ଓଡ଼ିଆ: Indian Revised Version - Oriya

Updated ? hours ago # views See on DCS

ପ୍ରେରିତ

ଲେଖକ

ଏହି ପୁସ୍ତକର ଲେଖକ ବୈଦ୍ୟ ଲୂକ ଅଟନ୍ତି। ପ୍ରେରିତ ପୁସ୍ତକରେ ଘଟିଥିବା ଅନେକ ଘଟଣାର ସେ ପ୍ରତ୍ୟକ୍ଷଦର୍ଶୀ ବ୍ୟକ୍ତି ଥିଲେ ଯାହା ଏହି ପୁସ୍ତକର ଅନେକ ସ୍ଥାନର ସର୍ବନାମ “ଆମ୍ଭେ” ଶବ୍ଦର ବ୍ୟବହୃତ ଦ୍ଵାରା ପ୍ରମାଣିତ ଅଟେ (16:10-17; 20:5—21:18; 27:1—28:16)। ପାରମ୍ପରିକ ଭାବରେ ସେ ଜଣେ ଅଣଯିହୁଦୀ ଥିଲେ ବୋଲି ସମୀକ୍ଷା କରାଯାଏ, ପ୍ରଧାନତଃ, ସେ ସୁସମାଚାର ପ୍ରଚାରକ ଥିଲେ।

ସମୟ ଓ ସ୍ଥାନ

ପ୍ରାୟ 60-63 ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖାଯାଇଅଛି।

ହୁଏତ ଯିରୂଶାଲମ, ଶମିରୋଣ, ଲୂଦ, ଯାଫୋ, ଆନ୍ତିୟଖିଆ, ଇକନୀୟ, ଲୁସ୍ତ୍ରା, ଦର୍ବୀ, ଫିଲିପ୍ପ, ଥେସଲନୀକୀ, ବେରିୟା, ଆଥିନୀ, କରିନ୍ଥ, ଏଫିସ, କାଇସରିୟା, ମେଲିତୀ ଦ୍ୱୀପ, ରୋମ ଏହି ପୁସ୍ତକ ଲେଖିବାର ମୁଖ୍ୟ ସ୍ଥାନ ଗୁଡିକ ଥିଲେ।

ପ୍ରାପକ

ଲୂକ ଥୀୟଫିଲଙ୍କୁ ଲେଖିଛନ୍ତି (ପ୍ରେରି. 1:1)। ଥୀୟଫିଲଙ୍କ ବିଷୟରେ ବହୁତ ସୂଚନା ନାହିଁ। କିଛି ସମ୍ଭାବ୍ୟ ବିଷୟ ଅଛି ଯାହା ପ୍ରକାଶ କରେ ଯେ ସେ ଲୂକଙ୍କର ସହକର୍ମୀ ଥିଲେ କିମ୍ବା ତାହାଙ୍କ ନାମ ଥୀୟଫିଲ (ଯାହାର ଅର୍ଥ “ଈଶ୍ଵରଙ୍କ ପ୍ରେମୀ”) ବିଶ୍ଵବ୍ୟାପି ଖ୍ରୀଷ୍ଟୀୟ ସମାଜକୁ ନିର୍ଦ୍ଦେଶ କରିବାକୁ ବ୍ୟବହାର କରାଯାଏ।

ଉଦ୍ଦେଶ୍ୟ

ପ୍ରେରିତ ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ ମଣ୍ଡଳୀର ଉତ୍ପତ୍ତି ଏବଂ ବୃଦ୍ଧିକୁ ପ୍ରକାଶ କରିବା, ବାପ୍ତିଜକ ଯୋହନ, ଯୀଶୁ ଏବଂ ତାହାଙ୍କର ବାର ଶିଷ୍ୟଙ୍କ ଦ୍ଵାରା ସୁସମାଚାର ଗୁଡିକରେ ପ୍ରଚାର କରାଯାଇଥିବା ବାର୍ତ୍ତାକୁ ଏହା ବଜାଇ ରଖେ। ଏହା ପେଣ୍ଟିକଷ୍ଟ ଦିବସରେ ପବିତ୍ର ଆତ୍ମାଙ୍କ ଅବତୀର୍ଣ୍ଣଠାରୁ ଖ୍ରୀଷ୍ଟିୟାନ ଧର୍ମ ପ୍ରସାରଣ ବିଷୟରେ ତଥ୍ୟ ପ୍ରଦାନ କରେ।

ବିଷୟବସ୍ତୁ

ସୁସମାଚାରର ପ୍ରସାରଣ

ରୂପରେଖା 1. ପବିତ୍ର ଆତ୍ମାଙ୍କ ପ୍ରତିଜ୍ଞା — 1:1-26 2. ପବିତ୍ର ଆତ୍ମାଙ୍କ ପ୍ରକାଶନ — 2:1-4 3. ପବିତ୍ର ଆତ୍ମାଙ୍କ ସାମର୍ଥ୍ୟ ଦ୍ଵାରା ପ୍ରେରିତମାନଙ୍କର ସେବାକାର୍ଯ୍ୟ ଏବଂ ଯିରୂଶାଲମ ସହରରେ ମଣ୍ଡଳୀର ଅତ୍ୟାଚାର — 2:5—8:3 4. ଯିହୂଦା ପ୍ରଦେଶ ଓ ଶମିରୋଣରେ ପବିତ୍ର ଆତ୍ମାଙ୍କ ସାମର୍ଥ୍ୟ ଦ୍ଵାରା ପ୍ରେରିତମାନଙ୍କର ସେବାକାର୍ଯ୍ୟ — 8:4—12:25 5. ଜଗତର ଅନ୍ୟ ଅଂଶ ଗୁଡିକରେ ପବିତ୍ର ଆତ୍ମାଙ୍କ ସାମର୍ଥ୍ୟ ଦ୍ଵାରା ପ୍ରେରିତମାନଙ୍କର ସେବାକାର୍ଯ୍ୟ — 13:1—28:31

Chapter 1

ପବିତ୍ର ଆତ୍ମାଙ୍କ ପ୍ରତିଜ୍ଞା

1 ହେ ଥୀୟଫିଲ, ଯେଉଁ ଦିନ ଯୀଶୁ ଆପଣା ମନୋନୀତ ପ୍ରେରିତମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଆଜ୍ଞା ଦେଇ ଊର୍ଦ୍ଧ୍ୱକୁ ନିଆଗଲେ, 2 ସେହି ଦିନ ପର୍ଯ୍ୟନ୍ତ ସେ ଯେଉଁ ସବୁ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ସେହି ସମସ୍ତ ବିଷୟଗୁଡିକୁ ମୁଁ ପ୍ରଥମ ପୁସ୍ତକରେ [1] ଲେଖିଅଛି। 3 ଯୀଶୁ ଆପଣା ଦୁଃଖଭୋଗ ଉତ୍ତାରେ ମଧ୍ୟ ଅନେକ ପ୍ରମାଣ ଦ୍ୱାରା ପ୍ରେରିତମାନଙ୍କ ନିକଟରେ ନିଜକୁ ଜୀବିତ ଦେଖାଇଲେ, ପୁଣି, ଚାଳିଶ ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ବରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟ ଗୁଡ଼ିକ କହିଲେ। 4 ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, “ତୁମ୍ଭେମାନେ ଯିରୂଶାଲମ ସହରରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋʼ ଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ; 5 କାରଣ ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ।”

ଯୀଶୁଙ୍କ ସ୍ୱର୍ଗାରୋହଣ

6 ଅତଏବ, ସେମାନେ ଏକତ୍ର ହୋଇ ତାହାଙ୍କୁ ପଚାରିବାକୁ ଲାଗିଲେ; “ହେ ପ୍ରଭୁ, ଆପଣ କଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି?” 7 ସେ ସେମାନଙ୍କୁ କହିଲେ, “ଯେଉଁ ସମସ୍ତ କାଳ କି ସମୟ ପିତା ଆପଣା କ୍ଷମତା ଅଧୀନରେ ରଖିଅଛନ୍ତି, ତାହା ତୁମ୍ଭମାନଙ୍କ ଜାଣିବା ବିଷୟ ନୁହେଁ। 8 କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦିୟା ପ୍ରଦେଶ ଓ ଶମିରୋଣ, ପୁଣି, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ।” 9 ସେ ଏହି ସମସ୍ତ କଥା କହିବା ପରେ, ସେମାନେ ଦେଖୁ ଦେଖୁ ସେ ଊର୍ଦ୍ଧ୍ୱକୁ ନୀତ ହେଲେ, ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା। 10 ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକଦୃଷ୍ଟିରେ ଚାହିଁଅଛନ୍ତି; ଏପରି ସମୟରେ, ଦେଖ, ଶୁକ୍ଳ ବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, 11 ପୁଣି, ସେମାନେ କହିଲେ, ହେ ଗାଲିଲୀୟ ଲୋକେ, କାହିଁକି ତୁମ୍ଭେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ? ଏହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ।

ଯିହୂଦା ଇସ୍କରିୟୋତିର ସ୍ଥାନ ପୂରଣ

12 ଏହାପରେ ସେମାନେ ଜୀତ ନାମକ ପର୍ବତରୁ ଯିରୂଶାଲମ ସହରକୁ ବାହୁଡ଼ି ଆସିଲେ। ସେହି ପର୍ବତ ଯିରୂଶାଲମ ପାଖରେ, ଗୋଟିଏ ବିଶ୍ରାମବାରର ବାଟ [2] ଦୂରରେ ଥିଲା। 13 ସେମାନେ, ଅର୍ଥାତ୍‍ ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବାର୍ଥଲମୀ, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, ଉଦ୍‌ଯୋଗୀ ଶିମୋନ ଓ ଯାକୁବଙ୍କ ପୁତ୍ର ଯିହୂଦା, ନଗରରେ ପ୍ରବେଶ କରି, ଯେଉଁ ଉପର କୋଠରୀରେ ସେମାନେ ବାସ କରୁଥିଲେ, ସେଠାକୁ ଗଲେ। 14 ଏମାନେ ସମସ୍ତେ ସ୍ତ୍ରୀଲୋକମାନଙ୍କ ସହିତ ଏବଂ ଯୀଶୁଙ୍କ ମାତା ମରୀୟମ ଓ ତାହାଙ୍କ ଭାଇମାନଙ୍କ ସହିତ ଏକ ମନରେ ପ୍ରାର୍ଥନାରେ ଲାଗି ରହିଲେ। 15 ସେହି ସମୟରେ ପିତର ଭାଇମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ; (ସେଠାରେ ଯୀଶୁଙ୍କର ଅନୁଗତ ପ୍ରାୟ ଶହେ କୋଡ଼ିଏ ଜଣ ଥିଲେ), 16 ମୋହର ଭାଇମାନେ, ଯେଉଁ ଯିହୂଦା ଯୀଶୁଙ୍କୁ ଧରିବା ଲୋକମାନଙ୍କୁ ବାଟ ଦେଖାଇଥିଲା, ତାହା ବିଷୟରେ ପବିତ୍ର ଆତ୍ମା ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ, ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା; 17 କାରଣ ସେ ଆମ୍ଭମାନଙ୍କ ମଧ୍ୟରେ ଜଣେ ବୋଲି ଗଣାଯାଇଥିଲା ଓ ଏହି ସେବାପଦରେ ଅଂଶ ପ୍ରାପ୍ତ ହୋଇଥିଲା। 18 ଏହି ଲୋକ (ଯିହୂଦା) ଅଧର୍ମର ମୂଲ୍ୟ ଦ୍ୱାରା ଖଣ୍ଡିଏ କ୍ଷେତ ପାଇଲା, ପୁଣି, ସେ ମୁଣ୍ଡ ମାଡ଼ି ହୋଇ ପଡ଼ିବାରୁ ତାହାର ପେଟ ଫାଟିଗଲା ଓ ଅନ୍ତବୁଜୁଳି ବାହାରି ପଡ଼ିଲା; 19 ଆଉ, ଏହା ଯିରୂଶାଲମ ସହରରେ ବାସ କରୁଥିବା ସମସ୍ତ ଲୋକ ଜାଣିବାରୁ, ସେହି କ୍ଷେତ ସେମାନଙ୍କ ନିଜ ଭାଷାରେ “ହକଲ୍‌ଦମା”, ଅର୍ଥାତ୍‍ ରକ୍ତକ୍ଷେତ୍ର ବୋଲି ଖ୍ୟାତ ହେଲା। 20 ଆଉ, ଗୀତସଂହିତା ପୁସ୍ତକରେ ଲେଖାଅଛି,

     “‘ତାହାର ବାସସ୍ଥାନ ଶୂନ୍ୟ ହେଉ,

         ସେଠାରେ କେହି ବାସ ନ କରୁ।’

ଏବଂ,

     ‘ତାହାର ଅଧ୍ୟକ୍ଷ ପଦ ଅନ୍ୟ ଜଣଙ୍କୁ ଦିଆଯାଉ।’

21 ଅତଏବ, ପ୍ରଭୁ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ନେବା ସମୟଠାରୁ ଆରମ୍ଭ କରି, ଆମ୍ଭମାନଙ୍କ ନିକଟରୁ ଊର୍ଦ୍ଧ୍ୱକୁ ନିଆଯିବା ଦିନ ପର୍ଯ୍ୟନ୍ତ ଯେତେ ସମୟ ଆମ୍ଭମାନଙ୍କ ମଧ୍ୟରେ ଗମନାଗମନ କରୁଥିଲେ, 22 ସେହି ସମୟରେ ଯେଉଁ ଲୋକମାନେ ଆମ୍ଭମାନଙ୍କ ସଙ୍ଗୀ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଆମ୍ଭମାନଙ୍କ ସହିତ ତାହାଙ୍କ ପୁନରୁତ୍ଥାନର ସାକ୍ଷୀ ହେବା ଆବଶ୍ୟକ।” 23 ସେଥିରେ ସେମାନେ ଦୁଇ ଜଣଙ୍କୁ, ଅର୍ଥାତ୍‍ ଯୋଷେଫଙ୍କୁ, ଯାହାକୁ ବର୍ଶବ୍ବା ବୋଲି କହନ୍ତି ଓ ଯାହାଙ୍କ ଉପନାମ ଯୂସ୍ତ, ତାହାଙ୍କୁ ଓ ମଥିୟଙ୍କୁ ପୃଥକ୍ କରି ଏହି ପ୍ରାର୍ଥନା କଲେ, 24 “ହେ ସର୍ବାନ୍ତର୍ଯ୍ୟାମୀ ପ୍ରଭୁ, ଯିହୂଦା ନିଜ ଉପଯୁକ୍ତ ସ୍ଥାନକୁ ଯିବା ନିମନ୍ତେ ଏହି ଯେଉଁ ସେବା ଓ ପ୍ରେରିତ ପଦରୁ ପତିତ ହୋଇଅଛି, 25 ସେହି ପ୍ରେରିତପଦ ଗ୍ରହଣ କରିବା ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରୁ ତୁମ୍ଭେ କାହାକୁ ମନୋନୀତ କରିଅଛ, ତାହା ଦେଖାଇଦିଅ।” 26 ଆଉ, ସେମାନେ ସେହି ଦୁଇ ଜଣଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ପୁଣି, ମଥିୟଙ୍କ ନାମରେ ଗୁଲି ଉଠିଲା; ସେଥିରେ ସେ ଏଗାର ଜଣ ପ୍ରେରିତଙ୍କ ସହିତ ଗଣିତ ହେଲେ।


1:2 [1] ଲୂକଙ୍କ ଦ୍ୱାରା ଲିଖିତ ସୁସମାଚାର ପୁସ୍ତକରେ
1:12 [2] ପ୍ରାୟ ଏକ କିଲୋମିଟରରୁ ଅଧିକ ଦୂର

Chapter 2

ପବିତ୍ର ଆତ୍ମାଙ୍କ ଅବତରଣ

1 ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ, ସମସ୍ତେ ଏକ ସ୍ଥାନରେ ଏକାଠି ଥିଲେ। 2 ଆଉ, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ହଠାତ୍‍ ଆକାଶରୁ ଆସି, ଯେଉଁ ଗୃହରେ ସେମାନେ ବସିଥିଲେ, ସେହି ଗୃହର ଚାରିଆଡ଼େ ବ୍ୟାପିଗଲା, 3 ଆଉ ନିଆଁ ଭଳି ଜିହ୍ୱାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରକୁ ଓହ୍ଲାଇ ଆସିଲା। 4 ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ। 5 ଏହି ସମୟରେ ପେଣ୍ଟିକଷ୍ଟ ପର୍ବ ପାଳନ ଉଦ୍ଦେଶ୍ୟରେ ଆକାଶ ତଳେ ଥିବା ପ୍ରତ୍ୟେକ ଜାତିରୁ ଭକ୍ତ ଯିହୁଦୀମାନେ ଆସି ଯିରୂଶାଲମ ସହରରେ ବାସ କରୁଥିଲେ। 6 ଆଉ, ସେହି ଶବ୍ଦ ହୁଅନ୍ତେ, ବହୁ ଜନତା ଏକାଠି ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ଅବାକ୍ ହୋଇଗଲେ। 7 ପୁଣି, ସେମାନେ ଆଚମ୍ବିତ ଓ ଚମତ୍କୃତ ହୋଇ କହିବାକୁ ଲାଗିଲେ, ଦେଖ, ଏହି ଯେଉଁ ଲୋକମାନେ କଥା କହୁଛନ୍ତି, ସେମାନେ ସମସ୍ତେ କଅଣ ଗାଲିଲୀୟ ନୁହଁନ୍ତି? 8 ତେବେ, ଆମ୍ଭେମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ? 9 ପାର୍ଥୀୟ, ମାଦୀୟ ଓ ଏଲାମୀୟ, ପୁଣି, ମେସୋପଟାମିଆ, ଯିହୂଦିୟା ପ୍ରଦେଶ ଓ କାପ୍ପାଦକିଆ, ପନ୍ତ ଓ ଏସିଆ, 10 ଫ୍ରୁଗିଆ ଓ ପଂଫୂଲିଆ, ମିସର ଓ କୂରୀଣୀ ନିକଟବର୍ତ୍ତୀ ଲିବିଆ ଅଞ୍ଚଳ ନିବାସୀ ଏବଂ ରୋମରୁ ଆସିଥିବା ଯିହୁଦୀ ଓ ଯିହୁଦୀ ଧର୍ମାବଲମ୍ବୀ ପ୍ରବାସୀ, 11 ପୁଣି, ଆମ୍ଭେମାନେ କ୍ରୀତୀୟ ଓ ଆରବୀୟ ଲୋକେ, ଆପଣା ଆପଣା ଭାଷାରେ ଏମାନଙ୍କୁ ଈଶ୍ବରଙ୍କ ମହତ ମହତ କର୍ମର କଥା କହିବା ଶୁଣୁଅଛୁ। 12 ଆଉ, ସମସ୍ତେ ଆଚମ୍ବିତ ଓ ଅବାକ୍ ହୋଇ ପରସ୍ପର କହିବାକୁ ଲାଗିଲେ, ଏହାର ଅର୍ଥ କଅଣ? 13 କିନ୍ତୁ ଅନ୍ୟମାନେ ପରିହାସ କରି କହିଲେ, ଏମାନେ ନୂତନ ଦ୍ରାକ୍ଷାରସରେ ମତ୍ତ ହୋଇଅଛନ୍ତି।

ପିତରଙ୍କ ବକ୍ତୃତା

14 କିନ୍ତୁ ପିତର ଏଗାର ଜଣ ପ୍ରେରିତମାନଙ୍କ ସହିତ ଠିଆ ହୋଇ ଉଚ୍ଚସ୍ୱରରେ ସେମାନଙ୍କ ନିକଟରେ ବକ୍ତୃତା ଦେଇ କହିଲେ, ହେ ଯିହୁଦୀ ଲୋକେ, ଓ ଯିରୂଶାଲମ ନିବାସୀ ସମସ୍ତେ, ଆପଣମାନେ ଏହା ଜାଣନ୍ତୁ ଓ ମୋହର କଥା ଶୁଣନ୍ତୁ। 15 କାରଣ ଆପଣମାନେ ଯେପରି ମନେ କରୁଅଛନ୍ତି, ଏମାନେ ସେପରି ମାତାଲ ନୁହଁନ୍ତି, ଯେଣୁ ବର୍ତ୍ତମାନ ସମୟ ସକାଳ ନଅ ଘଣ୍ଟା ମାତ୍ର। 16 କିନ୍ତୁ ଯୋୟେଲ ଭାବବାଦୀଙ୍କ ଦ୍ୱାରା ଯାହା ଉକ୍ତ ଅଛି, ଏହା ସେହି ଘଟଣା ଅଟେ;

     17 ଈଶ୍ବର କହନ୍ତି, ଶେଷକାଳରେ ଏପରି ଘଟିବ ଯେ,

         ଆମ୍ଭେ ସମସ୍ତ ମନୁଷ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା,

     ସେଥିରେ ତୁମ୍ଭମାନଙ୍କ ପୁତ୍ରକନ୍ୟାମାନେ ଭାବବାଣୀ କହିବେ,

         ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ,

         ପୁଣି, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ୱପ୍ନ ଦେଖିବେ।

     18 ହଁ, ସେହି କାଳରେ ଆମ୍ଭେ ନିଜ ଦାସଦାସୀ, ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ସେମାନେ ଭାବବାଣୀ କହିବେ। 19 ଆମ୍ଭେ ଊର୍ଦ୍ଧ୍ୱସ୍ଥ ଆକାଶରେ ନାନା ଅଦ୍ଭୁତ କର୍ମ;

         ପୁଣି, ଅଧଃସ୍ଥ ପୃଥିବୀରେ ନାନା ଲକ୍ଷଣ, ରକ୍ତ, ଅଗ୍ନି ଓ ନିବିଡ଼ ଧୂମ ଦେଖାଇବା।

     20 ପ୍ରଭୁଙ୍କର ମହତ ଓ ପ୍ରସିଦ୍ଧସ୍ଥ ଦିନର ଆଗମନ ପୂର୍ବରେ, ସୂର୍ଯ୍ୟ ଅନ୍ଧକାରମୟ

         ଓ ଚନ୍ଦ୍ର ରକ୍ତମୟ ହୋଇଯିବ।

     21 ଆଉ, ଏପରି ଘଟିବ ଯେ,

         ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ,

         ସେ ପରିତ୍ରାଣ ପାଇବ।

22 ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ। ନାଜରିତୀୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଲକ୍ଷଣ ଦ୍ୱାରା ଆପଣମାନଙ୍କ ନିକଟରେ ଈଶ୍ବରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ତାହାଙ୍କ ଦ୍ୱାରା ଈଶ୍ବର ଯେ ଆପଣାମାନଙ୍କ ମଧ୍ୟରେ ଏହି ସମସ୍ତ କର୍ମ କରିଅଛନ୍ତି, ଏହା ଅାପଣମାନେ ନିଜେ ଜାଣନ୍ତି; 23 ସେହି ବ୍ୟକ୍ତି ଈଶ୍ବରଙ୍କ ନିରୂପିତ ସଙ୍କଳ୍ପ ଓ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ୱାରା କ୍ରୁଶାର୍ପଣ କରି ବଧ କରିଥିଲେ; 24 କିନ୍ତୁ ଈଶ୍ବର ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ଉଠାଇଅଛନ୍ତି, କାରଣ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ରହିବେ ତାହା ଅସମ୍ଭବ। 25 ଦାଉଦ ତ ତାହାଙ୍କ ବିଷୟରେ କହନ୍ତି,

     “‘ମୁଁ ସର୍ବଦା ମୋହର ସମ୍ମୁଖରେ ପ୍ରଭୁଙ୍କୁ ଦର୍ଶନ କରୁଥିଲି,

         କାରଣ ମୁଁ ଯେପରି ବିଚଳିତ ନ ହୁଏ,

         ସେଥିପାଇଁ ସେ ମୋହର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି।

     26 ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା,

         ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ,

     27 କାରଣ ତୁମ୍ଭେ ମୋହର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ,

         କିଅବା ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ।

     28 ତୁମ୍ଭେ ମୋତେ ଜୀବନର ପଥ ଜ୍ଞାତ କରାଇଅଛ,

         ତୁମ୍ଭେ ଆପଣା ଛାମୁରେ ମୋତେ ଆନନ୍ଦରେ ପୂର୍ଣ୍ଣ କରିବ।’”

29 ହେ ଭାଇମାନେ, ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହିପାରେ ଯେ, ସେ ମଲେ, ପୁଣି, ସମାଧିପ୍ରାପ୍ତ ହେଲେ, ଆଉ ତାଙ୍କର ସମାଧି-ସ୍ଥାନ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ମଧ୍ୟରେ ଅଛି। 30 ରାଜା ଦାଉଦ ଜଣେ ଭାବବାଦୀ ଭାବରେ ତାହାଙ୍କର ଔରସଜାତ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବା ପାଇଁ ଈଶ୍ବର ତାହାଙ୍କ ନିକଟରେ ଶପଥ କରି ପ୍ରତିଜ୍ଞା କରିଥିଲେ ବୋଲି ଜାଣିଥିଲେ। 31 ଏହା ଜାଣିବାରୁ ସେ ଭବିଷ୍ୟତ ଦର୍ଶନ ଦ୍ୱାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ। 32 ଏହି ଯୀଶୁଙ୍କୁ ଈଶ୍ବର ଉଠାଇଅଛନ୍ତି, ସେହି ବିଷୟରେ ଆମ୍ଭେମାନେ ସମସ୍ତେ ସାକ୍ଷୀ। 33 ଅତଏବ, ଈଶ୍ବର ଯୀଶୁଙ୍କୁ ଉନ୍ନତ କରି ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ବସାଇ ତାହାଙ୍କ ସହିତ ରାଜତ୍ୱ କରିବାକୁ ଅଧିକାର ଦେଲେ, ଏବଂ ସେ ଆମ୍ଭମାନଙ୍କୁ ପିତାଙ୍କ ଦ୍ୱାରା ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କୁ ଦେଲେ ଯାହାଙ୍କୁ ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି। 34 କାରଣ ଦାଉଦ ରାଜା ସ୍ୱର୍ଗାରୋହଣ କରି ନ ଥିଲେ, କିନ୍ତୁ ସେ ନିଜେ କହନ୍ତି,

     “ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ,

     35 ‘ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ,

         ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’”

36 ଅତଏବ, ସମସ୍ତ ଇସ୍ରାଏଲକୂଳ ନିଶ୍ଚୟ ଜାଣନ୍ତୁ ଯେ, ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବଧ କଲେ, ତାହାଙ୍କୁ ଈଶ୍ବର, ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି। 37 ଏହି କଥା ଶୁଣି ସେମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇଗଲା, ପୁଣି, ସେମାନେ ପିତର ଓ ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ, ଭାଇମାନେ, ଆମ୍ଭେମାନେ କଅଣ କରିବା? 38 ସେଥିରେ ପିତର ସେମାନଙ୍କୁ କହିଲେ, ଆପଣମାନେ “ମନ-ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ; ତାହାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ। 39 କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନସନ୍ତତିମାନଙ୍କ ନିମନ୍ତେ, ପୁଣି, ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମ୍ଭମାନଙ୍କ ଈଶ୍ବର ଆପଣା ନିକଟକୁ ଡାକିବେ, ସେହି ସମସ୍ତଙ୍କ ନିମନ୍ତେ ଅଟେ।” 40 ପୁଣି, ଅନ୍ୟାନ୍ୟ ଅନେକ କଥା ଦ୍ୱାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ସେମାନଙ୍କୁ ଉପଦେଶ ଦେଇ କହିଲେ, “ଏହି କୁଟିଳ ବଂଶଠାରୁ ଆପଣମାନେ ରକ୍ଷା ପ୍ରାପ୍ତ ହେଉନ୍ତୁ।” 41 ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ, ସେମାନେ ବାପ୍ତିଜିତ ହେଲେ, ଆଉ ସେହି ଦିନ ପ୍ରାୟ ତିନି ସହସ୍ର ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ।

ବିଶ୍ୱାସୀମାନଙ୍କ ସହଭାଗିତା

42 ସେମାନେ ପ୍ରେରିତମାନଙ୍କର ଶିକ୍ଷାରେ, ସହଭାଗିତାରେ, ରୁଟି ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟ ଚିତ୍ତ ହୋଇ ରହିଲେ। 43 ଆଉ, ଲୋକ ସମସ୍ତେ ଭୀତ ହେବାକୁ ଲାଗିଲେ; ପ୍ରେରିତମାନଙ୍କ ଦ୍ୱାରା ମଧ୍ୟ ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧିତ ହେବାକୁ ଲାଗିଲା। 44 ମାତ୍ର ଯେଉଁମାନେ ବିଶ୍ୱାସ କଲେ, ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ। 45 ପୁଣି, ସେମାନେ ଆପଣା ଆପଣା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି, ଯାହାର ଯେପରି ପ୍ରୟୋଜନ ସେହି ଅନୁସାରେ ସମସ୍ତଙ୍କୁ ବାଣ୍ଟିଦେବାକୁ ଲାଗିଲେ। 46 ଆଉ, ସେମାନେ ଏକଚିତ୍ତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୁଟି ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନପାନ କରି ଈଶ୍ବରଙ୍କ ପ୍ରଶଂସା କରୁଥିଲେ। 47 ଏବଂ ସମସ୍ତ ଲୋକଙ୍କର ପ୍ରିୟପାତ୍ର ହେଉଥିଲେ ପୁଣି, ପ୍ରଭୁ, ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ଡଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ।

Chapter 3

ଖଞ୍ଜ ଭିକ୍ଷୁକର ସୁସ୍ଥତା

1 ଦିନେ ପ୍ରାର୍ଥନାର ନିର୍ଦ୍ଧିଷ୍ଟ ସମୟରେ, ଅର୍ଥାତ୍‍ ଅପରାହ୍ନ ତିନି ଘଣ୍ଟା ବେଳେ ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ। 2 ଏପରି ସମୟରେ ମାତୃଗର୍ଭରୁ ଖଞ୍ଜ ଜଣେ ଲୋକ ବୁହା ହୋଇ ଯାଉଥିଲା। ମନ୍ଦିରରେ ପ୍ରବେଶ କରୁଥିବା ଲୋକମାନଙ୍କଠାରୁ ଭିକ୍ଷା ମାଗିବା ନିମନ୍ତେ ଲୋକେ ତାହାକୁ ପ୍ରତିଦିନ ସେଥିର ସୁନ୍ଦର ନାମକ ଦ୍ୱାରରେ ରଖିଦେଉଥିଲେ। 3 ସେ ପିତର ଓ ଯୋହନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଯାଉଥିବା ଦେଖି ଭିକ୍ଷା ମାଗିବାକୁ ଲାଗିଲା 4 ପିତର ଓ ଯୋହନ ତାହା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ପୁଣି, ପିତର କହିଲେ, “ଆମ୍ଭମାନଙ୍କ ଆଡ଼କୁ ଚାହଁ।” 5 ସେଥିରେ ସେ ସେମାନଙ୍କଠାରୁ କିଛି ପାଇବା ଆଶାରେ ସେମାନଙ୍କ ଆଡ଼କୁ ଚାହିଁ ରହିଲା। 6 କିନ୍ତୁ ପିତର କହିଲେ, ରୂପା କି ସୁନା ମୋହର ନାହିଁ; ମାତ୍ର ମୋହର ଯାହା ଅଛି, ତାହା ମୁଁ ତୁମ୍ଭକୁ ଦେଉଅଛି; ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଚାଲ। 7 ପୁଣି, ସେ ତାହାର ଡାହାଣ ହାତ ଧରି ତାହାକୁ ଉଠାଇଲେ; ସେଥିରେ ସେହିକ୍ଷଣି ତାହାର ପାଦ ଓ ଗୋଡ଼ର ଗଣ୍ଠିସବୁ ବଳ ପାଇଲା, 8 ଆଉ ସେ କୁଦା ମାରି ଠିଆ ହେଲା; ପୁଣି, ଚାଲିବାକୁ ଲାଗିଲା; ଆଉ, ସେ ଚାଲୁ ଚାଲୁ ଓ କୁଦା ମାରୁ ମାରୁ, ପୁଣି, ଈଶ୍ବରଙ୍କର ପ୍ରଶଂସା କରୁ କରୁ ସେମାନଙ୍କ ସହିତ ମନ୍ଦିରରେ ପ୍ରବେଶ କଲା। 9 ସେଥିରେ ଲୋକ ସମସ୍ତେ ତାହାକୁ ଚାଲିବା ଓ ଈଶ୍ବରଙ୍କ ପ୍ରଶଂସା କରିବା ଦେଖିଲେ, 10 ଆଉ ଯେଉଁ ଜଣକ ମନ୍ଦିରର ସୁନ୍ଦର-ଦ୍ୱାର ନିକଟରେ ବସି ଭିକ୍ଷା ମାଗୁଥିଲା, ଏ ସେହି ଲୋକ ବୋଲି ସେମାନେ ଚିହ୍ନିଲେ, ପୁଣି, ତାʼ ପ୍ରତି ଯାହା ଘଟିଥିଲା, ତାହା ଦେଖି ସେମାନେ ଅତିଶୟ ବିସ୍ମୟାପନ୍ନ ଓ ଆଚମ୍ବିତ ହେଲେ। 11 ସେ ପିତର ଓ ଯୋହନଙ୍କୁ ଧରି ରହିଥିବା ସମୟରେ ଲୋକ ସମସ୍ତେ ଅତିଶୟ ବିସ୍ମୟାପନ୍ନ ହୋଇ ଶଲୋମନଙ୍କ ମଣ୍ଡପରେ ସେମାନଙ୍କ ନିକଟକୁ ଏକତ୍ର ଦୌଡ଼ିଆସିଲେ। 12 ପିତର ତାହା ଦେଖି ଲୋକମାନଙ୍କୁ ଉତ୍ତର ଦେଲେ, ହେ ଇସ୍ରାଏଲୀୟ ଲୋକମାନେ, ଆପଣମାନେ କାହିଁକି ଏହି ଲୋକ ବିଷୟରେ ଚମତ୍କୃତ ହେଉଅଛନ୍ତି? କିମ୍ବା ଆମ୍ଭେମାନେ ଯେପରି ନିଜ ଶକ୍ତି ଅବା ଭକ୍ତି ବଳରେ ଏହାକୁ ଚାଲିବା ଶକ୍ତି ଦେଇଅଛୁ, ତାହା ଭାବି ଆମ୍ଭମାନଙ୍କ ପ୍ରତି କାହିଁକି ଏକଦୃଷ୍ଟିରେ ଚାହୁଁଅଛନ୍ତି? 13 ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ଈଶ୍ବର, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବର, ଆପଣା ଦାସ ଯୀଶୁଙ୍କୁ ଗୌରବାନ୍ୱିତ କରିଅଛନ୍ତି; ସେହି ଯୀଶୁଙ୍କୁ ଆପଣମାନେ ସମର୍ପଣ କଲେ, ପୁଣି, ଯେତେବେଳେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ମନସ୍ଥ କରିଥିଲେ, ସେତେବେଳେ ତାହାଙ୍କୁ ଆପଣମାନେ ତାହାଙ୍କ ସାକ୍ଷାତରେ ଅସ୍ୱୀକାର କଲେ। 14 ଆପଣମାନେ ସେହି ପବିତ୍ର ଓ ଧାର୍ମିକ ବ୍ୟକ୍ତିଙ୍କୁ ଅସ୍ୱୀକାର କଲେ, ଆଉ ଜଣେ ନରଘାତକ ଯେପରି ଆପଣମାନଙ୍କ ନିମନ୍ତେ ମୁକ୍ତ କରାଯାଏ, ଏହା ଆପଣ ପୀଲାତଙ୍କ ନିକଟରେ ପ୍ରାର୍ଥନା କଲେ, 15 କିନ୍ତୁ ଜୀବନର କର୍ତ୍ତାଙ୍କୁ ବଧ କଲେ; ତାହାଙ୍କୁ ଈଶ୍ବର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ଆମ୍ଭେମାନେ ସେଥିର ସାକ୍ଷୀ। 16 ପୁଣି, ତାହାଙ୍କ ନାମରେ ବିଶ୍ୱାସ କରିବାରୁ ଏହି ଯେଉଁ ଲୋକକୁ ଆପଣମାନେ ଦେଖୁଅଛନ୍ତି ଓ ଜାଣିଅଛନ୍ତି, ଏହାକୁ ତାହାଙ୍କ ନାମ ବଳବାନ କରିଅଛି; ହଁ, ତାହାଙ୍କ ଦ୍ୱାରା ଦିଆଯାଇଥିବା ବିଶ୍ୱାସ ଆପଣ ସମସ୍ତଙ୍କ ସାକ୍ଷାତରେ ଏହାକୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଦାନ କରିଅଛି। 17 ଆଉ ଏବେ, ହେ ଭାଇମାନେ, ଆପଣମାନଙ୍କ ଅଧ୍ୟକ୍ଷମାନେ ଯେପରି, ଆପଣମାନେ ମଧ୍ୟ ସେପରି ଅଜ୍ଞାନତା ହେତୁ ଏହା କରିଅଛନ୍ତି ବୋଲି ମୁଁ ଜାଣେ। 18 କିନ୍ତୁ ଈଶ୍ବର ଆପଣା ଖ୍ରୀଷ୍ଟଙ୍କ ଦୁଃଖଭୋଗ ବିଷୟରେ ସମସ୍ତ ଭାବବାଦୀଙ୍କ ମୁଖ ଦ୍ୱାରା ଯାହା ଯାହା ପୂର୍ବରୁ ପ୍ରଚାର କରିଥିଲେ, ସେହିସବୁ ସେ ଏହି ପ୍ରକାରେ ସଫଳ କରିଅଛନ୍ତି। 19 ଅତଏବ, ଯେପରି ଆପଣମାନଙ୍କର ପାପମୋଚନ ହୋଇପାରେ, ଏଥିନିମନ୍ତେ ମନ-ପରିବର୍ତ୍ତନ କରି ଫେରି ଆସନ୍ତୁ, 20 ତାହାହେଲେ ପ୍ରଭୁଙ୍କ ଛାମୁରୁ ସାନ୍ତ୍ୱନାର ସମୟ ଉପସ୍ଥିତ ହେବ; ପୁଣି, ଆପଣମାନଙ୍କ ନିମନ୍ତେ ପୂର୍ବନିରୂପିତ ଖ୍ରୀଷ୍ଟଙ୍କୁ ଅର୍ଥାତ୍‍ ଯୀଶୁଙ୍କୁ ସେ ପ୍ରେରଣ କରିବେ। 21 ସମସ୍ତ ବିଷୟ ପୁନଃସ୍ଥାପନର ଯେଉଁ ସମୟର କଥା ଅତି ପ୍ରାଚୀନକାଳରୁ ଈଶ୍ବର ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା କହିଅଛନ୍ତି, ସେହି ସମୟ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ତାହାଙ୍କୁ ନିଶ୍ଚୟ ସ୍ୱର୍ଗରେ ଗୃହୀତ ହେବାକୁ ହେବ। 22 ମୋଶା ତ କହିଥିଲେ, ପ୍ରଭୁ ଈଶ୍ବର ତୁମ୍ଭମାନଙ୍କର ଭାଇମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ; ଯେଉଁ ଯେଉଁ ବିଷୟରେ ସେ ତୁମ୍ଭମାନଙ୍କୁ କହିବେ, ସେହିସବୁ ବିଷୟରେ ତୁମ୍ଭେମାନେ ତାହାଙ୍କ କଥା ଶୁଣିବ। 23 କିନ୍ତୁ ଏପରି ଘଟିବ ଯେ, ଯେଉଁ ପ୍ରାଣୀ ସେହି ଭାବବାଦୀଙ୍କର କଥା ଶୁଣିବ ନାହିଁ, ସେ ଲୋକମାନଙ୍କ ମଧ୍ୟରେ ବିନଷ୍ଟ ହେବ। 24 ହଁ, ଶାମୁୟେଲ ଓ ତାହାଙ୍କ ପରବର୍ତ୍ତୀ ସମୟଠାରୁ ଯେତେ ଭାବବାଦୀ କଥା କହିଅଛନ୍ତି, ସେମାନେ ସମସ୍ତେ ମଧ୍ୟ ଏହି କାଳର ବିଷୟ ପ୍ରଚାର କରିଅଛନ୍ତି 25 ଆପଣମାନେ ସେହି ଭାବବାଦୀମାନଙ୍କର ସନ୍ତାନ, ପୁଣି, ତୁମ୍ଭର ବଂଶ ଦ୍ୱାରା ପୃଥିବୀର ସମସ୍ତ ଗୋଷ୍ଠୀ ଆଶୀର୍ବାଦ ପ୍ରାପ୍ତ ହେବେ, ଏହି ବାକ୍ୟ ଈଶ୍ବର ଅବ୍ରହାମଙ୍କୁ କହି ଆପଣମାନଙ୍କ ପିତୃ-ପୁରୁଷମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିଥିଲେ, ଆପଣମାନେ ସେହି ନିୟମର ସନ୍ତାନ ଅଟନ୍ତି। 26 ଈଶ୍ବର ପ୍ରଥମେ ଆପଣମାନଙ୍କ ନିମନ୍ତେ ଆପଣାର ସେହି ଦାସଙ୍କୁ ଉତ୍ପନ୍ନ କରି ପ୍ରେରଣ କଲେ, ଯେପରି ସେ ଆପଣମାନଙ୍କର ପ୍ରତ୍ୟେକ ଜଣଙ୍କୁ ନିଜ ନିଜ ଦୁଷ୍ଟତାରୁ ଫେରାଇ ଆଶୀର୍ବାଦ କରନ୍ତି।

Chapter 4

ଯିହୁଦୀ ମହା ସମାଜରେ ପିତର ଓ ଯୋହନ

1 ସେମାନେ ଲୋକମାନଙ୍କ ନିକଟରେ କଥା କହୁଥିବା ସମୟରେ ଯାଜକମାନେ, ମନ୍ଦିର ସେନାପତି ଓ ସାଦ୍ଦୂକୀମାନେ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; 2 ସେମାନେ ବିରକ୍ତ ହୋଇଥିଲେ, କାରଣ ପ୍ରେରିତମାନେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ଯୀଶୁଙ୍କ କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ବିଷୟ ପ୍ରଚାର କରୁଥିଲେ। 3 ପୁଣି, ସେମାନେ ଶିଷ୍ୟମାନଙ୍କୁ ଧରି ପରଦିନ ପର୍ଯ୍ୟନ୍ତ କାରାଗାରରେ ରଖିଲେ, କାରଣ ସେତେବେଳେ ସନ୍ଧ୍ୟା ହୋଇଥିଲା। 4 ତଥାପି ବାକ୍ୟ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକେ ବିଶ୍ୱାସ କଲେ, ଆଉ ପୁରୁଷମାନଙ୍କର ସଂଖ୍ୟା ପ୍ରାୟ ପାଞ୍ଚ ହଜାର ହେଲା। 5 ପରଦିନ ଲୋକମାନଙ୍କର ଅଧ୍ୟକ୍ଷ, ପ୍ରାଚୀନ ଓ ଶାସ୍ତ୍ରୀମାନେ ଯିରୂଶାଲମ ସହରରେ ଏକତ୍ରିତ ହେଲେ; 6 ସେଠାରେ ମହାଯାଜକ ହାନାନ, କୟାଫା, ଯୋହନ, ଆଲେକ୍‌ଜାଣ୍ଡର, ପୁଣି, ମହାଯାଜକୀୟ ବଂଶର ସମସ୍ତ ଲୋକ ଉପସ୍ଥିତ ଥିଲେ। 7 ସେମାନେ ପ୍ରେରିତମାନଙ୍କୁ ମଧ୍ୟ ସ୍ଥାନରେ ଠିଆ କରାଇ ପଚାରିବାକୁ ଲାଗିଲେ, କି ଶକ୍ତିରେ ବା କେଉଁ ନାମରେ ତୁମ୍ଭେମାନେ ଏହା କରିଅଛ? 8 ସେଥିରେ ପିତର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସେମାନଙ୍କୁ କହିଲେ, ହେ ଲୋକମାନଙ୍କର ଅଧ୍ୟକ୍ଷ ଓ ପ୍ରାଚୀନମାନେ, 9 ଆଜି ଯଦି ଜଣେ ରୋଗୀ ପ୍ରତି କରାଯାଇଥିବା ଉତ୍ତମ କାର୍ଯ୍ୟ ବିଷୟରେ ଆମ୍ଭମାନଙ୍କୁ ପଚରାଯାଏ ଯେ, ଏହି ଲୋକ କି ଉପାୟରେ ସୁସ୍ଥ ହୋଇଅଛି? 10 ତାହାହେଲେ ଆପଣମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲ ଲୋକ ଜ୍ଞାତ ହେଉନ୍ତୁ ଯେ, ଯେଉଁ ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣମାନେ କ୍ରୁଶରେ ବଧ କରିଅଛନ୍ତି, ଯାହାଙ୍କୁ ଈଶ୍ବର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ତାହାଙ୍କ ନାମରେ, ହଁ, ତାହାଙ୍କ ଦ୍ୱାରା ଏହି ଲୋକଟି ସୁସ୍ଥ ହୋଇ ଆପଣମାନଙ୍କ ସାକ୍ଷାତରେ ଠିଆ ହୋଇଅଛି।

     11 “‘ଗୃହ ନିର୍ମାଣକାରୀ ଯେ ଆପଣମାନେ, ଆପଣମାନଙ୍କ ଦ୍ୱାରା ଯେଉଁ ପ୍ରସ୍ତର ଅଗ୍ରାହ୍ୟ ହୋଇଥିଲା,

         ଯାହା କୋଣର ପ୍ରଧାନ ପ୍ରସ୍ତର ହେଲା, ସେ ସେହି ପ୍ରସ୍ତର।’

12 ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ।” 13 ସେମାନେ ପିତର ଓ ଯୋହନଙ୍କ ସାହସ ଦେଖି ଏବଂ ସେମାନେ ଯେ ଅଶିକ୍ଷିତ ଓ ଅଜ୍ଞାନ ଲୋକ, ଏହା ବୁଝି ଆଶ୍ଚର୍ଯ୍ୟ ହେଲେ, ପୁଣି, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ ବୋଲି ସେମାନଙ୍କୁ ଚିହ୍ନିଲେ, 14 ଆଉ ସେହି ସୁସ୍ଥ ହୋଇଥିବା ଲୋକଟି ସେମାନଙ୍କ ସାଙ୍ଗରେ ଠିଆ ହୋଇଥିବାର ଦେଖି, ସେମାନଙ୍କ ବିରୁଦ୍ଧରେ କିଛି କହି ପାରିଲେ ନାହିଁ। 15 ପରେ ସେମାନଙ୍କୁ ସଭାରୁ ବାହାରିଯିବାକୁ ଆଜ୍ଞା ଦେଇ ସେମାନେ ପରସ୍ପର ମଧ୍ୟରେ ପରାମର୍ଶ କରି କହିବାକୁ ଲାଗିଲେ ଏହି ଲୋକମାନଙ୍କ ପ୍ରତି କଅଣ କରିବା? 16 କାରଣ ଏମାନଙ୍କ ଦ୍ୱାରା ଯେ, ଗୋଟିଏ ମହା ଆଶ୍ଚର୍ଯ୍ୟକର୍ମ ସାଧିତ ହୋଇଅଛି ଏହା ଯିରୂଶାଲମ ସହରନିବାସୀ ସମସ୍ତଙ୍କ ନିକଟରେ ପ୍ରକାଶିତ ହୋଇଅଛି, ଆଉ ଆମ୍ଭେମାନେ ତାହା ଅସ୍ୱୀକାର କରି ନ ପାରୁ; 17 କିନ୍ତୁ ଏ କଥାଟା ଯେପରି ଲୋକମାନଙ୍କ ମଧ୍ୟରେ ଆହୁରି ଅଧିକ ବ୍ୟାପି ନ ଯାଏ, ଏଥିପାଇଁ ଏହି ନାମରେ କୌଣସି ଲୋକକୁ ଆଉ କିଛି ନ କହିବାକୁ ସେମାନଙ୍କୁ ଭୟ ଦେଖାଇବା। 18 ପରେ ସେମାନଙ୍କୁ ଡାକି ଯୀଶୁଙ୍କ ନାମରେ ଆଦୌ କଥା ନ କହିବାକୁ ବା ଶିକ୍ଷା ନ ଦେବାକୁ ଦୃଢ଼ରୂପେ ସେମାନଙ୍କୁ ଅାଜ୍ଞା ଦେଲେ। 19 କିନ୍ତୁ ପିତର ଓ ଯୋହନ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ବରଙ୍କ କଥା ଶୁଣିବା ଅପେକ୍ଷା ଆପଣମାନଙ୍କ କଥା ଶୁଣିବା ଈଶ୍ବରଙ୍କ ଦୃଷ୍ଟିରେ ଯଥାର୍ଥ କି ନା, ତାହା ଆପଣମାନେ ବିଚାର କରନ୍ତୁ 20 କାରଣ ଆମ୍ଭେମାନେ ଯାହା ଯାହା ଦେଖିଅଛୁ ଓ ଶୁଣିଅଛୁ, ସେହିସବୁ ନ କହି ରହି ନ ପାରୁ। 21 ସେଥିରେ ସେମାନେ ଲୋକମାନଙ୍କ ହେତୁ ସେମାନଙ୍କୁ ଦଣ୍ଡ ଦେବାର କୌଣସି ବାଟ ନ ପାଇବାରୁ ସେମାନଙ୍କୁ ଅଧିକ ଭୟ ଦେଖାଇ ଛାଡ଼ିଦେଲେ, ଯେଣୁ ଯାହା ଘଟିଥିଲା, ସେଥିନିମନ୍ତେ ଲୋକ ସମସ୍ତେ ଈଶ୍ବରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ, 22 କାରଣ ଯେଉଁ ଲୋକଠାରେ ସେହି ସୁସ୍ଥତାର ଆଶ୍ଚର୍ଯ୍ୟକର୍ମ କରାଯାଇଥିଲା, ତାହାର ବୟସ ଚାଳିଶ ବର୍ଷରୁ ଊର୍ଦ୍ଧ୍ୱ ଥିଲା।

ନିର୍ଭୀକତା ନିମନ୍ତେ ପ୍ରେରିତଙ୍କ ପ୍ରାର୍ଥନା

23 ଶିଷ୍ୟମାନେ ମୁକ୍ତ ହୋଇ ଆପଣା ସଙ୍ଗୀମାନଙ୍କ ନିକଟକୁ ଗଲେ ଏବଂ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ସେମାନଙ୍କୁ ଯାହା ଯାହା କହିଥିଲେ, ସେହିସବୁ ଜଣାଇଲେ। 24 ସେମାନେ ତାହା ଶୁଣି ଏକଚିତ୍ତରେ ଈଶ୍ବରଙ୍କ ନିକଟରେ ଉଚ୍ଚସ୍ୱରରେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଏବଂ ସେ ସବୁ ମଧ୍ୟରେ ଥିବା ସମସ୍ତ ବିଷୟ ସୃଷ୍ଟି କରିଅଛ। 25 ତୁମ୍ଭେ ଆପଣା ଦାସ ଆମ୍ଭମାନଙ୍କ ପିତା ଦାଉଦଙ୍କ ମୁଖ ଦେଇ ପବିତ୍ର ଆତ୍ମାଙ୍କ ଦ୍ୱାରା ଏହି କଥା କହିଅଛ,

     “‘ଅଣଯିହୁଦୀମାନେ କାହିଁକି କଳହ କଲେ,

         ଆଉ ଲୋକମାନେ କାହିଁକି ଅନର୍ଥକ ବିଷୟ କଳ୍ପନା କଲେ?

     26 ପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତଙ୍କ ବିରୁଦ୍ଧରେ,

         ପୃଥିବୀର ରାଜାମାନେ ଠିଆ ହେଲେ,

         ପୁଣି, ଶାସନକର୍ତ୍ତାମାନେ ଏକତ୍ର ହେଲେ।’

27 କାରଣ ତୁମ୍ଭର ଯେଉଁ ପବିତ୍ର ଦାସ ଯୀଶୁଙ୍କୁ ତୁମ୍ଭେ ଅଭିଷିକ୍ତ କଲ, ପ୍ରକୃତରେ ତାହାଙ୍କ ବିରୁଦ୍ଧରେ ହେରୋଦ ଏବଂ ପନ୍ତିୟ ପୀଲାତ ଉଭୟ ଅଣଯିହୁଦୀ ଓ ଇସ୍ରାଏଲ ଲୋକମାନଙ୍କ ସହିତ ଏହି ନଗରରେ, 28 ତୁମ୍ଭର ସଂକଳ୍ପ ଦ୍ୱାରା ଯେ ସମସ୍ତ ବିଷୟ ଘଟିବ ବୋଲି ପୂର୍ବରୁ ନିରୂପିତ ହୋଇଥିଲା, ତାହା କରିବାକୁ ଏକତ୍ର ହେଲେ। 29 ଆଉ ଏବେ, ହେ ପ୍ରଭୁ, ସେମାନଙ୍କ ତର୍ଜନଗର୍ଜନ ପ୍ରତି ଦୃଷ୍ଟିପାତ କର; ପୁଣି, ତୁମ୍ଭର ଦାସମାନଙ୍କୁ ପୂର୍ଣ୍ଣ ସାହସ ସହ ତୁମ୍ଭର ବାକ୍ୟ କହିବାକୁ ଶକ୍ତି ଦିଅ, 30 ଆଉ ସେଥି ସଙ୍ଗେ ସଙ୍ଗେ ତୁମ୍ଭର ପବିତ୍ର ଦାସ ଯୀଶୁଙ୍କ ନାମରେ ସୁସ୍ଥ କରିବା ନିମନ୍ତେ ଏବଂ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିବା ପାଇଁ ତୁମ୍ଭର ହସ୍ତ ବିସ୍ତାର କର।” 31 ସେମାନେ ପ୍ରାର୍ଥନା କଲା ଉତ୍ତାରେ, ଯେଉଁ ସ୍ଥାନରେ ଏକତ୍ର ହୋଇଥିଲେ, ତାହା କମ୍ପି ଉଠିଲା, ପୁଣି, ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ ହୋଇ, ସାହସରେ ଈଶ୍ବରଙ୍କ ବାକ୍ୟ କହିବାକୁ ଲାଗିଲେ।

ବିଶ୍ୱାସୀମାନେ ସମ୍ପତ୍ତିରେ ସମାନ ଅଧିକାର

32 ବିଶ୍ୱାସକାରୀ ଲୋକସମୂହ ଏକଚିତ୍ତ ଓ ଏକପ୍ରାଣ ଥିଲେ; ସେମାନଙ୍କ ମଧ୍ୟରୁ କେହିହେଲେ ଆପଣା ସମ୍ପତ୍ତି ମଧ୍ୟରୁ କିଛି ନିଜର ବୋଲି କହୁ ନ ଥିଲେ, କିନ୍ତୁ ସେମାନଙ୍କର ସମସ୍ତ ବିଷୟ ସାଧାରଣ ଥିଲା। 33 ପ୍ରେରିତମାନେ ମହାଶକ୍ତି ସହିତ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ, ପୁଣି, ସମସ୍ତଙ୍କ ଉପରେ ମହା ଅନୁଗ୍ରହ ଥିଲା। 34 ଯେଣୁ ସେମାନଙ୍କ ମଧ୍ୟରେ କାହାରି କୌଣସି ଅଭାବ ନ ଥିଲା, କାରଣ ଯେତେ ଲୋକଙ୍କର ଭୂମି ବା ଗୃହ ଥିଲା, ସେମାନେ ତାହା ବିକ୍ରୟ କରି ବିକ୍ରୀତ ସମ୍ପତ୍ତିର ମୂଲ୍ୟ ଆଣି ପ୍ରେରିତମାନଙ୍କର ପାଦ ତଳେ ରଖୁଥିଲେ, 35 ଆଉ ପ୍ରତ୍ୟେକ ଜଣକୁ ତାହାର ଅଭାବ ଅନୁସାରେ ତାହା ବିତରଣ କରାଯାଉଥିଲା। 36 ପୁଣି, ଯୋଷେଫ, ସାଇପ୍ରସ୍ ଦ୍ବୀପରୁ ଲେବୀ ବଂଶଜାତ ଜଣେ ଲୋକ, ଯାହାଙ୍କୁ ପ୍ରେରିତମାନେ ବର୍ଣ୍ଣବ୍ବା ବୋଲି ଉପନାମ ଦେଇଥିଲେ (ଅନୁବାଦ କଲେ ଏହାର ଅର୍ଥ ସାନ୍ତ୍ୱନାର ପୁତ୍ର), 37 ତାଙ୍କର ଖଣ୍ଡେ କ୍ଷେତ୍ର ଥିଲା; ସେ ତାହା ବିକ୍ରୟ କରି ସେଥିର ଟଙ୍କା ଆଣି ପ୍ରେରିତମାନଙ୍କର ପାଦ ତଳେ ଥୋଇଲେ।

Chapter 5

ହନନୀୟ ଓ ଶଫୀରା

1 ତେବେ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ ଯାହାଙ୍କ ନାମ ହନନୀୟ ଓ ଯାହାଙ୍କ ଭାର୍ଯ୍ୟାଙ୍କ ନାମ ଶଫୀରା ଥିଲା ସେ ଏବଂ ଶଫୀରା ଏକତ୍ର ସେମାନଙ୍କ ସମ୍ପତ୍ତିରୁ କିଛି ବିକ୍ରୟ କଲେ। 2 ପୁଣି, ଭାର୍ଯ୍ୟାର ଜ୍ଞାତସାରରେ ସେଥିର ମୂଲ୍ୟରୁ କିଛି ଲୁଚାଇ ରଖି, ଅବଶିଷ୍ଟ ଅଂଶମାତ୍ର ଆଣି ପ୍ରେରିତମାନଙ୍କ ଚରଣ ତଳେ ଥୋଇଲା। 3 ସେଥିରେ ପିତର କହିଲେ, ହେ ହନନୀୟ, ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୂଲ୍ୟରୁ କିଛି ଲୁଚାଇ ରଖିବାକୁ କାହିଁକି ଶୟତାନ ତୁମ୍ଭ ହୃଦୟ ସମ୍ପୂର୍ଣ୍ଣ ଅଧିକାର କରିଅଛନ୍ତି? 4 ବିକ୍ରୟ ହେବା ପୂର୍ବେ ତାହା କଅଣ ତୁମ୍ଭ ନିଜର ହୋଇ ରହି ନ ଥିଲା? ଆଉ, ବିକ୍ରୟ ହେବା ଉତ୍ତାରେ ସେଥିର ମୂଲ୍ୟ କି ତୁମ୍ଭ ନିଜ ଅଧିକାରରେ ନ ଥିଲା? ତେବେ ତୁମ୍ଭେ କିପରି ଆପଣା ହୃଦୟରେ ଏହି ବିଷୟ ଭାବିଲ? ତୁମ୍ଭେ ଯେ ମନୁଷ୍ୟ ନିକଟରେ ମିଥ୍ୟା କହିଲ, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ନିକଟରେ ମିଥ୍ୟା କହିଲ। 5 ଏହିସବୁ କଥା ଶୁଣି ହନନୀୟ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା। ସେଥିରେ ଯେତେ ଲୋକ ଏହା ଶୁଣିଲେ, ସମସ୍ତେ ଅତିଶୟ ଭୟ କଲେ। 6 ଆଉ, ଯୁବକମାନେ ଉଠି ତାହାକୁ ଲୁଗାରେ ଗୁଡ଼ାଇଲେ ଏବଂ ବାହାରକୁ ଘେନିଯାଇ ସମାଧି ଦେଲେ। 7 ପ୍ରାୟ ତିନି ଘଣ୍ଟା ପରେ ତାହାର ଭାର୍ଯ୍ୟା ଆସିଲା, କିନ୍ତୁ କଅଣ ଘଟିଅଛି, ତାହା ସେ ଜାଣି ନ ଥିଲା। 8 ଆଉ, ପିତର ତାହାକୁ ଉତ୍ତର ଦେଲେ, କୁହ ତ, ତୁମ୍ଭେମାନେ କଅଣ ଏତିକି ଟଙ୍କାରେ ଭୂମି ବିକ୍ରୟ କଲ? ସେ କହିଲା, ହଁ, ସେତିକିରେ। 9 ସେଥିରେ ପିତର ତାହାକୁ କହିଲେ, ପ୍ରଭୁଙ୍କ ଆତ୍ମାଙ୍କୁ ପରୀକ୍ଷା କରିବା ନିମନ୍ତେ ତୁମ୍ଭେମାନେ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭ ସ୍ୱାମୀକୁ ସମାଧି ଦେଇଅଛନ୍ତି, ସେମାନେ ଦ୍ୱାର ପାଖରେ ଉପସ୍ଥିତ ହେଲେଣି, ଆଉ ସେମାନେ ତୁମ୍ଭକୁ ବାହାରକୁ ବହିନେଇଯିବେ। 10 ସେହିକ୍ଷଣି ସେ ତାହାଙ୍କ ପାଦ ତଳେ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା, ପୁଣି, ଯୁବକମାନେ ଭିତରକୁ ଆସି ତାହାକୁ ମୃତ ଦେଖି ବାହାରକୁ ବହିନେଇଗଲେ ଏବଂ ତାହାର ସ୍ୱାମୀ ପାଖରେ ତାହାକୁ ସମାଧି ଦେଲେ। 11 ସେଥିରେ ସମୁଦାୟ ମଣ୍ଡଳୀ ଓ ଯେତେ ଲୋକ ଏହିସବୁ ବିଷୟ ଶୁଣିଲେ, ସେମାନେ ସମସ୍ତେ ଅତିଶୟ ଭୟଭୀତ ହେଲେ।

ଅଲୌକିକ ଆଶ୍ଚର୍ଯ୍ୟକର୍ମ

12 ପ୍ରେରିତମାନଙ୍କ ହସ୍ତ ଦ୍ୱାରା ଲୋକମାନଙ୍କ ମଧ୍ୟରେ ଅନେକ ଅନେକ ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧିତ ହେବାକୁ ଲାଗିଲା, ଆଉ ସମସ୍ତ ମଣ୍ଡଳୀ ଏକଚିତ୍ତରେ ଶଲୋମନଙ୍କ ମଣ୍ଡପରେ ଉପସ୍ଥିତ ହେଉଥିଲେ, 13 କିନ୍ତୁ ଅନ୍ୟ ଲୋକମାନଙ୍କ ମଧ୍ୟରୁ କେହି ସେମାନଙ୍କ ସହିତ ଯୋଗ ଦେବାକୁ ସାହସ କରୁ ନ ଥିଲେ; ତଥାପି ଲୋକମାନେ ସେମାନଙ୍କର ପ୍ରଶଂସା କରୁଥିଲେ, 14 ପୁଣି, ଆହୁରି ଅଧିକ ଅନେକ ପୁରୁଷ ଓ ସ୍ତ୍ରୀ ବିଶ୍ୱାସ କରି ପ୍ରଭୁଙ୍କ ସହିତ ସଂଯୁକ୍ତ ହେବାକୁ ଲାଗିଲେ, 15 ଏପରିକି, ପିତର ଆସିବା ସମୟରେ ଅନ୍ତତଃ ତାହାଙ୍କ ଛାୟା ଯେପରି ରୋଗୀମାନଙ୍କ ମଧ୍ୟରୁ କାହାରି କାହାରି ଉପରେ ପଡ଼େ, ଏଥିନିମନ୍ତେ ଲୋକମାନେ ସେମାନଙ୍କୁ ଦାଣ୍ଡକୁ ବୋହିନେଇ ଆସି ଶେଯ ଓ ଖଟିଆରେ ରଖିଦେଉଥିଲେ। 16 ଯିରୂଶାଲମ ସହରର ଚତୁର୍ଦ୍ଦିଗସ୍ଥ ନଗରସମୂହରୁ ଲୋକସମୂହ ମଧ୍ୟ ରୋଗୀମାନଙ୍କୁ ଓ ଅଶୁଚି ଆତ୍ମା ଦ୍ୱାରା ଆକ୍ରାନ୍ତ ଲୋକମାନଙ୍କୁ ଆଣି ଏକତ୍ର ହେଉଥିଲେ, ଆଉ ସେମାନେ ସମସ୍ତେ ସୁସ୍ଥ ହେଲେ।

ପ୍ରେରିତମାନଙ୍କ ପ୍ରତି ତାଡ଼ନା

17 ପରେ ମହାଯାଜକ ଓ ତାହାଙ୍କ ସଙ୍ଗୀ ସମସ୍ତେ, ଅର୍ଥାତ୍‍, ସାଦ୍ଦୂକୀ ଦଳ, ଈର୍ଷାରେ ପ୍ରଜ୍ୱଳିତ ହୋଇ ଉଠିଲେ 18 ଓ ପ୍ରେରିତମାନଙ୍କୁ ଧରି ସାଧାରଣ କାରାଗାରରେ ରଖିଲେ। 19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତ୍ରିକାଳରେ କାରାଗାରର ଦ୍ୱାରସବୁ ଫିଟାଇଦେଲେ ଓ ସେମାନଙ୍କୁ ବାହାର କରି ଆଣି କହିଲେ, 20 ଯାଅ, ମନ୍ଦିର ମଧ୍ୟରେ ଠିଆ ହୋଇ ଲୋକମାନଙ୍କୁ ଏହି ଜୀବନ ସମ୍ବନ୍ଧୀୟ ସମସ୍ତ କଥା କୁହ। 21 ଏହା ଶୁଣି ସେମାନେ ପ୍ରଭାତ ସମୟରେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ମହାଯାଜକ ଓ ତାହାଙ୍କ ସଙ୍ଗୀମାନେ ଆସି ମହାସଭା ଓ ଇସ୍ରାଏଲ ସନ୍ତାନମାନଙ୍କର ପ୍ରାଚୀନବର୍ଗଙ୍କୁ ଡାକି ଏକତ୍ର କଲେ, ପୁଣି, ସେମାନଙ୍କୁ ଆଣିବା ନିମନ୍ତେ କାରାଗାରକୁ ଲୋକ ପଠାଇଲେ। 22 କିନ୍ତୁ କର୍ମଚାରୀମାନେ ଯାଇ କାରାଗାରରେ ସେମାନଙ୍କୁ ନ ପାଇ ଫେରିଆସି କହିଲେ, 23 ଆମ୍ଭେମାନେ ଦେଖିଲୁ, କାରାଗାର ଦୃଢ଼ରୂପେ ରୁଦ୍ଧ ହୋଇଅଛି ଓ ଦ୍ୱାରଗୁଡ଼ିକରେ ରକ୍ଷକମାନେ ଠିଆ ହୋଇଅଛନ୍ତି, କିନ୍ତୁ ଦ୍ୱାର ଫିଟାନ୍ତେ ଭିତରେ ଆମ୍ଭେମାନେ କାହାକୁ ପାଇଲୁ ନାହିଁ। 24 ଏହିସବୁ କଥା ଶୁଣି ମନ୍ଦିରର ସେନାପତି ଓ ପ୍ରଧାନ ଯାଜକମାନେ ଏଥିର ପରିଣାମ କଅଣ ହେବ ଭାବି ସେମାନଙ୍କ ବିଷୟରେ ଅବାକ୍ ହେବାକୁ ଲାଗିଲେ। 25 ଏପରି ସମୟରେ ଜଣେ ଆସି ସେମାନଙ୍କୁ ସମ୍ବାଦ ଦେଲା, ଦେଖନ୍ତୁ, ଆପଣମାନେ ଯେଉଁ ଲୋକମାନଙ୍କୁ କାରାଗାରରେ ରଖିଥିଲେ, ସେମାନେ ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଶିକ୍ଷା ଦେଉଅଛନ୍ତି। 26 ସେତେବେଳେ ସେନାପତି କର୍ମଚାରୀମାନଙ୍କ ସହିତ ଯାଇ ସେମାନଙ୍କୁ ଆଣିଲେ, କିନ୍ତୁ ବଳପୂର୍ବକ ନୁହେଁ, କାରଣ କାଳେ ଲୋକେ ସେମାନଙ୍କୁ ପଥର ଫୋପାଡ଼ିବେ, ଏହା ଭୟ କରୁଥିଲେ। 27 ସେମାନେ ସେମାନଙ୍କୁ ଆଣି ମହାସଭା ସମ୍ମୁଖରେ ଠିଆ କରାଇଲେ। ସେଥିରେ ମହାଯାଜକ ସେମାନଙ୍କୁ ପଚାରିଲେ, 28 ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ନାମରେ ଶିକ୍ଷା ଦେବାକୁ ଅତି ଦୃଢ଼ରୂପେ ନିଷେଧ କରିଥିଲୁ, ତଥାପି ଦେଖ, ତୁମ୍ଭେମାନେ ସମସ୍ତ ଯିରୂଶାଲମ ସହରରେ ଆପଣା ଶିକ୍ଷାରେ ପୂର୍ଣ୍ଣ କରି ସେହି ଲୋକର ରକ୍ତପାତର ଦୋଷ ଆମ୍ଭମାନଙ୍କ ଉପରେ ବର୍ତ୍ତାଇବାକୁ ଚାହୁଁଅଛ। 29 କିନ୍ତୁ ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, ମନୁଷ୍ୟମାନଙ୍କର ଆଜ୍ଞା ଅପେକ୍ଷା ବରଂ ଈଶ୍ବରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ। 30 ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ଟଙ୍ଗାଇ ବଧ କରିଥିଲେ, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବର ତାହାଙ୍କୁ ଉଠାଇଅଛନ୍ତି। 31 ପୁଣି, ସେ ଯେପରି ଇସ୍ରାଏଲକୁ ମନ-ପରିବର୍ତ୍ତନ ଓ ପାପ କ୍ଷମା ଦାନ କରନ୍ତି, ଏଥିନିମନ୍ତେ ଈଶ୍ବର ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଅଧିପତି ଓ ତ୍ରାଣକର୍ତ୍ତା ସ୍ୱରୂପେ ଉନ୍ନତ କରିଅଛନ୍ତି। 32 ପୁଣି, ଆମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ, ଆଉ ଯେଉଁ ପବିତ୍ର ଆତ୍ମାଙ୍କୁ ଈଶ୍ବର ଆପଣା ଆଜ୍ଞା ପାଳନକାରୀମାନଙ୍କୁ ଦେଇଅଛନ୍ତି, ସେ ମଧ୍ୟ ସାକ୍ଷୀ। 33 ଏହି କଥା ଶୁଣି ସେମାନେ ଅତିଶୟ ରାଗିଗଲେ ଓ ସେମାନଙ୍କୁ ବଧ କରିବା ନିମନ୍ତେ ସ୍ଥିର କଲେ। 34 କିନ୍ତୁ ଗମଲୀୟେଲ ନାମକ ଜଣେ ଫାରୂଶୀ, ଯେ କି ମୋଶାଙ୍କ ବ୍ୟବସ୍ଥା ଶିକ୍ଷକ ଓ ସମସ୍ତଙ୍କ ନିକଟରେ ସମ୍ମାନପାତ୍ର ଥିଲେ, ସେ ମହାସଭାରେ ଠିଆ ହୋଇ ପ୍ରେରିତମାନଙ୍କୁ କିଛି ସମୟ ନିମନ୍ତେ ବାହାର କରିଦେବାକୁ ଆଜ୍ଞା ଦେଲେ, 35 ପୁଣି, ସେ ସେମାନଙ୍କୁ କହିଲେ, ହେ ଇସ୍ରାଏଲୀୟ ଲୋକମାନେ, ଏମାନଙ୍କ ପ୍ରତି ଆପଣମାନେ କଅଣ କରିବାକୁ ଉଦ୍ୟତ ହେଉଅଛନ୍ତି, ସେହି ବିଷୟରେ ସାବଧାନ ହେଉନ୍ତୁ। 36 କାରଣ ଏଥିପୂର୍ବେ ଥିଉଦା ଉଠି ନିଜକୁ ଜଣେ ମହାପୁରୁଷ ବୋଲି କହିଲା, ଆଉ ପ୍ରାୟ ଚାରି ଶହ ଲୋକ ତାହା ସହିତ ଯୋଗ ଦେଲେ; ସେ ହତ ହେଲା, ପୁଣି, ଯେତେ ଲୋକ ତାହାର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ଓ ବିଫଳ ହେଲେ। 37 ସେହି ଲୋକ ଉତ୍ତାରେ ଜନଗଣନା ସମୟରେ ଗାଲିଲୀୟ ଯିହୂଦା ଉଠି ଲୋକମାନଙ୍କୁ ଆପଣା ପଛରେ ଟାଣିନେଇ ବିପ୍ଳବ କରାଇଲା; ସେ ମଧ୍ୟ ବିନଷ୍ଟ ହେଲା, ପୁଣି, ଯେତେ ଲୋକ ତାହାର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ହୋଇଗଲେ। 38 ଏବେ ମୁଁ ଆପଣମାନଙ୍କୁ କହୁଅଛି, ଆପଣମାନେ ଏହି ଲୋକମାନଙ୍କ ପ୍ରତି କିଛି ନ କରି ସେମାନଙ୍କୁ ଛାଡ଼ିଦିଅନ୍ତୁ, କାରଣ ଏହି ମନ୍ତ୍ରଣା ବା ଏହି କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ, ତାହାହେଲେ ତାହା ଉଚ୍ଛିନ୍ନ ହୋଇଯିବ; 39 କିନ୍ତୁ ଯଦି ତାହା ଈଶ୍ବରଙ୍କଠାରୁ ହୋଇଥାଏ, ତାହାହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ, କାଳେ ଆପଣମାନେ ଈଶ୍ବରଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ବୋଲି ଦେଖାଯିବେ। 40 ସେମାନେ ତାହାଙ୍କ କଥାରେ ସମ୍ମତ ହେଲେ, ପୁଣି, ପ୍ରେରିତମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ପ୍ରହାର କଲେ ଓ ଯୀଶୁଙ୍କ ନାମରେ କଥା ନ କହିବାକୁ ଆଜ୍ଞା ଦେଇ ଛାଡ଼ିଦେଲେ। 41 ସେଥିରେ ସେମାନେ ଯେ ସେହି ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ, ସେଥିନିମନ୍ତେ ସେମାନେ ଆନନ୍ଦ କରୁ କରୁ ମହାସଭାରୁ ବାହାରିଗଲେ; 42 ଆଉ ସେମାନେ ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଶିକ୍ଷା ଦେବାକୁ ଓ ଯୀଶୁ ଯେ ଖ୍ରୀଷ୍ଟ, ଏହି ସୁସମାଚାର ପ୍ରଚାର କରିବାକୁ ବନ୍ଦ କଲେ ନାହିଁ।

Chapter 6

ସେବାକାର୍ଯ୍ୟାର୍ଥେ ସାତ ଜଣ ମନୋନୀତ

1 ଏହି ସମୟରେ, ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା, ସେତେବେଳେ ଗ୍ରୀକ୍‍ ଭାଷାବାଦୀ ଯିହୁଦୀ ବିଶ୍ୱାସୀମାନେ, ଏବ୍ରୀୟ ବିଶ୍ୱାସୀମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ, କାରଣ ଦୈନିକ ଖାଦ୍ୟ ବିତରଣ କରିବାରେ ବିଧବାମାନଙ୍କୁ ଅବହେଳା କରାଯାଉଥିଲା। 2 ସେଥିରେ ବାର ଜଣ ପ୍ରେରିତମାନେ ଶିଷ୍ୟସମୁହକୁ ନିକଟକୁ ଡାକି କହିଲେ, ଈଶ୍ବରଙ୍କର ବାକ୍ୟ ପ୍ରଚାର ପରିତ୍ୟାଗ କରି ଖାଦ୍ୟ ପରିବେଷଣରେ ଆମ୍ଭମାନଙ୍କର ବ୍ୟସ୍ତ ରହିବା ଉପଯୁକ୍ତ ନୁହେଁ। 3 ଅତଏବ ହେ ଭାଇମାନେ, ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରିପାରୁ, ଏପରି ସୁଖ୍ୟାତି ସମ୍ପନ୍ନ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ସାତ ଜଣଙ୍କୁ ଆପଣମାନଙ୍କ ମଧ୍ୟରୁ ବାଛି ସ୍ଥିର କରନ୍ତୁ; 4 କିନ୍ତୁ ଆମ୍ଭେମାନେ ପ୍ରାର୍ଥନାରେ ଓ ବାକ୍ୟ ପ୍ରଚାର ସେବା କାର୍ଯ୍ୟରେ ଏକାଗ୍ରଭାବେ ଲାଗିରହିବା। 5 ଏହି କଥା ସମସ୍ତ ବିଶ୍ୱାସୀମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା, ଆଉ ସେମାନେ ବିଶ୍ୱାସ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କୁ, ପୁଣି, ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ଆନ୍ତିୟଖିଆର ଯିହୁଦୀମତାବଲମ୍ବୀ ନୀକଲାୟଙ୍କୁ ମନୋନୀତ କରି, 6 ପ୍ରେରିତମାନଙ୍କ ସମ୍ମୁଖରେ ଉପସ୍ଥିତ କଲେ, ଆଉ ସେମାନେ ପ୍ରାର୍ଥନା କରି ସେମାନଙ୍କ ମସ୍ତକ ଉପରେ ହାତ ରଖି ସମର୍ପଣ କଲେ। 7 ଏଣୁ ଈଶ୍ବରଙ୍କ ବାକ୍ୟ ଅଧିକ ବ୍ୟାପିଗଲା ଏବଂ ଯିରୂଶାଲମ ସହରରେ ଶିଷ୍ୟମାନଙ୍କ ସଂଖ୍ୟା ଅତିଶୟ ବୃଦ୍ଧି ପାଇବାକୁ ଲାଗିଲା; ଆଉ, ଯାଜକମାନଙ୍କ ମଧ୍ୟରୁ ଅନେକ ଅନେକ ଲୋକ ବିଶ୍ୱାସମାର୍ଗ ଅବଲମ୍ବନ କରିବାକୁ ଲାଗିଲେ।

ମହାସଭାରେ ସ୍ତିଫାନ

8 ସ୍ତିଫାନ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇ ଲୋକମାନଙ୍କ ମଧ୍ୟରେ ମହା ମହା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରିବାକୁ ଲାଗିଲେ। 9 କିନ୍ତୁ ଲିବର୍ତ୍ତୀନ, କୂରୀଣୀୟ ଓ ଆଲେକଜାଣ୍ଡ୍ରୀୟ ସହରମାନଙ୍କରେ ନିବାସୀମାନଙ୍କ ନାମରେ ଖ୍ୟାତ ଯିହୁଦୀମାନଙ୍କ ସମାଜଗୃହର କେତେକ ଜଣ, ପୁଣି, କିଲିକିୟା ଓ ଏସିଆ ଅଞ୍ଚଳଗୁଡିକରେ ନିବାସୀ କେତେକ ଲୋକ ଉଠି ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, 10 ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ। 11 ସେଥିରେ ସେମାନେ ଲୋକମାନଙ୍କୁ ମତାଇଲେ, ଆଉ ସେମାନେ କହିଲେ, ଆମ୍ଭେମାନେ ଏହାକୁ ମୋଶା ଓ ଈଶ୍ବରଙ୍କ ବିରୁଦ୍ଧରେ ନିନ୍ଦାକଥା କହିବା ଶୁଣିଅଛୁ। 12 ଆଉ, ସେମାନେ ଜନସାଧାରଣଙ୍କୁ, ପୁଣି, ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କୁ ଉତ୍ତେଜିତ କରି ତାହାଙ୍କୁ ଆକ୍ରମଣ କଲେ ଓ ତାହାଙ୍କୁ ବଳରେ ଧରି ମହାସଭାକୁ ଆଣିଲେ, 13 ଆଉ ମିଥ୍ୟାସାକ୍ଷୀମାନଙ୍କୁ ଠିଆ କରାଇଲେ; ସେମାନେ କହିଲେ, ଏ ଲୋକଟା ଏହି ପବିତ୍ର ସ୍ଥାନ ଓ ମୋଶାଙ୍କ ଦତ୍ତ ନିୟମ ବିରୁଦ୍ଧରେ କଥା କହିବାକୁ ବନ୍ଦ କରୁ ନାହିଁ, 14 କାରଣ ନାଜରିତୀୟ ସେହି ଯୀଶୁ ଏହି ସ୍ଥାନ ଧ୍ୱଂସ କରିବେ, ଆଉ ମୋଶା ଆମ୍ଭମାନଙ୍କୁ ଯେଉଁ ଯେଉଁ ରୀତିନୀତି ଦେଇଅଛନ୍ତି, ସେହିସବୁ ପରିବର୍ତ୍ତନ କରିବେ ବୋଲି ସେ କହୁଥିବା ଆମ୍ଭେମାନେ ଶୁଣିଅଛୁ। 15 ସେତେବେଳେ ମହାସଭାରେ ବସିଥିବା ସମସ୍ତେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାହାଙ୍କ ମୁଖ ଦୂତଙ୍କ ମୁଖ ସଦୃଶ ଦେଖିଲେ।

Chapter 7

ସ୍ତିଫାନଙ୍କ ବକ୍ତୃତା

1 ସେଥିରେ ମହାଯାଜକ ପଚାରିଲେ, ଏହି ସମସ୍ତ ଅଭିଯୋଗ କି ସତ୍ୟ? 2 ସ୍ତିଫାନ କହିଲେ, ହେ ଭାଇ ଓ ପିତାମାନେ, ଶୁଣନ୍ତୁ। ଆମ୍ଭମାନଙ୍କର ପିତା ଅବ୍ରହାମ ହାରଣ ନଗରରେ ବାସ କରିବା ପୂର୍ବେ ଯେତେବେଳେ ସେ ମେସୋପଟାମିଆ ଦେଶରେ ଥିଲେ, ସେତେବେଳେ ଗୌରବମୟ ଈଶ୍ବର ତାହାଙ୍କୁ ଦର୍ଶନ ଦେଇ କହିଲେ, 3 ତୁମ୍ଭେ ସ୍ୱଦେଶରୁ ଓ ଆପଣା ଆତ୍ମୀୟମାନଙ୍କ ମଧ୍ୟରୁ ବାହାରି ଆସ, ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ଦେଶ ଦେଖାଇବା, ସେହି ଦେଶକୁ ଯାଅ। 4 ସେଥିରେ କଲଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ, ପୁଣି, ତାହାଙ୍କ ପିତାଙ୍କ ମୃତ୍ୟୁ ଉତ୍ତାରେ ସେଠାରୁ, ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି, ଏହି ଦେଶକୁ ଈଶ୍ବର ତାହାଙ୍କୁ ନେଇ ଆସିଲେ, 5 ଆଉ, ସେ ତାହାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି, ସେତେବେଳେ ତାହାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାହାଙ୍କୁ ଓ ତାହାଙ୍କ ଭବିଷ୍ୟତ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ। 6 ଈଶ୍ବର ଏହିପରି କହିଲେ, ତାହାଙ୍କ ବଂଶ ବିଦେଶରେ ପ୍ରବାସ କରିବେ ଏବଂ ସେ ସ୍ଥାନର ଲୋକେ ସେମାନଙ୍କୁ ଚାରି ଶହ ବର୍ଷ ପର୍ଯ୍ୟନ୍ତ ଦାସତ୍ୱରେ ରଖି ସେମାନଙ୍କ ପ୍ରତି ଅତ୍ୟାଚାର କରିବେ। 7 ପୁଣି, ଈଶ୍ବର କହିଲେ, ସେମାନେ ଯେଉଁ ଜାତିର ଦାସ ହେବେ, ଆମ୍ଭେ ତାହାର ବିଚାର କରିବା; ତାହା ପରେ ସେମାନେ ବାହାରି ଆସି ଏହି ସ୍ଥାନରେ ଆମ୍ଭର ଉପାସନା କରିବେ। 8 ଆଉ, ସେ ତାହାଙ୍କୁ ସୁନ୍ନତର ନିୟମ ପ୍ରଦାନ କଲେ, ପୁଣି, ତଦନୁସାରେ ଅବ୍ରହାମ ଇସ୍‌ହାକଙ୍କୁ ଜନ୍ମ ଦେଇ ଅଷ୍ଟମ ଦିନରେ ତାହାଙ୍କୁ ସୁନ୍ନତ କଲେ; ଇସ୍‌ହାକ ଯାକୁବଙ୍କୁ ପୁଣି, ଯାକୁବ ବାର ଜଣ ପିତୃକୁଳପତିଙ୍କୁ ଜନ୍ମ ଦେଇ ସେପରି କଲେ। 9 ପିତୃକୁଳପତିମାନେ ଯୋଷେଫଙ୍କୁ ଈର୍ଷା କରି ମିସରକୁ ନିଆଯିବା ନିମନ୍ତେ ତାହାଙ୍କୁ ବିକ୍ରୟ କଲେ; କିନ୍ତୁ ଈଶ୍ବର ତାହାଙ୍କ ସହିତ ଥିଲେ, 10 ପୁଣି, ତାହାଙ୍କ ସମସ୍ତ କ୍ଲେଶରୁ ତାହାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାହାଙ୍କୁ ଅନୁଗ୍ରହ ଓ ଜ୍ଞାନ ପ୍ରଦାନ କଲେ; ସେଥିରେ ଫାରୋ ତାହାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ୱରୂପେ ନିଯୁକ୍ତ କଲେ। 11 ପରେ ସମସ୍ତ ମିସର ଓ କିଣାନରେ ଦୁର୍ଭିକ୍ଷ ପଡ଼ିଲା, ପୁଣି, ମହାକ୍ଲେଶ ଘଟିଲା, ଆମ୍ଭମାନଙ୍କ ପିତୃ-ପୁରୁଷମାନେ ଖାଦ୍ୟ ପାଇ ପାରିଲେ ନାହିଁ। 12 କିନ୍ତୁ ମିସରରେ ଶସ୍ୟ ଅଛି ବୋଲି ଶୁଣି, ଯାକୁବ ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ପ୍ରଥମରେ ପ୍ରେରଣ କଲେ। 13 ପୁଣି, ଦ୍ୱିତୀୟ ଥର ଯୋଷେଫ ଆପଣା ଭାଇମାନଙ୍କ ନିକଟରେ ପରିଚିତ ହେଲେ, ଆଉ ଫାରୋ ଯୋଷେଫଙ୍କ ଜାତିର ପରିଚୟ ପାଇଲେ। 14 ତାହାପରେ ଯୋଷେଫ ଆପଣା ପିତା ଯାକୁବ ଓ ପଞ୍ଚସ୍ତରି ଜଣ ଜ୍ଞାତିକୁଟୁମ୍ବ ସମସ୍ତଙ୍କୁ ଡକାଇ ପଠାଇଲେ। ସେଥିରେ ଯାକୁବ ମିସରକୁ ଗଲେ, 15 ପୁଣି, ସେ ଓ ଆମ୍ଭମାନଙ୍କର ପିତୃ-ପୁରୁଷମାନେ ପ୍ରାଣତ୍ୟାଗ କଲେ, 16 ଆଉ ସେମାନଙ୍କ ମୃତ ଶରୀର, ଶିଖିମକୁ ନିଆଯାଇ, ଅବ୍ରହାମ ସେଠାକାର ହମୋର ସନ୍ତାନମାନଙ୍କଠାରୁ ଯେଉଁ ସମାଧି-ସ୍ଥାନକୁ ରୌପ୍ୟ ମୂଲ୍ୟ ଦେଇ କ୍ରୟ କରିଥିଲେ, ସେଥିରେ ସମାଧିସ୍ଥ ହେଲେ। 17 କିନ୍ତୁ ଈଶ୍ବର ଅବ୍ରହାମଙ୍କ ନିକଟରେ ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞା ସଫଳ ହେବା ସମୟ ସନ୍ନିକଟ ହୁଅନ୍ତେ, ଲୋକମାନେ ମିସରରେ ବୃଦ୍ଧି ପାଇ ବହୁସଂଖ୍ୟକ ହୋଇ ଉଠିଲେ। 18 ଅବଶେଷରେ ମିସରରେ ଆଉ ଜଣେ ରାଜା ହେଲେ, ସେ ଯୋଷେଫଙ୍କୁ ଜାଣି ନ ଥିଲେ। 19 ସେ ଆମ୍ଭମାନଙ୍କ ଜାତି ପ୍ରତି ଖଳ ବ୍ୟବହାର କଲେ, ପୁଣି, ଆମ୍ଭମାନଙ୍କ ପିତୃ-ପୁରୁଷମାନେ ଯେପରି ଆପଣା ଆପଣା ସନ୍ତାନମାନଙ୍କୁ ଜୀବିତ ନ ରହିବା ପାଇଁ ବାହାରେ ପକାଇ ଦିଅନ୍ତି, ଏଥିନିମନ୍ତେ ସେମାନଙ୍କ ପ୍ରତି ଅତ୍ୟାଚାର କଲେ। 20 ସେହି ସମୟରେ ମୋଶା ଜନ୍ମ ହେଲେ, ସେ ଈଶ୍ବରଙ୍କ ଦୃଷ୍ଟିରେ ଅତି ସୁନ୍ଦର ଥିଲେ ଓ ତିନି ମାସ ପର୍ଯ୍ୟନ୍ତ ଆପଣା ପିତାଙ୍କ ଗୃହରେ ପ୍ରତିପାଳିତ ହେଲେ। 21 ପରେ ସେ ଯେତେବେଳେ ବାହାରେ ପକାଗଲେ, ସେତେବେଳେ ଫାରୋଙ୍କ କନ୍ୟା ତାହାଙ୍କୁ ଉଠାଇନେଇ ଆପଣା ପୁତ୍ରରୂପେ ପ୍ରତିପାଳନ କଲେ। 22 ଆଉ ମୋଶା ମିସ୍ରୀୟମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ। 23 ତାହାଙ୍କୁ ଚାଳିଶ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍‍ ଇସ୍ରାଏଲ ସନ୍ତାନମାନଙ୍କୁ, ପରିଦର୍ଶନ କରିବା ନିମନ୍ତେ ତାହାଙ୍କ ମନରେ ଇଚ୍ଛା ଜାତ ହେଲା। 24 ସେତେବେଳେ ଜଣକ ପ୍ରତି ଅନ୍ୟାୟ କରାଯାଉଥିବା ଦେଖି ସେ ତାହାର ସପକ୍ଷ ହେଲେ ଓ ସେହି ମିସ୍ରୀୟ ଲୋକକୁ ବଧ କରି ଅତ୍ୟାଚାରିତ ହେଉଥିବା ଲୋକ ପ୍ରତି ଅନ୍ୟାୟର ପ୍ରତିକାର କଲେ। 25 ତାହାଙ୍କ ହସ୍ତ ଦ୍ୱାରା ଈଶ୍ବର ଯେ ତାହାଙ୍କ ଭାଇମାନଙ୍କୁ ଉଦ୍ଧାର କରୁଅଛନ୍ତି, ଏହା ସେମାନେ ବୁଝିବେ ବୋଲି ସେ ମନେ କରିଥିଲେ, କିନ୍ତୁ ସେମାନେ ବୁଝିଲେ ନାହିଁ। 26 ପରଦିନ ସେମାନେ ମରାମରି ହେଉଥିବା ସମୟରେ ସେ ଦେଖା ଦେଇ ସେମାନଙ୍କୁ ମିଳନ କରିବା ଉଦ୍ଦେଶ୍ୟରେ କହିଲେ, ଆହେ, ତୁମ୍ଭେମାନେ ପରସ୍ପର ଭାଇ, କାହିଁକି ଏକ-ଆରେକ ପ୍ରତି ଅନ୍ୟାୟ କରୁଅଛ? 27 କିନ୍ତୁ ଯେଉଁ ଜଣକ ପ୍ରତିବାସୀ ପ୍ରତି ଅନ୍ୟାୟ କରୁଥିଲା, ସେ ତାହାଙ୍କୁ ପେଲିଦେଇ କହିଲା, କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ଶାସନକର୍ତ୍ତା ଓ ବିଚାରକସ୍ୱରୂପେ ନିଯୁକ୍ତ କଲା? 28 କାଲି ଯେପରି ସେହି ମିସ୍ରୀୟ ବ୍ୟକ୍ତିକୁ ବଧ କରିଥିଲ, ସେପରି କି ମୋତେ ବଧ କରିବାକୁ ଇଚ୍ଛା କରୁଅଛ? 29 ଏହି କଥା ଶୁଣି ମୋଶା ପଳାଇଯାଇ ମିଦୀୟନ ଦେଶରେ ପ୍ରବାସୀ ହେଲେ; ସେଠାରେ ତାହାଙ୍କର ଦୁଇ ପୁତ୍ର ଜନ୍ମ ହେଲେ। 30 ପରେ ଚାଳିଶ ବର୍ଷ ପୂର୍ଣ୍ଣ ହୁଅନ୍ତେ ସୀନୟ ପର୍ବତର ପ୍ରାନ୍ତରରେ ଜଣେ ଦୂତ ଗୋଟିଏ ବୁଦାର ଅଗ୍ନିଶିଖାରେ ତାହାଙ୍କୁ ଦର୍ଶନ ଦେଲେ। 31 ମୋଶା ସେହି ଦୃଶ୍ୟ ଦେଖି ଚମତ୍କୃତ ହେଲେ, ପୁଣି, ଭଲ ରୂପେ ଦେଖିବା ନିମନ୍ତେ ନିକଟକୁ ଯାଉଥିବା ସମୟରେ ପ୍ରଭୁଙ୍କର ଏହି ବାଣୀ ହେଲା, 32 ଆମ୍ଭେ ତୁମ୍ଭ ପିତୃ-ପୁରୁଷମାନଙ୍କ ଈଶ୍ବର, ଅବ୍ରହାମ, ଇସ୍‌ହାକ ଓ ଯାକୁବର ଈଶ୍ବର। ସେଥିରେ ମୋଶା କମ୍ପି ଉଠି, ଭଲ ରୂପେ ଦେଖିବାକୁ ସାହସ କଲେ ନାହିଁ। 33 ତାହାପରେ ପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭ ପାଦରୁ ପାଦୁକା କାଢ଼ିପକାଅ, କାରଣ ତୁମ୍ଭେ ଯେଉଁ ସ୍ଥାନରେ ଠିଆ ହୋଇଅଛ, ତାହା ପବିତ୍ର ଭୂମି। 34 ମିସରରେ ମୋହର ଯେଉଁ ଲୋକମାନେ ଅଛନ୍ତି, ମୁଁ ସେମାନଙ୍କର କ୍ଲେଶ ନିଶ୍ଚୟ ଦେଖିଅଛି ଓ ସେମାନଙ୍କର ଆର୍ତ୍ତନାଦ ଶୁଣିଅଛି, ପୁଣି, ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଓହ୍ଲାଇ ଆସିଅଛି, ଆଉ ଏବେ ଆସ, ମୁଁ ତୁମ୍ଭକୁ ମିସରକୁ ପ୍ରେରଣ କରିବି। 35 କିଏ ତୁମ୍ଭକୁ ଶାସନକର୍ତ୍ତା ଓ ବିଚାରକ ସ୍ୱରୂପେ ନିଯୁକ୍ତ କଲା ବୋଲି କହି ଏହି ଯେଉଁ ମୋଶାଙ୍କୁ ସେମାନେ ଅଗ୍ରାହ୍ୟ କଲେ, ତାହାଙ୍କୁ ଈଶ୍ବର ବୁଦାରେ ଦର୍ଶନ ଦେଇଥିବା ଦୂତଙ୍କ ସହାୟତାରେ ଶାସକ ଓ ଉଦ୍ଧାରକର୍ତ୍ତା କରି ପ୍ରେରଣ କଲେ। 36 ଏହି ବ୍ୟକ୍ତି ମିସର ଦେଶ, ସୂଫ ସାଗର ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ନାନା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରି ସେମାନଙ୍କୁ ବାହାର କରି ଆଣିଲେ। 37 ଏହି ମୋଶା ଇସ୍ରାଏଲର ସନ୍ତାନମାନଙ୍କୁ କହିଲେ, ଈଶ୍ବର ତୁମ୍ଭମାନଙ୍କର ଭାଇମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ। 38 ଏହି ବ୍ୟକ୍ତି ପ୍ରାନ୍ତରସ୍ଥ ମଣ୍ଡଳୀ ମଧ୍ୟରେ ସୀନୟ ପର୍ବତରେ ତାହାଙ୍କ ସହିତ କଥା କହୁଥିବା ଦୂତଙ୍କ ଓ ଆମ୍ଭମାନଙ୍କ ପିତୃ-ପୁରୁଷମାନଙ୍କ ମଧ୍ୟରେ ମଧ୍ୟସ୍ଥ ଥିଲେ; ସେ ତୁମ୍ଭମାନଙ୍କୁ ଦାନ କରିବା ନିମନ୍ତେ ଜୀବନ୍ତ ବାକ୍ୟସମୂହ ପ୍ରାପ୍ତ ହେଲେ। 39 ଆମ୍ଭମାନଙ୍କର ପିତୃ-ପୁରୁଷମାନେ ତାହାଙ୍କର ଆଜ୍ଞାବହ ହେବାକୁ ଇଚ୍ଛା ନ କରି ତାହାଙ୍କୁ ଅଗ୍ରାହ୍ୟ କଲେ, ପୁଣି, ଆପଣା ଆପଣା ହୃଦୟରେ ମିସରକୁ ବାହୁଡ଼ିଯାଇ ହାରୋଣଙ୍କୁ କହିଲେ, 40 ଆମ୍ଭମାନଙ୍କ ଆଗେ ଆଗେ ଯିବା ନିମନ୍ତେ ଆମ୍ଭମାନଙ୍କ ପାଇଁ ଦେବତାମାନଙ୍କୁ ନିର୍ମାଣ କର, କାରଣ ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କ ପ୍ରତି କଅଣ ଘଟିଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ। 41 ଆଉ ସେହି ସମୟରେ ସେମାନେ ଗୋଟିଏ ଗୋବତ୍ସ ନିର୍ମାଣ କଲେ ଏବଂ ସେହି ପ୍ରତିମା ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରି ଆପଣା ଆପଣା ହସ୍ତନିର୍ମିତ ବସ୍ତୁରେ ଆନନ୍ଦ କରିବାକୁ ଲାଗିଲେ। 42 କିନ୍ତୁ ଈଶ୍ବର ବିମୁଖ ହୋଇ ସେମାନଙ୍କୁ ଆକାଶବାହିନୀର ଉପାସନା କରିବାକୁ ଛାଡ଼ିଦେଲେ, ଯେପରି ଭାବବାଦୀମାନଙ୍କ ଶାସ୍ତ୍ରରେ ଲେଖାଅଛି,

     “‘ହେ ଇସ୍ରାଏଲ ବଂଶ,

         ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ କଅଣ ଆମ୍ଭ ଉଦ୍ଦେଶ୍ୟରେ ପଶୁବଳି

         ଓ ନୈବେଦ୍ୟ ଉତ୍ସର୍ଗ କରିଥିଲ?

     43 ବରଂ ତୁମ୍ଭେମାନେ ଉପାସନା କରିବା ନିମନ୍ତେ ଯେଉଁ ମୂର୍ତ୍ତିଗୁଡ଼ିକ ଗଢ଼ିଥିଲ,

         ସେହି ମୋଲଖର ତମ୍ବୁ ଓ ରେମ୍ଫାନ୍ ଦେବତାର ନକ୍ଷତ୍ରକୁ ତୁମ୍ଭେମାନେ ଘେନି ବହନ କଲ।

         ଏଣୁ ମୁଁ ତୁମ୍ଭମାନଙ୍କୁ ବାବିଲର ଆରପାଖକୁ ବନ୍ଦୀ କରି ପଠାଇବି।’

44 ତୁମ୍ଭେ ଯେଉଁ ଆଦର୍ଶ ଦେଖିଅଛ, ତଦନୁସାରେ ସାକ୍ଷ୍ୟ ତମ୍ବୁ ନିର୍ମାଣ କର ବୋଲି ମୋଶାଙ୍କୁ ଯେ କହିଥିଲେ, ତାହାଙ୍କ ଆଦେଶ ଅନୁଯାୟୀ ଆମ୍ଭମାନଙ୍କ ପିତୃ-ପୁରୁଷମାନେ ପ୍ରାନ୍ତରରେ ସାକ୍ଷ୍ୟ ତମ୍ବୁ ପାଇଥିଲେ। 45 ଆଉ ଆମ୍ଭମାନଙ୍କ ପିତୃ-ପୁରୁଷମାନେ ତାହା ପ୍ରାପ୍ତ ହୋଇ, ଈଶ୍ବର ସେମାନଙ୍କ ସମ୍ମୁଖରୁ ଯେଉଁ ଜାତିମାନଙ୍କୁ ବାହାର କରିଦେଲେ, ସେହି ଜାତିମାନଙ୍କ ଅଧିକାରରେ ସେମାନେ ଯିହୋଶୂୟଙ୍କ ନେତୃତ୍ତ୍ୱରେ ପ୍ରବେଶ କରି ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ। 46 ଦାଉଦ ଈଶ୍ବରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ବରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ। 47 କିନ୍ତୁ ଶଲୋମନ ଈଶ୍ବରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କଲେ। 48 ତଥାପି ଯେ ମହାନ ଈଶ୍ବର, ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ, ଯେପରି ଭାବବାଦୀ କହନ୍ତି,

     49 ‘ସ୍ୱର୍ଗ ଆମ୍ଭର ସିଂହାସନ,

         ପୃଥିବୀ ଆମ୍ଭର ପାଦପୀଠ;

     ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ?

         କିମ୍ବା ଆମ୍ଭର ବିଶ୍ରାମସ୍ଥାନ କାହିଁ?

     50 ଆମ୍ଭର ହସ୍ତ କଅଣ ଏହି ସମସ୍ତ ବିଷୟ ସୃଷ୍ଟି କରି ନାହିଁ?’

51 ହେ ଦାମ୍ଭିକମାନେ ପୁଣି, ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃ-ପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେହିପରି। 52 ଭାବବାଦୀମାନଙ୍କ ମଧ୍ୟରୁ କାହାକୁ ଆପଣମାନଙ୍କର ପିତୃ-ପୁରୁଷମାନେ ତାଡ଼ନା କରି ନ ଥିଲେ? ଯେଉଁମାନେ ସେହି ଧାର୍ମିକ ବ୍ୟକ୍ତିଙ୍କ ଆଗମନ ବିଷୟରେ ପୂର୍ବରୁ ଜଣାଇଥିଲେ, ସେମାନଙ୍କୁ ସେମାନେ ବଧ କଲେ; ଏବେ ଆପଣମାନେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରି ବଧ କରିଅଛନ୍ତି; 53 ଆପଣମାନେ ଦୂତମାନଙ୍କ ଦ୍ୱାରା ଆଦିଷ୍ଟ (ଆଦ୍ୟ) ପ୍ରତିଷ୍ଠିତ ବ୍ୟବସ୍ଥା ପାଇଥିଲେ, କିନ୍ତୁ ତାହା ପାଳନ କଲେ ନାହିଁ।”

ପ୍ରସ୍ତରାଘାତରେ ସ୍ତିଫାନଙ୍କ ମୃତ୍ୟୁ

54 ଏହି ସମସ୍ତ କଥା ଶୁଣି ସେମାନେ ଅତିଶୟ ରାଗିଗଲେ, ପୁଣି, ତାହାଙ୍କ ପ୍ରତି ଦାନ୍ତ କଡ଼ମଡ଼ କରିବାକୁ ଲାଗିଲେ। 55 କିନ୍ତୁ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସ୍ୱର୍ଗ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ଆଉ ଈଶ୍ବରଙ୍କ ମହିମା ଓ ଯୀଶୁଙ୍କୁ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖି କହିଲେ, 56 “ଦେଖନ୍ତୁ, ମୁଁ ସ୍ୱର୍ଗକୁ ଖୋଲା ହୋଇଥିବା ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖୁଅଛି।” 57 କିନ୍ତୁ ସେମାନେ ଉଚ୍ଚସ୍ୱରରେ ଚିତ୍କାର କରି ଆପଣା ଆପଣା କର୍ଣ୍ଣ ବନ୍ଦ କଲେ, ଆଉ ଏକସଙ୍ଗରେ ତାହାଙ୍କ ଉପରେ ମାଡ଼ିପଡ଼ିଲେ, 58 ପୁଣି, ସେମାନେ ତାହାଙ୍କୁ ନଗରରୁ ବାହାର କରିଦେଇ ପଥର ଫୋପାଡ଼ି ମାରିବାକୁ ଲାଗିଲେ; ଆଉ, ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ପାଦ ପାଖରେ ଆପଣା ଆପଣା ବସ୍ତ୍ର ରଖିଲେ। 59 ଯେତେବେଳେ ସେମାନେ ସ୍ତିଫାନଙ୍କୁ ପଥର ଫୋପାଡ଼ି ମାରୁଥିଲେ, ସେତେବେଳେ ସେ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋହର ଆତ୍ମା ଗ୍ରହଣ କର।” 60 ପୁଣି, ସେ ଆଣ୍ଠୋଇପଡ଼ି ଉଚ୍ଚସ୍ୱରରେ ଡାକି କହିଲେ, ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ। ସେ ଏହା କହି ମହାନିଦ୍ରା (ମୃତ୍ୟୁ) ବରଣ କଲେ।

Chapter 8

ମଣ୍ଡଳୀ ଉପରେ ଶାଉଲଙ୍କ ଦୌରାତ୍ମ୍ୟ

1 ଶାଉଲ, ସ୍ତିଫାନଙ୍କ ହତ୍ୟାରେ ଏକମତ ଥିଲେ। ସେହି ଦିନ ଯିରୂଶାଲମ ସହରରେ ଥିବା ମଣ୍ଡଳୀ ପ୍ରତି ଅତିଶୟ ତାଡ଼ନା ଘଟିଲା; ସେଥିରେ ପ୍ରେରିତମାନଙ୍କ ଛଡ଼ା ଅନ୍ୟସମସ୍ତେ ଯିହୂଦିୟା ପ୍ରଦେଶ ଓ ଶମିରୋଣ ଅଞ୍ଚଳ ସମୂହର ଚାରିଆଡ଼େ ଛିନ୍ନଭିନ୍ନ ହୋଇଗଲେ। 2 ତଥାପି କେତେକ ଭକ୍ତ ଲୋକମାନେ ସ୍ତିଫାନଙ୍କୁ ସମାଧି ଦେଇ ତାହାଙ୍କ ନିମନ୍ତେ ବହୁତ ବିଳାପ କଲେ। 3 କିନ୍ତୁ ଶାଉଲ ଘରେ ଘରେ ପଶି ବିଶ୍ୱାସୀ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିଆଣି କାରାଗାରରେ ନିକ୍ଷେପ କରି ମଣ୍ଡଳୀକୁ ଧ୍ୱଂସ କରିବାକୁ ଲାଗିଲେ।

ଶମିରୋଣରେ ଫିଲିପ୍ପଙ୍କ ପ୍ରଚାର

4 ସେଥିରେ ଯେଉଁମାନେ ଛିନ୍ନଭିନ୍ନ ହୋଇଥିଲେ, ସେମାନେ ଚତୁର୍ଦ୍ଦିଗରେ ଭ୍ରମଣ କରୁ କରୁ ସୁସମାଚାରର ବାକ୍ୟ ପ୍ରଚାର କଲେ। 5 ପୁଣି, ଫିଲିପ୍ପ ଶମିରୋଣର ପ୍ରଧାନ ନଗରକୁ ଯାଇ ଲୋକମାନଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ଘୋଷଣା କରିବାକୁ ଲାଗିଲେ। 6 ଆଉ ଲୋକସମୂହ ଫିଲିପ୍ପଙ୍କ କଥା ଶୁଣି ଓ ସେ କରିଥିବା ଆଶ୍ଚର୍ଯ୍ୟକର୍ମଗୁଡିକ ଦେଖି ଏକଚିତ୍ତରେ ତାହାଙ୍କ କଥାରେ ମନୋଯୋଗ କରୁଥିଲେ। 7 କାରଣ ଅଶୁଚି ଆତ୍ମାବିଷ୍ଟ ଅନେକ ଲୋକଙ୍କଠାରୁ ସେହି ଆତ୍ମାଗୁଡ଼ାକ ଉଚ୍ଚସ୍ୱରରେ ଚିତ୍କାର କରି ବାହାରିଆସିବାକୁ ଲାଗିଲେ, ପୁଣି, ଅନେକ ପକ୍ଷାଘାତରୋଗୀ ଓ ଖଞ୍ଜ ସୁସ୍ଥ ହେଲେ। 8 ସେଥିରେ ସେ ନଗରରେ ମହା ଆନନ୍ଦ ହେଲା।

କୁହୁକ ଶିମୋନ

9 କିନ୍ତୁ ଶିମୋନ ନାମକ ଜଣେ ଲୋକ ଏଥିପୂର୍ବେ ସେହି ନଗରରେ କୁହୁକକର୍ମ କରି ନିଜକୁ ଜଣେ ମହାପୁରୁଷ ବୋଲି କହି ଶମିରୋଣୀୟ ଲୋକମାନଙ୍କୁ ଆଚମ୍ଭିତ କରୁଥିଲା; 10 ଈଶ୍ବରଙ୍କର ଯେଉଁ ଶକ୍ତିକୁ ମହାନ ବୋଲି କୁହାଯାଏ, ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏ ସେହି ବୋଲି କହି ତାହାଙ୍କୁ ମାନ୍ୟ କରୁଥିଲେ। 11 ସେମାନେ ତାହାକୁ ମାନ୍ୟ କରୁଥିବାର କାରଣ ଏହି ଯେ, ସେ ବହୁକାଳ ହେଲା ନିଜ କୁହୁକକର୍ମ ଦ୍ୱାରା ସେମାନଙ୍କୁ ଆଚମ୍ବିତ କରିଥିଲା। 12 କିନ୍ତୁ ଫିଲିପ୍ପ ଈଶ୍ବରଙ୍କ ରାଜ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ନାମ ବିଷୟକ ସୁସମାଚାର ପ୍ରଚାର କରିବାରୁ ସେମାନେ ଯେତେବେଳେ ତାହାଙ୍କ କଥାରେ ବିଶ୍ୱାସ କଲେ, ସେତେବେଳେ ପୁରୁଷ ଓ ସ୍ତ୍ରୀ ଉଭୟ ବାପ୍ତିଜିତ ହେବାକୁ ଲାଗିଲେ। 13 ଆଉ, ଶିମୋନ ନିଜେ ମଧ୍ୟ ବିଶ୍ୱାସ କରି ବାପ୍ତିଜିତ ହେଲା ଓ ଫିଲିପ୍ପଙ୍କ ସାଥେ ସାଥେ ରହିଲା, ଆଉ ନାନା ଲକ୍ଷଣ ଓ ମହା ମହା ଆଶ୍ଚର୍ଯ୍ୟର କାର୍ଯ୍ୟ ଦେଖି ଆଚମ୍ବିତ ହେବାକୁ ଲାଗିଲା।

ଶମିରୋଣରେ ପିତର ଓ ଯୋହନ

14 ଶମିରୋଣର ଲୋକମାନେ ଯେ ଈଶ୍ବରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି, ଏହା ଯେତେବେଳେ ଯିରୂଶାଲମ ସହରରେ ଥିବା ପ୍ରେରିତମାନେ ଶୁଣିଲେ, ସେତେବେଳେ ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପଠାଇଲେ। 15 ସେମାନେ ଯାଇ, ସେହି ଲୋକମାନେ ଯେପରି ପବିତ୍ର ଆତ୍ମା ପ୍ରାପ୍ତ ହୁଅନ୍ତି, ଏଥିନିମନ୍ତେ ସେମାନଙ୍କ ପାଇଁ ପ୍ରାର୍ଥନା କଲେ, 16 କାରଣ ଏପର୍ଯ୍ୟନ୍ତ ସେ ସେମାନଙ୍କ ମଧ୍ୟରୁ କାହାରି ଉପରେ ଆସି ନ ଥିଲେ, କେବଳ ସେମାନେ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହୋଇଥିଲେ। 17 ସେତେବେଳେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ, ଆଉ ସେମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଲେ। 18 ପ୍ରେରିତମାନଙ୍କର ହସ୍ତାର୍ପଣ ଦ୍ୱାରା ଆତ୍ମା ଆସୁଥିବା ଦେଖି, ଶିମୋନ ସେମାନଙ୍କୁ ଟଙ୍କା ଯାଚି କହିଲା, 19 ମୋତେ ମଧ୍ୟ ଏହି ଶକ୍ତି ଦିଅନ୍ତୁ, ଯେପରି ମୁଁ ଯେକୌଣସି ଲୋକ ଉପରେ ହସ୍ତାର୍ପଣ କରିବି, ସେ ପବିତ୍ର ଆତ୍ମା ପାଇବ। 20 କିନ୍ତୁ ପିତର ତାହାକୁ କହିଲେ, ତୁମ୍ଭର ଟଙ୍କା ତୁମ୍ଭ ସହିତ ବିନଷ୍ଟ ହେଉ, କାରଣ ତୁମ୍ଭେ ଟଙ୍କା ଦ୍ୱାରା ଈଶ୍ବରଙ୍କ ଦାନ କିଣିବାକୁ ଭାବିଲ। 21 ଏହି ବିଷୟରେ ତୁମ୍ଭର ଅଂଶ ନାହିଁ କି ଅଧିକାର ନାହିଁ, କାରଣ ଈଶ୍ବରଙ୍କ ସାକ୍ଷାତରେ ତୁମ୍ଭର ହୃଦୟ ସରଳ ନୁହେଁ। 22 ଅତଏବ, ତୁମ୍ଭର ଏହି ଦୁଷ୍ଟ ପଣରୁ ମନ-ପରିବର୍ତ୍ତନ କରି ପ୍ରଭୁଙ୍କଠାରେ ପ୍ରାର୍ଥନା କର, କେଜାଣି ଅବା ତୁମ୍ଭ ହୃଦୟର କଳ୍ପନା କ୍ଷମା ହୋଇପାରେ; 23 କାରଣ ତୁମ୍ଭେ ତିକ୍ତ ବିଷରେ ପରିପୂର୍ଣ୍ଣ ହୋଇ ଅଧର୍ମରୂପ ବନ୍ଧନରେ ଆବଦ୍ଧ ଅଛ ବୋଲି ମୁଁ ଦେଖୁଅଛି। 24 ସେଥିରେ ଶିମୋନ ଉତ୍ତର କଲା, ଆପଣମାନେ ଯାହା ଯାହା କହିଲେ, ସେଥିରୁ କୌଣସି ବିଷୟ ଯେପରି ମୋ ପ୍ରତି ନ ଘଟେ, ଏଥିପାଇଁ ଆପଣମାନେ ମୋ ନିମନ୍ତେ ପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରନ୍ତୁ। 25 ଏହି ପ୍ରକାରେ ସେମାନେ ସାକ୍ଷ୍ୟ ଦେଇ ଓ ପ୍ରଭୁଙ୍କ ବାକ୍ୟ କହି ଶମିରୋଣୀୟମାନଙ୍କ ଅନେକ ଗ୍ରାମରେ ସୁସମାଚାର ପ୍ରଚାର କରୁ କରୁ ଯିରୂଶାଲମ ସହରକୁ ବାହୁଡ଼ିଗଲେ।

ଫିଲିପ୍ପ ଓ ଇଥିଓପିଆ ନପୁଂସକ

26 ପରେ ପ୍ରଭୁଙ୍କ ଜଣେ ଦୂତ ଫିଲିପ୍ପଙ୍କୁ କହିଲେ, ଉଠ, ଦକ୍ଷିଣ ଦିଗରେ ଯେଉଁ ପଥ ଯିରୂଶାଲମ ସହରରୁ ଗଜ୍ଜା ସହର ଆଡ଼କୁ ପଡ଼ିଅଛି, ସେହି ପଥକୁ ଯାଅ। ତାହା ମରୁଭୂମି। 27 ସେଥିରେ ସେ ଉଠି ଗମନ କଲେ। ଆଉ ଦେଖ, ଇଥିଓପିଆ ଦେଶୀୟମାନଙ୍କ କାଣ୍ଡାକୀ ନାମ୍ନୀ ରାଣୀଙ୍କର ଅଧୀନସ୍ଥ ଜଣେ ଉଚ୍ଚପଦ ପ୍ରାପ୍ତ ଇଥିଓପିଆର ନପୁଂସକ, ଯେ ତାହାଙ୍କ ସମସ୍ତ ଧନଭଣ୍ଡାରର ବେବର୍ତ୍ତା (କୋଷାଧ୍ୟକ୍ଷ) ଥିଲେ, ସେ ଉପାସନା କରିବା ନିମନ୍ତେ ଯିରୂଶାଲମ ସହରକୁ ଆସିଥିଲେ; 28 ସେ ବାହୁଡ଼ି ଯାଉ ଯାଉ ଆପଣା ରଥରେ ବସି ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରପାଠ କରୁଥିଲେ। 29 ସେତେବେଳେ ପବିତ୍ର ଆତ୍ମା ଫିଲିପ୍ପଙ୍କୁ କହିଲେ, ନିକଟକୁ ଯାଇ ଏହି ରଥର ସାଙ୍ଗ ଧର। 30 ସେଥିରେ ଫିଲିପ୍ପ ଦୌଡ଼ିଯାଇ ସେ ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରପାଠ କରୁଥିବା ଶୁଣି ପଚାରିଲେ, ଆପଣ ଯାହା ପାଠ କରୁଅଛନ୍ତି, ତାହା କଅଣ ବୁଝୁଅଛନ୍ତି? 31 ସେ କହିଲେ, କେହି ମୋତେ ବୁଝାଇ ନ ଦେଲେ ମୁଁ କିପରି ବୁଝି ପାରିବି? ଆଉ, ସେ ଫିଲିପ୍ପଙ୍କୁ ଚଢ଼ି ଆସି ଆପଣା ନିକଟରେ ବସିବାକୁ ବିନତି କଲେ। 32 ଶାସ୍ତ୍ରର ଯେଉଁ ଅଂଶ ସେ ପାଠ କରୁଥିଲେ, ତାହା ଏହି,

     “ସେ ମେଷ ତୁଲ୍ୟ ହତ ହେବା ନିମନ୍ତେ ନିଆଗଲେ

         ପୁଣି, ଲୋମଚ୍ଛେଦକ ସମ୍ମୁଖରେ ମେଷଶାବକ ଯେପରି ନୀରବ ରୁହେ,

         ସେହିପରି ସେ ଆପଣା ମୁଖ ଫିଟାଇଲେ ନାହିଁ।

     33 ତାହାଙ୍କ ଅବନତ ହେବାରେ ତାହାଙ୍କ ଦଣ୍ଡ ଅପସାରିତ ହେଲା;

         ତାହାଙ୍କ ବଂଶ କିଏ ବର୍ଣ୍ଣନା କରିପାରିବ?

         କାରଣ ତାହାଙ୍କ ପ୍ରାଣ ପୃଥିବୀରୁ ଅପସାରିତ ହେଲା।”

34 ନପୁଂସକ ଉତ୍ତର ଦେଇ ଫିଲିପ୍ପଙ୍କୁ କହିଲେ, ମୁଁ ଆପଣଙ୍କୁ ନିବେଦନ କରେ, ଭାବବାଦୀ କାହା ବିଷୟରେ ଏ କଥା କହନ୍ତି? ଆପଣା ବା ଆଉ କାହା ବିଷୟରେ? 35 ସେଥିରେ ଫିଲିପ୍ପ ମୁଖ ଫିଟାଇ ଶାସ୍ତ୍ରର ଏହି ବାକ୍ୟରୁ ଆରମ୍ଭ କରି ତାହାଙ୍କ ନିକଟରେ ଯୀଶୁଙ୍କ ସୁସମାଚାର ପ୍ରଚାର କଲେ। 36 ଆଉ ସେମାନେ ପଥରେ ଯାଉ ଯାଉ କୌଣସି ଗୋଟିଏ ଜଳାଶୟ ନିକଟରେ ଉପସ୍ଥିତ ହେଲେ; ସେଥିରେ ନପୁଂସକ କହିଲେ, ଏଠାରେ ତ ଜଳ ଅଛି, ମୋହର ବାପ୍ତିଜିତ ହେବା ନିମନ୍ତେ କଅଣ ବାଧା ଅଛି? 37 [ଫିଲିପ୍ପ କହିଲେ, ଆପଣ ସମସ୍ତ ଅନ୍ତଃକରଣ ସହିତ ଯଦି ବିଶ୍ୱାସ କରନ୍ତି, ତାହାହେଲେ ହୋଇପାରେ। ସେଥିରେ ସେ ଉତ୍ତର ଦେଲେ, ଯୀଶୁ ଖ୍ରୀଷ୍ଟ ଯେ ଈଶ୍ବରଙ୍କ ପୁତ୍ର, ଏହା ମୁଁ ବିଶ୍ୱାସ କରୁଅଛି।] 38 ପୁଣି, ସେ ରଥ ଠିଆ କରିବାକୁ ଆଜ୍ଞା ଦେଲେ, ଆଉ ଫିଲିପ୍ପ ଓ ନପୁଂସକ ଉଭୟ ଜଳ ଭିତରକୁ ଓହ୍ଲାଇଗଲେ, ଆଉ ଫିଲିପ୍ପ ତାହାଙ୍କୁ ବାପ୍ତିସ୍ମ ଦେଲେ। 39 ସେମାନେ ଜଳ ମଧ୍ୟରୁ ଉଠି ଆସନ୍ତେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ଘେନିଗଲେ, ପୁଣି, ନପୁଂସକ ତାହାଙ୍କୁ ଆଉ ଦେଖିଲେ ନାହିଁ; ତଥାପି ସେ ଆନନ୍ଦ କରୁ କରୁ ଆପଣା ପଥରେ ଚାଲିଗଲେ। 40 କିନ୍ତୁ ଫିଲିପ୍ପ ଅଷ୍‌ଦୋଦ୍ ନାମକ ନଗରରେ ଦେଖାଗଲେ, ଆଉ ସେ ଯାଉ ଯାଉ ନଗରେ ନଗରେ ସୁସମାଚାର ପ୍ରଚାର କରି କାଇସରିୟା ସହରରେ ଯାଇ ପହଞ୍ଚିଲେ।

Chapter 9

ଶାଉଲଙ୍କ ମନ-ପରିବର୍ତ୍ତନ

(ପ୍ରେରିତ 22:6-16; 26:12-18)

1 କିନ୍ତୁ ଶାଉଲ ଏପର୍ଯ୍ୟନ୍ତ ସୁଦ୍ଧା ପ୍ରଭୁଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ଭୟ ଓ ପ୍ରାଣନାଶର କଥା କହି ମହାଯାଜକଙ୍କ ନିକଟକୁ ଗଲେ, 2 ପୁଣି, ଏହି ମାର୍ଗର ଯେକୌଣସି ପୁରୁଷ କି ସ୍ତ୍ରୀର ଦେଖା ପାଆନ୍ତି, ସେମାନଙ୍କୁ ଯେପରି ବାନ୍ଧି ଯିରୂଶାଲମ ସହରକୁ ଆଣି ପାରନ୍ତି, ଏଥିସକାଶେ ଦମ୍ମେଶକର ସମସ୍ତ ସମାଜଗୃହ ନିକଟକୁ ତାହାଙ୍କଠାରୁ ପତ୍ର ମାଗିଲେ। 3 ପରେ ସେ ଯାଉ ଯାଉ ଦମ୍ମେଶକର ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ୍ ଆକାଶରୁ ଆଲୋକ ତାହାଙ୍କ ଚାରିଆଡ଼େ ଚମକି ଉଠିଲା। 4 ସେଥିରେ ସେ ଭୂମିରେ ପଡ଼ିଯାଇ ତାହାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ, “ହେ ଶାଉଲ, ହେ ଶାଉଲ କାହିଁକି ଆମ୍ଭକୁ ତାଡ଼ନା କରୁଅଛ?” 5 ସେ କହିଲେ, ହେ ପ୍ରଭୁ, ଆପଣ କିଏ? ଆଉ ସେ କହିଲେ, “ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଅଛ, ଆମ୍ଭେ ସେହି ଯୀଶୁ।” 6 “କିନ୍ତୁ ଉଠ, ନଗରରେ ପ୍ରବେଶ କର, ଆଉ ତୁମ୍ଭକୁ କଅଣ କରିବାକୁ ହେବ, ତାହା କୁହାଯିବ।” 7 ଯେଉଁ ଲୋକମାନେ ତାହାଙ୍କ ସାଙ୍ଗରେ ଯାତ୍ରା କରୁଥିଲେ, ସେମାନେ ସେହି ଶବ୍ଦ ଶୁଣି କାହାରିକୁ ନ ଦେଖିବାରୁ ଅବାକ୍ ହୋଇ ରହିଲେ। 8 ପୁଣି, ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ, ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ। ଏଣୁ ସେମାନେ ତାହାଙ୍କ ହାତ ଧରି ତାହାଙ୍କୁ ଦମ୍ମେଶକ ସହରକୁ ଘେନିଗଲେ। 9 ଆଉ, ସେ ତିନି ଦିନ ପର୍ଯ୍ୟନ୍ତ ଦୃଷ୍ଟିହୀନ ହୋଇ ରହିଲେ, ପୁଣି, କିଛି ଖାଇଲେ ନାହିଁ କି ପିଇଲେ ନାହିଁ। 10 ଦମ୍ମେଶକରେ ହନନୀୟ ନାମକ ଜଣେ ଶିଷ୍ୟ ଥିଲେ; ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହନନୀୟ।” ସେ କହିଲେ, ହେ ପ୍ରଭୁ, ଆଜ୍ଞା କରିବା ହେଉନ୍ତୁ। 11 ସେଥିରେ ପ୍ରଭୁ ତାହାଙ୍କୁ କହିଲେ, “ଉଠ, ସଳଖ ନାମକ ପଥକୁ ଯାଇ ଯିହୂଦାର ଗୃହରେ ତାର୍ଷ ସହରର ଶାଉଲ ନାମକ ଜଣେ ବ୍ୟକ୍ତିର ଅନୁସନ୍ଧାନ କର; କାରଣ ଦେଖ, ସେ ପ୍ରାର୍ଥନା କରୁଅଛି; 12 ଆଉ, ସେ ଯେପରି ଦୃଷ୍ଟିପ୍ରାପ୍ତ ହୁଏ, ଏଥିନିମନ୍ତେ ହନନୀୟ ନାମକ ଜଣେ ଲୋକ ଆସି ତାହା ଉପରେ ହସ୍ତାର୍ପଣ କରୁଅଛି ବୋଲି ସେ ଦର୍ଶନ ପାଇଅଛି।” 13 କିନ୍ତୁ ହନନୀୟ ଉତ୍ତର ଦେଲେ, ପ୍ରଭୁ, ଯିରୂଶାଲମ ସହରରେ ଆପଣଙ୍କ ସାଧୁମାନଙ୍କ ପ୍ରତି ଏହି ଲୋକ ଯେ କେତେ ଅତ୍ୟାଚାର କରିଅଛି, ତାହା ମୁଁ ଅନେକଙ୍କଠାରୁ ଏହି ଲୋକ ବିଷୟରେ ଶୁଣିଅଛି। 14 ଆଉ, ଏହି ସ୍ଥାନରେ ଯେତେ ଲୋକ ଆପଣଙ୍କ ନାମରେ ପ୍ରାର୍ଥନା କରନ୍ତି, ସେମାନଙ୍କୁ ବାନ୍ଧିବା ନିମନ୍ତେ ସେ ପ୍ରଧାନ ଯାଜକମାନଙ୍କ ପାଖରୁ କ୍ଷମତା ପାଇଅଛି। 15 କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ଯାଅ; କାରଣ ସେ ଅଣଯିହୁଦୀ, ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନୀତ ପାତ୍ର ଅଟେ; 16 ଯେଣୁ ଆମ୍ଭର ନାମ ସକାଶେ ତାହାକୁ ଯେ କେତେ ଦୁଃଖଭୋଗ କରିବାକୁ ହେବ, ତାହା ଆମ୍ଭେ ତାହାକୁ ଜଣାଇବା।” 17 ସେଥିରେ ହନନୀୟ ପ୍ରସ୍ଥାନ କରି ସେହି ଗୃହରେ ପ୍ରବେଶ କଲେ, ପୁଣି, ତାହାଙ୍କ ଉପରେ ହସ୍ତାର୍ପଣ କରି କହିଲେ, ଶାଉଲ ଭାଇ, ପ୍ରଭୁ, ଅର୍ଥାତ୍‍, ଯେଉଁ ଯୀଶୁ ତୁମ୍ଭର ଆସୁଥିବା ପଥରେ ତୁମ୍ଭକୁ ଦର୍ଶନ ଦେଲେ, ତୁମ୍ଭେ ଯେପରି ଦୃଷ୍ଟିପ୍ରାପ୍ତ ହୁଅ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ, ଏଥିନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି। 18 ସେହିକ୍ଷଣି ତାହାଙ୍କ ଆଖିରୁ କାତି ପରି କଅଣ ଖସିପଡ଼ିଲା ଓ ସେ ଦୃଷ୍ଟି ପାଇଲେ; ପୁଣି, ସେ ଉଠି ବାପ୍ତିଜିତ ହେଲେ, 19 ଆଉ ସେ ଭୋଜନ କରି ବଳ ପାଇଲେ। ଏଥିଉତ୍ତାରେ ସେ ଦମ୍ମେଶକରେ ଥିବା ଶିଷ୍ୟମାନଙ୍କ ସହିତ କେତେକ ଦିନ ରହିଲେ;

ଦମ୍ମେଶକରେ ଶାଉଲଙ୍କ ପ୍ରଚାର

20 ପୁଣି, ଯୀଶୁ ଯେ ଈଶ୍ବରଙ୍କର ପୁତ୍ର, ଏହା ସେ ଅବିଳମ୍ବରେ ସମାଜଗୃହ ସମୂହରେ ଘୋଷଣା କରିବାକୁ ଲାଗିଲେ। 21 ଆଉ, ଯେଉଁମାନେ ତାହାଙ୍କ କଥା ଶୁଣିଲେ, ସେମାନେ ସମସ୍ତେ ଆଚମ୍ବିତ ହୋଇ କହିବାକୁ ଲାଗିଲେ, ଏହି ନାମ ଧରି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ଯେ ଯିରୂଶାଲମ ସହରରେ ବିନଷ୍ଟ କରୁଥିଲା, ଆଉ ଯେପରି ସେମାନଙ୍କୁ ବାନ୍ଧି ପ୍ରଧାନ ଯାଜକମାନଙ୍କ ନିକଟକୁ ଘେନିଯାଇ ପାରେ, ସେହି ଅଭିପ୍ରାୟରେ ଏହି ସ୍ଥାନକୁ ଆସିଥିଲା, ଏ କି ସେହି ନୁହେଁ? 22 କିନ୍ତୁ, ଶାଉଲ ଅଧିକତର ଶକ୍ତିଶାଳୀ ହୋଇ ଉଠିଲେ, ପୁଣି, ଏ ଯେ ଖ୍ରୀଷ୍ଟ, ଏହା ପ୍ରମାଣ କରି ଦମ୍ମେଶକନିବାସୀ ଯିହୁଦୀମାନଙ୍କୁ ନିରୁତ୍ତର କରିଦେଉଥିଲେ। 23 ଅନେକ ଦିନ ଗତ ହେଲା ଉତ୍ତାରେ ଯିହୁଦୀମାନେ ତାହାଙ୍କୁ ବଧ କରିବା ପାଇଁ ଏକତ୍ର ମନ୍ତ୍ରଣା କଲେ; 24 କିନ୍ତୁ ସେମାନଙ୍କର ଚକ୍ରାନ୍ତ ଶାଉଲଙ୍କର କର୍ଣ୍ଣଗୋଚର ହେଲା। ଆଉ, ସେମାନେ ଯେପରି ତାହାଙ୍କୁ ବଧ କରିପାରନ୍ତି, ଏଥିନିମନ୍ତେ ଦିବାରାତ୍ର ମଧ୍ୟ ନଗରଦ୍ୱାରସବୁ ଜଗି ରହିଲେ, 25 କିନ୍ତୁ ତାହାଙ୍କର ଶିଷ୍ୟମାନେ ରାତ୍ରିକାଳରେ ତାହାଙ୍କୁ ଘେନି ଗୋଟିଏ ଟୋକେଇରେ ପ୍ରାଚୀର ଦେଇ ତଳକୁ ଓହ୍ଲାଇଦେଲେ।

ଯିରୂଶାଲମ ସହରରେ ଶାଉଲ

26 ପରେ ସେ ଯିରୂଶାଲମ ସହରକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ; ମାତ୍ର ସେ ଯେ ଜଣେ ଶିଷ୍ୟ, ଏହା ବିଶ୍ୱାସ ନ କରି ସମସ୍ତେ ତାହାଙ୍କୁ ଭୟ କରୁଥିଲେ। 27 କିନ୍ତୁ ବର୍ଣ୍ଣବ୍ବା ତାହାଙ୍କୁ ସଙ୍ଗରେ ଘେନି ପ୍ରେରିତମାନଙ୍କ ନିକଟକୁ ଆଣିଲେ, ପୁଣି, ବାଟରେ ସେ କିପରି ପ୍ରଭୁଙ୍କର ଦର୍ଶନ ପାଇଥିଲେ ଓ ସେ ଯେ ତାହାଙ୍କ ସହିତ କଥା କହିଥିଲେ, ଆଉ କିପ୍ରକାରେ ସେ ଦମ୍ମେଶକରେ ଯୀଶୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିଥିଲେ, ଏହିସବୁ ସେ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ। 28 ଆଉ, ସେ ସେମାନଙ୍କ ସହିତ ଯିରୂଶାଲମ ସହରରେ ଗମନାଗମନ କରି, 29 ପ୍ରଭୁଙ୍କର ନାମ ସାହସପୂର୍ବକ ପ୍ରଚାର କରିବାକୁ ଲାଗିଲେ, ପୁଣି, ସେ ଗ୍ରୀକ୍‍ ଭାଷାବାଦୀ ଯିହୁଦୀମାନଙ୍କ ସହିତ କଥାବାର୍ତ୍ତା ଓ ତର୍କବିତର୍କ କରୁଥିଲେ, କିନ୍ତୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରିବାକୁ ଲାଗିଲେ। 30 ତାହା ଜାଣି ପାରି ଭାଇମାନେ ତାହାଙ୍କୁ କାଇସରିୟାକୁ ଘେନିଯାଇ ତାର୍ଷକୁ ପଠାଇଦେଲେ। 31 ଏହି ପ୍ରକାରେ ସମୁଦାୟ ଯିହୂଦିୟା ପ୍ରଦେଶ, ଗାଲିଲୀ ଓ ଶମିରୋଣ ମଣ୍ଡଳୀ ନିଷ୍ଠାପ୍ରାପ୍ତ ହୋଇ ଓ ପ୍ରଭୁଙ୍କର ଭୟରେ ଆଚରଣ କରି ଶାନ୍ତି ଭୋଗ କଲେ, ପୁଣି, ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବୃଦ୍ଧି ପାଇବାକୁ ଲାଗିଲେ।

ଲୂଦ ଓ ଯାଫୋରେ ପିତର

32 ଇତିମଧ୍ୟରେ ପିତର ସମସ୍ତ ଅଞ୍ଚଳ ଭ୍ରମଣ କରୁ କରୁ ଲୂଦ ନଗରବାସୀ ସାଧୁମାନଙ୍କ ନିକଟକୁ ମଧ୍ୟ ଆସିଲେ। 33 ସେ ସ୍ଥାନରେ ସେ ଏନୀୟ ନାମକ ଜଣେ ଲୋକଙ୍କର ଦେଖାପାଇଲେ, ସେ ଆଠ ବର୍ଷ ପର୍ଯ୍ୟନ୍ତ ଶଯ୍ୟାଶାୟୀ ଥିଲେ; ତାହାଙ୍କୁ ପକ୍ଷାଘାତ ହୋଇଥିଲା। 34 ପିତର ତାହାଙ୍କୁ କହିଲେ, ଏନୀୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଅଛନ୍ତି; ଉଠ, ତୁମ୍ଭର ଶେଯ ସଜାଡ଼। ସେଥିରେ ସେ ସେହିକ୍ଷଣି ଉଠିଲେ। 35 ଆଉ, ଲୂଦ ଓ ଶାରୋଣନିବାସୀ ସମସ୍ତେ ତାହାଙ୍କୁ ଦେଖି ପ୍ରଭୁଙ୍କ ପ୍ରତି ଫେରିଲେ। 36 ଯାଫୋ ସହରରେ ଟାବୀଥା ନାମକ ଜଣେ ଶିଷ୍ୟା ଥିଲେ, ଅନୁବାଦ କଲେ ଏହି ନାମର ଅର୍ଥ ଦର୍କା। ସେ ନାନା ସତ୍କର୍ମ ଓ ଦାନ-କ୍ରିୟାରେ ପୂର୍ଣ୍ଣ ଥିଲେ। 37 ସେହି ସମୟରେ ସେ ପୀଡ଼ିତା ହୋଇ ପ୍ରାଣତ୍ୟାଗ କଲେ, ସେଥିରେ ସେମାନେ ତାହାଙ୍କୁ ସ୍ନାନ କରାଇ ଗୋଟିଏ ଉପର କୋଠରୀରେ ଶୁଆଇଦେଲେ। 38 ପୁଣି, ଲୂଦ ଯାଫୋ ସହରର ନିକଟବର୍ତ୍ତୀ ଥିବାରୁ ଶିଷ୍ୟମାନେ ପିତର ସେଠାରେ ଅଛନ୍ତି ବୋଲି ଶୁଣି, ଦୁଇ ଜଣ ଲୋକଙ୍କୁ ତାହାଙ୍କ ନିକଟକୁ ପଠାଇ ଏହା ନିବେଦନ କଲେ, ଆମ୍ଭମାନଙ୍କ ନିକଟକୁ ଆସିବା ପାଇଁ ବିଳମ୍ବ କରନ୍ତୁ ନାହିଁ। 39 ଏଣୁ ପିତର ଉଠି ସେମାନଙ୍କ ସାଙ୍ଗରେ ଗଲେ। ସେ ଆସନ୍ତେ, ସେମାନେ ତାହାଙ୍କୁ ସେହି ଉପର କୋଠରୀକୁ ଘେନିଗଲେ, ଆଉ ବିଧବାମାନେ ସମସ୍ତେ ତାହାଙ୍କୁ ଘେରି ବିଳାପ କରୁ କରୁ, ଦର୍କା ସେମାନଙ୍କ ସାଙ୍ଗରେ ଥିବା ସମୟରେ ଯେଉଁ ସବୁ ଅଙ୍ଗରଖା ଓ ବସ୍ତ୍ରଗୁଡ଼ିକ ବୁଣିଥିଲେ, ସେହିସବୁ ଦେଖାଇବାକୁ ଲାଗିଲେ। 40 କିନ୍ତୁ, ପିତର ସମସ୍ତଙ୍କୁ ବାହାର କରିଦେଇ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ, ପୁଣି, ଶବ ଆଡ଼କୁ ବୁଲିପଡ଼ି କହିଲେ, ଟାବୀଥା, ଉଠ। ସେଥିରେ ସେ ଆଖି ମେଲା କଲେ, ଆଉ ପିତରକୁ ଦେଖି ଉଠି ବସିଲେ। 41 ପୁଣି, ସେ ହାତ ଦେଇ ତାହାଙ୍କୁ ଉଠାଇଲେ ଏବଂ ସାଧୁମାନଙ୍କୁ ଓ ବିଧବାମାନଙ୍କୁ ଡାକି ତାହାଙ୍କୁ ଜୀବିତ ଦେଖାଇଲେ। 42 ଏହି କଥା ଯାଫୋ ସହରର ସବୁଆଡ଼େ ଜଣାପଡ଼ିଲା ଓ ଅନେକେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ। 43 ପୁଣି, ପିତର ଅନେକ ଦିନ ଯାଫୋ ସହରରେ ଶିମୋନ ନାମକ ଜଣେ ଚର୍ମକାରକ ସହିତ ବାସ କଲେ।

Chapter 10

ପିତର ଓ କର୍ଣ୍ଣିଲୀୟ

1 କାଇସରିୟା ନଗରରେ କର୍ଣ୍ଣିଲୀୟ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଇତାଲିକ ନାମକ ସୈନ୍ୟଦଳର ଜଣେ ଶତ-ସେନାପତି ଥିଲେ; 2 ସେ ଜଣେ ଭକ୍ତ, ଆଉ ସପରିବାରରେ ଈଶ୍ବରଙ୍କୁ ଭୟ କରୁଥିଲେ। ସେ ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ, ଆଉ ସର୍ବଦା ଈଶ୍ବରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ। 3 ଦିନେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ସେ ସ୍ପଷ୍ଟ ରୂପେ ଗୋଟିଏ ଦର୍ଶନ ପାଇଲେ, ଯେପରି ଈଶ୍ବରଙ୍କର ଜଣେ ଦୂତ ତାହାଙ୍କ ନିକଟକୁ ଆସି କହୁଅଛନ୍ତି, ହେ କର୍ଣ୍ଣିଲୀୟ। 4 ସେ ସେଥିରେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ଭୀତ ହୋଇ କହିଲେ, ହେ ପ୍ରଭୁ କଅଣ? ସେ ତାହାଙ୍କୁ କହିଲେ, ତୁମ୍ଭର ପ୍ରାର୍ଥନା ଓ ଦାନସବୁ ସ୍ମରଣାର୍ଥକ ବଳି ସ୍ୱରୂପେ ଊର୍ଦ୍ଧ୍ୱରେ ଈଶ୍ବରଙ୍କ ଛାମୁରେ ଉଠିଅଛି। 5 ଏବେ ତୁମ୍ଭେ ଯାଫୋ ସହରକୁ ଲୋକ ପଠାଇ ଶିମୋନଙ୍କୁ ଡକାଇ ଆଣ, ତାହାଙ୍କ ଉପନାମ ପିତର; 6 ସେ ଶିମୋନ ନାମକ ଜଣେ ଚର୍ମକାରକଙ୍କ ଅତିଥି ସ୍ୱରୂପେ ବାସ କରୁଅଛନ୍ତି, ତାହାଙ୍କ ଘର ସମୁଦ୍ରକୂଳରେ। 7 ତାହାଙ୍କ ସାଙ୍ଗରେ କଥା କହୁଥିବା ଦୂତ ଗଲା ପରେ ସେ ଆପଣା ଗୃହର ଦାସମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ, ପୁଣି, ତାହାଙ୍କର ସେବା କରୁଥିବା ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଭକ୍ତ ସୈନ୍ୟକୁ ଡାକିଲେ, 8 ଆଉ ସେମାନଙ୍କୁ ସମସ୍ତ କଥା ବୁଝାଇ ଯାଫୋ ସହରକୁ ପଠାଇଲେ।

ପିତରଙ୍କ ଦର୍ଶନ

9 ପରଦିନ ସେମାନେ ଯାଉ ଯାଉ ଯେତେବେଳେ ସେହି ନଗରର ନିକଟବର୍ତ୍ତୀ ହେଲେ, ସେତେବେଳେ ପିତର ପ୍ରାୟ ଦିନ ବାର ଘଣ୍ଟା ସମୟରେ ପ୍ରାର୍ଥନା କରିବା ନିମନ୍ତେ ଛାତ ଉପରକୁ ଗଲେ, 10 ଆଉ ସେ କ୍ଷୁଧିତ ହୋଇ ଖାଇବାକୁ ଇଚ୍ଛା କଲେ, କିନ୍ତୁ ସେମାନେ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ସେ ମୂର୍ଚ୍ଛିତ ହୋଇ ଦର୍ଶନ ଦେଖିଲେ, 11 ଆକାଶ ଖୋଲା ହୋଇଅଛି, ପୁଣି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇ ଦିଆଯାଉଅଛି; 12 ସେଥିରେ ପୃଥିବୀର ସବୁପ୍ରକାର ଚାରିଗୋଡ଼ିଆ ପ୍ରାଣୀ, ସରୀସୃପ ଓ ଆକାଶର ପକ୍ଷୀଗୁଡ଼ିକ ଅଛନ୍ତି। 13 ଆଉ, ତାହାଙ୍କ ପ୍ରତି ଏହି ବାଣୀ ହେଲା, “ହେ ପିତର, ଉଠ, ବଧ କରି ଖାଅ।” 14 କିନ୍ତୁ ପିତର କହିଲେ, ନାହିଁ, ପ୍ରଭୁ, ମୁଁ କେବେହେଲେ କୌଣସି ଅପବିତ୍ର ଓ ଅଶୁଚି ପଦାର୍ଥ ଖାଇ ନାହିଁ। 15 ପୁଣି, ଦ୍ୱିତୀୟ ଥର ତାହାଙ୍କ ପ୍ରତି ଏହି ବାଣୀ ହେଲା, “ଈଶ୍ବର ଯାହା ଶୁଚି କରିଅଛନ୍ତି, ତାହା ତୁମ୍ଭେ ଅଶୁଚି ବୋଲି ନ କୁହ।” 16 ଏହି ପ୍ରକାର ତିନି ଥର ହେଲା, ଆଉ ସଙ୍ଗେ ସଙ୍ଗେ ସେହି ପାତ୍ରଟି ଆକାଶକୁ ଉଠାଇ ନିଆଗଲା। 17 ପିତର ଯେଉଁ ଦର୍ଶନ ପାଇଥିଲେ, ସେଥିର ଅର୍ଥ କଅଣ, ତାହା ଭାବି ସେ ଅବାକ୍ ହେଉଥିବା ସମୟରେ, ଦେଖ, କର୍ଣ୍ଣିଲୀୟଙ୍କ ପ୍ରେରିତ ଲୋକମାନେ ଶିମୋନଙ୍କ ଗୃହର ଅନୁସନ୍ଧାନ କରି ଦ୍ୱାର ନିକଟରେ ଠିଆ ହୋଇ, 18 ପିତର ଉପନାମପ୍ରାପ୍ତ ଶିମୋନ ସେଠାରେ ଅତିଥି ସ୍ୱରୂପେ ବାସ କରୁଅଛନ୍ତି କି ନାହିଁ, ତାହା ଡାକି ପଚାରିଲେ। 19 ପିତର ସେହି ଦର୍ଶନ ବିଷୟ ଚିନ୍ତା କରୁଥିବା ସମୟରେ ଆତ୍ମା ତାହାଙ୍କୁ କହିଲେ, ଦେଖ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଅଛନ୍ତି। 20 ଉଠ, ତଳକୁ ଯାଇ କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯାଅ, କାରଣ ଆମ୍ଭେ ସେମାନଙ୍କୁ ପଠାଇଅଛୁ। 21 ସେଥିରେ ପିତର ସେହି ଲୋକମାନଙ୍କ ନିକଟକୁ ଓହ୍ଲାଇ ଆସି କହିଲେ, ଦେଖ, ତୁମ୍ଭେମାନେ ଯାହାକୁ ଖୋଜୁଅଛ, ମୁଁ ସେହି। ତୁମ୍ଭମାନଙ୍କ ଆସିବାର କାରଣ କଅଣ? 22 ସେମାନେ କହିଲେ, କର୍ଣ୍ଣିଲୀୟ ନାମକ ଜଣେ ଶତ-ସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ବରଙ୍କୁ ଭୟ କରନ୍ତି, ପୁଣି, ସମସ୍ତ ଯିହୁଦୀ ଜାତିଙ୍କ ନିକଟରେ ସୁଖ୍ୟାତି ପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ୱାରା ପ୍ରତ୍ୟାଦେଶ ପାଇଅଛନ୍ତି। 23 ସେଥିରେ ସେ ସେମାନଙ୍କୁ ଭିତରକୁ ଡାକି ନେଇ ସେମାନଙ୍କର ଆତିଥ୍ୟ କଲେ। ତହିଁ ଆରଦିନ ସେ ଉଠି ସେମାନଙ୍କ ସହିତ ପ୍ରସ୍ଥାନ କଲେ, ପୁଣି, ଯାଫୋ ସହରନିବାସୀ ଭାଇମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କ ସାଙ୍ଗରେ ଗଲେ।

କର୍ଣ୍ଣିଲୀୟଙ୍କ ଘରେ ପିତର

24 ପରଦିନ ସେମାନେ କାଇସରିୟାରେ ପ୍ରବେଶ କଲେ, ଆଉ କର୍ଣ୍ଣିଲୀୟ ଆପଣା ଆତ୍ମୀୟ ଓ ନିକଟସ୍ଥ ବନ୍ଧୁମାନଙ୍କୁ ଡାକି ଏକତ୍ର କରି ସେମାନଙ୍କ ଅପେକ୍ଷାରେ ଥିଲେ। 25 ପିତର ପ୍ରବେଶ କରନ୍ତେ କର୍ଣ୍ଣିଲୀୟ ତାହାଙ୍କୁ ଭେଟି ଚରଣ ତଳେ ପଡ଼ି ତାହାଙ୍କୁ ପ୍ରଣାମ କଲେ। 26 କିନ୍ତୁ ପିତର ତାହାଙ୍କୁ ଉଠାଇ କହିଲେ, ଠିଆ ହୁଅ; ମୁଁ ମଧ୍ୟ ଜଣେ ମନୁଷ୍ୟ। 27 ସେଥିରେ ସେ ତାହାଙ୍କ ସାଙ୍ଗରେ ଆଳାପ କରୁ କରୁ ଭିତରକୁ ଯାଇ ଦେଖିଲେ, ଅନେକ ଲୋକ ଏକତ୍ରିତ ହୋଇଅଛନ୍ତି, 28 ଆଉ ସେ ସେମାନଙ୍କୁ କହିଲେ, କୌଣସି ଅଣଯିହୁଦୀ ସାଙ୍ଗରେ ମିଶିବା କିମ୍ବା ତାହା ପାଖକୁ ଯିବା ଯିହୁଦୀ ଲୋକ ପକ୍ଷରେ କିପରି ବିଧିସଙ୍ଗତ ନୁହେଁ, ତାହା ଆପଣମାନେ ଜାଣନ୍ତି; ତଥାପି କୌଣସି ଲୋକକୁ ଅପବିତ୍ର କି ଅଶୁଚି ବୋଲି ନ କହିବାକୁ ଈଶ୍ବର ମୋତେ ଦେଖାଇଅଛନ୍ତି। 29 ସେଥିପାଇଁ ମୋତେ ଆହ୍ୱାନ କରାଯିବା ମାତ୍ରେ ମୁଁ ମଧ୍ୟ ଆପତ୍ତି ନ କରି ଆସିଲି। ଏଣୁ ମୁଁ ପଚାରେ, କି ନିମନ୍ତେ ଆପଣମାନେ ମୋତେ ଡକାଇଅଛନ୍ତି? 30 କର୍ଣ୍ଣିଲୀୟ କହିଲେ, ଚାରି ଦିନ ପୂର୍ବେ ଠିକ୍ ଏହି ସମୟରେ ମୁଁ ଆପଣା ଗୃହରେ ଅପରାହ୍ନ ତିନି ଘଣ୍ଟା ସମୟର ପ୍ରାର୍ଥନା କରୁଥିଲି; ଆଉ ଦେଖନ୍ତୁ, ଉଜ୍ଜ୍ୱଳବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ ସମ୍ମୁଖରେ ଠିଆ ହୋଇ କହିଲେ, କର୍ଣ୍ଣିଲୀୟ, ତୁମ୍ଭର ପ୍ରାର୍ଥନା ଶୁଣାଯାଇଅଛି, 31 ପୁଣି, ତୁମ୍ଭର ଦାନସବୁ ଈଶ୍ବରଙ୍କ ସାକ୍ଷାତରେ ସ୍ମରଣ କରାଯାଇଅଛି। 32 ଅତଏବ ଯାଫୋ ସହରକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ପାଖକୁ ଡକାଇ ଆଣ, ସେ ସମୁଦ୍ରକୂଳରେ ଶିମୋନ ଚର୍ମକାରକଙ୍କ ଗୃହରେ ଅତିଥି ରୂପେ ବାସ କରୁଅଛନ୍ତି। 33 ଏନିମନ୍ତେ ମୁଁ ଅବିଳମ୍ବରେ ଆପଣଙ୍କ ନିକଟକୁ ଲୋକ ପଠାଇଲି, ଆଉ ଆପଣ ଯେ ଆସିଅଛନ୍ତି, ଭଲ କରିଅଛନ୍ତି। ଅତଏବ ପ୍ରଭୁ ଆପଣଙ୍କୁ ଯାହାସବୁ ଆଦେଶ ଦେଇଅଛନ୍ତି, ତାହା ଶୁଣିବା ନିମନ୍ତେ ଆମ୍ଭେମାନେ ସମସ୍ତେ ଈଶ୍ବରଙ୍କ ସାକ୍ଷାତରେ ଉପସ୍ଥିତ ଅଛୁ। 34 ସେଥିରେ ପିତର ମୁଖ ଫିଟାଇ କହିଲେ, ପ୍ରକୃତରେ ବର୍ତ୍ତମାନ ମୁଁ ଜାଣିଲି ଯେ ଈଶ୍ବର ପକ୍ଷପାତ କରନ୍ତି ନାହିଁ,

ପିତରଙ୍କ ଶିକ୍ଷା

35 କିନ୍ତୁ ପ୍ରତ୍ୟେକ ଜାତିରେ ଯେ କେହି ତାହାଙ୍କୁ ଭୟ କରି ଧର୍ମାଚରଣ କରେ, ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ ହୁଏ, ଏହା ମୁଁ ସତ୍ୟ ବୁଝୁଅଛି। 36 ସେ ତ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଶାନ୍ତିର ସୁସମାଚାର ପ୍ରଚାର କରାଇ ଇସ୍ରାଏଲ ସନ୍ତାନମାନଙ୍କ ନିକଟକୁ ଏହି ବାକ୍ୟ ପ୍ରେରଣ କଲେ; ସେହି ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ। 37 ଆପଣମାନେ ଜାଣନ୍ତି ଯେ ବାପ୍ତିଜକ ଯୋହନଙ୍କ ଦ୍ୱାରା ପ୍ରଚାରିତ ବାପ୍ତିସ୍ମ ସମୟ ପରେ ସେହି ସୁସମ୍ବାଦ ଗାଲିଲୀରୁ ଆରମ୍ଭ କରି ସମଗ୍ର ଯିହୂଦିୟା ପ୍ରଦେଶରେ ପ୍ରଚାରିତ ହୋଇଅଛି, 38 ଅର୍ଥାତ୍‍ ନାଜରିତୀୟ ଯୀଶୁଙ୍କ କଥା, କିପରି ଈଶ୍ବର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ବର ତାହାଙ୍କ ସହବର୍ତ୍ତୀ ଥିଲେ। 39 ପୁଣି, ସେ ଯିହୁଦୀମାନଙ୍କ ଦେଶ ଓ ଯିରୂଶାଲମ ସହରରେ ଯାହା ଯାହା ସାଧନ କଲେ, ଆମ୍ଭେମାନେ ସେହି ସମସ୍ତର ସାକ୍ଷୀ; ତାହାଙ୍କୁ ସେମାନେ କ୍ରୁଶରେ ଟଙ୍ଗାଇ ବଧ କଲେ। 40 ତାହାଙ୍କୁ ଈଶ୍ବର ତୃତୀୟ ଦିବସରେ ଉଠାଇ ପ୍ରତ୍ୟକ୍ଷ ହେବାକୁ ଦେଲେ; 41 ସମସ୍ତ ଲୋକଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ ନାହିଁ, ମାତ୍ର ଈଶ୍ବରଙ୍କ ଦ୍ୱାରା ପୂର୍ବନିରୂପିତ ସାକ୍ଷୀ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ। ସେ ମୃତମାନଙ୍କ ମଧ୍ୟରୁ ଉଠିଲା ପରେ ଆମ୍ଭେମାନେ ତାହାଙ୍କ ସହିତ ଭୋଜନପାନ କଲୁ, 42 ଆଉ ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ, ପୁଣି, ମୃତ ଓ ଜୀବିତମାନଙ୍କର ବିଚାରକର୍ତ୍ତା ହେବା ନିମନ୍ତେ ଈଶ୍ବର ତାହାଙ୍କୁ ନିଯୁକ୍ତ କରିଅଛନ୍ତି ବୋଲି ସାକ୍ଷ୍ୟ ଦେବାକୁ ସେ ଆମ୍ଭମାନଙ୍କୁ ଆଜ୍ଞା ଦେଲେ। 43 ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେ ତାହାଙ୍କ ନାମରେ ପାପ କ୍ଷମା ପାଇବ, ଏହା ସମସ୍ତ ଭାବବାଦୀ ତାହାଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି।

ଅଣଯିହୁଦୀମାନଙ୍କର ପବିତ୍ର ଆତ୍ମା ଲାଭ

44 ପିତର ଏହିସବୁ କଥା କହୁଥିବା ସମୟରେ ଯେତେ ଲୋକ ବାକ୍ୟ ଶୁଣୁଥିଲେ, ସେହି ସମସ୍ତଙ୍କ ଉପରେ ପବିତ୍ର ଆତ୍ମା ଅବତରଣ କଲେ। 45 ସେଥିରେ ପିତରଙ୍କ ସହିତ ଆଗତ ସୁନ୍ନତ ବିଶ୍ୱାସୀମାନେ ସମସ୍ତେ ଅଣଯିହୁଦୀମାନଙ୍କ ଉପରେ ସୁଦ୍ଧା ପବିତ୍ର ଆତ୍ମାଙ୍କ ଦାନ ବୃଷ୍ଟି କରାଯିବା ଦେଖି ଆଚମ୍ଭିତ ହେଲେ; 46 କାରଣ ସେମାନେ ସେମାନଙ୍କୁ ବିଭିନ୍ନ ଭାଷାରେ କଥା କହୁଥିବା ଓ ଈଶ୍ବରଙ୍କ ପ୍ରଶଂସା କରୁଥିବା ଶୁଣୁଥିଲେ। 47 ସେତେବେଳେ ପିତର ଉତ୍ତର ଦେଲେ, ଏହି ଯେଉଁ ଲୋକମାନେ ଆମ୍ଭମାନଙ୍କ ପରି ପବିତ୍ର ଆତ୍ମା ପ୍ରାପ୍ତ କରିଅଛନ୍ତି, ଏମାନେ ଯେପରି ବାପ୍ତିଜିତ ନ ହୁଅନ୍ତି, ସେଥିନିମନ୍ତେ କଅଣ କେହି ଜଳକୁ ନିଷେଧ କରିପାରିବ? 48 ପୁଣି, ସେ ସେମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେବା ନିମନ୍ତେ ଆଦେଶ ଦେଲେ। ପରେ ସେମାନେ କିଛି ଦିନ ରହିବା ପାଇଁ ତାହାଙ୍କୁ ଅନୁରୋଧ କଲେ।

Chapter 11

ଯିରୂଶାଲମ ମଣ୍ଡଳୀରେ ପିତରଙ୍କ ବିବୃତି

1 ଅଣଯିହୁଦୀମାନେ ମଧ୍ୟ ଯେ ଈଶ୍ବରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି, ଏହା ପ୍ରେରିତମାନେ ଓ ଯିହୂଦିୟା ପ୍ରଦେଶରେ ଥିବା ଭାଇମାନେ ଶୁଣିଲେ। 2 ଆଉ, ଯେତେବେଳେ ପିତର ଯିରୂଶାଲମ ସହରକୁ ଆସିଲେ, ସେତେବେଳେ ସୁନ୍ନତି ଶିଷ୍ୟମାନେ ତାହାଙ୍କ ସହିତ ବିବାଦ କରି କହିଲେ, 3 ତୁମ୍ଭେ ଅସୁନ୍ନତି ବିଶ୍ୱାସୀମାନଙ୍କ ଗୃହରେ ପ୍ରବେଶ କରି ସେମାନଙ୍କ ସହିତ ଭୋଜନ କରିଅଛ। 4 କିନ୍ତୁ ପିତର ବିଷୟଟିର ସବୁ କଥା ବୁଝାଇବାକୁ ଆରମ୍ଭ କରି କହିଲେ, 5 ମୁଁ ଯାଫୋ ନଗରରେ ପ୍ରାର୍ଥନା କରୁଥିଲି ଏବଂ ମୂର୍ଚ୍ଛିତ ହୋଇ ଏହି ଦର୍ଶନ ପାଇଲି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ଆକାଶରୁ ଖସାଇ ଦିଆଯାଉଅଛି, 6 ଆଉ ତାହା ମୋ ପର୍ଯ୍ୟନ୍ତ ଆସିଲା; ମୁଁ ତାହା ପ୍ରତି ଏକଦୃଷ୍ଟିରେ ଚାହିଁ ଚିନ୍ତା କରିବାକୁ ଲାଗିଲି ଓ ସେଥିରେ ପୃଥିବୀର ଚାରିଗୋଡ଼ିଆ ପ୍ରାଣୀ, ବନ୍ୟ-ପଶୁ, ସରୀସୃପ ଓ ଆକାଶର ପକ୍ଷୀସବୁ ଦେଖିଲି, 7 ପୁଣି, ମୋତେ କୁହାଯାଉଥିବା ଗୋଟିଏ ବାଣୀ ମଧ୍ୟ ମୁଁ ଶୁଣିଲି, “ହେ ପିତର, ଉଠ, ବଧ କରି ଭୋଜନ କର।” 8 କିନ୍ତୁ ମୁଁ କହିଲି, ନାହିଁ, ପ୍ରଭୁ ଅପବିତ୍ର କି ଅଶୁଚି ବସ୍ତୁ ମୋହର ମୁଖରେ କେବେହେଲେ ପ୍ରବେଶ କରି ନାହିଁ। 9 କିନ୍ତୁ ଦ୍ୱିତୀୟ ଥର ଆକାଶରୁ ଗୋଟିଏ ସ୍ୱର ଉତ୍ତର ଦେଲା, “ଈଶ୍ବର ଯାହା ଶୁଚି କରିଅଛନ୍ତି, ତୁମ୍ଭେ ତାହା ଅଶୁଚି ବୋଲି ନ କୁହ।” 10 ଏହି ପ୍ରକାରେ ତିନି ଥର ହେଲା, ପରେ ସମସ୍ତ ପୁନର୍ବାର ଆକାଶକୁ ନିଆଗଲା। 11 ପୁଣି, ଦେଖନ୍ତୁ, ସେହିକ୍ଷଣି ତିନି ଜଣ ଲୋକ, ଆମ୍ଭେମାନେ ଯେଉଁ ଗୃହରେ ଥିଲୁ, ସେଥିର ସମ୍ମୁଖରେ ଆସି ଠିଆ ହେଲେ, ସେମାନେ କାଇସରିୟାରୁ ମୋ ନିକଟକୁ ପ୍ରେରିତ ହୋଇଥିଲେ। 12 ପୁଣି, କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯିବା ନିମନ୍ତେ ଆତ୍ମା ମୋତେ କହିଲେ। ଆଉ, ଏହି ଛଅ ଜଣ ଭାଇ ମଧ୍ୟ ମୋ ସାଙ୍ଗରେ ଗଲେ, ପୁଣି, ଆମ୍ଭେମାନେ ସେହି ବ୍ୟକ୍ତିଙ୍କ ଗୃହରେ ପ୍ରବେଶ କଲୁ। 13 ସେ କିପରି ଜଣେ ଦୂତଙ୍କର ଦର୍ଶନ ପାଇଥିଲେ, ତାହା ଆମ୍ଭମାନଙ୍କୁ ଜଣାଇଲେ, ସେହି ଦୂତ କିପରି ତାହାଙ୍କ ଗୃହରେ ଠିଆ ହୋଇ କହିଲେ, ଯାଫୋ ସହରକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ଡକାଇ ଆଣ; 14 ଯେ ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେ ଓ ତୁମ୍ଭର ସମସ୍ତ ପରିବାର ପରିତ୍ରାଣ ପାଇବ, ସେ ତୁମ୍ଭକୁ ସେହିସବୁ କହିବେ। 15 ପରେ ମୁଁ କଥା କହିବାକୁ ଆରମ୍ଭ କରିବା ସମୟରେ ପବିତ୍ର ଆତ୍ମା ପ୍ରଥମରେ ଆମ୍ଭମାନଙ୍କ ଉପରେ ଅବତରଣ କଲା ପରି ସେମାନଙ୍କ ଉପରେ ସୁଦ୍ଧା ଅବତରଣ କଲେ। 16 ସେତେବେଳେ ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ମୋହର ସ୍ମରଣରେ ପଡ଼ିଲା, “ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ।” 17 ଅତଏବ, ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସମୟରେ ଈଶ୍ବର ଯେପରି ଆମ୍ଭମାନଙ୍କୁ ଦାନ ଦେଇଥିଲେ, ସେହିପରି ଯେବେ ସେମାନଙ୍କୁ ସୁଦ୍ଧା ସମାନ ଦାନ ଦେଲେ, ମୁଁ କିଏ ଯେ ଈଶ୍ବରଙ୍କୁ ପ୍ରତିରୋଧ କରିପାରିଥାନ୍ତି? 18 ଏହି ସମସ୍ତ କଥା ଶୁଣିବାରୁ ସେମାନେ ନିରୁତ୍ତର ହେଲେ ଓ ଈଶ୍ବରଙ୍କର ପ୍ରଶଂସା କରି କହିଲେ, ତେବେ ଈଶ୍ବର ଅଣଯିହୁଦୀମାନଙ୍କୁ ମଧ୍ୟ ଜୀବନପ୍ରାପ୍ତି ନିମନ୍ତେ ମନ-ପରିବର୍ତ୍ତନ ଦାନ କରିଅଛନ୍ତି।

ଆନ୍ତିୟଖିଆର ମଣ୍ଡଳୀ

19 ଇତିମଧ୍ୟରେ ସ୍ତିଫାନଙ୍କ ସକାଶେ ଘଟିଥିବା କ୍ଲେଶ ହେତୁ ଯେଉଁମାନେ ଛିନ୍ନଭିନ୍ନ ହୋଇ ଯାଇଥିଲେ, ସେମାନେ ଫୈନୀକିଆ ଅଞ୍ଚଳ, ସାଇପ୍ରସ୍ ଦ୍ୱୀପ ଓ ଆନ୍ତିୟଖିଆ ସହର ପର୍ଯ୍ୟନ୍ତ ଭ୍ରମଣ କରି କେବଳ ଯିହୁଦୀମାନଙ୍କ ବିନା ଆଉ କାହାରି ନିକଟରେ ବାକ୍ୟ ପ୍ରଚାର କରୁ ନ ଥିଲେ। 20 କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ସାଇପ୍ରସ୍ ଓ କୂରୀଣୀୟ ଲୋକ ଆନ୍ତିୟଖିଆକୁ ଗ୍ରୀକ୍‌ମାନଙ୍କ ନିକଟରେ ମଧ୍ୟ କଥା କହି ପ୍ରଭୁ ଯୀଶୁଙ୍କ ସୁସମାଚାର ପ୍ରଚାର କରିବାକୁ ଲାଗିଲେ। 21 ଆଉ ସେମାନଙ୍କ ସହିତ ପ୍ରଭୁଙ୍କର ହସ୍ତ ଥିଲା, ପୁଣି, ଅନେକ ଅନେକ ଲୋକ ବିଶ୍ୱାସ କରି ପ୍ରଭୁଙ୍କ ପ୍ରତି ଫେରିଲେ। 22 ସେମାନଙ୍କ ବିଷୟକ ସମ୍ବାଦ ଯିରୂଶାଲମସ୍ଥ ମଣ୍ଡଳୀର କର୍ଣ୍ଣଗୋଚର ହେଲା, ସେଥିରେ ସେମାନେ ଆନ୍ତିୟଖିଆ ପର୍ଯ୍ୟନ୍ତ ବର୍ଣ୍ଣବ୍ବାଙ୍କୁ ପ୍ରେରଣ କଲେ। 23 ସେ ଉପସ୍ଥିତ ହୋଇ ଈଶ୍ବରଙ୍କର ଅନୁଗ୍ରହ ଦେଖି ଆନନ୍ଦିତ ହେଲେ, ଆଉ ଯେପରି ସେମାନେ ହୃଦୟର ଏକାଗ୍ରତାରେ ପ୍ରଭୁଙ୍କ ପ୍ରତି ଆସକ୍ତ ହୋଇ ରୁହନ୍ତି, ସେଥିନିମନ୍ତେ ସମସ୍ତଙ୍କୁ ଉତ୍ସାହ ଦେଲେ; 24 କାରଣ ସେ ଜଣେ ଉତ୍ତମ ବ୍ୟକ୍ତି, ପୁଣି, ପବିତ୍ର ଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ। ଏହି ପ୍ରକାରେ ଅନେକ ଅନେକ ଲୋକ ପ୍ରଭୁଙ୍କଠାରେ ସଂଯୁକ୍ତ ହେଲେ। 25 ପରେ ସେ ଶାଉଲଙ୍କୁ ଖୋଜିବା ପାଇଁ ତାର୍ଷକୁ ବାହାରିଗଲେ, 26 ପୁଣି, ସେ ତାହାଙ୍କୁ ପାଇ ଆନ୍ତିୟଖିଆକୁ ଘେନି ଆସିଲେ। ସେମାନେ ସମ୍ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ମଣ୍ଡଳୀର ସହିତ ରହି ଅନେକ ଲୋକଙ୍କୁ ଶିକ୍ଷା ଦେଲେ, ପୁଣି, ଆନ୍ତିୟଖିଆରେ ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିୟାନ ବୋଲି ନାମିତ ହେଲେ। 27 ସେହି ସମୟରେ କେତେକ ଜଣ ଭାବବାଦୀ ଯିରୂଶାଲମ ସହରରୁ ଆନ୍ତିୟଖିଆକୁ ଆସିଲେ। 28 ସେମାନଙ୍କ ମଧ୍ୟରୁ ଆଗାବ ନାମକ ଜଣେ ବ୍ୟକ୍ତି ଉଠି ସମୁଦାୟ ପୃଥିବୀରେ ମହାଦୁର୍ଭିକ୍ଷ ପଡ଼ିବ ବୋଲି ଆତ୍ମାଙ୍କ ଦ୍ୱାରା ଜଣାଇଲେ; ତାହା କ୍ଲାଉଦିଅଙ୍କ ସମୟରେ ଘଟିଲା। 29 ସେଥିରେ ଶିଷ୍ୟମାନେ ପ୍ରତ୍ୟେକ ଜଣ ଆପଣା ଶକ୍ତି ଅନୁସାରେ ଯିହୂଦିୟା ପ୍ରଦେଶ ନିବାସୀ ଭାଇମାନଙ୍କ ନିମନ୍ତେ ସାହାଯ୍ୟ ପ୍ରେରଣ କରିବାକୁ ସ୍ଥିର କଲେ, 30 ଆଉ ସେମାନେ ମଧ୍ୟ ତାହା କରି ବର୍ଣ୍ଣବ୍ବା ଓ ଶାଉଲଙ୍କ ହସ୍ତରେ ପ୍ରାଚୀନମାନଙ୍କ ନିକଟକୁ ପଠାଇଦେଲେ।

Chapter 12

ଯାକୁବ ହତ ଓ ପିତର ବନ୍ଦୀ

1 ପ୍ରାୟ ସେହି ସମୟରେ ହେରୋଦ ରାଜା ମଣ୍ଡଳୀର କେତେକ ଜଣଙ୍କୁ ଅତ୍ୟାଚାର କରିବା ନିମନ୍ତେ ହସ୍ତକ୍ଷେପ କଲେ। 2 ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଡ୍ଗରେ ବଧ କଲେ। 3 ଆଉ ଯିହୁଦୀ ନେତାମାନଙ୍କୁ ସେଥିରେ ସନ୍ତୁଷ୍ଟ ହେବାର ଦେଖି ସେ ପିତରଙ୍କୁ ମଧ୍ୟ ଧରିବାକୁ ଅଗ୍ରସର ହେଲେ। ସେହି ସମୟରେ ଖମୀରଶୂନ୍ୟ ରୁଟିର ପର୍ବ ଥିଲା। 4 ପରେ ସେ ତାହାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ, ପୁଣି, ନିସ୍ତାର ପର୍ବ ଉତ୍ତାରେ ସେ ତାହାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ ଚାରି ଜଣ ଲେଖାଏଁ ଥିବା ଚାରୋଟି ସେନାଦଳ ନିକଟରେ ତାହାଙ୍କୁ ଜଗିବା ପାଇଁ ସମର୍ପଣ କଲେ। 5 ଅତଏବ ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାହାଙ୍କ ନିମନ୍ତେ ମଣ୍ଡଳୀ ଦ୍ୱାରା ଏକାଗ୍ରଭାବେ ଈଶ୍ବରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା।

କାରାଗାରରୁ ପିତରଙ୍କ ଉଦ୍ଧାର

6 ପରେ ହେରୋଦ ଯେଉଁ ଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ ଦୁଇଟା ଜଞ୍ଜିରରେ ବନ୍ଧା ହୋଇ ଦୁଇ ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ, ଆଉ ପ୍ରହରୀମାନେ ଦ୍ୱାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ। 7 ଆଉ ଦେଖ, ପ୍ରଭୁଙ୍କର ଜଣେ ଦୂତ ଉପସ୍ଥିତ ହେଲେ, ପୁଣି, କୋଠରୀଟି ଆଲୋକମୟ ହେଲା, ଆଉ ସେ ପିତରଙ୍କ କକ୍ଷଦେଶରେ ଆଘାତ କରି ତାହାଙ୍କୁ ଉଠାଇ କହିଲେ, ଶୀଘ୍ର ଉଠ। ସେଥିରେ ତାହାଙ୍କ ହାତରୁ ଜଞ୍ଜିର ଖସିପଡ଼ିଲା। 8 ପୁଣି, ଦୂତ ତାହାଙ୍କୁ କହିଲେ, କଟି ବନ୍ଧନ କର ଓ ପାଦୁକା ପିନ୍ଧ। ସେ ସେପରି କଲେ। ଆଉ ସେ ତାହାଙ୍କୁ କହିଲେ, ଆପଣା ବସ୍ତ୍ର ପିନ୍ଧି ମୋହର ପଛେ ପଛେ ଆସ। 9 ସେ ବାହାରି ତାହାଙ୍କ ପଛେ ପଛେ ଗଲେ; କିନ୍ତୁ ଦୂତଙ୍କ ଦ୍ୱାରା ଯାହା କରାଗଲା, ତାହା ଯେ ପ୍ରକୃତ, ସେ ତାହା ନ ବୁଝି ଦର୍ଶନ ଦେଖୁଅଛନ୍ତି ବୋଲି ମନେ କରୁଥିଲେ। 10 ଯେତେବେଳେ ସେମାନେ ପ୍ରଥମ ଓ ଦ୍ୱିତୀୟ ପ୍ରହରୀ-ଦଳ ଅତିକ୍ରମ କରି, ଯେଉଁ ଲୌହଦ୍ୱାର ଦେଇ ନଗରକୁ ଯିବାକୁ ହୁଏ, ତାହା ନିକଟକୁ ଆସିଲେ, ସେତେବେଳେ ସେହି ଦ୍ୱାର ଆପଣା ମନକୁ ସେମାନଙ୍କ ନିମନ୍ତେ ମେଲା ହୋଇଗଲା, ଆଉ ସେମାନେ ବାହାରିଯାଇ ଗୋଟିଏ ଦାଣ୍ଡର ଶେଷ ମୁଣ୍ଡ ଯାଏ ଗଲେ, ପୁଣି, ସେହିକ୍ଷଣି ସେହି ଦୂତ ତାହାଙ୍କଠାରୁ ଅଦୃଶ୍ୟ ହୋଇଗଲେ। 11 ସେତେବେଳେ ପିତର ସଚେତନ ହୋଇ କହିଲେ, ପ୍ରଭୁ ଯେ ଆପଣା ଦୂତଙ୍କୁ ପଠାଇ ହେରୋଦଙ୍କ ହସ୍ତରୁ ଓ ଯିହୁଦୀ ଲୋକମାନଙ୍କ ସମସ୍ତ ଆକାଂକ୍ଷାରୁ ମୋତେ ଉଦ୍ଧାର କରିଅଛନ୍ତି, ଏହା ମୁଁ ଏବେ ନିଶ୍ଚୟ ଜାଣିଲି। 12 ସେ ଏହି କଥା ଆଲୋଚନା କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କ ମାତା ମରୀୟମଙ୍କ ଗୃହକୁ ଆସିଲେ; ସେହି ସ୍ଥାନରେ ଅନେକେ ଏକତ୍ରିତ ହୋଇ ପ୍ରାର୍ଥନା କରୁଥିଲେ। 13 ସେ ବାହାର ଦ୍ୱାରରେ ଆଘାତ କରନ୍ତେ ରୋଦା ନାମକ ଜଣେ ଦାସୀ କିଏ ବୋଲି ପଚାରିବାକୁ ଗଲା। 14 ସେ ପିତରଙ୍କର ସ୍ୱର ବାରି ଆନନ୍ଦ ସକାଶେ ଦ୍ୱାର ନ ଫିଟାଇ ଭିତରକୁ ଦୌଡ଼ିଯାଇ, ଦ୍ୱାର ପାଖରେ ପିତର ଠିଆ ହୋଇଅଛନ୍ତି ବୋଲି କହିଲା। 15 ସେମାନେ ତାହାକୁ କହିଲେ, ତୁ ବାୟାଣୀ। କିନ୍ତୁ ସେ ତାହା ସତ ବୋଲି ଦୃଢ଼ରୂପେ କହିବାକୁ ଲାଗିଲା। ସେମାନେ କହିଲେ, ଏ ତାଙ୍କର ଦୂତ। 16 କିନ୍ତୁ ପିତର ଦ୍ୱାରରେ ବାରମ୍ବାର ଆଘାତ କରୁଥିଲେ, ଆଉ ସେମାନେ ଫିଟାଇ ତାହାଙ୍କୁ ଦେଖି ଆଚମ୍ଭିତ ହେଲେ। 17 କିନ୍ତୁ ସେ ସେମାନଙ୍କୁ ତୁନି ହୋଇ ରହିବା ପାଇଁ ହାତରେ ଠାରି, ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାର କରି ଆଣିଅଛନ୍ତି, ତାହା ସେମାନଙ୍କ ନିକଟରେ ବର୍ଣ୍ଣନା କଲେ। ପୁଣି, ସେ କହିଲେ, ଏହି ସମସ୍ତ କଥା ଯାକୁବ ଓ ଭାଇମାନଙ୍କୁ ଜଣାଅ। ଆଉ ସେ ପ୍ରସ୍ଥାନ କରି ଅନ୍ୟ ସ୍ଥାନକୁ ଚାଲିଗଲେ। 18 ସକାଳ ହେବା ପରେ ପିତର କୁଆଡ଼େ ଗଲେ ବୋଲି ସୈନ୍ୟମାନଙ୍କ ମଧ୍ୟରେ ବଡ଼ ଚହଳ ପଡ଼ିଗଲା। 19 ଆଉ ହେରୋଦ ତାହାଙ୍କୁ ଖୋଜି ନ ପାଇବାରୁ ପ୍ରହରୀମାନଙ୍କୁ ପ୍ରଶ୍ନ କଲା ଉତ୍ତାରେ ସେମାନଙ୍କୁ ବଧ କରିବା ପାଇଁ ଆଜ୍ଞା ଦେଲେ। ପରେ ସେ ଯିହୂଦିୟା ପ୍ରଦେଶରୁ କାଇସରିୟା ସହରକୁ ଯାଇ ସେଠାରେ ରହିଲେ।

ହେରୋଦଙ୍କ ମୃତ୍ୟୁ

20 ସେତେବେଳେ ହେରୋଦ ସୋର ଓ ସୀଦୋନ ଲୋକଙ୍କ ଉପରେ ଭୟଙ୍କର ଅସନ୍ତୁଷ୍ଟ ଥିଲେ, ଆଉ ସେମାନେ ଏକମତ ହୋଇ ତାହାଙ୍କ ନିକଟକୁ ଆସିଲେ ଓ ରାଜାଙ୍କ ଶୟନାଗାରର ଅଧ୍ୟକ୍ଷ ବ୍ଲାସ୍ତଙ୍କୁ ଆପଣାମାନଙ୍କ ସପକ୍ଷ କରି ଶାନ୍ତି ପ୍ରାର୍ଥନା କରିବାକୁ ଲାଗିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟସାମଗ୍ରୀ ଯାଉଥିଲା। 21 ଏଣୁ ଗୋଟିଏ ନିରୂପିତ ଦିନରେ ହେରୋଦ ରାଜବସ୍ତ୍ର ପରିଧାନ କରି ସିଂହାସନରେ ବସି ସେମାନଙ୍କ ନିକଟରେ ଗୋଟିଏ ଭାଷଣ ଦେଲେ; 22 ସେଥିରେ ଲୋକମାନେ ପାଟି କରି କହିବାକୁ ଲାଗିଲେ, ଏ ତ ଦେବତାଙ୍କ ସ୍ୱର ମନୁଷ୍ୟର ସ୍ୱର ନୁହେଁ। 23 ତତ୍‌କ୍ଷଣାତ୍ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କୁ ଆଘାତ କଲେ, କାରଣ ସେ ଈଶ୍ବରଙ୍କୁ ଗୌରବ ଦେଲେ ନାହିଁ, ଆଉ ତାହାଙ୍କୁ ପୋକ ଖାଇବା ଦ୍ୱାରା ସେ ମଲେ। 24 କିନ୍ତୁ ଈଶ୍ବରଙ୍କ ବାକ୍ୟ ବୃଦ୍ଧି ପାଇ ଅଧିକ ବ୍ୟାପିବାକୁ ଲାଗିଲା। 25 ପରେ ବର୍ଣ୍ଣବ୍ବା ଓ ଶାଉଲ ଆପଣାମାନଙ୍କର ସେବାକାର୍ଯ୍ୟ ସମାପ୍ତ କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କୁ ସାଙ୍ଗରେ ଘେନି ଯିରୂଶାଲମ ସହରରୁ ବାହୁଡ଼ିଗଲେ।

Chapter 13

ବର୍ଣ୍ଣବ୍ବା ଓ ଶାଉଲଙ୍କୁ ପ୍ରେରଣ

1 ସେତେବେଳେ ଆନ୍ତିୟଖିଆସ୍ଥିତ ମଣ୍ଡଳୀରେ ବର୍ଣ୍ଣବ୍ବା, ଶିମିୟୋନ, ଯାହାଙ୍କୁ ନିଗର ବୋଲି କହନ୍ତି, କୂରୀଣୀୟ ଲୂକୀୟ, ସାମନ୍ତରାଜା ହେରୋଦଙ୍କ ସହପାଳିତ ମନହେମ୍‍ ଓ ଶାଉଲ, ଏହିପରି ଭାବବାଦୀ ଓ ଶିକ୍ଷକମାନେ ଥିଲେ। 2 ସେମାନେ ପ୍ରଭୁଙ୍କ ସେବା ଓ ଉପବାସ କରୁଥିବା ସମୟରେ ପବିତ୍ର ଆତ୍ମା କହିଲେ, ଯେଉଁ କର୍ମ ନିମନ୍ତେ ଆମ୍ଭେ ବର୍ଣ୍ଣବ୍ବା ଓ ଶାଉଲକୁ ଆହ୍ୱାନ କରିଅଛୁ, ସେଥିପାଇଁ ସେମାନଙ୍କୁ ପୃଥକ୍ କର। 3 ସେଥିରେ ସେମାନେ ଉପବାସ ଓ ପ୍ରାର୍ଥନା କଲା ଉତ୍ତାରେ ସେମାନଙ୍କ ଉପରେ ହସ୍ତାର୍ପଣ କରି ସେମାନଙ୍କୁ ବିଦାୟ ଦେଲେ।

ସାଇପ୍ରସ୍‌ରେ କାର୍ଯ୍ୟ

4 ଏହି ପ୍ରକାରେ ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ସେଲୂକିଆକୁ ଗଲେ; ସେଠାରୁ ସେମାନେ ଜାହାଜରେ ଚଢ଼ି ସାଇପ୍ରସ୍ ଦ୍ବୀପକୁ ଗଲେ। 5 ସେମାନେ ସାଲାମି ସହରରେ ପହଞ୍ଚିଲା ଉତ୍ତାରେ ଯିହୁଦୀମାନଙ୍କ ସମସ୍ତ ସମାଜଗୃହରେ ଈଶ୍ବରଙ୍କ ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ଆଉ ଯୋହନ ମଧ୍ୟ ପରିଚାରକସ୍ୱରୂପେ ସେମାନଙ୍କ ସହିତ ଥିଲେ। 6 ପୁଣି, ସେମାନେ ସମସ୍ତ ଦ୍ୱୀପ ପରିଭ୍ରମଣ କରି ପାଫ ସହରକୁ ଆସି ଜଣେ ମାୟାବୀ ଭଣ୍ଡ ଭାବବାଦୀଙ୍କୁ ଦେଖିଲେ; ସେ ଜଣେ ଯିହୁଦୀ, ଆଉ ତାହାର ନାମ ବର୍ଯୀଶୁ। 7 ସେ ଶାସନକର୍ତ୍ତା ସେର୍ଗିୟ ପାଉଲଙ୍କ ସାଙ୍ଗରେ ଥିଲା, ସେହି ଶାସନକର୍ତ୍ତା ଜଣେ ବୁଦ୍ଧିମାନ ବ୍ୟକ୍ତି। ସେ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଆପଣା ନିକଟକୁ ଡାକି ଈଶ୍ବରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କଲେ। 8 କିନ୍ତୁ ସେହି ମାୟାବୀ ଅଲ୍ଲୀମା (ଅନୁବାଦ କଲେ ଏହି ନାମର ଅର୍ଥ ମାୟାବୀ) ସେହି ଶାସନକର୍ତ୍ତାଙ୍କୁ ବିଶ୍ୱାସରୁ ବିମୁଖ କରିବା ଚେଷ୍ଟାରେ ସେମାନଙ୍କର ପ୍ରତିରୋଧ କରିବାକୁ ଲାଗିଲା। 9 ମାତ୍ର ଶାଉଲ, ଯାହାକୁ ପାଉଲ ମଧ୍ୟ କହନ୍ତି, ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ତାହାକୁ ନିରୀକ୍ଷଣ କରି କହିଲେ, 10 ଆରେ ସମସ୍ତ ପ୍ରକାର ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ ଆଉ ସମସ୍ତ ପ୍ରକାର ଧାର୍ମିକତାର ଶତ୍ରୁ, ଶୟତାନର ସନ୍ତାନ, ତୁମ୍ଭେ ପ୍ରଭୁଙ୍କର ସରଳ ପଥକୁ ବକ୍ର କରିବାରୁ କି କ୍ଷାନ୍ତ ହେବ ନାହିଁ? 11 ଆଉ ଏବେ ଦେଖ, ପ୍ରଭୁଙ୍କର ହସ୍ତ ତୁମ୍ଭ ଉପରେ ରହିଅଛି, ତୁମ୍ଭେ ଅନ୍ଧ ହୋଇ କେତେକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖିବ ନାହିଁ। ସେହିକ୍ଷଣି କୁହୁଡ଼ି ଓ ଅନ୍ଧକାର ତାହାକୁ ଘୋଡ଼ାଇ ପକାଇଲା, ତେଣୁ ତାହାକୁ ହାତ ଧରି ବାଟ କଢ଼ାଇବା ନିମନ୍ତେ ସେ ଏଣେ-ତେଣେ ଦରାଣ୍ଡି ଲୋକ ଖୋଜିବାକୁ ଲାଗିଲା। 12 ସେହି ଶାସନକର୍ତ୍ତା ଏହି ଘଟଣା ଦେଖି ପ୍ରଭୁଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟ ହୋଇ ବିଶ୍ୱାସ କଲେ।

ପିସିଦିଆର ଆନ୍ତିୟଖିଆରେ କାର୍ଯ୍ୟ

13 ପରେ ପାଉଲ ଓ ତାହାଙ୍କ ସଙ୍ଗୀମାନେ ପାଫ ସହରରୁ ଜଳଯାତ୍ରା କରି ପଂଫୂଲିଆ ଦେଶରେ ପର୍ଗୀ ସହରକୁ ଆସିଲେ; କିନ୍ତୁ ଯୋହନ ସେମାନଙ୍କୁ ପରିତ୍ୟାଗ କରି ଯିରୂଶାଲମ ସହରକୁ ବାହୁଡ଼ିଗଲେ। 14 ସେମାନେ ପର୍ଗୀଠାରୁ ଯାତ୍ରା କରି ପିସିଦିଆ ଦେଶରେ ଆନ୍ତିୟଖିଆ ସହରରେ ପହଞ୍ଚିଲେ, ଆଉ ବିଶ୍ରାମବାର ଦିନରେ ସମାଜଗୃହକୁ ଯାଇ ବସିଲେ। 15 ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶାସ୍ତ୍ରପାଠ ପରେ ସମାଜଗୃହର ଅଧ୍ୟକ୍ଷମାନେ ସେମାନଙ୍କ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ନିମନ୍ତେ ଯଦି ଆପଣମାନଙ୍କର କୌଣସି ଉପଦେଶର ବିଷୟ ଅଛି, ତେବେ କହନ୍ତୁ। 16 ସେଥିରେ ପାଉଲ ଠିଆ ହୋଇ ହସ୍ତରେ ସଙ୍କେତ କରି କହିବାକୁ ଲାଗିଲେ, ହେ ଇସ୍ରାଏଲୀୟ ଲୋକମାନେ ଓ ଈଶ୍ବର ଭୟକାରୀମାନେ, ଶ୍ରବଣ କରନ୍ତୁ। 17 ଏହି ଇସ୍ରାଏଲ ଜାତିର ଈଶ୍ବର ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ମନୋନୀତ କଲେ, ଆଉ ସେମାନେ ମିସର ଦେଶରେ ପ୍ରବାସ କରୁଥିବା ସମୟରେ ସେମାନଙ୍କୁ ଉନ୍ନତ କଲେ, ପୁଣି, ପରାକ୍ରମୀ ବାହୁ ଦ୍ୱାରା ସେଠାରୁ ସେମାନଙ୍କୁ କଢ଼ାଇ ଆଣିଲେ। 18 ପରେ ପ୍ରାୟ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେ ସେମାନଙ୍କ ବ୍ୟବହାର ସହ୍ୟ କଲେ, 19 ପୁଣି, କିଣାନ ଦେଶରେ ସାତଗୋଟି ଜାତିକୁ ବିନାଶ କରି ପ୍ରାୟ ଚାରିଶହ ପଚାଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଆପଣା ଦେଶ ଅଧିକାରସ୍ୱରୂପେ ଦେଲେ। 20 ଏଥିଉତ୍ତାରେ ଭାବବାଦୀ ଶାମୁୟେଲଙ୍କ ପର୍ଯ୍ୟନ୍ତ ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ। 21 ତତ୍ପରେ ସେମାନେ ଜଣେ ରାଜା ପାଇବା ନିମନ୍ତେ ପ୍ରାର୍ଥନା କଲେ, ଆଉ ଈଶ୍ବର ଚାଳିଶ ବର୍ଷ ପର୍ଯ୍ୟନ୍ତ ବିନ୍ୟାମୀନ୍ ଗୋଷ୍ଠୀର କୀଶଙ୍କ ପୁତ୍ର ଶାଉଲଙ୍କୁ ସେମାନଙ୍କୁ ଦେଲେ। 22 ପରେ ସେ ତାହାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୀର ପୁତ୍ର ଦାଉଦଙ୍କୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବେ। 23 ତାହାଙ୍କ ବଂଶରୁ ଈଶ୍ବର ପ୍ରତିଜ୍ଞାନୁସାରେ ଇସ୍ରାଏଲ ନିମନ୍ତେ ଜଣେ ତ୍ରାଣକର୍ତ୍ତା; ଅର୍ଥାତ୍‍ ଯୀଶୁଙ୍କୁ ଉତ୍ପନ୍ନ କରିଅଛନ୍ତି। 24 ତାହାଙ୍କ ଆଗମନ ପୂର୍ବେ ଯୋହନ ସମସ୍ତ ଇସ୍ରାଏଲ ଲୋକଙ୍କ ନିକଟରେ ପ୍ରଥମରେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିଥିଲେ; 25 ଆଉ ଯୋହନ ଆପଣାର ନିରୂପିତ କର୍ମ ସମାପ୍ତ କରୁ କରୁ କହିଲେ, ମୁଁ ଯେ ବୋଲି ତୁମ୍ଭେମାନେ ମନେ କରୁଅଛ, ମୁଁ ସେ ନୁହେଁ। କିନ୍ତୁ ଦେଖ, ମୋ ପଛରେ ଜଣେ ଆସୁଅଛନ୍ତି, ତାହାଙ୍କ ପାଦର ପାଦୁକା ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ। 26 ହେ ଭାଇମାନେ, ଅବ୍ରହାମଙ୍କ ବଂଶର ସନ୍ତାନସନ୍ତତି ଓ ଆପଣମାନଙ୍କ ମଧ୍ୟରୁ ଈଶ୍ବର ଭୟକାରୀମାନେ, ଆମ୍ଭମାନଙ୍କ ନିକଟକୁ ଏହି ପରିତ୍ରାଣର ବାକ୍ୟ ପ୍ରେରିତ ହୋଇଅଛି। 27 କାରଣ ଯିରୂଶାଲମ ନିବାସୀମାନେ ଆଉ ସେମାନଙ୍କର ଅଧ୍ୟକ୍ଷଗଣ ତାହାଙ୍କୁ ପୁଣି, ପ୍ରତି ବିଶ୍ରାମବାର ଦିନରେ ପାଠ କରାଯାଉଥିବା ଭାବବାଦୀମାନଙ୍କର ବାକ୍ୟସବୁକୁ ନ ଜାଣିବାରୁ ତାହାଙ୍କୁ ଦୋଷୀ କରି ସେ ସମସ୍ତ ସଫଳ କଲେ, 28 ଆଉ ପ୍ରାଣଦଣ୍ଡର କୌଣସି କାରଣ ନ ପାଇଲେ ସୁଦ୍ଧା ତାହାଙ୍କୁ ବଧ କରିବା ନିମନ୍ତେ ପୀଲାତଙ୍କୁ ନିବେଦନ କଲେ। 29 ପୁଣି, ତାହାଙ୍କ ବିଷୟରେ ଯାହାସବୁ ଲେଖାଅଛି, ସେ ସମସ୍ତ ପୂର୍ଣ୍ଣ କଲା ଉତ୍ତାରେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି ସମାଧିରେ ରଖିଦେଲେ। 30 କିନ୍ତୁ ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, 31 ପୁଣି, ଯେଉଁମାନେ ତାହାଙ୍କ ସହିତ ଗାଲିଲୀରୁ ଯିରୂଶାଲମ ସହରକୁ ଆସିଥିଲେ, ସେମାନେ ଅନେକ ଦିନ ପର୍ଯ୍ୟନ୍ତ ତାହାଙ୍କ ଦର୍ଶନ ପାଇଲେ; ସେମାନେ ବର୍ତ୍ତମାନ ଲୋକମାନଙ୍କ ନିକଟରେ ତାହାଙ୍କର ସାକ୍ଷୀ। 32 ଆଉ ପିତୃ-ପୁରୁଷମାନଙ୍କ ନିକଟରେ କୃତ ପ୍ରତିଜ୍ଞା ବିଷୟରେ ଆମ୍ଭେମାନେ ଆପଣମାନଙ୍କୁ ଏହି ସୁସମାଚାର ଜଣାଉଅଛୁ ଯେ, 33 ଈଶ୍ବର ଯୀଶୁଙ୍କୁ ଉତ୍ଥାପନ କରି ସେମାନଙ୍କର ସନ୍ତାନ ଯେ ଆମ୍ଭେମାନେ, ଆମ୍ଭମାନଙ୍କ ପ୍ରତି ସେହି ପ୍ରତିଜ୍ଞା ସଫଳ କରିଅଛନ୍ତି, ଯେପରି ଗୀତସଂହିତା ଦୁଇ ଅଧ୍ୟାୟରେ ମଧ୍ୟ ଲେଖାଅଛି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ।” 34 ସେ ଯେ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି; ପୁଣି, ସେ ଯେ ଆଉ କ୍ଷୟସ୍ଥାନକୁ ଫେରିବେ ନାହିଁ, ଏହି ବିଷୟରେ ସେ ଏହି ପ୍ରକାର କହିଅଛନ୍ତି,

     “‘ଆମ୍ଭେ ଦାଉଦଙ୍କ ନିକଟରେ ପ୍ରତିଜ୍ଞାତ ପବିତ୍ର ଓ ଅଟଳ ଆଶୀର୍ବାଦ ସବୁ ତୁମ୍ଭମାନଙ୍କୁ ପ୍ରଦାନ କରିବା।’

35 ପୁଣି, ସେ ମଧ୍ୟ ଆଉ ଗୋଟିଏ ଗୀତସଂହିତାରେ କହିଅଛନ୍ତି,

     ‘ତୁମ୍ଭେ ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ।’”

36 ଦାଉଦ ତ ଆପଣା ସମକାଳୀନ ଲୋକମାନଙ୍କ ମଧ୍ୟରେ ଈଶ୍ବରଙ୍କର ସଙ୍କଳ୍ପ ଅନୁସାରେ ସେବକର କାର୍ଯ୍ୟ କଲା ଉତ୍ତାରେ ମହାନିଦ୍ରାପ୍ରାପ୍ତ ହେଲେ ଏବଂ ଆପଣା ପିତୃ-ପୁରୁଷମାନଙ୍କ ନିକଟରେ ସମାଧିସ୍ଥ ହୋଇ କ୍ଷୟ ପାଇଲେ; 37 କିନ୍ତୁ ଯାହାଙ୍କୁ ଈଶ୍ବର ଉଠାଇଅଛନ୍ତି, ସେ କ୍ଷୟ ପାଇ ନାହାନ୍ତି। 38 ଅତଏବ, ହେ ଭାଇମାନେ, ଆପଣମାନେ ଏହା ଅବଗତ ହେଉନ୍ତୁ, ଏହି ବ୍ୟକ୍ତିଙ୍କ ଦ୍ୱାରା ଆପଣମାନଙ୍କ ନିକଟରେ ପାପ କ୍ଷମା ପ୍ରଚାର କରାଯାଉଅଛି, 39 ପୁଣି, ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଯେ ସମସ୍ତ ବିଷୟରୁ ଆପଣମାନେ ମୁକ୍ତ ହୋଇ ଧାର୍ମିକ ଗଣିତ ହୋଇପାରିଲେ ନାହିଁ, ବିଶ୍ୱାସକାରୀ ପ୍ରତ୍ୟେକ ଲୋକ ତାହାଙ୍କ ଦ୍ୱାରା ସେହି ସମସ୍ତ ବିଷୟରୁ ମୁକ୍ତ ହୋଇ ଧାର୍ମିକ ଗଣିତ ହୁଅନ୍ତି। 40 ତେଣୁ ସାବଧାନ, କାଳେ ଭାବବାଦୀମାନଙ୍କ ଶାସ୍ତ୍ରରେ ଯାହା କୁହାଯାଇଅଛି, ତାହା ଯେପରି ଆପଣମାନଙ୍କ ପ୍ରତି ନ ଘଟେ,

     41 “‘ହେ ଅବଜ୍ଞାକାରୀମାନେ, ତୁମ୍ଭେମାନେ ଦେଖି ପୁଣି,

         ଚମତ୍କୃତ ହୋଇ ବିନଷ୍ଟ ହୁଅ; ଯେଣୁ ଆମ୍ଭେ ତୁମ୍ଭମାନଙ୍କ ସମୟରେ ଗୋଟିଏ କାର୍ଯ୍ୟ ସାଧନ କରୁଅଛୁ,

         ଯଦି କେହି ସେହି କାର୍ଯ୍ୟ ତୁମ୍ଭମାନଙ୍କ ନିକଟରେ ବର୍ଣ୍ଣନା କରେ,

         ତେବେ ତୁମ୍ଭେମାନେ କୌଣସି ପ୍ରକାରେ ତାହା ବିଶ୍ୱାସ କରିବ ନାହିଁ।’”

42 ସେମାନେ ବାହାରିଯାଉଥିବା ସମୟରେ, ଯେପରି ପରବର୍ତ୍ତୀ ବିଶ୍ରାମବାର ଦିନରେ ସେହିସବୁ କଥା ସେମାନଙ୍କୁ କୁହାଯାଏ, ଏଥିପାଇଁ ସେମାନେ ବିନତି କରିବାକୁ ଲାଗିଲେ। 43 ସଭା ସମାପ୍ତ ହେଲା ଉତ୍ତାରେ ଯିହୁଦୀ ଓ ଯିହୁଦୀମତାବଲମ୍ବୀ ଅଣଯିହୁଦୀମାନଙ୍କ ମଧ୍ୟରୁ ଅନେକେ ପାଉଲ ଓ ବର୍ଣ୍ଣବ୍ବାଙ୍କ ପଛେ ପଛେ ଗଲେ; ସେମାନେ ସେମାନଙ୍କ ସହିତ କଥାବାର୍ତ୍ତା କରି ଈଶ୍ବରଙ୍କ ଅନୁଗ୍ରହରେ ସ୍ଥିର ହୋଇ ରହିବାକୁ ସେମାନଙ୍କୁ ପ୍ରବର୍ତ୍ତାଇଲେ।

ପାଉଲଙ୍କ ଦ୍ୱାରା ଅଣଯିହୁଦୀମାନଙ୍କ ନିକଟରେ ପ୍ରଚାର କାର୍ଯ୍ୟ ଆରମ୍ଭ

44 ପୁଣି, ପରବର୍ତ୍ତୀ ବିଶ୍ରାମବାର ଦିନରେ ପ୍ରାୟ ସମସ୍ତ ନଗରବାସୀ ଈଶ୍ବରଙ୍କ ବାକ୍ୟ ଶୁଣିବା ନିମନ୍ତେ ଏକତ୍ରିତ ହେଲେ। 45 କିନ୍ତୁ ଯିହୁଦୀମାନେ ଲୋକସମୂହଙ୍କୁ ଦେଖି ଈର୍ଷାରେ ପୂର୍ଣ୍ଣ ହେଲେ, ପୁଣି, ନିନ୍ଦା କରୁ କରୁ ପାଉଲଙ୍କ କଥାର ପ୍ରତିବାଦ କରିବାକୁ ଲାଗିଲେ। 46 ସେଥିରେ ପାଉଲ ଓ ବର୍ଣ୍ଣବ୍ବା ସାହସପୂର୍ବକ କହିଲେ, ପ୍ରଥମରେ ଆପଣମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ କୁହାଯିବା ଆବଶ୍ୟକ ଥିଲା; ଆପଣମାନେ ତାହା ଅଗ୍ରାହ୍ୟ କରି ଆପଣା ଆପଣାକୁ ଅନନ୍ତ ଜୀବନର ଅଯୋଗ୍ୟ ବୋଲି ବିଚାର କରୁଥିବାରୁ, ଦେଖନ୍ତୁ, ଆମ୍ଭେମାନେ ଅଣଯିହୁଦୀମାନଙ୍କ ନିକଟକୁ ଯାଉଅଛୁ, 47 କାରଣ ପ୍ରଭୁ ଆମ୍ଭମାନଙ୍କୁ ଏହି ପ୍ରକାର ଆଜ୍ଞା ଦେଇଅଛନ୍ତି,

     “‘ଆମ୍ଭେ ତୁମ୍ଭକୁ ଅଣଯିହୁଦୀମାନଙ୍କ ନିମନ୍ତେ ଆଲୋକସ୍ୱରୂପେ ସ୍ଥାପନ କରିଅଛୁ,

         ଯେପରି ତୁମ୍ଭେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପରିତ୍ରାଣ ଆଣିବ।’”

48 ଅଣଯିହୁଦୀମାନେ ଏହା ଶୁଣି ଆନନ୍ଦିତ ହେଲେ ଆଉ ଈଶ୍ବରଙ୍କ ବାକ୍ୟର ଗୌରବ କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଅନନ୍ତ ଜୀବନ ନିମନ୍ତେ ନିରୂପିତ ହୋଇଥିଲେ, ସେମାନେ ବିଶ୍ୱାସ କଲେ, 49 ଆଉ ସମୁଦାୟ ଅଞ୍ଚଳରେ ପ୍ରଭୁଙ୍କର ବାକ୍ୟ ବ୍ୟାପିଗଲା। 50 କିନ୍ତୁ ଯିହୁଦୀମତାବଲମ୍ବୀ ଅଣଯିହୁଦୀ ପ୍ରମୁଖ ମହିଳାମାନଙ୍କୁ ଓ ନଗରର ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଯିହୁଦୀମାନେ ଉତ୍ତେଜିତ କଲେ, ପୁଣି, ପାଉଲ ଓ ବର୍ଣ୍ଣବ୍ବାଙ୍କ ପ୍ରତି ତାଡ଼ନା ଘଟାଇ ଆପଣାମାନଙ୍କ ସୀମାରୁ ସେମାନଙ୍କୁ ବାହାର କରିଦେଲେ। 51 ସେଥିରେ ସେମାନେ ଆପଣା ଆପଣା ପାଦର ଧୂଳି ସେମାନଙ୍କ ବିରୁଦ୍ଧରେ ଝାଡ଼ିଦେଇ ଇକନୀୟ ସହରକୁ ଗଲେ, 52 ଆଉ ଶିଷ୍ୟମାନେ ଆନନ୍ଦରେ ଓ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାକୁ ଲାଗିଲେ।

Chapter 14

ଇକନୀୟରେ କାର୍ଯ୍ୟ

1 ଇକନୀୟରେ ମଧ୍ୟ ସେହି ପ୍ରକାର ଘଟିଲା; ସେମାନେ ଯିହୁଦୀମାନଙ୍କ ସମାଜଗୃହରେ ପ୍ରବେଶ କରି ଏପରି କଥା କହିଲେ ଯେ, ଯିହୁଦୀ ଓ ଗ୍ରୀକ୍‍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ବିଶ୍ୱାସ କଲେ। 2 କିନ୍ତୁ ଯେଉଁ ଯିହୁଦୀମାନେ ବିଶ୍ୱାସ କଲେ ନାହିଁ, ସେମାନେ ଅଣଯିହୁଦୀମାନଙ୍କର ମନକୁ ଉତ୍ତେଜିତ କରି ଭାଇମାନଙ୍କ ବିରୁଦ୍ଧରେ ମନ୍ଦ ଭାବ ଜନ୍ମାଇଦେଲେ। 3 ସେମାନେ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ପ୍ରଭୁଙ୍କ ଉପରେ ନିର୍ଭର କରି ସାହସରେ ପ୍ରଚାର କଲେ; ଆଉ ସେ ସେମାନଙ୍କ ହସ୍ତ ଦ୍ୱାର ନାନା ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କରି ଆପଣା ଅନୁଗ୍ରହ ବାକ୍ୟ ସପକ୍ଷରେ ସାକ୍ଷ୍ୟ ଦେଲେ। 4 କିନ୍ତୁ ନଗରର ଲୋକସମୂହ ଦୁଇ ଦଳ ହେଲେ, ଦଳେ ଯିହୁଦୀମାନଙ୍କ ପକ୍ଷରେ ଆଉ ଦଳେ ପ୍ରେରିତମାନଙ୍କ ପକ୍ଷରେ। 5 ଯେତେବେଳେ ଅଣଯିହୁଦୀ ଓ ଯିହୁଦୀମାନେ ସେମାନଙ୍କର ଅଧ୍ୟକ୍ଷମାନଙ୍କ ସହିତ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କରିବାକୁ ଓ ପଥର ଫୋପାଡ଼ିବାକୁ ଉଠିଲେ, 6 ସେତେବେଳେ ସେମାନେ ତାହା ଜାଣି ପାରି ଲୁକାୟନିଆ ଦେଶରେ ଲୁସ୍ତ୍ରା ଓ ଦର୍ବୀ ସହର ପୁଣି, ଚାରିଆଡ଼ର ଅଞ୍ଚଳକୁ ପଳାଇଗଲେ, 7 ଆଉ ସେମାନେ ସେଠାରେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।

ଲୁସ୍ତ୍ରା ଓ ଦର୍ବୀରେ କାର୍ଯ୍ୟ

8 ଲୁସ୍ତ୍ରାରେ ଜଣେ ଲୋକ ରହୁଥିଲା, ତାହାର ପାଦ ଦୁର୍ବଳ, ସେ ମାତୃଗର୍ଭରୁ ଖଞ୍ଜ, ଆଉ ସେ କେବେ ଚାଲି ନ ଥିଲା। 9 ସେହି ଲୋକଟି ପାଉଲଙ୍କ ପ୍ରଚାର ଶୁଣୁଥିଲା। ପାଉଲ ତାହାକୁ ଏକଦୃଷ୍ଟିରେ ଚାହିଁ ସୁସ୍ଥ ହେବା ପାଇଁ ତାହାର ବିଶ୍ୱାସ ଥିବାର ଦେଖି ଉଚ୍ଚସ୍ୱରରେ କହିଲେ, 10 ତୁମ୍ଭର ପାଦର ଭାର ଦେଇ ସିଧା ଠିଆ ହୁଅ। ସେଥିରେ ସେ କୁଦା ମାରି ଚାଲିବାକୁ ଲାଗିଲା। 11 ପାଉଲ ଯାହା କରିଅଛନ୍ତି, ଲୋକସମୂହ ତାହା ଦେଖି ଲୁକାୟନିଆ ଭାଷାରେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ଦେବତାମାନେ ମନୁଷ୍ୟରୂପରେ ଆମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଆସିଅଛନ୍ତି। 12 ସେମାନେ ବର୍ଣ୍ଣବ୍ବାଙ୍କୁ ବୃହସ୍ପତି ବୋଲି କହିଲେ, ପୁଣି, ପାଉଲ ପ୍ରଧାନ ବକ୍ତା ଥିବାରୁ ତାହାଙ୍କୁ ବୁଧ ବୋଲି କହିଲେ। 13 ନଗର ସମ୍ମୁଖରେ ଥିବା ବୃହସ୍ପତିଙ୍କ ମନ୍ଦିରର ଯାଜକ କେତେକ ବୃଷ ଓ ପୁଷ୍ପହାର ଦ୍ୱାର ନିକଟକୁ ଆଣି ଲୋକସମୂହ ସହିତ ବଳି ଦେବାକୁ ଇଚ୍ଛା କରିଥିଲେ। 14 କିନ୍ତୁ ପ୍ରେରିତମାନେ, ଅର୍ଥାତ୍‍ ବର୍ଣ୍ଣବ୍ବା ଓ ପାଉଲ, ଏହା ଶୁଣି ଆପଣା ଆପଣାର ବସ୍ତ୍ର ଚିରି ଲୋକସମୂହ ମଧ୍ୟକୁ ବେଗେ ଦୌଡ଼ିଯାଇ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, 15 ହେ ମହାଶୟମାନେ, କାହିଁକି ଏସମସ୍ତ କରୁଅଛନ୍ତି? ଆମ୍ଭେମାନେ ମଧ୍ୟ ଆପଣମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ, ଆପଣମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କରୁଅଛୁ, ଯେପରି ଆପଣମାନେ ଏହିସବୁ ଅସାର ବସ୍ତୁଠାରୁ ବିମୁଖ ହୋଇ ଜୀବନ୍ତ ଈଶ୍ବରଙ୍କ ପ୍ରତି ଫେରନ୍ତି। ସେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ସେସବୁରେ ଥିବା ସମସ୍ତ ସୃଷ୍ଟି କରିଅଛନ୍ତି; 16 ସେ ଅତୀତ ପୁରୁଷ-ପରମ୍ପରାରେ ସମସ୍ତ ଜାତିର ଲୋକଙ୍କୁ ଆପଣା ଆପଣା ପଥରେ ଚାଲିବାକୁ ଛାଡ଼ିଦେଇଥିଲେ। 17 ତଥାପି ସେ ଆପଣାକୁ ସାକ୍ଷ୍ୟ ବିହୀନ କରି ରଖି ନାହାନ୍ତି, କାରଣ ସେ ମଙ୍ଗଳ କରିଅଛନ୍ତି, ଆଉ ଆକାଶରୁ ବୃଷ୍ଟି ଓ ଫଳଦାୟକ ଋତୁ ଗୁଡ଼ିକ ଦେଇ ଭକ୍ଷ ଓ ଆନନ୍ଦରେ ଆପଣମାନଙ୍କ ହୃଦୟ ପରିତୃପ୍ତ କରିଅଛନ୍ତି। 18 ଏହିସବୁ କଥା କହି ସେମାନେ ଅତି କଷ୍ଟରେ ସେମାନଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାରୁ ଲୋକସମୂହଙ୍କୁ ନିବୃତ୍ତ କଲେ।

ଲୁସ୍ତ୍ରାରେ ପାଉଲଙ୍କୁ ପ୍ରସ୍ତରାଘାତ

19 କିନ୍ତୁ ଆନ୍ତିୟଖିଆ ଓ ଇକନୀୟରୁ ସେଠାକୁ ଯିହୁଦୀମାନେ ଆସି ଲୋକସମୂହକୁ ପ୍ରବର୍ତ୍ତାଇଲେ, ପୁଣି, ପାଉଲଙ୍କୁ ପଥର ମାରି ସେ ମରିଅଛନ୍ତି ବୋଲି ମନେ କରି ବାହାରକୁ ଟାଣି ଘେନିଗଲେ। 20 ମାତ୍ର ଶିଷ୍ୟମାନେ ତାହାଙ୍କୁ ଘେରି ଠିଆ ହୁଅନ୍ତେ ସେ ଉଠି ସହର ମଧ୍ୟରେ ପ୍ରବେଶ କଲେ। ପରଦିନ ସେ ବର୍ଣ୍ଣବ୍ବାଙ୍କ ସହିତ ଦର୍ବୀକୁ ବାହାରିଗଲେ। 21 ସେମାନେ ସେହି ନଗରରେ ସୁସମାଚାର ପ୍ରଚାର କରି ଓ ଅନେକଙ୍କୁ ଶିଷ୍ୟ କଲା ଉତ୍ତାରେ ଲୁସ୍ତ୍ରା, ଇକନୀୟ ଓ ଆନ୍ତିୟଖିଆକୁ ବାହୁଡ଼ି ଆସିଲେ, 22 ପୁଣି, ସେ ସ୍ଥାନମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ। 23 ଆଉ ସେମାନେ ସେମାନଙ୍କ ନିମନ୍ତେ ପ୍ରତ୍ୟେକ ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରି ଉପବାସ ସହିତ ପ୍ରାର୍ଥନା କଲେ, ପୁଣି, ଯେଉଁ ପ୍ରଭୁଙ୍କଠାରେ ସେମାନେ ବିଶ୍ୱାସ କରିଥିଲେ, ତାହାଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ।

ସିରିୟା ପ୍ରଦେଶର ଆନ୍ତିୟଖିଆକୁ ପ୍ରତ୍ୟାବର୍ତ୍ତନ

24 ପରେ ସେମାନେ ପିସିଦିଆ ଦେଶ ମଧ୍ୟ ଦେଇ ପଂଫୂଲିଆ ଦେଶକୁ ଆସିଲେ, 25 ଆଉ ପର୍ଗୀରେ ବାକ୍ୟ ପ୍ରଚାର କରି ଆତ୍ତାଲିଆକୁ ଗଲେ। 26 ସେଠାରୁ ସେମାନେ ଆନ୍ତିୟଖିଆକୁ ଜାହାଜରେ ଯାତ୍ରା କଲେ; ସେମାନେ ଯେଉଁ କାର୍ଯ୍ୟ ସାଧନ କରିଥିଲେ, ତାହା କରିବା ନିମନ୍ତେ ଈଶ୍ବରଙ୍କ ଅନୁଗ୍ରହରେ ସମର୍ପିତ ହୋଇ ସେ ସ୍ଥାନରୁ ବାହାରିଥିଲେ। 27 ସେମାନେ ପହଞ୍ଚି ମଣ୍ଡଳୀରେ ଏକତ୍ର କଲେ, ପୁଣି, ଈଶ୍ବର ସେମାନଙ୍କ ସାଙ୍ଗରେ ଥାଇ ଯେ ସମସ୍ତ କାର୍ଯ୍ୟ କରିଥିଲେ ଓ ଅଣଯିହୁଦୀମାନଙ୍କ ପ୍ରତି ବିଶ୍ୱାସର ଦ୍ୱାର ଫିଟାଇ ଦେଇଥିଲେ, ସେହିସବୁ ବର୍ଣ୍ଣନା କଲେ। 28 ଆଉ ସେମାନେ ସେହି ବିଶ୍ୱାସୀମାନଙ୍କ ସହିତ ଅନେକ ଦିନ ପର୍ଯ୍ୟନ୍ତ ରହିଲେ।

Chapter 15

ଯିରୂଶାଲମ ସହରର ଖ୍ରୀଷ୍ଟୀୟ ସଭା

1 ଏଥିମଧ୍ୟରେ କେତେକ ଲୋକ ଯିହୂଦିୟା ପ୍ରଦେଶରୁ ଆସି ଭାଇମାନଙ୍କୁ ଏହି ଶିକ୍ଷା ଦେବାକୁ ଲାଗିଲେ, ମୋଶାଙ୍କ ବିଧି ଅନୁସାରେ ତୁମ୍ଭମାନଙ୍କର ସୁନ୍ନତ ନ ହେଲେ ପରିତ୍ରାଣ ପାଇ ପାରିବ ନାହିଁ। 2 ଏଥିରେ ପାଉଲ ଓ ବର୍ଣ୍ଣବ୍ବାଙ୍କର ସେମାନଙ୍କ ସାଙ୍ଗରେ ଅନେକ ବାଗ୍‌ଯୁଦ୍ଧ ଓ ବାଦାନୁବାଦ ହେବାରୁ ଭାଇମାନେ ପାଉଲ, ବର୍ଣ୍ଣବ୍ବା ଓ ଆପଣାମାନଙ୍କ ମଧ୍ୟରୁ ଆଉ କେତେକ ଜଣ ଏହି ପ୍ରଶ୍ନ ଘେନି ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ନିକଟକୁ ଯାଆନ୍ତୁ ବୋଲି ସ୍ଥିର କଲେ। 3 ଅତଏବ ମଣ୍ଡଳୀ ସେମାନଙ୍କୁ ବାଟ ବଳାଇ ବିଦାୟ ଦେଲା ଉତ୍ତାରେ ସେମାନେ ଫୈନୀକିଆ ଓ ଶମିରୋଣ ଦେଇ ଯାଉ ଯାଉ ଅଣଯିହୁଦୀମାନଙ୍କ ମନ-ପରିବର୍ତ୍ତନ ବିଷୟ ବର୍ଣ୍ଣନା କରି ସମସ୍ତ ଭାଇମାନଙ୍କର ମହାନନ୍ଦ ଜନ୍ମାଇଲେ। 4 ପରେ ସେମାନେ ଯିରୂଶାଲମ ସହରରେ ଉପସ୍ଥିତ ହୋଇ ମଣ୍ଡଳୀ ପୁଣି, ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ଅଭ୍ୟର୍ଥନା ପ୍ରାପ୍ତ ହେଲେ, ଆଉ ଈଶ୍ବର ସେମାନଙ୍କ ସାଙ୍ଗରେ ଥାଇ ଯେ ସମସ୍ତ କାର୍ଯ୍ୟ କରିଥିଲେ, ସେହିସବୁ ବର୍ଣ୍ଣନା କଲେ। 5 କିନ୍ତୁ ଫାରୂଶୀ-ଦଳର କେତେକ ଜଣ ଯେଉଁମାନେ ବିଶ୍ୱାସ କରୁଥିଲେ ଉଠି କହିଲେ, ଅଣଯିହୁଦୀ ଶିଷ୍ୟମାନଙ୍କୁ ସୁନ୍ନତ କରିବା ଓ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଆଜ୍ଞା ଦେବା ଆବଶ୍ୟକ। 6 ପରେ ଏହି ବିଷୟ ଆଲୋଚନା କରିବା ନିମନ୍ତେ ପ୍ରେରିତ ଓ ପ୍ରାଚୀନମାନେ ସମବେତ ହେଲେ। 7 ଅନେକ ତର୍କବିତର୍କ ହେଲା ଉତ୍ତାରେ ପିତର ଉଠି ସେମାନଙ୍କୁ କହିଲେ, ହେ ଭାଇମାନେ, ଆପଣମାନେ ଜାଣନ୍ତି ଯେ, ମୋହର ମୁଖ ଦ୍ୱାରା ଅଣଯିହୁଦୀମାନେ ଯେପରି ସୁସମାଚାର ବାକ୍ୟ ଶୁଣି ବିଶ୍ୱାସ କରନ୍ତି, ଏଥିପାଇଁ ଅନେକ ଦିନ ପୂର୍ବେ ଈଶ୍ବର ଆପଣମାନଙ୍କ ମଧ୍ୟରୁ ମୋତେ ମନୋନୀତ କରିଥିଲେ। 8 ସର୍ବାନ୍ତର୍ଯ୍ୟାମୀ ଈଶ୍ବର ଆମ୍ଭମାନଙ୍କୁ ଯେପରି ପବିତ୍ର ଆତ୍ମା ଦାନ କରିଅଛନ୍ତି, ସେମାନଙ୍କୁ ମଧ୍ୟ ସେହିପରି ଦାନ କରି ସେମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଇଅଛନ୍ତି। 9 ଆଉ ସେ ଆମ୍ଭମାନଙ୍କ ଓ ସେମାନଙ୍କ ମଧ୍ୟରେ କୌଣସି ଦଳଭେଦ ନ ରଖି ବିଶ୍ୱାସ ଦ୍ୱାରା ସେମାନଙ୍କର ହୃଦୟ ଶୁଚି କରିଅଛନ୍ତି। 10 ଏଣୁ ଯେଉଁ ଯୁଆଳି ଆମ୍ଭମାନଙ୍କ ପିତୃ-ପୁରୁଷ ଓ ଆମ୍ଭେମାନେ ବହିବାକୁ ଅକ୍ଷମ ହେଲୁ, ସେହି ଜୁଆଳି ଶିଷ୍ୟମାନଙ୍କ କାନ୍ଧରେ ଦେଇ କାହିଁକି ଆପଣମାନେ ଈଶ୍ବରଙ୍କ ପରୀକ୍ଷା କରୁଅଛନ୍ତି? 11 କିନ୍ତୁ ସେମାନେ ଯେପ୍ରକାର, ଆମ୍ଭେମାନେ ମଧ୍ୟ ସେପ୍ରକାର ପ୍ରଭୁ ଯୀଶୁଙ୍କ ଅନୁଗ୍ରହରେ ପରିତ୍ରାଣ ପାଇବୁ ବୋଲି ବିଶ୍ୱାସ କରୁଅଛୁ। 12 ଏଥିରେ ସଭାସ୍ଥ ସମସ୍ତେ ନୀରବ ରହିଲେ, ଆଉ ବର୍ଣ୍ଣବ୍ବା ଓ ପାଉଲଙ୍କ ଦ୍ୱାରା ଅଣଯିହୁଦୀମାନଙ୍କ ମଧ୍ୟରେ ଈଶ୍ବର ଯେ ସମସ୍ତ ଲକ୍ଷଣ ଓ ଅଦ୍ଭୁତ କର୍ମମାନ ସାଧନ କରିଥିଲେ, ସେମାନଙ୍କଠାରୁ ସେଥିର ବିବରଣୀ ଶୁଣିବାକୁ ଲାଗିଲେ। 13 ସେମାନଙ୍କ କଥା ଶେଷ ହେଲା ଉତ୍ତାରେ ଯାକୁବ ଉତ୍ତର ଦେଇ କହିଲେ, ହେ ଭାଇମାନେ ମୋହର କଥା ଶୁଣନ୍ତୁ। 14 ଈଶ୍ବର ଆପଣା ନାମ ନିମନ୍ତେ ଅଣଯିହୁଦୀମାନଙ୍କ ମଧ୍ୟରୁ ଦଳେ ଲୋକ ଗ୍ରହଣ କରିବା ପାଇଁ କିପ୍ରକାରେ ପ୍ରଥମେ ସେମାନଙ୍କ ପ୍ରତି କୃପାଦୃଷ୍ଟି କରିଥିଲେ, ତାହା ଶିମୋନ ବର୍ଣ୍ଣନା କରିଅଛନ୍ତି। 15 ପୁଣି, ଭାବବାଦୀମାନଙ୍କର ବାକ୍ୟ ଏହା ସହିତ ମିଶୁଅଛି, ଯେପରି ଲେଖାଅଛି,

     16 “‘ଏଥିଉତ୍ତାରେ ଆମ୍ଭେ ବାହୁଡ଼ିଆସି

         ଦାଉଦର ପତିତ କୁଟୀର ପୁନଃନିର୍ମାଣ କରିବା,

     ପୁଣି, ତାହାର ଧ୍ୱଂସସ୍ଥାନସବୁ ପୁନଃନିର୍ମାଣ କରି

         ତାହା ପୁନଃସ୍ଥାପନ କରିବା,

     17 ଯେପରି ଅବଶିଷ୍ଟ ଲୋକେ ଓ ଯେ ସମସ୍ତ ଅଣଯିହୁଦୀ ଆମ୍ଭ ନାମରେ ଖ୍ୟାତ,

         ସେମାନେ ପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି,

         ସର୍ବ ସାଧନକର୍ତ୍ତା ପ୍ରଭୁ ଏହା କହନ୍ତି।

     18 ପ୍ରାଚୀନକାଳରୁ ଈଶ୍ବର ଆପଣାର ସମସ୍ତ କର୍ମ ଜଣାଇଛନ୍ତି।’

19 ଅତଏବ, ମୋହର ବିଚାର ଏହି, ଅଣଯିହୁଦୀମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ବରଙ୍କ ପ୍ରତି ଫେରନ୍ତି, ସେମାନଙ୍କୁ ଆମ୍ଭେମାନେ ଭାରଗ୍ରସ୍ତ କରିବା ନାହିଁ; 20 କିନ୍ତୁ ପ୍ରତିମା ସମ୍ବନ୍ଧୀୟ ଅଶୁଚିତା, ଯୌନକ୍ରିୟା, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀ ଓ ରକ୍ତରୁ ପୃଥକ୍ ରହିବା ନିମନ୍ତେ ଆମ୍ଭେମାନେ ସେମାନଙ୍କୁ ଲେଖୁ। 21 କାରଣ ପ୍ରାଚୀନକାଳରୁ ପ୍ରତି ନଗରରେ ମୋଶାଙ୍କର ପ୍ରଚାରକମାନେ ଅଛନ୍ତି, ଯେଣୁ ପ୍ରତି ବିଶ୍ରାମବାର ଦିନରେ ସମାଜଗୃହ ସମୂହରେ ତାହାଙ୍କ ମୋଶାଙ୍କ ବ୍ୟବସ୍ଥା ପାଠ କରାଯାଉଅଛି।”

ଅଣଯିହୁଦୀ ବିଶ୍ୱାସୀମାନଙ୍କ ନିକଟକୁ ପତ୍ର

22 ସେତେବେଳେ ପ୍ରେରିତ ଓ ପ୍ରାଚୀନମାନେ ସମସ୍ତ ମଣ୍ଡଳୀ ସହିତ ଆପଣାମାନଙ୍କ ମଧ୍ୟରୁ ଲୋକ, ଅର୍ଥାତ୍‍ ଭ୍ରାତୃବୃନ୍ଦଙ୍କ ମଧ୍ୟରେ ଅଗ୍ରଗଣ୍ୟ ବର୍ଶବ୍ବା ନାମରେ ଖ୍ୟାତ ଯିହୂଦା ଓ ଶୀଲାଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ଆନ୍ତିୟଖିଆକୁ ପଠାଇବାକୁ ନିଷ୍ପତ୍ତି ନେଲେ, 23 ଆଉ, ସେମାନେ ସେମାନଙ୍କ ହାତରେ ଏହା ଲେଖି ପଠାଇଲେ, ଆନ୍ତିୟଖିଆ, ସିରିୟା ଓ କିଲିକିୟାସ୍ଥ ଅଣଯିହୁଦୀ ଭ୍ରାତୃବୃନ୍ଦଙ୍କୁ ପ୍ରେରିତ ଓ ପ୍ରାଚୀନ ଭ୍ରାତୃବୃନ୍ଦଙ୍କର ନମସ୍କାର।

             24 ଆମ୍ଭେମାନେ ଶୁଣିଅଛୁ ଯେ, ଆମ୍ଭେମାନେ ଯେଉଁ ଲୋକମାନଙ୍କୁ କୌଣସି ଆଜ୍ଞା ଦେଇ ନାହୁଁ, ଆମ୍ଭମାନଙ୍କ ମଧ୍ୟରୁ ଏପ୍ରକାର କେତେକ ଲୋକ କଥା ଦ୍ୱାରା ଆପଣମାନଙ୍କର ମନକୁ ଅସ୍ଥିର କରି ଆପଣମାନଙ୍କୁ ବିଚଳିତ କରିଅଛନ୍ତି; 25 ଏଥିନିମନ୍ତେ ଆମ୍ଭମାନଙ୍କର ପ୍ରିୟପାତ୍ର ଯେଉଁ ବର୍ଣ୍ଣବ୍ବା ଓ ପାଉଲ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ନିମନ୍ତେ ପ୍ରାଣପଣ କରିଅଛନ୍ତି, 26 ଆମ୍ଭେମାନେ ଏକମତ ହୋଇ କେତେକ ଲୋକଙ୍କୁ ମନୋନୀତ କରି ସେମାନଙ୍କ ସହିତ ଆପଣମାନଙ୍କ ନିକଟକୁ ପଠାଇବା ବିହିତ ବୁଝିଲୁ। 27 ଏଣୁ ଆମ୍ଭେମାନେ ଯିହୂଦା ଓ ଶୀଲାଙ୍କୁ ପଠାଇଲୁ, ଏମାନେ ମଧ୍ୟ ମୁଖରେ ଆପଣମାନଙ୍କୁ ସେହି ସମସ୍ତ କଥା ଜଣାଇଦେବେ। 28 କାରଣ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଓ ଯୌନକ୍ରିୟାଠାରୁ ପୃଥକ୍ ରହିବା, ଏହି କେତୋଟି ଆବଶ୍ୟକୀୟ ବିଷୟ ବ୍ୟତୀତ ଆପଣମାନଙ୍କ ଉପରେ ଆଉ ଅଧିକ ଭାର ନ ଦେବାକୁ, ପବିତ୍ର ଆତ୍ମା ଓ ଆମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା; 29 ଏହିସବୁରୁ ଆପଣା ଆପଣାକୁ ଯତ୍ନ ସହ ରକ୍ଷା କଲେ ଆପଣମାନଙ୍କର ଭଲ ହେବ। ଆପଣମାନଙ୍କର ମଙ୍ଗଳ ହେଉ।

30 ସେମାନେ ବିଦାୟ ହୋଇ ଆନ୍ତିୟଖିଆକୁ ଆସିଲେ ଆଉ ଶିଷ୍ୟସମୂହକୁ ଏକତ୍ର କରି ପତ୍ର ଖଣ୍ଡିକ ଦେଲେ। 31 ସେମାନେ ତାହା ପାଠ କରି ଆଶ୍ୱାସନା ପାଇ ଆନନ୍ଦିତ ହେଲେ। 32 ପୁଣି, ଯିହୂଦା ଓ ଶୀଲା ନିଜେ ନିଜେ ମଧ୍ୟ ଭାବବାଦୀ ଥିବାରୁ ଅନେକ କଥା ଦ୍ୱାରା ଭାଇମାନଙ୍କୁ ଉତ୍ସାହ ଦେଇ ସେମାନଙ୍କୁ ସୁସ୍ଥିର କଲେ। 33 ଆଉ ସେମାନେ ସେଠାରେ କେତେକ କାଳ ରହିଲା ପରେ ସେମାନଙ୍କୁ ପ୍ରେରଣ କରିଥିବା ଲୋକମାନଙ୍କ ନିକଟକୁ ବାହୁଡ଼ିଯିବାକୁ ଭାଇମାନଙ୍କଠାରୁ ଶାନ୍ତିରେ ବିଦାୟ ନେଲେ, 34 [କିନ୍ତୁ ଶୀଲା ସେଠାରେ ରହିବା ଉତ୍ତମ ମନେ କଲେ।] 35 ପୁଣି, ପାଉଲ ଓ ବର୍ଣ୍ଣବ୍ବା ଆନ୍ତିୟଖିଆରେ ରହି ଅନ୍ୟାନ୍ୟ ଅନେକ ଲୋକଙ୍କ ସହିତ ମଧ୍ୟ ପ୍ରଭୁଙ୍କ ବାକ୍ୟ ଶିକ୍ଷା ଦେଇ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।

ପାଉଲ ଓ ବର୍ଣ୍ଣବ୍ବାଙ୍କ ମଧ୍ୟରେ ବିଚ୍ଛେଦ

36 କେତେକ ଦିନ ପରେ ପାଉଲ ବର୍ଣ୍ଣବ୍ବାଙ୍କୁ କହିଲେ, ଆସ, ଆମ୍ଭେମାନେ ଯେଉଁ ସବୁ ନଗରରେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିଥିଲୁ, ସେହି ସମସ୍ତ ନଗରକୁ ଏବେ ବାହୁଡ଼ିଯାଇ ଭାଇମାନଙ୍କୁ ସାକ୍ଷାତ କରି, ସେମାନେ କିପ୍ରକାରେ ଅଛନ୍ତି ଦେଖିବା। 37 ସେଥିରେ ମାର୍କ ନାମରେ ଖ୍ୟାତ ଯୋହନଙ୍କୁ ମଧ୍ୟ ସାଙ୍ଗରେ ଘେନିଯିବା ପାଇଁ ବର୍ଣ୍ଣବ୍ବାଙ୍କର ଇଚ୍ଛା ଥିଲା, 38 କିନ୍ତୁ ସେ ସେମାନଙ୍କୁ ଛାଡ଼ି ପଂଫୂଲିଆରୁ ଚାଲି ଆସିଥିଲେ ଓ ସେମାନଙ୍କ ସହିତ କାର୍ଯ୍ୟକୁ ଯାଇ ନ ଥିଲେ, ତାହାଙ୍କୁ ସାଙ୍ଗରେ ନେବାକୁ ପାଉଲ ଉଚିତ ମନେ କଲେ ନାହିଁ। 39 ସେଥିରେ ଘୋର ବିବାଦ ଘଟିବାରୁ ସେମାନେ ପରସ୍ପରଠାରୁ ପୃଥକ୍ ହେଲେ, ବର୍ଣ୍ଣବ୍ବା ମାର୍କଙ୍କୁ ସାଙ୍ଗରେ ଘେନି ଜାହାଜରେ ସାଇପ୍ରସ୍ ଦ୍ବୀପକୁ ଗମନ କଲେ, 40 କିନ୍ତୁ ପାଉଲ ଶୀଲାଙ୍କୁ ମନୋନୀତ କରି ଭାଇମାନଙ୍କ ଦ୍ୱାରା ପ୍ରଭୁଙ୍କ ଅନୁଗ୍ରହରେ ସମର୍ପିତ ହୋଇ ପ୍ରସ୍ଥାନ କଲେ, 41 ଆଉ ସେ ସିରିୟା ଓ କିଲିକିୟା ଦେଇ ଯାଉ ଯାଉ ମଣ୍ଡଳୀ-ସମୂହକୁ ସୁସ୍ଥିର କଲେ।

Chapter 16

ପାଉଲ ଓ ଶୀଲାଙ୍କ ସହିତ ତୀମଥିଙ୍କ ଯାତ୍ରା

1 ପରେ ପାଉଲ ଦର୍ବୀ ଓ ଲୁସ୍ତ୍ରାକୁ ମଧ୍ୟ ଆସିଲେ, ଆଉ ଦେଖ, ସେ ସ୍ଥାନରେ ତୀମଥି ନାମରେ ଜଣେ ଶିଷ୍ୟ ଥିଲେ, ସେ ଜଣେ ବିଶ୍ୱାସିନୀ ଯିହୁଦୀ ମହିଳାର ପୁତ୍ର, କିନ୍ତୁ ତାହାଙ୍କର ପିତା ଜଣେ ଗ୍ରୀକ୍‍ ଲୋକ। 2 ଲୁସ୍ତ୍ରା ଓ ଇକନୀୟରେ ଥିବା ଭାଇମାନେ ତାହାଙ୍କ ସୁଖ୍ୟାତି କରୁଥିଲେ। 3 ତାହାଙ୍କୁ ସାଙ୍ଗରେ ନେଇଯିବାକୁ ପାଉଲ ଇଚ୍ଛା କଲେ, ଆଉ ସେହିସବୁ ଅଞ୍ଚଳରେ ଥିବା ଯିହୁଦୀମାନଙ୍କ ହେତୁ ତାହାଙ୍କୁ ଘେନିଯାଇ ସୁନ୍ନତ କଲେ; କାରଣ ତାହାଙ୍କର ପିତା ଜଣେ ଗ୍ରୀକ୍‍ ଲୋକ ବୋଲି ସମସ୍ତେ ଜାଣିଥିଲେ। 4 ପୁଣି, ସେମାନେ ନଗରସମୂହ ଦେଇ ଯାଉ ଯାଉ ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ନିରୂପିତ ଆଜ୍ଞାସବୁ ପାଳନ କରିବା ନିମନ୍ତେ ସେମାନଙ୍କ ନିକଟରେ ସମର୍ପଣ କରୁଥିଲେ। 5 ଏହି ପ୍ରକାରେ ମଣ୍ଡଳୀ-ସମୂହ ବିଶ୍ୱାସରେ ଦୃଢ଼ୀଭୂତ ହୋଇ ଦିନକୁ ଦିନ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଲା।

ମାକିଦନିଆର ଆହ୍ୱାନ

6 ସେମାନେ ଏସିଆ ଦେଶରେ ବାକ୍ୟ ପ୍ରଚାର କରିବାକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ନିବାରିତ ହୋଇ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇ ଯାତ୍ରା କଲେ, 7 ଆଉ ସେମାନେ ମୂସିଆ ନିକଟରେ ଉପସ୍ଥିତ ହୋଇ ବୀଥୂନିଆ ପ୍ରଦେଶକୁ ଯିବା ପାଇଁ ଚେଷ୍ଟା କଲେ, କିନ୍ତୁ ଯୀଶୁଙ୍କର ଆତ୍ମା ସେମାନଙ୍କୁ ଅନୁମତି ଦେଲେ ନାହିଁ। 8 ସେମାନେ ମୂସିଆ ପାଖ ଦେଇ ତ୍ରୋୟା ସହରକୁ ଆସିଲେ। 9 ଆଉ ରାତ୍ରିକାଳରେ ପାଉଲ ଗୋଟିଏ ଦର୍ଶନ ପାଇଲେ, ମାକିଦନିଆର ଜଣେ ଠିଆ ହୋଇ ତାହାଙ୍କୁ ବିନତି କରି କହୁଅଛି, ମାକିଦନିଆକୁ ପାର ହୋଇ ଆସି ଆମ୍ଭମାନଙ୍କର ଉପକାର କର। 10 ସେ ଏହି ଦର୍ଶନ ପାଇଲା ପରେ ଆମ୍ଭେମାନେ ତତ୍‌କ୍ଷଣାତ୍ ମାକିଦନିଆକୁ ଯିବା ପାଇଁ ଚେଷ୍ଟା କଲୁ, କାରଣ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଈଶ୍ବର ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି ବୋଲି ଆମ୍ଭେମାନେ ବୁଝିଲୁ।

ଲୂଦିଆଙ୍କ ମନ-ପରିବର୍ତ୍ତନ

11 ତେଣୁ ତ୍ରୋୟା ସହରରୁ ଜାହାଜରେ ଆମ୍ଭେମାନେ ସଳଖ ପଥରେ ସାମଥ୍ରାକୀ ଦ୍ବୀପକୁ ଓ ପରଦିନ ନିୟାପଲି ସହରକୁ ଗଲୁ, 12 ସେଠାରୁ ଫିଲିପ୍ପୀକୁ ଗଲୁ, ଏହା ମାକିଦନିଆ ଅଞ୍ଚଳର ଏକ ପ୍ରଧାନ ନଗର, ପୁଣି, ଗୋଟିଏ ରୋମୀୟ ଉପନିବେଶ; ସେହି ନଗରରେ ଆମ୍ଭେମାନେ କେତେକ ଦିନ ରହିଲୁ। 13 ବିଶ୍ରାମବାର ଦିନରେ ଆମ୍ଭେମାନେ ନଗର ଦ୍ୱାରରୁ ବାହାରି ନଦୀକୂଳକୁ ଗଲୁ, ସେଠାରେ ପ୍ରାର୍ଥନାର ସ୍ଥାନ ଅଛି ବୋଲି ଆମ୍ଭେମାନେ ମନେ କରିଥିଲୁ, ଆଉ ଆମ୍ଭେମାନେ ବସି ସମବେତ ହୋଇଥିବା ମହିଳାମାନଙ୍କ ସହିତ କଥା କହିବାକୁ ଲାଗିଲୁ। 14 ପୁଣି, ଥୁୟାଥିରା ନଗରର ବାଇଗଣିଆ ବସ୍ତ୍ର ବିକ୍ରୟକାରିଣୀ ଲୂଦିଆ ନାମ୍ନୀ ଜଣେ ମହିଳା, ଯେ ଈଶ୍ବରଭକ୍ତିନୀ ଥିଲେ, ସେ ଆମ୍ଭମାନଙ୍କର କଥା ଶୁଣୁଥିଲେ। ସେ ଯେପରି ପାଉଲଙ୍କର କହିଥିବା ବିଷୟ ପ୍ରତି ମନୋଯୋଗ କରନ୍ତି, ଏଥିନିମନ୍ତେ ପ୍ରଭୁ ତାହାଙ୍କର ହୃଦୟ ଫିଟାଇଦେଲେ। 15 ପୁଣି, ସେ ଓ ତାହାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ ସେ ଆମ୍ଭମାନଙ୍କୁ ବିନତି କରି କହିଲେ, ଆପଣମାନେ ଯଦି ମୋତେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ବୋଲି ବିଚାର କରିଥାଆନ୍ତି, ତେବେ ମୋହର ଗୃହକୁ ଆସି ବାସ କରନ୍ତୁ; ଆଉ ସେ ଆମ୍ଭମାନଙ୍କୁ ବାଧ୍ୟ କଲେ।

ଫିଲିପ୍ପୀର କାରାଗାରରେ ପାଉଲ ଓ ଶୀଲା

16 ଦିନେ ଆମ୍ଭେମାନେ ପ୍ରାର୍ଥନା ସ୍ଥାନକୁ ଯାଉ ଯାଉ ଦୈବଜ୍ଞ ଆତ୍ମାବିଷ୍ଟ ଜଣେ ଦାସୀ ଆମ୍ଭମାନଙ୍କୁ ଭେଟିଲା, ତାହାର ଭାଗ୍ୟଗଣନା ଦ୍ୱାରା ତାହାର କର୍ତ୍ତାମାନଙ୍କର ବହୁତ ଲାଭ ହେଉଥିଲା। 17 ସେ ପାଉଲ ଓ ଆମ୍ଭମାନଙ୍କର ପଛେ ପଛେ ଆସି ଚିତ୍କାର କରି କହିବାକୁ ଲାଗିଲା, ଏହି ବ୍ୟକ୍ତିମାନେ ପରମ ପ୍ରଧାନ ଈଶ୍ବରଙ୍କର ଦାସ, ସେମାନେ ତୁମ୍ଭମାନଙ୍କୁ ପରିତ୍ରାଣର ପଥ ଜଣାଉଅଛନ୍ତି। 18 ସେ ଅନେକ ଦିନ ପର୍ଯ୍ୟନ୍ତ ଏହା କଲା। କିନ୍ତୁ ପାଉଲ ବିରକ୍ତ ହୋଇ ବୁଲିପଡ଼ି ସେହି ଆତ୍ମାକୁ କହିଲେ, ତାହାଠାରୁ ବାହାରିଯିବାକୁ ମୁଁ ତୋତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଦେଉଅଛି। ଏଥିରେ ସେ ସେହି ମୁହୂର୍ତ୍ତରେ ବାହାରିଗଲା। 19 କିନ୍ତୁ ତାହାର କର୍ତ୍ତାମାନେ ଆପଣାମାନଙ୍କ ଲାଭର ଆଶା ଚାଲିଗଲା ବୋଲି ଦେଖି ପାଉଲ ଓ ଶୀଲାଙ୍କୁ ଧରି ସେମାନଙ୍କୁ ଛକସ୍ଥାନକୁ ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣି ଘେନିଗଲେ। 20 ଆଉ ସେମାନେ ସେମାନଙ୍କ ବିଚାରକର୍ତ୍ତାମାନଙ୍କ ନିକଟକୁ ଆଣି କହିଲେ, ଏହି ଲୋକଗୁଡ଼ାକ ଯିହୁଦୀ, ଏମାନେ ଆମ୍ଭମାନଙ୍କ ନଗରରେ ଗୋଳମାଳ କରୁଅଛନ୍ତି। 21 ଆମ୍ଭ ରୋମୀୟ ଲୋକମାନଙ୍କର ଯେଉଁ ସବୁ ରୀତିନୀତି ଗ୍ରହଣ ବା ପାଳନ କରିବା ବିଧିସଙ୍ଗତ ନୁହେଁ, ତାହା ଏମାନେ ପ୍ରଚାର କରୁଅଛନ୍ତି। 22 ସେଥିରେ ଲୋକସମୂହ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଉଠିଲେ, ପୁଣି, ବିଚାରକର୍ତ୍ତାମାନେ ସେମାନଙ୍କର ବସ୍ତ୍ର କାଢ଼ିପକାଇ ସେମାନଙ୍କୁ ବେତ୍ରାଘାତ କରିବା ପାଇଁ ଆଜ୍ଞା ଦେଲେ। 23 ସେମାନେ ସେମାନଙ୍କୁ ବହୁତ ପ୍ରହାର କରାଇଲା ଉତ୍ତାରେ କାରାଗାରରେ ନିକ୍ଷେପ କରି ସେମାନଙ୍କୁ ସାବଧାନରେ ରକ୍ଷା କରିବା ନିମନ୍ତେ କାରାରକ୍ଷକଙ୍କୁ ଦୃଢ଼ ଆଜ୍ଞା ଦେଲେ। 24 ସେ ଏହି ପ୍ରକାର ଦୃଢ଼ ଆଜ୍ଞା ପ୍ରାପ୍ତ ହୋଇ ସେମାନଙ୍କୁ ଭିତର କାରାଗାରରେ ନିକ୍ଷେପ କରି ସେମାନଙ୍କ ପାଦରେ ବଡ଼ କାଠଗଣ୍ଡି ବାନ୍ଧିଦେଲେ।

କାରାରକ୍ଷକର ପରିବର୍ତ୍ତନ

25 କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ବରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ। 26 ସେତେବେଳେ ହଠାତ୍‍ ଏପରି ମହା ଭୂମିକମ୍ପ ହେଲା ଯେ, କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍‌କ୍ଷଣାତ୍ ସମସ୍ତ ଦ୍ୱାର ଖୋଲା ହୋଇଗଲା, ପୁଣି, ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା। 27 ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାରର ଦ୍ୱାର ଖୋଲା ହେବା ଦେଖି ବନ୍ଦୀମାନେ ପଳାଇଯାଇଅଛନ୍ତି ବୋଲି ମନେ କରି, ଖଣ୍ଡା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ। 28 କିନ୍ତୁ ପାଉଲ ଉଚ୍ଚସ୍ୱରରେ ଡାକି କହିଲେ, ଆପଣାର କୌଣସି କ୍ଷତି କର ନାହିଁ, କାରଣ ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ। 29 ସେଥିରେ ସେ ଦୀପ ଆଣିବାକୁ କହି ଡେଇଁପଡ଼ି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କର ସମ୍ମୁଖରେ ପଡ଼ିଗଲେ, 30 ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କଅଣ କରିବାକୁ ହେବ? 31 ସେମାନେ କହିଲେ, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ଏବଂ ତୁମ୍ଭ ସପରିବାର ପରିତ୍ରାଣ ପାଇବ। 32 ପରେ ସେମାନେ ତାହାଙ୍କୁ ଓ ତାହାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ବରଙ୍କ ବାକ୍ୟ କହିଲେ। 33 ଆଉ ସେ ସେମାନଙ୍କୁ ରାତ୍ରିର ସେହି ସମୟରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତସବୁ ଧୋଇଦେଲେ, ପୁଣି, ସେ ଓ ତାହାଙ୍କର ସମସ୍ତେ ସେହିକ୍ଷଣି ବାପ୍ତିଜିତ ହେଲେ। 34 ସେଥିରେ ସେ ସେମାନଙ୍କୁ ଆପଣା ଗୃହକୁ ଘେନିଯାଇ ଖାଦ୍ୟ ପରିବେଷଣ କଲେ, ଆଉ ସମସ୍ତ ପରିବାର ସହିତ ଈଶ୍ବରଙ୍କଠାରେ ବିଶ୍ୱାସ କରି ଅତ୍ୟନ୍ତ ଆନନ୍ଦିତ ହେଲେ। 35 ସକାଳ ହୁଅନ୍ତେ ବିଚାରକର୍ତ୍ତାମାନେ ପଦାତିକମାନଙ୍କୁ ଏହା କହି ପଠାଇଲେ, ସେହି ଲୋକମାନଙ୍କୁ ଛାଡ଼ିଦିଅ। 36 ଏଥିରେ କାରାରକ୍ଷକ ପାଉଲଙ୍କୁ ଏହି କଥା କହି ଜଣାଇଲେ, ଆପଣମାନଙ୍କୁ ଛାଡ଼ିଦେବା ନିମନ୍ତେ ବିଚାରକର୍ତ୍ତାମାନେ ଲୋକ ପଠାଇଅଛନ୍ତି। ଏଣୁ ଏବେ ବାହାରି ଆସି ଶାନ୍ତିରେ ଚାଲିଯାଆନ୍ତୁ। 37 କିନ୍ତୁ ପାଉଲ ସେମାନଙ୍କୁ କହିଲେ, ରୋମୀୟ ଲୋକ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ବିଚାର ନ କରି ସେମାନେ ପ୍ରକାଶରେ ଆମ୍ଭମାନଙ୍କୁ ପ୍ରହାର କଲା ପରେ କାରାଗାରରେ ପକାଇଅଛନ୍ତି, ଆଉ ଏବେ କି ଗୋପନରେ ଆମ୍ଭମାନଙ୍କୁ ଛାଡ଼ିଦେଉଅଛ? ତାହା ହେବ ନାହିଁ, ମାତ୍ର ସେମାନେ ନିଜେ ଆସି ଆମ୍ଭମାନଙ୍କୁ ବାହାରକୁ ଘେନିଯାଉନ୍ତୁ। 38 ସେଥିରେ ପଦାତିକମାନେ ବିଚାରକର୍ତ୍ତାମାନଙ୍କୁ ଏହି ସମସ୍ତ କଥା ଜଣାଇଲେ, ପୁଣି, ସେମାନେ ଯେ ରୋମୀୟ ଲୋକ, ଏହା ଶୁଣି ଲୋକମାନେ ଭୟ କଲେ, 39 ଆଉ ସେମାନେ ଆସି ସେମାନଙ୍କୁ ବିନତି କଲେ, ପୁଣି, ସେମାନଙ୍କୁ ବାହାର କରି ଆଣି ନଗରରୁ ବାହାରିଯିବା ନିମନ୍ତେ ସେମାନଙ୍କୁ ଅନୁରୋଧ କଲେ। 40 ସେଥିରେ ସେମାନେ କାରାଗାରରୁ ବାହାରିଯାଇ ଲୂଦିଆଙ୍କ ଗୃହରେ ପ୍ରବେଶ କଲେ, ଆଉ ଭାଇମାନଙ୍କ ସାଙ୍ଗରେ ସାକ୍ଷାତ କରି ସେମାନଙ୍କୁ ଉତ୍ସାହ ଦେଲା ଉତ୍ତାରେ ପ୍ରସ୍ଥାନ କଲେ।

Chapter 17

ଥେସଲନୀକୀ ସହରରେ କାର୍ଯ୍ୟ

1 ପରେ ସେମାନେ ଆଂଫିପଲି ଓ ଆପଲ୍ଲୋନିଆ ସହରଗୁଡିକ ଦେଇ ଯାତ୍ରା କରି ଥେସଲନୀକୀ ସହରକୁ ଆସିଲେ; ସେଠାରେ ଯିହୁଦୀମାନଙ୍କର ଗୋଟିଏ ସମାଜଗୃହ ଥିଲା। 2 ଆଉ ପାଉଲ ଆପଣା ରୀତି ଅନୁସାରେ ସେମାନଙ୍କ ନିକଟକୁ ଗଲେ, ପୁଣି, ତିନୋଟି ବିଶ୍ରାମବାର ପର୍ଯ୍ୟନ୍ତ ଶାସ୍ତ୍ରର ବାକ୍ୟ ଘେନି ସେମାନଙ୍କୁ ଉପଦେଶ ଦେଲେ, 3 ପୁଣି, ଖ୍ରୀଷ୍ଟଙ୍କର ଯେ ଦୁଃଖଭୋଗ ଓ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କରିବା ଆବଶ୍ୟକ ଥିଲା, ଆଉ ସେ ଯେଉଁ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି, ସେ ଯେ ଖ୍ରୀଷ୍ଟ, ଏହାର ସ୍ପଷ୍ଟ ପ୍ରମାଣ ଦେଲେ। 4 ସେଥିରେ ସେମାନଙ୍କ ମଧ୍ୟରୁ କେତେକ ଜଣ ବିଶ୍ୱାସ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ପୁଣି, ଯିହୁଦୀମତାବଲମ୍ବୀ ଗ୍ରୀକ୍‍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ଓ ଅନେକ ଭଦ୍ର ମହିଳା ସେମାନଙ୍କ ସହିତ ଯୋଗ ଦେଲେ। 5 କିନ୍ତୁ ଯିହୁଦୀମାନେ ଈର୍ଷାରେ ଜଳିଉଠି ବଜାରର କେତେକ ଦୁଷ୍ଟ ଲୋକଙ୍କୁ ସାଙ୍ଗରେ ଘେନି ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇଦେଲେ, ଆଉ ଯାସୋନଙ୍କ ଗୃହ ଆକ୍ରମଣ କରି ସେମାନଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ପାଇଁ ଚେଷ୍ଟା କଲେ। 6 ମାତ୍ର ସେମାନଙ୍କୁ ନ ପାଇବାରୁ ସେମାନେ ଯାସୋନ ଓ କେତେକ ବିଶ୍ୱାସୀ ଭାଇମାନଙ୍କୁ ନଗରର ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣିଆଣି ଉଚ୍ଚସ୍ୱରରେ ଡାକି କହିଲେ, ଏ ଯେଉଁ ଲୋକଗୁଡ଼ାକ ଜଗତକୁ ଓଲଟପାଲଟ କରିପକାଇଲେଣି, ସେମାନେ ଏଠାକୁ ମଧ୍ୟ ଆସିଅଛନ୍ତି; ସେମାନଙ୍କୁ ଯାସୋନ ଗ୍ରହଣ କରିଅଛି। 7 ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି। 8 ସେମାନଙ୍କର ଏହି କଥା ଶୁଣି ଲୋକସମୂହ ଓ ନଗରର ଶାସନକର୍ତ୍ତାମାନେ ବିଚଳିତ ହେଲେ। 9 ପରେ ସେମାନେ ଯାସୋନ ଓ ତାହାଙ୍କ ସଙ୍ଗୀମାନଙ୍କଠାରୁ ଜାମିନ୍ ନେଇ ସେମାନଙ୍କୁ ଛାଡ଼ିଦେଲେ।

ବେରିୟାରେ କାର୍ଯ୍ୟ

10 ପୁଣି, ଭାଇମାନେ ଅବିଳମ୍ବରେ ପାଉଲ ଓ ଶୀଲାଙ୍କୁ ରାତି ସମୟରେ ବେରିୟା ନଗରକୁ ପଠାଇଦେଲେ; ସେମାନେ ସେହି ସ୍ଥାନରେ ପହଞ୍ଚି ଯିହୁଦୀମାନଙ୍କ ସମାଜଗୃହକୁ ଗଲେ। 11 ଥେସଲନୀକୀ ସହରରେ ଥିବା ଯିହୁଦୀମାନଙ୍କଠାରୁ ଏମାନେ ସୁଶୀଳ ଥିଲେ। ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି, ଏହି ସମସ୍ତ ସତ୍ୟ କି ନା, ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ। 12 ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ଓ ଗ୍ରୀକ୍‌ମାନଙ୍କ ମଧ୍ୟରୁ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ମଧ୍ୟ ବିଶ୍ୱାସ କଲେ। 13 କିନ୍ତୁ ଯେତେବେଳେ ଥେସଲନୀକୀ ସହରରେ ଯିହୁଦୀମାନେ ଜାଣିଲେ ଯେ, ଈଶ୍ବରଙ୍କ ବାକ୍ୟ ପାଉଲଙ୍କ ଦ୍ୱାରା ବେରିୟାରେ ସୁଦ୍ଧା ପ୍ରଚାରିତ ହେଉଅଛି, ସେତେବେଳେ ସେମାନେ ସେ ସ୍ଥାନକୁ ମଧ୍ୟ ଆସି ଲୋକସମୂହଙ୍କୁ ଉତ୍ତେଜିତ ଓ ବିଚଳିତ କଲେ। 14 ସେଥିରେ ଭାଇମାନେ ଅବିଳମ୍ବରେ ପାଉଲଙ୍କୁ ସମୁଦ୍ର ଆଡ଼କୁ ଯିବା ପାଇଁ ପଠାଇଦେଲେ, ଆଉ ଶୀଲା ଓ ତୀମଥି ସେହି ସ୍ଥାନରେ ରହିଲେ। 15 କିନ୍ତୁ ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ଘେନିଗଲେ, ସେମାନେ ତାହାଙ୍କୁ ଆଥିନୀ ପର୍ଯ୍ୟନ୍ତ ଆଣିଲେ, ଆଉ ଶୀଲା ଓ ତୀମଥି ଯେପରି ଅତି ଶୀଘ୍ର ତାହାଙ୍କ ନିକଟକୁ ଆସନ୍ତି, ଏହି ଆଜ୍ଞା ପାଇ ସେମାନେ ପ୍ରସ୍ଥାନ କଲେ।

ଆଥିନୀରେ ପାଉଲଙ୍କ କାର୍ଯ୍ୟ

16 ଆଥିନୀରେ ପାଉଲ ସେମାନଙ୍କ ଅପେକ୍ଷାରେ ଥିବା ସମୟରେ ସେହି ନଗରକୁ ପ୍ରତିମାରେ ପରିପୂର୍ଣ୍ଣ ଦେଖି ତାହାଙ୍କ ଆତ୍ମା ଉତ୍ତପ୍ତ ହୋଇ ଉଠିଲା। 17 ତେଣୁ ସେ ସମାଜଗୃହରେ ଯିହୁଦୀ ଓ ଯିହୁଦୀମତାବଲମ୍ବୀ ଅଣଯିହୁଦୀମାନଙ୍କ ସହିତ, ଆଉ ବଜାର ଛକରେ ପ୍ରତିଦିନ ଯେଉଁମାନଙ୍କ ସାଙ୍ଗରେ ଦେଖା ହେଉଥିଲା, ସେମାନଙ୍କୁ ଉପଦେଶ ଦେଉଥିଲେ। 18 ସେଥିରେ ଏପିକୂୂରୀୟ ଓ ସ୍ତୋୟିକ କେତେକ ଦାର୍ଶନିକ ମଧ୍ୟ ତାହାଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, ପୁଣି, କେହି କେହି କହିଲେ, ଏ ବାଚାଳଟା କଅଣ କହିବାକୁ ଇଚ୍ଛା କରୁଅଛ? ଆଉ କେହି କେହି କହିଲେ, ସେ ଅଜଣା ଦେବତାମାନଙ୍କର ପ୍ରଚାରକ ହେଲା ପରି ଜଣାଯାଉଅଛି; କାରଣ ସେ ଯୀଶୁ ଓ ପୁନରୁତ୍ଥାନ ବିଷୟକ ସୁସମାଚାର ପ୍ରଚାର କରୁଥିଲେ। 19 ପରେ ସେମାନେ ତାହାଙ୍କୁ ଆରିୟପାଗକୁ ଘେନିଯାଇ କହିଲେ, ଏହି ଯେ ନୂତନ ଶିକ୍ଷା ଆପଣ ଦେଉଅଛନ୍ତି, ତାହା କଅଣ ବୋଲି ଆମ୍ଭେମାନେ ଜାଣି ପାରିବା କି? 20 କାରଣ ଆପଣ କେତେକ ଅଦ୍ଭୁତ ବିଷୟ ଆମ୍ଭମାନଙ୍କ କର୍ଣ୍ଣଗୋଚର କରୁଅଛନ୍ତି; ଅତଏବ ଏହି ସମସ୍ତ କଥାର ଅର୍ଥ କଅଣ, ଆମ୍ଭେମାନେ ତାହା ଜାଣିବାକୁ ଇଚ୍ଛା କରୁ। 21 ଆଥିନୀ ସହରର ଲୋକ ସମସ୍ତେ ଓ ସେଠାରେ ପ୍ରବାସୀ ବିଦେଶୀୟମାନେ କେବଳ କୌଣସି ନୂତନ କଥା କହିବା ଓ ଶୁଣିବା ଛଡ଼ା ଆଉ କାହିଁରେ କାଳକ୍ଷେପଣ କରୁ ନ ଥିଲେ।

ଆରିୟପାଗରେ ପାଉଲଙ୍କ ପ୍ରଚାର

22 ଏଥିରେ ପାଉଲ ଆରିୟପାଗର ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ହେ ଆଥିନୀ ସହରର ଲୋକମାନେ, ଆପଣମାନେ ଯେ ସମସ୍ତ ବିଷୟରେ ବଡ଼ ଦେବ ଭକ୍ତ, ଏହା ମୁଁ ଦେଖୁଅଛି। 23 କାରଣ ମୁଁ ଭ୍ରମଣ କରିବା ସମୟରେ ଆପଣମାନଙ୍କର ପୂଜିତ ବସ୍ତୁସମସ୍ତ ଦେଖୁ ଦେଖୁ ଗୋଟିଏ ବେଦି ମଧ୍ୟ ଦେଖିଲି, ଯାହା ଉପରେ ଏହି କଥା ଲେଖା ହୋଇଅଛି, “ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ।” ଅତଏବ, ଆପଣମାନେ ନ ଜାଣି ଯାହାଙ୍କର ପୂଜା କରୁଅଛନ୍ତି, ମୁଁ ତାହାଙ୍କୁ ଆପଣମାନଙ୍କ ନିକଟରେ ପ୍ରଚାର କରୁଅଛି। 24 ଯେଉଁ ଈଶ୍ବର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିର-ସମୂହରେ ବାସ କରନ୍ତି ନାହିଁ, 25 କିଅବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ, ଓ ସମସ୍ତ ପଦାର୍ଥ ଦାନ କରନ୍ତି। 26 ଆଉ, ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି; ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି, 27 ସେମାନେ ଯେପରି ଈଶ୍ବରଙ୍କର ଅନ୍ୱେଷଣ କରି କାଳେ ଦରାଣ୍ଡି ଦରାଣ୍ଡି ତାହାଙ୍କର ଉଦ୍ଦେଶ୍ୟ ପାଇ ପାରନ୍ତି, ଯଦ୍ୟପି ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାନ୍ତି। 28 କାରଣ ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି, ଯେପରି ଆପଣମାନଙ୍କର ନିଜ କବିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ କହିଅଛନ୍ତି, “କାରଣ ଆମ୍ଭେମାନେ ମଧ୍ୟ ତାହାଙ୍କ ବଂଶ।” 29 ତେବେ, ଆମ୍ଭେମାନେ ଈଶ୍ବରଙ୍କର ବଂଶ ହେବାରୁ ଈଶ୍ବରଙ୍କ ସ୍ୱରୂପକୁ ମନୁଷ୍ୟର ଶିଳ୍ପ ଓ କଳ୍ପନା ଅନୁସାରେ ଖୋଦିତ ସ୍ୱର୍ଣ୍ଣ କି ରୌପ୍ୟ କି ପ୍ରସ୍ତର ତୁଲ୍ୟ ବୁଝିବା ଆମ୍ଭମାନଙ୍କର ଉଚିତ ନୁହେଁ। 30 ଈଶ୍ବର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ-ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି; 31 କାରଣ ଯେଉଁ ଦିନ ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି, ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ଏହି ବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି। 32 ମୃତମାନଙ୍କର ପୁନରୁତ୍ଥାନ କଥା ଶୁଣି କେହି କେହି ପରିହାସ କରିବାକୁ ଲାଗିଲେ; ଆଉ କେହି କେହି କହିଲେ, ଆମ୍ଭେମାନେ ଆଉ ଥରେ ଆପଣଙ୍କଠାରୁ ଏହି ବିଷୟ ଶୁଣିବା। 33 ଏହି ପ୍ରକାରେ ପାଉଲ ସେମାନଙ୍କ ମଧ୍ୟରୁ ବାହାରିଗଲେ। 34 କିନ୍ତୁ କୌଣସି କୌଣସି ଲୋକ ତାହାଙ୍କ ସପକ୍ଷ ହୋଇ ବିଶ୍ୱାସ କଲେ; ସେମାନଙ୍କ ମଧ୍ୟରେ ଏରିୟପାଗୀୟ ଦିୟନୂସୀୟ, ଦାମାରି ନାମ୍ନୀ ଜଣେ ମହିଳା ସେମାନଙ୍କ ସହିତ ଆଉ କେତେକ ଲୋକ ଥିଲେ।

Chapter 18

କରିନ୍ଥରେ ପାଉଲଙ୍କ କାର୍ଯ୍ୟ

1 ଏହି ସମସ୍ତ ଘଟଣା ପରେ ପାଉଲ ଆଥିନୀ ସହରରୁ ପ୍ରସ୍ଥାନ କରି କରିନ୍ଥ ସହରକୁ ଆସିଲେ। 2 ଆଉ, ସେ ଆକ୍ୱିଲା ନାମକ ଜଣେ ଯିହୁଦୀଙ୍କ ଦେଖାପାଇଲେ, ପନ୍ତ ସହରରେ ତାହାଙ୍କ ଜନ୍ମସ୍ଥାନ; ସେ ଅଳ୍ପ ଦିନ ହେଲା ଆପଣା ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ଇତାଲିଆରୁ ଆସିଥିଲେ, କାରଣ କ୍ଲାଉଦିଅ ସମସ୍ତ ଯିହୁଦୀଙ୍କୁ ରୋମରୁ ବାହାରିଯିବାକୁ ଆଜ୍ଞା ଦେଇଥିଲେ। ସେ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଗଲେ, 3 ପୁଣି, ସମବ୍ୟବସାୟୀ ଥିବାରୁ ସେମାନଙ୍କ ସହିତ ବାସ କଲେ, ଆଉ ସେମାନେ କର୍ମ କରିବାକୁ ଲାଗିଲେ, କାରଣ ବ୍ୟବସାୟରେ ସେମାନେ ତମ୍ୱୁ ନିର୍ମାଣକାରୀ ଥିଲେ। 4 ପୁଣି, ପ୍ରତି ବିଶ୍ରାମବାର ଦିନରେ ସେ ସମାଜଗୃହରେ ଉପଦେଶ ଦେଇ ଯିହୁଦୀ ଓ ଗ୍ରୀକ୍‍ମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ। 5 ଯେତେବେଳେ ଶୀଲା ଓ ତୀମଥି ମାକିଦନିଆରୁ ଆସିଲେ, ସେତେବେଳେ ପାଉଲ ବାକ୍ୟ ପ୍ରଚାରରେ ନିତାନ୍ତ ନିବିଷ୍ଟ ଥାଇ, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯିହୁଦୀମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲେ। 6 କିନ୍ତୁ ସେମାନେ ପ୍ରତିରୋଧ ଓ ନିନ୍ଦା କରିବାରୁ ସେ ଆପଣା ବସ୍ତ୍ର ଝାଡ଼ି ସେମାନଙ୍କୁ କହିଲେ, ଆପଣମାନଙ୍କ ରକ୍ତ ଆପଣମାନଙ୍କ ମସ୍ତକ ଉପରେ ବର୍ତ୍ତୁ; ମୁଁ ନିର୍ଦ୍ଦୋଷ; ଏଣିକି ମୁଁ ଅଣଯିହୁଦୀମାନଙ୍କ ନିକଟକୁ ଯିବି। 7 ସେଥିରେ ସେ ସେ ସ୍ଥାନରୁ ପ୍ରସ୍ଥାନ କରି ତିତସ୍ ଯୂସ୍ତ ନାମକ ଜଣେ ଈଶ୍ବରଭକ୍ତଙ୍କ ଗୃହକୁ ଗଲେ, ତାହା ସମାଜଗୃହକୁ ଲାଗିଥିଲା। 8 କିନ୍ତୁ ସମାଜଗୃହର ଅଧ୍ୟକ୍ଷ କ୍ରୀଷ୍ପ ଏବଂ ସପରିବାର ପ୍ରଭୁଙ୍କଠାରେ ବିଶ୍ୱାସ କଲେ, ଆଉ କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକ ଶୁଣି ବିଶ୍ୱାସ କରିବାକୁ ଲାଗିଲେ ଓ ବାପ୍ତିଜିତ ହେଲେ। 9 ପୁଣି, ପ୍ରଭୁ ରାତ୍ରିରେ ଦର୍ଶନ ଦ୍ୱାରା ପାଉଲଙ୍କୁ କହିଲେ, “ଭୟ କର ନାହିଁ, ନୀରବ ନ ରହି କଥା କୁହ, 10 କାରଣ ଆମ୍ଭେ ତୁମ୍ଭ ସାଙ୍ଗରେ ଅଛୁ, କୌଣସି ଲୋକ ତୁମ୍ଭର କ୍ଷତି କରିବାକୁ ତୁମ୍ଭକୁ ଆକ୍ରମଣ କରିବ ନାହିଁ, ଯେଣୁ ଆମ୍ଭର ଅନେକ ଲୋକ ଏହି ନଗରରେ ଅଛନ୍ତି।” 11 ପୁଣି, ସେ ସେମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ ଶିକ୍ଷା ଦେଇ ଦେଢ଼ବର୍ଷ ସେଠାରେ ବାସ କଲେ। 12 କିନ୍ତୁ ଗାଲ୍ଲିୟୋନ୍ ଆଖାୟା ଅଞ୍ଚଳର ଶାସନକର୍ତ୍ତା ଥିବା ସମୟରେ ଯିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ ଏକମତ ହୋଇ ଉଠି ତାହାଙ୍କୁ ବିଚାରାସନ ଛାମୁକୁ ଘେନିଆସି କହିଲେ, 13 ଏହି ଲୋକଟା ମୋଶାଙ୍କ ବ୍ୟବସ୍ଥାର ବିପରୀତ ଭାବରେ ଈଶ୍ବରଙ୍କ ଉପାସନା କରିବାକୁ ଲୋକମାନଙ୍କୁ ବାଧ୍ୟ କରେ। 14 କିନ୍ତୁ ପାଉଲ ମୁଖ ଫିଟାଇ କଥା କହିବାକୁ ଉଦ୍ୟତ ହୁଅନ୍ତେ, ଗାଲ୍ଲିୟୋନ୍ ଯିହୁଦୀମାନଙ୍କୁ କହିଲେ, କୌଣସି ପ୍ରକାର ଅନ୍ୟାୟ ବା ଦୁଷ୍କର୍ମ ଯଦି ହୋଇଥାଆନ୍ତା, ତେବେ, ହେ ଯିହୁଦୀମାନେ, ଧିର ହୋଇ ତୁମ୍ଭମାନଙ୍କର କଥା ଶୁଣିବା ଯୁକ୍ତିସଙ୍ଗତ ହୋଇଥାଆନ୍ତା, 15 ମାତ୍ର ଯଦି ଏହିସବୁ କେବଳ ବାକ୍ୟ, ନାମ ଓ ତୁମ୍ଭମାନଙ୍କ ମୋଶାଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ଅଟେ, ତେବେ ତୁମ୍ଭେମାନେ ନିଜେ ତାହା ବୁଝ; ଆମ୍ଭେ ଏହିସବୁ ବିଷୟରେ ବିଚାରକର୍ତ୍ତା ହେବାକୁ ଇଚ୍ଛା କରୁ ନାହୁଁ। 16 ପୁଣି, ସେ ସେମାନଙ୍କୁ ବିଚାରାସନ ସମ୍ମୁଖରୁ ତଡ଼ିଦେଲେ। 17 ସେଥିରେ ସମସ୍ତେ ସମାଜଗୃହର ଅଧ୍ୟକ୍ଷ ସୋସ୍ଥିନାଙ୍କୁ ଧରି ବିଚାରାସନ ସମ୍ମୁଖରେ ପ୍ରହାର କରିବାକୁ ଲାଗିଲେ; କିନ୍ତୁ ଗାଲ୍ଲିୟୋନ୍ ସେହି ସମସ୍ତ ବିଷୟରେ ଦୃଷ୍ଟି କଲେ ନାହିଁ।

ଆନ୍ତିୟଖିଆକୁ ପାଉଲଙ୍କ ପ୍ରତ୍ୟାବର୍ତ୍ତନ

18 ଏହା ଉତ୍ତାରେ ପାଉଲ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ଭାଇମାନଙ୍କ ନିକଟରୁ ବିଦାୟ ଘେନି ଜାହାଜରେ ଚଢ଼ି ସିରିୟା ଅଞ୍ଚଳକୁ ଯାତ୍ରା କଲେ। ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ ସାଙ୍ଗରେ ଗଲେ; ତାଙ୍କର ଗୋଟିଏ ମାନତ ଥିବାରୁ ସେ କେଙ୍କ୍ରେୟା ସହରରେ ଆପଣା ମସ୍ତକ ମୁଣ୍ଡନ କରାଇଲେ। 19 ପରେ ସେମାନେ ଏଫିସକୁ ଆସିଲେ, ପୁଣି, ସେ ସେ ସ୍ଥାନରେ ସେମାନଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରବେଶ କରି ଯିହୁଦୀମାନଙ୍କୁ ଉପଦେଶ ଦେଲେ। 20 ପୁଣି, ସେମାନେ ତାହାଙ୍କୁ ଅଧିକ ସମୟ ରହିବାକୁ ଅନୁରୋଧ କରନ୍ତେ ସେ ଏକମତ ହେଲେ ନାହିଁ, 21 ମାତ୍ର ସେମାନଙ୍କଠାରୁ ବିଦାୟ ଘେନି କହିଲେ, ଈଶ୍ବରଙ୍କ ଇଚ୍ଛା ହେଲେ ଆଉ ଥରେ ଆପଣମାନଙ୍କ ନିକଟକୁ ବାହୁଡ଼ି ଆସିବି; ପୁଣି, ସେ ଏଫିସରୁ ପ୍ରସ୍ଥାନ କଲେ। 22 କାଇସରିୟାରେ ପହଞ୍ଚି ସେ ଜାହାଜରୁ ଓହ୍ଲାଇଲେ, ଆଉ ଯାଇ ମଣ୍ଡଳୀକୁ ନମସ୍କାର କରି ଆନ୍ତିୟଖିଆକୁ ଚାଲିଗଲେ। 23 ସେ ସ୍ଥାନରେ କେତେକ ସମୟ ରହିଲା ପରେ ସେ ପ୍ରସ୍ଥାନ କଲେ, ପୁଣି, କ୍ରମାନ୍ୱୟେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳଗୁଡିକ ଦେଇ ଯାତ୍ରା କରୁ କରୁ ଶିଷ୍ୟ ସମସ୍ତଙ୍କୁ ସୁସ୍ଥିର କରୁଥିଲେ।

ଏଫିସ ଓ କରିନ୍ଥରେ ଆପଲ୍ଲ

24 ଇତିମଧ୍ୟରେ ଆପଲ୍ଲ ନାମକ ଜଣେ ଯିହୁଦୀ ଏଫିସକୁ ଆସିଲେ, ତାହାଙ୍କର ଜନ୍ମସ୍ଥାନ ଆଲେକଜାଣ୍ଡ୍ରୀୟ ସହରରେ ଥିଲା; ସେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ଶକ୍ତିଶାଳୀ ଥିଲେ। 25 ଏହି ବ୍ୟକ୍ତି ପ୍ରଭୁଙ୍କ ମାର୍ଗ ବିଷୟରେ ଶିକ୍ଷା ପ୍ରାପ୍ତ ହୋଇଥିଲେ, ପୁଣି, ଆତ୍ମାରେ ଉତ୍ତପ୍ତ ହୋଇ ଯୀଶୁଙ୍କ ବିଷୟ ସୂକ୍ଷ୍ମରୂପେ କହି ଶିକ୍ଷା ଦେଉଥିଲେ, କିନ୍ତୁ ସେ କେବଳ ଯୋହନଙ୍କ ବାପ୍ତିସ୍ମ ବିଷୟ ଜାଣିଥିଲେ; 26 ସେ ସମାଜଗୃହରେ ସାହସ ସହିତ କଥା କହିବାକୁ ଲାଗିଲେ। କିନ୍ତୁ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ଆପଣାମାନଙ୍କ ସାଙ୍ଗରେ ରଖି ଅଧିକ ସୂକ୍ଷ୍ମ ରୂପେ ଈଶ୍ବରଙ୍କ ମାର୍ଗ ବିଷୟ ତାହାଙ୍କୁ ବୁଝାଇଦେଲେ। 27 ସେ ଆଖାୟା ଦେଶକୁ ଯିବା ପାଇଁ ଇଚ୍ଛା କରିବାରୁ ଭାଇମାନେ ତାହାଙ୍କୁ ଉତ୍ସାହ ଦେଇ ତାହାଙ୍କୁ ଗ୍ରହଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଲେଖିଲେ। ସେ ସେଠାରେ ଉପସ୍ଥିତ ହୋଇ, ଯେଉଁମାନେ ବିଶ୍ୱାସ କରିଥିଲେ, ଈଶ୍ବରଙ୍କ ଅନୁଗ୍ରହ ଦ୍ୱାରା ସେମାନଙ୍କର ବହୁତ ଉପକାର କଲେ, 28 କାରଣ ଯୀଶୁ ଯେ ଖ୍ରୀଷ୍ଟ, ଏହା ଧର୍ମଶାସ୍ତ୍ର ଦ୍ୱାରା ପ୍ରମାଣ କରି ସେ ପ୍ରକାଶରେ ଶକ୍ତି ସହିତ ଯିହୁଦୀମାନଙ୍କର ଯୁକ୍ତିସବୁ ଖଣ୍ଡନ କରିବାକୁ ଲାଗିଲେ।

Chapter 19

ଏଫିସରେ ପାଉଲ

1 ଆପଲ୍ଲ କରିନ୍ଥ ସହରରେ ଥିବା ସମୟରେ ପାଉଲ ପାହାଡ଼ିଆ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖାପାଇଲେ। 2 ସେ ସେମାନଙ୍କୁ ପଚାରିଲେ, ବିଶ୍ୱାସ କରିବା ସମୟରେ କଅଣ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କୁ ପାଇଥିଲ? ସେମାନେ ତାହାଙ୍କୁ ଉତ୍ତର ଦେଲେ, ନା ପବିତ୍ର ଆତ୍ମା ଯେ ଦତ୍ତ ହୋଇଅଛନ୍ତି, ତାହା ସୁଦ୍ଧା ଆମ୍ଭେମାନେ ଶୁଣି ନାହୁଁ। 3 ତେଣୁ ସେ ପଚାରିଲେ, ତେବେ ତୁମ୍ଭେମାନେ କାହିଁରେ ବାପ୍ତିଜିତ ହୋଇଥିଲ? ସେମାନେ କହିଲେ, ଯୋହନଙ୍କ ବାପ୍ତିସ୍ମରେ। 4 ସେଥିରେ ପାଉଲ କହିଲେ, ଯୋହନ ମନ-ପରିବର୍ତ୍ତନର ବାପ୍ତିସ୍ମରେ ବାପ୍ତିସ୍ମ ଦେଇ, ତାହାଙ୍କ ପରେ ଯେ ଆସିବେ, ତାହାଙ୍କଠାରେ ଅର୍ଥାତ୍‍ ଯୀଶୁଙ୍କଠାରେ ବିଶ୍ୱାସ କରିବାକୁ ହେବ ବୋଲି ଲୋକମାନଙ୍କୁ କହୁଥିଲେ। 5 ସେମାନେ ଏହା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ, 6 ଆଉ ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କରନ୍ତେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ, ପୁଣି, ସେମାନେ ନାନା ଭାଷାରେ କଥା କହିବାକୁ ଓ ଭାବବାଣୀ ମଧ୍ୟ କହିବାକୁ ଲାଗିଲେ। 7 ସେମାନେ ସମସ୍ତେ ପ୍ରାୟ ବାର ଜଣ ପୁରୁଷ ଥିଲେ। 8 ପରେ ସେ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସ ସହିତ ଈଶ୍ବରଙ୍କ ରାଜ୍ୟ ବିଷୟରେ ଉପଦେଶ ଦେଇ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିବାକୁ ଲାଗିଲେ। 9 କିନ୍ତୁ ସେତେବେଳେ କେତେକ ଲୋକ କଠିନ ଓ ଅବାଧ୍ୟ ହୋଇ ଲୋକସମୂହ ସାକ୍ଷାତରେ ଏହି ମାର୍ଗ ବିଷୟରେ ନିନ୍ଦା କରିବାକୁ ଲାଗିଲେ, ସେତେବେଳେ ସେ ସେମାନଙ୍କୁ ପରିତ୍ୟାଗ କରି ଶିଷ୍ୟମାନଙ୍କୁ ପୃଥକ୍ କଲେ, ଆଉ ପ୍ରତିଦିନ ତୁରାନ୍ନର ବିଦ୍ୟାଳୟରେ ଉପଦେଶ ଦେବାକୁ ଲାଗିଲେ। 10 ଏହିପରି ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିଲା; ସେଥିରେ ଏସିଆ-ନିବାସୀ ଯିହୁଦୀ ଓ ଗ୍ରୀକ୍‍ ସମସ୍ତେ ପ୍ରଭୁଙ୍କ ବାକ୍ୟ ଶ୍ରବଣ କଲେ।

ସ୍କେବାର ପୁତ୍ରମାନେ

11 ପୁଣି, ଈଶ୍ବର ପାଉଲଙ୍କ ହସ୍ତ ଦ୍ୱାରା ଅସାମାନ୍ୟ ଅଦ୍ଭୁତ କାର୍ଯ୍ୟ ସାଧନ କରୁଥିଲେ, 12 ଏପରିକି ତାହାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣା ଯାଆନ୍ତେ ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ଓ ମନ୍ଦ-ଆତ୍ମାଗୁଡ଼ାକ ବାହାରିଯାଉଥିଲେ। 13 କିନ୍ତୁ ଭ୍ରମଣକାରୀ ଯିହୁଦୀ ଭୂତୁଡ଼ିଆମାନଙ୍କ ମଧ୍ୟରୁ କେତେକ ଜଣକୁ ଦୁଷ୍ଟ ଆତ୍ମା ଲାଗିଥିବା ଲୋକମାନଙ୍କ ଉପରେ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କରିବାକୁ ପ୍ରବୃତ୍ତ ହୋଇ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚାର କରୁଅଛନ୍ତି, ମୁଁ ତୁମ୍ଭମାନଙ୍କୁ ତାହାଙ୍କର ଆଦେଶ ଦେଉଅଛି। 14 ପୁଣି, ସ୍କେବା ନାମକ ଜଣେ ଯିହୁଦୀ ପ୍ରଧାନ ଯାଜକଙ୍କର ସାତ ପୁତ୍ର ଏହିପରି କରୁଥିଲେ। 15 ସେଥିରେ ମନ୍ଦ-ଆତ୍ମା ସେମାନଙ୍କୁ ଉତ୍ତର ଦେଲା, ଆମ୍ଭେ ଯୀଶୁଙ୍କୁ ଜାଣୁ ଓ ପାଉଲଙ୍କୁ ଚିହ୍ନୁଁ; ମାତ୍ର ତୁମ୍ଭେମାନେ କିଏ? 16 ସେତେବେଳେ ମନ୍ଦ-ଆତ୍ମା ଲାଗିଥିବା ଲୋକଟା ସେମାନଙ୍କ ଉପରକୁ ଡେଇଁପଡ଼ି ସେ ଦୁଇ ଜଣଙ୍କୁ ପରାସ୍ତ କରି ସେମାନଙ୍କୁ ଏପରି ଆଘାତ କଲା ଯେ, ସେମାନେ ଉଲଗ୍ନ ଓ କ୍ଷତବିକ୍ଷତ ହୋଇ ସେହି ଘରୁ ବାହାରି ପଳାଇଗଲେ। 17 ଏହି କଥା ଏଫିସ ନିବାସୀ ଯିହୁଦୀ ଓ ଗ୍ରୀକ୍‍ ସମସ୍ତେ ଜାଣିଲେ। ସେଥିରେ ସମସ୍ତେ ଭୀତ ହେଲେ, ଆଉ ପ୍ରଭୁ ଯୀଶୁଙ୍କ ନାମ ମହିମାନ୍ୱିତ ହେବାକୁ ଲାଗିଲା। 18 ପୁଣି, ବିଶ୍ୱାସୀମାନଙ୍କ ମଧ୍ୟରୁ ଅନେକେ ଆସି ଆପଣା ଆପଣା କର୍ମ ସ୍ୱୀକାର ଓ ପ୍ରକାଶ କରିବାକୁ ଲାଗିଲେ, 19 ଆଉ ଯାଦୁକ୍ରିୟା କରୁଥିବା ଅନେକେ ଆପଣା ଆପଣା ପୁସ୍ତକ ଆଣି ଏକତ୍ର କରି ସମସ୍ତଙ୍କ ସାକ୍ଷାତରେ ପୋଡ଼ିପକାଇଲେ; ସେମାନେ ସେସବୁର ମୂଲ୍ୟ ହିସାବ କରି ତାହା ପଚାଶ ହଜାର ରୂପା ମୁଦ୍ରା ବୋଲି ଦେଖିଲେ। 20 ଏହି ପ୍ରକାରେ ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇବାକୁ ଓ ଜୟଯୁକ୍ତ ହେବାକୁ ଲାଗିଲା।

ଏଫିସରେ ହିଂସାକାଣ୍ଡ

21 ଏହି ସମସ୍ତ ବିଷୟ ଶେଷ ହେଲା ଉତ୍ତାରେ ପାଉଲ ମାକିଦନିଆ ଓ ଆଖାୟା ଦେଇ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନରେ ସ୍ଥିର କରି କହିଲେ ଯେ ସେଠାକୁ ଗଲା ଉତ୍ତାରେ ମୋତେ ରୋମକୁ ମଧ୍ୟ ଯିବାକୁ ହେବ। 22 ପୁଣି, ଯେଉଁମାନେ ତାହାଙ୍କର ସେବା କରୁଥିଲେ, ସେମାନଙ୍କର ମଧ୍ୟରୁ ତୀମଥି ଓ ଏରାଷ୍ଟ, ଏହି ଦୁଇ ଜଣଙ୍କୁ ମାକିଦନିଆକୁ ପ୍ରେରଣ କରି ସେ ଆପେ କିଛି କାଳ ପର୍ଯ୍ୟନ୍ତ ଏସିଆରେ ରହିଲେ। 23 ପ୍ରାୟ ସେହି ସମୟରେ ଏହି ମାର୍ଗ ବିଷୟରେ ମହା ଗଣ୍ଡଗୋଳ ଉଠିଲା। 24 କାରଣ ଦୀମିତ୍ରୀୟ ନାମକ ଜଣେ ସ୍ୱର୍ଣ୍ଣକାର ଆର୍ତ୍ତେମୀର ରୌପ୍ୟ ମନ୍ଦିର ନିର୍ମାଣ କରୁଥିଲା, ପୁଣି, ଶିଳ୍ପକାରମାନଙ୍କର ଯଥେଷ୍ଟ ଲାଭ କରାଯାଉଥିଲା। 25 ସେ ସେମାନଙ୍କୁ ଓ ସେହି ବ୍ୟବସାୟର କାରିଗରମାନଙ୍କୁ ଡାକି କହିଲା, ମହାଶୟମାନେ, ଏହି ବ୍ୟବସାୟ ଦ୍ୱାରା ଆମ୍ଭେମାନେ ଧନ ପ୍ରାପ୍ତ ହେଉ ବୋଲି ଆପଣମାନେ ଜାଣନ୍ତି; 26 ଆଉ ହାତ ତିଆରି ଦେବତାମାନେ ଈଶ୍ବର ନୁହଁନ୍ତି ବୋଲି କହି ଏହି ପାଉଲ କେବଳ ଏଫିସରେ ନୁହେଁ, ମାତ୍ର ପ୍ରାୟ ସମସ୍ତ ଏସିଆରେ ବହୁତ ଲୋକଙ୍କୁ ମତାଇ ଭୁଲାଇଅଛି, ଏହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି। 27 ଏଥିରେ ଯେ କେବଳ ଆମ୍ଭମାନଙ୍କ ଏହି ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି, ତାହା ନୁହେଁ, କିନ୍ତୁ ଯେଉଁ ମହାନ ଦେବୀ ଆର୍ତ୍ତେମୀଙ୍କୁ ସମସ୍ତ ଏସିଆ ଓ ଜଗତଯାକ ଉପାସନା କରନ୍ତି, ତାହା ମନ୍ଦିର ମଧ୍ୟ ନଗଣ୍ୟ ହୋଇପଡ଼ିବାର ଓ ତାହାଙ୍କ ମହିମାର ଗ୍ଲାନି ସୁଦ୍ଧା ଘଟିବାର ଆଶଙ୍କା ଅଛି। 28 ଏହି କଥା ଶୁଣି ସେମାନେ କ୍ରୋଧରେ ପରିପୂର୍ଣ୍ଣ ହୋଇ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି। 29 ଏଥିରେ ନଗରଟି ଗଣ୍ଡଗୋଳରେ ପରିପୂର୍ଣ୍ଣ ହେଲା, ଆଉ ସେମାନେ ଏକଯୋଗରେ ପାଉଲଙ୍କ ସହଯାତ୍ରୀ ମାକିଦନିଆର ଗାୟ ଓ ଆରିସ୍ତାର୍ଖଙ୍କୁ ଧରି ବଡ଼ ବେଗରେ ରଙ୍ଗଭୂମିକୁ ଦୌଡ଼ିଗଲେ। 30 ଏଥିରେ ପାଉଲ ଲୋକମାନଙ୍କ ଭିତରକୁ ଯିବାକୁ ଇଚ୍ଛା କଲେ, କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ। 31 ଆଉ ଆସିଅାର ପ୍ରଧାନ କର୍ମକାରୀମାନଙ୍କ ମଧ୍ୟରୁ ସୁଦ୍ଧା କେତେକ ଜଣ ତାହାଙ୍କ ବନ୍ଧୁ ଥିବାରୁ ଲୋକ ପଠାଇ ରଙ୍ଗଭୂମି ମଧ୍ୟକୁ ଦୁଃସାହସ କରି ନ ଯିବାକୁ ତାହାଙ୍କୁ ଅନୁରୋଧ କଲେ। 32 ସେତେବେଳେ କେହି କେହି ଏ କଥା, କେହି କେହି ବା ସେ କଥା କହି ଚିତ୍କାର କରୁଥିଲେ, କାରଣ ସଭା ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଥିଲା, ଆଉ ସେମାନେ ଯେ କାହିଁକି ଏକତ୍ର ହୋଇଅଛନ୍ତି, ତାହା ଅଧିକାଂଶ ଜାଣି ନ ଥିଲେ। 33 ଆଉ ଯିହୁଦୀମାନେ ଆଲେକ୍‌ଜାଣ୍ଡରକୁ ଆଗକୁ ବାହାର କରି ଆଣିବାରୁ ଲୋକସମୂହ ମଧ୍ୟରୁ କେହି କେହି ତାହାକୁ ମତାଇଲେ; ସେଥିରେ ଆଲେକ୍‌ଜାଣ୍ଡର ହସ୍ତରେ ସଙ୍କେତ କରି ଲୋକମାନଙ୍କ ନିକଟରେ ସେମାନଙ୍କର ପକ୍ଷ ସମର୍ଥନ କରିବାକୁ ଇଚ୍ଛା କଲା। 34 କିନ୍ତୁ ସେ ଜଣେ ଯିହୁଦୀ ବୋଲି ଯେତେବେଳେ ସେମାନେ ଜାଣିଲେ, ସେତେବେଳେ ସମସ୍ତେ ଏକସ୍ୱରରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି। 35 ପରେ ନଗର-ବେବର୍ତ୍ତା ଲୋକସମୂହକୁ ଶାନ୍ତ କରାଇ କହିଲେ, ହେ ଏଫିସୀୟ ଲୋକମାନେ, ଏଫିସ ନଗରୀ ଯେ ମହାଦେବୀ ଆର୍ତ୍ତେମୀ ଓ ଆକାଶରୁ ପତିତ ପ୍ରତିମାର ମନ୍ଦିର ପରିଚାରିକା, ଏହା କିଏ ନ ଜାଣେ? 36 ଅତଏବ ଏହିସବୁ କଥା ଅଖଣ୍ଡନୀୟ ହେବାରୁ ତୁମ୍ଭମାନଙ୍କର ଶାନ୍ତ ହେବା ଓ ଅବିବେଚନାରେ କୌଣସି କର୍ମ ନ କରିବା ଉଚିତ। 37 କାରଣ ଏହି ଯେଉଁ ଲୋକମାନଙ୍କୁ ତୁମ୍ଭେମାନେ ଘେନି ଆସିଅଛ, ଏମାନେ ତ ମନ୍ଦିର ଲୁଣ୍ଠନକାରୀ ନୁହଁନ୍ତି, କିମ୍ବା ଆମ୍ଭମାନଙ୍କ ଦେବୀଙ୍କ ନିନ୍ଦକ ନୁହଁନ୍ତି। 38 ଏଣୁ ଯଦି କାହାରି ବିରୁଦ୍ଧରେ ଦୀମିତ୍ରୀୟର ଓ ତାହାର ସଙ୍ଗୀ ଶିଳ୍ପକରମାନଙ୍କର କୌଣସି କଥା ଥାଏ, ତାହାହେଲେ ବିଚାରାଳୟ ଉନ୍ମୁକ୍ତ ଅଛି ଓ ଶାସନକର୍ତ୍ତାମାନେ ଅଛନ୍ତି; ସେମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରନ୍ତୁ। 39 କିନ୍ତୁ ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଦାବି ଥାଏ, ତେବେ ନିୟମିତ ସାଧାରଣ ସଭାରେ ତାହାର ମୀମାଂସା ହେବ। 40 କାରଣ ପ୍ରକୃତରେ ଆଜିର ଗଣ୍ଡଗୋଳ ଘେନି ଆମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ ହେବାର ଆଶଙ୍କା ଅଛି; ଆମ୍ଭେମାନେ ଏହି ଗଣ୍ଡଗୋଳର କୌଣସି କାରଣ ଦେଖାଇ ପାରିବୁ ନାହିଁ। 41 ଏହା କହି ସେ ସଭାସ୍ଥ ସମସ୍ତଙ୍କୁ ବିଦାୟ ଦେଲେ।

Chapter 20

ମାକିଦନିଆ ଓ ଗ୍ରୀସ୍‌ରେ ପାଉଲ

1 ସେହି ଗଣ୍ଡଗୋଳ ବନ୍ଦ ହେବା ପରେ ପାଉଲ ଶିଷ୍ୟମାନଙ୍କୁ ଡକାଇ ସେମାନଙ୍କୁ ଉତ୍ସାହ ଦେଲେ, ଆଉ ସେମାନଙ୍କଠାରୁ ବିଦାୟ ନେଇ ମାକିଦନିଆକୁ ଯିବା ନିମନ୍ତେ ପ୍ରସ୍ଥାନ କଲେ। 2 ସେହି ସମସ୍ତ ଅଞ୍ଚଳ ଦେଇ ଯାତ୍ରା କରି ସେ ଶିଷ୍ୟମାନଙ୍କୁ ବହୁତ ଉତ୍ସାହ ଦେବା ପରେ ଗ୍ରୀସ୍‍କୁ ଆସିଲେ। 3 ସେ ସେହି ସ୍ଥାନରେ ତିନି ମାସ ରହି ଯେତେବେଳେ ଜାହାଜରେ ଚଢ଼ି ସିରିୟାକୁ ଯିବାକୁ ଚେଷ୍ଟା କଲେ, ସେତେବେଳେ ଯିହୁଦୀମାନେ ପାଉଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦନିଆ ଦେଇ ବାହୁଡ଼ି ଯିବାକୁ ନିଷ୍ପତ୍ତି କଲେ। 4 ଆଉ, ବେରିୟା ନଗରନିବାସୀ ପୁରଙ୍କ ପୁଅ ସୋପାତ୍ର, ଥେସଲନୀକୀ ସହରରେ ବିଶ୍ୱାସୀମାନଙ୍କ ମଧ୍ୟରୁ ଆରିସ୍ତାର୍ଖ ଓ ସେକୁନ୍ଦ, ଦର୍ବୀର ଗାୟ, ତୀମଥି, ଆଉ ଏସିଆ ପ୍ରଦେଶର ଲୋକମାନଙ୍କ ମଧ୍ୟରୁ ତୁଖିକ ଓ ତ୍ରଫିମ ତାହାଙ୍କ ସଙ୍ଗରେ ଯାତ୍ରା କଲେ। 5 ଏମାନେ ସମସ୍ତେ ପ୍ରଥମରେ ଯାଇ ତ୍ରୋୟା ସହରରେ ଆମ୍ଭମାନଙ୍କର ଅପେକ୍ଷା କରୁଥିଲେ। 6 ଆଉ, ଖମୀରଶୂନ୍ୟ ରୁଟିର ପର୍ବ ପରେ ଆମ୍ଭେମାନେ ଜାହାଜରେ ଚଢ଼ି ଫିଲିପ୍ପୀ ସହରରୁ ଯାତ୍ରା କଲୁ, ପୁଣି, ପାଞ୍ଚ ଦିନରେ ତ୍ରୋୟାରେ ସେମାନଙ୍କ ନିକଟକୁ ଆସିଲୁ; ଆମ୍ଭେମାନେ ସେହି ସ୍ଥାନରେ ସାତ ଦିନ ରହିଲୁ।

ତ୍ରୋୟାରେ ପାଉଲଙ୍କ ଶେଷ ଅବସ୍ଥାନ

7 ଆମ୍ଭେମାନେ ସପ୍ତାହର ପ୍ରଥମ ଦିନରେ ଯେତେବେଳେ ରୁଟି ଭାଙ୍ଗିବାକୁ ଏକତ୍ରିତ ହୋଇଥିଲୁ, ପାଉଲ ସେତେବେଳେ ଆରଦିନ ଯିବେ ବୋଲି ଉଦ୍ୟତ ହେଉଥିବାରୁ, ସେମାନଙ୍କୁ ଉପଦେଶ ଦେବାକୁ ଲାଗିଲେ ଓ ମଧ୍ୟରାତ୍ର ଯାଏ ଦୀର୍ଘ ଭାଷଣ ଦେଲେ। 8 ଯେଉଁ ଉପର କୋଠରୀରେ ଆମ୍ଭେମାନେ ଏକତ୍ର ହୋଇଥିଲୁ, ସେ ସ୍ଥାନରେ ଅନେକ ଦୀପ ଥିଲା। 9 ଆଉ, ଝରକା ଉପରେ ଇଉତୁଖ ନାମକ ଜଣେ ଯୁବା ଲୋକ ବସିଥିଲା, ତାହାକୁ ଭାରୀ ନିଦ ଲାଗୁଥିଲା; ପୁଣି, ପାଉଲ ଆପଣା ଉପଦେଶ ଆହୁରି ଦୀର୍ଘ କରିବାରୁ ସେ ନିଦ୍ରା ମଗ୍ନ ହୋଇ ତୃତୀୟ ମହଲାରୁ ତଳେ ପଡ଼ିଗଲା, ଆଉ ତାହାକୁ ଉଠାଇଲା ବେଳକୁ, ସେ ମୃତ ବୋଲି ଜଣାଗଲା। 10 ପାଉଲ ସେଥିରେ ତଳକୁ ଓହ୍ଲାଇ ଆସି ତାହା ଉପରେ ପଡ଼ି ତାହାକୁ ଆଲିଙ୍ଗନ କରି କହିଲେ, କୋଳାହଳ କର ନାହିଁ, କାରଣ ଏହାଠାରେ ଜୀବନ ଅଛି। 11 ସେ ପରେ ଉପରକୁ ଯାଇ ରୁଟି ଭାଙ୍ଗି ଭୋଜନ କଲେ, ପୁଣି, ସେମାନଙ୍କ ସହିତ ପ୍ରଭାତ ହେବା ପର୍ଯ୍ୟନ୍ତ ବହୁତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ। 12 ଆଉ ସେମାନେ ସେହି ଯୁବାକୁ ଜୀବିତ ପାଇ ଅତ୍ୟନ୍ତ ଆଶ୍ୱାସନା ପାଇଲେ। 13 କିନ୍ତୁ ଆମ୍ଭେମାନେ ଆଗେ ଜାହାଜରେ ଚଢ଼ି ଆସସ୍‌ ସହରକୁ ଯାତ୍ରା କଲୁ, ସେଠାରୁ ପାଉଲଙ୍କୁ ନେଇଯିବା ପାଇଁ ମନେ କରିଥିଲୁ, କାରଣ ସ୍ଥଳ ପଥରେ ଯିବା ପାଇଁ ସେ ନିଜେ ଇଚ୍ଛା କରି ସେପ୍ରକାର ସ୍ଥିର କରିଥିଲେ। 14 ଯେତେବେଳେ ସେ ଆମ୍ଭମାନଙ୍କୁ ଆସସ୍‌ରେ ଭେଟିଲେ, ଆମ୍ଭେମାନେ ତାହାଙ୍କୁ ଘେନି ମିତୁଲୀନୀ ସହରକୁ ଆସିଲୁ, 15 ଆଉ ସେହି ସ୍ଥାନରୁ ଜାହାଜ ଫିଟାଇ ଆମ୍ଭେମାନେ ପରଦିନ ଖୀୟସ୍ ଦ୍ୱୀପ ସମ୍ମୁଖରେ ଉପସ୍ଥିତ ହେଲୁ, ଦ୍ୱିତୀୟ ଦିନରେ ଜାହାଜ ସାମ ଦ୍ୱୀପରେ ଲଗାଇଲୁ ଓ ଆରଦିନ ମୀଲୀତ ସହରରେ ପହଞ୍ଚିଲୁ। 16 କାରଣ ପାଉଲଙ୍କ ଏସିଆରେ ଯେପରି ସମୟ କ୍ଷେପଣ କରିବାକୁ ନ ପଡ଼େ, ଏଥିପାଇଁ ସେ ଏଫିସ ଛାଡ଼ି ଯାତ୍ରା କରିବାକୁ ସ୍ଥିର କରିଥିଲେ, ଯେଣୁ ସମ୍ଭବ ହେଲେ ପେଣ୍ଟିକଷ୍ଟ ଦିନରେ ଯିରୂଶାଲମ ସହରରେ ଉପସ୍ଥିତ ହେବା ପାଇଁ ସେ ଚଞ୍ଚଳ ହେଉଥିଲେ।

ଏଫିସୀୟ ମଣ୍ଡଳୀର ପ୍ରାଚୀନଙ୍କୁ ପାଉଲଙ୍କର ବିବୃତି

17 ମୀଲୀତରୁ ସେ ଏଫିସ ସହରକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚୀନମାନଙ୍କୁ ଆପଣା ନିକଟକୁ ଡକାଇ ଆଣିଲେ। 18 ସେମାନେ ତାହାଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ସେ ସେମାନଙ୍କୁ କହିଲେ, ଏସିଆରେ ପଦାର୍ପଣ କରିବାର ପ୍ରଥମ ଦିନଠାରୁ ମୁଁ ସମସ୍ତ ସମୟ ତୁମ୍ଭମାନଙ୍କ ମଧ୍ୟରେ କିପରି ଆଚରଣ କଲି, 19 ଅଶ୍ରୁପାତ ସହିତ ସମ୍ପୂର୍ଣ୍ଣ ନମ୍ର ମନରେ ଯିହୁଦୀମାନଙ୍କର ନାନା ଷଡ଼ଯନ୍ତ୍ର ହେତୁ, ମୋତେ ଯେ ଯେ ପରୀକ୍ଷା ଘଟୁଥିଲା, ସେହିସବୁ ମଧ୍ୟରେ କିପରି ପ୍ରଭୁଙ୍କ ସେବା କରୁଥିଲି, 20 କିପରି କୌଣସି ହିତକର ବିଷୟ ତୁମ୍ଭମାନଙ୍କ ପାଖରେ ଜଣାଇବାକୁ ପୁଣି, ପ୍ରକାଶରେ ଓ ଘରେ ଘରେ ତୁମ୍ଭମାନଙ୍କୁ 21 ଶିକ୍ଷା ଦେବାକୁ ସଙ୍କୁଚିତ ନ ହୋଇ ଈଶ୍ବରଙ୍କ ପ୍ରତି ମନ-ପରିବର୍ତ୍ତନ ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ବିଶ୍ୱାସ ବିଷୟରେ ଯିହୁଦୀ ଓ ଗ୍ରୀକ୍‍ମାନଙ୍କ ପାଖରେ ସାକ୍ଷ୍ୟ ଦେଉଥିଲି, ତାହା ତୁମ୍ଭେମାନେ ଜାଣ। 22 ଏବେ ଦେଖ, ମୁଁ ଆତ୍ମାରେ ପ୍ରେରଣା ପାଇ ଯିରୂଶାଲମ ସହରକୁ ଯାଉଅଛି, ସେ ସ୍ଥାନରେ ମୋ ପ୍ରତି କଅଣ ସବୁ ଘଟିବ, ତାହା ମୁଁ ଜାଣେ ନାହିଁ; 23 ମୋ ପାଇଁ ଯେ ବନ୍ଧନ ଓ କ୍ଲେଶ ରହିଅଛି, କେବଳ ଏତିକି ଜାଣେ, ଏହା ପବିତ୍ର ଆତ୍ମା ନଗରେ ନଗରେ ସାକ୍ଷ୍ୟ ଦେଉଅଛନ୍ତି। 24 କିନ୍ତୁ ମୁଁ ଯେପରି ମୋହର ନିରୂପିତ ପଥର ଶେଷ ଯାଏ ଦୌଡ଼ି ପାରେ, ଆଉ ଈଶ୍ବରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯୀଶୁଙ୍କଠାରୁ ଯେଉଁ ସେବାର କାର୍ଯ୍ୟ ପାଇଅଛି, ତାହା ଯେପରି ସମ୍ପୂର୍ଣ୍ଣ କରିପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ଛୋଟ ମନେ କରୁଅଛି। 25 ପୁଣି, ଏବେ ଦେଖ, ଯେଉଁମାନଙ୍କ ମଧ୍ୟରେ ମୁଁ ଈଶ୍ବରଙ୍କ ରାଜ୍ୟ ଘୋଷଣା କରୁ କରୁ ଭ୍ରମଣ କଲି, ଏପରି ଯେ ତୁମ୍ଭେମାନେ ସମସ୍ତେ, ଆଉ ମୋହର ମୁଖ ଦେଖିବ ନାହିଁ ବୋଲି ମୁଁ ଜାଣେ। 26 ଏହେତୁରୁ ମୁଁ ଯେ ପ୍ରତ୍ୟେକଙ୍କ ରକ୍ତର ଦାୟିତ୍ୱରୁ ନିର୍ଦ୍ଦୋଷ, ମୁଁ ଆଜି ଏହି ସାକ୍ଷ୍ୟ ତୁମ୍ଭମାନଙ୍କୁ ଦେଉଅଛି। 27 ମୁଁ ଈଶ୍ବରଙ୍କ ସଙ୍କଳ୍ପ ତୁମ୍ଭମାନଙ୍କୁ ଜଣାଇବାକୁ ସଙ୍କୁଚିତ ହୋଇ ନ ଥିଲି। 28 ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ଡଳୀକୁ ଈଶ୍ବର ଆପଣା ନିଜ ରକ୍ତରେ କ୍ରୟ କରିଅଛନ୍ତି, ତାହାଙ୍କର ସେହି ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ, ପବିତ୍ର ଆତ୍ମା ଯେ ତୁମ୍ଭମାନଙ୍କୁ ସମସ୍ତ ପଲ ମଧ୍ୟରେ ଅଧ୍ୟକ୍ଷ ସ୍ୱରୂପ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ। 29 ମୋହର ପ୍ରସ୍ଥାନ ପରେ ନିଷ୍ଠୁର ବାଘଗୁଡ଼ାକ ଯେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରି ପଲ ପ୍ରତି ଦୟାହୀନ ବ୍ୟବହାର କରିବେ, 30 ପୁଣି, ଲୋକେ ତୁମ୍ଭମାନଙ୍କ ମଧ୍ୟରୁ ସୁଦ୍ଧା ଉଠି ଶିଷ୍ୟମାନଙ୍କୁ ଆପଣାମାନଙ୍କ ପଛରେ ଟାଣିନେବା ପାଇଁ ବିପରୀତ କଥାଗୁଡ଼ାକ କହିବେ, ଏହା ମୁଁ ଜାଣେ। 31 ଅତଏବ ତୁମ୍ଭେମାନେ ଜାଗି ରୁହ, ଆଉ ମୁଁ ତିନି ବର୍ଷ ପର୍ଯ୍ୟନ୍ତ ଦିବାରାତ୍ର ଲୋତକ ସହିତ ପ୍ରତ୍ୟେକ ଜଣକୁ ଚେତନା ଦେବାକୁ ଯେ ବନ୍ଦ କରି ନ ଥିଲି, ଏହା ମନେ ପକାଅ। 32 ମୁଁ ଏବେ ତୁମ୍ଭମାନଙ୍କୁ ଈଶ୍ବରଙ୍କଠାରେ ଓ ତାହାଙ୍କ ଅନୁଗ୍ରହର ବାକ୍ୟ ନିକଟରେ ସମର୍ପଣ କରୁଅଛି, ସେ ତୁମ୍ଭମାନଙ୍କୁ ନିଷ୍ଠାବାନ କରିବା ନିମନ୍ତେ ଓ ପବିତ୍ରୀକୃତ ସମସ୍ତଙ୍କ ମଧ୍ୟରେ ଅଧିକାର ଦେବା ନିମନ୍ତେ ସମର୍ଥ ଅଟନ୍ତି। 33 ମୁଁ କାହାରି ରୂପା କି ସୁନା କି ବସ୍ତ୍ର ଲୋଭ କରି ନ ଥିଲି। 34 ମୋହର ଏହି ହାତ ଦୁଇଟି ଯେ ମୋହର ଓ ମୋ ସଙ୍ଗୀମାନଙ୍କର ଅଭାବ ପୂରଣ ନିମନ୍ତେ ସେବା କରିଆସୁଅଛି, ନିଜେ ଏହା ତୁମ୍ଭେମାନେ ଜାଣ। 35 ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳମାନଙ୍କୁ ସାହାଯ୍ୟ କରିବା, ପୁଣି, “ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅତି ଉତ୍ତମ,” ଏହି ଯେଉଁ କଥା ପ୍ରଭୁ ଯୀଶୁ ସ୍ୱୟଂ କହିଅଛନ୍ତି, ତାହା ସ୍ମରଣ କରିବା ତୁମ୍ଭମାନଙ୍କର ଯେ ଉଚିତ, ଏହି ସମସ୍ତ ବିଷୟରେ ମୁଁ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଅଛି। 36 ଏହିସବୁ କଥା କହିଲା ପରେ, ସେ ଆଣ୍ଠୁପାତି ସେ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ। 37 ଆଉ ସେମାନେ ଅତ୍ୟନ୍ତ ରୋଦନ କରି ପାଉଲଙ୍କ ଗଳା ଧରି ତାହାଙ୍କୁ ଚୁମ୍ବନ କରିବାକୁ ଲାଗିଲେ, 38 ସେମାନେ ତାହାଙ୍କ ମୁଖ ପୁଣି, ଆଉ ଥରେ ଦେଖିବେ ନାହିଁ ବୋଲି ପାଉଲ ଯେ କଥା କହିଥିଲେ, ସେଥିପାଇଁ ବିଶେଷ ରୂପେ ଦୁଃଖ କଲେ। ପରେ ସେମାନେ ତାହାଙ୍କୁ ଜାହାଜ ପର୍ଯ୍ୟନ୍ତ ଘେନିଗଲେ।

Chapter 21

ପାଉଲଙ୍କ ଯିରୂଶାଲମ ଯାତ୍ରା

1 ସେମାନଙ୍କଠାରୁ ବିଦାୟ ନେଇ ଆମ୍ଭେମାନେ ଜାହାଜରେ ଚଢ଼ି ସିଧା ବାଟରେ କୋସ୍‌ ଦ୍ବୀପକୁ ଆସିଲୁ, ପରଦିନ ରୋଦା ଦ୍ବୀପକୁ, ପୁଣି, ସେ ସ୍ଥାନରୁ ପାତାରା ସହରକୁ ଆସିଲୁ। 2 ସେଠାରେ ଆମ୍ଭେମାନେ ଫୈନୀକିଆକୁ ପାର ହୋଇ ଯାଉଥିବା ଗୋଟିଏ ଜାହାଜ ପାଇ ସେଥିରେ ଚଢ଼ି ଯାତ୍ରା କଲୁ। 3 ପରେ ସାଇପ୍ରସ୍ ଦ୍ୱୀପ ଦେଖିବା ମାତ୍ରେ ଆମ୍ଭେମାନେ ବାମ ପାଖ ଛାଡ଼ି ସିରିୟା ଅଞ୍ଚଳକୁ ଯାତ୍ରା କରି ସୋର ସହରରେ ଉପସ୍ଥିତ ହେଲୁ, କାରଣ ସେଠାରେ ଜାହାଜରୁ ମାଲପତ୍ର ଖଲାସ କରିବାର ଥିଲା। 4 ସେଠାରେ ଶିଷ୍ୟମାନଙ୍କୁ ଖୋଜି, ସେମାନଙ୍କ ସାକ୍ଷାତ ପାଇ ସାତ ଦିନ ରହିଲୁ; ପୁଣି, ଯେପରି ପାଉଲ ଯିରୂଶାଲମ ସହରରେ ପଦାର୍ପଣ ନ କରନ୍ତି, ଏଥିପାଇଁ ସେମାନେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ କହିଲେ। 5 ଆମ୍ଭେମାନେ ସାତ ଦିନ ରହିଲା ଉତ୍ତାରେ, ସେହି ସ୍ଥାନରୁ ଯାତ୍ରା କଲୁ, ପୁଣି, ସେମାନେ ସମସ୍ତେ ସ୍ତ୍ରୀ ଓ ପିଲାପିଲିଙ୍କ ସହିତ ଆମ୍ଭମାନଙ୍କୁ ନଗରର ବାହାର ପର୍ଯ୍ୟନ୍ତ ଛାଡ଼ିବା ନିମନ୍ତେ ଆସିଲେ, 6 ଆଉ ଆମ୍ଭେମାନେ ସମୁଦ୍ରକୂଳରେ ଆଣ୍ଠୁପାତି ପ୍ରାର୍ଥନା କଲୁ, ପୁଣି, ପରସ୍ପରଠାରୁ ବିଦାୟ ନେଲୁ; ପରେ ଆମ୍ଭେମାନେ ଜାହାଜରେ ଚଢ଼ିଲୁ, ଆଉ ସେମାନେ ଘରକୁ ବାହୁଡ଼ିଗଲେ। 7 ସୋରରୁ ଆମ୍ଭେମାନେ ଜଳଯାତ୍ରା ଶେଷ କରି ତଲିମାଇ ପ୍ରଦେଶରେ ପହଞ୍ଚିଥିଲୁ ଓ ଭାଇମାନଙ୍କୁ ନମସ୍କାର କରି, ଗୋଟିଏ ଦିନ ସେମାନଙ୍କ ସହିତ ରହିଲୁ। 8 ପରଦିନ ଆମ୍ଭେମାନେ କାଇସରିୟାକୁ ପ୍ରସ୍ଥାନ କଲୁ। ଆଉ ସାତ ଜଣଙ୍କ ମଧ୍ୟରେ ଅନ୍ତର୍ଗତ, ସୁସମାଚାର ପ୍ରଚାରକ ଫିଲିପ୍ପଙ୍କ ଗୃହରେ ପ୍ରବେଶ କରି ତାହାଙ୍କ ସାଙ୍ଗରେ ରହିଲୁ। 9 ତାହାଙ୍କର ଚାରି ଜଣ କୁମାରୀ କନ୍ୟା, ଭାବବାଦିନୀ ଥିଲେ। 10 ଆମ୍ଭେମାନେ ସେହି ସ୍ଥାନରେ ଅନେକ ଦିନ ରହିଲା ପରେ ଆଗାବ ନାମକ ଜଣେ ଭାବବାଦୀ ଯିହୂଦିୟା ପ୍ରଦେଶରୁ ଆସିଲେ। 11 ସେ ପାଉଲଙ୍କ କଟି ବନ୍ଧନ ଘେନି ଆପଣା ହସ୍ତପାଦ ବନ୍ଧନ କରି ସେ ଆମ୍ଭମାନଙ୍କ ନିକଟକୁ ଆସି କହିଲେ, ପବିତ୍ର ଆତ୍ମା ଏହା କହନ୍ତି, ଏହି କଟିବନ୍ଧନର ଅଧିକାରୀଙ୍କୁ ଯିରୂଶାଲମ ନିବାସୀ ଯିହୁଦୀମାନେ ଏହିପରି ବାନ୍ଧି ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପଣ କରିବେ। 12 ଏହି ସମସ୍ତ କଥା ଶୁଣି ଆମ୍ଭେମାନେ ଓ ସେହି ସ୍ଥାନର ଲୋକମାନେ ତାହାଙ୍କୁ ଯିରୂଶାଲମ ସହରକୁ ନ ଯିବା ପାଇଁ ବିନତି କଲୁ। 13 ପାଉଲ ସେଥିରେ ଉତ୍ତର ଦେଲେ, ତୁମ୍ଭେମାନେ କ୍ରନ୍ଦନ କରି ଓ ମୋହର ହୃଦୟକୁ ବିଦୀର୍ଣ୍ଣ କରି କଅଣ କରୁଅଛ? କାରଣ ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଯିରୂଶାଲମ ସହରରେ କେବଳ ବନ୍ଧା ହେବାକୁ ପ୍ରସ୍ତୁତ, ତାହା ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି। 14 ସେ ନ ମାନିବାରୁ ଆମ୍ଭେମାନେ କ୍ଷାନ୍ତ ହୋଇ କହିଲୁ, ପ୍ରଭୁଙ୍କର ଇଚ୍ଛା ସଫଳ ହେଉ। 15 ଆମ୍ଭେମାନେ ଏହି ସମସ୍ତ ଦିନ ଉତ୍ତାରେ ଜିନିଷପତ୍ର ନେଇ ଯିରୂଶାଲମ ସହରକୁ ଯାତ୍ରା କଲୁ। 16 ପୁଣି, ଆମ୍ଭମାନଙ୍କ ସାଙ୍ଗରେ କାଇସରିୟାରୁ ମଧ୍ୟ କେତେକ ଜଣ ଶିଷ୍ୟ ଗଲେ; ସେମାନେ ସାଇପ୍ରସ୍‍ର ମନାସୋନ ନାମକ ଜଣେ ପୁରୁଣା ଶିଷ୍ୟଙ୍କୁ ସାଙ୍ଗରେ ଆଣିଲେ, ତାହାଙ୍କ ଘରେ ଆମ୍ଭମାନଙ୍କର ରହିବାର ଥିଲା।

ଯାକୁବଙ୍କ ସହିତ ପାଉଲଙ୍କ ସାକ୍ଷାତ

17 ଆମ୍ଭେମାନେ ଯିରୂଶାଲମ ସହରରେ ପହଞ୍ଚନ୍ତେ ଆମ୍ଭମାନଙ୍କୁ ବିଶ୍ୱାସୀ ଭାଇମାନେ ଆନନ୍ଦରେ ଗ୍ରହଣ କଲେ। 18 ତହିଁ ଆରଦିନ ପାଉଲ ଆମ୍ଭମାନଙ୍କ ସହିତ ଯାକୁବଙ୍କ ଗୃହକୁ ଗଲେ, ଆଉ ସେ ସ୍ଥାନରେ ସମସ୍ତ ପ୍ରାଚୀନ ଉପସ୍ଥିତ ହେଲେ। 19 ସେ ସେମାନଙ୍କୁ ନମସ୍କାର କଲା ଉତ୍ତାରେ, ଈଶ୍ବର ଅଣଯିହୁଦୀମାନଙ୍କ ମଧ୍ୟରେ ଯେଉଁ ସବୁ କାର୍ଯ୍ୟ ତାହାଙ୍କ ସେବା ଦ୍ୱାରା ସାଧନ କରିଥିଲେ, ଗୋଟି ଗୋଟି କରି ସେହିସବୁ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ। 20 ସେମାନେ ତାହା ଶୁଣି ଈଶ୍ବରଙ୍କ ମହିମା ଗୁଣାନୁବାଦ କରିବାକୁ ଲାଗିଲେ, ପୁଣି, ତାହାଙ୍କୁ କହିଲେ, ହେ ଭାଇ, ଯିହୁଦୀମାନଙ୍କ ମଧ୍ୟରେ ଯେ କେତେ ସହସ୍ର ବିଶ୍ୱାସ କରିଅଛନ୍ତି, ଏହା ତୁମ୍ଭେ ଦେଖୁଅଛ, ସେ ସମସ୍ତେ ମୋଶାଙ୍କ ବ୍ୟବସ୍ଥା ପକ୍ଷରେ ଉଦ୍‌ଯୋଗୀ। 21 ପୁଣି, ଅଣଯିହୁଦୀମାନଙ୍କ ମଧ୍ୟରେ ବାସକାରୀ ସମସ୍ତ ଯିହୁଦୀଙ୍କ ନିଜ ନିଜ ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ବିଧିବିଧାନ ଅନୁସାରେ ନ ଚଳିବାକୁ କହି, ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବା ନିମନ୍ତେ ତୁମ୍ଭେ ଯେ ସେମାନଙ୍କୁ ଶିକ୍ଷା ଦେଇଥାଅ, ତୁମ୍ଭ ବିଷୟରେ ଏହି ସମ୍ବାଦ ସେମାନେ ପାଇଅଛନ୍ତି। 22 ତେବେ କଅଣ କରାଯାଏ? ତୁମ୍ଭେ ଆସିଅଛ ବୋଲି ସେମାନେ ଅବଶ୍ୟ ଶୁଣିବେ। 23 ଏଣୁ ଆମ୍ଭେମାନେ ତୁମ୍ଭଙ୍କୁ ଯାହା କହୁଅଛୁ, ତାହା କର। ଆମ୍ଭମାନଙ୍କ ପାଖରେ ଚାରି ଜଣ ଲୋକ ଅଛନ୍ତି, ସେମାନେ ଗୋଟିଏ ବ୍ରତ ନେଇଅଛନ୍ତି; 24 ସେମାନଙ୍କୁ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର, ଆଉ ସେମାନଙ୍କ ମସ୍ତକ ମୁଣ୍ଡନର ବ୍ୟୟ ଭାର ବହନ କର, ତାହାହେଲେ ସେମାନେ ତୁମ୍ଭ ବିଷୟରେ ଯେଉଁ ସବୁ ସମ୍ବାଦ ପାଇଅଛନ୍ତି, ସେଥିରେ ଯେ କିଛି ସତ୍ୟ ନାହିଁ, ବରଂ ତୁମ୍ଭେ ଯେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରି ଆଚରଣ କରୁଅଛ, ଏହା ସମସ୍ତେ ଜାଣିବେ। 25 କିନ୍ତୁ ଯେଉଁ ଅଣଯିହୁଦୀମାନେ ବିଶ୍ୱାସ କରିଅଛନ୍ତି, ସେମାନଙ୍କ ସମ୍ବନ୍ଧରେ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ଜିନିଷ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଆଉ ଯୌନକ୍ରିୟାଠାରୁ ନିଜ ନିଜକୁ ଦୂରେଇ ରଖିବା ଯେ ଉଚିତ, ଆମ୍ଭେମାନେ ଏହା ବିଚାର କରି ଲେଖିଅଛୁ। 26 ପାଉଲ ସେଥିରେ ସେହି ଲୋକମାନଙ୍କୁ ନେଇ ପରଦିନ ସେମାନଙ୍କ ସହିତ ଆପଣାକୁ ଶୁଚି କରି ମନ୍ଦିର ଭିତରେ ପ୍ରବେଶ କଲେ, ପୁଣି, ସେମାନଙ୍କ ପ୍ରତ୍ୟେକଙ୍କ ନିମନ୍ତେ ନୈବେଦ୍ୟ ଉତ୍ସର୍ଗ ହେବା ପର୍ଯ୍ୟନ୍ତ ଶୌଚକର୍ମରେ କେତେ ଦିନ ଲାଗିବ, ତାହା ଜଣାଇ ଦେଲେ।

ପାଉଲ ମନ୍ଦିର ଭିତରେ ଗିରଫ

27 ସେହି ସାତ ଦିନ ପ୍ରାୟ ସମ୍ପୂର୍ଣ୍ଣ ହୁଅନ୍ତେ, ଏସିଆର ଯିହୁଦୀମାନେ ମନ୍ଦିରରେ ତାହାଙ୍କୁ ଦେଖି ଲୋକସମୂହକୁ ଉତ୍ତେଜିତ କଲେ, ପୁଣି, ତାହାଙ୍କୁ ଧରି ଚିତ୍କାର କରିବାକୁ ଲାଗିଲେ, 28 ହେ ଇସ୍ରାଏଲୀୟ ଲୋକମାନେ, ସାହାଯ୍ୟ କର; ସବୁ ସ୍ଥାନରେ ଯେଉଁ ଲୋକଟା ଆମ୍ଭମାନଙ୍କର ଜାତି, ମୋଶାଙ୍କ ବ୍ୟବସ୍ଥା ଓ ଏହି ସ୍ଥାନ ବିପକ୍ଷରେ ସମସ୍ତଙ୍କୁ ଶିକ୍ଷା ଦିଏ, ସେ ଏହି; ସେ ଆହୁରି ମଧ୍ୟ ଗ୍ରୀକ୍‍ମାନଙ୍କୁ ସୁଦ୍ଧା ମନ୍ଦିର ଭିତରକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରୁଅଛି। 29 କାରଣ ପୂର୍ବେ ସେମାନେ ନଗର ମଧ୍ୟରେ ପାଉଲଙ୍କ ସାଙ୍ଗରେ ଏଫିସବାସୀ ତ୍ରଫିମଙ୍କୁ ଦେଖିଥିଲେ, ଆଉ ପାଉଲ ହିଁ ତାହାଙ୍କୁ ମନ୍ଦିର ଭିତରକୁ ଆଣିଥିବେ ବୋଲି ଅନୁମାନ କରୁଥିଲେ। 30 ଏଥିରେ ନଗରସାରା ଚହଳ ପଡ଼ିଗଲା, ଲୋକମାନେ ଏକାଠି ଦୌଡ଼ିଲେ, ପୁଣି, ସେମାନେ ପାଉଲଙ୍କୁ ଧରି ମନ୍ଦିର ବାହାରକୁ ଟାଣି ଆଣିଲେ; ଆଉ ସେହିକ୍ଷଣି ଦ୍ୱାରସବୁ ବନ୍ଦ କରାଗଲା। 31 ପୁଣି, ତାହାଙ୍କୁ ସେମାନେ ମାରିପକାଇବା ପାଇଁ ଚେଷ୍ଟା କରନ୍ତେ ସମସ୍ତ ଯିରୂଶାଲମ ଗଣ୍ଡଗୋଳରେ ପରିପୂର୍ଣ୍ଣ ହୋଇଅଛି ବୋଲି ସୈନ୍ୟଦଳର ସହସ୍ର-ସେନାପତିଙ୍କ ନିକଟକୁ ସମ୍ବାଦ ଆସିଲା। 32 ଏଥିରେ ସେ ସେହିକ୍ଷଣି ସୈନ୍ୟ ଓ ଶତ-ସେନାପତିମାନଙ୍କୁ ନେଇ ସେମାନଙ୍କ ନିକଟକୁ ଦୌଡ଼ିଗଲେ। ସେମାନେ ସହସ୍ର-ସେନାପତି ଓ ସୈନ୍ୟମାନଙ୍କୁ ଦେଖି ପାଉଲଙ୍କୁ ପ୍ରହାର କରିବା ବନ୍ଦ କଲେ। 33 ସେତେବେଳେ ସହସ୍ର-ସେନାପତି ପାଖକୁ ଆସି ତାହାଙ୍କୁ ଧରି ଦୁଇଟା ଜଞ୍ଜିରରେ ବାନ୍ଧିବା ପାଇଁ ଆଜ୍ଞା ଦେଲେ, ପୁଣି, ସେ କିଏ ଓ କଅଣ କରିଅଛି ବୋଲି ପଚାରିଲେ। 34 ସେଥିରେ ଲୋକମାନଙ୍କ ମଧ୍ୟରୁ କେହି ଏ କଥା, କେହି କେହି ସେକଥା କହି ଚିତ୍କାର କରିବାକୁ ଲାଗିଲେ। ଆଉ, ସେ ଗଣ୍ଡଗୋଳର କାରଣ ନିଶ୍ଚୟରୂପେ କିଛି ଜାଣି ନ ପାରିବାରୁ, ତାହାଙ୍କୁ ଗଡ଼କୁ ନେଇଯିବା ପାଇଁ ଆଦେଶ ଦେଲେ। 35 ପୁଣି, ଯେତେବେଳେ ସେ ସୋପାନ ଉପରକୁ ଆସିଲେ, ସେତେବେଳେ ଲୋକସମୂହର ଉଗ୍ରତା ହେତୁ ସୈନ୍ୟମାନଙ୍କୁ ତାହାଙ୍କୁ ବୋହି ନେଇଯିବାକୁ ପଡ଼ିଲା, 36 କାରଣ ତାହାଙ୍କୁ ବଧ କର ବୋଲି ଅସଂଖ୍ୟ ଲୋକ ପଛରେ ଯାଉ ଯାଉ ଚିତ୍କାର କରୁଥିଲେ।

ଲୋକଙ୍କୁ ପାଉଲଙ୍କ ସମ୍ବୋଧନ

37 ସେମାନେ ପାଉଲଙ୍କୁ ଗଡ଼ ଭିତରକୁ ନେଇଯିବା ପାଇଁ ଚେଷ୍ଟା କରିବା ସମୟରେ, ସେ ସହସ୍ର-ସେନାପତିଙ୍କୁ କହିଲେ, ମୁଁ ଆପଣଙ୍କୁ କିଛି କହିପାରେ କି? ସେଥିରେ ସେ କହିଲେ ତୁମ୍ଭେ କି ଗ୍ରୀକ୍‍ ଜାଣ? 38 ତେବେ, ଏଥିପୂର୍ବେ ଯେଉଁ ମିସ୍ରୀୟ ଲୋକ ବିଦ୍ରୋହ ଲଗାଇ ଚାରି ହଜାର ଡକାଇତମାନଙ୍କୁ ପ୍ରାନ୍ତରରୁ ଘେନିଯାଇଥିଲେ, ତୁମ୍ଭେ କି ସେହି ନୁହଁ? 39 ସେଥିରେ ପାଉଲ କହିଲେ, ମୁଁ ତ ଜଣେ ଯିହୁଦୀ, କିଲିକିୟା ଅଞ୍ଚଳର, ତାର୍ଷ ନାମକ ଏକ ପ୍ରସିଦ୍ଧ ସହରର ନାଗରିକ; ଏହି ଲୋକମାନଙ୍କୁ କଥା କହିବା ପାଇଁ ମୋତେ ଅନୁମତି ଦେବା ନିମନ୍ତେ ମୁଁ ଆପଣଙ୍କୁ ନିବେଦନ କରୁଅଛି। 40 ସେ ଅନୁମତି ଦେବାରୁ ପାଉଲ ସୋପାନରେ ଠିଆ ହୋଇ ଲୋକମାନଙ୍କୁ ହସ୍ତ ଦ୍ୱାରା ସଙ୍କେତ କଲେ; ଆଉ ସମସ୍ତେ ନୀରବ ହେଲା ଉତ୍ତାରେ ସେ ଏବ୍ରୀ ଭାଷାରେ ସେମାନଙ୍କୁ କହିବାକୁ ଲାଗିଲେ,

Chapter 22

ଜନସମାବେଶରେ ପାଉଲଙ୍କ ସମ୍ଭାଷଣ

1 ଭାଇମାନେ ଓ ପିତାମାନେ, ମୁଁ ଆପଣମାନଙ୍କ ନିକଟରେ ବର୍ତ୍ତମାନ ଯେଉଁ ଆତ୍ମପକ୍ଷ ସମର୍ଥନର କଥା କହୁଅଛି, ତାହା ଶୁଣନ୍ତୁ। 2 ସେ ଏବ୍ରୀ ଭାଷାରେ ସେମାନଙ୍କ ନିକଟରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନୀରବ ହୋଇ ରହିଲେ। 3 ସେଥିରେ ସେ କହିଲେ, ମୁଁ ଜଣେ ଯିହୁଦୀ, କିଲିକିୟାର ତାର୍ଷରେ ମୋହର ଜନ୍ମ, କିନ୍ତୁ ଏହି ନଗରରେ ମୁଁ ଲାଳିତ ପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ମୋଶାଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ସମସ୍ତେ ଆଜି ଆପଣମାନେ ଯେପରି ଉଦ୍‌ଯୋଗୀ ଅଟନ୍ତି, ଈଶ୍ବରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍‍ଯୋଗୀ ଥିଲି; 4 ମୁଁ ଏହି ମାର୍ଗର ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବାନ୍ଧି କାରାଗାରରେ ପକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡ଼ନା କରୁଥିଲି। 5 ଏହି ବିଷୟରେ ମହାଯାଜକ ଓ ପ୍ରାଚୀନବର୍ଗ ସମସ୍ତେ ମୋହର ସାକ୍ଷୀ; ମୁଁ ସେମାନଙ୍କଠାରୁ ଭାଇମାନଙ୍କ ନିକଟକୁ ପତ୍ର ଗ୍ରହଣ କରି, ଦମ୍ମେଶକରେ ଥିବା ଲୋକମାନେ ଯେପରି ଶାସ୍ତି ପାଆନ୍ତି, ଏଥିପାଇଁ ସେମାନଙ୍କୁ ସୁଦ୍ଧା ବାନ୍ଧି ଯିରୂଶାଲମ ସହରକୁ ଆଣିବା ନିମନ୍ତେ ସେ ସ୍ଥାନକୁ ଯାଉଥିଲି।

ଆପଣା ମନ-ପରିବର୍ତ୍ତନର ବର୍ଣ୍ଣନା

(ପ୍ରେରିତ 9:1-19; 26:12-18)

6 କିନ୍ତୁ ମୁଁ ଯାଉ ଯାଉ ଦମ୍ମେଶକ ସହରର ନିକଟବର୍ତ୍ତୀ ହୁଅନ୍ତେ ହଠାତ୍‍ ପ୍ରାୟ ମଧ୍ୟାହ୍ନ ସମୟରେ ମୋହର ଚାରିଆଡ଼େ ଆକାଶରୁ ମହା ଆଲୋକ ଚମକି ଉଠିଲା। 7 ମୁଁ ସେଥିରେ ଭୂମିରେ ପଡ଼ିଗଲି, ଆଉ ମୋ ପ୍ରତି ଉକ୍ତ ଏହି ବାଣୀ ଶୁଣିଲି, “ଶାଉଲ, ଶାଉଲ, ଆମ୍ଭମାନଙ୍କୁ କାହିଁକି ତାଡ଼ନା କରୁଅଛ?” 8 ମୁଁ ଉତ୍ତର ଦେଲି, ପ୍ରଭୁ, ଆପଣ କିଏ? ସେଥିରେ ସେ ମୋତେ କହିଲେ, “ତୁମ୍ଭେ ଯେଉଁ ନାଜରିତୀୟ ଯୀଶୁଙ୍କୁ ତାଡ଼ନା କରୁଅଛ, ଆମ୍ଭେ ସେହି।” 9 ଯେଉଁମାନେ ମୋ ସାଙ୍ଗରେ ଥିଲେ, ସେମାନେ ସେହି ଆଲୋକ ଦେଖିଲେ ସତ୍ୟ, କିନ୍ତୁ ଯେ ମୋତେ କଥା କହିଲେ, ସେମାନେ ତାହାଙ୍କ ସ୍ୱର ଶୁଣିଲେ ନାହିଁ। 10 ସେଥିରେ ମୁଁ କହିଲି, ପ୍ରଭୁ ମୁଁ କଅଣ କରିବି? ପୁଣି, ପ୍ରଭୁ ମୋତେ କହିଲେ, “ଉଠ, ଦମ୍ମେଶକକୁ ଯାଅ, ଆଉ ଯେ ସମସ୍ତ କର୍ମ ସାଧନ କରିବା ନିମନ୍ତେ ତୁମ୍ଭ ପାଇଁ ନିରୂପିତ ଅଛି, ସେ ସବୁ ତୁମ୍ଭକୁ ସେଠାରେ କୁହାଯିବ।” 11 ମୁଁ ସେହି ଆଲୋକର ତେଜ ହେତୁ ଦେଖି ନ ପାରିବାରୁ, ମୋ ସାଙ୍ଗରେ ଥିବା ଲୋକମାନଙ୍କ ଦ୍ୱାରା ଚାଳିତ ହୋଇ ଦମ୍ମେଶକକୁ ଆସିଲି। 12 ସେହି ସ୍ଥାନରେ ଥିବା ସମସ୍ତ ଯିହୁଦୀଙ୍କ ନିକଟରେ ସୁଖ୍ୟାତିସମ୍ପନ୍ନ ହନନୀୟ ନାମକ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ, 13 ମୋʼ ନିକଟକୁ ଆସି ପାଖରେ ଠିଆ ହୋଇ ମୋତେ କହିଲେ, ଭାଇ ଶାଉଲ, ଦୃଷ୍ଟିପ୍ରାପ୍ତ ହୁଅ। ସେହି ମୁହୂର୍ତ୍ତରେ ମୁଁ ତାହାଙ୍କ ପ୍ରତି ଦୃଷ୍ଟିପାତ କଲି। 14 ପୁଣି, ସେ କହିଲେ, ଆମ୍ଭମାନଙ୍କର ପିତୃ-ପୁରୁଷଙ୍କର ଈଶ୍ବର ତାହାଙ୍କ ଇଚ୍ଛା ଜାଣିବା ପାଇଁ ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ପାଇଁ ପୁଣି, ତାହାଙ୍କ ମୁଖରୁ ବାଣୀ ଶୁଣିବା ପାଇଁ ମନୋନୀତ କରିଅଛନ୍ତି, 15 କାରଣ ତୁମ୍ଭେ ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ବିଷୟରେ ସମସ୍ତ ଲୋକଙ୍କ ସମ୍ମୁଖରେ ସାକ୍ଷୀ ହେବ। 16 ଆଉ ତୁମ୍ଭେ ଏବେ କାହିଁକି ବିଳମ୍ବ କରୁଅଛ? ଉଠ, ବାପ୍ତିଜିତ ହୁଅ, ପୁଣି, ତାହାଙ୍କ ନାମରେ ପ୍ରାର୍ଥନା କରି ନିଜ ପାପସବୁ ଧୋଇ ପକାଅ। 17 ଏଥିଉତ୍ତାରେ ମୁଁ ଯିରୂଶାଲମ ସହରକୁ ଫେରିଆସି ମନ୍ଦିରରେ ପ୍ରାର୍ଥନା କରୁଥିବା ସମୟରେ ମୂର୍ଚ୍ଛିତ ହୋଇ ତାହାଙ୍କୁ ଦର୍ଶନ କଲି। 18 ସେ ମୋତେ କହିଲେ, “ବିଳମ୍ବ ନ କରି ଶୀଘ୍ର ଯିରୂଶାଲମ ସହରରୁ ବାହାରିଯାଅ, କାରଣ ସେମାନେ ଆମ୍ଭ ବିଷୟରେ ତୁମ୍ଭର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ।” 19 ସେଥିରେ ମୁଁ କହିଲି, ପ୍ରଭୁ, ମୁଁ ଯେ ଆପଣଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ସମାଜଗୃହରେ ଧରି କାରାଗାରରେ ପକାଉଥିଲି ଓ ପ୍ରହାର କରୁଥିଲି, ଏହା ସେମାନେ ନିଜେ ଜାଣନ୍ତି; 20 ଆଉ ଆପଣଙ୍କ ସାକ୍ଷୀ ସ୍ତିଫାନଙ୍କ ରକ୍ତପାତ ଯେତେବେଳେ ହେଉଥିଲା, ସେତେବେଳେ ମୁଁ ମଧ୍ୟ ପାଖରେ ଠିଆ ହୋଇ ତାହା ସମର୍ଥନ କରୁଥିଲି, ପୁଣି, ଘାତକମାନଙ୍କର ବସ୍ତ୍ର ରକ୍ଷା କରୁଥିଲି।

ପାଉଲ ଓ ସହସ୍ର-ସେନାପତି

21 ସେଥିରେ ସେ ମୋତେ କହିଲେ, “ଯାଅ, କାରଣ ଆମ୍ଭେ ତୁମ୍ଭକୁ ଦୂରକୁ ଅଣଯିହୁଦୀମାନଙ୍କ ନିକଟକୁ ପଠାଇବୁ।” 22 ଲୋକମାନେ ଏହି କଥା ଶୁଣିବା ପରେ ବଡ଼ ପାଟିରେ କହିଲେ, ଏପରି ଲୋକଟାକୁ ପୃଥିବୀରୁ ଦୂର କର, କାରଣ ତାହାର ବଞ୍ଚି ରହିବାର ଉଚିତ ନୁହେଁ। 23 ପୁଣି, ଯେତେବେଳେ ସେମାନେ ଚିତ୍କାର କରି ନିଜ ନିଜ ବସ୍ତ୍ର ଫୋପାଡ଼ି ଆକାଶ ଆଡ଼କୁ ଧୂଳି ପକାଇବାକୁ ଲାଗିଲେ, 24 ସେତେବେଳେ ସହସ୍ର-ସେନାପତି ତାହାଙ୍କୁ ଗଡ଼ ଭିତରକୁ ନେଇଯିବାକୁ ଅାଦେଶ ଦେଲେ, ପୁଣି, ଲୋକେ କାହିଁକି ତାହାଙ୍କ ବିରୁଦ୍ଧରେ ଏପ୍ରକାର ଚିତ୍କାର କରୁଅଛନ୍ତି, ଏହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ଆଦେଶ ଦେଲେ। 25 ସେମାନେ ପାଉଲଙ୍କୁ ବେତ୍ରାଘାତ କରିବା ପାଇଁ ବାନ୍ଧିଲା ଉତ୍ତାରେ, ପାଉଲ ନିକଟରେ ଠିଆ ହୋଇଥିବା ଶତ-ସେନାପତିଙ୍କୁ କହିଲେ, ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାହାକୁ କୋରଡ଼ା ମାରିବା ଆପଣମାନଙ୍କ ପକ୍ଷରେ କି ଆଇନସଙ୍ଗତ? 26 ସେହି ଶତ-ସେନାପତି ଏହା ଶୁଣି ସହସ୍ର-ସେନାପତିଙ୍କ ନିକଟକୁ ଯାଇ ତାହାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କଅଣ କରିବାକୁ ଯାଉଅଛନ୍ତି? ଏହି ଲୋକ ତ ଜଣେ ରୋମୀୟ। 27 ସେଥିରେ ସହସ୍ର-ସେନାପତି ଆସି ତାହାଙ୍କୁ କହିଲେ, ମୋତେ କୁହ, ତୁମ୍ଭେ କି ଜଣେ ରୋମୀୟ? ସେ କହିଲେ ହଁ। 28 ସେଥିରେ ସହସ୍ର-ସେନାପତି ଉତ୍ତର ଦେଲେ, ଅନେକ ଅର୍ଥ ଦେଇ ମୁଁ ଏହି ନାଗରିକ ପଦ ପ୍ରାପ୍ତ ହୋଇଅଛି। ପାଉଲ କହିଲେ, କିନ୍ତୁ ମୁଁ ଜନ୍ମରେ ରୋମୀୟ। 29 ତେବେ ଯେଉଁ ଲୋକମାନେ ତାହାଙ୍କୁ ପରୀକ୍ଷା କରିବାକୁ ଚେଷ୍ଟା କରୁଥିଲେ, ସେମାନେ ସେହିକ୍ଷଣି ସେଥିରୁ ନିବୃତ୍ତ ହେଲେ, ସହସ୍ର-ସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଏବଂ ତାହାଙ୍କୁ ବାନ୍ଧିବାରୁ ଭୟ କଲେ।

ମହାସଭାର ସମ୍ମୁଖରେ ପାଉଲ

30 କିନ୍ତୁ କାହିଁକି ସେ ଯିହୁଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହୋଇଅଛନ୍ତି, ତାହା ନିଶ୍ଚୟରୂପେ ଜାଣିବା ଇଚ୍ଛାରେ ସେ ପରଦିନ ତାହାଙ୍କର ବନ୍ଧନ ଫିଟାଇ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଆସିବା ପାଇଁ ଆଜ୍ଞା ଦେଲେ, ପୁଣି, ପାଉଲଙ୍କୁ ନେଇ ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ।

Chapter 23

1 ପୁଣି, ପାଉଲ ମହାସଭା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, ଭାଇମାନେ, ମୁଁ ଏହି ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁବିବେକରେ ଈଶ୍ବରଙ୍କ ସାକ୍ଷାତରେ ଆଚାର-ବ୍ୟବହାର କରି ଆସିଅଛି। 2 ସେଥିରେ ମହାଯାଜକ ହାନାନ ତାହାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁଖରେ ଆଘାତ କରିବା ପାଇଁ ଆଜ୍ଞା ଦେଲେ। 3 ସେତେବେଳେ ପାଉଲ ତାହାଙ୍କୁ କହିଲେ, ହେ ଶୁକ୍ଳୀକୃତ ପ୍ରାଚୀର, ଈଶ୍ବର ତୁମ୍ଭକୁ ଆଘାତ କରିବେ, ତୁମ୍ଭେ ଏକାବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ମୋହର ବିଚାର କରିବାକୁ ବସି ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ କରିବା ପାଇଁ କି ଆଜ୍ଞା ଦେଉଅଛ? 4 ସେଥିରେ ନିକଟରେ ଠିଆ ହୋଇଥିବା ଲୋକମାନେ କହିଲେ, ତୁ କି ଈଶ୍ବରଙ୍କ ମହାଯାଜକଙ୍କୁ ନିନ୍ଦା କରୁଅଛୁ? 5 ପୁଣି, ପାଉଲ କହିଲେ, ଭାଇମାନେ, ସେ ମହାଯାଜକ ବୋଲି ମୁଁ ଜାଣି ନ ଥିଲି; କାରଣ ଲିଖିତ ଅଛି, ତୁମ୍ଭେ ନିଜ ଲୋକମାନଙ୍କ ଅଧ୍ୟକ୍ଷଙ୍କୁ ଅଭିଶାପ ଦେବ ନାହିଁ। 6 ପାଉଲ ଏକ ଭାଗ ସାଦ୍ଦୂକୀ ଆଉ ଅପର ଭାଗ ଫାରୂଶୀ ବୋଲି ଜାଣି ମହାସଭାରେ ଉଚ୍ଚସ୍ୱରରେ କହିଲେ, ଭାଇମାନେ, ମୁଁ ଜଣେ ଫାରୂଶୀ ଓ ଫାରୂଶୀର ପୁତ୍ର; ପୁଣି, ଏହି ଭରସା, ଅର୍ଥାତ୍‍ ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ବିଚାରିତ ହେଉଅଛି। 7 ସେ ଏହି କଥା କହିବାରୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବିବାଦ, ଓ ସଭାରେ ଦଳଭେଦ ଘଟିଲା। 8 କାରଣ ସାଦ୍ଦୂକୀମାନେ ପୁନରୁତ୍ଥାନ, ଦୂତ ଅବା ଆତ୍ମା ନାହାନ୍ତି ବୋଲି କହନ୍ତି, କିନ୍ତୁ ଫାରୂଶୀମାନେ ଉଭୟ ସ୍ୱୀକାର କରନ୍ତି। 9 ଏଥିରେ ମହା କୋଳାହଳ ଘଟିଲା, ଆଉ ଫାରୂଶୀମାନଙ୍କ ଦଳର କେତେକ ଶାସ୍ତ୍ରୀ ଉଠି ଯୁକ୍ତିତର୍କ କରି କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁଁ, କେଜାଣି କୌଣସି ଆତ୍ମା କିମ୍ବା ଦୂତ ତାହା ସାଙ୍ଗରେ କଥା କହିଅଛନ୍ତି। 10 ଏହି ପ୍ରକାରେ ମହା ବିବାଦ ଘଟନ୍ତେ, କାଳେ ପାଉଲ ସେମାନଙ୍କ ଦ୍ୱାରା ଖଣ୍ଡବିଖଣ୍ଡ ହେବେ, ଏହି ଭୟରେ ସହସ୍ର-ସେନାପତି ସେମାନଙ୍କ ମଧ୍ୟରୁ ତାହାଙ୍କୁ ବଳପୂର୍ବକ ଗଡ଼ ଭିତରକୁ ନେଇ ଆସିବା ପାଇଁ ସୈନ୍ୟମାନଙ୍କୁ ଯିବାକୁ ଆଦେଶ ଦେଲେ। 11 ପରରାତ୍ରରେ ପ୍ରଭୁ ତାହାଙ୍କ ପାଖରେ ଠିଆ ହୋଇ କହିଲେ, “ସାହସ ଧର, କାରଣ ତୁମ୍ଭେ ଯେପରି ଯିରୂଶାଲମ ସହରରେ ଆମ୍ଭ ବିଷୟରେ ସାକ୍ଷ୍ୟ ଦେଇଅଛ, ସେହିପରି ତୁମ୍ଭକୁ ରୋମରେ ମଧ୍ୟ ସାକ୍ଷ୍ୟ ଦେବାକୁ ହେବ।”

ପାଉଲଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର

12 ଦିନ ହୁଅନ୍ତେ ଯିହୁଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ, ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି, ଶପଥରେ ନିଜ ନିଜକୁ ଆବଦ୍ଧ କଲେ। 13 ଏହି ଷଡ଼ଯନ୍ତ୍ର କରିଥିବା ଲୋକମାନେ, ଚାଳିଶ ଜଣରୁ ଅଧିକ ଥିଲେ। 14 ସେମାନେ ପ୍ରଧାନ ଯାଜକ ଓ ପ୍ରାଚୀନମାନଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କିଛି ଖାଇବୁ ନାହିଁ ବୋଲି ନିଜ ନିଜକୁ ଦୃଢ଼ ଶପଥରେ ଆବଦ୍ଧ କରିଅଛୁ। 15 ଅତଏବ ଆପଣମାନେ ଅଧିକ ସୂକ୍ଷ୍ମ ରୂପେ ତାହାର ବିଚାର କରିବାକୁ ଇଚ୍ଛା କରୁଅଛନ୍ତି ବୋଲି ଛଳନା କରି ତାହାକୁ ଆପଣମାନଙ୍କ ନିକଟକୁ ଆଣିବା ନିମନ୍ତେ ଏବେ ମହାସଭା ସହିତ ସହସ୍ର-ସେନାପତିଙ୍କୁ ନିବେଦନ କରନ୍ତୁ। ସେ ଆପଣମାନଙ୍କ ନିକଟକୁ ଆସିବା ପୂର୍ବେ ଆମ୍ଭେମାନେ ତାହାକୁ ବଧ କରିବାକୁ ପ୍ରସ୍ତୁତ ଅଛୁ। 16 କିନ୍ତୁ ପାଉଲଙ୍କ ଭଣଜା ସେମାନଙ୍କର ଛକି ରହିବା କଥା ଶୁଣି ଆସି ଗଡ଼ ମଧ୍ୟରେ ପ୍ରବେଶ କରି ପାଉଲଙ୍କୁ ଜଣାଇଲା। 17 ସେଥିରେ ପାଉଲ ଜଣେ ଶତ-ସେନାପତିଙ୍କୁ ଡାକି କହିଲେ, ଏହି ଯୁବାଙ୍କୁ ସହସ୍ର-ସେନାପତିଙ୍କ ନିକଟକୁ ନେଇ ଯାଆନ୍ତୁ, କାରଣ ତାହାଙ୍କୁ ଜଣାଇବା ନିମନ୍ତେ ଏହାର କିଛି କଥା ଅଛି। 18 ତେଣୁ ସେ ତାହାଙ୍କୁ ସହସ୍ର-ସେନାପତିଙ୍କ ନିକଟକୁ ନେଇଯାଇ କହିଲେ, ବନ୍ଦୀ ପାଉଲ ଆପଣା ନିକଟକୁ ମୋତେ ଡାକି ଆପଣଙ୍କ ପାଖକୁ ଏହି ଯୁବାକୁ ନେଇ ଆସିବା ପାଇଁ ଅନୁରୋଧ କଲା, ଆପଣଙ୍କୁ କହିବା ନିମନ୍ତେ ଏହାର କିଛି କଥା ଅଛି। 19 ସହସ୍ର-ସେନାପତି ତାହାକୁ ହାତ ଧରି ତାହାକୁ ନିର୍ଜନକୁ ନେଇଯାଇ ପଚାରିଲେ, ମୋତେ ଜଣାଇବା ନିମନ୍ତେ ତୁମ୍ଭର କଅଣ ଅଛି? 20 ସେ କହିଲା, ପାଉଲଙ୍କ ବିଷୟରେ ଅଧିକ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରିବା ଛଳରେ ଯିହୁଦୀମାନେ ତାହାଙ୍କୁ କାଲି ମହାସଭା ନିକଟକୁ ଆଣିବା ନିମନ୍ତେ ଆପଣଙ୍କୁ ଅନୁରୋଧ କରିବା ପାଇଁ ଏକମତ ହୋଇଅଛନ୍ତି। 21 ଏଣୁ ଆପଣ ସେମାନଙ୍କ କଥାରେ ସମ୍ମତ ହେବେ ନାହିଁ, କାରଣ ତାହାଙ୍କୁ ବଧ ନ କରିବା ଯାଏ ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ନିଜ ନିଜକୁ ଶପଥରେ ଆବଦ୍ଧ କରି ଚାଳିଶ ଜଣରୁ ଅଧିକ ଲୋକ ତାହାଙ୍କୁ ଛକି ରହିଅଛନ୍ତି, ଆଉ ଏବେ ସେମାନେ ଆପଣଙ୍କଠାରୁ ଅନୁମତି ପାଇବା ନିମନ୍ତେ ଅପେକ୍ଷା କରି ପ୍ରସ୍ତୁତ ହୋଇ ରହିଅଛନ୍ତି। 22 ସେଥିରେ ସହସ୍ର-ସେନାପତି ସେହି ଯୁବାକୁ ବିଦାୟ ଦେଇ ତାହାକୁ ଆଦେଶ କଲେ, ତୁମ୍ଭେ ଯେ ଏହି ସମସ୍ତ କଥା ମୋତେ ଜଣାଇଅଛ, ତାହା କାହାକୁ କହିବ ନାହିଁ।

ଫେଲୀକ୍ସ୍‌ଙ୍କ ନିକଟରେ ପାଉଲ

23 ପରେ ସେ ଦୁଇ ଜଣ ଶତ-ସେନାପତିଙ୍କୁ ଡାକି କହିଲେ, କାଇସରିୟା ପର୍ଯ୍ୟନ୍ତ ଯିବା ନିମନ୍ତେ ରାତ୍ର ତିନି ଘଟିକା ସମୟରେ ଦୁଇ ଶହ ସୈନ୍ୟ, ସତୁରି ଜଣ ଅଶ୍ଵାରୋହୀ ଓ ଦୁଇ ଶହ ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର। 24 ପୁଣି, ସେମାନେ ଯେପରି ପାଉଲଙ୍କୁ ଅଶ୍ବବାହନ ଉପରେ ବସାଇ ଶାସନକର୍ତ୍ତା ଫେଲୀକ୍ସ୍‌ଙ୍କ ନିକଟକୁ ନିରାପଦରେ ନେଇଯାଆନ୍ତି, ଏଥିପାଇଁ ତାହା ଆୟୋଜନ କରିବା ନିମନ୍ତେ ସେ ଆଦେଶ ଦେଲେ।

25 ଆଉ, ସେ ଏହି ପ୍ରକାରେ ଗୋଟିଏ ଚିଠି ଲେଖିଲେ, 26 ମହାମହିମ ଶାସନକର୍ତ୍ତା ଫେଲୀକ୍ସ୍‌ଙ୍କୁ, କ୍ଲାଉଦିଅ ଲୂସୀୟାଙ୍କର ନମସ୍କାର।

             27 ଯିହୁଦୀମାନେ ଏହି ଲୋକକୁ ଧରି ବଧ କରିବାକୁ ଯାଉଥିବା ସମୟରେ ମୁଁ ସୈନ୍ୟମାନଙ୍କ ସହିତ ଯାଇ ସେ ଜଣେ ରୋମୀୟ ବୋଲି ଜାଣି ଏହାକୁ ଉଦ୍ଧାର କଲି। 28 କେଉଁ କାରଣରୁ ସେମାନେ ଏହାର ବିରୁଦ୍ଧରେ ଦୋଷାରୋପ କରୁଅଛନ୍ତି, ତାହା ଜାଣିବାକୁ ଇଚ୍ଛା କରି ମୁଁ ଏହାକୁ ସେମାନଙ୍କର ମହାସଭା ନିକଟକୁ ନେଇଗଲି। 29 ପ୍ରାଣଦଣ୍ଡ ବା ବନ୍ଧନ ଯୋଗ୍ୟ କୌଣସି ବିଷୟ ଏହାର ବିରୁଦ୍ଧରେ ଅଭିଯୋଗ କରା ନ ଯାଇ ସେମାନଙ୍କ ମୋଶାଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ବିଷୟରେ ଅଭିଯୋଗ କରାଯାଉଅଛି ବୋଲି ମୁଁ ବୁଝିଲି। 30 ଏହି ଲୋକ ବିରୁଦ୍ଧରେ ଷଡ଼ଯନ୍ତ୍ର ହେବ ବୋଲି ମୋତେ ଖବର ଦିଆଯିବାରୁ ମୁଁ ଏହାକୁ ଅବିଳମ୍ବରେ ଆପଣଙ୍କ ନିକଟକୁ ପଠାଇଲି; ଏହାର ଅଭିଯୋଗକାରୀମାନଙ୍କୁ ମଧ୍ୟ ଆପଣଙ୍କ ସମ୍ମୁଖରେ, ଏହା ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ଆଦେଶ ଦେଲି।

31 ସେଥିରେ ସୈନ୍ୟମାନେ ପ୍ରାପ୍ତ ଆଦେଶାନୁସାରେ ପାଉଲଙ୍କୁ ନେଇ ରାତ୍ରିକାଳରେ ତାହାଙ୍କୁ ଆନ୍ତିପାତ୍ରିକୁ ଆଣିଲେ। 32 ପରଦିନ ସେମାନେ ଅଶ୍ୱାରୋହୀମାନଙ୍କୁ ତାହାଙ୍କ ସାଙ୍ଗରେ ଯିବା ପାଇଁ ଛାଡ଼ିଦେଇ ଗଡ଼କୁ ଫେରିଗଲେ। 33 ପରେ ଅଶ୍ୱାରୋହୀମାନେ କାଇସରିୟାକୁ ଆସି ଶାସନକର୍ତ୍ତା ଫେଲିକ୍ସ୍‍ଙ୍କୁ ଚିଠି ଦେଲେ, ପୁଣି, ପାଉଲଙ୍କୁ ମଧ୍ୟ ତାହାଙ୍କ ଛାମୁରେ ଉପସ୍ଥିତ କଲେ। 34 ସେ ଚିଠିଟି ପଢ଼ିଲା ଉତ୍ତାରେ, ସେ କେଉଁ ପ୍ରଦେଶର ଲୋକ ବୋଲି ପଚାରିଲେ; ପୁଣି, ସେ ଯେ କିଲିକିୟାର ଲୋକ, ଏହା ଜାଣି ସେ କହିଲେ, 35 ତୁମ୍ଭର ଅଭିଯୋଗକାରୀମାନେ ମଧ୍ୟ ଉପସ୍ଥିତ ହେଲେ ଆମ୍ଭେ ତୁମ୍ଭର କଥା ଶୁଣିବା। ଆଉ ସେ ହେରୋଦଙ୍କ ପ୍ରାସାଦରେ ତାହାଙ୍କୁ ରଖିବା ନିମନ୍ତେ ଆଦେଶ ଦେଲେ।

Chapter 24

ମହାମହିମ ଫେଲୀକ୍ସ୍‌ଙ୍କ ସାମନାରେ ପାଉଲ

1 ପାଞ୍ଚ ଦିନ ପରେ ହାନାନ ମହାଯାଜକ କେତେକ ପ୍ରାଚୀନ ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କ ସାଙ୍ଗରେ ଆସିଲେ, ଆଉ ସେମାନେ ପାଉଲଙ୍କ ବିରୁଦ୍ଧରେ ଶାସନକର୍ତ୍ତାଙ୍କ ନିକଟରେ ଆବେଦନ କଲେ। 2 ତାହାଙ୍କୁ ଡକାଯାଆନ୍ତେ ତର୍ତ୍ତୁଲ୍ଲ ତାହାଙ୍କୁ ଅଭିଯୋଗ କରି କହିବାକୁ ଲାଗିଲେ, ହେ ମହାମହିମ ଫେଲୀକ୍ସ୍, ଆପଣଙ୍କ ଦ୍ୱାରା ଆମ୍ଭେମାନେ ଯେ ମହା ଶାନ୍ତି ଭୋଗ କରୁଅଛୁ, ପୁଣି, ଆପଣଙ୍କର ଦୂରଦର୍ଶିତାରେ ଏହି ଜାତି ନିମନ୍ତେ ନାନା ମଙ୍ଗଳ ସାଧିତ ହୋଇଅଛି, 3 ଏହା ଆମ୍ଭେମାନେ ସର୍ବତୋଭାବରେ ଓ ସର୍ବସ୍ଥାନରେ ସମ୍ପୂର୍ଣ୍ଣ କୃତଜ୍ଞତା ସହିତ ସ୍ୱୀକାର କରୁଅଛୁ। 4 କିନ୍ତୁ ମୁଁ ଯେପରି ଆପଣଙ୍କର ଅଧିକ କ୍ଳାନ୍ତ ନ ଜନ୍ମାଏ, ଏଥିପାଇଁ ଆପଣ ନିଜ ଦୟା ଗୁଣରେ ଆମ୍ଭମାନଙ୍କ କେତୋଟି କଥା ଶୁଣିବା ପାଇଁ ମୁଁ ଆପଣଙ୍କୁ ନିବେଦନ କରୁଅଛି। 5 କାରଣ ଆମ୍ଭେମାନେ ଏହି ଲୋକକୁ ମହାମାରୀ ସ୍ୱରୂପ, ଜଗତର ସର୍ବତ୍ର ସମସ୍ତ ଯିହୁଦୀମାନଙ୍କ ମଧ୍ୟରେ ବିଦ୍ରୋହର ପରିଚାଳକ ଓ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି ଜାଣିଅଛୁ; 6 ଆହୁରି ମଧ୍ୟ ଏ ମନ୍ଦିର ଅଶୁଚି କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଆମ୍ଭେମାନେ ଏହାକୁ ଧରିଲୁ ଆଉ ଆପଣଙ୍କ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଏହାର ବିଚାର କରିବାକୁ ଇଚ୍ଛା କରିଥିଲୁ। 7 କିନ୍ତୁ ସହସ୍ର-ସେନାପତି ଲୂସୀୟା ଆସି ଅତିଶୟ ଜୋର୍‍ରେ ଏହାକୁ ଆମ୍ଭମାନଙ୍କ ହାତରୁ ଛଡ଼ାଇନେଲେ, 8 ଆଉ ଏହାର ଅଭିଯୋଗକାରୀମାନଙ୍କୁ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ଆଦେଶ ଦେଲେ। ଏହି ଯେ ସମସ୍ତ ବିଷୟରେ ଆମ୍ଭେମାନେ ଏହା ବିରୁଦ୍ଧରେ ଅଭିଯୋଗ କରୁଅଛୁ, ଆପଣ ନିଜେ ଏହାକୁ ପଚାରିଲେ ସେହିସବୁ ଅବଗତ ହୋଇପାରିବେ। 9 ଅନ୍ୟ ଯିହୁଦୀମାନେ ମଧ୍ୟ ଅଭିଯୋଗରେ ମିଶି ଏହି ସମସ୍ତ କଥା ସତ୍ୟ ବୋଲି କହିଲେ।

ଫେଲୀକ୍ସ୍‌ଙ୍କ ସମ୍ମୁଖରେ ପାଉଲଙ୍କ ଆତ୍ମସମର୍ଥନ

10 ସେଥିରେ ଶାସନକର୍ତ୍ତା କଥା କହିବା ନିମନ୍ତେ ପାଉଲଙ୍କୁ ସଙ୍କେତ କରନ୍ତେ ସେ ଉତ୍ତର ଦେଲେ, ଆପଣ ଅନେକ ବର୍ଷ ହେଲା ଏହି ଜାତିର ବିଚାରକର୍ତ୍ତା ଅଟନ୍ତି ବୋଲି ଜାଣିବାରୁ ମୁଁ ସାହସରେ ମୋହର ପକ୍ଷ ସମର୍ଥନ କରୁଅଛି। 11 ବାର ଦିନରୁ ଅଧିକ ହେବ ନାହିଁ ମୁଁ ଉପାସନା କରିବା ନିମନ୍ତେ ଯିରୂଶାଲମ ସହରକୁ ଯାଇଥିଲି, ଏହା ଆପଣ ଜାଣି ପାରନ୍ତି 12 ଆଉ ଏମାନେ ମନ୍ଦିରରେ କି ସମାଜଗୃହରେ କି ନଗରରେ ମୋତେ କାହାରି ସହିତ ବିବାଦ କରିବାର କିମ୍ବା ଜନତାକୁ ମତାଇବାର ଦେଖି ନାହାନ୍ତି, 13 ପୁଣି, ଏବେ ଏମାନେ ମୋ ବିରୁଦ୍ଧରେ ଯେଉଁ ସମସ୍ତ ବିଷୟ ନେଇ ଅଭିଯୋଗ କରୁଅଛନ୍ତି, ସେହିସବୁ ଆପଣଙ୍କ ନିକଟରେ ପ୍ରମାଣ କରିପାରନ୍ତି ନାହିଁ। 14 କିନ୍ତୁ ଏମାନେ ଯାହାକୁ ଗୋଟିଏ ବିଧର୍ମଦଳ ବୋଲି କହନ୍ତି, ମୁଁ ସେହି ମାର୍ଗ ଅନୁସାରେ ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବରଙ୍କର ଉପାସନା କରିଥାଏ; ଯାହା ଯାହା ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ଓ ଯାହା ଯାହା ଭାବବାଦୀମାନଙ୍କ ପୁସ୍ତକରେ ଲିଖିତ ଅଛି, ସେହିସବୁ ମୁଁ ବିଶ୍ୱାସ କରେ; 15 ପୁଣି, ଧାର୍ମିକ ଓ ଅଧାର୍ମିକ ଉଭୟଙ୍କର ପୁନରୁତ୍ଥାନ ହେବ ବୋଲି ଯାହା ଏମାନେ ନିଜେ ଅପେକ୍ଷା କରନ୍ତି, ମୁଁ ମଧ୍ୟ ଈଶ୍ବରଙ୍କଠାରେ ସେହି ପ୍ରକାର ଭରସା ରଖିଅଛି ବୋଲି ଆପଣଙ୍କ ନିକଟରେ ସ୍ୱୀକାର କରୁଅଛି। 16 ଏହେତୁରୁ ମୁଁ ମଧ୍ୟ ନିଜେ ସର୍ବଦା ଈଶ୍ବରଙ୍କ ଓ ମନୁଷ୍ୟର ପ୍ରତି ନିର୍ଦ୍ଦୋଷ ବିବେକ ରକ୍ଷା କରିବାକୁ ଯତ୍ନ କରୁଥାଏ। 17 ଅନେକ ବର୍ଷ ପରେ ମୁଁ ମୋହର ଜାତି ନିକଟକୁ ଦାନ କରିବା ନିମନ୍ତେ ଓ ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ଆସିଥିଲି। 18 ସେହି ସମୟରେ ଏମାନେ ମୋତେ ମନ୍ଦିରରେ ଶୁଚି ହୋଇଥିବାର ଦେଖିଲେ; ମୁଁ କୌଣସି ଜନତା କିମ୍ବା ଗଣ୍ଡଗୋଳରେ ମିଶି ନ ଥିଲି, କିନ୍ତୁ ଏସିଆ ପ୍ରଦେଶର କେତେକ ଯିହୁଦୀ ଲୋକମାନେ ଥିଲେ; 19 ଯଦି ସେମାନଙ୍କର ମୋ, ବିରୁଦ୍ଧରେ କୌଣସି କଥା ଥାଆନ୍ତା, ତାହାହେଲେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଅଭିଯୋଗ କରିବା ସେମାନଙ୍କର ଉଚିତ ହୋଇଥାଆନ୍ତା। 20 ନତୁବା ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ବିଚାରିତ ହେଉଅଛି ବୋଲି ମୁଁ ସେମାନଙ୍କ ମଧ୍ୟରେ ଠିଆ ହୋଇ ଉଚ୍ଚସ୍ୱରରେ ଏହି ଯେଉଁ କଥା କହିଥିଲି, 21 କେବଳ ସେହି ଗୋଟିଏ କଥା ଛଡ଼ା ମୁଁ ମହାସଭା ସମ୍ମୁଖରେ ଠିଆ ହେବା ସମୟରେ ଏମାନେ ମୋହର କି ଦୋଷ ପାଇଅଛନ୍ତି ତାହା ଏମାନେ ନିଜେ କହନ୍ତୁ।

ବନ୍ଦୀ ଅବସ୍ଥାରେ ପାଉଲ

22 କିନ୍ତୁ ଫେଲୀକ୍ସ୍‌ ସେହି ମାର୍ଗ ବିଷୟରେ ଅଳ୍ପ ଜାଣିଥିବାରୁ ବିଚାର ସ୍ଥଗିତ ରଖି କହିଲେ ଯେ ସହସ୍ର-ସେନାପତି ଲୂସୀୟା ଆସିଲା ପରେ ଆମ୍ଭେ ତୁମ୍ଭମାନଙ୍କ ବିଷୟ ନିର୍ଣ୍ଣୟ କରିବା। 23 ପୁଣି, ସେ ଶତ-ସେନାପତିଙ୍କୁ ତାଙ୍କର କୌଣସି ଆତ୍ମୀୟ ସ୍ୱଜନଙ୍କୁ ତାହାଙ୍କର ସେବା କରିବା ପାଇଁ ବାରଣ ନ କରିବାକୁ, ପୁଣି, ତାହାଙ୍କୁ ବନ୍ଦୀ ରୂପେ ରକ୍ଷା କରି ତାହାଙ୍କ ପ୍ରତି କୋମଳ ବ୍ୟବହାର କରିବାକୁ ଆଦେଶ ଦେଲେ। 24 କେତେକ ଦିନ ପରେ ଫେଲୀକ୍ସ୍‌ ଦ୍ରୂସିଲ୍ଲା ନାମ୍ନୀ ଆପଣା ଯିହୁଦୀୟା ଭାର୍ଯ୍ୟାଙ୍କ ସହିତ ଆସି ପାଉଲଙ୍କୁ ଡକାଇ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ବିଷୟ ତାଙ୍କଠାରୁ ଶୁଣିଲେ। 25 କିନ୍ତୁ ସେ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ବିଷୟରେ କଥା କହିବା ସମୟରେ ଫେଲୀକ୍ସ୍‌ ଭୟର ସହିତ ଉତ୍ତର ଦେଲେ, ବର୍ତ୍ତମାନ ତୁମ୍ଭେ ଯାଅ, ସୁବିଧା ସମୟ ପାଇଲେ ଆମ୍ଭେ ତୁମ୍ଭକୁ ଡକାଇବା। 26 ଆହୁରି ମଧ୍ୟ ପାଉଲ ତାହାଙ୍କୁ ଲାଞ୍ଚ ଦେବେ ବୋଲି ସେ ଆଶା କରୁଥିଲେ, ସେଥିପାଇଁ ଥରକୁ ଥର ତାହାଙ୍କୁ ଡକାଇ ତାହାଙ୍କ ସହିତ କଥାବାର୍ତ୍ତା କରୁଥିଲେ। 27 କିନ୍ତୁ ଦୁଇ ବର୍ଷ ପୂର୍ଣ୍ଣ ହେଲା ଉତ୍ତାରେ ପର୍କୀୟ ଫେଷ୍ଟସ୍ ଫେଲୀକ୍ସ୍‌ଙ୍କ ପଦରେ ନିଯୁକ୍ତ ହେଲେ, ଆଉ ଫେଲୀକ୍ସ୍ ଯିହୁଦୀମାନଙ୍କ ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ବନ୍ଦୀ ଅବସ୍ଥାରେ ରଖି ଚାଲିଗଲେ।

Chapter 25

କାଇସରଙ୍କ ନିକଟରେ ପାଉଲଙ୍କ ଆବେଦନ

1 ସେଥିରେ ଫେଷ୍ଟସ୍ ଅଧିପତି ପଦ ଗ୍ରହଣ କରି ତିନି ଦିନ ଉତ୍ତାରେ କାଇସରିୟାରୁ ଯିରୂଶାଲମ ସହରକୁ ଗଲେ, 2 ପୁଣି, ପ୍ରଧାନ ଯାଜକମାନେ ଓ ଯିହୁଦୀମାନଙ୍କର ମୁଖ୍ୟ ବ୍ୟକ୍ତିମାନେ ପାଉଲଙ୍କ ବିରୁଦ୍ଧରେ ତାହାଙ୍କ ନିକଟରେ ଆବେଦନ କଲେ। 3 ଆଉ ସେ ଯେପରି ତାହାଙ୍କୁ ଯିରୂଶାଲମ ସହରକୁ ଡକାଇ ପଠାନ୍ତି ଏଥିନିମନ୍ତେ ବିନତିପୂର୍ବକ ତାହାଙ୍କ ବିରୁଦ୍ଧରେ ଏହି ଅନୁଗ୍ରହ ପ୍ରାର୍ଥନା କଲେ; ପୁଣି, ସେମାନେ ତାହାଙ୍କୁ ବାଟରେ ବଧ କରିବା ପାଇଁ ଛକି ବସିଲେ। 4 ସେଥିରେ ଫେଷ୍ଟସ୍ ଉତ୍ତର ଦେଲେ, ପାଉଲ କାଇସରିୟାରେ ବନ୍ଦୀ ହୋଇ ରହିଅଛି, ଆଉ ଆମ୍ଭେ ନିଜେ ଶୀଘ୍ର ସେଠାକୁ ଯାଉଅଛୁ। 5 ଅତଏବ, ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ କ୍ଷମତାପନ୍ନ, ସେମାନେ ଆମ୍ଭ ସାଙ୍ଗରେ ଯାଇ, ସେହି ଲୋକର ଯଦି କୌଣସି ଦୋଷ ଥାଏ, ତେବେ ତାହାର ବିରୁଦ୍ଧରେ ଅଭିଯୋଗ କରନ୍ତୁ। 6 ପରେ ସେ ସେମାନଙ୍କ ମଧ୍ୟରେ ଆଠ ବା ଦଶ ଦିନରୁ ଅଧିକ ନ ରହି କାଇସରିୟାକୁ ବାହୁଡ଼ି ଗଲେ, ଆଉ ପରଦିନ ବିଚାରାସନରେ ବସି ପାଉଲଙ୍କୁ ଆଣିବା ନିମନ୍ତେ ଆଦେଶ ଦେଲେ। 7 ସେ ଆସନ୍ତେ ଯିରୂଶାଲମ ସହରରୁ ଆଗତ ଯିହୁଦୀମାନେ ତାହାଙ୍କ ଚାରିଆଡ଼େ ଠିଆ ହୋଇ ତାହାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ ଆଣିବାକୁ ଲାଗିଲେ, କିନ୍ତୁ ସେମାନେ ସେହିସବୁ ପ୍ରମାଣ କରିପାରିଲେ ନାହିଁ। 8 ସେଥିରେ ପାଉଲ ଆପଣା ପକ୍ଷ ସମର୍ଥନ କରି କହିଲେ, ଯିହୁଦୀମାନଙ୍କ ମୋଶାଙ୍କ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ ମୁଁ କୌଣସି ଅପରାଧ କରି ନାହିଁ। 9 କିନ୍ତୁ ଫେଷ୍ଟସ୍ ଯିହୁଦୀମାନଙ୍କର ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ଉତ୍ତର ଦେଲେ, ତୁମ୍ଭେ କି ଯିରୂଶାଲମ ସହରକୁ ଯାଇ ସେ ସ୍ଥାନରେ ଆମ୍ଭ ସାକ୍ଷାତରେ ଏହିସବୁ ବିଷୟ ନେଇ ବିଚାରିତ ହେବାକୁ ଇଚ୍ଛା କରୁଅଛ? 10 ମାତ୍ର ପାଉଲ କହିଲେ, ମୁଁ କାଇସରଙ୍କ ବିଚାରାସନ ସମ୍ମୁଖରେ ଠିଆ ହୋଇଅଛି, ସେ ସ୍ଥାନରେ ମୋହର ବିଚାର ହେବା ଉଚିତ। ମୁଁ ଯିହୁଦୀମାନଙ୍କ ପ୍ରତି କୌଣସି ଅନ୍ୟାୟ କରି ନାହିଁ, ଆପଣ ମଧ୍ୟ ତାହା ଅତି ଉତ୍ତମ ରୂପେ ଜାଣନ୍ତି। 11 ତେବେ, ଯଦି ମୁଁ ଅନ୍ୟାୟକାରୀ ହୋଇଥାଏ ଓ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରିଥାଏ, ତାହାହେଲେ ମୁଁ ମୃତ୍ୟୁଭୋଗ କରିବାକୁ ମନା କରୁ ନାହିଁ; କିନ୍ତୁ ଏମାନେ ମୋ, ବିରୁଦ୍ଧରେ ଯାହାସବୁ ଅଭିଯୋଗ କରୁଅଛନ୍ତି, ସେହିସବୁ ମଧ୍ୟରେ ଯଦି ପଦେ ସତ୍ୟ ନାହିଁ, ତାହାହେଲେ କୌଣସି ବ୍ୟକ୍ତି ସେମାନଙ୍କ ହସ୍ତରେ ମୋତେ ସମର୍ପଣ କରିପାରିବେ ନାହିଁ। ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରୁଅଛି। 12 ସେଥିରେ ଫେଷ୍ଟସ୍ ମନ୍ତ୍ରୀମଣ୍ଡଳ ସହିତ ପରାମର୍ଶ କରି ଉତ୍ତର ଦେଲେ, ତୁମ୍ଭେ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିଅଛ, ତୁମ୍ଭେ କାଇସରଙ୍କ ନିକଟକୁ ଯିବ।

ଆଗ୍ରିପ୍ପା ଓ ବର୍ଣ୍ଣୀକୀଙ୍କ ସମ୍ମୁଖରେ ପାଉଲ

13 କେତେକ ଦିନ ଗତ ହେଲା ପରେ ରାଜା ଆଗ୍ରିପ୍ପା ଓ ବର୍ଣ୍ଣୀକୀ କାଇସରିୟାକୁ ଆସି ଫେଷ୍ଟସ୍‌ଙ୍କୁ ସାକ୍ଷାତ କଲେ। 14 ସେମାନେ ଅନେକ ଦିନ ସେ ସ୍ଥାନରେ ରୁହନ୍ତେ, ରାଜାଙ୍କ ଆଗରେ ଫେଷ୍ଟସ୍ ପାଉଲଙ୍କ କଥା ଜଣାଇ କହିଲେ, ଫେଲୀକ୍ସ୍‌ ଜଣେ ଲୋକଙ୍କୁ ବନ୍ଦୀ କରି ରଖିଯାଇଅଛନ୍ତି। 15 ମୁଁ ଯିରୂଶାଲମ ସହରରେ ଥିବା ସମୟରେ ଯିହୁଦୀମାନଙ୍କର ପ୍ରଧାନ ଯାଜକବର୍ଗ ଓ ପ୍ରାଚୀନମାନେ ତାହା ବିଷୟରେ ମୋ, ନିକଟରେ ଆବେଦନ କରି ତାହା ବିରୁଦ୍ଧରେ ଦଣ୍ଡାଜ୍ଞା ବିନତି କଲେ। 16 ମୁଁ ସେମାନଙ୍କୁ ଉତ୍ତର ଦେଲି, ଅଭିଯୁକ୍ତକାରୀ ଓ ଅଭିଯୁକ୍ତ ମୁଖାମୁଖୀ ନ ହେବା ପର୍ଯ୍ୟନ୍ତ ପୁଣି, ଅଭିଯୁକ୍ତ ତାହା ବିରୁଦ୍ଧରେ କରାଯାଇଥିବା ଅଭିଯୋଗ ସମ୍ବନ୍ଧରେ ଆତ୍ମପକ୍ଷ ସମର୍ଥନ କରିବାର ସୁଯୋଗ ନ ପାଇବା ପର୍ଯ୍ୟନ୍ତ ତାହାକୁ ସମର୍ପଣ କରିବା ରୋମୀୟମାନଙ୍କର ବିଧି ନୁହେଁ। 17 ଏଣୁ ସେମାନେ ମୋ ସାଙ୍ଗରେ ଏ ସ୍ଥାନକୁ ଆସନ୍ତେ ମୁଁ ବିଳମ୍ବ ନ କରି ପରଦିନ ବିଚାରାସନରେ ବସି ସେହି ଲୋକକୁ ଆଣିବା ନିମନ୍ତେ ଆଜ୍ଞା ଦେଲି। 18 ଅଭିଯୋଗକାରୀମାନେ ଠିଆ ହୋଇ, ମୁଁ ଯେପ୍ରକାର ଦୋଷର କଥା ଅପେକ୍ଷା କରୁଥିଲି, ସେପରି କୌଣସି ଅଭିଯୋଗ ତାହା ସମ୍ବନ୍ଧରେ ଆଣିଲେ ନାହିଁ, 19 କିନ୍ତୁ ସେମାନଙ୍କ ସ୍ୱଧର୍ମ ପୁଣି, ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି, ଯାହାକୁ ପାଉଲ ସଜୀବ ବୋଲି କହୁଥିଲା, ସେହିସବୁ ବିଷୟରେ ତାହା ବିରୁଦ୍ଧରେ ସେମାନଙ୍କର କେତେକ ବିବାଦ ଥିଲା। 20 ଏହି ସମସ୍ତ ବିଷୟ କିପ୍ରକାରେ ଅନୁସନ୍ଧାନ କରିବି ବୋଲି ମୁଁ ହତବୁଦ୍ଧି ହୋଇ, ସେ ଯିରୂଶାଲମ ସହରକୁ ଯାଇ ସେଠାରେ ଏସମସ୍ତ ବିଷୟରେ ବିଚାରିତ ହେବା ପାଇଁ ଇଚ୍ଛା କରେ କି ନାହିଁ, ଏହା ପଚାରିଲି। 21 କିନ୍ତୁ ପାଉଲ ସମ୍ରାଟଙ୍କ ବିଚାର ନିମନ୍ତେ ରଖା ହେବା ପାଇଁ ନିବେଦନ କରନ୍ତେ, ମୁଁ ତାହାଙ୍କୁ କାଇସରଙ୍କ ନିକଟକୁ ନ ପଠାଇବା ପର୍ଯ୍ୟନ୍ତ ବନ୍ଦୀ କରି ରଖିବାକୁ ଆଦେଶ ଦେଲି। 22 ସେଥିରେ ଆଗ୍ରିପ୍ପା ଫେଷ୍ଟସ୍‌ଙ୍କୁ କହିଲେ ଆମ୍ଭେ ମଧ୍ୟ ସ୍ୱୟଂ ସେହି ଲୋକର କଥା ଶୁଣିବାକୁ ଇଚ୍ଛା କରୁଅଛୁ। ସେ କହିଲେ, କାଲି ଆପଣ ତାହାଙ୍କ କଥା ଶୁଣିବେ। 23 ଅତଏବ, ପରଦିନ ଆଗ୍ରିପ୍ପା ଓ ବର୍ଣ୍ଣୀକୀ ମହା ସମାରୋହରେ ଆସି ପ୍ରଧାନ ପ୍ରଧାନ ସେନାପତି ଓ ନଗରର ମୁଖ୍ୟ ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଚାରାଳୟରେ ପ୍ରବେଶ ହୁଅନ୍ତେ ଫେଷ୍ଟସ୍‌ଙ୍କ ଆଦେଶ ଅନୁସାରେ ପାଉଲ ଅଣାଗଲେ। 24 ସେଥିରେ ଫେଷ୍ଟସ୍ କହିଲେ, ହେ ରାଜନ ଆଗ୍ରିପ୍ପା ଓ ଆମ୍ଭମାନଙ୍କ ସହିତ ଏହି ସ୍ଥାନରେ ଉପସ୍ଥିତ ମହାଶୟ ବୃନ୍ଦ, ଆପଣମାନେ ଏହି ଲୋକକୁ ଦେଖିଅଛନ୍ତି; ଏହା ବିରୁଦ୍ଧରେ ଓ ଯିରୂଶାଲମ ସହରରେ ଏହି ସ୍ଥାନରେ ମଧ୍ୟ ଯିହୁଦୀ ଲୋକସମୂହ ଆମ୍ଭ ନିକଟରେ ଆବେଦନ କରି ତାହାର ଆଉ ବଞ୍ଚି ରହିବାର ଉଚିତ ନୁହେଁ ବୋଲି ଚିତ୍କାର କଲେ। 25 କିନ୍ତୁ ସେ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରି ନାହିଁ ବୋଲି ମୁଁ ବୁଝିଲି, ଆଉ ସେ ନିଜେ ସମ୍ରାଟଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାରୁ ମୁଁ ତାହାଙ୍କୁ ପଠାଇବା ନିମନ୍ତେ ସ୍ଥିର କଲି। 26 ମୋହର ପ୍ରଭୁଙ୍କ ଛାମୁକୁ ତାହାର ବିଷୟରେ ଲେଖିବା ନିମନ୍ତେ ମୋହର କୌଣସି ନିଶ୍ଚିତ ବିଷୟ ନାହିଁ। ଏଣୁ ବିଚାର କରି ଯେପରି ମୁଁ ଲେଖିବା ନିମନ୍ତେ କିଛି ପାଇ ପାରେ, ସେଥିପାଇଁ ତାହାଙ୍କୁ ଆପଣମାନଙ୍କ, ବିଶେଷତଃ ହେ ରାଜନ ଆଗ୍ରିପ୍ପା ଆପଣଙ୍କ ସମ୍ମୁଖକୁ ଆଣିଅଛି; 27 କାରଣ ବନ୍ଦୀକୁ ପଠାଇବା ସମୟରେ ତାʼ ବିରୁଦ୍ଧରେ ଅଭିଯୋଗ ଗୁଡ଼ିକ ନିର୍ଦ୍ଦେଶ ନ କରିବା ମୋତେ ଅସଙ୍ଗତ ବୋଧ ହେଉଅଛି।

Chapter 26

ଆଗ୍ରିପ୍ପାଙ୍କ ସମ୍ମୁଖରେ ପାଉଲଙ୍କ ଆତ୍ମସମର୍ଥନ

1 ସେଥିରେ ଆଗ୍ରିପ୍ପା ପାଉଲଙ୍କୁ କହିଲେ, ତୁମ୍ଭକୁ ଆପଣା ସପକ୍ଷରେ କଥା କହିବା ନିମନ୍ତେ ଅନୁମତି ଦିଆଗଲା। ସେଥିରେ ପାଉଲ ହସ୍ତ ବିସ୍ତାର କରି ଆପଣା ପକ୍ଷ ସମର୍ଥନ କରିବାକୁ ଲାଗିଲେ, 2 ହେ ରାଜନ ଆଗ୍ରିପ୍ପା, ଯିହୁଦୀମାନେ ମୋ ବିରୁଦ୍ଧରେ ଯେ ସମସ୍ତ ଅଭିଯୋଗ କରୁଅଛନ୍ତି, ସେ ସମ୍ବନ୍ଧରେ ମୁଁ ଯେ ଆଜି ଆପଣଙ୍କ ଛାମୁରେ ଆତ୍ମପକ୍ଷ ସମର୍ଥନ କରିବାକୁ ସୁଯୋଗ ପାଇଅଛି, ଏଥିପାଇଁ ମୁଁ ଆପଣାକୁ ସମୃଦ୍ଧିମାନ ମନେ କରୁଅଛି, 3 ବିଶେଷରେ ଏହି କାରଣରୁ ଯେ, ଆପଣ ଯିହୁଦୀମାନଙ୍କ ମଧ୍ୟରେ ପ୍ରଚଳିତ ସମସ୍ତ ରୀତିନୀତି ଓ ମତାମତ ସମ୍ବନ୍ଧରେ ନିପୁଣ ଅଟନ୍ତି; ଏଥିପାଇଁ ଧୈର୍ଯ୍ୟ ଧରି ମୋହର କଥା ଶୁଣିବା ନିମନ୍ତେ ମୁଁ ଆପଣଙ୍କୁ ବିନତି କରୁଅଛି। 4 ଯୌବନକାଳାବଧି ଆଦ୍ୟରୁ ସ୍ୱଜାତି ମଧ୍ୟରେ ଓ ଯିରୂଶାଲମ ସହରରେ ମୋହର ଆଚାର-ବ୍ୟବହାର ଯିହୁଦୀମାନେ ସମସ୍ତେ ଜାଣନ୍ତି; 5 ସେମାନେ ମୋତେ ପ୍ରଥମରୁ ଜାଣିଥିବାରୁ ଯଦି ଇଚ୍ଛା କରନ୍ତି, ତେବେ ସାକ୍ଷ୍ୟ ଦେଇ ପାରନ୍ତି ଯେ, ମୁଁ ଆମ୍ଭମାନଙ୍କ ଧର୍ମର ସର୍ବାପେକ୍ଷା କଠୋର ମତ ଅନୁସାରେ ଫାରୂଶୀ ହୋଇ ଜୀବନଯାପନ କଲି। 6 ପୁଣି, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ନିକଟରେ ଈଶ୍ବର ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞାର ପ୍ରତ୍ୟାଶା ନିମନ୍ତେ ମୁଁ ବିଚାରିତ ହେବା ପାଇଁ ଏବେ ଠିଆ ହୋଇଅଛି। 7 ଆମ୍ଭମାନଙ୍କ ବାର ଗୋଷ୍ଠୀ ସେହି ପ୍ରତିଜ୍ଞାର ଫଳ ପ୍ରାପ୍ତି ଆଶାରେ ଦିବାରାତ୍ର ଏକାଗ୍ର ଚିତ୍ତରେ ଈଶ୍ବରଙ୍କ ସେବା କରୁଅଛନ୍ତି। ହେ ରାଜନ, ସେହି ପ୍ରତ୍ୟାଶା ହେତୁ ମୁଁ ଯିହୁଦୀମାନଙ୍କ ଦ୍ୱାରା ଅଭିଯୁକ୍ତ ହେଉଅଛି। 8 ଈଶ୍ବର ଯେ ମୃତମାନଙ୍କୁ ଉଠାନ୍ତି, ତାହା କାହିଁକି ଆପଣମାନଙ୍କ ବିଚାରରେ ଅବିଶ୍ୱସ୍ତ ବୋଲି ବୋଧ ହୁଏ? 9 ନାଜରିତୀୟ ଯୀଶୁଙ୍କ ନାମ ବିରୁଦ୍ଧରେ ମୋହର ଅନେକ କାର୍ଯ୍ୟ କରିବା ଯେ କର୍ତ୍ତବ୍ୟ ଏହା ମୁଁ ନିଜେ ମନେ କରିଥିଲି। 10 ଆଉ, ଯିରୂଶାଲମ ସହରରେ ମୁଁ ଏହା ମଧ୍ୟ କରିଥିଲି, ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇ ସାଧୁମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ବନ୍ଦ କରିଥିଲି, ପୁଣି, ସେମାନଙ୍କ ପ୍ରାଣଦଣ୍ଡ ସମୟରେ ମୁଁ ମଧ୍ୟ ସେମାନଙ୍କ ବିରୁଦ୍ଧରେ ମୋହର ମତ ଦେଇଥିଲି, 11 ଆଉ ସମସ୍ତ ସମାଜଗୃହରେ ଥରକୁଥର ସେମାନଙ୍କୁ ଶାସ୍ତି ଦେଇ ଯୀଶୁଙ୍କ ନିନ୍ଦା କରିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରୁଥିଲି, ପୁଣି, ସେମାନଙ୍କ ବିରୁଦ୍ଧରେ ଅତ୍ୟନ୍ତ ଉନ୍ନତ ହୋଇ ବିଦେଶୀୟ ନଗରଗୁଡ଼ିକ ପର୍ଯ୍ୟନ୍ତ ସୁଧା ସେମାନଙ୍କୁ ତାଡ଼ନା କରୁଥିଲି।

ପାଉଲଙ୍କ ପରିବର୍ତ୍ତନର ସାକ୍ଷ୍ୟ

(ପ୍ରେରିତ 9:1-19; 26:6-16)

12 ଏହି ଉଦ୍ଦେଶ୍ୟରେ ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ଓ ଆଦେଶପତ୍ର ଘେନି ଦମ୍ମେଶକକୁ ଯାଉଥିବା ସମୟରେ, 13 ହେ ରାଜନ, ମଧ୍ୟାହ୍ନ କାଳରେ ପଥ ମଧ୍ୟରେ ଆକାଶରୁ ସୂର୍ଯ୍ୟଠାରୁ ଅଧିକ ତେଜୋମୟ ଆଲୋକ ମୋହର ଓ ମୋʼ ସହଯାତ୍ରୀମାନଙ୍କ ଚତୁଃଦିଗରେ ପ୍ରକାଶମାନ ହେବାର ଦେଖିଲି। 14 ଆମ୍ଭେମାନେ ସମସ୍ତେ ଭୂମିରେ ପଡ଼ିଯାଆନ୍ତେ, ମୁଁ ଏବ୍ରୀ ଭାଷାରେ ମୋ ପ୍ରତି ଏହି ବାଣୀ ଶୁଣିଲି, “ଶାଉଲ, ଶାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ? ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରିବା ତୁମ୍ଭ ପକ୍ଷରେ କଷ୍ଟକର।” 15 ସେଥିରେ ମୁଁ କହିଲି, ପ୍ରଭୁ, ଆପଣ କିଏ? ତେଣୁ ପ୍ରଭୁ କହିଲେ “ଯେଉଁ ଯୀଶୁଙ୍କୁ ତୁମ୍ଭେ ତାଡ଼ନା କରୁଅଛ, ଆମ୍ଭେ ସେହି। 16 କିନ୍ତୁ ଉଠ, ପାଦରେ ଭରା ଦେଇ ଠିଆ ହୁଅ, କାରଣ ଆମ୍ଭେ ତୁମ୍ଭକୁ ଆମ୍ଭର ସେବକ, ଆଉ ତୁମ୍ଭେ ଆମ୍ଭର ଯେଉଁ ଯେଉଁ ଦର୍ଶନ ପାଇଅଛ ଓ ପାଇବ, ସେହି ସମସ୍ତ ବିଷୟର ସାକ୍ଷୀସ୍ୱରୂପେ ମନୋନୀତ କରିବା ଉଦ୍ଦେଶ୍ୟରେ ତୁମ୍ଭକୁ ଦର୍ଶନ ଦେଇଅଛୁ। 17 ସ୍ୱଜାତି ଓ ଅଣଯିହୁଦୀମାନେ ଯେପରି ଅନ୍ଧକାରରୁ ଆଲୋକ ପ୍ରତି ଓ ଶୟତାନର ଶକ୍ତିରୁ ଈଶ୍ବରଙ୍କ ପ୍ରତି ଫେରନ୍ତି, ପୁଣି, ପାପ କ୍ଷମା ଓ ଆମ୍ଭଠାରେ ବିଶ୍ୱାସ ଦ୍ୱାରା ପବିତ୍ରୀକୃତ ଲୋକମାନଙ୍କ ମଧ୍ୟରେ ଅଧିକାରପ୍ରାପ୍ତ ହୁଅନ୍ତି, 18 ସେଥିପାଇଁ ସେମାନଙ୍କ ଚକ୍ଷୁ ଉନ୍ମୋଚନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଉଅଛୁ, ଆଉ ଆମ୍ଭେ ତୁମ୍ଭକୁ ସେମାନଙ୍କଠାରୁ ରକ୍ଷା କରିବୁ।”

ଆପଣା କାର୍ଯ୍ୟର ବର୍ଣ୍ଣନା

19 ଅତଏବ, ହେ ରାଜନ ଆଗ୍ରିପ୍ପା ମୁଁ ସେହି ସ୍ୱର୍ଗୀୟ ଦର୍ଶନର ଅବାଧ୍ୟ ହେଲି ନାହିଁ, 20 କିନ୍ତୁ ପ୍ରଥମେ ଦମ୍ମେଶକର ଓ ଯିରୂଶାଲମ ସହରର ଲୋକମାନଙ୍କ ନିକଟରେ, ପରେ ଯିହୂଦିୟା ପ୍ରଦେଶର ସମସ୍ତ ଅଞ୍ଚଳରେ, ପୁଣି, ଅଣଯିହୁଦୀମାନଙ୍କ ନିକଟରେ ମଧ୍ୟ ପ୍ରଚାର କରିବାକୁ ଲାଗିଲି, ଯେପରି ସେମାନେ ମନ-ପରିବର୍ତ୍ତନ କରି ଈଶ୍ବରଙ୍କ ପ୍ରତି ଫେରିଆସନ୍ତି ଓ ମନ-ପରିବର୍ତ୍ତନର ଉପଯୁକ୍ତ କାର୍ଯ୍ୟ କରନ୍ତି। 21 ଏହି କାରଣରୁ କେତେକ ଯିହୁଦୀମାନେ ମନ୍ଦିରର ମଧ୍ୟରେ ମୋତେ ଧରି ବଧ କରିବାକୁ ଚେଷ୍ଟା କରୁଥିଲେ। 22 ଅତଏବ, ଈଶ୍ବରଙ୍କଠାରୁ ସାହାଯ୍ୟ ପ୍ରାପ୍ତ ହୋଇ ମୁଁ ଆଜି ପର୍ଯ୍ୟନ୍ତ କ୍ଷୁଦ୍ର ଓ ମହାନ ସମସ୍ତଙ୍କ ନିକଟରେ ସାକ୍ଷ୍ୟ ଦେଇ ଆସୁଅଛି, ପୁଣି, ଭାବବାଦୀମାନେ ଓ ମୋଶା ଯାହା ଯାହା ଘଟିବ ବୋଲି କହିଅଛନ୍ତି, ସେହିସବୁ ଛଡ଼ା ଆଉ କିଛି କହୁ ନାହିଁ, 23 ଅର୍ଥାତ୍‍ ଖ୍ରୀଷ୍ଟ ନିଶ୍ଚୟ ଦୁଃଖଭୋଗ କରି ପୁଣି, ପ୍ରଥମେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହୋଇ ସ୍ୱଜାତି ଓ ଅଣଯିହୁଦୀମାନଙ୍କ ନିକଟରେ ଆଲୋକ ପ୍ରକାଶ କରିବେ। 24 ଏହି ପ୍ରକାରେ ସେ ଅାତ୍ମପକ୍ଷ ସମର୍ଥନ କରୁଥିବା ସମୟରେ ଫେଷ୍ଟସ୍ ଉଚ୍ଚସ୍ୱରରେ କହିଲେ, ପାଉଲ, ତୁମ୍ଭେ ପାଗଳ; ବହୁ ବିଦ୍ୟା ତୁମ୍ଭକୁ ପାଗଳ କରୁଅଛି। 25 କିନ୍ତୁ ପାଉଲ କହିଲେ, ହେ ମହାମହିମ ଫେଷ୍ଟସ୍, ମୁଁ ପାଗଳ ନୁହେଁ, ମାତ୍ର ସତ୍ୟ ଓ ସ୍ଥିର ବୁଦ୍ଧିର ବାକ୍ୟ ବ୍ୟକ୍ତ କରୁଅଛି। 26 ରାଜା ତ ଏସମସ୍ତ ବିଷୟ ଜାଣନ୍ତି, ଆଉ ମୁଁ ତାହାଙ୍କ ଛାମୁରେ ମଧ୍ୟ ସାହସରେ କଥା କହୁଅଛି, କାରଣ ଏହି ସମସ୍ତ ବିଷୟର କୌଣସି କଥା ତାଙ୍କର ଅଜଣା ନାହିଁ ବୋଲି ମୋହର ବିଶ୍ୱାସ; ଏହା ତ ଗୋପନରେ କରା ହୋଇ ନାହିଁ। 27 ହେ ରାଜନ ଆଗ୍ରିପ୍ପା, ଆପଣ କଅଣ ଭାବବାଦୀମାନଙ୍କୁ ବିଶ୍ୱାସ କରନ୍ତି? ଆପଣ ବିଶ୍ୱାସ କରନ୍ତି ବୋଲି ମୁଁ ଜାଣେ। 28 ସେଥିରେ ଆଗ୍ରିପ୍ପା ପାଉଲଙ୍କୁ କହିଲେ, ଅଳ୍ପ କଥାରେ ତ ତୁମ୍ଭେ ଆମ୍ଭକୁ ଖ୍ରୀଷ୍ଟିୟାନ କରିପାର ବୋଲି ମନେ କରୁଅଛ। 29 ପାଉଲ କହିଲେ, ଅଳ୍ପରେ ହେଉ କି ବହୁତରେ ହେଉ, କେବଳ ଆପଣ ନୁହଁନ୍ତି, ମାତ୍ର ଯେତେ ଲୋକ ଆଜି ମୋହର କଥା ଶୁଣୁଅଛନ୍ତି, ଯେପରି ସେମାନେ ସମସ୍ତେ ସୁଦ୍ଧା ଏହି ବନ୍ଧନ ବିନା ମୋହରି ପରି ହୁଅନ୍ତି, ଏହା ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଅଛି। 30 ସେଥିରେ ରାଜା, ଶାସନକର୍ତ୍ତା, ବର୍ଣ୍ଣୀକୀ ଓ ସେମାନଙ୍କ ସହିତ ବସିଥିବା ବ୍ୟକ୍ତିମାନେ ଉଠିଯାଇ, 31 ଅନ୍ତର ହୋଇ ପରସ୍ପର କଥାବାର୍ତ୍ତା କରୁ କରୁ କହିଲେ, ଏହି ଲୋକ ମୃତ୍ୟୁ କି ବନ୍ଧନ ଯୋଗ୍ୟ କୌଣସି କର୍ମ କରି ନାହିଁ। 32 ଆଉ ଆଗ୍ରିପ୍ପା ଫେଷ୍ଟସ୍‌ଙ୍କୁ କହିଲେ, ଏହି ଲୋକ ଯଦି କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରି ନ ଥାଆନ୍ତା, ତେବେ ମୁକ୍ତ କରାଯାଇ ପାରିଥାଆନ୍ତା।

Chapter 27

ରୋମ ଅଭିମୁଖେ ପାଉଲଙ୍କ ଜଳଯାତ୍ରା

1 ଯେତେବେଳେ ଆମ୍ଭମାନଙ୍କର ଜାହାଜରେ ଚଢ଼ି ଇତାଲିଆକୁ ଯିବା ନିମନ୍ତେ ସ୍ଥିର ହୋଇଥିଲା, ସେତେବେଳେ ପାଉଲ ଓ ଅନ୍ୟ କେତେକ ବନ୍ଦୀ ଆଗସ୍ତିୟ ରାଜକୀୟ ସୈନ୍ୟଦଳର ଯୂଲିଅସ୍ ନାମକ ଜଣେ ଶତ-ସେନାପତିଙ୍କ ହସ୍ତରେ ସମର୍ପିତ ହେଲେ। 2 ସେଥିରେ ଏସିଆ ପ୍ରଦେଶର ଉପକୂଳରେ ବିଭିନ୍ନ ସ୍ଥାନକୁ ଯିବା ନିମନ୍ତେ ଉଦ୍ୟତ ଗୋଟିଏ ଆଦ୍ରାମୁତ୍ତୀୟ ଜାହାଜରେ ଆମ୍ଭେମାନେ ଚଢ଼ି ଜାହାଜ ଫିଟାଇଦେଲୁ; ଆଉ ଥେସଲନୀକୀ ସହରରେ ମାକିଦନିଆ ନଗରରୁ ଆରିସ୍ତାର୍ଖ ନାମକ ଜଣେ ବ୍ୟକ୍ତି ଆମ୍ଭମାନଙ୍କ ସାଙ୍ଗରେ ଥିଲେ। 3 ପରଦିନ ଆମ୍ଭେମାନେ ସୀଦୋନରେ ପହଞ୍ଚିଲୁ, ଆଉ ଯୂଲିଅସ୍ ପାଉଲଙ୍କ ପ୍ରତି ସଦୟ ବ୍ୟବହାର କରି ଆପଣା ମିତ୍ରମାନଙ୍କ ପାଖକୁ ଯାଇ ସେବା ପାଇବା ନିମନ୍ତେ ଅନୁମତି ଦେଲେ। 4 ସେହି ସ୍ଥାନରୁ ଜାହାଜ ଫିଟାଇ ପ୍ରତିକୂଳ ପବନ ହେତୁ ଆମ୍ଭେମାନେ ସାଇପ୍ରସ୍ ଦ୍ୱୀପର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କରି, 5 କିଲିକିୟା ଓ ପଂଫୂଲିଆ ଅଞ୍ଚଳ ସମ୍ମୁଖସ୍ଥ ସମୁଦ୍ର ପାର ହୋଇ ଲୁକିଆ ପ୍ରଦେଶର ମୁରା ସହରକୁ ଆସିଲୁ। 6 ସେଠାରେ ଶତ-ସେନାପତି ଇତାଲିଆକୁ ଯାଉଥିବା ଗୋଟିଏ ଆଲେକ୍‍ଜାଣ୍ଡ୍ରୀୟ ଜାହାଜ ପାଇ ସେଥିରେ ଆମ୍ଭମାନଙ୍କୁ ଚଢ଼ାଇଦେଲେ। 7 ପରେ ଅନେକ ଦିନ ପର୍ଯ୍ୟନ୍ତ ଧିରେ ଧିରେ ଯାଇ କଷ୍ଟରେ କ୍ନିଦ ସହରର ସମ୍ମୁଖରେ ଉପସ୍ଥିତ ହୋଇ ପବନ ଆମ୍ଭମାନଙ୍କୁ ଆଗକୁ ଯିବାକୁ ଛାଡ଼ି ନ ଦେବାରୁ ସାଲ୍ମୋନୀର ବିପରୀତ, କ୍ରୀତୀ ଦ୍ୱୀପର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କଲୁ, 8 ପୁଣି, କଷ୍ଟରେ କୂଳେ କୂଳେ ଯାଇ “ସୁନ୍ଦର ବନ୍ଦର” ନାମକ ଗୋଟିଏ ସ୍ଥାନକୁ ଆସିଲୁ; ଲାସାୟା ସହର ସେଥିର ନିକଟବର୍ତ୍ତୀ। 9 ଏହି ପ୍ରକାରେ ଅନେକ ସମୟ ଅତିବାହିତ ହେଲା, ପୁଣି, ଜଳଯାତ୍ରା ବର୍ତ୍ତମାନ ବିପଦଜନକ ହୋଇ ପଡ଼ିଲା, କାରଣ ସେତେବେଳେ ଉପବାସ ପର୍ବ ସମାପ୍ତ ହୋଇଥିଲା। ଏଣୁ ପାଉଲ ସେମାନଙ୍କୁ ସତର୍କ କରାଇ କହିଲେ, 10 ମହାଶୟମାନେ ଏହି ଜଳଯାତ୍ରା ଯେ କେବଳ ମାଲ ଓ ଜାହାଜର ଅନିଷ୍ଟ ହେବ, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ପ୍ରାଣର ମଧ୍ୟ ଯେ ଅନିଷ୍ଟ ଓ କ୍ଷତିକାରକ ହେବ, ଏହା ମୁଁ ଜାଣୁଅଛି। 11 କିନ୍ତୁ ଶତ-ସେନାପତି ପାଉଲଙ୍କ କଥା ଅପେକ୍ଷା ଜାହାଜର ଚାଳକ ଓ ଅଧିକାରୀଙ୍କ କଥାରେ ଅଧିକ ମନୋଯୋଗ କଲେ। 12 ଆଉ ସେହି ବନ୍ଦରଟି ଶୀତକାଳ କଟାଇବା ନିମନ୍ତେ ସୁବିଧାଜନକ ନ ଥିବାରୁ କୌଣସି ପ୍ରକାରେ ଫୈନିକ୍ସ୍ ସହରରେ ପହଞ୍ଚି ସେଠାରେ ଶୀତକାଳ କଟାଇବା ନିମନ୍ତେ ସେଠାରୁ ଜାହାଜ ଛାଡ଼ିଦେବାକୁ ଅଧିକାଂଶ ଲୋକ ପରାମର୍ଶ ଦେଲେ; ସେହି ଫୈନିକ୍ସ୍ କ୍ରୀତୀର ଗୋଟିଏ ବନ୍ଦର, ତାହା ଉତ୍ତରପୂର୍ବ ଓ ଦକ୍ଷିଣ-ପୂର୍ବ ଅଭିମୁଖୀ।

ସମୁଦ୍ରରେ ଝଡ଼

13 ପରେ ଦକ୍ଷିଣା ପବନ ଧୀରେ ଧୀରେ ବହିବାରୁ ସେମାନେ ନିଜ ନିଜର ଉଦ୍ଦେଶ୍ୟ ସଫଳ ହେଲା ବୋଲି ମନେ କରି ଲଙ୍ଗର (ଛୋଟ ଲଙ୍ଗରରେ ବନ୍ଧା ହୋଇଥିବା ମୋଟା ଦୌଡ଼ିରେ ନୌକାକୁ ଟାଣିବା), ତୋଳି କ୍ରୀତୀର କୂଳର ଅତି ନିକଟ ଦେଇ ଯିବାକୁ ଲାଗିଲେ। 14 କିନ୍ତୁ ଅଳ୍ପ ସମୟ ଉତ୍ତାରେ, ଯାହାକୁ ଇଉରକ୍ୱିଲୋ ବୋଲି କହନ୍ତି, ସେହି ପ୍ରଚଣ୍ଡ ପବନ କୂଳରୁ ବହି ଆଘାତ କରିବାକୁ ଲାଗିଲା। 15 ଜାହାଜଟି ତୋଫାନରେ ପଡ଼ି ପବନର ସମ୍ମୁଖୀନ ହୋଇ ନ ପାରିବାରୁ ଆମ୍ଭେମାନେ ତାହାକୁ ଭାସିଯିବାକୁ ଛାଡ଼ିଦେଲୁ। 16 ପୁଣି, କାଉଦ ନାମକ ଗୋଟିଏ କ୍ଷୁଦ୍ର ଦ୍ୱୀପର ଆଶ୍ରୟସ୍ଥଳୀରେ ଯାଇ କଷ୍ଟରେ ଜାହାଜର ନୌକାଖଣ୍ଡିକ ଧରି ରକ୍ଷା କରିବାକୁ ସକ୍ଷମ ହେଲୁ, 17 ଆଉ ସେମାନେ ତାହାକୁ ଉଠାଇନେଲା ଉତ୍ତାରେ ନାନା ଉପାୟରେ ଜାହାଜକୁ ତଳୁ ଘେରିଦେଇ ବାନ୍ଧିଲେ, ପୁଣି, କାଳେ ସେମାନେ ସୁର୍ତ୍ତି ନାମକ ଚଡ଼ାରେ (ଭୂସଂଲଘ୍ନ ବାଲିରେ) ଲାଗିଯିବେ, ଏହି ଭୟରେ ପାଲସବୁ ପକାଇଦେଇ ଭାସିବାକୁ ଲାଗିଲେ। 18 ତୋଫାନରେ ଆମ୍ଭମାନଙ୍କର ଅତିଶୟ କଷ୍ଟ ହେବାରୁ ତହିଁ ଆରଦିନ ନାବିକମାନେ ମାଲ ଫୋପାଡ଼ିବାକୁ ଲାଗିଲେ, 19 ପୁଣି, ତୃତୀୟ ଦିନରେ ନିଜ ହାତରେ ଜାହାଜର ସରଞ୍ଜାମସବୁ ଫୋପାଡ଼ିଦେଲେ। 20 ଅନେକ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କି ନକ୍ଷତ୍ର ଦେଖା ନ ଯିବାରୁ, ପୁଣି, ଭୀଷଣ ଝଡ଼ ଲାଗିରହିବାରୁ ଶେଷରେ ଆମ୍ଭମାନଙ୍କ ରକ୍ଷା ପାଇବାର ସମସ୍ତ ଆଶା ଦୂର ହେଲା। 21 ଆଉ, ସମସ୍ତେ ଅନେକ ଦିନ ପର୍ଯ୍ୟନ୍ତ ଅନାହାରରେ ରହିଲା ପରେ ପାଉଲ ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, ମହାଶୟମାନେ, ମୋହର କଥା ମାନି କ୍ରୀତୀରୁ ଜାହାଜ ନ ଫିଟାଇବା, ପୁଣି, ଏହି ଅନିଷ୍ଟ ଓ କ୍ଷତି ନିବାରଣ କରିବା ଆପଣମାନଙ୍କର ଉଚିତ ଥିଲା। 22 ଯାହା ହେଉ, ଏବେ ମୁଁ ଆପଣମାନଙ୍କୁ କହୁଅଛି, ସାହସ ଧରନ୍ତୁ, କାରଣ ଆପଣମାନଙ୍କ ମଧ୍ୟରେ କାହାର ପ୍ରାଣନାଶ ହେବ ନାହିଁ, କେବଳ ଜାହାଜ ନଷ୍ଟ ହେବ। 23 ଯେଣୁ ମୁଁ ଯେଉଁ ଈଶ୍ବରଙ୍କର ଲୋକ, ପୁଣି, ଯାହାଙ୍କର ମଧ୍ୟ ମୁଁ ସେବା କରେ, ତାହାଙ୍କର ଜଣେ ଦୂତ ଏହି ରାତ୍ରିରେ ମୋ ପାଖରେ ଠିଆ ହୋଇ କହିଲେ, 24 ପାଉଲ, ଭୟ କର ନାହିଁ; କାଇସରଙ୍କର ସମ୍ମୁଖରେ ତୁମ୍ଭକୁ ଠିଆ ହେବାକୁ ହେବ, ଆଉ ଦେଖ, ତୁମ୍ଭର ସହଯାତ୍ରୀ ସମସ୍ତଙ୍କୁ ଈଶ୍ବର ତୁମ୍ଭକୁ ଦାନ କରିଅଛନ୍ତି। 25 ଅତଏବ, ମହାଶୟମାନେ, ସାହସ ଧରନ୍ତୁ, କାରଣ ଈଶ୍ବରଙ୍କଠାରେ ମୋହର ବିଶ୍ୱାସ ଅଛି ଯେ, ମୋତେ ଯେପରି କୁହା ହୋଇଅଛି, ଠିକ୍ ସେହିପରି ଘଟିବ। 26 କିନ୍ତୁ ଆମ୍ଭମାନଙ୍କୁ କୌଣସି ଗୋଟିଏ ଦ୍ୱୀପରେ ଯାଇ ପଡ଼ିବାକୁ ହେବ। 27 ଏହି ରୂପେ ଆମ୍ଭେମାନେ ଆଦ୍ରିଆ ସମୁଦ୍ରରେ ଇତଃସ୍ତତଃ ଚାଳିତ ହେଉ ହେଉ ଯେତେବେଳେ ଚତୁର୍ଦ୍ଦଶ ରାତ୍ରି ଉପସ୍ଥିତ ହେଲା, ସେତେବେଳେ ପ୍ରାୟ ଅର୍ଦ୍ଧରାତ୍ରି ସମୟରେ ନାବିକମାନେ କୌଣସି ସ୍ଥଳର ନିକଟବର୍ତ୍ତୀ ହେଉଛନ୍ତି ବୋଲି ଅନୁମାନ କଲେ। 28 ଏଣୁ ସେମାନେ ମାପ କରି ଶହେ କୋଡ଼ିଏ ଫୁଟ ଗଭୀରର ପାଣି ପାଇଲେ ପୁଣି ଟିକିଏ ଆଗକୁ ଯାଇ ଆଉ ଥରେ ମାପ କରି ନବେ ଫୁଟ ଗଭୀରର ପାଣି ପାଇଲେ। 29 କାଳେ ଆମ୍ଭେମାନେ କୌଣସି ପଥୁରିଆ ଭୂମିରେ ଯାଇ ପଡ଼ୁ, ଏହି ଭୟରେ ସେମାନେ ଚାରିଟା ଲଙ୍ଗର ପକାଇଦେଇ ଦିନ ଅପେକ୍ଷାରେ ରହିଲେ। 30 ପୁଣି, ନାବିକମାନେ ଜାହାଜର ସମ୍ମୁଖଭାଗରୁ ଲଙ୍ଗର ପକାଇବା ଛଳରେ ନୌକାଖଣ୍ଡିକ ସମୁଦ୍ରକୁ ଓହ୍ଲାଇ ଦେଇ ଜାହାଜରୁ ପଳାଇଯିବା ନିମନ୍ତେ ଚେଷ୍ଟା କରନ୍ତେ, 31 ପାଉଲ ଶତ-ସେନାପତି ଓ ସୈନ୍ୟମାନଙ୍କୁ କହିଲେ, ଏମାନେ ଜାହାଜରେ ନ ରହିଲେ ଆପଣମାନେ ରକ୍ଷା ପାଇ ପାରିବେ ନାହିଁ। 32 ସେଥିରେ ସୈନ୍ୟମାନେ ନୌକାର ଦଉଡିସବୁ କାଟିଦେଇ ତାହାକୁ ଜଳରେ ପକାଇଦେଲେ। 33 ଆଉ, ଦିନ ହୋଇ ଆସୁଥିବା ପର୍ଯ୍ୟନ୍ତ ପାଉଲ ସେମାନଙ୍କୁ କିଛି ଭୋଜନ କରିବା ନିମନ୍ତେ ଉତ୍ସାହ ଦେଇ କହିଲେ, ଆଜିକି ଚଉଦ ଦିନ ହେଲା ଆପଣମାନେ ଅପେକ୍ଷାରେ ଥାଇ କିଛି ଭୋଜନ ନ କରି ଅନାହାରରେ ରହିଅଛନ୍ତି। 34 ଏଣୁ କିଛି ଭୋଜନ କରିବା ନିମନ୍ତେ ମୁଁ ଆପଣମାନଙ୍କୁ ପରାମର୍ଶ ଦେଉଅଛି, କାରଣ ତାହା ଅାପଣମାନଙ୍କ ରକ୍ଷା ନିମନ୍ତେ ପ୍ରୟୋଜନ; ଯେଣୁ ଆପଣମାନଙ୍କର କାହାରି ମସ୍ତକର ଗୋଟିଏ କେଶ ନଷ୍ଟ ହେବ ନାହିଁ। 35 ସେ ଏହିସବୁ କଥା କହି ରୁଟି ଘେନି ସମସ୍ତଙ୍କ ସାକ୍ଷାତରେ ଈଶ୍ବରଙ୍କୁ ଧନ୍ୟବାଦ ଦେଇ ତାହା ଭାଙ୍ଗି ଭୋଜନ କରିବାକୁ ଲାଗିଲେ। 36 ସେଥିରେ ସେମାନେ ସମସ୍ତେ ସାହସ ପ୍ରାପ୍ତ ହୋଇ ନିଜେ ନିଜେ ମଧ୍ୟ ଭୋଜନ କଲେ। 37 ଆମ୍ଭେମାନେ ଜାହାଜରେ ସର୍ବସୁଧା ଦୁଇ ଶହ ଛଅସ୍ତରୀ ଜଣ ପ୍ରାଣୀ ଥିଲୁ। 38 ସେମାନେ ଯଥେଷ୍ଟ ଭୋଜନ କଲା ପରେ ସମୁଦ୍ରରେ ଗହମ ପକାଇଦେଇ ଜାହାଜକୁ ହାଲୁକା କରିବାକୁ ଲାଗିଲେ,

ଜାହାଜ ଦୁର୍ଘଟଣା

39 ଦିନ ହୁଅନ୍ତେ, ସେ ସ୍ଥଳ ସେମାନେ ଚିହ୍ନି ପାରିଲେ ନାହିଁ, ମାତ୍ର ସେମାନେ ବାଲିକୂଳ ଥିବା ଗୋଟିଏ ଖାଲ ଦେଖି କୌଣସି ପ୍ରକାରେ ସେଠାରେ ଜାହାଜ ଲଗାଇବା ନିମନ୍ତେ ପରାମର୍ଶ କଲେ। 40 ଏଣୁ ସେମାନେ ଲଙ୍ଗରସବୁ କାଟି ସେଗୁଡ଼ିକ ସମୁଦ୍ରରେ ଛାଡ଼ିଦେଲେ, ଆଉ ସାଙ୍ଗେ ସାଙ୍ଗେ ମଙ୍ଗର ଦଉଡିସବୁ ଫିଟାଇ ପବନ ଆଡ଼କୁ ଆଗ ପାଲ ଉଠାଇ କୂଳ ଆଡ଼କୁ ଯିବାକୁ ଚେଷ୍ଟା କଲେ। 41 କିନ୍ତୁ ସେମାନେ ଦୁଇ ସମୁଦ୍ର ମିଶିଥିବା ସ୍ଥାନରେ ଯାଇ ପଡ଼ନ୍ତେ, ଜାହାଜଟି ଚଡ଼ାରେ (ଭୂସଂଲଘ୍ନ ବାଲିରେ) ଲାଗିଗଲା; ତାହାର ସମ୍ମୁଖଭାଗ ଲାଖିଯାଇ ଅଚଳ ହୋଇ ରହିଲା, କିନ୍ତୁ ପଛ ଭାଗ ତରଙ୍ଗର ପ୍ରଚଣ୍ଡତାରେ ଭାଙ୍ଗି ଯିବାକୁ ଲାଗିଲା। 42 ସେତେବେଳେ କାଳେ ବନ୍ଦୀମାନଙ୍କ ମଧ୍ୟରୁ କେହି ପହଁରି ପଳାଇଯାଏ, ଏଥିପାଇଁ ସେମାନଙ୍କୁ ବଧ କରିବା ନିମନ୍ତେ ସୈନ୍ୟମାନେ ପରାମର୍ଶ କଲେ, 43 କିନ୍ତୁ ଶତ-ସେନାପତି ପାଉଲଙ୍କୁ ରକ୍ଷା କରିବା ଇଚ୍ଛାରେ ସେମାନଙ୍କ ସଙ୍କଳ୍ପରୁ ସେମାନଙ୍କୁ କ୍ଷାନ୍ତ କରି ଆଜ୍ଞା ଦେଲେ ଯେ, ଯେଉଁମାନେ ପହଁରି ଜାଣନ୍ତି, ସେମାନେ ସମୁଦ୍ରରେ ଡେଇଁପଡ଼ି ପ୍ରଥମେ ସ୍ଥଳକୁ ଯାଆନ୍ତୁ, 44 ପୁଣି, ଅବଶିଷ୍ଟମାନଙ୍କ ମଧ୍ୟରୁ କେହି କେହି ତକ୍ତା (କାଠପଟା) ଓ ଆଉ କେହି କେହି ଜାହାଜର ଅନ୍ୟାନ୍ୟ ଭଙ୍ଗା ଖଣ୍ଡ ଧରି ଯାଉନ୍ତୁ। ଏହି ପ୍ରକାରେ ସମସ୍ତେ ନିରାପଦରେ ସ୍ଥଳରେ ପହଞ୍ଚିଲେ।

Chapter 28

ମେଲିତୀ ଦ୍ୱୀପରେ ପାଉଲ

1 ଆମ୍ଭେମାନେ ରକ୍ଷା ପାଇଲା ପରେ ସେହି ଦ୍ୱୀପ ମେଲିତୀ ବୋଲି ଜାଣିଲୁ। 2 ଆଉ, ବର୍ବରମାନେ ଆମ୍ଭମାନଙ୍କ ପ୍ରତି ଅସାଧାରଣ ଦୟା ଦେଖାଇଲେ, କାରଣ ବୃଷ୍ଟି ଓ ଶୀତ ହେଉଥିବାରୁ ସେମାନେ ଅଗ୍ନି ଜାଳି ଆମ୍ଭ ସମସ୍ତଙ୍କୁ ଅଭ୍ୟର୍ଥନା କଲେ। 3 କିନ୍ତୁ ପାଉଲ ବିଡ଼ାଏ କାଠ ଗୋଟାଇ ନିଆଁ ଉପରେ ପକାନ୍ତେ, ତାତି ହେତୁ ଗୋଟାଏ କାଳସର୍ପ ବାହାରି ତାହାଙ୍କ ହାତରେ କାମୁଡ଼ି ଲାଗିରହିଲା। 4 ବର୍ବରମାନେ ତାହାଙ୍କ ହାତରେ ସେହି ଜନ୍ତୁଟା ଝୁଲିଥିବାର ଦେଖି ପରସ୍ପର କହିବାକୁ ଲାଗିଲେ, ଏ ଲୋକଟା ନିଶ୍ଚୟ ଖୁଣୀ, ସମୁଦ୍ରରୁ ରକ୍ଷା ପାଇଲେ ସୁଦ୍ଧା ଧର୍ମ ଏହାକୁ ବଞ୍ଚିବାକୁ ଦେଲେ ନାହିଁ। 5 କିନ୍ତୁ ପାଉଲ ଜନ୍ତୁଟାକୁ ଝାଡ଼ି ନିଆଁରେ ପକାଇଦେଲେ, ଆଉ ତାଙ୍କର କିଛି କ୍ଷତି ହେଲା ନାହିଁ। 6 ସେ ଯେ ଫୁଲିଯିବେ କିମ୍ବା ହଠାତ୍‍ ମରି ପଡ଼ିଯିବେ, ଏହା ସେମାନେ ଅପେକ୍ଷା କରୁଥିଲେ; ମାତ୍ର ଅନେକ ବେଳ ପର୍ଯ୍ୟନ୍ତ ଅପେକ୍ଷାରେ ରହିଲା ପରେ ତାହାଙ୍କ ପ୍ରତି କୌଣସି ଅନିଷ୍ଟ ନ ଘଟିବାର ଦେଖି ସେମାନେ ନିଜ ନିଜ ମନ ବଳାଇ କହିଲେ, ଏ ଜଣେ ଦେବତା। 7 ସେହି ସ୍ଥାନ ନିକଟରେ ପୁବ୍ଲିୟ ନାମକ ସେହି ଦ୍ୱୀପର ପ୍ରଧାନ ବ୍ୟକ୍ତିଙ୍କ ଗୃହ ଓ ଭୂମି ଥିଲା; ସେ ଆମ୍ଭମାନଙ୍କୁ ଗ୍ରହଣ କରି ତିନି ଦିନ ପର୍ଯ୍ୟନ୍ତ ସାଦରେ ଆମ୍ଭମାନଙ୍କର ଆତିଥ୍ୟସତ୍କାର କଲେ। 8 ସେହି ସମୟରେ ପୁବ୍ଲିୟଙ୍କର ପିତା ଜ୍ୱର ଓ ଆମାଶୟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ, ଆଉ ପାଉଲ ଭିତରକୁ ତାହାଙ୍କ ନିକଟକୁ ଯାଇ ପ୍ରାର୍ଥନା କଲେ ଓ ତାହାଙ୍କ ଉପରେ ହାତ ଥୋଇ ତାହାଙ୍କୁ ସୁସ୍ଥ କଲେ। 9 ଏହି ଘଟଣା ପରେ ସେହି ଦ୍ୱୀପରେ ଥିବା ଅବଶିଷ୍ଟ ପୀଡ଼ିତମାନେ ମଧ୍ୟ ଆସି ସୁସ୍ଥ ହେଲେ; 10 ସେମାନେ ମଧ୍ୟ ଆମ୍ଭମାନଙ୍କୁ ବହୁତ ସମ୍ମାନ ଦ୍ୱାରା ସମାଦର କଲେ, ପୁଣି, ଆମ୍ଭମାନଙ୍କର ପ୍ରସ୍ଥାନ କରିବା ସମୟରେ ଆମ୍ଭମାନଙ୍କ ପ୍ରୟୋଜନୀୟ ପଦାର୍ଥସବୁ ଯୋଗାଇଦେଲେ।

ରୋମ ନଗରୀରେ ପାଉଲ

11 ତିନି ମାସ ପରେ ଆମ୍ଭେମାନେ ଗୋଟିଏ ଆଲେକ୍‍ଜାଣ୍ଡ୍ରୀୟ ଜାହାଜରେ ଚଢ଼ି ଯାତ୍ରା କଲୁ, ସେହି ଜାହାଜ ଏହି ଦ୍ୱୀପରେ ଶୀତକାଳ କଟାଇଥିଲା, ତାହାର ଚିହ୍ନ ମିଥୁନ। 12 ସୁରାକୂସାରେ ପହଞ୍ଚି ଆମ୍ଭେମାନେ ସେଠାରେ ତିନି ଦିନ ରହିଲୁ, 13 ପୁଣି, ସେ ସ୍ଥାନରୁ ବୁଲି ରେଗୀୟ ବନ୍ଦରରେ ପହଞ୍ଚିଲୁ ଦିନକ ପରେ ଦକ୍ଷିଣା ପବନ ବହିବାରୁ ଦ୍ୱିତୀୟ ଦିନରେ ପୁତେଅଲି ସହରକୁ ଆସିଲୁ; 14 ସେ ସ୍ଥାନରେ ଆମ୍ଭେମାନେ ଭାଇମାନଙ୍କୁ ଭେଟିଲୁ, ଆଉ ସେମାନଙ୍କ ସହିତ ସାତ ଦିନ ରହିବା ପାଇଁ ସେମାନେ ଅମ୍ଭମାନଙ୍କୁ ଅନୁରୋଧ କଲେ; ଏହି ପ୍ରକାରେ ଆମ୍ଭେମାନେ ରୋମରେ ପହଞ୍ଚିଲୁ। 15 ଭାଇମାନେ ଆମ୍ଭମାନଙ୍କ ସମ୍ବାଦ ପାଇ ସେହି ସ୍ଥାନରୁ ଆପ୍ପୀୟଙ୍କ ହାଟ ଓ ତିନି ସରେଇଘର ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଭେଟିବା ପାଇଁ ଆସିଲେ, ପୁଣି, ପାଉଲ ସେମାନଙ୍କୁ ଦେଖି ଈଶ୍ବରଙ୍କ ଧନ୍ୟବାଦ କରି ସାହସ ପାଇଲେ। 16 ଆଉ ଆମ୍ଭେମାନେ ରୋମରେ ପ୍ରବେଶ କରନ୍ତେ, ପାଉଲଙ୍କୁ ନିଜ ପ୍ରହରୀ ସୈନ୍ୟ ସହିତ ସ୍ୱତନ୍ତ୍ର ବାସ କରିବା ନିମନ୍ତେ ଅନୁମତି ଦିଆଗଲା।

ରୋମରେ ପାଉଲ

17 ତିନି ଦିନ ପରେ ସେ ଯିହୁଦୀମାନଙ୍କ ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଡାକି ଏକତ୍ର କଲେ, ଆଉ ସେମାନେ ଏକତ୍ର ହୁଅନ୍ତେ ସେ ସେମାନଙ୍କୁ କହିଲେ, ହେ ଭାଇମାନେ, ଯଦ୍ୟପି ମୁଁ ସ୍ୱଜାତି ବିରୁଦ୍ଧରେ କିମ୍ବା ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ରୀତିନୀତି ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ଯିରୂଶାଲମ ସହରରୁ ବନ୍ଦୀରୂପେ ରୋମୀୟମାନଙ୍କ ହସ୍ତରେ ସମର୍ପିତ ହେଲି। 18 ସେମାନେ ମୋହର ବିଚାର କରି ମୋʼଠାରେ ପ୍ରାଣଦଣ୍ଡର କୌଣସି କାରଣ ନ ଥିବାରୁ ମୋତେ ମୁକ୍ତି ଦେବାକୁ ଇଚ୍ଛା କରୁଥିଲେ; 19 କିନ୍ତୁ ଯିହୁଦୀମାନେ ସେଥିର ବିରୁଦ୍ଧରେ କହିବାରୁ ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାକୁ ବାଧ୍ୟ ହେଲି; ମୋହର ଯେ ସ୍ୱଜାତି ବିରୁଦ୍ଧରେ ଅଭିଯୋଗ କରିବାର କିଛି ଥିଲା, ତାହା ନୁହେଁ। 20 ଅତଏବ ଏହି କାରଣରୁ ମୁଁ ଆପଣମାନଙ୍କୁ ମୋ ସହିତ ସାକ୍ଷାତ ଓ କଥାବାର୍ତ୍ତା କରିବାକୁ ଅନୁରୋଧ କଲି, କାରଣ ଇସ୍ରାଏଲର ଭରସା ଯୋଗୁଁ ମୁଁ ଏହି ଜଞ୍ଜିରରେ ବନ୍ଧାଯାଇଅଛି। 21 ସେଥିରେ ସେମାନେ ତାହାଙ୍କୁ କହିଲେ, ଆପଣଙ୍କ ସମ୍ବନ୍ଧରେ ଯିହୂଦିୟା ପ୍ରଦେଶରୁ ଆମ୍ଭେମାନେ କୌଣସି ପତ୍ର ପାଇ ନାହୁଁ, କି ଭାଇମାନଙ୍କ ମଧ୍ୟରୁ କେହି ଏଠାକୁ ଆସି ଆପଣଙ୍କ ବିଷୟରେ କୌଣସି ମନ୍ଦ ସମ୍ବାଦ ଦେଇ ନାହାନ୍ତି ବା କହି ନାହାନ୍ତି। 22 କିନ୍ତୁ ଆପଣଙ୍କ ଭାବ କଅଣ, ତାହା ଆମ୍ଭେମାନେ ଆପଣଙ୍କଠାରୁ ଶୁଣିବାକୁ ଇଚ୍ଛା କରୁଅଛୁ; କାରଣ ଏହି ଦଳ ସମ୍ବନ୍ଧରେ ଆମ୍ଭେମାନେ ଜାଣୁ ଯେ, ସର୍ବତ୍ର ତାହା ବିରୁଦ୍ଧରେ କଥା କୁହାଯାଉଅଛି। 23 ଏଥିରେ ସେମାନେ ତାହାଙ୍କ ସହିତ ଗୋଟିଏ ଦିନ ନିରୂପଣ କରି ବହୁସଂଖ୍ୟାରେ ତାହାଙ୍କ ବସାକୁ ଆସିଲେ, ଆଉ ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ ନିକଟରେ ବ୍ୟାଖ୍ୟା କରି ଈଶ୍ବରଙ୍କ ରାଜ୍ୟ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ର ନେଇ ଯୀଶୁଙ୍କ ସମ୍ବନ୍ଧରେ ସେମାନଙ୍କ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ। 24 ସେଥିରେ କେହି କେହି କୁହାଯାଇଥିବା ବିଷୟରେ ବିଶ୍ୱାସ କଲେ, କିନ୍ତୁ କେହି କେହି ବିଶ୍ୱାସ କଲେ ନାହିଁ। 25 ପୁଣି, ସେମାନେ ନିଜ ନିଜ ମଧ୍ୟରେ ଏକମତ ନ ହେବାରୁ ବିଦାୟ ନେଲେ; ସେମାନଙ୍କ ଯିବା ପୂର୍ବେ ପାଉଲ ଏହି ଗୋଟିଏ କଥା କହିଲେ, ଆପଣମାନଙ୍କ ପିତୃପୁରୁଷମାନଙ୍କୁ ଭାବବାଦୀ ଯିଶାଇୟଙ୍କ ଦ୍ୱାରା ପବିତ୍ର ଆତ୍ମା ଯଥାର୍ଥ ରୂପେ କହିଥିଲେ,

     26 “ଏହି ଲୋକମାନଙ୍କ ପାଖକୁ ଯାଇ କୁହ,

     ‘ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ,

         ପୁଣି, ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ;

     27 କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା,

         ସେମାନେ କାନରେ କଷ୍ଟରେ ଶୁଣିଲେ ଓ ନିଜ ନିଜ ଆଖି ବୁଜିଲେ,

     ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ,

         ପୁଣି, ଫେରି ଆସିବେ ନାହିଁ,

     ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ।’”

28 ଅତଏବ ଈଶ୍ବରଙ୍କ ଏହି ପରିତ୍ରାଣ ଅଣଯିହୁଦୀମାନଙ୍କ ନିକଟକୁ ଯେ ପ୍ରେରିତ ହୋଇଅଛି, ଆପଣମାନେ ଏହା ଜ୍ଞାତ ହୁଅନ୍ତୁ; ସେମାନେ ମଧ୍ୟ ଶ୍ରବଣ କରିବେ। 29 [ଆଉ ସେ ଏହିସବୁ କଥା କହନ୍ତେ ଯିହୁଦୀମାନେ ନିଜ ନିଜ ମଧ୍ୟରେ ବାଦାନୁବାଦ କରୁ କରୁ ପ୍ରସ୍ଥାନ କଲେ।] 30 ସେ ସମ୍ପୂର୍ଣ୍ଣ ଦୁଇ ବର୍ଷ ପର୍ଯ୍ୟନ୍ତ ଆପଣା ଭଡ଼ାଘରେ ରହିଲେ, 31 ପୁଣି, ଯେତେ ଲୋକ ତାହାଙ୍କ ନିକଟକୁ ଆସୁଥିଲେ, ସମସ୍ତଙ୍କୁ ସେ ଗ୍ରହଣ କରି ପୂର୍ଣ୍ଣ ସାହସରେ ଓ ନିର୍ବିଘ୍ନରେ ଈଶ୍ବରଙ୍କ ରାଜ୍ୟର କଥା ପ୍ରଚାର କରୁଥିଲେ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ବିଷୟସବୁ ଶିକ୍ଷା ଦେଉଥିଲେ।