଜଣେ କେହି ବିନଷ୍ଟ ହୋଇ ନାହିଁ। 13 କିନ୍ତୁ ଏବେ ମୁଁ ତୁମ୍ଭ ନିକଟକୁ ଯାଉଅଛି, ଆଉ ସେମାନଙ୍କ ଅନ୍ତରେ ମୋହର ଆନନ୍ଦ ଯେପରି ସମ୍ପୂର୍ଣ୍ଣ ହୁଏ, ସେଥିନିମନ୍ତେ ଜଗତରେ ଥାଉ ଥାଉ ମୁଁ ଏହାସବୁ କହୁଅଛି। 14 ମୁଁ ସେମାନଙ୍କୁ ତୁମ୍ଭର ବାକ୍ୟ ଦାନ କରିଅଛି, ଆଉ ଜଗତ ସେମାନଙ୍କୁ ଘୃଣା କରିଅଛି, କାରଣ ମୁଁ ଯେପରି ଏ ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେହିପରି ଏହି ଜଗତରୁ ଉତ୍ପନ୍ନ ନୁହଁନ୍ତି। 15 ତୁମ୍ଭେ ସେମାନଙ୍କୁ ଜଗତରୁ ଘେନିଯାଅ ବୋଲି ମୁଁ ପ୍ରାର୍ଥନା କରୁ ନାହିଁ, କିନ୍ତୁ ସେମାନଙ୍କୁ ମନ୍ଦରୁ ରକ୍ଷା କର ବୋଲି ପ୍ରାର୍ଥନା କରୁଅଛି। 16 ମୁଁ ଯେପରି ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେପରି ଜଗତରୁ ଉତ୍ପନ୍ନ ନୁହଁନ୍ତି। 17 ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ତୁମ୍ଭର ବାକ୍ୟ ତ ସତ୍ୟ। 18 ତୁମ୍ଭେ ମୋତେ ଯେପରି ଜଗତକୁ ପ୍ରେରଣ କରିଅଛ, ମୁଁ ମଧ୍ୟ ସେମାନଙ୍କୁ ସେପରି ଜଗତକୁ ପ୍ରେରଣ କରିଅଛି। 19 ଆଉ, ସେମାନେ ସୁଦ୍ଧା ଯେପରି ସତ୍ୟ ଦ୍ୱାରା ପବିତ୍ରୀକୃତ ହୁଅନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ଆପଣାକୁ ପବିତ୍ର କରୁଅଛି। 20 “ମୁଁ କେବଳ ଏମାନଙ୍କ ନିମନ୍ତେ ପ୍ରାର୍ଥନା କରୁ ନାହିଁ, ମାତ୍ର ଏମାନଙ୍କ ବାକ୍ୟ ଦ୍ୱାରା ଯେଉଁମାନେ ମୋ'ଠାରେ ବିଶ୍ୱାସ କରନ୍ତି, ସେମାନଙ୍କ ନିମନ୍ତେ ସୁଦ୍ଧା ପ୍ରାର୍ଥନା କରୁଅଛି, 21 ଯେପରି ସେମାନେ ସମସ୍ତେ ଏକ ହୁଅନ୍ତି; ହେ ପିତା, ତୁମ୍ଭେ ଯେପ୍ରକାରେ ମୋ'ଠାରେ ଅଛ ଓ ମୁଁ ତୁମ୍ଭଠାରେ ଅଛି, ସେମାନେ ମଧ୍ୟ ସେପ୍ରକାରେ ଆମ୍ଭମାନଙ୍କଠାରେ ରହନ୍ତୁ, ଯେପରି ତୁମ୍ଭେ ମୋତେ ପ୍ରେରଣ କଲ ବୋଲି ଜଗତ ବିଶ୍ୱାସ କରେ। 22 ଆଉ, ତୁମ୍ଭେ ମୋତେ ଯେଉଁ ମହିମା ଦେଇଅଛ, ମୁଁ ସେମାନଙ୍କୁ ତାହା ଦେଇଅଛି, ଯେପରି ଆମ୍ଭେମାନେ ଯେପ୍ରକାରେ ଏକ, ସେମାନେ ସେପ୍ରକାରେ ଏକ ହୁଅନ୍ତି; 23 ମୁଁ ସେମାନଙ୍କଠାରେ, ଆଉ ତୁମ୍ଭେ ମୋ'ଠାରେ, ଯେପରି ସେମାନେ ସିଦ୍ଧ ହୋଇ ଏକ ହୁଅନ୍ତି, ଯେପରି ଜଗତ ବୁଝିବ ଯେ, ତୁମ୍ଭେ ମୋତେ ପ୍ରେରଣ କଲ, ପୁଣି, ମୋତେ ଯେପ୍ରକାରେ ପ୍ରେମ କଲ, ସେମାନଙ୍କୁ ମଧ୍ୟ ସେପ୍ରକାରେ ପ୍ରେମ କଲ। 24 ହେ ପିତା, ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ମୁଁ ଯେଉଁଠାରେ ଥାଏ, ସେମାନେ ମଧ୍ୟ ଯେପରି ସେଠାରେ ମୋହର ସହିତ ରହିବେ ଓ ଜଗତର ପତ୍ତନ ପୂର୍ବେ ତୁମ୍ଭେ ମୋତେ ପ୍ରେମ କରିଥିବାରୁ ମୋତେ ଯେଉଁ ମହିମା ଦେଇଅଛ, ମୋହର ସେହି ମହିମା ସେମାନେ ଯେପରି ଦେଖିବେ, ଏହା ମୋହର ଇଚ୍ଛା। 25 ହେ ଧାର୍ମିକ ପିତା, ଜଗତ ତୁମ୍ଭକୁ ଜାଣି ନାହିଁ, କିନ୍ତୁ ମୁଁ ତୁମ୍ଭକୁ ଜାଣିଅଛି; ଆଉ, ତୁମ୍ଭେ ଯେ ମୋତେ ପ୍ରେରଣ କଲ, ତାହା ଏମାନେ ଜାଣିଅଛନ୍ତି; 26 ପୁଣି, ତୁମ୍ଭେ ମୋତେ ଯେଉଁ ପ୍ରେମରେ ପ୍ରେମ କଲ, ତାହା ଯେପରି ସେମାନଙ୍କଠାରେ ଥାଏ ଓ ମୁଁ ସେମାନଙ୍କଠାରେ ରହେ, ଏନିମନ୍ତେ ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି ଓ ଜଣାଇବି।”

Chapter 18

ଯୀଶୁ ଶତ୍ରୁ ହସ୍ତରେ ସମର୍ପିତ

(ମାଥିଉ 26:47-56; ମାର୍କ 14:43-50; ଲୂକ 22:47-53)

1 ଯୀଶୁ ଏହି ସବୁ କଥା କହି ଆପଣା ଶିଷ୍ୟମାନଙ୍କ ସହିତ କିଦ୍ରୋଣ ଜୋଡ଼ର ଆରପାଖକୁ ବାହାରିଗଲେ। ସେଠାରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେ ଓ ତାହାଙ୍କ ଶିଷ୍ୟମାନେ ସେଥିରେ ପ୍ରବେଶ କଲେ। 2 ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେହି ସ୍ଥାନ ଜାଣିଥିଲା, କାରଣ ଯୀଶୁ ଅନେକ ଥର ଆପଣା ଶିଷ୍ୟମାନଙ୍କ ସହିତ ସେ ସ୍ଥାନକୁ ଯାଉଥିଲେ। 3 ଅତଏବ, ଯିହୂଦା ସୈନ୍ୟଦଳ ପୁଣି, ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କଠାରୁ ପ୍ରାପ୍ତ ପଦାତିକମାନଙ୍କୁ ଘେନି ବତୀ, ମଶାଲ ଓ ଅସ୍ତ୍ରଶସ୍ତ୍ର ଧରି ସେଠାକୁ ଆସିଲା। 4 ସେଥିରେ ଯୀଶୁ, ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି, ସେହିସବୁ ଜାଣି ଆଗକୁ ଯାଇ ସେମାନଙ୍କୁ ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଅଛ ?” 5 ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାଜରିତୀୟ ଯୀଶୁକୁ। ସେ ସେମାନଙ୍କୁ କହିଲେ, “ମୁଁ ସେହି।” ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇଥିଲା। 6 ଯୀଶୁ ଯେତେବେଳେ ସେମାନଙ୍କୁ କହିଲେ, ମୁଁ ସେହି, ସେତେବେଳେ ସେମାନେ ପଛକୁ ହଟିଯାଇ ଭୂମିରେ ପଡ଼ିଗଲେ। 7 ସେଥିରେ ସେ ସେମାନଙ୍କୁ ଆଉ ଥରେ ପଚାରିଲେ, “ତୁମ୍ଭେମାନେ କାହାକୁ ଖୋଜୁଅଛ ?” ସେମାନେ କହିଲେ, ନାଜରିତୀୟ ଯୀଶୁଙ୍କୁ। 8 ଯୀଶୁ ଉତ୍ତର ଦେଲେ, “ମୁଁ ଯେ ସେହି, ଏହା ତ ମୁଁ ତୁମ୍ଭମାନଙ୍କୁ କହିଲି। ଏଣୁ ଯଦି ତୁମ୍ଭେମାନେ ମୋତେ ଖୋଜୁଅଛ, ତାହାହେଲେ ଏମାନଙ୍କୁ ଯିବା ପାଇଁ ଛାଡ଼ିଦିଅ।” 9 ସେ ଏହା କହିଲେ, ଯେପରି ତାହାଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, “ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ସୁଦ୍ଧା ହରାଇ ନାହିଁ।” 10 ଶିମୋନ ପିତରଙ୍କ ପାଖରେ ଖଣ୍ଡା ଥିବାରୁ ସେ ତାହା ବାହାର କରି ମହାଯାଜକଙ୍କ ଦାସକୁ ଆଘାତ କଲେ ଓ ତାହାର ଡାହାଣ କାନ କାଟିପକାଇଲେ; ସେହି ଦାସର ନାମ ମାଲ୍‍ଖ। 11 ସେଥିରେ ଯୀଶୁ ପିତରଙ୍କୁ କହିଲେ, “ଖଣ୍ଡା ଖାପରେ ରଖ; ପିତା ମୋତେ ଯେଉଁ ପାତ୍ର ଦେଇଅଛନ୍ତି, ମୁଁ କଅଣ ସେଥିରୁ ପାନ କରିବି ନାହିଁ?”

ହାନାନଙ୍କ ସମ୍ମୁଖରେ ଯୀଶୁ

12 ଏହାପରେ ସୈନ୍ୟଦଳ, ପ୍ରଧାନ ସେନାପତି, ପୁଣି, ଯିହୁଦୀମାନଙ୍କର ପଦାତିକମାନେ ଯୀଶୁଙ୍କୁ ଧରିଲେ 13 ଓ ତାହାଙ୍କୁ ବାନ୍ଧି ପ୍ରଥମେ ହାନାନଙ୍କ ନିକଟକୁ ଘେନିଗଲେ, କାରଣ ସେ ସେହି ବର୍ଷର ମହାଯାଜକ କୟାଫାଙ୍କର ଶ୍ୱଶୁର ଥିଲେ। 14 ଲୋକସାଧାରଣଙ୍କ ନିମନ୍ତେ ଜଣେ ମରିବା ମଙ୍ଗଳଜନକ ବୋଲି ଯିହୁଦୀମାନଙ୍କୁ ଯେ ପରାମର୍ଶ ଦେଇଥିଲେ, ଏ ସେହି କୟାଫା।

ଯୀଶୁଙ୍କୁ ପିତରଙ୍କ ଅସ୍ୱୀକାର

(ମାଥିଉ 26:69,70; ମାର୍କ 14:66-68; ଲୂକ 22:55-57)

15 ଶିମୋନ ପିତର ଓ ଆଉ ଜଣେ ଶିଷ୍ୟ ଯୀଶୁଙ୍କ ପଛେ ପଛେ ଯାଉଥିଲେ। ସେହି ଶିଷ୍ୟ ମହାଯାଜକଙ୍କର ପରିଚିତ ଥିଲେ ଓ ଯୀଶୁଙ୍କ ସହିତ ମହାଯାଜକଙ୍କ ପ୍ରାଙ୍ଗଣରେ ପ୍ରବେଶ କଲେ; 16 କିନ୍ତୁ ପିତର ବାହାରେ ଦ୍ୱାର ନିକଟରେ ଠିଆ ହୋଇ ରହିଲେ। ଅତଏବ, ସେହି ଯେଉଁ ଅନ୍ୟ ଶିଷ୍ୟ ମହାଯାଜକଙ୍କ ପରିଚିତ ଥିଲେ, ସେ ବାହାରକୁ ଯାଇ ଦ୍ୱାରରକ୍ଷିକାକୁ କହି ପିତରଙ୍କୁ ଭିତରକୁ ଆଣିଲେ। 17 ସେଥିରେ ସେହି ଦ୍ୱାରରକ୍ଷିକା ଦାସୀ ପିତରଙ୍କୁ କହିଲା, ତୁମ୍ଭେ ମଧ୍ୟ କଅଣ ଏହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ ? ସେ କହିଲେ, ମୁଁ ନୁହେଁ। 18 ଶୀତ ହେତୁ ଦାସ ଓ ପଦାତିକମାନେ ଅଙ୍ଗାର ଜାଳି ସେଠାରେ ଠିଆ ହୋଇ ନିଆଁ ପୋଉଁଥିଲେ; ପିତର ମଧ୍ୟ ସେମାନଙ୍କ ସାଙ୍ଗରେ ଠିଆ ହୋଇ ନିଆଁ ପୋଉଁଥିଲେ।

ଯୀଶୁଙ୍କୁ ମହାଯାଜକଙ୍କ ପ୍ରଶ୍ନ

(ମାଥିଉ 26:59-66; ମାର୍କ 14:55-64; ଲୂକ 22:66-71)

19 ଇତିମଧ୍ୟରେ ମହାଯାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ୟମାନଙ୍କ ବିଷୟରେ ଓ ତାହାଙ୍କ ଶିକ୍ଷା ସମ୍ବନ୍ଧରେ ପଚାରିଲେ। 20 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ଜଗତ ନିକଟରେ ପ୍ରକାଶରେ କଥା କହିଅଛି; ଯେଉଁଠାରେ ସମସ୍ତ ଯିହୁଦୀ ଏକତ୍ର ହୁଅନ୍ତି, ଏପରି ସମାଜଗୃହ ଓ ମନ୍ଦିରରେ ମୁଁ ସର୍ବଦା ଶିକ୍ଷା ଦେଇଅଛି; ମୁଁ ଗୋପନରେ କିଛି କହି ନାହିଁ। 21 ମୋତେ କାହିଁକି ପଚାରୁଅଛନ୍ତି ? ମୁଁ ସେମାନଙ୍କୁ କଅଣ କହିଅଛି, ଯେଉଁମାନେ ଶୁଣିଅଛନ୍ତି, ସେମାନଙ୍କୁ ପଚାରନ୍ତୁ; ଦେଖନ୍ତୁ, ମୁଁ ଯାହା ଯାହା କହିଅଛି, ସେମାନେ ସେହିସବୁ ଜାଣନ୍ତି।” 22 ସେ ଏହା କହିବାରୁ ପଦାତିକମାନଙ୍କ ମଧ୍ୟରୁ ପାଖରେ ଠିଆ ହୋଇଥିବା ଜଣେ ଯୀଶୁଙ୍କୁ ଚାପୁଡ଼ା ମାରି କହିଲା, ତୁ ମହାଯାଜକଙ୍କୁ ଏପରି ଉତ୍ତର ଦେଉଅଛୁ ? 23 ଯୀଶୁ ତାହାକୁ ଉତ୍ତର ଦେଲେ, “ଯଦି ମୁଁ ମନ୍ଦ କହିଲି, ତାହାହେଲେ ମନ୍ଦର ପ୍ରମାଣ ଦିଅ; କିନ୍ତୁ ଯଦି ଭଲ କହିଲି, ତାହାହେଲେ କାହିଁକି ମୋତେ ମାରୁଅଛ ?” 24 ସେଥିରେ ହାନାନ ତାହାଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ।

ଯୀଶୁଙ୍କୁ ପିତରଙ୍କ ପୁନର୍ବାର ଅସ୍ୱୀକାର

(ମାଥିଉ 26:71-75; ମାର୍କ 14:69-72; ଲୂକ 22:58-62)

25 ଇତିମଧ୍ୟରେ ଶିମୋନ ପିତର ଠିଆ ହୋଇ ନିଆଁ ପୋଉଁଥିଲେ। ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ ମଧ୍ୟ କଅଣ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ନୁହଁ? ସେ ଅସ୍ୱୀକାର କରି କହିଲେ, ମୁଁ ନୁହେଁ। 26 ମହାଯାଜକଙ୍କ ଦାସମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍‍ ପିତର ଯାହାର କାନ କାଟିପକାଇଥିଲେ, ତାହାର ଜଣେ ଆତ୍ମୀୟ କହିଲା, ମୁଁ କଅଣ ତୋତେ ତାହାଙ୍କ ସାଙ୍ଗରେ ବଗିଚାରେ ଦେଖି ନ ଥିଲି ? 27 ସେଥିରେ ପିତର ପୁନର୍ବାର ଅସ୍ୱୀକାର କଲେ; ଆଉ, ସେହିକ୍ଷଣି କୁକୁଡ଼ା ଡାକିଲା।

ପୀଲାତଙ୍କ ସମ୍ମୁଖରେ ଯୀଶୁ

(ମାଥିଉ 27:1,2,11-14; ମାର୍କ 15:1-5; ଲୂକ 23:1-5)

28 ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ନିକଟରୁ ପ୍ରାସାଦକୁ ଘେନିଗଲେ; ସେତେବେଳେ ପ୍ରାତଃକାଳ ହୋଇଥିଲା; ଆଉ, ସେମାନେ ଯେପରି ଅଶୁଚି ନ ହୋଇ ନିସ୍ତାର ପର୍ବର ଭୋଜ ପ୍ରତିପାଳନ କରିପାରନ୍ତି, ଏଥିନିମନ୍ତେ ନିଜେ ପ୍ରାସାଦ ମଧ୍ୟରେ ପ୍ରବେଶ କଲେ ନାହିଁ। 29 ଅତଏବ, ପୀଲାତ ସେମାନଙ୍କ ନିକଟକୁ ବାହାରି ଆସି ପଚାରିଲେ, ଏ ଲୋକ ବିରୁଦ୍ଧରେ ତୁମ୍ଭେମାନେ କେଉଁ ଅଭିଯୋଗ ଆଣୁଅଛ ? 30 ସେମାନେ ତାହାଙ୍କୁ ଉତ୍ତର ଦେଲେ, ଏ ଲୋକଟା ଯଦି ଦୁଷ୍କର୍ମକାରୀ ହୋଇ ନ ଥାଆନ୍ତା, ତାହାହେଲେ ଆମ୍ଭେମାନେ ତାହାକୁ ଆପଣଙ୍କ ହସ୍ତରେ ସମର୍ପଣ କରି ନ ଥାଆନ୍ତୁ। 31 ସେଥିରେ ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏହାକୁ ଘେନିଯାଇ ତୁମ୍ଭମାନଙ୍କ ମୋଶାଙ୍କ ବ୍ୟବସ୍ଥାନୁସାରେ ଏହାର ବିଚାର କର। କେତେକ ଯିହୁଦୀ ନେତାମାନେ ତାହାଙ୍କୁ କହିଲେ, କାହାକୁ ପ୍ରାଣଦଣ୍ଡ ଦେବା ଆମ୍ଭମାନଙ୍କର ଅଧିକାର ନାହିଁ। 32 ଯୀଶୁ କେଉଁ ପ୍ରକାର ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ସେଥିର ସୂଚନା ଦେଇ ସେ ଯେଉଁ ବାକ୍ୟ କହିଥିଲେ, ତାହା ଯେପରି ସଫଳ ହୁଏ, ଏଥିନିମନ୍ତେ ସେମାନେ ଏହା କହିଲେ। 33 ଅତଏବ, ପୀଲାତ ପୁନର୍ବାର ପ୍ରାସାଦ ମଧ୍ୟରେ ପ୍ରବେଶ କରି ଯୀଶୁଙ୍କୁ ଡାକି ତାହାଙ୍କୁ ପଚାରିଲେ, ତୁମ୍ଭେ କଅଣ ଯିହୁଦୀମାନଙ୍କର ରାଜା? 34 ଯୀଶୁ ଉତ୍ତର ଦେଲେ, “ଆପଣ କଅଣ ନିଜରୁ ଏହା କହୁଅଛନ୍ତି, ନା ଅନ୍ୟମାନେ ମୋ' ସମ୍ବନ୍ଧରେ ଆପଣଙ୍କୁ ଏହା କହିଅଛନ୍ତି?” 35 ପୀଲାତ ଉତ୍ତର ଦେଲେ, ଆମ୍ଭେ କଅଣ ଜଣେ ଯିହୁଦୀ? ତୁମ୍ଭର ସ୍ୱଜାତି ଓ ପ୍ରଧାନ ଯାଜକମାନେ ତୁମ୍ଭକୁ ଆମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି; ତୁମ୍ଭେ କଅଣ କରିଅଛ ? 36 ଯୀଶୁ ଉତ୍ତର ଦେଲେ, “ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ; ଯଦି ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ହୋଇଥାଆନ୍ତା, ତାହାହେଲେ ମୁଁ ଯେପରି ଯିହୁଦୀମାନଙ୍କ ହସ୍ତରେ ସମର୍ପିତ ନ ହୁଅନ୍ତି, ସେଥିପାଇଁ ମୋହର ପରିଚାରକମାନେ ଯୁଦ୍ଧ କରନ୍ତେ; କିନ୍ତୁ ମୋହର ରାଜ୍ୟ ପ୍ରକୃତରେ ତତ୍‍ସମ୍ବନ୍ଧୀୟ ନୁହେଁ।” 37 ସେଥିରେ ପୀଲାତ ତାହାଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କଅଣ ଜଣେ ରାଜା ନୁହଁ ? ଯୀଶୁ ଉତ୍ତର ଦେଲେ, “ଆପଣ ତ କହୁଅଛନ୍ତି, ମୁଁ ଜଣେ ରାଜା। ମୁଁ ଯେପରି ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ, ଏଥିନିମନ୍ତେ ମୁଁ ଜନ୍ମ ହୋଇଅଛି ଓ ଜଗତକୁ ଆସିଅଛି। ଯେ କେହି ସତ୍ୟର ସନ୍ତାନ, ସେ ମୋହର କଥା ଶୁଣେ।” 38 ପୀଲାତ ତାହାଙ୍କୁ କହିଲେ, ସତ୍ୟ କଅଣ? ଏହା କହି ସେ ପୁଣି, ଯିହୁଦୀମାନଙ୍କ ନିକଟକୁ ବାହାରକୁ ଯାଇ ସେମାନଙ୍କୁ କହିଲେ, ଆମ୍ଭେ ଏହାଠାରେ କୌଣସି ଦୋଷ ପାଉ ନାହୁଁ।

ଯୀଶୁଙ୍କୁ ପ୍ରାଣଦଣ୍ଡ

(ମାଥିଉ 27:15-31; ମାର୍କ 15:6-20; ଲୂକ 23:13-25)

39 କିନ୍ତୁ ଆମେ ଯେ ନିସ୍ତାର ପର୍ବ ସମୟରେ ତୁମ୍ଭମାନଙ୍କ ନିମନ୍ତେ ଜଣକୁ ମୁକ୍ତ କରିଦେଉ, ଏହା ତୁମ୍ଭମାନଙ୍କ ରୀତି ଅଛି; ଅତଏବ, ଯିହୁଦୀମାନଙ୍କ ରାଜାଙ୍କୁ ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ମୁକ୍ତ କରିଦେବୁ ବୋଲି କଅଣ ତୁମ୍ଭମାନଙ୍କର ଇଚ୍ଛା ? 40 ସେଥିରେ ସେମାନେ ପୁନର୍ବାର ଚିତ୍କାର କରି କହିଲେ, ଏ ଲୋକଟାକୁ ନୁହେଁ, କିନ୍ତୁ ବାରବ୍ବାକୁ। ଏହି ବାରବ୍ବା ଜଣେ ଡକାଇତ ଥିଲା।

Chapter 19

1 ଅତଏବ, ପୀଲାତ ଯୀଶୁଙ୍କୁ ଘେନିଯାଇ କୋରଡ଼ା ପ୍ରହାର କରାଇଲେ। 2 ପୁଣି, ସୈନ୍ୟମାନେ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣ ବାହ୍ୟ ବସ୍ତ୍ର ପିନ୍ଧାଇଲେ; 3 ସେମାନେ ତାହାଙ୍କ ନିକଟକୁ ଆସି କହିଲେ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର; ପୁଣି, ସେମାନେ ତାହାଙ୍କୁ ଚାପୁଡ଼ା ମାରିବାକୁ ଲାଗିଲେ। 4 ପୀଲାତ ପୁନର୍ବାର ବାହାରକୁ ଯାଇ ସେମାନଙ୍କୁ କହିଲେ, ଦେଖ, ଆମ୍ଭେ ଯେ ତାହାଠାରେ କୌଣସି ଦୋଷ ପାଉ ନାହୁଁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିନିମନ୍ତେ ଆମ୍ଭେ ତାହାକୁ ତୁମ୍ଭମାନଙ୍କ ନିକଟକୁ ବାହାର କରି ଆଣୁଅଛୁ। 5 ସେଥିରେ ଯୀଶୁ ସେହି କଣ୍ଟାର ମୁକୁଟ ଓ କୃଷ୍ଣଲୋହିତ ବର୍ଣ୍ଣ ବସ୍ତ୍ରରେ ପରିହିତ ହୋଇ ବାହାରକୁ ଆସିଲେ। ପୀଲାତ ସେମାନଙ୍କୁ କହିଲେ, ଦେଖ, ସେହି ଲୋକ! 6 ସେଥିରେ ପ୍ରଧାନ ଯାଜକ ଓ ପଦାତିକମାନେ ତାହାଙ୍କୁ ଦେଖି ଚିତ୍କାର କରି କହିଲେ, କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ। ପୀଲାତ ସେମାନଙ୍କୁ କହିଲେ, ତୁମ୍ଭେମାନେ ତାହାକୁ ଘେନିଯାଇ କ୍ରୁଶରେ ଚଢ଼ାଅ, କାରଣ ଆମ୍ଭେ ତାହାଠାରେ କୌଣସି ଦୋଷ ପାଉ ନାହୁଁ। 7 ଯିହୁଦୀ ଲୋକମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭମାନଙ୍କର ଗୋଟିଏ ମୋଶାଙ୍କ ବ୍ୟବସ୍ଥା ଅଛି ଓ ସେହି ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେ ପ୍ରାଣଦଣ୍ଡର ଯୋଗ୍ୟ, କାରଣ ସେ ନିଜକୁ ଈଶ୍ବରଙ୍କ ପୁତ୍ର ବୋଲି କହିଅଛି 8 ସେଥିରେ ପୀଲାତ ଏହି କଥା ଶୁଣି ଅଧିକ ଭୀତ ହେଲେ; 9 ପୁଣି, ସେ ପୁନର୍ବାର ପ୍ରାସାଦରେ ପ୍ରବେଶ କରି ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଅଛ ? କିନ୍ତୁ ଯୀଶୁ ତାହାଙ୍କୁ ଉତ୍ତର ଦେଲେ ନାହିଁ। 10 ସେଥିରେ ପୀଲାତ ତାହାଙ୍କୁ କହିଲେ, ଆମ୍ଭକୁ କଥା କହୁ ନାହଁ? ତୁମ୍ଭକୁ ମୁକ୍ତ କରିବାକୁ ଆମ୍ଭର ଅଧିକାର ଅଛି ଓ ତୁମ୍ଭକୁ କ୍ରୁଶରେ ଚଢ଼ାଇବାକୁ ଆମ୍ଭର ଅଧିକାର ଅଛି, ଏହା କି ତୁମ୍ଭେ ଜାଣୁ ନାହଁ? 11 ଯୀଶୁ ଉତ୍ତର ଦେଲେ, “ଯଦି ଊର୍ଦ୍ଧ୍ୱରୁ ଆପଣଙ୍କୁ ଦିଆଯାଇ ନ ଥାଆନ୍ତା, ତାହାହେଲେ ମୋ' ବିରୁଦ୍ଧରେ ଆପଣଙ୍କର କୌଣସି ଅଧିକାର ନ ଥାଆନ୍ତା; ଏଣୁ ଯେ ମୋତେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛି, ତାହାର ପାପ ଗୁରୁତର।” 12 ସେଥିରେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ଚେଷ୍ଟା କଲେ, କିନ୍ତୁ ଯିହୁଦୀମାନେ ଚିତ୍କାର କରି କହିଲେ, ଯଦି ତୁମ୍ଭେ ଏହି ଲୋକକୁ ମୁକ୍ତ କର, ତାହାହେଲେ ତୁମ୍ଭେ କାଇସରଙ୍କର ମିତ୍ର ନୁହଁ; ଯେ କେହି ଆପଣାକୁ ରାଜା ବୋଲି କହେ, ସେ କାଇସରଙ୍କ ବିପକ୍ଷରେ କଥା କହେ। 13 ଅତଏବ, ପୀଲାତ ଏହି ସମସ୍ତ କଥା ଶୁଣି ଯୀଶୁଙ୍କୁ ବାହାର କରି ଆଣି "ପ୍ରସ୍ତରମଣ୍ଡପ', ଯାହାକୁ ଏବ୍ରୀ ଭାଷାରେ "ଗବ୍‍ବଥା' ବୋଲି କହନ୍ତି, ସେହି ସ୍ଥାନରେ ବିଚାରାସନରେ ଉପବିଷ୍ଟ ହେଲେ। 14 ସେ ଦିନ ନିସ୍ତାର ପର୍ବର ଆୟୋଜନ ଦିନ, ଆଉ ସେତେବେଳେ ଅପରାହ୍ନ ପ୍ରାୟ ବାର ଘଣ୍ଟା ହୋଇଥିଲା। ପୁଣି, ସେ ଯିହୁଦୀମାନଙ୍କୁ କହିଲେ, ଦେଖ, ତୁମ୍ଭମାନଙ୍କ ରାଜା! 15 ସେଥିରେ ସେମାନେ ଚିତ୍କାର କଲେ, ତାହାକୁ ବଧ କର, ବଧ କର, କ୍ରୁଶରେ ଚଢ଼ାଅ। ପୀଲାତ ସେମାନଙ୍କୁ କହିଲେ, ଆମ୍ଭେ କଅଣ ତୁମ୍ଭମାନଙ୍କ ରାଜାଙ୍କୁ କ୍ରୁଶରେ ଚଢ଼ାଇବା ? ପ୍ରଧାନ ଯାଜକମାନେ ଉତ୍ତର ଦେଲେ, କାଇସରଙ୍କ ବିନା ଆମ୍ଭମାନଙ୍କ ଆଉ ରାଜା ନାହିଁ। 16 ସେଥିରେ ସେ ଯେପରି କ୍ରୁଶରେ ଚଢ଼ାଯାଆନ୍ତି, ଏଥିନିମନ୍ତେ, ସେ ତାହାଙ୍କୁ ସେମାନଙ୍କ ଇଚ୍ଛାନୁସାରେ ସମର୍ପଣ କଲେ।

ଯୀଶୁଙ୍କ କ୍ରୁଶବିଦ୍ଧ

(ମାଥିଉ 27:32-44; ମାର୍କ 15:21-32; ଲୂକ 23:26-43)

17 ତହିଁରେ ସେମାନେ ଯୀଶୁଙ୍କୁ ଘେନିଗଲେ; ଆଉ, ଯୀଶୁ ଆପେ କ୍ରୁଶ ବହି କପାଳସ୍ଥଳ ନାମକ ସ୍ଥାନ, ଯାହାକୁ ଏବ୍ରୀ ଭାଷାରେ ଗଲ୍‌ଗଥା ବୋଲି କହନ୍ତି, ସେଠାକୁ ବାହାରିଗଲେ। 18 ସେଠାରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ ଓ ତାହାଙ୍କ ସହିତ ଆଉ ଦୁଇ ଜଣଙ୍କୁ ଅନ୍ୟ ଦୁଇ କ୍ରୁଶରେ ଚଢ଼ାଇଲେ, ଦୁଇ ପାର୍ଶ୍ୱରେ ଦୁଇ ଜଣଙ୍କୁ ଓ ମଝିରେ ଯୀଶୁଙ୍କୁ। 19 ଆଉ, ପୀଲାତ ଗୋଟିଏ ଅଭିଯୋଗପତ୍ର ମଧ୍ୟ ଲେଖି କ୍ରୁଶ ଉପରେ ଲଗାଇଦେଲେ। ସେଥିରେ ଲେଖା ଥିଲା, ନାଜରିତୀୟ ଯୀଶୁ, ଯିହୁଦୀମାନଙ୍କ ରାଜା। 20 ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଏହି ଅଭିଯୋଗପତ୍ର ପାଠ କଲେ, କାରଣ ଯେଉଁ ସ୍ଥାନରେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯାଇଥିଲା, ତାହା ନଗରର ନିକଟରେ ଥିଲା; ପୁଣି, ସେହି ପତ୍ର ଏବ୍ରୀ, ଲାଟୀନ୍‍ ଓ ଗ୍ରୀକ୍‍ ଭାଷାରେ ଲେଖା ହୋଇଥିଲା। 21 ତେଣୁ ଯିହୁଦୀମାନଙ୍କର ପ୍ରଧାନ ଯାଜକମାନେ ପୀଲାତଙ୍କୁ କହିଲେ, ଯିହୁଦୀମାନଙ୍କ ରାଜା ବୋଲି ନ ଲେଖି ବରଂ ମୁଁ ଯିହୁଦୀମାନଙ୍କର ରାଜା ବୋଲି ସେ କହିଲା, ଏହା ଲେଖନ୍ତୁ। 22 ପୀଲାତ ଉତ୍ତର ଦେଲେ, ଆମ୍ଭେ ଯାହା ଲେଖିଛୁ, ଲେଖିଛୁ। 23 ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇଲା ଉତ୍ତାରେ ତାହାଙ୍କ ବସ୍ତ୍ର ଘେନି ଚାରି ଭାଗ କଲେ, ପ୍ରତ୍ୟେକ ସୈନ୍ୟ ପାଇଁ ଏକ ଏକ ଭାଗ, ଆଉ ସେମାନେ ତାହାଙ୍କ ଅଙ୍ଗରଖା ମଧ୍ୟ ନେଲେ। ସେହି ଅଙ୍ଗରଖା ସିଲେଇ ନ ହୋଇ ଉପରୁ ତଳ ଯାଏ ସମୁଦାୟ ବୁଣା ହୋଇଥିଲା। 24 ତେଣୁ ସେମାନେ ପରସ୍ପର କହିଲେ, ଏହାକୁ ଚିରିବା ନାହିଁ, କିନ୍ତୁ ଏହା କାହାର ହେବ, ସେଥିପାଇଁ ଗୁଲିବାଣ୍ଟ କରିବା, ଯେପରି ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହୁଏ, ସେମାନେ ଆପଣା ଆପଣା ମଧ୍ୟରେ ମୋହର ବସ୍ତ୍ର ଭାଗ କଲେ, ପୁଣି, ମୋହର ଅଙ୍ଗରଖା ନିମନ୍ତେ ଗୁଲିବାଣ୍ଟ କଲେ। ତେଣୁ ସୈନ୍ୟମାନେ ଏହାସବୁ କଲେ। 25 କିନ୍ତୁ ଯୀଶୁଙ୍କ କ୍ରୁଶ ନିକଟରେ ତାହାଙ୍କ ମାତା, ତାହାଙ୍କ ମାତାଙ୍କ ଭଉଣୀ, କ୍ଳୋପାଙ୍କ ସ୍ତ୍ରୀ ମରୀୟମ ଓ ମଗ୍‌ଦଲୀନୀ ମରୀୟମ ଠିଆ ହୋଇଥିଲେ। 26 ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାହାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, “ଗୋ ନାରୀ, ଦେଖ, ତୁମ୍ଭର ପୁତ୍ର!” 27 ତତ୍ପରେ ସେ ସେହି ଶିଷ୍ୟଙ୍କୁ କହିଲେ, “ଦେଖ, ତୁମ୍ଭର ମାତା!” ଆଉ, ସେହି ଦଣ୍ଡରୁ ସେହି ଶିଷ୍ୟ ତାହାଙ୍କୁ ଆପଣା ଗୃହକୁ ଘେନିଗଲେ।

ଯୀଶୁଙ୍କ ମୃତ୍ୟୁ

(ମାଥିଉ 27:45-56; ମାର୍କ 15:33-41; ଲୂକ 23:44-49)

28 ଏହାପରେ ଯୀଶୁ ଧର୍ମଶାସ୍ତ୍ରର ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, “ମୋତେ ତୃଷା ଲାଗୁଅଛି।” 29 ସେଠାରେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ପାତ୍ର ଥିଲା; ତେଣୁ ସେମାନେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ଏଜୋବ ଖଣ୍ଡିଏ ଏଜୋପନଳରେ ଲଗାଇ ତାହାଙ୍କ ମୁଖ ପାଖକୁ ଦେଲେ। 30 ସେଥିରେ ଯୀଶୁ ସେହି ଅମ୍ଳରସ ପାନ କରି କହିଲେ, “ସମାପ୍ତ ହେଲା; ” ଆଉ, ସେ ମସ୍ତକ ଅବନତ କରି ପ୍ରାଣତ୍ୟାଗ କଲେ।

ଯୀଶୁଙ୍କ ପାର୍ଶ୍ୱଦେଶରେ ବର୍ଚ୍ଛାଘାତ

31 ସେହି ଦିନ ଆୟୋଜନ ଦିନ ଥିବାରୁ, ଶରୀରଗୁଡ଼ିକ ଯେପରି ବିଶ୍ରାମବାର ଦିନରେ କ୍ରୁଶ ଉପରେ ନ ରହେ (କାରଣ ସେହି ବିଶ୍ରାମବାର ମହାଦିନ ଥିଲା), ସେଥିପାଇଁ ସେମାନଙ୍କ ଗୋଡ଼ ଭଙ୍ଗାଯାଉ ଓ ସେମାନେ ଅନ୍ୟ ସ୍ଥାନକୁ ନିଆଯାଆନ୍ତୁ ବୋଲି ଯିହୁଦୀମାନେ ପୀଲାତଙ୍କୁ ଅନୁରୋଧ କଲେ। 32 ଅତଏବ, ସୈନ୍ୟମାନେ ଆସି ପ୍ରଥମ ଜଣକର ଗୋଡ଼ ଓ ତାହା ସହିତ ଯେଉଁ ଜଣକ କ୍ରୁଶରେ ଚଢ଼ାଯାଇଥିଲା, ତାହାର ଗୋଡ଼ ମଧ୍ୟ ଭାଙ୍ଗି ଦେଲେ। 33 ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଆସି ସେ ମରିଗଲେଣି ବୋଲି ଦେଖି ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ, 34 କିନ୍ତୁ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବର୍ଚ୍ଛାରେ ତାହାଙ୍କ କକ୍ଷଦେଶ ବିନ୍ଧିଲା, ଆଉ ତତ୍‍କ୍ଷଣାତ୍‍ ରକ୍ତ ଓ ଜଳ ବାହାର ହେଲା। 35 ଯେ ଦେଖିଅଛି, ସେ ସାକ୍ଷ୍ୟ ଦେଇଅଛି, ଯେପରି ତୁମ୍ଭେମାନେ ମଧ୍ୟ ବିଶ୍ୱାସ କର; ପୁଣି, ତାହାର ସାକ୍ଷ୍ୟ ସତ୍ୟ, ଆଉ ସେ ଯେ ସତ୍ୟ କହୁଅଛି, ଏହା ସେ ଜାଣନ୍ତି। 36 କାରଣ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେବା ନିମନ୍ତେ ଏସମସ୍ତ ବିଷୟ ଘଟିଲା, ତାହାଙ୍କର ଖଣ୍ଡେ ଅସ୍ଥି ଭଗ୍ନ ହେବ ନାହିଁ। 37 ପୁନର୍ବାର ଧର୍ମଶାସ୍ତ୍ରର ଆଉ ଗୋଟିଏ ବାକ୍ୟ ଏହି, ସେମାନେ ଯାହାଙ୍କୁ ବିଦ୍ଧ କଲେ, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ।

ଯୀଶୁଙ୍କ ସମାଧି

(ମାଥିଉ 27:57-61; ମାର୍କ 15:42-47; ଲୂକ 23:50-56)

38 ଏହି ସମସ୍ତ ଘଟଣା ପରେ, ଯେଉଁ ହାରାମାଥୀୟାର ଯୋଷେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଯିହୁଦୀମାନଙ୍କ ଭୟରେ ଗୁପ୍ତ ଭାବରେ ଥିଲେ, ସେ ଯୀଶୁଙ୍କ ଶରୀର ଘେନିଯିବା ନିମନ୍ତେ ପୀଲାତଙ୍କୁ ଅନୁରୋଧ କଲେ। ସେଥିରେ ପୀଲାତ ଅନୁମତି ଦେଲେ। ତେଣୁ ସେ ଆସି ତାହାଙ୍କ ଶରୀର ଘେନିଗଲେ। 39 ଯେଉଁ ନୀକଦୀମ ପ୍ରଥମେ ରାତ୍ରିକାଳରେ ତାହାଙ୍କ ନିକଟକୁ ଆସିଥିଲେ, ସେ ମଧ୍ୟ ପ୍ରାୟ ପଚାଶ ସେର ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ। 40 ସେମାନେ ଯୀଶୁଙ୍କର ଶରୀର ଘେନି ଯିହୁଦୀମାନଙ୍କର ସମାଧି ଦେବା ରୀତି ଅନୁସାରେ ତାହା ସୁଗନ୍ଧିଦ୍ରବ୍ୟ ସହିତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇଦେଲେ। 41 ସେ ଯେଉଁ ସ୍ଥାନରେ କ୍ରୁଶରେ ଚଢ଼ାଯାଇଥିଲେ, ସେ ସ୍ଥାନରେ ଗୋଟିଏ ଉଦ୍ୟାନ ଥିଲା, ଆଉ ସେହି ଉଦ୍ୟାନରେ ଗୋଟିଏ ନୂତନ ସମାଧି ଥିଲା, ସେଥିରେ କେହି କେବେ ରଖାଯାଇ ନ ଥିଲା। 42 ଅତଏବ, ଯିହୁଦୀମାନଙ୍କର ଆୟୋଜନ ଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେହି ସମାଧି ନିକଟରେ ଥିଲା।

Chapter 20

ଶୂନ୍ୟ ସମାଧି

(ମାଥିଉ 28:1-8; ମାର୍କ 16:1-8; ଲୂକ 24:1-12)

1 ସପ୍ତାହର ପ୍ରଥମ ଦିନ [1] ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍‌ଦଲୀନୀ ମରୀୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ। 2 ତେଣୁ ସେ ଦୌଡ଼ିଯାଇ ଶିମୋନ ପିତର ଓ ଯୀଶୁ ଯାହାଙ୍କୁ ସ୍ନେହ କରୁଥିଲେ, ସେହି ଅନ୍ୟ ଶିଷ୍ୟଙ୍କ ନିକଟକୁ ଆସିଲେ, ଆଉ ସେମାନଙ୍କୁ କହିଲେ, କେଉଁମାନେ ସମାଧିରୁ ପ୍ରଭୁଙ୍କୁ ଘେନିଯାଇଅଛନ୍ତି, ପୁଣି, ତାହାଙ୍କୁ କେଉଁଠାରେ ରଖିଅଛନ୍ତି, ତାହା ଆମ୍ଭେମାନେ ଜାଣୁ ନାହୁଁ। 3 ସେଥିରେ ପିତର ଓ ସେହି ଅନ୍ୟ ଶିଷ୍ୟ ସମାଧି ନିକଟକୁ ଯିବା ପାଇଁ ବାହାରିଲେ। 4 ସେମାନେ ଦୁହେଁ ଏକସାଙ୍ଗରେ ଦୌଡ଼ିବାକୁ ଲାଗିଲେ, ଆଉ ସେହି ଅନ୍ୟ ଶିଷ୍ୟ ପିତରଙ୍କୁ ପଛରେ ପକାଇ ଆଗେ ସମାଧି ନିକଟରେ ପହଞ୍ଚିଲେ, 5 ପୁଣି, ନଇଁପଡ଼ି ଭିତରକୁ ଚାହିଁ ସରୁ ସୂକ୍ଷ୍ମ ବସ୍ତ୍ର ପଡ଼ିଥିବା ଦେଖିଲେ, ତଥାପି ସେ ଭିତରେ ପଶିଲେ ନାହିଁ। 6 ପରେ ଶିମୋନ ପିତର ମଧ୍ୟ ତାହାଙ୍କ ପଛେ ପଛେ ଆସି ପହଞ୍ଚିଲେ ଓ ସମାଧି ଭିତରେ ପ୍ରବେଶ କରି ଦେଖିଲେ ଯେ, ସରୁ ସୂକ୍ଷ୍ମ ବସ୍ତ୍ରଗୁଡ଼ିକ ପଡ଼ିଅଛି, 7 ପୁଣି, ତାହାଙ୍କ ମୁଣ୍ଡରେ ଯେଉଁ ଗାମୁଛା ବନ୍ଧା ହୋଇଥିଲା, ତାହା ସରୁ ଲୁଗା ସହିତ ନ ଥାଇ ଅଲଗା ଗୋଟିଏ ସ୍ଥାନରେ ଗୁଡ଼ା ହୋଇ ରହିଅଛି। 8 ସେତେବେଳେ ଯେଉଁ ଅନ୍ୟ ଶିଷ୍ୟ ଆଗେ ସମାଧି ନିକଟକୁ ଆସିଥିଲେ, ସେ ମଧ୍ୟ ଭିତରେ ପ୍ରବେଶ କରି ଦେଖିଲେ ଓ ବିଶ୍ୱାସ କଲେ; 9 କାରଣ ମୃତମାନଙ୍କ ମଧ୍ୟରୁ ତାହାଙ୍କୁ ଯେ ପୁନରୁତ୍ଥାନ ହେବାକୁ ହେବ, ଧର୍ମଶାସ୍ତ୍ରର ଏହି ବାକ୍ୟ ସେମାନେ ସେପର୍ଯ୍ୟନ୍ତ ବୁଝି ନ ଥିଲେ। 10 ପରେ ଶିଷ୍ୟମାନେ ପୁନର୍ବାର ସେମାନଙ୍କ ଗୃହକୁ ଚାଲିଗଲେ।

ପୁନରୁତ୍ଥିତ ଯୀଶୁଙ୍କ ମରୀୟମଙ୍କୁ ଦର୍ଶନ

(ମାଥିଉ 28:9,10; ମାର୍କ 16:9-11)

11 କିନ୍ତୁ ମରୀୟମ ରୋଦନ କରୁ କରୁ ବାହାରେ ସମାଧି ନିକଟରେ ଠିଆ ହୋଇ ରହିଲେ; ପୁଣି, ରୋଦନ କରୁ କରୁ ସେ ନଇଁପଡ଼ି ସମାଧି ଭିତରକୁ ଚାହିଁ, 12 ଯୀଶୁଙ୍କ ଶରୀର ଯେଉଁ ସ୍ଥାନରେ ରଖାଯାଇଥିଲା, ସେଥିର ମୁଣ୍ଡ ପାଖରେ ଜଣେ ଓ ପାଦ ପାଖରେ ଆଉ ଜଣେ, ଏହିପରି ଦୁଇ ଜଣ ଶୁକ୍ଳ ବସ୍ତ୍ର ପରିହିତ ଦୂତଙ୍କୁ ବସିଥିବା ଦେଖିଲେ। 13 ସେମାନେ ତାହାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ ? ସେ ସେମାନଙ୍କୁ କହିଲେ, କେଉଁମାନେ ମୋହର ପ୍ରଭୁଙ୍କୁ ଘେନିଯାଇଅଛନ୍ତି, ଆଉ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ତାହା ମୁଁ ଜାଣେ ନାହିଁ। 14 ସେ ଏହା କହି ପଛକୁ ବୁଲିପଡ଼ି ଯୀଶୁଙ୍କୁ ଠିଆ ହୋଇଥିବା ଦେଖିଲେ, କିନ୍ତୁ ସେ ଯେ ଯୀଶୁ, ତାହା ଜାଣିଲେ ନାହିଁ। 15 ଯୀଶୁ ତାହାଙ୍କୁ କହିଲେ, “ଗୋ ନାରୀ, କାହିଁକି ରୋଦନ କରୁଅଛ? କାହାର ଅନ୍ୱେଷଣ କରୁଅଛ ?” ସେ ତାହାଙ୍କୁ ଉଦ୍ୟାନର ମାଳୀ ବୋଲି ମନେ କରି କହିଲେ, ମହାଶୟ, ଆପଣ ଯଦି ତାହାଙ୍କୁ ଘେନିଯାଇଅଛନ୍ତି, ତାହାହେଲେ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ମୋତେ କୁହନ୍ତୁ, ଆଉ ମୁଁ ତାହାଙ୍କୁ ଘେନିଯିବି। 16 ଯୀଶୁ ତାହାଙ୍କୁ କହିଲେ, “ମରୀୟମ।” ସେ ବୁଲିପଡ଼ି ଏବ୍ରୀ ଭାଷାରେ ତାହାଙ୍କୁ କହିଲେ, ରାବ୍ବୂନୀ, ଅର୍ଥାତ୍‍, ହେ ଗୁରୁ। 17 ଯୀଶୁ ତାହାଙ୍କୁ କହିଲେ, “ମୋତେ ଧରି ରଖ ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରି ନାହିଁ; କିନ୍ତୁ ମୋହର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ, ‘ମୁଁ ମୋହର ପିତା ଓ ତୁମ୍ଭମାନଙ୍କର ପିତା, ମୋହର ଈଶ୍ବର ଓ ତୁମ୍ଭମାନଙ୍କର ଈଶ୍ବରଙ୍କ ନିକଟକୁ ଆରୋହଣ କରୁଅଛି।’ ” 18 ମଗ୍‌ଦଲୀନୀ ମରୀୟମ ଯାଇ, ମୁଁ ପ୍ରଭୁଙ୍କୁ ଦେଖିଅଛି, ଆଉ ସେ ମୋତେ ଏହି ସବୁ କହିଅଛନ୍ତି ବୋଲି ଶିଷ୍ୟମାନଙ୍କୁ ସମ୍ବାଦ ଦେଲେ।

ପୁନରୁତ୍ଥିତ ଯୀଶୁଙ୍କ ଶିଷ୍ୟମାନଙ୍କୁ ଦର୍ଶନ

(ମାଥିଉ 28:16-20; ମାର୍କ 16:14-18; ଲୂକ 24:36-49)

19 ସେହି ଦିନ, ଅର୍ଥାତ୍‍, ସପ୍ତାହର ପ୍ରଥମ ଦିନ [2] ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ, ସେଥିର ଦ୍ୱାରଗୁଡ଼ିକ ଯିହୁଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 20 ପୁଣି, ଏହା କହି ସେ ସେମାନଙ୍କୁ ଆପଣା ହସ୍ତ ଓ କକ୍ଷଦେଶ ଦେଖାଇଲେ। ସେଥିରେ ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦିତ ହେଲେ। 21 ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ; ପିତା ଯେପ୍ରକାରେ ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାରେ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି।” 22 ସେ ଏହା କହି ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, “ପବିତ୍ର ଆତ୍ମାଙ୍କୁ ଗ୍ରହଣ କର। 23 ତୁମ୍ଭେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ; ପୁଣି, ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ।”

ଯୀଶୁ ଓ ଥୋମା

24 କିନ୍ତୁ ଯୀଶୁ ଯେତେବେଳେ ଆସିଥିଲେ, ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଥୋମା ନାମକ ଜଣେ, ଯାହାଙ୍କୁ ଦିଦୁମ କହନ୍ତି, ସେ ସେମାନଙ୍କ ସାଙ୍ଗରେ ନ ଥିଲେ। 25 ଅତଏବ, ଅନ୍ୟ ଶିଷ୍ୟମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ। କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହିସବୁ ସ୍ଥାନରେ ମୋହର ଅଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ୱାସ କରିବି ନାହିଁ। 26 ଆଠ ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ। ଦ୍ୱାରସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 27 ପରେ ସେ ଥୋମାଙ୍କୁ କହିଲେ, “ଏଆଡ଼େ ତୁମ୍ଭର ଅଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ; ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ।” 28 ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ବର। 29 ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରିଅଛ ? ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି, ସେମାନେ ଧନ୍ୟ।”

ଏହି ପୁସ୍ତକର ଉଦ୍ଦେଶ୍ୟ

30 ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହିସବୁ ଏହି ପୁସ୍ତକରେ ଲେଖା ହୋଇ ନାହିଁ; 31 କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ, ଯୀଶୁ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି, ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥିନିମନ୍ତେ ଏସମସ୍ତ ଲେଖାଯାଇଅଛି।


20:1 [1] ସପ୍ତାହର ପ୍ରଥମ ଦିନ ରବିବାର ଦିନ
20:19 [2] ସପ୍ତାହର ପ୍ରଥମ ଦିନ ରବିବାର ଦିନ

Chapter 21

ସାତ ଜଣ ଶିଷ୍ୟଙ୍କୁ ଯୀଶୁଙ୍କ ଦର୍ଶନ

1 ଏଥିଉତ୍ତାରେ ଯୀଶୁ ତିବିରୀୟା ହ୍ରଦର କୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ। ସେ ଏହି ପ୍ରକାରେ ଦର୍ଶନ ଦେଲେ; 2 ଶିମୋନ ପିତର, ଥୋମା, ଯାହାଙ୍କୁ ଦିଦୁମ କହନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ, ଜେବଦୀଙ୍କ ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଦୁଇ ଜଣ ଏକତ୍ର ଥିଲେ। 3 ଶିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ଯାଉଅଛି। ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ ତୁମ୍ଭ ସାଙ୍ଗରେ ଯିବୁ। ସେମାନେ ବାହାରିଯାଇ ନୌକାରେ ଚଢ଼ିଲେ, ଆଉ ସେହି ରାତିରେ କିଛି ଧରି ପାରିଲେ ନାହିଁ। 4 କିନ୍ତୁ ପାହାନ୍ତା ହେଲା ଉତ୍ତାରେ ଯୀଶୁ କୂଳରେ ଠିଆ ହେଲେ; ତଥାପି ସେ ଯୀଶୁ ବୋଲି ଶିଷ୍ୟମାନେ ଜାଣିଲେ ନାହିଁ। 5 ଯୀଶୁ ସେମାନଙ୍କୁ କହିଲେ, “ପିଲାମାନେ ତୁମ୍ଭମାନଙ୍କ ପାଖରେ କଅଣ କିଛି ଖାଇବାର ଅଛି ?” ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାହିଁ। 6 ସେ ସେମାନଙ୍କୁ କହିଲେ, “ନୌକାର ଡାହାଣ ପାଖରେ ଜାଲ ପକାଅ, ଆଉ ତୁମ୍ଭେମାନେ ପାଇବ।” ସେଥିରେ ସେମାନେ ଜାଲ ପକାଇଲେ, ଆଉ ଏତେ ମାଛ ପଡ଼ିଲା ଯେ, ସେମାନେ ତାହା ଟାଣି ପାରିଲେ ନାହିଁ। 7 ସେଥିରେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ଶିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଅଙ୍ଗରଖା ନ ପିନ୍ଧି ଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁପଡ଼ିଲେ; 8 କିନ୍ତୁ ଅନ୍ୟ ଶିଷ୍ୟମାନେ ନୌକାରେ ଭର୍ତ୍ତି ହୋଇଥିବା ମାଛର ଜାଲ ଟାଣି ଟାଣି ସାନ ନୌକାକୁ ଆସିଲେ, କାରଣ ସେମାନେ କୂଳରୁ ଅଧିକ ଦୂରରେ ନ ଥିଲେ, କେବଳ ପ୍ରାୟ ଦୁଇ ଶହ ହାତ ଦୂରରେ ଥିଲେ। 9 ସେମାନେ କୂଳରେ ଓହ୍ଲାଇ ସେଠାରେ ଅଙ୍ଗାରର ନିଆଁ, ପୁଣି, ତାହା ଉପରେ ଭଜା ମାଛ ଓ ରୁଟି ଥୁଆ ହୋଇଥିବା ଦେଖିଲେ। 10 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ଯେଉଁ ମାଛ ଧରିଅଛ, ସେଥିରୁ କିଛି ଆଣ।” 11 ଶିମୋନ ପିତର ଯାଇ ଏକ ଶହ ତେପନ ବଡ଼ ବଡ଼ ମାଛରେ ଭର୍ତ୍ତି ହୋଇଥିବା ଜାଲ କୂଳକୁ ଟାଣି ଆଣିଲେ; ଆଉ ଏତେ ମାଛରେ ସୁଦ୍ଧା ଜାଲ ଛିଣ୍ଡିଲା ନାହିଁ। 12 ଯୀଶୁ ସେମାନଙ୍କୁ କହିଲେ, “ଆସି ଭୋଜନ କର।” ଶିଷ୍ୟମାନଙ୍କ ମଧ୍ୟରୁ କେହି ତୁମ୍ଭେ କିଏ ବୋଲି ତାହାଙ୍କୁ ପଚାରିବାକୁ ସାହସ କରୁ ନ ଥିଲେ, କାରଣ ସେ ଯେ ପ୍ରଭୁ, ଏହା ସେମାନେ ଜାଣିଥିଲେ। 13 ଯୀଶୁ ଆସି ରୁଟି ଘେନି ସେମାନଙ୍କୁ ଦେଲେ, ଆଉ ସେହି ପ୍ରକାରେ ମାଛ ମଧ୍ୟ ଦେଲେ। 14 ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ଯୀଶୁ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ଦର୍ଶନ ଦେଲେ।

ପିତରଙ୍କୁ ଯୀଶୁଙ୍କ ଆଦେଶ

15 ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷଶାବକମାନଙ୍କୁ ଚରାଅ।” 16 ସେ ପୁନର୍ବାର ଦ୍ୱିତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ପ୍ରେମ କରୁଅଛ ?” ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ସେ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ପ୍ରତିପାଳନ କର।” 17 ସେ ତୃତୀୟ ଥର ତାହାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ ? ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ,” ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ସମସ୍ତ ବିଷୟ ଜାଣନ୍ତି; ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି। ଯୀଶୁ ତାହାଙ୍କୁ କହିଲେ, “ମୋହର ମେଷମାନଙ୍କୁ ଚରାଅ। 18 ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଯୁବକ ଥିବା ସମୟରେ ତୁମ୍ଭେ ଆପଣା କଟି ବନ୍ଧନ କରି ଯେଉଁ ଆଡ଼େ ଇଚ୍ଛା, ସେହି ଆଡ଼େ ଭ୍ରମଣ କରୁଥିଲ, କିନ୍ତୁ ବୃଦ୍ଧ ହେଲେ ତୁମ୍ଭେ ଆପଣା ହସ୍ତ ବିସ୍ତାର କରିବ ଓ ଅନ୍ୟ ଜଣେ ତୁମ୍ଭର କଟି ବନ୍ଧନ କରି, ଯେଉଁ ଆଡ଼େ ତୁମ୍ଭର ଇଚ୍ଛା ନ ଥିବ, ସେଆଡ଼େ ତୁମ୍ଭକୁ ଘେନିଯିବ।” 19 ସେ କେଉଁ ପ୍ରକାର ମୃତ୍ୟୁଭୋଗ ଦ୍ୱାରା ଈଶ୍ବରଙ୍କୁ ଗୌରବାନ୍ୱିତ କରିବେ, ସେଥିର ସୂଚନା ଦେଇ ସେ ଏହା କହିଲେ। ଏହା କହିଲା ଉତ୍ତାରେ ସେ ତାହାଙ୍କୁ କହିଲେ, “ମୋହର ଅନୁଗାମୀ ହୁଅ।”

ଯୀଶୁ ଓ ତାହାଙ୍କ ପ୍ରିୟ ଶିଷ୍ୟ

20 ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ ଓ ଯେ ମଧ୍ୟ ରାତ୍ରିଭୋଜ ସମୟରେ ତାହାଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି, ପ୍ରଭୁ, ଆପଣଙ୍କୁ କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ପଚାରିଥିଲେ, ସେହି ଶିଷ୍ୟଙ୍କୁ ପିତର ବୁଲିପଡ଼ି ପଛରେ ଆସୁଥିବା ଦେଖିଲେ। 21 ପିତର ତାହାଙ୍କୁ ଦେଖି ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ଏହାର ବିଷୟରେ କଅଣ ? 22 ଯୀଶୁ ତାହାଙ୍କୁ କହିଲେ, “ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି ? ତୁମ୍ଭେ ମୋହର ଅନୁଗାମୀ ହୁଅ।” 23 ସେଥିରେ ସେହି ଶିଷ୍ୟ ଯେ ମରିବ ନାହିଁ, ଭାଇମାନଙ୍କ ମଧ୍ୟରେ ଏହି କଥା ବ୍ୟାପିଗଲା, ମାତ୍ର ସେ ମରିବ ନାହିଁ ବୋଲି ଯୀଶୁ ତାହାଙ୍କୁ କହି ନ ଥିଲେ, “କିନ୍ତୁ ମୋହର ଆଗମନ ପର୍ଯ୍ୟନ୍ତ ସେ ରହୁ ବୋଲି ଯଦି ମୁଁ ଇଚ୍ଛା କରେ, ତାହାହେଲେ ସେଥିରେ ତୁମ୍ଭର କଅଣ ଅଛି” ବୋଲି କହିଥିଲେ। 24 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ଓ ଏହି ସମସ୍ତ ଲେଖିଅଛନ୍ତି, ସେ ସେହି ଶିଷ୍ୟ; ଆଉ, ତାହାଙ୍କ ସାକ୍ଷ୍ୟ ଯେ ସତ୍ୟ, ତାହା ଆମ୍ଭେମାନେ ଜାଣୁ।

ଉପସଂହାର

25 ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହିସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହିସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ।