ଓଡ଼ିଆ: Oriya Unlocked Dynamic Bible

Updated ? hours ago # views See on DCS

ମାଥିଉଲିଖିତ ସୁସମାଚାର

Chapter 1

1 ଅବ୍ରହାମ ଓ ରାଜା ଦାଉଦ ବଂଶଜ ଯୀଶୁ ଖ୍ରୀଷ୍ଟ ପୂର୍ବ ପୁରୁଷ ବଂଶାବଳୀ I 2 ଅବ୍ରହାମ ଇସ୍‌ହାକ ପିତା ଥିଲେ I ଇସ୍‌ହାକ ଯାକୁବ ପିତା ଥିଲେ I ଯାକୁବ ଯିହୁଦା ଓ ତାଙ୍କ ଭାଇମାନଙ୍କ ପିତା ଥିଲେ I 3 ଯିହୁଦା ପେରସ ଓ ସେରହଙ୍କ ପିତା ଥିଲେ ଓ ତାମର ସେମାନଙ୍କ ମାଁ ଥିଲେ I ପେରସ ହିଷ୍ରୋଣଙ୍କ ପିତା ଥିଲେ I ହିଷ୍ରୋଣ ଅରାମଙ୍କ ପିତା ଥିଲେ I 4 ଅରାମ ଅମ୍ମୀନାଦବ ପିତା ଥିଲେ I ଅମ୍ମୀନାଦବ ନହଶୋନଙ୍କ ପିତା ଥିଲେ I ନହଶୋନ ସଲମୋନଙ୍କ ପିତା ଥିଲେ I 5 ସଲମୋନ ଏବଂ ତାଙ୍କ ସ୍ତ୍ରୀ ରାହାବ (ଏକ ଅଣ-ଯିହୁଦୀ ମହିଳା) ବୋୟାଜଙ୍କ ପିତା ମାତା ଥିଲେ I ବୋୟାଜ ଓବେଦଙ୍କ ପିତା ଥିଲେ I ରୁତ ଓବେଦଙ୍କ ମାଁ (ଅନ୍ୟ ଏକ ଅଣ-ଯିହୁଦୀ ମହିଳା) ଥିଲେ I ଓବେଦ ଯିଶୟଙ୍କ ପିତା ଥିଲେ I 6 ଯିଶୟ ରାଜା ଦାଉଦଙ୍କ ପିତା ଥିଲେ I ଦାଉଦ ଶଲୋମନଙ୍କ ପିତା ହେଲେ; ଶଲୋମନଙ୍କ ମାଁ ଉରୀୟଙ୍କ ସ୍ତ୍ରୀ ଥିଲେ I 7 ଶଲୋମନ ରିହବୀୟାମଙ୍କ ପିତା ଥିଲେ I ରିହବୀୟାମ ଅବୀୟଙ୍କ ପିତା ଥିଲେ I ଅବୀୟ ଆସାଙ୍କ ପିତା ଥିଲେ I 8 ଆସା ଯିହୋଶାଫଟଙ୍କ ପିତା ଥିଲେ I ଯିହୋଶାଫଟ ଯୋରାମଙ୍କ ପିତା ଥିଲେ I ଯୋରାମ ଉଜୀୟଙ୍କ ପୂର୍ବଜ ଥିଲେ I 9 ଉଜୀୟ ଯୋଥମଙ୍କ ପିତା ଥିଲେ I ଯୋଥମ ଆହସଙ୍କ ପିତା ଥିଲେ I ଆହସ ହିଜକୀୟଙ୍କ ପିତା ଥିଲେ I 10 ହିଜକୀୟ ମନଃଶିଙ୍କ ପିତା ଥିଲେ I ମନଃଶି ଆମୋନଙ୍କ ପିତା ଥିଲେ I ଆମୋନ ଯୋଷୀୟଙ୍କ ପିତା ଥିଲେ I 11 ଯୋଷୀୟ ଯିକନୀୟ ଓ ତାଙ୍କ ଭାଇମାନଙ୍କ ଜେଜେ ବାପା ଥିଲେ I ବାବିଲୋନ ସୈନ୍ୟମାନେ ଇସ୍ରାଏଲ୍ ଲୋକଙ୍କ ବନ୍ଦୀ କରି ବାବିଲୋନ ଦେଶକୁ ନେଇଯିବା ସମୟରେ ସେମାନେ ବାସ କରୁଥିଲେ I 12 ଇସ୍ରାଏଲ ଲୋକମାନେ ବାବିଲୋନକୁ ନିର୍ବାସିତ ହେବାପରେ, ଯିକନୀୟ ହଲ୍‌ଟିୟଙ୍କ ପିତା ହେଲେ I ‌ଶଲ୍‌ଟିୟେଲ ଜିରୁବାବିଲଙ୍କ ପୂର୍ବପୁରୁଷ ଥିଲେ I 13 ଜିରୁବାବିଲ ଅବୀହୁଦଙ୍କ ପିତା ଥିଲେ I ଅବୀହୁଦ ଏଲିୟାକିମଙ୍କ ପିତା ଥିଲେ I ଏଲିୟାକିମ ଆସେରଙ୍କ ପିତା ଥିଲେ I 14 ଆସୋର ସାଦୋକଙ୍କ ପିତା ଥିଲେ I ସାଦୋକ ଆଖିମଙ୍କ ପିତା ଥିଲେ I ଆଖିମ ଏଲିହୁଦଙ୍କ ପିତା ଥିଲେ I 15 ଏଲିହୁଦ ଏଲିୟାଜରଙ୍କ ପିତା ଥିଲେ I 16 ଯାକୁବ ଯୋଷେଫଙ୍କ ପିତା ଥିଲେ I ଯୋଷେଫ ମରିୟମଙ୍କ ସ୍ଵାମୀଥିଲେ, ମରିୟମ ଯୀଶୁଙ୍କ ମାଁ ଥିଲେ I ଯୀଶୁ ଯାହାଙ୍କୁ ଖ୍ରୀଷ୍ଟ କୁହାଯାଏ I 17 ଯୀଶୁଙ୍କ ପୂର୍ବଜଙ୍କ ବଂଶାବଳୀ ଏହି ପ୍ରକାର: ଅବ୍ରହାମଙ୍କଠାରୁ ରାଜା ଦାଉଦ ପର୍ଯ୍ୟନ୍ତ ଚଉଦ ପୁରୁଷ I ଅନ୍ୟ ପୁରୁଷ ହେଲେ ଦାଉଦଙ୍କଠାରୁ ଇସ୍ରାଏଲ ଲୋକମାନେ ବାବିଲୋନିକୁ ନିର୍ବାସିତ ହେବା ପର୍ଯ୍ୟନ୍ତ, ଏବଂ ଅନ୍ୟ ଚଉଦ ପୁରୁଷ ହେଲେ ବାବିଲୋନରୁ ନିର୍ବାସନଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ I 18 ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ପୂର୍ବରୁ ଏହିପରି ଘଟିଲା, ତାହାଙ୍କ ନାଁ ମରିୟମଙ୍କର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧ ହୋଇଥିଲା, କିନ୍ତୁ ସେମାନେ ପତି ପତ୍ନୀ ଭାବେ ସହବାସ ପୂର୍ବେ ସେମାନେ ଜାଣିବାକୁ ପାରିଲେ ଯେ, ସେ ମରିୟମ) । ପବିତ୍ରଆତ୍ମାଙ୍କ କର୍ତ୍ତୃକରେ ଏକ ଶିଶୁକୁ ଜନ୍ମ ଦେବାକୁ ଯାଉଅଛନ୍ତି । 19 ଏଥିରେ ତାଙ୍କ ସ୍ୱାମୀ ଯଏକି ପ୍ରଭୁଙ୍କ ଜଣେ ଆଜ୍ଞା ପାଳନକାରୀ ଥିଲେ, ସେ ମରିୟମଙ୍କ ସହ ବିବାହ ନ କରିବାକୁ ସ୍ଥିର କଲେ । କିନ୍ତୁ ସେ ଅନ୍ୟ ଲୋକମାନଙ୍କ ସମ୍ମୁଖରେ ତାହାକୁ ନିନ୍ଦାର ପାତ୍ର କରିବାକୁ ଚାହିଲେ ନାହିଁ । ତେଣୁ ସେ ତାହାଙ୍କୁ ବିବାହ ନ କରି ଗୋପନରେ ପରିତ୍ୟାଗ କରିବାକୁ ସ୍ଥିର କଲେ । 20 କିନ୍ତୁ ସେ ଏହା ଦୃଢ଼ ଭାବେ ମନସ୍ଥ କଲା ପରେ, ପ୍ରଭୁଙ୍କଠାରୁ ପ୍ରେରିତ ଜଣେ ଦୂତ ସ୍ୱପ୍ନରେ ତାହାଙ୍କୁ ଦର୍ଶନ ଦେଲେ । ସେହି ଦୂତ ତାହାଙ୍କୁ କହିଲେ, "ହେ ଦାଉଦଙ୍କ ବଂଶଜ ଯୋଷେଫ, ମରିୟମଙ୍କୁ ବିବାହ କରିବା ନିମନ୍ତେ ଭୟ କର ନାହିଁ । କାରଣ ତାହାଙ୍କ ଗର୍ଭ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇଅଛି । 21 ସେ ଏକ ପୁତ୍ର ପ୍ରସବ କରିବେ, ତାହାଙ୍କ ନାମ ଯୀଶୁ ଦେବ, ସେ ଆପଣା ଲୋକଙ୍କୁ ସେମାନଙ୍କ ସମସ୍ତ ପାପରୁ ପରିତ୍ରାଣ କରିବେ ।" 22 ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଭକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏସମସ୍ତ ଘଟିଲା । ଯିଶାଇୟ ଲେଖୁଛନ୍ତି, 23 "ଦେଖ, ଜଣେ କୁମାରୀ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବେ । ଲୋକେ ତାହାଙ୍କୁ ଇମ୍ମାନୁୟେଲ ବୋଲି ଡାକିବେ" ଏହାର ଅର୍ଥ, ଆମ୍ଭମାନଙ୍କ ସହିତ ଈଶ୍ଵର ।" 24 ଯେତେବେଳେ ଯୋଷେଫ ନିକଟରୁ ଉଠିଲେ, ପ୍ରଭୁଙ୍କ ଦୂତ ତାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେପରି କଲେ । ସେ ମରିୟମଙ୍କୁ ନିଜର ସ୍ତ୍ରୀ ଭାବେ ଗ୍ରହଣ କରି ତାହାଙ୍କ ସହିତ ରହିବାକୁ ଲାଗିଲେ । 25 କିନ୍ତୁ ସେ ପୁତ୍ର ପ୍ରସବ କରିବା ପର୍ଯ୍ୟନ୍ତ ତାହାଙ୍କ ସହିତ ସହବାସ କଲେ ନାହିଁ । ଆଉ ଯୋଷେଫ ତାହାଙ୍କ ନାମ “ଯୀଶୁ” ଦେଲେ ।

Chapter 2

1 ମହାନ ଶାସକ ରାଜା ହେରୋଦଙ୍କ ସମୟରେ ଯିହୂଦା ପ୍ରଦେଶର ବେଥଲିହିମ ନଗରରେ ଯୀଶୁ ଜନ୍ମ ହେଲେ । ଯୀଶୁଙ୍କ ଜନ୍ମ ହେବା ପରେ ପୂର୍ବ ଦେଶର କେତେକ ଜ୍ୟୋତିଷ ଶାସ୍ତ୍ରଜ୍ଞ ଯିରୂଶାଲମର ନଗରକୁ ଆସିଲେ । 2 ସେମାନେ ଲୋକମାନଙ୍କୁ ପଚାରିଲେ, ଯିହୂଦୀମାନଙ୍କର ଯେଉଁ ରାଜା ଜନ୍ମ ଗ୍ରହଣ କରିଅଛନ୍ତି ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବ ଦେଶରେ ଏକ ତାରା ଦେଖିଲୁ ଆଉ ସେହି ତାରା ସେ ଯେ ଜନ୍ମ ଗ୍ରହଣ କରିଅଛନ୍ତି ଏହା ଆମ୍ଭମାନଙ୍କୁ ଦର୍ଶାଏ, ଏଣୁ ଆମ୍ଭେମାନେ ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ ।" 3 ଯେତେବେଳେ ହେରୋଦ ରାଜା ଏହି ଲୋକମାନଙ୍କର ପ୍ରଚାରିତ ବିଷୟରେ ଶୁଣିଲେ, ସେ ଅତ୍ୟନ୍ତ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ଯିରୂଶାଲମ ନିବାସୀ ଅନେକ ଲୋକ ମଧ୍ୟ ଏଥିରେ ଉଦ୍‌ବିଗ୍ନ ହେଲେ । 4 ତହିଁରେ ହେରୋଦ ଯିହୁଦୀମାନଙ୍କ ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କୁ ଏକତ୍ର ଡ଼କାଇଲେ । ସେ ସେମାନଙ୍କୁ ପଚାରିଲେ ଖ୍ରୀଷ୍ଟ କେଉଁଠାରେ ଜନ୍ମ ଗ୍ରହଣ କରିବେ ବୋଲି ଭବିଷ୍ୟତବକ୍ତାମାନେ ଭାବବାଣୀ କରି ଅଛନ୍ତି । 5 ସେମାନେ ତାହାଙ୍କୁ କହିଲେ, "ସେ ଯିହୂଦା ପ୍ରଦେଶର ବେଥଲିହିମ ନଗରରେ ଜନ୍ମ ଗ୍ରହଣ କରିବେ, କାରଣ ମୀଖା ଭବିଷ୍ୟବକ୍ତା ଏ ବିଷୟରେ ଅନେକ ବର୍ଷ ପୂର୍ବେ ଲେଖିଥିଲେ, । 6 ହେ ଯିହୂଦାଙ୍କ ପ୍ରଦେଶର ବେଥଲିହିମ ନିବାସୀଗଣ, ତୁମ୍ଭମାନଙ୍କ ନଗର ନିଶ୍ଚିତ ରୂପେ ମହାନ ହେବ, କାରଣ ତୁମ୍ଭମାନଙ୍କ ନଗରରୁ ଏକ ଶାସନକର୍ତ୍ତା ଉତ୍ପନ୍ନ ହେବେ I ସେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ I 7 ତାହାପରେ ରାଜା ହେରୋଦ ଜ୍ୟୋତିଷ ଶାସ୍ତ୍ରଜ୍ଞମାନଙ୍କୁ ଗୋପନରେ ଡାକିଲେ । ସେ ସେମାନଙ୍କୁ ପଚାରିଲେ, ପ୍ରକୃତରେ ସେହି ତାରା କେଉଁ ସମୟରେ ପ୍ରଥମେ ଦେଖା ଦେଇଥିଲା । 8 ପରେ ସେ ସେମାନଙ୍କୁ କହିଲେ, "ବେଥଲିହିମକୁ ଯାଅ ଓ ଶିଶୁଙ୍କ ସମ୍ବନ୍ଧରେ ସୂକ୍ଷ୍ମ ରୂପେ ଅନୁସନ୍ଧାନ କର । ଯେତେବେଳେ ତୁମ୍ଭେମାନେ ତାହାଙ୍କୁ ପାଇବ, ଫେରି ଆସି ମୋତେ ତାହା ଜଣାଅ, ତେବେ ମୁଁ ମଧ୍ୟ ନିଜେ ଯାଇ ତାହାଙ୍କୁ ପ୍ରଣାମ କରିବି ।" । 9 ସେଥିରେ ସେହି ଲୋକମାନେ ବେଥଲିହିମ ନଗରକୁ ବାହାରି ଗଲେ । ସେମାନଙ୍କ ନିମନ୍ତେ ଏହା ଆଶ୍ଚର୍ଯ୍ୟର ବିଷୟ ହେଲା ଯେ, ସେମାନେ ପୂର୍ବ ଦେଶରେ ଯେଉଁ ତାରା ଦେଖିଥିଲେ, ତାହା ପୁଣି ଥରେ ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଶେଷରେ ସେହି ସ୍ଥାନ ଉପରେ ସ୍ଥଗିତ ହେଲା । 10 ଯେତେବେଳେ ସେମାନେ ସେହି ତାରାକୁ ଦେଖିଲେ, ସେମାନେ ମହାଆନନ୍ଦରେ ଆନନ୍ଦିତ ହୋଇ ତାହାର ପଛେ ପଛେ ଚାଲିଲେ । 11 ସେମାନେ ସେହି ଗୃହକୁ ପାଇଲେ ଏବଂ ଭିତରକୁ ଯାଇ ଶିଶୁଙ୍କୁ ଓ ତାଙ୍କ ମାତା ମରିୟମଙ୍କୁ ସଙ୍ଗରେ ଦେଖିଲେ । ସେମାନେ ଭୂମିଷ୍ଠ ହୋଇ ତାହାଙ୍କୁ ପ୍ରଣାମ କଲେ । ପୁଣି ସେମାନେ ଆପଣା ଆପଣା ପେଡ଼ି ଫିଟାଇ ସୁନା, କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନୀ ଦେଲେ । 12 ପରେ ସେମାନେ ରାଜା ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ୱପ୍ନରେ ପ୍ରଭୁଙ୍କଠାରୁ ଏକ ପ୍ରତ୍ୟାଦେଶ ପାଇଲେ । ତେଣୁ ସେମାନେ ସେମାନଙ୍କ ଦେଶ ପରିତ୍ୟାଗ କଲେ, କିନ୍ତୁ ସେମାନେ ଆସିଥିବା ପଥରେ ଯାଇ ଅନ୍ୟ ଏକ ପଥ ଦେଇ ସ୍ୱଦେଶକୁ ପ୍ରସ୍ଥାନ କଲେ । 13 ଜ୍ୟୋତିଷ ଶାସ୍ତ୍ରମାନେ ବେଥଲିହିମ ପରିତ୍ୟାଗ କଲା ଉତ୍ତାରେ, ପ୍ରଭୁଙ୍କର ଜଣେ ଦୂତ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, "ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସର ଦେଶକୁ ପଳାଅ । ପୁଣି ଆମେ ତୁମ୍ଭକୁ ନ କହିଲା ପର୍ଯ୍ୟନ୍ତ ସେଠାରେ ବାସ କର, କାରଣ ଶିଶୁଙ୍କୁ ଅନ୍ୱେଷଣ କରି ବିନାଶ କରିବା ନିମନ୍ତେ ହେରୋଦ ଆପଣା ସୈନ୍ୟମାନଙ୍କୁ ପଠାଇଅଛି ।" 14 ଏଥିରେ ଯୋଷେଫ ସେହି ରାତ୍ରିରେ ଉଠି ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଇଗଲେ । 15 ଆଉ ରାଜା ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ପରେ ସେମାନେ ପୁଣି ଥରେ ମିସରକୁ ବାହୁଡ଼ି ଆସିଲେ । ଏହି କ୍ଷେତ୍ରରେ, ହୋଶେୟ ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କର ଏହି ବାକ୍ୟ ସଫଳ ହେଲା, ମିସରରୁ ଆମେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ I 16 ରାଜା ହେରୋଦଙ୍କ ମରଣ ପୂର୍ବରୁ ସେ ସେହି ଲୋକମାନଙ୍କ ଦ୍ୱାରା ପ୍ରବଞ୍ଚନ ହେବା ଦେଖି କ୍ରୋଧାନ୍ଧ ହୋଇଗଲେ । କାରଣ ସେ ଭାବିଲେ ଯେ, ଯୀଶୁ ବେଥଲିହିମର ଆଖପାଖରେ ଅଛନ୍ତି, ଏଣୁ ହେରୋଦ ଆପଣା ସୈନ୍ୟମାନଙ୍କୁ ଦୁଇ ବର୍ଷ ବୟସର ଶିଶୁ ପୁତ୍ରମାନଙ୍କୁ ବିନାଶ କରିବା ନିମନ୍ତେ ପଠାଇଲେ । ସେହି ଜ୍ୟୋତିଷ ଶାସକମାନଙ୍କଠାରୁ ଶୁଣି ସମୟ ଅନୁସାରେ ହେରୋଦ ଶିଶୁଟିର ବୟସ ଗଣନା କଲେ । 17 ଯେତେବେଳେ ହେରୋଦ ଏହା କଲେ, ସେତେବେଳେ ରାମାର ନିକଟବର୍ତ୍ତୀ ଯିରୂଶାଲମ ବିଷୟରେ ଅନେକ ବର୍ଷ ପୂର୍ବେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଲିଖିତ ବାକ୍ୟ ସଫଳ ହେଲା; 18 ରାମାସ୍ଥିତ ମହିଳାମାନେ ଉଚ୍ଚ ସ୍ଵରରେ ରୋଦନ ଓ ଅତିଶୟ ବିଳାପ କରୁଅଛନ୍ତି । ସେମାନଙ୍କର ବୟସ୍କା ରାହେଲ, ଆପଣ ସନ୍ତାନମାନଙ୍କ ନିମନ୍ତେ ବିଳାପ କରୁଥିଲେ । ଲୋକମାନେ ତାହାକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲେ କିନ୍ତୁ ପାରିଲେ ନାହିଁ, କାରଣ ତାହାର ସମସ୍ତ ଶିଶୁମାନେ ମୃତ୍ୟୁବରଣ କରିଥିଲେ । 19 ହେରୋଦଙ୍କ ମୃତ୍ୟୁ ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ମିସରରେ ଯୋଷେଫ ଓ ତାଙ୍କ ପରିବାରଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, 20 “ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ଇସ୍ରାଏଲ ଦେଶକୁ ଯାଅ, କାରଣ ଯେଉଁମାନେ ଶିଶୁଙ୍କ ପ୍ରାଣ ବିନାଶ କରିବା ନିମନ୍ତେ ଚେଷ୍ଟା କରୁଥିଲେ, ସେମାନଙ୍କର ମୃତ୍ୟୁ ଘଟିଅଛି ।” 21 ସେଥିରେ ସେ ଉଠି ଶିଶୁ ଓ ତାହାଙ୍କ ମାତାଙ୍କୁ ନେଇ ଇସ୍ରାଏଲ ଦେଶକୁ ଆସିଲେ । 22 ମାତ୍ର ଆର୍ଖିଲାୟ ଆପଣା ପିତା ହେରୋଦଙ୍କ ସ୍ଥାନରେ ଯିହୂଦା ପ୍ରଦେଶର ରାଜା ହୋଇଅଛନ୍ତି, ଏହା ଶୁଣି ସେଠାକୁ ଯିବା ପାଇଁ ସେ ଭୟ କଲେ; କିନ୍ତୁ ସ୍ୱପ୍ନରେ ପ୍ରତ୍ୟାଦେଶ ପାଇ ଯୋଷେଫ, ମରିୟମ ଓ ଶିଶୁ ଗାଲିଲୀ ଅଞ୍ଚଳକୁ ପଳାଇଗଲେ । 23 ନାଜରିତ ନାମକ ନଗରରେ ଯାଇ ସେମାନେ ବାସ କଲେ । ଯେପରି ଭାବବାଦୀମାନଙ୍କ ଦ୍ୱାରା ଉକ୍ତ ସେହି ବାକ୍ୟ ସଠିକ୍ ହେଲା: “ଲୋକେ କହିବେ ସେ ନାଜରିତର ଅଟନ୍ତି ।”

Chapter 3

1 ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଯିହୂଦା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ, 2 “ମନପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ ।” 3 ଯିଶାଇୟ ଭାବବାଦୀ ଯାହାଙ୍କ ବିଷୟରେ ଏହି ବାକ୍ୟ କହିଥିଲେ, “ଏ ସେହି ବ୍ୟକ୍ତି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର ।” 4 ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା ଅଣ୍ଟାରେ ଚର୍ମପଟୁକା ବାନ୍ଧୁଥିଲେ, ଭାବବାଦୀ ଏଲୀୟ ପୂର୍ବେ ପିନ୍ଧୁଥିଲେ । ପୁଣି, ତାହାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା । 5 ସେତେବେଳେ ଯିରୂଶାଲମ ଓ ସମସ୍ତ ଯିହୂଦା ପ୍ରଦେଶ ପୁଣି, ଯର୍ଦ୍ଦନ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ତାହାଙ୍କ ପାଖକୁ ଆସିବାକୁ ଲାଗିଲେ, 6 ଆଉ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ । 7 କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି, ଏହା ଦେଖି ସେ ସେମାନଙ୍କୁ କହିଲେ, “ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା ? 8 ଏଣୁ ମନପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର, 9 ପୁଣି, ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ଏପରି କହିବାକୁ ଭାବ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରି ପାରନ୍ତି । 10 ଆଉ ଏବେ ମଧ୍ୟ ଗଛଗୁଡ଼ିକ ମୂଳରେ କୁରାଢ଼ି ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ । 11 ମୁଁ ସିନା ତୁମ୍ଭମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ’ ପରେ ଯେ ଆସୁଅଛନ୍ତି, ସେ ମୋ’ଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ । 12 ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମଭାବେ ସଫା କରି ଆପଣା ଗହମ ଅମାରରେ ଏକାଠି କରି ରଖିବେ, କିନ୍ତୁ ଅଗାଡ଼ିଯାକ ଲିଭୁ ନ ଥିବା ଅଗ୍ନିରେ ପୋଡ଼ି ପକାଇବେ ।” 13 ସେତେବେଳେ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ଗାଲିଲୀରୁ ଯର୍ଦ୍ଦନକୁ ଆସିଲେ । 14 କିନ୍ତୁ ଯୋହନ ତାହାଙ୍କୁ ମନା କରିବାକୁ ଚେଷ୍ଟା କରି କହିଲେ, ଆପଣଙ୍କ ଦ୍ୱାରା ବାପ୍ତିଜିତ ହେବା ମୋହର ଆବଶ୍ୟକ, ଆଉ ଆପଣ ମୋ ନିକଟକୁ ଆସୁଅଛନ୍ତି ? 15 ମାତ୍ର ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଏବେ ରାଜି ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମ କର୍ମ ସାଧନ କରିବା ଆମ୍ଭମାନଙ୍କର ଉଚିତ୍ ।” ସେଥିରେ ସେ ତାହାଙ୍କ କଥାରେ ରାଜି ହେଲେ । 16 ଯୀଶୁ ବାପ୍ତିଜିତ ହେଲାକ୍ଷଣି ଜଳରୁ ଉଠି ଆସିଲେ, ଆଉ ଦେଖ, ଆକାଶ ଉନ୍ମୁକ୍ତ ହେଲା, ପୁଣି, ସେ ଈଶ୍ୱରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ। 17 ଆଉ ଦେଖ, ଆକାଶରୁ ଏହି ବାଣୀ ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ ।”

Chapter 4

1 ସେତେବେଳେ ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ପ୍ରାନ୍ତରକୁ ନୀତ ହେଲେ, 2 ପୁଣି, ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କରି ଶେଷରେ କ୍ଷୁଧିତ ହେଲେ। 3 ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, “ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡିକୁ ରୋଟୀ ହେବା ପାଇଁ ଆଜ୍ଞା ଦିଅ ।” 4 କିନ୍ତୁ ଯୀଶୁ ଉତ୍ତର ଦେଲେ, “ଲେଖା ଅଛି, ‘ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ ।'” 5 ତହିଁ ଉତ୍ତାରେ ଶୟତାନ ଯୀଶୁଙ୍କୁ ପୁଣ୍ୟ ନଗରୀକୁ ନେଇ ଯାଇ ମନ୍ଦିରର ଛାତ ଉପରେ ଠିଆ କରାଇଲା । 6 ତାହାଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଲେଖା ଅଛି, ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ । 7 ଯୀଶୁ ତାହାଙ୍କୁ କହିଲେ, ଆହୁରି ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ । 8 ପୁଣି, ଥରେ ଶୟତାନ ଯୀଶୁଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ନେଇଗଲା । ସେଠାରେ ଜଗତର ସମସ୍ତ ରାଜ୍ୟ ଓ ସେ ସବୁର ଐଶ୍ୱର୍ଯ୍ୟ ଦେଖାଇଲା । 9 ତା’ପରେ ସେ କହିଲା,ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ ଓ ଆରାଧନା କରିବ, ତେବେ ଆମ୍ଭେ ଏହି ସମସ୍ତ ତୁମ୍ଭକୁ ଦେବା । 10 ତହିଁରେ ଯୀଶୁ ତାହାକୁ କହିଲେ, ଦୂର ହୁଅ, ଶୟତାନ କାରଣ ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି, କେବଳ ତାହାଙ୍କର ଉପାସନା କରିବ । 11 ଏଥିରେ ଶୟତାନ ତାହାଙ୍କୁ ଛାଡ଼ି ଚାଲିଗଲା, ଆଉ ଦେଖ, ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ । 12 ପରେ ଯୋହନ ଧରାପଡ଼ିଲେଣି ବୋଲି ଶୁଣି ସେ ଅନ୍ତର ହୋଇ ଗାଲିଲୀକୁ ପ୍ରସ୍ଥାନ କଲେ; 13 ଆଉ ସେ ନାଜରିତ ପରିତ୍ୟାଗ କରି ସବୂଲୂନ ଓ ନପ୍ତାଲୀ ଅଞ୍ଚଳରେ ଥିବା ସମୁଦ୍ର କୂଳସ୍ଥିତ କଫର୍ନାହୂମକୁ ଯାଇ ସେଠାରେ ବାସ କଲେ, 14 ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, 15 ସବୂଲୂନ ଦେଶ ଓ ନପ୍ତାଲି ଦେଶ, ସମୁଦ୍ର ନିକଟବର୍ତ୍ତୀ ଓ ଯର୍ଦ୍ଦନର ଅପର ପାର୍ଶ୍ୱସ୍ଥ ଅଣଯିହୂଦୀମାନଙ୍କ ଗାଲିଲୀ, 16 ଅନ୍ଧକାରବାସୀ ଲୋକେ ମହା ଆଲୋକ ଦର୍ଶନ କଲେ, ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା । 17 ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, “ମନପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ ।” 18 ସେ ଗାଲିଲୀ ସମୁଦ୍ରକୂଳରେ ବୁଲୁଥିବା ସମୟରେ ଶିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଏହି ଦୁଇ ଭାଇଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ । 19 ସେ ସେମାନଙ୍କୁ କହିଲେ, “ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି ।” 20 ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ । 21 ପୁଣି, ସେ ସେଠାରୁ ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ ନାମକ ଆଉ ଦୁଇ ଭାଇଙ୍କୁ ସେମାନଙ୍କ ପିତା ଜେବଦୀଙ୍କ ସହିତ ନୌକାରେ ଜାଲ ସଜାଡ଼ୁଥିବା ଦେଖି ସେମାନଙ୍କୁ ଡାକିଲେ । 22 ସେଥିରେ ସେମାନେ ସେହିକ୍ଷଣି ନୌକା ଓ ସେମାନଙ୍କର ପିତାଙ୍କୁ ଛାଡ଼ି ତାହାଙ୍କର ଅନୁଗମନ କଲେ । 23 ପରେ ଯୀଶୁ ସେମାନଙ୍କ ସମାଜଗୃହ ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଁଦାୟ ଗାଲିଲୀରେ ବୁଲିବାକୁ ଲାଗିଲେ, 24 ଆଉ ତାହାଙ୍କ ବିଷୟରେ ଜନରବ ସମୁଁଦାୟ ସିରିୟା ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି, ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତ ସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ । 25 ପୁଣି, ଗାଲିଲୀ, ଦେକାପଲି, ଯିରୂଶାଲମ, ଯିହୂଦା ପ୍ରଦେଶ ଓ ଯର୍ଦ୍ଦନର ଅପର ପାରିରୁ ବହୁସଂଖ୍ୟକ ଲୋକ ଆସି ତାହାଙ୍କ ପଛରେ ଗଲେ ।

Chapter 5

1 ଲୋକମାନଙ୍କୁ ଦେଖି ଯୀଶୁ ପର୍ବତ ଚଢ଼ିଲେ, ପୁଣି, ବସିବା ପରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ । 2 ସେଥିରେ ସେ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ, 3 ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର । 4 ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ । 5 ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ । 6 ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ । 7 ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ । 8 ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ । 9 ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ଭାବରେ ପରିଚିତ ହେବେ । 10 ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର । 11 ଲୋକେ ଯେବେ ତୁମ୍ଭମାନଙ୍କୁ ମୋ' ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ । 12 ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ । 13 ତୁମ୍ଭେମାନେ ପୃଥିବୀର ଲବଣ, କିନ୍ତୁ ଲବଣ ଯଦି ସ୍ୱାଦବିହୀନ, ତେବେ ତାହା କାହିଁରେ ଲବଣାକ୍ତ ହେବ ? ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ନୁହେଁ, କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦ ତଳେ ଦଳିତ ହେବାର ଯୋଗ୍ୟ । 14 ତୁମ୍ଭେମାନେ ଜଗତର ଜ୍ୟୋତିଃ। ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହି ନ ପାରେ; 15 କିବା ଲୋକମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ, ମାତ୍ର ଦୀପରୁଖା ଉପରେ ରଖନ୍ତି, ସେଥିରେ ତାହା ଗୃହରେ ଥିବା ସମସ୍ତ ଲୋକକୁ ଆଲୋକ ଦିଏ । 16 ସେହି ପ୍ରକାରେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ । 17 ମୁଁ ଯେ ମୋଶାଙ୍କ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି, ଏପରି ଭାବ ନାହିଁ; ଲୋପ କରିବାକୁ ଆସି ନାହିଁ ବରଂ ସଫଳ କରିବାକୁ ଆସିଅଛି । 18 କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ମୋଶାଙ୍କ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ । 19 ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ମାନେ ନାହିଁ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ପରିଚିତ ହେବ; କିନ୍ତୁ ଯେ କେହି ସେହି ସମସ୍ତ ଆଜ୍ଞା ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ଖ୍ୟାତ ହେବ । 20 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଧାର୍ମିକତା ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ନ ହେଲେ ତୁମ୍ଭେମାନେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ । 21 ତୁମ୍ଭେମାନେ ଶୁଣିଅଛ ଯେ, ପୁରାତନ କାଳର ଲୋକମାନଙ୍କୁ କୁହାଯାଇଥିଲା, ନରହତ୍ୟା କର ନାହିଁ, ଆଉ ଯେ କେହି ନରହତ୍ୟା କରେ ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ । 22 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ । ପୁଣି, ଯେ କେହି ଆପଣା ଭାଇ କି ମୂର୍ଖ ବୋଲି କହେ, ସେ ମହାସଭାରେ ଦଣ୍ଡିତ ହେବ; ଆଉ ଯେ କେହି ପାଷାଣ୍ଡ ବୋଲି କହେ, ସେ ଅଗ୍ନିମୟ ନର୍କରେ ଦଣ୍ଡନୀୟ ହେବ । 23 ଅତଏବ ଯଦି ବେଦି ନିକଟକୁ ତୁମ୍ଭେ ନିଜର ନୈବେଦ୍ୟ ଆଣୁଥିବା ସମୟରେ ତୁମ୍ଭ ବିରୁଦ୍ଧରେ ତୁମ୍ଭ ଭାଇର କୌଣସି କଥା ଅଛି ବୋଲି ସେଠାରେ ତୁମ୍ଭର ମନେ ପଡ଼େ, 24 ତାହାହେଲେ ସେହି ସ୍ଥାନରେ ବେଦି ସମ୍ମୁଖରେ ତୁମ୍ଭର ନୈବେଦ୍ୟ ଥୋଇଦେଇ ଚାଲିଯାଅ, ଆଗେ ନିଜ ଭାଇ ସାଙ୍ଗରେ ମିଳିତ ହୁଅ, ଆଉ ତାହା ପରେ ଆସି ତୁମ୍ଭର ନୈବେଦ୍ୟ ଉତ୍ସର୍ଗ କର । 25 ତୁମ୍ଭର ବିବାଦୀ ସହିତ ବାଟରେ ଥିବା ସମୟରେ ଶୀଘ୍ର ତାହା ପ୍ରତି ମିଳନର ଭାବ ଦେଖାଅ, କାଳେ ବିବାଦୀ ତୁମ୍ଭକୁ ବିଚାରକର୍ତ୍ତାଙ୍କ ହସ୍ତରେ ସମର୍ପଣ କରିବ, ପୁଣି, ବିଚାରକର୍ତ୍ତା ତୁମ୍ଭକୁ ପଦାତିକ ହସ୍ତରେ ସମର୍ପଣ କରିବେ, ଆଉ ତୁମ୍ଭେ କାରାଗାରରେ ନିକ୍ଷିପ୍ତ ହେବ । 26 ମୁଁ ତୁମ୍ଭକୁ ସତ୍ୟ କହୁଅଛି, ତୁମ୍ଭେ ଶେଷ ପାହୁଲାଟି ନ ଶୁଝିବା ପର୍ଯ୍ୟନ୍ତ ସେ ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସି ପାରିବ ନାହିଁ । 27 ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ବ୍ୟଭିଚାର କର ନାହିଁ । 28 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି । 29 ଆଉ ତୁମ୍ଭ ଦକ୍ଷିଣ ଚକ୍ଷୁ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ଫୋପାଡ଼ି ଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ । 30 ପୁଣି, ତୁମ୍ଭର ଦକ୍ଷିଣ ହସ୍ତ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ । 31 ଆହୁରି ଉକ୍ତ ଅଛି, ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରେ, ସେ ତାହାକୁ ଛାଡ଼ପତ୍ର ଦେଉ । 32 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀକୁ ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରେ, ସେ ତାହାକୁ ବ୍ୟଭିଚାରିଣୀ କରାଏ; ଆଉ ଯେ କେହି ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ । 33 ପୁଣି, ତୁମ୍ଭେମାନେ ଶୁଣିଅଛ ଯେ, ପୁରାତନ କାଳର ଲୋକମାନଙ୍କୁ କୁହାଯାଇଥିଲା, ତୁମ୍ଭେ ମିଥ୍ୟା ଶପଥ କର ନାହିଁ ମାତ୍ର ଆପଣା ଶପଥସବୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପାଳନ କରିବ । 34 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଦୌ ଶପଥ କର ନାହିଁ; ସ୍ୱର୍ଗର ଶପଥ କର ନାହିଁ, କାରଣ ତାହା ଈଶ୍ୱରଙ୍କ ସିଂହାସନ; 35 କିମ୍ବା ପୃଥିବୀର ଶପଥ କର ନାହିଁ, କାରଣ ତାହା ତାହାଙ୍କର ପାଦପୀଠ; ଯିରୂଶାଲମର ଶପଥ କର ନାହିଁ, କାରଣ ତାହା ମହାରାଜାଙ୍କ ନଗରୀ; 36 ଅବା ଆପଣା ମସ୍ତକର ଶପଥ କର ନାହିଁ, କାରଣ ତାହାର ଗୋଟିଏ କେଶ ଧଳା ବା କଳା କରିବାକୁ ତୁମ୍ଭର ଶକ୍ତି ନାହିଁ । 37 କିନ୍ତୁ ତୁମ୍ଭମାନଙ୍କ ହଁ କଥା ହଁ ହେଉ, ନା କଥା ନା ହେଉ; ଏଥିରୁ ଯାହା ଅଧିକ, ତାହା ମନ୍ଦରୁ ଜନ୍ମେ । 38 ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ଚକ୍ଷୁର ପରିବର୍ତ୍ତେ ଚକ୍ଷୁ ଓ ଦନ୍ତର ପରିବର୍ତ୍ତେ ଦନ୍ତ; 39 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦୁଷ୍ଟର ପ୍ରତିରୋଧ କର ନାହିଁ, ମାତ୍ର ଯେ କେହି ତୁମ୍ଭର ଡାହାଣ ଗାଲରେ ଚାପୁଡ଼ା ମାରେ, ତାହାକୁ ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ । 40 ଆଉ କେହି ଯଦି ତୁମ୍ଭ ସହିତ ବିଚାରସ୍ଥାନରେ ବିବାଦ କରି ତୁମ୍ଭର ଅଙ୍ଗରଖା ନେବାକୁ ଇଚ୍ଛା କରେ, ତାହାକୁ ଚାଦର ମଧ୍ୟ ଦେଇଦିଅ । 41 ପୁଣି, ଯେ କେହି ତୁମ୍ଭକୁ କୋଶେ ଯିବା ପାଇଁ ବାଧ୍ୟ କରେ, ତାହା ସାଙ୍ଗରେ ଦୁଇ କୋଶ ଯାଅ । 42 ଯେ ତୁମ୍ଭକୁ ମାଗେ, ତାହାକୁ ଦିଅ, ପୁଣି, ଯେ ତୁମ୍ଭଠାରୁ ଋଣ ନେବାକୁ ଇଚ୍ଛା କରେ, ତାହା ପ୍ରତି ବିମୁଖ ହୁଅ ନାହିଁ । 43 ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ତୁମ୍ଭର ପ୍ରତିବାସୀକୁ ପ୍ରେମ କର ଓ ତୁମ୍ଭର ଶତ୍ରୁକୁ ଘୃଣା କର । 44 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର, 45 ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହେବ; ସେ ତ ଦୁଷ୍ଟ ଓ ସନ୍ଥ ଉଭୟଙ୍କ ଉପରେ ଆପଣା ସୂର୍ଯ୍ୟ ଉଦୟ କରାନ୍ତି, ପୁଣି, ଧାର୍ମିକ ଓ ଅଧାର୍ମିକମାନଙ୍କ ଉପରେ ବୃଷ୍ଟି ବର୍ଷାନ୍ତି । 46 ଆଉ ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭମାନଙ୍କର କି ପୁରସ୍କାର ? କରଗ୍ରାହୀମାନେ ସୁଦ୍ଧା କ'ଣ ତାହା କରନ୍ତି ନାହିଁ ? 47 ଆଉ ତୁମ୍ଭେମାନେ ଯଦି କେବଳ ନିଜ ନିଜ ଭାଇମାନଙ୍କୁ ନମସ୍କାର କର, ତେବେ ଅଧିକ କଅଣ କର ? ଅଣଯିହୂଦୀମାନେ ସୁଦ୍ଧା କ'ଣ ତାହା କରନ୍ତି ନାହିଁ ? 48 ଅତଏବ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ ।

Chapter 6

1 ଲୋକ ଦେଖାଇବା ପାଇଁ ସେମାନଙ୍କ ସମ୍ମୁଖରେ ଯେପରି ଧର୍ମକର୍ମ ନ କର, ଏଥିପାଇଁ ତୁମ୍ଭେମାନେ ସାବଧାନ ହୋଇଥାଅ, ନୋହିଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ତୁମ୍ଭମାନଙ୍କର ପୁରସ୍କାର ନାହିଁ । 2 ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ଡରେ ସେପ୍ରକାର କରନ୍ତି । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି । 3 କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କ'ଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ, 4 ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଈଶ୍ଵର ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ । 5 ପ୍ରାର୍ଥନା କରିବା ସମୟରେ କପଟୀମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜଗୃହ ଓ ଛକକୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲପାନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି । 6 କିନ୍ତୁ ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରୀରେ ପ୍ରବେଶ କର, ପୁଣି, ତୁମ୍ଭର କବାଟ ବନ୍ଦ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ଛାମୁଁରେ ପ୍ରାର୍ଥନା କର; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ । 7 ପୁଣି, ପ୍ରାର୍ଥନା କରିବା ସମୟରେ ଅଣଯିହୂଦୀମାନଙ୍କ ପରି ଅନାବଶ୍ୟକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି । 8 ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମ୍ଭମାନଙ୍କର କ'ଣ ପ୍ରୟୋଜନ, ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ୱର ତାହା ଜାଣନ୍ତି । 9 ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ । 10 ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ୱର୍ଗରେ, ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ । 11 ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ । 12 ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମା କର । 13 ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର । [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର । ଆମେନ୍ ।] 14 କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ; 15 କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ । 16 ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷର୍ଣ୍ଣବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକମାନଙ୍କ ଆଗରେ ଦେଖାଇବା ପାଇଁ ଆପଣା ଆପଣା ମୁଖ ମଳିନ କରନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି । 17 କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର, 18 ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ନିକଟରେ ଦେଖାଯିବ; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ । 19 ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ ପୁଣି, ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ; 20 ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର, 21 କାରଣ ଯେଉଁଠାରେ ତୁମ୍ଭର ଧନ, ସେହିଠାରେ ମଧ୍ୟ ତୁମ୍ଭର ମନ । 22 ଚକ୍ଷୁ ଶରୀରର ପ୍ରଦୀପ । ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ । 23 କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ । ଅତଏବ ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଯେବେ ଅନ୍ଧକାର ହୁଏ, ତେବେ ସେ ଅନ୍ଧକାର କେଡ଼େ ଘୋରତର ! 24 କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ। ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ଦାସ ହୋଇ ପାର ନାହିଁ । 25 ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କ'ଣ ଖାଇବ ବା କ'ଣ ପିଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କ'ଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ । ଖାଦ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ ? 26 ଆକାଶର ପକ୍ଷୀଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି । ତୁମ୍ଭମାନେ କ'ଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ ? 27 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁଷର ଗୋଟିଏ ମୁହୂର୍ତ୍ତ ମଧ୍ୟ ବୃଦ୍ଧି କରି ପାରେ ? 28 ଆଉ ବସ୍ତ୍ର ନିମନ୍ତେ କାହିଁକି ଚିନ୍ତା କରୁଅଛ ? କ୍ଷେତ୍ରର ଫୁଲଗୁଡ଼ିକ ବିଷୟରେ ଭାବି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବଢ଼ନ୍ତି; ସେ ସବୁ ପରିଶ୍ରମ କରନ୍ତି ନାହିଁ, କିମ୍ବା ସୂତା କାଟନ୍ତି ନାହିଁ, 29 ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ । 30 କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ୱର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତରୂପେ ବସ୍ତ୍ର ନ ଦେବେ ? 31 ଏଣୁ କ'ଣ ଖାଇବା ? ଅବା କ'ଣ ପିଇବା ? କିଅବା କ'ଣ ପିନ୍ଧିବା ? ଏହା କହି ଚିନ୍ତିତ ହୁଅ ନାହିଁ । 32 କାରଣ ଅଣଯିହୂଦୀମାନେ ଏହି ସବୁ ବିଷୟ ଖୋଜି ବୁଲନ୍ତି । ଆଉ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି । 33 କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ । 34 ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ । ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ ।

Chapter 7

1 ତୁମ୍ଭେମାନେ ଯେପରି ବିଚାରିତ ନ ହେବ, ଏଥିପାଇଁ ବିଚାର କର ନାହିଁ । 2 କାରଣ ଯେଉଁ ବିଚାରରେ ବିଚାର କର, ସେହି ବିଚାରରେ ତୁମ୍ଭମାନେ ବିଚାରିତ ହେବ; ପୁଣି, ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଇ ଦିଆଯିବ । 3 ଆଉ କାହିଁକି ତୁମ୍ଭ ଭାଇର ଆଖିର ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁ ? 4 ଅଥବା ତୁମ୍ଭେ କିପରି ଆପଣା ଭାଇ କି କହିବ, ଆସ, ତୁମ୍ଭ ଆଖିରୁ କୁଟାଟିକକ ବାହାର କରିଦିଏ ? ଆଉ ଦେଖ, ତୁମ୍ଭ ଆଖିରେ କଡ଼ିକାଠ ଅଛି ! 5 ରେ କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରୁ କୁଟାଟିକକ ବାହାର କରିବା ପାଇଁ ଭଲ ଭାବରେ ଦେଖି ପାରିବ । 6 ପବିତ୍ର ପଦାର୍ଥ କୁକୁରମାନଙ୍କୁ ଦିଅ ନାହିଁ, କିମ୍ବା ତୁମ୍ଭମାନଙ୍କର ମୁକ୍ତା ଘୁଷୁରିମାନଙ୍କ ଆଗରେ ପକାଅ ନାହିଁ, କାଳେ ସେମାନେ ସେହି ସବୁ ସେମାନଙ୍କ ପାଦ ତଳେ ଦଳନ୍ତି ଓ ବୁଲିପଡ଼ି ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରନ୍ତି । 7 ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ । 8 କାରଣ ଯେ କେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ୱାରରେ ମାରେ, ତାହା ନିମନ୍ତେ ଫିଟାଇ ଦିଆଯିବ। 9 କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି, ଯେ ନିଜ ପୁଅ ରୋଟୀ ମାଗିଲେ ତାହାକୁ ପଥର ଦେବ, 10 କିଅବା ମାଛ ମାଗିଲେ ତାହାକୁ ସାପ ଦେବ ? 11 ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ମଧ୍ୟ ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ତାହାଙ୍କ ଛାମୁଁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ ! 12 ଅତଏବ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହାସବୁ କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହି ସବୁ କର, କାରଣ ଏହା ହିଁ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ରର ସାର । 13 ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ନେଇଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି, ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ । 14 ଆଉ ଜୀବନକୁ ନେଇଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି, ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ । 15 ଭଣ୍ଡ ଭାବବାଦୀମାନଙ୍କଠାରୁ ସାବଧାନ ହୋଇଥାଅ; ସେମାନେ ମେଣ୍ଢାବେଶ‍ରେ ତୁମ୍ଭମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ ! 16 ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ। ଲୋକମାନେ କି କଣ୍ଟାଗଛରୁ ଦ୍ରାକ୍ଷାଫଳ କିମ୍ବା କାନକୋଳି ଗଛରୁ ଡିମ୍ବିରି ଫଳ ତୋଳନ୍ତି ? 17 ସେହି ପ୍ରକାରେ ସବୁ ଭଲ ଗଛ ଭଲ ଫଳ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳ ଫଳେ । 18 ଭଲ ଗଛ ମନ୍ଦ ଫଳ ଫଳି ନ ପାରେ, କିଅବା ମନ୍ଦ ଗଛ ଭଲ ଫଳ ଫଳି ନ ପାରେ । 19 ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯାଏ । 20 ଅତଏବ ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ । 21 ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ । 22 ସେ ଦିନ ଅନେକେ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ ? ପୁଣି, ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ ? ଆଉ ତୁମ୍ଭ ନାମରେ କି ଅନେକ ଆଶ୍ଚର୍ଯ୍ୟର କାର୍ଯ୍ୟ କଲୁ ନାହିଁ ? 23 ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ । ହେ ଅଧର୍ମାଚାରୀମାନେ ମୋ ପାଖରୁ ଦୂର ହୁଅ । 24 ଏଣୁ ଯେ କେହି ମୋହର ଏହି ସମସ୍ତ କଥା ଶୁଣେ ଓ ପାଳନ କରେ, ସେ ପଥର ଉପରେ ଘର ତିଆରି କରିବା ଜଣେ ବୁଦ୍ଧିମାନ ଲୋକ ସଦୃଶ ହେବ । 25 ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଲା ନାହିଁ, କାରଣ ପଥର ଉପରେ ତାହାର ମୂଳଦୁଆ ଥିଲା । 26 ଆଉ ଯେ କେହି ମୋର ଏହି ସମସ୍ତ କଥା ଶୁଣି ପାଳନ କରେ ନାହିଁ, ସେ ବାଲି ଉପରେ ଘର ତିଆରି କରିବା ଜଣେ ମୁଁର୍ଖ ଲୋକ ଭଳି ହେବ । 27 ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଗଲା, ପୁଣି, ତାହାର ପତନ ଭୟଙ୍କର ହେଲା । 28 ଯୀଶୁ ଏହି ସବୁ କଥା ଶେଷ କରନ୍ତେ ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, 29 କାରଣ ସେ ସେମାନଙ୍କର ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ ।

Chapter 8

1 ଯୀଶୁ ପର୍ବତରୁ ଓହ୍ଲାଇ ଆସିବା ପରେ, ବହୁ ସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଗଲେ, 2 ଲୋକମାନଙ୍କୁ ପରିତ୍ୟାଗ କଲା ପରେ, ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ପ୍ରଣାମ କରି ଯୀଶୁଙ୍କ ବିନତୀ କରି କହିଲା, ହେ ପ୍ରଭୁ, ଯଦି ଇଚ୍ଛା କରନ୍ତି , ତେବେ ମତେ ସୁସ୍ଥ କରନ୍ତୁ କାରଣ ମୁଁ ଜାଣେ ତୁମ୍ଭେ ମତେ ସୁସ୍ଥ କରିବାକୁ ସକ୍ଷମ ଅଟ, 3 ତହିଁରେ ଯୀଶୁ ଆପଣା ହାତ ବଢାଇ ତାହାକୁ ଛୁଇଁକି କହିଲେ, ମୁଁ ଚାହୁଁ ଅଛି ତୁମ୍ଭେ ସୁସ୍ଥ ହୁଅ ଓ ମୁଁ ତୁମ୍ଭକୁ ସୁସ୍ଥ କରୁଅଛି, ସେହି କ୍ଷଣି ସେହି ଲୋକଟି ତାର ରୋଗରୁ ସୁସ୍ଥ ହେଲା I 4 ଆଉ ଯୀଶୁ ତାହାକୁ କହିଲେ ମୁଁ ଯେ ତୁମ୍ଭକୁ ସୁସ୍ଥ କରିଅଛି ଏହା ବାହାରେ ଯାଇ କାହାରିକୁ ନ କହି ସିଧା ଯାଜକଙ୍କ ପାଖକୁ ଯାଅ I ପରେ ଯିରୁଶାଲମ ମନ୍ଦିରକୁ ଯାଇ ଲୋକମାନେ ଯେପରି ଜାଣିବେ ଏଥିପାଇଁ ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ନୈବେଦ୍ୟ ଉତ୍ସର୍ଗ କର I 5 ପରେ ସେମାନେ ଆସି କଫର୍ନହୁମରେ ଆସି ପହଞ୍ଚିବ I ସେତେବେଳେ ଜଣେ ଶତ ସେନାପତି ତାହାଙ୍କ ନିକଟକୁ ଆସି ଯୀଶୁ ଯେପରି ତାହାକୁ ସାହାଯ୍ୟ କରିବେ ଏଥିପାଇଁ ଅନୁରୋଧ କରିବାକୁ ଲାଗିଲେ I 6 ସେ ତାହାକୁ କହିବାକୁ ଲାଗିଲେ ପ୍ରଭୁ ମୋର ଜଣେ ଦାସ ପକ୍ଷାଘାତ ରୋଗରେ ପଡି ଅନେକ କଷ୍ଟ ପାଉଛି I 7 ଯୀଶୁ ତାହାକୁ କହିଲେ, ମୁଁ ତୁମ୍ଭ ଗୃହକୁ ଯାଇ ତାହାକୁ ସୁସ୍ଥ କରିବି, 8 କିନ୍ତୁ ଶତ ସେନାପତି ତାହାଙ୍କ କହିଲେ, ତୁମ୍ଭେ ଯେ ମୋ’ ଗୃହକୁ ଆସିବ, ଏପରି ଯୋଗ୍ୟତା ମୋର ନାହିଁ, ବରଂ ଏଠାରେ ଥାଇ ପଡେ ଆଜ୍ଞା କରନ୍ତୁ ଆଉ ମୋହର ଦାସ ସମ୍ପୂର୍ଣ ସୁସ୍ଥ ହେଇଯିବ I 9 ମୋ’ ପକ୍ଷରେ ଏହା ସମାନ ଅଟେ କାରଣ ମୁଁ ଜଣେ ସୈନିକ I ମୁଁ ମୋହର ଉଚ୍ଚ କର୍ମଚାରୀମାନଙ୍କ ଆଜ୍ଞା ଅଧିନ ଅଟେ ଏବଂ ମୁଁ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଆସ କହି ଡାକିଲେ ସେ ଆସନ୍ତି ଓ ଯାଅ ବୋଲି କହିଲେ ଯାଆନ୍ତି I ମୁଁ ମୋର ଦାସକୁ ଏହା କର ବୋଲି କହିଲେ ସେ ତାହା କରେ I 10 ଯୀଶୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ତାହାଙ୍କ ସଙ୍ଗରେ ଆସୁଥିବା ବହୁ ସଂଖ୍ୟକ ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ଏହା ଶୁଣ, ମୋ’ଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏହି ଅଣଯିହୁଦୀ ଲୋକର ବିଶ୍ଵାସ ପରି ବିଶ୍ଵାସ କାହାରିଠାରେ ମୁଁ ଆଗରୁ ଦେଖି ନାହିଁ, ଏପରିକି ଇସ୍ରାଏଲ୍ ମଧ୍ୟରେ ସୁଦ୍ଧା I ଯେତେବେଳେ ଲୋକମାନେ ବିଶ୍ଵାସ କରନ୍ତୁ ବୋଲି ମୁଁ ଆଶା କରେ I ମୋ’ଠାରେ ବିଶ୍ଵାସ କରୁଥିବା କାହାରିଠାରେ ଏପରି ପାଇ ପାରିନି ? 11 ଆଉ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଆନେକ ଅଣଯିହୁଦୀ ଲୋକମାନେ ଆସି ମୋ’ଠାରେ ବିଶ୍ଵାସ କରିବେ, ସେମାନେ ଅନେକ ଦେଶ ବିଦେଶରୁ ଆସିବେ I ସେମାନେ ପୂର୍ବରୁ ଓ ପଶ୍ଚିମରୁ ଆସି ଅବ୍ରାହମ, ଇସ୍‌ହାକ ଓ ଯାକୁବଙ୍କ ସହ ମିଶି ଭୋଜନରେ ବସିବେ l ସେତେବେଳେ ଈଶ୍ଵର ସ୍ଵର୍ଗରୁ ଥାଇ ସମସ୍ତ ବିଷୟକୁ ସମ୍ପନ୍ନ କରିବେ l 12 ଅଥଚ, ଯେଉଁ ଇଶ୍ରାଏଲୀୟମାନଙ୍କ ନିମନ୍ତେ ରାଜ୍ୟ ପ୍ରସ୍ତୁତ ହୋଇଥିଲା, ସେମାନଙ୍କ ମଧ୍ୟରୁ ଅନେକେ ବାହାର ଅନ୍ଧକାରରେ ପକାଯିବେ l ଯେଉଁଠାରେ ସମ୍ପୂର୍ଣ୍ଣ ଅନ୍ଧକାର, ସେଠାରେ ସେମାନେ କ୍ରନ୍ଦନ କରିବେ, କାରଣ ସେମାନଙ୍କ ଦୁଃଖଭୋଗ ଓ ଦନ୍ତର କିଡିମିଡି ହେବ, କାରଣ ସେମାନେ ଅନନ୍ତ ଯନ୍ତ୍ରଣା ଭୋଗ କରିବେ l 13 ତହିଁରେ ଯୀଶୁ ଶତ ସେନାପତିକୁ କହିଲେ, ଘରକୁ ଫେରିଯାଅ, ତୁମ୍ଭେ ଯେପରି ବିଶ୍ଵାସ କରିଅଛ, ତୁମ୍ଭ ପ୍ରତି ସେହିପରି ଘଟିଅଛି l ତହିଁରେ ଶତ ସେନାପତି ଆପଣା ଘରକୁ ଫେରିଗଲେ ଏବଂ ଯାଉ ଯାଉ ଜାଣିବାକୁ ପାରିଲେ ଯେ, ତାହାଙ୍କ ଦାସ ସୁସ୍ଥ ହୋଇଅଛି ବୋଲି ଯୀଶୁ ଯେଉଁ ସମୟରେ କହିଥିଲେ, ଠିକ୍ ସେହି ସମୟରେ, ତାହାଙ୍କ ଦାସଟି ସୁସ୍ଥ ହୋଇଅଛି l 14 ପରେ ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେତେକ ପିତରଙ୍କ ଗୃହକୁ ଗଲେ, ସେତେବେଳେ ପିତରଙ୍କ ଶାଶୁ ଜ୍ଜରରେ ପୀଡିତ ହୋଇ ଶଯ୍ୟାରେ ପଡି ରହିଥିବା ଯୀଶୁ ଦେଖିଲେ l 15 ଯୀଶୁ ପିତରଙ୍କ ଶାଶୁଙ୍କ ପାଖକୁ ଯାଇ ତାହାକୁ ସ୍ପର୍ଶ କରନ୍ତେ ସଙ୍ଗେ ସଙ୍ଗେ ସେ ଜ୍ଜରରୁ ସୁସ୍ଥତା ପାଇ ଉଠି ତାହାଙ୍କ ସେବା କରୁ କରୁ ଖାଦ୍ୟ ପ୍ରସ୍ତୁତ କଲେ l 16 ସେ ଦିନ ବିଶ୍ରାମବାର ଥିଲା, ସେହିଦିନ ସନ୍ଧ୍ୟା ସମୟରେ ଲୋକମାନେ କେତେକ ଭୁତାତ୍ମାବିଷ୍ଟ ଲୋକଙ୍କୁ ଓ ଅନେକ ପୀଡିତ ଲୋକଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ l ଆଉ ଯୀଶୁଙ୍କ କଥାରେ ଭୁତାତ୍ମାମାନେ ପଳାଇଲେ, ଏବଂ ରୋଗୀମାନେ ସୁସ୍ଥ ହେଲେ l 17 ଯେତେବେଳେ ସେ ଏହି ସମସ୍ତ ଆଶ୍ଚର୍ଯ୍ୟ କର୍ମମାନ କଲେ, ସେତେବେଳେ ଯିଶାଇୟ ଭବିଷ୍ୟତ ବକ୍ତାଙ୍କ ଉକ୍ତ ବାକ୍ୟ ସଫଳ ହେଲା, "ସେ ଆମ୍ଭମାନଙ୍କ ଯାତନା ସବୁ ଦୂର କଲେ, ଓ ତାହାଙ୍କ ପ୍ରହାରରେ ଆମ୍ଭମାନଙ୍କ ବ୍ୟାଧି ସବୁ ବୋହି ନେଲେ l" 18 ପରେ ଲୋକ ଗହଳି ଅଧିକ ହେବାରୁ ଗୋଟିଏ ନୌକାରେ ତାଙ୍କୁ ହ୍ରଦର ଆରପାରିକି ନେଇ ଯିବା ପାଇଁ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, 19 ଯେତେବେଳେ ସେମାନେ ନୌକାରେ ବସିବାକୁ ଯାଉଥିଲେ, ସେତେବେଳେ ଯିହୁଦୀମାନଙ୍କର ଜଣେ ଗୁରୁ ତାହାଙ୍କ ନିକଟକୁ ଆସି କହିଲେ, ହେ ଗୁରୁ, ଆପଣ ଯେଉଁ ଯେଉଁ ସ୍ଥାନକୁ ଯିବେ, ମୁଁ ମଧ୍ୟ ଆପଣଙ୍କ ସହିତ ସେଠାକୁ ଯିବି l 20 ଯୀଶୁ ତାହାକୁ କହିଲେ, ବିଲୁଆମାନଙ୍କର ରହିବା ପାଇଁ ଗାତ ଅଛି, ଆକାଶର ପକ୍ଷୀମାନଙ୍କର ବସା ଅଛି, ମାତ୍ର ମୁଁ ମନୁଷ୍ୟପୁତ୍ରଙ୍କର, ମୁଣ୍ଡ ଗୁଞ୍ଜିବା ପାଇଁ କୌଣସି ସ୍ଥାନ ନାହିଁ l 21 ପୁଣି ଯୀଶୁଙ୍କର ଅନ୍ୟ ଜଣେ ଶିଷ୍ୟ ଯୀଶୁଙ୍କୁ କହିଲେ, ହେ ପ୍ରଭୁ, ପ୍ରଥମେ ମୋତେ ମୋ’ ଘରକୁ ଯିବାକୁ ଅନୁମତି ଦିଅନ୍ତୁ, ମୋର ପିତାଙ୍କ ମୃତ୍ୟୁ ଅନ୍ତେ ହୋଇଛି ତାହାଙ୍କୁ କବର ଦେଇ ଆପଣଙ୍କର ଅନୁଗାମୀ ହେବି l 22 କିନ୍ତୁ ଯୀଶୁ ତାହାଙ୍କୁ ଉତ୍ତର ଦେଲେ," ମୃତ ଲୋକମାନଙ୍କୁ ମୃତ ଲୋକମାନଙ୍କ କଥା ବୁଝିବା ନିମନ୍ତେ ଛାଡି ଦିଅ, ମାତ୍ର ତୁମ୍ଭେ ବର୍ତ୍ତମାନ ହିଁ ମୋର ଅନୁଗାମୀ ହୁଅ l" 23 ଏହାପରେ ସେ ନୌକାରେ ଚଢି ଆପଣା ଶିଷ୍ୟମାନଙ୍କ ସହ ହ୍ରଦର ଆରପାରିକି ଯିବାକୁ ବାହାରିଗଲେ l 24 ହଠାତ୍ ଭୟଙ୍କର ଝଡ ଉଠିଲା, ଓ ବଡ଼ ବଡ଼ ଲହଡିରେ ନୌକାଟି ପାଣିରେ ପୁର୍ଣ୍ଣ ହେବାକୁ ଲାଗିଲା l କିନ୍ତୁ ଯୀଶୁ ନିଦରେ ଶୋଇ ପଡିଥିଲେ l 25 ଶିଷ୍ୟମାନେ ତାଙ୍କୁ ନିଦରୁ ଉଠାଇ ଚିତ୍କାର କରି କହିଲେ,"ପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କରନ୍ତୁ, ଆମ୍ଭେମାନେ ବୁଡି ଯାଉଅଛୁ l" 26 ମାତ୍ର, ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, "ତୁମ୍ଭେମାନେ କାହିଁକି ଏତେ ଭୟ କରୁଅଛ, ମୁଁ ଯେ ତୁମ୍ଭକୁ ରକ୍ଷା କରି ପାରେ, ଏଥିରେ କ’ଣ ତୁମ୍ଭମାନଙ୍କର ବିଶ୍ଵାସ ନାହିଁ ? ତତ୍ପରେ ସେ ଠିଆ ହୋଇ ଝଡ ପବନ ଓ ଢେଉକୁ ଧମକ ଦେଲେ, ଏବଂ ଝଡ ବତାସ ବନ୍ଦ ହୋଇ ସବୁ ଶାନ୍ତ ପଡିଗଲା l 27 ଏହା ଦେଖି ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇ ପରସ୍ପର କୁହାକୁହି ହେଲେ, " ଏହି ଲୋକଟି ସତରେ ଜଣେ ଅସାଧାରଣ ବ୍ୟକ୍ତି ଅଟନ୍ତି, ସମସ୍ତ ବିଷୟ ଏହାଙ୍କ ନିୟତ୍ରଣାଧିନ, ଏପରିକି, ପବନ ଓ ସମୁଦ୍ର ସୁଦ୍ଧା ଏହାଙ୍କ କଥା ମାନନ୍ତି l" 28 ପରେ ସେମାନେ ହ୍ରଦର ଅପର ପାର୍ଶ୍ୱରେ ଗାଦରୀୟମାନଙ୍କ ଅଂଚଳରେ ପହଁଞ୍ଚିଲା ପରେ, ଦୁଇ ଜଣ ଭୂତଗ୍ରସ୍ଥ ଲୋକ ଆସି ତାଙ୍କୁ ଭେଟିଲେ, ସେମାନେ କବର ସ୍ଥାନରେ ରହୁଥିଲେ, ଏବଂ ଏଡେ ଭୟଙ୍କର ଥିଲେ ଯେ ସେହି ବାଟ ଦେଇ କେହି ଯାଇ ପାରୁ ନ ଥିଲେ l 29 ସେମାନେ ଚିତ୍କାର କରି ଯୀଶୁଙ୍କୁ କହିଲେ, ହେ ଈଶ୍ୱରଙ୍କ ପୁତ୍ର, ଆମ୍ଭମାନଙ୍କ ସହିତ ତୁମ୍ଭର କ'ଣ ଅଛି ? ଈଶ୍ୱରଙ୍କର ନିରୁପିତ ସମୟ ପୂର୍ବରୁ ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବାପାଇଁ କ'ଣ ତୁମ୍ଭେ ଏଠାକୁ ଆସିଅଛ? 30 ସେଠାରୁ ଅଳ୍ପ ଦୂରରେ ବହୁ ସଂଖ୍ୟକ ଏକ ଘୁଷୁରୀ ପଲ ଚରୁଥିଲେ l 31 ଏଣୁ ଭୁତାତ୍ମାମାନେ ବିନତି କରି କହିଲେ, "ତୁମ୍ଭେ ଯଦି ଆମ୍ଭମାନଙ୍କୁ ବାହାର କରିଦେବ, ତେବେ ଆମ୍ଭମାନଙ୍କୁ ସେହି ଘୁଷୁରୀ ପଲ ମଧ୍ୟକୁ ପଠାଇ ଦିଅ l" 32 ଯୀଶୁ ସେମାନଙ୍କୁ କହିଲେ, "ଯଦି ତାହା ତୁମ୍ଭେମାନେ ଚାହୁଁଅଛ, ଯାଅ l " ଆଉ ସେହି ଭୁତାତ୍ମାମାନେ ସେହି ଲୋକମାନଙ୍କ ମଧ୍ୟରୁ ବାହାରି ଘୁଷୁରୀମାନଙ୍କ ମଧ୍ୟରେ ପ୍ରବେଶ କଲେ l ଆଉ ଅକସ୍ମାତ୍ ପାହାଡର ଶିଖରରୁ ପଲ ଘୁଷୁରୀ ଅତି ବେଗରେ ଦୌଡି ଯାଇ ପାଣିରେ ପଡି ବୁଡି ମଲେ l 33 ସେଥିରେ ଘୁଷୁରୀ ଜଗୁଆଳମାନେ ଅତ୍ୟନ୍ତ ଭୟଭୀତ ହୋଇ ଦୌଡି ପଳାଇ ଗଲେ ଓ ନିକଟସ୍ଥ ସହରକୁ ଯାଇ ଦେଖିଥିବା ସମସ୍ତ ଘଟଣା ଜଣାଇଲେ, ଆଉ ଭୁତାତ୍ମାବିଶିଷ୍ଟ ଲୋକମାନଙ୍କ ପ୍ରତି ଘଟିଥିବା ସମସ୍ତ ବିବରଣୀ ମଧ୍ୟ ଜଣାଇଲେ l 34 ଆଉ ସେହି ସହରର ଲୋକମାନେ ଯୀଶୁଙ୍କୁ ଦେଖିବା ପାଇଁ ଦୌଡି ଆସିଲେ l ଯେତେବେଳେ ସେମାନେ ତାହାଙ୍କୁ ଓ ଭୂତତ୍ମାବିଶିଷ୍ଟ ଲୋକମାନଙ୍କୁ ଦେଖିଲେ, ସେମାନେ ଯୀଶୁଙ୍କୁ ସେମାନଙ୍କ ଅଞ୍ଚଳ ଛାଡ଼ି ଚାଲି ଯିବାକୁ ଅନୁରୋଧ କଲେ l

Chapter 9

1 ତହୁଁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଏକ ନୌକା ପାଇ ସେଠାରୁ ହ୍ରଦ ପାର ହୋଇ ଯେଉଁ ସହରରେ ରହୁଥିଲେ ସେହି କଫର୍ନାହୁମ ସହରକୁ ଆସିଲେ l 2 ପରେ ଲୋକେ ଏକ ପକ୍ଷାଘାତି ରୋଗୀକୁ ବିଛଣାରେ ବୋହି ତାହାଙ୍କ ନିକଟକୁ ଆଣିଲେ, ସେହି ପକ୍ଷାଘାତ ରୋଗୀକୁ ଯୀଶୁ ଯେ ସୁସ୍ଥ କରି ପାରିବେ ଏ ବିଷୟରେ ସେମାନଙ୍କର ବିଶ୍ୱାସ ଦେଖି, ଯୀଶୁ ସେହି ଯୁବାକୁ କହିଲେ, "ହେ ଯୁବା ଲୋକ ସାହାସ ଧର! ମୁଁ ତୁମ୍ଭର ପାପସବୁ କ୍ଷମା କରୁଅଛି l" 3 ଏହା ଶୁଣି ଯିହୁଦୀମାନଙ୍କର କେତେକ ଧର୍ମନେତା ପରପ୍ସର କୁହାକୁହି ହେଲେ, "ଏହି ଲୋକ ନିଜକୁ ଈଶ୍ୱର ବୋଲାଉ ଅଛି, ସେ କେବେ ମଧ୍ୟ କାହାରି ପାପ କ୍ଷମା କରି ପାରିବ ନାହିଁ l" 4 ଯୀଶୁ ସେମାନଙ୍କ ମନର କଥା ଜାଣି ପାରି ସେମାନଙ୍କୁ କହିଲେ, "ତୁମ୍ଭେମାନେ କାହିଁକି ଏପରି ମନ୍ଦ ଚିନ୍ତା କରୁଅଛ " 5 ତୋର ପାପ ସବୁ କ୍ଷମା କରାଗଲା କିମ୍ବା ଉଠ ଚାଲ ବୋଲି କହିବା କ'ଣ ସହଜ ?" 6 ଈଶ୍ୱର ଯେ ମନୁଷ୍ୟ ପୁତ୍ରଙ୍କୁ ଜଗତର ପାପ କ୍ଷମା କରିବାକୁ ଅଧିକାର ଦେଇଅଛନ୍ତି, ଏହା ତୁମ୍ଭେମାନେ କେପରି ଜାଣିପାର, ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ,"ଉଠ, ତୁମ୍ଭର ବିଛଣା ଘେନି ଘରକୁ ଯାଅ l" 7 ସେହିକ୍ଷଣୀ ଲୋକଟି ଉଠି ଆପଣା ବିଛଣା ଘେନି ଘରକୁ ଚାଲିଗଲା l 8 ଏହା ଦେଖି ଲୋକମାନେ ଚମତ୍କୃତ ହେଲେ, ଈଶ୍ୱର ଯେ ମନୁଷ୍ୟକୁ ଏପରି ଅଧିକାର ଦେଇଥିବାରୁ ସେମାନେ ଈଶ୍ୱରଙ୍କ ପ୍ରଶଂସା କରିବାକୁ ଲାଗିଲେ l 9 ଆଉ ଯୀଶୁ ସେଠାରୁ ବାହାରି ଯାଉ ଯାଉ ମାଥିଉ ନାମରେ ଜଣେ କରଆଦାୟକାରୀଙ୍କୁ ରୋମୀୟ ସରକାରଙ୍କ ନିମନ୍ତେ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାଙ୍କୁ କହିଲେ, "ମୋ ସହିତ ଆସ ଓ ମୋହର ଶିଷ୍ୟ ହୁଅ l" ଏଥିରେ ମାଥିଉ ଉଠି ତାହାଙ୍କ ସହିତ ଗମନ କଲେ l 10 ଯୀଶୁ ଏବଂ ତାଙ୍କ ଶିଷ୍ୟମାନେ ଗୋଟିଏ ଘରେ ବସି ଭୋଜନ କରୁଥିବା ସମୟରେ, ଅନେକ କରଗ୍ରାହୀ ଓ ଅନ୍ୟ ଲୋକମାନେ ଆସି ତାହାଙ୍କ ସହିତ ଭୋଜନ କଲେ l 11 ତାହା ଦେଖି ଫାରୁଶୀମାନେ ଶିଷ୍ୟମାନଙ୍କ ପାଖକୁ ଯାଇ କହିଲେ, "ତୁମ୍ଭମାନଙ୍କ ଗୁରୁ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସହିତ ମିଶି ଭୋଜନ ପାନ କରୁଅଛନ୍ତି ?" 12 ଯୀଶୁ ସେମାନଙ୍କ କଥିତ ବିଷୟ ଶୁଣି, ସେମାନଙ୍କୁ ଏକ ଦୃଷ୍ଟାନ୍ତ କହିଲେ, "ଅସୁସ୍ଥ ଲୋକର ଚିକିତ୍ସକଠାରେ ପ୍ରୟୋଜନ ଥାଏ, ମାତ୍ର ସୁସ୍ଥ ଲୋକର ନୁହେଁ l" 13 ସେ ଆହୁରି ମଧ୍ୟ କହିଲେ, " ଈଶ୍ୱର ଧର୍ମଶାସ୍ତ୍ରରେ ଏହି ଉକ୍ତିର ଅର୍ଥ ନେଇ କ'ଣ ଶିକ୍ଷା ଦିଅନ୍ତି ତାହା ତୁମ୍ଭେମାନେ ଯାଇ ଶିକ୍ଷା କର l ମୁଁ ତୁମ୍ଭମାନଙ୍କଠାରୁ ବଳିଦାନ ଓ ନୈବେଦ୍ୟ ଚାହେଁ ନାହିଁ, ମାତ୍ର ତୁମ୍ଭେମାନେ ଦୟାଳୁ ହୁଅ, ଏହା ମୁଁ ଚାହେଁ l ଏହା ମନେରଖ ଯେ, ଈଶ୍ୱରଙ୍କ ପ୍ରତି ପାପୀମାନଙ୍କ ହୃଦୟ ଫେରାଇ ଆଣିବା ପାଇଁ ମୁଁ ପାପୀମାନଙ୍କୁ ଆହ୍ଵାନ କରିବାକୁ ଆସିଅଛି, ମାତ୍ର ଧାର୍ମିକମାନଙ୍କୁ ନୁହେଁ l" 14 ଥରେ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, "ଆମେ ଓ ଫାରୁଶୀମାନେ ଉପବାସ କରୁ, ମାତ୍ର ଆପଣଙ୍କ ଶିଷ୍ୟମାନେ କାହିଁକି ସେପରି କରନ୍ତି ନାହିଁ ?" 15 ଯୀଶୁ ଉତ୍ତର ଦେଲେ, ବର ସଙ୍ଗରେ ଥିବା ପର୍ଯ୍ୟନ୍ତ ବରର ବନ୍ଧୁମାନେ କ'ଣ ଶୋକ ଓ ଉପବାସ କରନ୍ତି ? କିନ୍ତୁ ସମୟ ଆସୁଅଛି, ଯେତେବେଳେ ବରଙ୍କୁ ସେମାନଙ୍କ ନିକଟରୁ ଉଠାଇ ନିଆଯିବ, ସେତେବେଳେ ସେମାନେ ଉପବାସ କରିବେ l" 16 କେହି କ'ଣ ପୁରୁଣା ଲୁଗାରେ ନୂଆ ଲୁଗାର ତାଳି ପକାଏ ? ତାହା କଲେ ତାଳିଟି ଲୁଗାକୁ ଆହୁରି ଛିଣ୍ଡାଇ କଣାକୁ ଆହୁରି ବଡ କରିଦିଏ l 17 ଅଥବା କେହି କ'ଣ ପୁରୁଣା କୁମ୍ପାରେ ନୂଆ ଅଙ୍ଗୁର ରସ ରଖେ ? ଯଦି କେହି ଏପରି କରେ, ତେବେ ନୂଆ ଅଙ୍ଗୁର ରସ ମଦରେ ପରିଣତ ହେଲା ପରେ ସେହି ପୁରୁଣା କୁମ୍ପାକୁ ଫଟାଇ ଦିଏ ଏବଂ କୁମ୍ପାଟି ନଷ୍ଟ ହୋଇଯାଏ ଓ ସମସ୍ତ ମଦ ଗୁଡିକ ତଳେ ପଡ଼ି ନଷ୍ଟ ହୁଏ l ଏଣୁ ଲୋକେ ନୂଆ ମଦକୁ ନୂଆ କୁମ୍ପାରେ ରଖନ୍ତି ଓ ଯେତେବେଳେ ମଦଟି ଫୁଲି ଉଠେ, ସେତେବେଳେ କୁମ୍ପାଟିର ଚମଡା ଆହୁରି ଚୌଡ଼ା ହୁଏ l ଏପରି କଲେ ମଦ ଓ କୁମ୍ପା ଉଭୟକୁ ରକ୍ଷା କରାଯାଇ ପାରିବ l 18 ଯୀଶୁ ଏହା କହୁଥିବା ସମୟରେ, ସ୍ଥାନୀୟ ନଗରର ଜଣେ ଅଧ୍ୟକ୍ଷ ଆସି ତାଙ୍କୁ ପ୍ରଣାମ କରି କହିଲେ, "ମୋର ଝିଅଟି ଏହିକ୍ଷଣୀ ମରିଗଲା, କିନ୍ତୁ ଆପଣ ଆସି ଯଦି ତାହାକୁ ଛୁଇଁ ଦିଅନ୍ତି, ତେବେ ସେ ପୁଣିଥରେ ବଞ୍ଚି ଉଠିବ l" 19 ତହିଁରେ ଯୀଶୁ ଓ ଶିଷ୍ୟମାନେ ସେହି ଲୋକଟିର ସହିତ ଗଲେ l 20 ସେମାନେ ଯାଉଥିବା ସମୟରେ ଜଣେ ସ୍ତ୍ରୀ ଲୋକ (ଯେ କି ବାର ବର୍ଷ ପର୍ଯ୍ୟନ୍ତ ରକ୍ତସ୍ରାବ ରୋଗରେ ପଡି କଷ୍ଟ ଭୋଗୁଥିଲା) ଯୀଶୁଙ୍କ ପଛ ପଟରୁ ଆସି ତାହାଙ୍କ ଲୁଗାର ଝୁମ୍ପାକୁ ଛୁଇଁଲା l 21 କାରଣ ସେ ମନେ ମନେ କହୁଥିଲା, "ଯଦି ମୁଁ ତାହାଙ୍କର ଲୁଗାକୁ ଛୁଇଁ ଦିଏ, ତବେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବି l" 22 ତହିଁରେ ଯୀଶୁ ବୁଲି ପଡି କିଏ ତାହାଙ୍କୁ ଛୁଇଁଲା ଏହା ଦେଖିବା ପାଇଁ ଚାରି ଆଡକୁ ଅନାଇଲେ, ଆଉ ଯେତେବେଳେ ସେ ସେହି ସ୍ତ୍ରୀକୁ ଦେଖିଲେ, ତାହାକୁ କହିଲେ, "ହେ ନାରୀ, ସାହସ ଧର, କାରଣ ମୁଁ ଯେ ତୁମ୍ଭକୁ ସୁସ୍ଥ କରିପାରେ ବୋଲି ବିଶ୍ୱାସ ରଖିଥିବାରୁ ମୁଁ ତୁମ୍ଭକୁ ସୁସ୍ଥ କରୁଅଛି l ସେହିକ୍ଷଣି ସେହି ସ୍ତ୍ରୀ ଲୋକଟି ସୁସ୍ଥ ହେଲା l 23 ପରେ ଯୀଶୁ ସେହି ଅଧକ୍ଷଙ୍କ ଗୃହକୁ ଆସି ବଂଶୀ ବାଦକମାନଙ୍କୁ ଅନ୍ତ୍ୟେଷ୍ଟିକ୍ରିୟାରେ ରୋଦନ ଓ ବିଳାପ କରୁଥିବା ଦେଖିଲେ I ସେଥିରେ ମଧ୍ୟ ଅନେକ ଲୋକ କୋଳାହଳ ସହ ସେହି ମୃତ ବାଳିକା ନିମନ୍ତେ ବିଳାପ କଲେ I 24 ସେ ସେମାନଙ୍କୁ କହିଲେ " ଅନ୍ତ୍ୟେଷ୍ଟି କ୍ରିୟାରେ ସଙ୍ଗୀତ ଓ ବିଳାପ ବନ୍ଦ କରି ଏଠାରୁ ବାହାରି ଯାଅ, କାରଣ ବାଳିକାଟି ମରି ନାହିଁ ମାତ୍ର ଶୋଇଅଛି I 25 କିନ୍ତୁ ସେମାନଙ୍କୁ ସେହି ଗୃହରୁ ବାହାରି ଯିବାକୁ ସେମାନଙ୍କୁ କହିଲେ, ପରେ ସେ ବାଳିକା ଥିବା ଗୃହକୁ ପ୍ରବେଶ କରି ବାଳିକା ନିକଟକୁ ଗଲେ ଓ ତାହାର ହାତ ଧରି ଡାକି ଉଠାଇଲେ ଆଉ ସେ ବାଳିକା ଉଠି ଠିଆ ହେଲା I 26 ଆଉ ଏହି ଅଲୌକିକ କାର୍ଯ୍ୟ ସେହି ଅଞ୍ଚଳରେ ବ୍ୟାପି ଗଲା I 27 ଯୀଶୁ ସେହି ଗୃହରୁ ବାହାରିବା ସମୟରେ, ଦୁଇ ଜଣ ଅନ୍ଧ ତାଙ୍କ ପଛେ ପଛେ ବାହାରି ଆସି ଚିତ୍କାର କରି କହିଲେ, ହେ ଦାଉଦଙ୍କ ସନ୍ତାନ ଯୀଶୁ ଆମ୍ଭମାନଙ୍କ ପ୍ରତି ଦୟା କରନ୍ତୁ I 28 ଯୀଶୁ ସେହି ଗୃହକୁ ଗଲେ ଓ ସେଇ ଅନ୍ଧମାନେ ମଧ୍ୟ ସେହି ଗୃହକୁ ଗଲେ, ତହିଁରେ ଯୀଶୁ ପଚାରିଲେ, ମୁଁ ଯେ ତୁମ୍ଭକୁ ସୁସ୍ଥ କରିପାରେ ଏହା କ’ଣ ତୁମ୍ଭେ ବିଶ୍ଵାସ କରୁଅଛ ? ସେମାନେ କହିଲେ, ହଁ ପ୍ରଭୁ ! 29 ଏହା ପରେ ସେ ସେମାନଙ୍କ ଚକ୍ଷୁ ଛୁଇଁ ସେମାନଙ୍କୁ କହିଲେ, ମୁଁ ଯେ ତୁମ୍ଭମାନଙ୍କ ଚକ୍ଷୁକୁ ସୁସ୍ଥ କରିପାରେ ଏହା ବିଶ୍ଵାସ କରୁ ଥିବାରୁ, ଏହି କ୍ଷଣି ମୁଁ ତୁମ୍ଭକୁ ସୁସ୍ଥ କରୁଅଛି I 30 ତତ୍‌କ୍ଷଣତ୍ ସେମାନଙ୍କର ଚକ୍ଷୁ ଖୋଲିଗଲା ଓ ସେମାନେ ଦେଖି ପାରିଲେ I ଯୀଶୁ ସେମାନଙ୍କୁ ଦୃଢ ଭାବରେ ସେମାନଙ୍କୁ ଅଜ୍ଞା ଦେଇ କହିଲେ' ମୁଁ ଯେଉଁ ବିଷୟ ଏଠାରେ କଲି ଏହା ତୁମ୍ଭେ କାହାକୁ କୁହ ନାହିଁ I 31 ମାତ୍ରା ସେମାନେ ବାହାରି ଯାଇ ଯୀଶୁଙ୍କର କର୍ମସବୁ ଅଞ୍ଚଳରେ ପ୍ରଚାର କଲେ I 32 ସେଇ ଦୁଇ ଜଣ ବାହାରିବା ପରେ କିଛି ଲୋକ ଏକ ମୂକ ଲୋକକୁ ଯୀଶୁଙ୍କ ପାଖକୁ ଆଣିଲେ, କାରଣ ସେହି ବ୍ୟକ୍ତି ମଧ୍ୟରେ ଏକ ଭୂତଆତ୍ମା ପରିଚାଳିତ କରୁଥିଲା I 33 ଯୀଶୁ ସେହି ଲୋକ ମଧ୍ୟରେ କାର୍ଯ୍ୟ କରୁଥିବା ଭୂତଆତ୍ମାକୁ ବାହାର କରିବା ମାତ୍ରେ ଲୋକଟି କଥା କହିପାରିଲା I ଏହା ଦେଖି ଲୋକମାନେ ଅନେକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ, ଇସ୍ରାଏଲ୍ ମଧ୍ୟରେ ଏପରି ଅଦ୍ଭୁତ କର୍ମ ଆମେ କେବେ ଦେଖି ନ ଥିଲୁ I 34 କିନ୍ତୁ ଫାରୁଶୀମାନେ କହିଲେ ସେ ଭୂତମାନଙ୍କୁ ବାହାର କରିପାରୁଛି ତାହାର କାରଣ ଏହାକି ସେ ନିଜେ ଭୂତଗ୍ରସ୍ତ ଓ ଭୂତମାନଙ୍କ ରାଜା ଶୟତାନକୁ ଧରିଅଛି I 35 ଯୀଶୁ ସେହି ଅଞ୍ଚଳର ସବୁ ସହର ଓ ଗ୍ରାମ ବୁଲି ବୁଲି ସମାଜଗୃହମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେଇ ଈଶ୍ଵରଙ୍କ ରାଜ୍ୟ ସମ୍ବନ୍ଧରେ ସୁସମାଚାର ପ୍ରଚାର କଲେ I ସେ ଯେଉଁ ଯେଉଁ ସ୍ଥାନକୁ ଗଲେ, ସେଠାରେ ନାନାଦି ରୋଗରେ ପୀଡିତ ଲୋକମାନଙ୍କୁ ସେମାନଙ୍କ ରୋଗରୁ ସୁସ୍ଥ କଲେ I 36 ଯେତେବେଳେ ସେ ଲୋକ ଗହଳିକୁ ଦେଖିଲେ, ସେ ସେମାନଙ୍କୁ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଦୁର୍ଦ୍ଦଶାପନ୍ନ ଓ ଅସାଧ୍ୟ ଥିଲେ ଏବଂ ଅରକ୍ଷକ ମେଷ ପରି ଥିଲେ I 37 ପରେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଯେଉଁ ଲୋକମାନେ ମୋର ବାର୍ତ୍ତା ଶୁଣିବାକୁ ପ୍ରସ୍ତୁତ, ସେମାନେ ଫସଲ କଟାଳୀ ଅମଳ କରାଯିବାର କ୍ଷେତ୍ର ସଦୃଶ I କିନ୍ତୁ ଫସଲତ ପ୍ରଚୁର ମାତ୍ର ମୂଲିଆମାନଙ୍କ ସଂଖ୍ୟା ଅଳ୍ପ I 38 ତେଣୁ ଫସଲର ଅଧିକାରୀ ନିକଟରେ ପ୍ରାର୍ଥନା କର ଯେପରି ସେ ତାଙ୍କ ଫସଲ କ୍ଷେତ ପାଇଁ ଅଧିକ ମୂଲିଆ ପଠାଇବେ I

Chapter 10

1 ଯୀଶୁ ନିଜର ବାରଜଣ ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କୁ ଭୂତଆତ୍ମା ବାହର କରିବାକୁ ଓ ସବୁ ପ୍ରକାର ରୋଗ ବ୍ୟାଧିରୁ ଲୋକମାନଙ୍କୁ ସୁସ୍ଥ କରିବାର କ୍ଷମତା ଦେଲେ I 2 ଯୀଶୁ ବାରଜଣ ଶିଷ୍ୟମାନଙ୍କର ନାମ ଏହି ଯାହାଙ୍କୁ ପ୍ରେରିତ ବୋଲି ମଧ୍ୟ କୁହାଯାଏ, ସେମାନେ ହେଲେ ଶିମୋନ (ଯାହାଙ୍କୁ ପିତର ବୋଲି ନୂତନ ନାମ ଦେଲେ) ଅନ୍ଦ୍ରିୟ (ପିତରଙ୍କ ସାନ ଭାଇ) ଯାକୁବ (ଜେବଦିଙ୍କ ପୁତ୍ର) ଯୋହନ ( ଯାକୁବଙ୍କ ସାନ ଭାଇ) 3 ଫିଲିପ୍ପ, ବାର୍ଥଲମୀ, ଥୋମା, ମାଥିଉ (କର ଆଦାୟକାରୀ), ଯାକୁବ (ଆଲଫିଙ୍କ ପୁତ୍ର) ଥଦ୍ଦୀୟ, 4 ଶିମୋନ(ସ୍ଵଦେଶ-ପ୍ରେମୀ) ଓ ଇଷ୍କାରିୟୋତୀୟ ଯିହୁଦା (ଯେ ବିଶ୍ଵାସଘାତ କରି ଯୀଶୁଙ୍କୁ ଧରା ପକାଇଥିଲା I 5 ଯୀଶୁ ଏହି ବାର ଜଣଙ୍କୁ ପଠାଇ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ଅଣଯିହୂଦୀମାନଙ୍କ ପାଖକୁ ଯାଅ ନାହିଁ ଏବଂ ଶମିରୋଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ, 6 ଯୀଶୁ ଆପଣା ଶିଷ୍ୟ ମାନଙ୍କୁ ଏହି ନିକାଶ ଦେଇ ପଠାଇଲେ, ତୁମ୍ଭେମାନେ ବିଭିନ୍ନ ସ୍ଥାନକୁ ଯାଇ ସୁସମାଚାର ପ୍ରଚାର କର, ମାତ୍ର ଅଣଯିହୂଦୀ ଓ ଶମିରୋଣବାସୀଙ୍କ ନିକଟକୁ ଯାଅ ନାହିଁ, 7 ସେମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କର ସ୍ଵର୍ଗ ରାଜ୍ୟ ସନ୍ନିକଟ I 8 ରୋଗୀମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ ଓ କୁଷ୍ଠମାନଙ୍କୁ ସୁସ୍ଥ କର, ଭୂତ ଆତ୍ମାମାନଙ୍କୁ ବାହାର କର, ସାହାଯ୍ୟ ପାଇଁ ଲୋକମାନଙ୍କୁ ମାଗ ନାହିଁ, କାରଣ ଈଶ୍ଵର ମଧ୍ୟ ତୁମ୍ଭକୁ ସାହାଯ୍ୟ କରି ତୁମ୍ଭଠାରୁ ଅର୍ଥ ଦାବି କରନ୍ତି ନାହିଁ I 9 ତୁମ୍ଭ ସଙ୍ଗରେ ଅର୍ଥ/ଟଙ୍କା ମୁଣା ନିଅ ନାହିଁ I 10 କିମ୍ଵା ମୁଣାଟିଏ ମଧ୍ୟ ନିଅ ନାହିଁ, ମଧ୍ୟ କୌଣସି ପୋଷାକ ନିଅ ନାହିଁ, ଅବା ଜୋତା କିମ୍ବା ବାଡ଼ି ସୁଦ୍ଧା ନିଅ ନାହିଁ, କାରଣ ମଜୁରିଆ ତାହାର ମଜୁରୀ ପାଇବା ଯୋଗ୍ୟ I 11 ତୁମ୍ଭେମାନେ ଯେତେବେଳେ କୌଣସି ନଗର କିମ୍ବା ଗ୍ରାମରେ ପ୍ରବେଶ କରିବ, ସେତେବେଳେ ମୋ’ ଗୃହରେ ରୁହ ବୋଲି ଚାହୁଁଥିବା ଲୋକଙ୍କୁ ଖୋଜି ବାହାର କର I 12 ଯେତେବେଳେ ତୁମ୍ଭେ ତାହାର ସେହି ଗୃହରେ ପ୍ରବେଶ କରିବ ସେହି ଗୃହରେ ବାସ କରୁଥିବା ପ୍ରତ୍ୟେକ ଲୋକଙ୍କୁ ଆଶୀର୍ବାଦ ନିମନ୍ତେ ଈଶ୍ଵରଙ୍କଠାରେ ପ୍ରାର୍ଥନା କର, ସେହି ଗ୍ରାମ ଓ ସେହି ନଗର ନ ଛାଡିବା ପର୍ଯ୍ୟନ୍ତ ସେହି ଗୃହରେ ରୁହ ! 13 ସେହି ଗୃହର କର୍ତ୍ତା ଯେତେବେଳେ ତୁମ୍ଭକୁ ଉତ୍ତମ ଭବରେ ସ୍ଵାଗତ କରେ, ଈଶ୍ଵର ସେମାନଙ୍କୁ ଆଶୀର୍ବାଦ କରିବେ, ମାତ୍ର ସେମାନେ ତୁମ୍ଭକୁ ସ୍ଵାଗତ ନ କରନ୍ତି ତେବେ ତୁମ୍ଭର ପ୍ରାର୍ଥନା ସେମାନଙ୍କୁ ସାହାଯ୍ୟ କରିବ ନାହିଁ ଏବଂ ଈଶ୍ଵର ମଧ୍ୟ ସେମାନଙ୍କୁ ଆଶୀର୍ବାଦ କରିବେ ନାହିଁ ! 14 ସେହି ନଗରରେ ଅବସ୍ଥିତ ଲୋକମାନେ ଯେବେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ କିମ୍ବା ତୁମ୍ଭ ବାର୍ତ୍ତା ଶୁଣନ୍ତି ନାହିଁ ତେବେ ସେହି ସ୍ଥାନ ପରିତ୍ୟାଗ କରି ବାହାରି ଆସ ! ଯେତେବେଳେ ସେହି ସ୍ଥାନ ପରିତ୍ୟାଗ କରି ଆସ ସେତେବେଳେ ସେହି ସ୍ଥାନରେ ନିଜର ପାଦ ଧୂଳି ଝାଡି ଦିଅ, ତାହା କରିବା ଦ୍ୱାରା ଯେପରି ସେମାନେ ତୁମ୍ଭକୁ ପ୍ରତ୍ୟାଖ୍ୟାନ କରିଥିଲେ ସେହିପରି ଈଶ୍ଵର ମଧ୍ୟ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ ! 15 ଏହି ବିଷୟ ପ୍ରତି ଯତ୍ନରେ ଧ୍ୟାନ ଦିଅ, ମହା ବିଚାର ଦିନରେ ସେହି ସ୍ଥାନରେ ବାସ କରୁଥିବା ଦୁଷ୍ଟ ଲୋକମାନଙ୍କ ପାପପୂର୍ଣ୍ଣ ନଗରୀ ସଦୋମ ଓ ଗମୋରା ଦୁର୍ଦ୍ଦଶାଠାରୁ ଅଧିକ ବଳିଯିବ ! 16 ମନେରଖ, ମୁଁ ଯେତେବେଳେ ତୁମ୍ଭମାନଙ୍କୁ ସୁରକ୍ଷା ବିହୀନ ମେଷପରି କେନ୍ଦୁଆ ପରି ଚରିତ୍ର ଲୋକମାନଙ୍କ ମଧ୍ୟକୁ ପଠାଉଛି, ଏଣୁ ତୁମ୍ଭେ ସର୍ପ ପରି ଚତୁର ଓ କପୋତ ପରି ଅହିଂସ୍ରକ ହୁଅ I 17 କିନ୍ତୁ ସାବଧାନ ଲୋକମାନେ ତୁମ୍ଭମାନଙ୍କୁ ବନ୍ଦୀ କରିବେ ଏବଂ ତୁମ୍ଭମାନଙ୍କୁ ବିଚାରାଳୟରେ ତୁମ୍ଭକୁ ଠିଆ କରିବେ ଓ ଉପାସନାଳୟମାନଙ୍କରେ ତୁମ୍ଭମାନଙ୍କୁ ପ୍ରହାର କରିବେ ! 18 ହଁ, ମୋ’ ହେତୁରୁ ତୁମ୍ଭେମାନେ ରାଜା ଓ ରାଜ୍ୟପାଳଙ୍କ ଆଗରେ ବିଚାରିତ କରି ଦଣ୍ଡିତ କରିବେ, କିନ୍ତୁ ତୁମ୍ଭେମାନେ ସେହି ଶାସକ ଓ ଅଣ ଯିହୂଦୀମାନଙ୍କଠାରେ ମୋ’ ବିଷୟରେ ନେଇ ପରୀକ୍ଷିତ ହେବ I 19 ଯେତେବେଳେ ଲୋକମାନେ ତୁମ୍ଭମାନଙ୍କୁ ଗୀରାଫ କରିବେ, ସେତେବେଳେ କ’ଣ କରିବାକୁ ହେବ ଏ ବିଷୟ ନେଇ ଆଦୌ ଚିନ୍ତିତ ହୁଅ ନାହିଁ, କାରଣ କ’ଣ କହିବାକୁ ହେବ, ସେ ସମୟରେ ତୁମ୍ଭକୁ ଜଣେଇ ଦିଆଯିବ ! 20 ଯେହେତୁ ତୁମ୍ଭେ ଯେ କଥା କହିବ ତାହା ନୁହଁ, ମାତ୍ର ତୁମ୍ଭର ସ୍ଵର୍ଗୀୟ ପିତାଙ୍କ ଆତ୍ମା ତୁମ୍ଭ ମଧ୍ୟ ଦେଇ କଥା କହିବେ I 21 ମୋ’ଠାରେ ବିଶ୍ୱାସ କରୁଥିବା ଯୋଗୁଁ ଲୋକେ ତୁମ୍ଭମାନଙ୍କୁ ହତ୍ୟା କରିବା ନିମନ୍ତେ ଅଧିକାରୀଙ୍କ ହସ୍ତରେ ସମର୍ପଣ କରିବେ, ଉଦାହରଣ ସ୍ଵରୂପ ଭାଇ ଆପଣା ଭାଇର ଏବଂ ପିତା ଆପଣା ଆପଣା ସନ୍ତାନକୁ ଧରାଇଦେବେ ଓ ସନ୍ତାନ ଆପଣା ଆପଣା ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କର ମୃତ୍ୟୁର କାରଣ ହେବେ । 22 ମୋ’ଉପରେ ଭରସା ରଖିବାର କାରଣରୁ ଲୋକମାନେ ତୁମ୍ଭମାନଙ୍କୁ ଅତ୍ୟନ୍ତ ଘୃଣା କରିବେ, କିନ୍ତୁ ଯେ ମରଣ ପର୍ଯ୍ୟନ୍ତ ମୋ’ଠାରେ ଧାର୍ଯ୍ୟ ଧରି ବିଶ୍ଵସ୍ତ ରହିବେ ଈଶ୍ଵର ସେମାନଙ୍କୁ ପରିତ୍ରାଣ ଦେବେ । 23 ଗୋଟିଏ ସହରରେ ତୁମ୍ଭ ପ୍ରତି ନିର୍ଯ୍ୟାତନା ଘଟିଲେ ଅନ୍ୟ ସହରକୁ ପଳାଅ, ମୁଁ ମନୁଷ୍ୟ ସନ୍ତାନ ତୁମ୍ଭମାନଙ୍କୁ ସତ୍ୟ ସତ୍ୟ କହୁଅଛି, ତୁମ୍ଭେମାନେ ଇସ୍ରାଏଲ ଦେଶର ସହରକୁ ଯାଇ ମୋ’ବିଷୟରେ କହି ନ ଥିବା ଖ୍ରୀଷ୍ଟ ଆସିବେ । 24 ଶିଷ୍ୟ ଗୁରୁଠାରୁ କିମ୍ବା ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ । 25 ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ପରି ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ । ସେମାନେ ଯେବେ ଗୃହକର୍ତ୍ତାଙ୍କୁ ବାଲ୍‌ଜିବୂଲ୍ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ । 26 ଅତଏବ ସେମାନଙ୍କୁ ଭୟ କର ନାହିଁ; କାରଣ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ । 27 ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାରରେ କହେ, ତାହା ଆଲୋକରେ କୁହ, ପୁଣି, ଯାହା ତୁମ୍ଭେମାନେ ଗୋପନରେ ଶୁଣ, ତାହା ଘର ଛାତ ଉପରେ ଘୋଷଣା କର । 28 ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରି ପାରନ୍ତି, ତାହାଙ୍କୁ ହିଁ ଭୟ କର । 29 ଦୁଇଟି ଘରଚଟିଆ କ'ଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ ? ଆଉ ତୁମ୍ଭମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ; 30 କିନ୍ତୁ ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି । 31 ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ । 32 ଆଉ, ଯେ କେହି ଲୋକଙ୍କ ଆଗରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ସ୍ୱୀକାର କରିବି । 33 ମାତ୍ର ଯେ କେହି ଲୋକଙ୍କ ଆଗରେ ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ଅସ୍ୱୀକାର କରିବି । 34 ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ; ଶାନ୍ତି ଦେବାକୁ ନ ଆସି ବରଂ ଖଡ଼୍ଗ ଦେବାକୁ ଆସିଅଛି । 35 କାରଣ ମୁଁ ପିତାଙ୍କ ସହିତ ପୁତ୍ରର ଓ ମାତା ସହିତ କନ୍ୟାର ପୁଣି, ଶାଶୁ ସହିତ ବୋହୁର ବିରୋଧ ବଢାଇବାକୁ ଆସିଅଛି, 36 ଆଉ ମନୁଷ୍ୟର ନିଜ ପରିଜନ ହିଁ ତାହାର ଶତ୍ରୁ ହେବେ । 37 ଯେ ପିତା କି ମାତାକୁ ମୋ’ଠାରୁ ଅଧିକ ପ୍ରିୟ ଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ, ପୁଣି, ଯେ ପୁତ୍ର କି କନ୍ୟାକୁ ମୋ’ଠାରୁ ଅଧିକ ପ୍ରେମ କରେ, ସେ ମୋହର ଯୋଗ୍ୟ ନୁହେଁ । 38 ଆଉ ଯେ ଆପଣା କ୍ରୁଶ ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ । 39 ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ । 40 ଯେ ତୁମ୍ଭମାନଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ । 41 ଯେ ଭାବବାଦୀଙ୍କୁ ଭାବବାଦୀ ବୋଲି ଗ୍ରହଣ କରେ, ସେ ଭାବବାଦୀଙ୍କ ପୁରସ୍କାର ପାଇବ । ଆଉ ଯେ ଧାର୍ମିକ ବ୍ୟକ୍ତିଙ୍କୁ ଧାର୍ମିକ ବୋଲି ଗ୍ରହଣ କରେ, ସେ ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇବ । 42 ପୁଣି, ଯେ କେହି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋହର ଶିଷ୍ୟ ବୋଲି ଯଦି ଗିନାଏ ଥଣ୍ଡା ପାଣି ମଧ୍ୟ ପିଇବାକୁ ଦେବ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ ।

Chapter 11

1 ଯୀଶୁ ତାଙ୍କର ବାର ଜଣ ଶିଷ୍ୟ ମାନଙ୍କୁ ଏହି ସବୁ ଆଜ୍ଞା ଦେଇ ସାରିବା ପରେ, ସେ ସେମାନଙ୍କୁ ଇସ୍ରାଏଲ ର ନାନା ସହର ମାନଙ୍କୁ ପଠାଇଲେ ଆଉ ସେ ନିଜେ ମଧ୍ୟ ସେହି ଅଞ୍ଚଳର ଚାରିଆଡ଼େ ପ୍ରଚାର କରିବାକୁ ଲାଗିଲେ l 2 ବାପ୍ତିଜକ ଯୋହନ ବନ୍ଦୀଶାଳାରେ ଥାଇ ଯେତେବେଳେ ଖ୍ରୀଷ୍ଟଙ୍କର ଅଲୌକିକ ବିବରଣୀମାନ ଶୁଣିଲେ, ସେତେବେଳେ ସେ ଆପଣାର ଶିଷ୍ୟମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଯୀଶୁଙ୍କ ପାଖକୁ ଏହା କହି ପଠାଇଲେ, 3 ତୁମ୍ଭେମାନେ ତାହାଙ୍କୁ ପଚାରିବ, "ଭାବବାଦୀ ମାନେ ଯେଉଁ ଖ୍ରୀଷ୍ଟଙ୍କ ଆଗମନ ବିଷୟରେ କୁହନ୍ତି, ତୁମ୍ଭେ କି ସେହି, ନା ଆଉ କିଏ ଅଛି, ଯାହାଙ୍କୁ ଆମ୍ଭେମାନେ ଅପେକ୍ଷାରେ ରହିବୁ ! 4 ଯୀଶୁ ଯୋହନଙ୍କ ଶିଷ୍ୟମାନଙ୍କୁ ଉତ୍ତର ଦେଲେ," ତୁମ୍ଭେମାନେ ଯୋହନଙ୍କ ପାଖକୁ ବାହୁଡି ଯାଇ ଯାହା ଯାହା ମୋ’ଠାରୁ ଶୁଣିଲ ଆଉ ଦେଖିଲ ସେ ସମସ୍ତ ତାଙ୍କୁ ଜଣାଅ l 5 ଅନ୍ଧମାନେ ମୋ’ଦ୍ୱାରା ଦୃଷ୍ଟି ପାଉଛନ୍ତି, ଛୋଟାମାନେ ଚାଲୁଛନ୍ତି, କୁଷ୍ଠ ରୋଗୀମାନେ ସୁସ୍ଥ ହେଇଛନ୍ତି, ବଧିରମାନେ ଶୁଣୁଛନ୍ତି, ମୃତମାନେ ଜୀବନ ପାଇ ଉଠୁଛନ୍ତି ଓ ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାର କରାଯାଉଛି l" 6 ଆଉ ଯୋହନଙ୍କୁ ଏହି ବାର୍ତ୍ତା ଦିଅ, ଯେଉଁମାନେ ମତେ ଅବିଶ୍ୱାସ କରନ୍ତି ନାହିଁ ସେମାନେ ଧନ୍ୟ l 7 ଯୋହନଙ୍କ ଶିଷ୍ୟମାନେ ଚାଲିଗଲା ପରେ, ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିବାକୁ ଲାଗିଲେ, ତୁମ୍ଭେ ମାନେ ଯେତେବେଳେ ଯୋହନଙ୍କ ଦେଖିବାକୁ ମରୁ ପ୍ରାନ୍ତରକୁ ଯାଇଥିଲ, ତାଙ୍କୁ କାହା ପରି ଦେଖିବ ବୋଲି ଆଶା କରିଥିଲ? କ’ଣ ପବନରେ ଦୋହଲୁ ଥିବା ଲମ୍ବା ଲମ୍ବା ନଳ ଘାସକୁ l 8 ନଚେତ୍ ତାଙ୍କୁ ଆଉ କାହା ପରି ଦେଖିବାକୁ ଯାଇଥିଲ? କ’ଣ ରାଜପ୍ରସାଦରେ ରାଜକୀୟ ବସ୍ତ୍ରରେ ପରିହିତ ଜଣକୁ? ଏମାନେ ସମସ୍ତେ ରାଜପ୍ରାସାଦରେ ରୁହନ୍ତି କିନ୍ତୁ ମରୁ ପ୍ରାନ୍ତରେ ନୁହେଁ l 9 ଏଣୁ କରି ତୁମ୍ଭେମାନେ ସତ୍ୟରେ କାହାକୁ ଦେଖିବାକୁ ଯାଇଥିଲ? କ’ଣ ଜଣ ଭାବବାଦୀକୁ? ଅବଶ୍ୟ, ମୁଁ ତୁମ୍ଭମାନଙ୍କୁ କହୁଛି ଯୋହନ ସମସ୍ତ ଭାବବାଦୀମାନଙ୍କଠାରୁ ମହାନ ଅଟନ୍ତି l 10 କାରଣ ଈଶ୍ଵର ଭାବବାଦୀମାନଙ୍କ ଦ୍ଵାରା ଯାହାଙ୍କ ବିଷୟରେ ଧର୍ମ ଶାସ୍ତ୍ରରେ ଉଲ୍ଲେଖ କରି କହିଛନ୍ତି, ଦେଖ, ମୁଁ ମୋର ଅଗ୍ର ଦୂତଙ୍କୁ ପଠାଉଛି, ସେ ତୁମ୍ଭ ଆଗେ ଆଗେ ଯାଇ ତୁମ୍ଭର ପଥ ପ୍ରସ୍ତୁତ କରିବେ l 11 ପ୍ରକୃତରେ, ଯେତେ ମନୁଷ୍ୟ ଏଯାଏଁ ଜନ୍ମ ଗ୍ରହଣ କରିଅଛନ୍ତି ସେମାନଙ୍କ ମଧ୍ୟରୁ କେହିହେଲେ ଡୁବକ ଯୋହନଙ୍କଠାରୁ ମହାନ ନୁହନ୍ତି l ତଥାପି, ସ୍ଵର୍ଗ ରାଜ୍ୟରେ ଯେ ନ୍ୟୁନତମ ସେ ତାଙ୍କଠାରୁ ମହାନ l 12 ଡୁବକ ଯୋହନ ପ୍ରଚାର କରିବା ଓ ଜଳ ଦିକ୍ଷା ସମୟଠାରୁ ଏପର୍ଯ୍ୟନ୍ତ ଲୋକମାନେ ବହୁ ସଂଖ୍ୟାରେ ସ୍ଵର୍ଗ ରାଜ୍ୟ ଆଡକୁ ଆଗ୍ରହ ପୂର୍ବକ ମାଡି ଚାଲୁଛନ୍ତି l 13 ମୁଁ ଯୋହନଙ୍କ ବିଷୟରେ ଯାହା କହୁଅଛି, ତାହା ତୁମ୍ଭେମାନେ ଭାବବାଦୀମାନଙ୍କ ଦ୍ଵାରା ଲିଖିତ ସମସ୍ତ ବ୍ୟବସ୍ଥା ପୁସ୍ତକରେ ପାଠ କରିବାର କାରଣ ବ୍ୟବସ୍ଥା ଯୋହନଙ୍କ ପର୍ଯ୍ୟନ୍ତ ଥିଲା l 14 ତାହା କେବଳ ନୁହେଁ, ମାତ୍ର ଯଦି ତୁମ୍ଭେମାନେ ବୁଝିବାକୁ ଇଚ୍ଛା କର, ତେବେ ମୁଁ କହୁଅଛି, ଯୋହନ ହେଉଛନ୍ତି ଏଲୀୟ, ଯାହାଙ୍କ ଆଗମନ ବିଷୟରେ ଭାବବାଦୀମାନେ କହିଥିଲେ ଯେ ସେ ଭବିଷ୍ୟତରେ ଆସିବେ l 15 ଯଦି ତାହା ଜାଣିବାକୁ ଚାହଁ ତେବେ ମୁଁ ଯାହା କହୁଅଛି ତାହା ଶୁଣ l 16 କିନ୍ତୁ ତୁମ୍ଭେମାନେ ଓ ଅନ୍ୟ ଯେତେ ଲୋକ ବର୍ତ୍ତମାନ ଏହି ଜଗତରେ ବଞ୍ଚିଅଛ ତୁମ୍ଭେମାନେ ହାଟ ବଜାରରେ ଖେଳୁଥିବା ପିଲାମାନଙ୍କ ପରି ଅଟ l ସେମାନଙ୍କ ମଧ୍ୟରୁ କେହି କେହି ନିଜ ସାଙ୍ଗମାନଙ୍କୁ ଡାକି କହନ୍ତି, 17 ଆସ ଆମ୍ଭେମାନେ ତୁମ୍ଭମାନଙ୍କ ଆନନ୍ଦ ପାଇଁ ବଂଶୀ ବଜାଇବା କିନ୍ତୁ ତୁମ୍ଭେମାନେ ନାଚିବା ପାଇଁ ମନା କରୁଛ ! ପୁଣି ଆମ୍ଭେ ଶବ ଯାତ୍ରା ନିମନ୍ତେ ଗୀତ ଗାନ କଲୁ ମାତ୍ର ତୁମ୍ଭେ ବିଳାପ କଲ ନାହିଁ l 18 ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କହୁଅଛି, କାରଣ ତୁମ୍ଭେମାନେ ଯୋହନଙ୍କୁ ଓ ମତେ ଗ୍ରହଣ କରି ନାହଁ l ଯୋହନ ତୁମ୍ଭମାନଙ୍କୁ ପ୍ରଚାର କଲେ ମାତ୍ର ଲୋକେ ଯେପରି ମଦ୍ୟପାନ କରି ଖାଦ୍ୟ ଭୋଜନ କରନ୍ତି, ସେ ସେପରି ଭୋଜନ ପାନ କି ମଦ୍ୟପାନ କଲେ ନାହିଁ; ଆଉ ତୁମ୍ଭେ ମାନେ ତାହାଙ୍କୁ ଅଗ୍ରାହ୍ୟ କରି କହିଲ ସେ ପାଗଳ, ଗୋଟେ ଭୂତାତ୍ମା ଦ୍ଵାରା ପରିଚାଳିତ ବ୍ୟକ୍ତି l 19 ଆଉ ଖ୍ରୀଷ୍ଟ, ଯେ କି ମନୁଷ୍ୟ ପୁତ୍ର ସେ ଯୋହନଙ୍କ ପରି ନ ଥିଲେ l ମୁଁ ତୁମ୍ଭମାନଙ୍କ ସହିତ ସମାନ ଖାଦ୍ୟ ଖାଇଲି, ଦ୍ରାକ୍ଷାରସ ପାନ କଲି ଯେପରି ଅନ୍ୟମାନେ କରନ୍ତି ସେହିପରି କଲି ମାତ୍ର ମତେ ତୁମ୍ଭେମାନେ ଗ୍ରହଣ କଲନାହିଁ, ଆଉ କହିଲ, ଦେଖ ଏହି ଲୋକ ପେଟୁକ, ଅଧିକ ଖାଦ୍ୟ ଭୋଜନ କରୁଅଛି ଓ କରଗ୍ରାହୀ ଓ ପାପୀମାନଙ୍କ ବନ୍ଧୁ ଅଟେ l ମାତ୍ର ତୁମ୍ଭମାନଙ୍କ ପରି ବିଚକ୍ଷଣ ଲୋକମାନେ ନିଜର ସବୁ ଅମଙ୍ଗଳ ଆଚରଣକୁ ଯୁକ୍ତି ସଙ୍ଗତ ବୋଲି ପ୍ରମାଣ କରନ୍ତି l 20 ଏହାପରେ ଯୀଶୁ ଯେଉଁ ଯେଉଁ ନଗରରେ ଅନେକ ଆଶ୍ଚର୍ଯ୍ୟ କର୍ମମାନ କରିଥିବା ଲୋକମାନେ ଦେଖିଥିଲେ, ସେମାନେ ସେମାନଙ୍କ ପୂର୍ବ ପାପ ପୂର୍ଣ୍ଣ ଜୀବନରୁ ଫେରି ନ ଥିଲେ ସେହି ନଗରଗୁଡିକୁ ଦୋଷାରୋପ କରିବାକୁ ଲାଗିଲେ l 21 ହାୟ, ହାୟ, କୋରାଜିନ୍ ଓ ବେଥ୍‌ସାଇଦା, ତୁମ୍ଭମାନଙ୍କ ମଧ୍ୟରେ ମୁଁ ଅନେକ ଆଶ୍ଚର୍ଯ୍ୟ କର୍ମମାନ କଲି ମାତ୍ର ତୁମ୍ଭେମାନେ ନିଜ ନିଜ ପାପ କର୍ମରୁ ନିବୃତ୍ତ ହେଲ ନାହିଁ, ତାହା ଯଦି ଦୁଷ୍ଟ ନଗରୀ ସ୍ଵର ଓ ସୁଦାନରେ କରିଥାନ୍ତି, ତେବେ ସେଠାକାର ଲୋକେ ବହୁ କାଳରୁ ଲଜ୍ଜିତ ଓ ନମ୍ର ହୋଇ ନିଜ ଶରୀରରେ ଅଖା ପିନ୍ଧି ପାଉଁଶରେ ବସି ଅନୁତାପ କରିଥାନ୍ତେ l 22 ଏଣିକି ମୁଁ ତୁମ୍ଭମାନଙ୍କୁ କହୁଛି, ମହାବିଚାର ଦିନରେ ପରମେଶ୍ଵର ସ୍ଵର ଓ ସଦନର ଲୋକମାନଙ୍କୁ ଦଣ୍ଡିତ କରିବେ ମାତ୍ର ସେମାନଙ୍କ ଦଶା ଅପେକ୍ଷା ତୁମ୍ଭମାନଙ୍କ ଦଶା ଅତି ଭୟଙ୍କର ହେବ l 23 ଆହୁରି ମଧ୍ୟ କର୍ଫରନାହୁମ ନିବାସୀ ଲୋକମାନଙ୍କୁ କହୁଅଛି, ତୁମ୍ଭକୁ ଲୋକେ ଉଚ୍ଚ ପ୍ରଶଂସା କରିବାରୁ କି ତୁମ୍ଭେ ସ୍ଵର୍ଗକୁ ଯିବ ବୋଲି ମନେ କରୁଅଛୁ? ଏହା କେବେବି ଘଟିବ ନାହିଁ, ବରଂ ଏହାର ବିପରୀତରେ ଈଶ୍ଵର ତୁମ୍ଭମାନଙ୍କୁ ଦଣ୍ଡ ଦେଇ ମନୁଷ୍ୟର ମରଣ ପରେ ଯେଉଁ ସ୍ଥାନକୁ ଚାଲି ଯାଏ ସେହି ସ୍ଥାନକୁ ଦଣ୍ଡିତ ହେବା ପାଇଁ ଚାଲି ଯିବେ l ଆହୁରି ମୁଁ ତୋ’ଠାରେ ଯେଉଁ ସବୁ ଆଶ୍ଚର୍ଯ୍ୟମାନ କଲି ତାହା ଯେବେ ସଦୋମ ନିବାସୀ ଦୁଷ୍ଟ ଲୋକମାନଙ୍କ ଆଗରେ କରିଥାନ୍ତି, ତାହା ଆଜି ପର୍ଯ୍ୟନ୍ତ ଥାନ୍ତା l 24 ଏଣିକି ମୁଁ ତୁମ୍ଭମାନଙ୍କୁ କହୁଛି, ମହାବିଚାର ଦିନରେ ଈଶ୍ଵର ସଦୋମ ନିବାସୀ ଦୁଷ୍ଟ ଲୋକମାନଙ୍କ ଦଣ୍ଡିତ କରିବେ ସତ ମାତ୍ର ସେମାନଙ୍କ ଦଣ୍ଡ ଅପେକ୍ଷା ତୁମ୍ଭମାନଙ୍କୁ ଅଧିକ ଦଣ୍ଡିତ କରିବେ l 25 ତତ୍ପରେ ଯୀଶୁ ଏପରି ପ୍ରାର୍ଥନା କଲେ, ହେ ପିତା, ତୁମ୍ଭେ ସ୍ଵର୍ଗ ଓ ପୃଥିବୀର ପ୍ରଭୁ ଅଟ, ଯେଉଁମାନେ ଆପଣଙ୍କୁ ଜ୍ଞାନୀ ମନେ କରନ୍ତି ତୁମ୍ଭେ ସେମାନଙ୍କ ନିକଟରେ ଏ ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କରିଛ, ସେଥିପାଇଁ ମୁଁ ତୁମ୍ଭକୁ ଧନ୍ୟବାଦ କରୁଅଛି l 26 ହଁ ପିତା, ତୁମ୍ଭେ ଏହା କରି ଅଛ କାରଣ ଏହା ତୁମ୍ଭ ଦୃଷ୍ଟିରେ ଉତ୍ତମ ଦେଖାଗଲା, ପୁଣି ଯୀଶୁ ଲୋକମାନଙ୍କୁ କହିଲେ, ମୋହର ପିତା ଈଶ୍ଵର, ମତେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି, କେବଳ ପିତା ହିଁ ପ୍ରକୃତରେ ମତେ ଜାଣନ୍ତି ଆଉ ଯେଉଁମାନଙ୍କ ନିକଟରେ ମୁଁ ତାହାଙ୍କୁ ପ୍ରକାଶ କରେ କେବଳ ସେମାନେ ହିଁ ତାହାଙ୍କର ପରିଚୟ ପାଆନ୍ତି । 27 ମୋର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋ'ବିଷୟ ମୋ’ଠାରେ ସମର୍ପିତ ହୋଇଅଛି, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ କେବଳ ପିତା ଜାଣନ୍ତି, ପୁଣି, ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି ଆଉ ପୁତ୍ର ଯାହା ପାଖରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ । 28 ହେ ପରିଶ୍ରାନ୍ତ ଓ ଭାର ଗ୍ରସ୍ତ ଲୋକମାନେ ମୋ’ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି l 29 ତୁମ୍ଭେମାନେ ମୋହର ଜୁଆଳି ଆପଣା ଆପଣା ଉପରେ ବହନ କର ଓ ମୋ’ଠାରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ର ଚିତ୍ତ l ଆଉ, ତୁମ୍ଭେମାନେ ନିଜ ନିଜ ଆତ୍ମାରେ ଶାନ୍ତି ଲାଭ କରିବ l 30 ମୋହର ଭାର ହାଲୁକା ଓ ତାହା ତୁମ୍ଭେ ସହଜରେ ବହନ କରିପାରିବ l

Chapter 12

1 ଦିନେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଶସ୍ୟ କ୍ଷେତ୍ର ମଧ୍ୟଦେଇ ଚାଲି ଯାଉଥିଲେ, ସେଦିନ ବିଶ୍ରାମ ବାର ଥିଲା l ଶିଷ୍ୟମାନେ ଭୋକିଲା ଥିବାରୁ ଶସ୍ୟର ଶିଷାଁ ଛିଣ୍ଡାଇ ଖାଇବାକୁ ଲାଗିଲେ l ମୋଶାଙ୍କ ଏଥିପାଇଁ କିଛି ବିଧି ଥିଲା l 2 କିନ୍ତୁ କେତେକ ଫାରୁଶୀମାନେ ତାହା ଦେଖି ଯୀଶୁଙ୍କ ପାଖକୁ ଆସି ଆପତ୍ତି କଲେ, ଦେଖ ତୁମ୍ଭର ଶିଷ୍ୟମାନେ ଆମ୍ଭମାନଙ୍କ ବିଶ୍ରାମବାରରେ କାର୍ଯ୍ୟ କରୁଅଛନ୍ତି, ଯାହା ବ୍ୟବସ୍ଥା ଆମ୍ଭମାନଙ୍କ ଅନୁମତି ଦିଏ ନାହିଁ l 3 ମାତ୍ର ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଶାସ୍ତ୍ରରେ ଏପରି ଲେଖା ଅଛି, ଆମ୍ଭମାନଙ୍କ ପୂର୍ବ ପୁରୁଷ ରାଜା ଦାଉଦ ଓ ତାଙ୍କର ସହଚରମାନେ ଯେତେବେଳେ ଭୋକିଲା ଥିଲେ, ଏହା କ’ଣ ପାଠ କରିନାହଁ l 4 ଦାଉଦ ମନ୍ଦିର ଭିତରେ ପ୍ରବେଶ କରି ଯାହା କେବଳ ଯାଜକମାନଙ୍କ ନିମନ୍ତେ ଯେଉଁ ପବିତ୍ର ରୋଟୀ ଥାଏ, ତାହା ଆଣି ଖାଇଲେ, ମାତ୍ର ଏହା ମୋଶାଙ୍କ ନିୟମ ବିରୁଦ୍ଧରେ ଥିଲା l 5 ଆଉ ମନ୍ଦିରରେ କାର୍ଯ୍ୟ କରୁଥିବା ଯାଜକମାନେ ବିଶ୍ରାମବାରରେ କାର୍ଯ୍ୟ କରିପାରନ୍ତି, ଏକଥା କ’ଣ ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ତୁମ୍ଭେମାନେ କେବେ ପାଠ କରିନାହଁ? 6 ଏହାର ଅର୍ଥ ମୁଁ କହୁଅଛି ଶୁଣ, ମୁଁ ତୁମ୍ଭମାନଙ୍କୁ ନିକଟକୁ ଆସିଅଛି ଆଉ ମୁଁ ଏହି ମନ୍ଦିରଠାରୁ ମଧ୍ୟ ଶ୍ରେଷ୍ଠ ବା ମହାନ ଅଟେ l 7 ତୁମ୍ଭେମାନେ ଶାସ୍ତ୍ରରେ ଯେବେ ଈଶ୍ୱରଙ୍କ ବାକ୍ୟକୁ ବୁଝିଥାନ୍ତ ତେବେ ମୁଁ ତୁମ୍ଭମାନଙ୍କର ବଳିଦାନ ଅପେକ୍ଷା ଦୟାଳୁ ହୁଅ ବୋଲି ଯେ ଇଚ୍ଛା କରିଥାଏ ତେବେ ତୁମ୍ଭେମାନେ ନିର୍ଦ୍ଦୋଷକୁ ଦୋଷୀ କରି ନ ଥାନ୍ତ l 8 ମୁଁ ମନୁଷ୍ୟ ପୁତ୍ର, ବିଶ୍ରାମବାରରେ କ’ଣ କରିବାକୁ ହେବ ତାହା ଲୋକମାନଙ୍କୁ ଜଣାଇଥାଏ l 9 ତା’ପରେ ଯୀଶୁ ଉପାସନାଳୟକୁ ଗଲେ l 10 ସେ ସେଠାରେ ଜଣେ ଲୋକକୁ ଦେଖିଲେ ଯେ ତାହାର ଗୋଟିଏ ହାତ ଶୁଖି ଯାଇଅଛି, ଏଥିରେ ଫାରୁଶୀମାନେ ଯୀଶୁଙ୍କୁ ପଚାରିଲେ ବିଶ୍ରାମବାରରେ ସୁସ୍ଥ କରିବା ବିଧିସଙ୍ଗତ କି? ସେମାନେ ଯୀଶୁଙ୍କ ଯେପରି ଦୋଷୀ କରିପାରିବେ ଏଥିପାଇଁ ଏହା ପଚାରିଲେ l 11 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭର ଯେବେ ଗୋଟିଏ ମେଣ୍ଢା ଥାଏ, ଓ ତାହା ବିଶ୍ରାମବାରରେ କୁଅରେ ପୋଡି ଯାଏ, ତୁମ୍ଭେ ତାହାକୁ ଉଦ୍ଧାର କରିବା ପାଇଁ କ’ଣ ସେଦିନ କାର୍ଯ୍ୟ କରିବ ନାହିଁ l 12 କିନ୍ତୁ ଜଣେ ମନୁଷ୍ୟ ଗୋଟିଏ ମେଣ୍ଢାଠାରୁ କେତେ ଶ୍ରେଷ୍ଠତର ଅଟେ l ତେବେ ବିଶ୍ରାମବାରରେ ଅନ୍ୟର ଉପକାର କରିବା ସମ୍ପୂର୍ଣ୍ଣ ବିଧି ସଙ୍ଗତ ଅଟେ l 13 ତାପରେ ଯୀଶୁ ସେହି ଲୋକଟିକୁ କହିଲେ, ତୁମ୍ଭର ହାତ ବଢାଅ ଆଉ ସେ ହାତ ବଢାଇବା କ୍ଷଣି ତାହାର ଶୁଷ୍କ ହସ୍ତଟି ଅନ୍ୟ ହସ୍ତ ପରି ସୁସ୍ଥ ହେଇଗଲା l 14 ଏହାପରେ ଲୋକେ ଯୀଶୁଙ୍କୁ ବାନ୍ଧି କରି ହତ୍ୟା କରିବା ଉଦ୍ଦେଶ୍ୟରେ ଏକ ଷଡଯନ୍ତ୍ର କରିବା ପାଇଁ ଫାରୁଶୀମାନଙ୍କ ଏକ ସଭା ଡାକିଲେ l 15 କିନ୍ତୁ ଯୀଶୁ ସେମାନଙ୍କର କଳ୍ପନା ବୁଝିପାରି ଆପଣାର ଶିଷ୍ୟମାନଙ୍କୁ ଘେନି ସେଠାରୁ ଚାଲି ଗଲେ ଆଉ ଅନେକ ଲୋକ ତାହାଙ୍କ ପଛେ ପଛେ ଗଲେ ପୁଣି ସେମାନଙ୍କ ମଧ୍ୟରେ ଯେତେ ରୋଗୀ ଥିଲେ ସେ ସମସ୍ତଙ୍କୁ ସୁସ୍ଥ କଲେ l 16 କିନ୍ତୁ ସେ ତାହାଙ୍କ ଆଶ୍ଚର୍ଯ୍ୟ କର୍ମର କଥା ସବୁ କାହାକୁ ନ କହିବା ପାଇଁ ସେମାନଙ୍କୁ ସଚେତନ କରାଇଲେ l 17 ତାହାଙ୍କ ସମ୍ବନ୍ଧରେ ବହୁ ବର୍ଷ ପୂର୍ବେ ଯିଶାଇୟ ଭବିଷ୍ୟତ ବକ୍ତାଙ୍କ ର ଲିଖିତ ଏହି ଭବିଷ୍ୟତ ବାଣୀ ସଫଳ ହେଲା, 18 ମୋହର ଦାସଙ୍କୁ, ମୋହର ମନୋନୀତ ବ୍ୟକ୍ତିଙ୍କୁ ଦେଖ, ଯାହାଙ୍କୁ ଆମେ ପ୍ରେମ କରୁ ଓ ତାହାଙ୍କଠାରେ ଆମ୍ଭେ ସନ୍ତୁଷ୍ଟ ଅଟୁ, ତାହାଙ୍କଠାରେ ଆମ୍ଭର ଆତ୍ମା ଅଧିଷ୍ଠାନ କରିଅଛି ଏବଂ ସେ ବିଭିନ୍ନ ଜାତିମାନଙ୍କର ନ୍ୟାୟ ବିଚାର କରି ସେମାନଙ୍କୁ ପରିତ୍ରାଣ ଦେବେ l 19 ସେ ଲୋକମାନଙ୍କ ସହିତ ବିବାଦ କରିବେ ନାହିଁ, କି ଚିତ୍କାର କରିବେ ନାହିଁ, କି ନଗର ମଧ୍ୟରେ ଉଚ୍ଚ ସ୍ଵରରେ କଥା କହିବେ ନାହିଁ, 20 ସେ ଦୁର୍ବଳମାନଙ୍କ ପ୍ରତି ଭଦ୍ରତା ଓ କ୍ଷୀଣମାନଙ୍କୁ ପରିତ୍ୟାଗ କରିବେ ନାହିଁ ଏବଂ ସେ ଲୋକମାନଙ୍କୁ ନ୍ୟାୟରେ ବିଚାର କରି ଦୋଷୀ ଓ ନିର୍ଦ୍ଦେଶ କରିବେ l 21 ଆଉ ସମଗ୍ର ଜାତି ତାହାଙ୍କ ଉପରେ ଭରଷା ରଖିବେ l 22 ଦିନେ ଲୋକମାନେ ଯେଉଁ ଭୂତଗ୍ରସ୍ତ ଲୋକ ଯେ କି ମୂକ ଓ ଘୁଁଙ୍ଗା ଥିଲା ତାହାକୁ ଯୀଶୁଙ୍କ ନିକଟକୁ ଆଣିଲେ ଆଉ ଯୀଶୁ ତାହାଠାରୁ ଭୂତାତ୍ମା ବାହାରକରି ତାହାକୁ ସୁସ୍ଥ କଲେ ତହିଁରେ ସେହି ଲୋକଟି କଥା କହିଲା ଓ ଦୃଷ୍ଟି ଫେରି ପାଇଁ ସବୁ ଦେଖି ପାରିଲା l 23 ଏହି ଆଶ୍ଚର୍ଯ୍ୟ କର୍ମ ଦେଖି ଲୋକମାନେ କହିବାକୁ ଲାଗିଲେ ଏହି ବ୍ୟକ୍ତି ଦାଉଦଙ୍କ ବଂଶଜ ମସୀହ ଅଟନ୍ତି କି? ଯାହାଙ୍କର ଅପେକ୍ଷାରେ ଆମ୍ଭେମାନେ ଅଛୁ? 24 କିନ୍ତୁ ଫାରୁଶୀମାନେ ଏହି ଆଶ୍ଚର୍ଯ୍ୟ କର୍ମ କଥା ଶୁଣି କହିଲେ, ସେ ଭୂତମାନଙ୍କ ରାଜା ଶୟତାନର ଶକ୍ତିରେ ଭୂତ ଛଡାଇ ପାରୁଅଛି ମାତ୍ର ଏ ଈଶ୍ଵର ନୁହେଁ l 25 ମାତ୍ର ଫାରୁଶୀମାନେ ମନରେ କ’ଣ ଭାବୁଅଛନ୍ତି ଏହା ଯୀଶୁ ସେହି କ୍ଷଣି ଜାଣି ପାରି ଉତ୍ତର ଦେଲେ, ଯଦି ଗୋଟେ ରାଜ୍ୟର ଲୋକେ ଅନ୍ୟ ରାଜ୍ୟର ସହିତ ଯୁଦ୍ଧ କରନ୍ତି, ଆଉ ସେମାନେ ସେମାନଙ୍କ ରାଜ୍ୟକୁ ବିନାଶ କରନ୍ତି l ଯଦି କୌଣସି ନଗର ବା ପରିବାର ବିଭକ୍ତ ହୋଇ ନିଜ ନିଜ ବିରୁଦ୍ଧରେ ଉଠନ୍ତି ତେବେ ତାହା ଆଉ ତିଷ୍ଠି ପାରେ ନାହିଁ l 26 ସେହିପରି ଶୟତାନ ଯେବେ ଶୟତାନକୁ ଛଡାଏ, ଏବେ ସେ ଆପଣା ବିରୁଦ୍ଧରେ ଯୁଦ୍ଧ କରୁଅଛି ଓ ଆପଣାର ରାଜ୍ୟକୁ ନିଜେ ବିନାଶ କରିଅଛି l 27 ପୁଣି ତୁମ୍ଭମାନଙ୍କ କହିବା ଅନୁସାରେ ମୁଁ ଯଦି ଶୟତାନର ଶକ୍ତିରେ ଭୂତ ଛଡାଉ ଅଛି, ତେବେ ତୁମ୍ଭମାନଙ୍କ ଶିଷ୍ୟମାନେ ମଧ୍ୟ କାହା ଶକ୍ତିରେ ଭୂତ ଛଡାଉ ଅଛନ୍ତି? ତେବେ ସେମାନେ ହିଁ ତୁମ୍ଭର ଅଭିଯୋଗରେ ଉତ୍ତର ଦିଅନ୍ତୁ l 28 କିନ୍ତୁ ମୁଁ ଯେବେ ଈଶ୍ଵର ଦ୍ଵାରା ଭୂତ ଛଡାଉ ଥାଏ, ତେବେ ତ ତୁମ୍ଭମାନଙ୍କ ମଧ୍ୟରେ ଈଶ୍ଵରଙ୍କ ରାଜ୍ୟ ଆସିଗଲାଣି l 29 ମୁଁ ଯେ କହିରେ ଭୂତାତ୍ମାମାନଙ୍କୁ ବାହାର କରୁଅଛି, ଏହା ତୁମ୍ଭମାନଙ୍କୁ ଦେଖାଇ ଅଛି l ଗୃହର ବଳିଷ୍ଠ ଯେପର୍ଯ୍ୟନ୍ତ ବନ୍ଧା ଯାଇ ନାହିଁ ସେ ପର୍ଯ୍ୟନ୍ତ କେହି ତାହା ଗୃହରେ ପ୍ରବେଶ କରି ପାରିବ ନାହିଁ, ମାତ୍ର ଯେତେବେଳେ ତାହାକୁ ବନ୍ଧା ଯାଏ, ସେତେବେଳେ ଲୋକେ ଗୃହରେ ପଶି ଗୃହରେ ଥିବା ସମସ୍ତ ବିଷୟକୁ ହରଣ କରିନେଇପାରିବେ l 30 ଯେ ମୋହର ସପକ୍ଷ ନୁହେ ସେ ମୋର ବିପକ୍ଷରେ ଅଛି ଆଉ ଯେ ମତେ ସାହାଯ୍ୟ କରେ ନାହିଁ ସେ ମୋହର ଅନିଷ୍ଟ କରୁଅଛି l 31 ତୁମ୍ଭେମାନେ କହୁଅଛ ପବିତ୍ର ଆତ୍ମାଙ୍କ ଦ୍ଵାରା ସେ ମନ୍ଦ ଆତ୍ମାକୁ ବାହାର କରୁନାହିଁ l ଆଉ ମୁଁ ତୁମ୍ଭକୁ ଏହା କହୁଅଛି, ଯଦି କେହି କାହାର ଅପମାନ କରେ, ତେବେ ଈଶ୍ଵର ତାହାକୁ କ୍ଷମା କରିବେ, କିନ୍ତୁ ଯେ ପବିତ୍ର ଆତ୍ମାଙ୍କୁ ଦୁଃଖ ଦିଏ ଈଶ୍ଵର ତାହାକୁ କ୍ଷମା କରିବେ ନାହିଁ l 32 ଖ୍ରୀଷ୍ଟଙ୍କ ବିରୁଦ୍ଧରେ ନିନ୍ଦା କିମ୍ବା ଅନ୍ୟ ଯେକୌଣସି ପାପ କ୍ଷମା ଦିଆ ଯାଇ ପାରିବ | ସବୁ ପାପର କ୍ଷମା ଅଛି, ମାତ୍ର ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା ଜନିତ ପାପକୁ ଈଶ୍ୱର ଇହ ଜଗତରେ କି ପର ଜଗତରେ କ୍ଷମା କରିବେ ନାହିଁ | 33 ଯେତେବେଳେ ତୁମ୍ଭେ ଏକ ଫଳନ୍ତି ଗଛର ଫଳକୁ ଦେଖ, ତାହା ଭଲ କି ମନ୍ଦ ଜାଣି ପାରି ଥାଅ | ଯଦି ଫଳ ଭଲ ତେବେ ତୁମ୍ଭେ ଗଛଟିକୁ ଭଲ କହିଥାଅ, ଆଉ ମୁଁ ଯଦି ଭଲ କର୍ମ କରୁଅଛି, ତେବେ ତାହା ଭଲ କି ମନ୍ଦ ତୁମ୍ଭେମାନେ ଜାଣିଅଛ | 34 ତୁମ୍ଭେମାନେ ତ ବିଷଧର ସର୍ପର ସନ୍ତାନ, ତୁମ୍ଭେମାନେ କେବେହେଲେ ଉତ୍ତମ କହି ଜାଣ ନାହିଁ, କାରଣ ତୁମ୍ଭେମାନେ ଦୁଷ୍ଟ ଅଟ | ମନୁଷ୍ୟର ହୃଦୟରେ ଯାହା ଥାଏ, ତାହା ସେ କରିବା ଦ୍ୱାରା ପ୍ରକାଶ ପାଏ | 35 ଉତ୍ତମ ବ୍ୟକ୍ତି ସର୍ବଦା ଉତ୍ତମ କଥା କହେ, କାରଣ ଉତ୍ତମ ମନୁଷ୍ୟର ଉତ୍ତମ କଥାବାର୍ତ୍ତା ତାହାର ଅନ୍ତରସ୍ଥ ଉତ୍ତମ ଭଣ୍ଡାରରୁ ଉତ୍ତମତା ପ୍ରକାଶ କରେ, ଆଉ ମନ୍ଦ ଲୋକ ସର୍ବଦା ମନ୍ଦ କଥା କହିଥାଏ, କାରଣ ମନ୍ଦ ମନୁଷ୍ୟ ତା’ହୃଦୟର ମନ୍ଦ ଭଣ୍ଡାରରୁ ମନ୍ଦତା ପ୍ରକାଶ କରେ | 36 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି, ତୁମ୍ଭମାନଙ୍କ ପ୍ରତ୍ୟେକ ଅସାର କଥାବାର୍ତ୍ତା ପାଇଁ ମହା ବିଚାର ଦିନରେ ତୁମ୍ଭମାନଙ୍କୁ ହିସାବ ଦେବାକୁ ପଡିବ | 37 ଆଉ ଈଶ୍ଵର ତୁମ୍ଭମାନଙ୍କ କଥାବାର୍ତ୍ତା ଦ୍ଵାରା ତୁମ୍ଭମାନଙ୍କୁ ମହାବିଚାର ଦିନରେ ଧାର୍ମିକ ବା ଅଧାର୍ମିକ ବୋଲି ଦୋଷୀ ସାବ୍ୟସ୍ତ କରିବେ | 38 ଥରେ କେତେକ ଫାରୁଶୀ ଓ ଶାସ୍ତ୍ରଜ୍ଞ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ହେ ଗୁରୁ, ଆପଣଙ୍କୁ ଯେ ଈଶ୍ଵର ପଠାଇଅଛନ୍ତି, ଏହାର ପ୍ରମାଣ ସ୍ଵରୂପେ ଆମେ ତୁମ୍ଭଠାରୁ ଏକ ଆଶ୍ଚର୍ଯ୍ୟ କର୍ମ ଦେଖିବାକୁ ଚାହୁଁଛୁ | 39 ମାତ୍ର ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ମୋ’ଠାରେ ଅନେକ ଆଶ୍ଚର୍ଯ୍ୟର କର୍ମ ଦେଖିସାରିଅଛ | ତୁମ୍ଭେମାନେ ତ ଦୁଷ୍ଟ ଓ ଈଶ୍ୱରଙ୍କ ଉପାସନା ବିଶ୍ୱସ୍ତ ଭାବରେ କରୁନାହଁ, ତଥାପି ଈଶ୍ୱର ମୋତେ ପଠାଇଅଛନ୍ତି କି ନାହିଁ ଏହାର ପ୍ରମାଣ ଚାହୁଁ ଅଛ? କିନ୍ତୁ ଈଶ୍ୱର ଭାବବାଦୀ ଯୂନସଙ୍କ ଘଟଣା ଦେଇ ତୁମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କର୍ମ ଦେଖାଇ ଅଛନ୍ତି | 40 ଯୂନସ ଯେପରି ତିନିଦିନ ଓ ତିନି ରାତି ଏକ ବୃହତ୍ ମାଛର ଉଦରରେ ଈଶ୍ୱରଙ୍କ ଆଦେଶ କ୍ରମେ ଥିଲେ, ସେହିପରି ଖ୍ରୀଷ୍ଟ ମଧ୍ୟ ପୃଥିବୀ ଗର୍ଭରେ ତିନିଦିନ ଓ ତିନି ରାତି ରହିବେ ଓ ଈଶ୍ଵର ତାହାଙ୍କୁ ତୃତୀୟ ଦିନରେ ମୃତ୍ୟୁରୁ ଉଠାଇବେ | 41 ମହାବିଚାର ଦିନରେ ନିନିବୀର ଲୋକେ ଏହି ଜାତି ବିରୁଦ୍ଧରେ ଉଠି, ତାହାକୁ ଦୋଷୀ ସାବ୍ୟସ୍ତ କରିବେ, କାରଣ ଯେତେବେଳେ ଯୂନସ ସେମାନଙ୍କ ନିକଟରେ ପ୍ରଚାର କଲେ, ସେତେବେଳେ ସେମାନେ ଅନୁତାପ କରିଥିଲେ | ଅଥଚ ଯୂନସଙ୍କ ଅପେକ୍ଷା ମହାନ୍ ଜଣେ ବ୍ୟକ୍ତି ଏଠାରେ ଅଛନ୍ତି, ଆଉ ତୁମ୍ଭେମାନେ ତାହାଙ୍କଠାରେ ବିଶ୍ୱାସ କରୁ ନାହଁ | 42 ମହା ବିଚାର ଦିନରେ ମଧ୍ୟ ଶିବା ଦେଶର ରାଣୀ ଏହି ଜାତି ବିରୁଦ୍ଧରେ ଉଠି ତାହାକୁ ଦୋଷୀ ସାବ୍ୟସ୍ତ କରିବେ | କାରଣ ସେ ଇସ୍ରାଏଲ ଦେଶର ଦକ୍ଷିଣ ପ୍ରାନ୍ତରୁ ଆସି ଶଲୋମନଙ୍କ ବିଜ୍ଞ ଉପଦେଶ ଶୁଣିବା ପାଇଁ ଦୂର ଦେଶରୁ ଆସିଥିଲେ, ଅଥଚ଼ ବର୍ତ୍ତମାନ ଶଲୋମନଙ୍କ ଅପେକ୍ଷା ମହାନ୍ ଜଣେ ବ୍ୟକ୍ତି ଏଠାରେ ଅଛନ୍ତି, ଆଉ ତୁମ୍ଭେମାନେ ତାହାଙ୍କଠାରେ ବିଶ୍ୱାସ କରୁ ନାହଁ ! 43 ଭୂତାତ୍ମା ଯେତେବେଳେ ଜଣେ ମନୁଷ୍ୟଠାରୁ ବାହାରି ଯାଏ, ସେତେବେଳେ ସେ ବିଶ୍ରାମ ପାଇବା ନିମନ୍ତେ ଚାରି ଆଡେ ଘୁରି ବୁଲେ, ଆଉ ସେ ଯେତେବେଳେ କାହାରିକୁ ନ ପାଏ, 44 ସେତେବେଳେ ସେ ବିଶ୍ରାମ ନ ପାଇ କହେ, ମୁଁ ଯେଉଁ ମନୁଷ୍ୟ ଠାରୁ ବାହାରି ଆସିଥିଲି, ତାହା ନିକଟକୁ ଫେରି ଯିବି | ଆଉ ସେ ଫେରି ଆସି ଯେତେବେଳେ ଦେଖେ ଯେ, ତାହାରିଠାରେ ପରମେଶ୍ୱରଙ୍କ ଆତ୍ମା ନାହାନ୍ତି, 45 ସେତେବେଳେ ସେହି ଦୁଷ୍ଟାତ୍ମା ତାହାଠାରୁ ଅଧିକ ଶକ୍ତିଶାଳୀ ଆଉ ସାତୋଟି ଭୂତାତ୍ମାମାନଙ୍କୁ ସଙ୍ଗରେ ଆଣି ସେହି ମନୁଷ୍ୟର ମଧ୍ୟରେ ପ୍ରବେଶ କରି ବାସ କରନ୍ତି | ଫଳରେ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ | 46 ଯୀଶୁ ଏକ ଜନ ଗହଳି ଗୃହରେ ଥାଇ ଲୋକମାନଙ୍କୁ ଉପଦେଶ ଦେଉଥିବା ସମୟରେ, ତାଙ୍କର ମାଁ ଓ ଭାଇମାନେ ଆସି ବାହାରେ ଠିଆ ହୋଇ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ଇଚ୍ଛା କରୁଥିଲେ, 47 ଏଣୁ କେହି ଜଣେ ଆସି ତାଙ୍କୁ ଏହା ଜଣାଇ କହିଲେ, ଆପଣଙ୍କ ସହିତ କଥାବାର୍ତ୍ତା କରିବାକୁ ଆପଣଙ୍କ ମାଁ ଓ ଭାଇମାନେ ବାହାରେ ଅପେକ୍ଷା କରିଅଛନ୍ତି | 48 ସେଥିରେ ଯୀଶୁ ସେହି ଲୋକକୁ କହିଲେ, ପ୍ରକୃତରେ କେଉଁମାନେ ମୋର ମାଁ ଓ ଭାଇମାନେ ଅଟନ୍ତି, ତାହା ମୁଁ ତୁମ୍ଭମାନଙ୍କୁ କହୁଅଛି | 49 ଆଉ ସେ ଆପଣା ଶିଷ୍ୟମାନଙ୍କ ଆଡକୁ ହାତ ଦେଖାଇ କହିଲେ, ଦେଖ, ଏମାନେ ହିଁ ପ୍ରକୃତରେ ମୋର ମାଁ ଓ ଭାଇମାନେ | 50 ଏଣୁ ଯେ କେହି ମୋହର ସ୍ଵର୍ଗସ୍ଥ ପିତାଙ୍କର ଆଜ୍ଞା ପାଳନ କରେ, ସେ ହିଁ ପ୍ରକୃତରେ ମୋର ଭାଇ, ଭଉଣୀ ଓ ମାଁ |

Chapter 13

1 ସେହି ଦିନ ଯୀଶୁ ଯେଉଁ ଘରେ ଶିକ୍ଷା ଦେଉଥିଲେ, ସେଠାରୁ ବାହାରି ଯାଇ ସେ ଆପଣା ଶିଷ୍ୟମାନଙ୍କ ସହିତ ଗାଲିଲୀ ହ୍ରଦର କୂଳକୁ ଯାଇ ବସିଲେ | 2 ଆଉ ତାହାଙ୍କଠାରୁ ଶିକ୍ଷା ଶୁଣିବା ନିମନ୍ତେ ଅନେକ ଲୋକ ସେଠାରେ ଏକତ୍ରୀତ ହେଲେ, ଆଉ ସେ ଏକ ନୌକାରେ ବସି ସେମାନଙ୍କୁ ଉପଦେଶ ଦେବାକୁ ଲାଗିଲେ ଓ ଲୋକମାନେ ହ୍ରଦ କୂଳରେ ଠିଆ ହୋଇ ତାହାଙ୍କଠାରୁ ଉପଦେଶ ଶୁଣିଲେ | 3 ସେ ସେମାନଙ୍କୁ ଅନେକ ଦୃଷ୍ଟାନ୍ତ ଓ ଗଳ୍ପ କହି ଉପଦେଶମାନ ଦେଇ କହିଲେ, ଶୁଣ, ଜଣେ କୃଷକ ନିଜ କ୍ଷେତ୍ରରେ ବିହନ ବୁଣିବାକୁ ବାହାରିଲା, 4 ସେ ବିହନ ବୁଣୁ ବୁଣୁ ସେଥିରୁ କେତେକ ବିହନ ଯାଇ ରାସ୍ତା କଡରେ ପଡ଼ିଲା, ଆଉ ଚଢେଇମାନେ ଆସି ସେସବୁକୁ ଖାଇଗଲେ | 5 ଆଉ କେତେକ ବିହନ ଅଳ୍ପ ମାଟି ଥିବା ପଥୁରିଆ ଭୂମିରେ ପଡ଼ିଲା, ସେଠାରେ ଅଳ୍ପ ମାଟି ଥିବାରୁ ବିହନ ଗୁଡିକ ଶୀଘ୍ର ଗଜା ହୋଇ ବଡ଼ ହେଲା, 6 ମାତ୍ର ସୂର୍ଯ୍ୟର ପ୍ରଚଣ୍ଡ ଖରାରେ ସେଗୁଡ଼ିକ ଝାଉଁଳି ପଡିଲା, ଓ ଚେର ବେଶି ନ ଥିବାରୁ ଶୁଖି ଗଲା | 7 ଆଉ କେତେକ ବିହନ ଯାଇ କଣ୍ଟା ବୁଦା ମଧ୍ୟରେ ପଡିଲା, ଓ କଣ୍ଟା ବୁଦା ଗୁଡିକ ବଢ଼ି କଅଁଳ ଚାରା ଗୁଡ଼ିକୁ ଚାପି ପକାଇଲା | 8 ମାତ୍ର ଆଉ କେତେକ ବିହନ ଯାଇ ଭଲ ମାଟିରେ ପଢ଼ିଲା, ପୁଣି ବୁଣା ଯାଇଥିବା ବିହନର ତିରିଶ ଗୁଣ, ଷାଠିଏ ଗୁଣ ଓ ଏପରି କି ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା | 9 ଏଣୁ ମୁଁ ତୁମ୍ଭମାନଙ୍କୁ ଯାହା କହିଲି, ତାହା ଯଦି ବୁଝି ପାରୁଛ, ତେବେ ସେଥିପ୍ରତି ଅତି ସାବଧାନ ହୁଅ | 10 କିଛି ସମୟ ପରେ ଯୀଶୁଙ୍କ ଶିଷ୍ୟମାନେ ଆସି ତାହାଙ୍କୁ ପଚାରିଲେ, ଆପଣ କାହିଁକି ସର୍ବଦା ଦୃଷ୍ଟାନ୍ତ ଓ ଗଳ୍ପ ଦ୍ଵାରା ଲୋକମାନଙ୍କୁ ଶିକ୍ଷା ଦେଉ ଅଛନ୍ତି? 11 ସେ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ଵର ଆପଣା ସ୍ଵର୍ଗ ରାଜ୍ୟର ନିଗୂଢ଼ ବିଷୟ ସବୁ କେବଳ ତୁମ୍ଭମାନଙ୍କୁ ବୁଝିବାକୁ ଦେଇଅଛନ୍ତି, ମାତ୍ର ତାହା ଅନ୍ୟମାନଙ୍କୁ ଦିଆଯାଇ ନାହିଁ | 12 ମୁଁ ଯାହା କହୁଛି ଏହା ଯେଉଁମାନେ ବୁଝି ପାରନ୍ତି, ଈଶ୍ଵର ସେମାନଙ୍କୁ ଆହୁରି ଅଧିକ ବୁଝିବାକୁ ଶକ୍ତି ଦିଅନ୍ତି | କିନ୍ତୁ ଯେ ଯତ୍ନରେ କିଛି ବି ବୁଝି ପାରେ ନାହିଁ, ସେ ଯାହା ଜାଣି ଅଛି, ତାହା ମଧ୍ୟ ସେ ସମ୍ପୂର୍ଣ୍ଣ ଭୁଲି ଯିବ | 13 ଏଥିପାଇଁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତ ମାଧ୍ୟମରେ କହୁ ଅଛି, ଯଦ୍ଵାରା ଲୋକେ ମୋହର କାର୍ଯ୍ୟ ଦେଖିବେ କିନ୍ତୁ ଏହାର ଅର୍ଥ ବୁଝିବେ ନାହିଁ ଓ ମୋହର କଥା ଶୁଣିବେ, ମାତ୍ର ତହିଁର ପ୍ରକୃତ ଅର୍ଥ ବୁଝିବେ ନାହିଁ | 14 ଏହା ଦ୍ଵାରା ଯିଶାଇୟ ଭାବବାଦୀଙ୍କ ଭବିଷ୍ୟତବାଣୀ ସଫଳ ହେଉଅଛି, ମୁଁ ଯାହା କହୁଅଛି, ତୁମ୍ଭେ ଶୁଣିବ ସତ, ମାତ୍ର ବୁଝିବ ନାହିଁ, ମୋହର କୃତ କର୍ମ ଦେଖିବ ସତ, ମାତ୍ର ଏହାର ଅର୍ଥ ବୁଝିବ ନାହିଁ | 15 ଈଶ୍ୱର ଆହୁରି ମଧ୍ୟ ଯିଶାଇୟଙ୍କୁ କହିଲେ, ସେମାନଙ୍କର ହୃଦୟ ସ୍ଥୂଳ ଓ ଭାରୀ ହୋଇଛି, ସେମାନଙ୍କ କର୍ଣ୍ଣ ଜଡ଼ ହୋଇଛି, ଓ ନିଦ୍ରାରେ ସେମାନଙ୍କ ଚକ୍ଷୁ ମୁଁଦ୍ରିତ ହୋଇଅଛି, ଯାହା ଫଳରେ ସେମାନେ ଦେଖିବେ ନାହିଁ କି ଶୁଣିବେ ନାହିଁ କି ବୁଝିବେ ନାହିଁ ଓ ଈଶ୍ୱରଙ୍କ ପ୍ରତି ମନ ଫେରାଇବେ ନାହିଁ ଏବଂ ସୁସ୍ଥ ହେବା ପାଇଁ ମୋ’ ନିକଟକୁ ଆସିବେ ନାହିଁ | 16 କିନ୍ତୁ ତୁମ୍ଭମାନଙ୍କ ପକ୍ଷରେ, ମୁଁ ଯାହା ଯାହା କହୁଅଛି, ଓ କରୁଅଛି, ତାହା ବୁଝି ଅନୁଭବ କରିବା ପାଇଁ ଈଶ୍ଵର ତୁମ୍ଭମାନଙ୍କୁ ସକ୍ଷମ କରାଇଅଛନ୍ତି | 17 ମନେରଖ, ତୁମ୍ଭେମାନେ ମୋ’ଠାରେ ଯାହା ଯାହା ଦେଖୁଅଛ ଓ ଶୁଣୁଅଛ, ସେସବୁ ଦେଖିବା ପାଇଁ ଓ ଶୁଣିବା ପାଇଁ ଅନେକ ଭାବବାଦୀ ଓ ଧାର୍ମିକ ବ୍ୟକ୍ତିମାନେ ବର୍ଷ ବର୍ଷ ଧରି ଆଶା କରିଥିଲେ, ମାତ୍ର ସେମାନେ ତାହା ଦେଖି ପାରିଲେ ନାହିଁ କି ଶୁଣି ପାରିଲେ ନାହିଁ | 18 ଏଣୁ ମୁଁ ତୁମ୍ଭମାନଙ୍କୁ କହିଥିବା ଦୃଷ୍ଟାନ୍ତଟିର ଅର୍ଥ ଏବେ ଶୁଣ; 19 ସ୍ଵର୍ଗ ରାଜ୍ୟର ବାର୍ତ୍ତା ଶୁଣି ବୁଝି ନ ପାରିବା ମନୁଷ୍ୟର ହୃଦୟକୁ ବୁଝାଏ, ଶୟତାନ ଆସି ତାହା ହୃଦୟରେ ବୁଣା ଯାଇଥିବା ବିହନ ରୂପ ବାକ୍ୟକୁ ହରଣ କରି ନିଏ | 20 ଆଉ ଅଳ୍ପ ମାଟି ଥିବା ପଥୁରିଆ ଭୂମି ସେହି ମନୁଷ୍ୟର ହୃଦୟକୁ ବୁଝାଏ, ଯିଏ ଈଶ୍ୱରଙ୍କ ବାକ୍ୟକୁ ଶୁଣି ଆନନ୍ଦରେ ଅତି ଶୀଘ୍ର ଗ୍ରହଣ କରେ, 21 ବରଂ ଜୀବନର ଗଭୀରତା ନ ଥିବାରୁ ତାର ମୂଳ ଦୃଢ଼ ନ ଥାଏ, ଓ କିଛି କାଳ ପରେ ତାହାର ଧର୍ମ ବିଶ୍ଵାସ ଯୋଗୁଁ ତାହା ପ୍ରତି ଦୁଃଖ, କଷ୍ଟ ବା ନିର୍ଯାତନା ଆସିଲେ, ତାହାର ଉତ୍ସାହ ଭାଙ୍ଗି ଯାଏ, ବିଶ୍ଵାସରେ ପଛଘୁଞ୍ଚା ହୁଏ | 22 କଣ୍ଟକ ପୂର୍ଣ୍ଣ ଭୂମି ସେହି ମନୁଷ୍ୟର ହୃଦୟକୁ ବୁଝାଏ, ଯିଏ ବାକ୍ୟ ଶୁଣେ କିନ୍ତୁ ସଂସାରର ଧନ ଓ ପ୍ରଲୋଭନ ଈଶ୍ୱରଙ୍କ ବାକ୍ୟକୁ ଚାପି ପକାଏ ଓ ସେ କ୍ରମେ ଫଳହୀନ ହୁଏ | 23 ମାତ୍ର ଉତ୍ତମ ଭୂମି ସେହି ମନୁଷ୍ୟର ହୃଦୟକୁ ବୁଝାଏ, ଯିଏ ବାକ୍ୟ ଶୁଣେ, ବୁଝେ ଓ ସେ ଚାଲିଯାଇ ତିରିଶ, ଷାଠିଏ, ଏପରିକି ଏକ ଶହେ ଜଣଙ୍କୁ ଈଶ୍ୱରଙ୍କ ରାଜ୍ୟକୁ ଆଣି ଈଶ୍ୱରଙ୍କୁ ସନ୍ତୁଷ୍ଟ କରାଏ | 24 ଯୀଶୁ ଲୋକମାନଙ୍କୁ ଆଉ ଏକ ଦୃଷ୍ଟାନ୍ତ ଓ ଗଳ୍ପ କହିଲେ, ସ୍ଵର୍ଗ ରାଜ୍ୟ ଆପଣା କ୍ଷେତ୍ରରେ ଭଲ ବିହନ ବୁଣିଥିବା ଏକ କୃଷକ ସଦୃଶ | 25 ଦିନେ ତାହାଙ୍କ ଦାସ ମାନେ ଶୋଇ ପଡ଼ି ଥିବା ସମୟରେ ତାହାଙ୍କ ଶତୃ ଆସି ଗହମ ମଧ୍ୟରେ ବାଳୁଙ୍ଗା ବୁଣି ଦେଇ ଚାଲିଗଲା | 26 ଗହମ ଗଛ ବଢ଼ିବା ସଙ୍ଗେ ସଙ୍ଗେ ବାଳୁଙ୍ଗା ଗଛ ମଧ୍ୟ ବଢ଼ିବାକୁ ଲଗିଲା | 27 ମୂଲିଆ ଦାସ ମାନେ ଆସି ସେହି କୃଷକଙ୍କୁ କହିଲେ, ଆଜ୍ଞା, ଆପଣ ଯେଉଁ କ୍ଷେତ୍ରରେ ଅତି ଉତ୍ତମ ଗହମ, ଆମକୁ ବୁଣିବାକୁ ଦେଇଥିଲେ ମଧ୍ୟ ଆମେ ତାହା ବୁଣିଲୁ ମାତ୍ର ସେଥିମଧ୍ୟରେ ବାଳୁଙ୍ଗା ଗଛ ମଧ୍ୟ ଉଠିଛି | 28 କୃଷକ କହିଲେ, କୌଣସି ଶତୃ ଏହା କରିଅଛି, ତହିଁରେ ତାହାର ମୂଲିଆ ମାନେ କହିଲେ, ଆମେ ଯାଇ ବାଳୁଙ୍ଗାଗୁଡିକୁ ଉପାଡି ଦେଉ, ଏହା କ’ଣ ତୁମ୍ଭେ ଚାହୁଁଛ? 29 ସେ ସେମାନଙ୍କୁ କହିଲେ, ନାଁ, ତୁମ୍ଭେମାନେ ତାହା କଲେ ଗହମକୁ କ୍ଷତି ହେବ | 30 ଫସଲ କଟା ନ ହେବା ପର୍ଯ୍ୟନ୍ତ ଉଭୟକୁ ଏକ ସଙ୍ଗେ ବଢିବାକୁ ଦିଅ | ସେତେବେଳେ ଗହମରୁ ବାଳୁଙ୍ଗାଗୁଡିକୁ ଅଲଗା କରି ଜାଳି ଦେବାକୁ ଓ ଶସ୍ୟାଗାରରେ ଗହମ ରଖିବାକୁ ମୁଁ କଟାଳୀମାନଙ୍କୁ ମୁଁ ଆଦେଶ ଦେବି | 31 ଯୀଶୁ ଆଉ ଏକ ଦୃଷ୍ଟାନ୍ତ ସେମାନଙ୍କୁ କହିଲେ, ସ୍ଵର୍ଗ ରାଜ୍ୟ କ୍ଷେତ୍ରରେ ବୁଣା ଯାଇଥିବା କ୍ଷୁଦ୍ର ସୋରିଷ ମଞ୍ଜି ପରି | 32 ସୋରିଷ ମଞ୍ଜି ସବୁ ମଞ୍ଜି ମଧ୍ୟରେ କ୍ଷୁଦ୍ରତମ, କିନ୍ତୁ ଏହା ଯେତେବେଳେ ଧିରେ ଧିରେ ବଢି ବୁଦା ଗଛ ହୁଏ, ଆକାଶର ପକ୍ଷୀମାନେ ଆସି ତହିଁରେ ଆଶ୍ରୟ ନେଇ ଆପଣା ବସା ବାନ୍ଧନ୍ତି | 33 ଯୀଶୁ ସେମାନଙ୍କୁ ଆଉ ଏକ ଦୃଷ୍ଟାନ୍ତ କହିଲେ, ସ୍ଵର୍ଗ ରାଜ୍ୟ ତାଡୀର ସଦୃଶ | ଏହାକୁ ଜଣେ ସ୍ତ୍ରୀ ନେଇ ଚାଳିଶ କିଲୋ ମଇଦାରେ ମିଶାଇଲା ଓ ସବୁ ମଇଦା ତାଡୀମୟ ହେବା ଯାଏ ତାହାକୁ ଘୋଡାଇ ରଖିଲା | 34 ଯୀଶୁ ଲୋକମାନଙ୍କୁ ସର୍ବଦା ଦୃଷ୍ଟାନ୍ତ ଓ ଗଳ୍ପ ଦ୍ଵାରା ଶିକ୍ଷା ଦେଉଥିଲେ, ସେ ଦୃଷ୍ଟାନ୍ତ ଓ ଗଳ୍ପ ବିନା ସେମାନଙ୍କୁ କୌଣସି ଶିକ୍ଷା ଦେଲେ ନାହିଁ | 35 ଏହା ଦ୍ୱାରା ଈଶ୍ୱର ଆପଣା ଭାବବାଦୀ ମାନଙ୍କ ଦ୍ଵାରା କହିଥିବା ଭାବବାଣୀ ସଫଳ ହେଲା, ମୁଁ ଦୃଷ୍ଟାନ୍ତ ଓ ଗଳ୍ପ ଦ୍ଵାରା କଥା କହିବି, ସୃଷ୍ଟି ଆରମ୍ଭରୁ ଥିବା ଗୁପ୍ତ ବିଷୟ ସବୁ ପ୍ରକାଶ କରିବି | 36 ଏଥିଉତ୍ତାରେ ଯୀଶୁ ଲୋକମାନଙ୍କୁ ବାହାରେ ଛାଡି ଘର ଭିତରକୁ ଗଲେ, ସେତେବେଳେ ଶିଷ୍ୟମାନେ ତାଙ୍କୁ ଗହମ ଓ ବାଳୁଙ୍ଗାର ଦୃଷ୍ଟାନ୍ତ ବୁଝାଇ ଦେବାକୁ ଅନୁରୋଧ କଲେ | 37 ତହିଁରେ ସେ କହିଲେ, ଭଲ ବିହନ ବୁଣି ଥିବା କୃଷକ ମୋତେ ଅର୍ଥାତ୍ ମନୁଷ୍ୟ ପୁତ୍ରଙ୍କୁ ବୁଝାଏ | 38 କ୍ଷେତ୍ର ଏହି ଜଗତକୁ ବୁଝାଏ, ଯେଉଁଠାରେ ଲୋକମାନେ ବାସ କରନ୍ତି ଓ ଉତ୍ତମ ବିହନ ଈଶ୍ୱରଙ୍କ ରାଜ୍ୟର ଲୋକମାନଙ୍କୁ ବୁଝାଏ | ବାଳୁଙ୍ଗା ଗଛ ଶୟତାନର ଲୋକମାନଙ୍କୁ ଓ ବାଳୁଙ୍ଗା ବୁଣି ଥିବା ଶତୃ ପାପାତ୍ମାକୁ ବୁଝାଏ | 39 ଫସଲ କାଟିବା ସମୟ ହେଉଛି, ଜଗତର ଅନ୍ତିମ କାଳ ଓ କଟାଳୀମାନେ ହେଉଛନ୍ତି, ସ୍ଵର୍ଗର ଦୂତଗଣ | 40 ବାଳୁଙ୍ଗା ଗୁଡ଼ାକ ଅଲଗା କରି ଯେପରି ପୋଡ଼ି ଦିଆଯାଏ, ଜଗତର ଅନ୍ତିମ କାଳରେ ଠିକ୍ ସେହିପରି ହେବ | 41 ମୁଁ ମନୁଷ୍ୟ ପୁତ୍ର ଖ୍ରୀଷ୍ଟ, ଆପଣା ସ୍ଵର୍ଗ ଦୂତମାନଙ୍କୁ ପଠାଇବି ଏବଂ ସେମାନେ ରାଜ୍ୟରୁ ସମସ୍ତ ପାପର କାରଣ ଓ ଗଳ୍ପ ଅଧାର୍ମିକମାନଙ୍କୁ ପୃଥକ କରିବେ | 42 ଆଉ ସ୍ଵର୍ଗ ଦୂତମାନେ ସେମାନଙ୍କୁ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ କରିବେ, ସେଠାରେ କ୍ରନ୍ଦନ ଓ ଦାନ୍ତର କିଡିମିଡି ଓ ଯନ୍ତ୍ରଣାର ସ୍ଥଳ ହେବ | 43 ସେତେବେଳେ ଧାର୍ମିକମାନେ ସେମାନଙ୍କ ସ୍ଵର୍ଗସ୍ଥ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ତୂଲ୍ୟ ଉଜ୍ଜ୍ୱଳ ଦେଖା ଯିବେ | ମୁଁ ଯାହା କହୁଅଛି, ତାହା ଯେବେ ତୁମ୍ଭେମାନେ ବୁଝିବାକୁ ସକ୍ଷମ ତେବେ ଯତ୍ନର ସହିତ ବୁଝ | 44 ସ୍ଵର୍ଗ ରାଜ୍ୟ କ୍ଷେତରେ ପୋତା ଯାଇଥିବା ବହୁମୂଲ୍ୟ ଧନ ସଦୃଶ | ଜଣେ ଲୋକ ସେହି ଧନର ସନ୍ଧାନ ପାଇ ପୁଣିଥରେ ତାହାକୁ ପୋତି ଦେଲା | ସେ ମହାଆନନ୍ଦରେ ଚାଲିଯାଇ ତାହାର ସର୍ବସ୍ୱ ବିକ୍ରୟକରି ତହିଁରେ ସେହି କ୍ଷେତଟିକୁ କିଣି ଗୁପ୍ତ ଧନ ପାଇଲା | 45 ଆହୁରି ମଧ୍ୟ ସ୍ଵର୍ଗ ରାଜ୍ୟ ବହୁମୂଲ୍ୟ ମୁକ୍ତା ଖୋଜୁଥିବା ଜଣେ ମୁକ୍ତା ବ୍ୟବସାୟୀ ସଦୃଶ | 46 ସେ ଏକ ଅତି ମୂଲ୍ୟବାନ ମୁକ୍ତା ଦେଖି ତାହାର ସର୍ବସ୍ୱ ବିକ୍ରୟ କରି ତାହା କିଣିଲା | 47 ପୁନର୍ବାର, ସ୍ଵର୍ଗ ରାଜ୍ୟ ଏକ ଜାଲ ସଦୃଶ | ତାହା ସମୁଦ୍ରରେ ପକାଯାଇ ସମସ୍ତ ପ୍ରକାର ମାଛ ଧରାଗଲା | 48 ଜାଲ ପୂର୍ଣ୍ଣ ହୁଅନ୍ତେ, ମାଛୁଆମାନେ ତାହାକୁ କୂଳକୁ ଟାଣି ଆଣି ଭଲ ମାଛ ସବୁ ଟୋକେଇରେ ରଖିଲେ, ଓ ମନ୍ଦ ମାଛ ସବୁକୁ ପକାଇ ଦେଲେ | 49 ଜଗତରେ ଥିବା ଲୋକମାନଙ୍କର ଅନ୍ତିମକାଳ ଠିକ୍ ସେହିପରି ହେବ | ସ୍ଵର୍ଗଦୂତମାନେ ଆସି ଧାର୍ମିକମାନଙ୍କଠାରୁ ଅଧାର୍ମିକମାନଙ୍କୁ ଅଲଗା କରିବେ | 50 ସେମାନେ ଅଧାର୍ମିକମାନଙ୍କୁ ଅଗ୍ନିରେ ନିକ୍ଷେପ କରିବେ | ସେଠାରେ ସେମାନେ କ୍ରନ୍ଦନ କରିବେ, ଓ ଦାନ୍ତର କିଡିମିଡିର ମହା ଯନ୍ତ୍ରଣା ଭୋଗ କରିବେ | 51 ଏହା ପରେ ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ, ମୁଁ ତୁମ୍ଭମାନଙ୍କୁ ଏହି ଯେଉଁ ସବୁ ଦୃଷ୍ଟାନ୍ତ ଓ ଗଳ୍ପ କହିଲି, ତୁମ୍ଭେମାନେ କି ତାହା ବୁଝି ପାରିଲା? ସେମାନେ ତାଙ୍କୁ କହିଲେ, ହଁ ଆମ୍ଭେମାନେ ବୁଝିଲୁ | 52 ସେ ଅହୁରି ମଧ୍ୟ କହିଲେ, ଯେଉଁ ଶାସ୍ତ୍ରଜ୍ଞମାନେ ମୋର ଶିଷ୍ୟ ହୋଇଅଛନ୍ତି, ସେମାନେ ଜଣେ ଗୃହସ୍ଥ ତୁଲ୍ୟ ଯେ କି ଅପଣାର ଭଣ୍ଡାରରୁ ପୁରାତନ ଓ ନୂତନ ଉଭୟ ପ୍ରକାରର ଧନ ବାହାର କରେ | 53 ଯୀଶୁ ଏହି ସମସ୍ତ ଦୃଷ୍ଟାନ୍ତ ଓ ଗଳ୍ପ କହି ସରିବା ପରେ, ଆପଣା ଶିଷ୍ୟମାନଙ୍କୁ ନେଇ ସେହି ଅଞ୍ଚଳକୁ ପରିତ୍ୟାଗ କଲେ | 54 ପରେ ସେମାନେ ଯୀଶୁଙ୍କ ନିଜ ଗ୍ରାମ ନାଜରୀତକୁ ବାହୁଡି ଆସି ଏକ ବିଶ୍ରାମବାରରେ ଉପାସନାଳୟରେ ଉପଦେଶ ଦେଲେ | ଆଉ ସେଠାସ୍ଥିତ ସମସ୍ତେ ତାହାଙ୍କ ଉପଦେଶମାନ ଶୁଣି ଓ ଆଶ୍ଚର୍ଯ୍ୟ କର୍ମମାନ ଦେଖି ଅତି ଚମତ୍କୃତ ହେଲେ, ପୁଣି କେହି କେହି କହିବାକୁ ଲାଗିଲେ, ଏ ତ ଆମ୍ଭମାନଙ୍କ ପରି ଜଣେ ସାଧାରଣ ଲୋକ, ଆମମାନଙ୍କଠାରୁ ସେ କିପରି ଅଧିକ ଯାଇଅଛି, ଓ ସେ ଅନେକ ବିଷୟରେ ବିଜ୍ଞ ଅଟେ, ଏହା କିପରି ସମ୍ଭବ ହୋଇପାରେ? 55 ଏ ତ ଜଣେ ବଢ଼େଇର ପୁଅ, ତାହାର ମାଁ ହେଉଛି ମରିୟମ ଓ ତାହାର ଭାଇମାନେ ହେଲେ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା | 56 ଏବଂ ଏହାର ଭଉଣୀମାନେ ତ ଆମମାନଙ୍କର ଗ୍ରାମରେ ବାସ କରୁଅଛନ୍ତି; ତେବେ ସେ କିପରି ଏତେ ମହାନ ହୋଇ ଅତି ଆଶ୍ଚର୍ଯ୍ୟ କର୍ମମାନ କରି ଅଧିକାରର ସହିତ ଶିକ୍ଷା ଦେଇପାରୁଛି | 57 ଆଉ ଲୋକମାନେ ଯୀଶୁଙ୍କର ଏହି ଅଧିକାରକୁ ଗ୍ରହଣ କରିବା ପାଇଁ ପସନ୍ଦ କଲେ ନାହିଁ | ଏଣୁ ଯୀଶୁ ସେମାନଙ୍କୁ କହିଲେ, ଅନ୍ୟ ସମସ୍ତ ସ୍ଥାନମାନଙ୍କରେ ଲୋକେ ମୋତେ ଓ ଅନ୍ୟ ଭାବବାଦୀମାନଙ୍କୁ ସମ୍ମାନ ପ୍ରଦାନ କରନ୍ତି ମାତ୍ର ନିଜସ୍ୱ ଲୋକମାନେ ଆମ୍ଭମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ | 58 ଏଣୁ ସେମାନଙ୍କ ଅବିଶ୍ୱାସ ହେତୁରୁ ସେଠାରେ ବିଶେଷ କିଛି ଅଲୌକିକ କାର୍ଯ୍ୟ କଲେ ନାହିଁ |

Chapter 14

1 ସେତେବେଳେ ହେରୋଦ ରାଜା ଯୀଶୁଙ୍କ କୃତ ଆଶ୍ଚର୍ଯ୍ୟ କର୍ମ ବିଷୟରେ ଶୁଣି, 2 ତାଙ୍କ କର୍ମଚାରୀମାନଙ୍କୁ କହିଲେ, ଏ ନିଶ୍ଚୟ ସେହି ଡୁବକ ଯୋହନ, ସେ ପୁଣିଥରେ ଜୀବନ ପାଇ ଉଠିଛି, ସେଥିପାଇଁ ସେ ଏହିସବୁ ଅଲୌକିକ କାର୍ଯ୍ୟ କରିପାରୁଛି | 3 ହେରୋଦ ଏହି ସବୁ ଭାବିବାର କାରଣ ହେଲା, ସେ ଆପଣା ଭାଇ ଫିଲିପ୍ପ ବଞ୍ଚି ଥାଉ ଥାଉ ତାଙ୍କ ସ୍ତ୍ରୀ ହେରୋଦିଆଙ୍କୁ ବିବାହ କରିଥିଲେ, ଆଉ ଯୋହନ ତାଙ୍କୁ କହୁଥିଲେ ଯେ, ସେ ଯାହା କରୁଅଛନ୍ତି ତାହା ଈଶ୍ୱରଙ୍କ ବିରୋଧୀ କାର୍ଯ୍ୟ ଅଟେ | ଏଣୁ ହେରୋଦ ଆପଣା ସୈନ୍ୟମାନଙ୍କୁ ପଠାଇ ତାଙ୍କୁ ବନ୍ଦୀ କରି ଶିକୁଳିରେ ବାନ୍ଧି ବନ୍ଦିଶାଳାରେ ରଖିଥିଲେ | 4 ହେରୋଦ ଯୋହନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ, ମାତ୍ର ସେ ସାଧାରଣ ଲୋକଙ୍କୁ ଭୟ କରୁଥିଲେ, କାରଣ ଲୋକେ ଯୋହନଙ୍କୁ ଜଣେ ଈଶ୍ୱରଙ୍କ ଭାବବାଦୀ ବୋଲି ବିଶ୍ଵାସ କରୁଥିଲେ | 5 ଦିନେ ହେରୋଦ ତାଙ୍କ ଜନ୍ମ ଦିନରେ ଲୋକମାନଙ୍କୁ ଏକ ମହା ଭୋଜ ଦେଲେ, ଏବଂ ହେରୋଦୀଆଙ୍କ ଝିଅ ଆମନ୍ତ୍ରିତ ଅତିଥିମାନଙ୍କ ଆଗରେ ନୃତ୍ୟ ପରିବେଷଣ କଲେ, ଓ ତାର ନୃତ୍ୟରେ ହେରୋଦ ଅତ୍ୟନ୍ତ ଖୁସି ହୋଇଗଲେ | 6 ଏଣୁ ସେ ତାଙ୍କୁ ଯାହା ମାଗିବ ତାହା ଈଶ୍ୱରଙ୍କୁ ସାକ୍ଷୀ ରଖି ଦେବା ପାଇଁ ସେ ପ୍ରତିଶ୍ରୁତି ଦେଲେ | 7 ତେଣୁ ହେରୋଦୀଆଙ୍କ ଝିଅ ଯାଇ କ’ଣ ମାଗିବ ତାହା ଆପଣା ମାଁ କୁ ପଚାରିଲା | ପୁଣି ଆପଣା ମାଁର କୁଶିକ୍ଷାରେ ପଡ଼ି ହେରୋଦ ରାଜାଙ୍କୁ କହିଲା, ବାପ୍ତିଜକ ଯୋହନଙ୍କ କଟା ମୁଣ୍ଡ ଆଣି ଏକ ଥାଳିରେ ମୋତେ ଦିଅନ୍ତୁ | ଯଦ୍ଵାରା ସେ ମରି ଅଛନ୍ତି ବୋଲି ମୁଁ ଜାଣିବି | 8 ଏହା ଶୁଣି ହେରୋଦ ଅତ୍ୟନ୍ତ ଦୁଃଖିତ ହେଲେ, କାରଣ ସେ ତାଙ୍କୁ ଯାହା ମାଗିବ ତାହା ତାହାକୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ | କିନ୍ତୁ ଅତିଥିମାନଙ୍କ ସମ୍ମୁଖରେ ପ୍ରତିଜ୍ଞା ଭଙ୍ଗ କରିବାକୁ ଇଚ୍ଛା ନ କରି ତାହା ଆଣି ତାକୁ ଦେବାକୁ ସେ ଆଦେଶ ଦେଲେ | 9 ଏଣୁ ସେ ସୈନ୍ୟମାନଙ୍କୁ ପଠାଇ ବାପ୍ତିଜକ ଯୋହନଙ୍କ ମସ୍ତକ କଟାଇଲେ | 10 ତହିଁରେ ସେମାନେ ଯାଇ ଯୋହନଙ୍କ ଛେଦନ କରି ତାହା ଏକ ଥାଳିରେ ଅଣାଇ ସେହି ଝିଅକୁ ଦିଅନ୍ତେ, ସେ ତାହା ନେଇ ଆପଣା ମାଁ କୁ ଦେଲା | 11 ଏଥିଉତ୍ତାରେ ଯୋହନଙ୍କ ଶିଷ୍ୟମାନେ ବନ୍ଦୀଶାଳାକୁ ଯାଇ ତାଙ୍କ ମୃତ ଶରୀରକୁ ନେଇ କବର ଦେଲେ ପୁଣି ଯାଇ ଯୀଶୁଙ୍କୁ ସବୁ କଥା ଜଣାଇଲେ | 12 ପୁଣି ଯୀଶୁ ଏହି ସମ୍ବାଦ ଶୁଣିଲା ପରେ ଗୋଟିଏ ନୌକାରେ ଚଢ଼ି ଗାଲିଲୀ ହ୍ରଦର ଅପର ପାରିର ଏକ ନିର୍ଜନ ସ୍ଥାନକୁ ବାହାରି ଗଲେ | 13 ଆଉ ଯୀଶୁ କୂଳରେ ପହଞ୍ଚିଲା ବେଳକୁ ସେଠାରେ ବହୁ ସଂଖ୍ୟକ ଲୋକ ତାଙ୍କୁ ଅପେକ୍ଷା କରି ଥିବାର ଦେଖି ସେ ସେମାନଙ୍କ ପ୍ରତି ଦୟାରେ ବିଗଳିତ ହୋଇ ସେମାନଙ୍କ ସହିତ ଆସିଥିବା ରୋଗୀମାନଙ୍କୁ ଆରୋଗ୍ୟ କଲେ | 14 ଆଉ ସନ୍ଧ୍ୟା ସମୟରେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ତାହାଙ୍କୁ କହିଲେ, ଏ ସ୍ଥାନ ନିର୍ଜନ ପୁଣି ବେଳ ତ ଗଢ଼ି ଗଲାଣି, ଏଣୁ ଲୋକମାନଙ୍କୁ କୁହନ୍ତୁ ଯେ, ସେମାନେ ଯାଇ ପାଖ ଗ୍ରାମ ଗୁଡିକରୁ ନିଜ ନିଜ ପାଇଁ ଖାଦ୍ୟ କିଣନ୍ତୁ | 15 ମାତ୍ର ଯୀଶୁ ସେମାନଙ୍କୁ କହିଲେ, ଖାଦ୍ୟ ପାଇଁ ସେମାନଙ୍କର ଯିବା ପ୍ରୟୋଜନ ନାହିଁ, ମାତ୍ର ତୁମ୍ଭେମାନେ ସେମାନଙ୍କୁ ଖାଇବାକୁ ଦିଅ | 16 କିନ୍ତୁ ଶିଷ୍ୟମାନେ କହିଲେ, ଆମ୍ଭମାନଙ୍କ ପାଖରେ ତ କେବଳ ପାଞ୍ଚଟି ରୋଟୀ ଓ ଦୁଇଟି ମାଛ ଅଛି | 17 ଏଥିରେ ଯୀଶୁ ସେମାନଙ୍କୁ କହିଲେ, ତାହା ସବୁ ମୋ’ ପାଖକୁ ଆଣ | 18 ଆଉ ଯୀଶୁ ଲୋକମାନଙ୍କୁ ଘାସ ଉପରେ ବସିବାକୁ କହିଲେ, ଏବଂ ସେହି ପାଞ୍ଚଟି ରୋଟୀ ଓ ଦୁଇଟି ମାଛକୁ ହାତରେ ଧରି ସ୍ଵର୍ଗ ଆଡ଼େ ଉର୍ଦ୍ଧ ଦୃଷ୍ଟି କରି ସେହି ଖାଦ୍ୟ ପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ସେଗୁଡିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଶିଷ୍ୟମାନଙ୍କୁ ତାହା ବାଣ୍ଟି ଦେବା ପାଇଁ ଦିଅନ୍ତେ, ସେମାନେ ଲୋକମାନଙ୍କ ମଧ୍ୟରେ ତାହା ବାଣ୍ଟି ଦେଲେ, 19 ପୁଣି ଲୋକମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ ଖାଇଲେ, ଓ ଖାଇ ସାରିବା ପରେ ଶିଷ୍ୟମାନେ ଭଙ୍ଗା ଭଙ୍ଗି ବଳକା ରୋଟୀ ଖଣ୍ଡ ସବୁକୁ ଗୋଟାଇ ବାର ଟୋକେଇ ପୂର୍ଣ୍ଣ କଲେ | 20 ଆଉ ପ୍ରାୟ ପାଞ୍ଚ ହଜାର ପୁରୁଷ ସେଦିନ ଖାଇଲେ, ମାତ୍ର ସ୍ତ୍ରୀ ଓ ପିଲାମାନଙ୍କୁ ଗଣା ଯାଇ ନ ଥିଲା | 21 ଏହି ଘଟଣା ପରେ ଯୀଶୁ ଏକ ନୌକାରେ ଚଢ଼ି ଗାଲିଲୀ ହ୍ରଦର ଅପର ପାରିକି ଯିବା ପାଇଁ ସେ ଶିଷ୍ୟମାନଙ୍କୁ କହିଲେ, ଓ ସେ ନିଜେ ଲୋକମାନଙ୍କୁ ଘରକୁ ବିଦାୟ କରିବା ପାଇଁ ସେଠାରେ ରହିଲେ | 22 ଲୋକମାନଙ୍କୁ ବିଦାୟ କଲା ପରେ ସନ୍ଧ୍ୟା ହୁଅନ୍ତେ ସେ ଏକାକୀ ପ୍ରାର୍ଥନା କରିବା ପାଇଁ ପାହାଡ଼ ଉପରକୁ ଗଲେ I 23 ଆଉ ଶିଷ୍ୟମାନେ ହ୍ରଦ କୂଳରୁ ଅନେକ ବାଟ ଗଲା ପରେ ସେମାନେ ବିପଦରେ ପଡିଲେ, କାରଣ ଝଡ଼ ପବନ ପ୍ରତିକୂଳ ଦିଗରୁ ପ୍ରବଳ ବେଗରେ ବୋହିବାକୁ ଲାଗିଲା, ପୁଣି ଶିଷ୍ୟମାନେ ପାଲକୁ ବୁଲାଇବାକୁ ଚେଷ୍ଟା କଲେ | କାରଣ ଝଡ଼ ପବନ ବହି ସମୁଦ୍ରରେ ବଡ ବଡ ଲହରୀ ଉଠିଲା ଓ ସେହି ନୌକାକୁ ଆଗକୁ ଯିବାକୁ ଦେଲା ନାହିଁ | 24 ଆଉ ରାତ୍ରିର ପ୍ରାୟ ଚାରିଟା ସମୟରେ ଯୀଶୁ ପାଣି ଉପରେ ଚାଲି ଚାଲି ସେମାନଙ୍କ ନିକଟକୁ ଆସିଲେ | 25 ଯେତେବେଳେ ଶିଷ୍ୟମାନେ ତାଙ୍କୁ ପାଣି ଉପରେ ଚାଲି ଚାଲି ତାଙ୍କ ଆଡ଼କୁ ଆସୁଥିବାର ଦେଖି, ତାଙ୍କୁ ଭୂତ ଭାବି ଅତ୍ୟନ୍ତ ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଲେ | 26 ମାତ୍ର ଯୀଶୁ ସେମାନଙ୍କୁ କହିଲେ, ସାହସ ଧର, ଏ ତ ମୁଁ, ଭୟ କର ନାହିଁ | 27 ତହିଁରେ ପିତର ତାଙ୍କୁ ଡାକି କହିଲେ, ହେ ପ୍ରଭୁ, ଯଦି ପ୍ରକୃତରେ ଆପଣ ହୋଇ ଥାଆନ୍ତି, ତେବେ ପାଣି ଉପରେ ଚାଲି ଚାଲି ଆପଣଙ୍କ ନିକଟକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ | 28 ଯୀଶୁ ତାଙ୍କୁ କହିଲେ, ଆସ ! ତହୁଁ ପିତର ନୌକାରୁ ଓହ୍ଲାଇ ପାଣି ଉପରେ ଚାଲି ଚାଲି ଯୀଶୁଙ୍କ ଆଡକୁ ଚାଲିବାକୁ ଲାଗିଲେ | 29 କିନ୍ତୁ ପିତର ଚାରି ଆଡ଼କୁ ଅନାଇ ବଡ ବଡ ଲହରୀ ସବୁ ଦେଖି ଅତ୍ୟନ୍ତ ଭୟଭୀତ ହୋଇ ଧିରେ ଧିରେ ବୁଡ଼ିବାକୁ ଲାଗିଲେ, ପୁଣି ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ ! 30 ତତକ୍ଷଣାତ୍ ଯୀଶୁ ଆପଣା ହାତ ବଢ଼ାଇ ତାଙ୍କୁ ରକ୍ଷା କଲେ, ଓ କହିଲେ, ତୁମ୍ଭେ ମୋ ଶକ୍ତି ଉପରେ କାହିଁକି ଅଳ୍ପ ବିଶ୍ୱାସ କଲ? ମୁଁ ଯେ ତୁମ୍ଭକୁ ବୁଡି ଯିବାରୁ ରକ୍ଷା କରିବି, ଏଥିରେ କାହିଁକି ସନ୍ଦେହ କଲ? 31 ଆଉ ଯୀଶୁ ଓ ପିତର ଦୁହେଁ ନୌକାରେ ଚଢ଼ିଲା ମାତ୍ରେ ଝଡ଼ ପବନ ସମ୍ପୂର୍ଣ୍ଣ ବନ୍ଦ ହେଲା | 32 ତହିଁରେ ଯେତେ ଲୋକ ସେହି ନୌକାରେ ଥିଲେ, ଏ ସମସ୍ତ ଦେଖି ଯୀଶୁଙ୍କ ପାଦ ତଳେ ପଡି କହିଲେ, ଆପଣ ହିଁ ପ୍ରକୃତରେ ଈଶ୍ୱରଙ୍କ ପୁତ୍ର ! 33 ଆଉ ସେମାନେ ଯାଇ ଗୀନେସରତ ହ୍ରଦର କୂଳରେ ପହଁଞ୍ଚିଲେ | 34 ସେହି ଅଞ୍ଚଳର ଲୋକେ ଯୀଶୁଙ୍କୁ ଚିହ୍ନି ପାରି ତାହାଙ୍କ ଦ୍ଵାରା ସୁସ୍ଥ ହେବା ପାଇଁ ରୋଗୀମାନଙ୍କୁ ଆଣିବା ପାଇଁ ପରସ୍ପର ନିକଟକୁ ଖବର ପଠାଇଲେ | 35 ଆଉ ରୋଗୀମାନେ ଯେପରି କେବଳ ତାହାଙ୍କ ଲୁଗା ଧଡ଼ିର ଧାରକୁ ଛୁଇଁପାରନ୍ତି, ଏଥିପାଇଁ ବିନତି କଲେ, ଏବଂ ଯେତେ ଜଣ ତାହାଙ୍କୁ ଛୁଇଁଲେ, ଓ ତାଙ୍କ ଲୁଗାର ଧଡିକୁ ଛୁଇଁଲେ, ସେ ସମସ୍ତେ ସୁସ୍ଥ ହେଲେ | 36 ଆଉ, ସେମାନେ ଯେପରି କେବଳ ତାହାଙ୍କ ବସ୍ତ୍ରର ଧାର ଛୁଅନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଛୁଇଁଲେ ସମସ୍ତେ ସୁସ୍ଥ ହେଲେ ।

Chapter 15

1 ଯିରୁଶାଲମରୁ କେତେକ ଫାରୁଶୀ ଓ ଶାସ୍ତ୍ରଜ୍ଞମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, 2 ଆପଣଙ୍କ ଶିଷ୍ୟମାନେ କାହିଁକି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରମ୍ପରା ବିଧି ସବୁକୁ ଅମାନ୍ୟ କରୁଅଛନ୍ତି? କାରଣ ସେମାନେ ଭୋଜନ କରିବା ପୂର୍ବରୁ ଆମର ପ୍ରଥା ଅନୁସାରେ ହାତ ଧୋଇବା ନୀତିକୁ ମାନୁ ନାହାନ୍ତି! 3 ଯୀଶୁ ଉତ୍ତର ଦେଲେ, ମୁଁ ମଧ୍ୟ ଦେଖୁ ଅଛି ଯେ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ତୁମ୍ଭମାନଙ୍କୁ କହିଥିବା ଆଜ୍ଞାଗୁଡିକୁ ପାଳନ ନ କରି କାହିଁକି ଈଶ୍ୱରଙ୍କ ସ୍ପଷ୍ଟ ଆଜ୍ଞାଗୁଡିକୁ ଅମାନ୍ୟ କରୁଅଛ? 4 ଈଶ୍ୱର ଦୁଇଟି ଆଜ୍ଞା ଦେଇଅଛନ୍ତି, ତୁମ୍ଭମାନଙ୍କ ପିତା ମାତାଙ୍କୁ ମାନ୍ୟ କର ଏବଂ ଯେ କେହି ଆପଣା ପିତା ମାତାଙ୍କୁ ନିନ୍ଦା କରେ, ସେ ନିଶ୍ଚୟ ମରିବ! 5 କିନ୍ତୁ ତୁମ୍ଭେମାନେ ଲୋକମାନଙ୍କୁ କହିଥାଅ, ତୁମ୍ଭର ପିତା ମାତା ଅଭାବଗ୍ରସ୍ତ ହେଲେ ହେଁ, ତୁମ୍ଭେ ସେମାନଙ୍କର ଭରଣପୋଷଣ ପାଇଁ ସେମାନଙ୍କୁ ଅର୍ଥ ନ ଦେଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ତାହା ଦାନ କରି ପାର | 6 ଏହାଦ୍ୱାରା ତୁମ୍ଭେମାନେ ଭାବି ଥାଅ ଯେ, ତୁମ୍ଭମାନଙ୍କ ପିତା ମାତାଙ୍କୁ କିଛି ଦେବା ଆବଶ୍ୟକତା ନାହିଁ | ଏହିପରି କରି ତୁମ୍ଭେ ଈଶ୍ୱରଙ୍କ ଆଦେଶକୁ ଅମାନ୍ୟ କରୁଅଛ ଓ ତୁମ୍ଭେମାନେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ଦ୍ଵାରା ଉଚିତ ନିୟମ ଦ୍ୱାରା ତାହା ବ୍ୟର୍ଥ କରିଥାଅ | 7 ତୁମ୍ଭେମାନେ କେବଳ ଉତ୍ତମ ବ୍ୟକ୍ତି ହେବାର ବାହାନା ଦେଖାଇ ଥାଅ, ଏଣୁ ଯିଶାଇୟ ଭାବବାଦୀ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସମ୍ବନ୍ଧରେ ଯଥାର୍ଥ ଭବିଷ୍ୟତ ବାଣୀ କରିଥିଲେ | 8 ଏହି ଲୋକମାନେ ମୋତେ ଭକ୍ତି କରନ୍ତି ବୋଲି କହନ୍ତି, କିନ୍ତୁ ସେମାନଙ୍କ ହୃଦୟ ମୋ’ଠାରୁ ବହୁ ଦୂରରେ ଥାଏ | 9 ସେମାନଙ୍କର ଉପାସନା ଓ ଆରାଧନା ସମ୍ପୂର୍ଣ୍ଣ ବୃଥା | କାରଣ ସେମାନେ ଈଶ୍ୱର ଦତ୍ତ ନିୟମ ପରିବର୍ତ୍ତେ ମନୁଷ୍ୟ ରଚିତ ନିୟମର ଶିକ୍ଷା ଦେଇଥାନ୍ତି | 10 ତତ୍ପରେ ଯୀଶୁ ଲୋକମାନଙ୍କୁ ଆପଣାର ନିକଟକୁ ଡ଼ାକି କହିଲେ, ମୋର କଥା ଶୁଣ ଓ ବୁଝିବାକୁ ଚେଷ୍ଟା କର | 11 ଖାଦ୍ୟ ଖାଇବା ଦ୍ଵାରା ଜଣେ ଅପବିତ୍ର ହୁଏ ନାହିଁ, ମାତ୍ର ମନୁଷ୍ୟ ଭିତରକୁ ତାହାର କଥାବାର୍ତ୍ତା ଓ ଚିନ୍ତାଧାରା ହିଁ ତାହାକୁ ଅପବିତ୍ର କରେ | 12 କିଛି ସମୟ ପରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି କହିଲେ, ଆପଣଙ୍କ ଏହି କଥାରେ ଫାରୁଶୀମାନେ ଯେ ଆପଣଙ୍କ ଉପରେ ବିରକ୍ତି ହୋଇଅଛନ୍ତି, ଏହା କ’ଣ ଜାଣନ୍ତି? 13 ଏଥିରେ ଯୀଶୁ ସେମାନଙ୍କୁ ଏକ ଦୃଷ୍ଟାନ୍ତ କହିଲେ, ମୋର ସ୍ଵର୍ଗସ୍ଥ ପିତା ଯେଉଁ ସବୁ ବୃକ୍ଷ ରୋପଣ କରି ନାହାନ୍ତି, ସେସବୁ ବୃକ୍ଷକୁ ଉପାଡ଼ି ଦିଆଯିବ | 14 ଫାରୁଶୀମାନଙ୍କ ପ୍ରତି ଧ୍ୟାନ ଦିଅ ନାହିଁ! କାରଣ ସେମାନେ ଲୋକମାନଙ୍କୁ ଈଶ୍ୱରଙ୍କ ପ୍ରକୃତ ଆଜ୍ଞା ବିଷୟରେ ଶିଖାନ୍ତି ନାହିଁ | ଏମାନେ ନିଜେ ଅନ୍ଧ ହୋଇ ଅନ୍ଧ ମାନଙ୍କର ପଥ ପ୍ରଦର୍ଶକ ଅଟନ୍ତି, ଅନ୍ଧ ଯେବେ ଅନ୍ୟ ଅନ୍ଧକୁ ପଥ ଦେଖାଏ, ତେବେ ସେମାନେ ଉଭୟେ ଖାତରେ ପଢ଼ନ୍ତି | 15 ପିତର ଯୀଶୁଙ୍କୁ କହିଲେ, ନିୟମ ବିରୁଦ୍ଧରେ ଖାଦ୍ୟ ଖାଇଲେ, ଲୋକେ ଅପବିତ୍ର ହୁଅନ୍ତି ନାହିଁ, ଏହି କଥାର ଅର୍ଥ ଆମ୍ଭମାନଙ୍କୁ ବୁଝାଇ ଦିଅନ୍ତୁ | 16 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ଯେଉଁ ଶିକ୍ଷା ଦେଉଅଛି, ତାହା ଯେ ତୁମ୍ଭେମାନେ ବୁଝି ପାରୁ ନାହଁ, ଏଥିରେ ମୁଁ ଚମତ୍କୃତ ଅଟେ | 17 ଯାହା ତୁମ୍ଭେ ଖାଅ, ତାହା ପାକସ୍ଥଳୀରେ ପ୍ରବେଶ କରି ପୁଣି ବାହାରି ଯାଏ, ଏହା କ’ଣ ଜାଣ ନାହିଁ | 18 ମାତ୍ର, ମନ୍ଦ କଥା ମନ୍ଦ ହୃଦୟରୁ ବାହାରେ, ଓ ଯେ କହେ, ତାହା ତାହାକୁ ହିଁ ଅପବିତ୍ର କରେ | 19 କାରଣ, କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟା ଗମନ, ଚୋରି, ମିଥ୍ୟା କଥା ଓ ପରନିନ୍ଦା ହୃଦୟରୁ ବାହାରେ | 20 ଏହିସବୁ ହିଁ ମନୁଷ୍ୟକୁ ଅପବିତ୍ର କରେ, କିନ୍ତୁ ଭୋଜନ ପୂର୍ବରୁ ହାତ ଧୋଇବା ରୀତିନୀତି ପାଳନ ନ କରିବା ଦ୍ଵାରା ଆଧ୍ୟାତ୍ମିକ ଅପବିତ୍ରତା ହୁଏ ନାହିଁ | 21 ଏହାପରେ ଯୀଶୁ ଶିଷ୍ୟମାନଙ୍କ ସହିତ ଗାଲିଲୀ ଅଞ୍ଚଳ ପରିତ୍ୟାଗ କରି ସୋର ଓ ସୀଦୋନ ଅଞ୍ଚଳକୁ ଗଲେ | 22 ସେହି ଅଞ୍ଚଳରେ ବାସ କରୁଥିବା ଜଣେ କିଣାନୀୟା ସ୍ତ୍ରୀ ଯୀଶୁଙ୍କ ପାଖକୁ ଆସି ବିନତି ଅନୁରୋଧ କରି କହିଲା, ହେ ପ୍ରଭୁ, ରାଜା ଦାଉଦଙ୍କ ସନ୍ତାନ, ତୁମ୍ଭେ ହିଁ ଖ୍ରୀଷ୍ଟ ଅଟ | ମୋ’ପ୍ରତି ଓ ମୋର ଝିଅ ପ୍ରତି ଦୟା କରନ୍ତୁ | କାରଣ ମୋର ଝିଅକୁ ଏକ ଭୂତାତ୍ମା ସବୁବେଳେ ଅତ୍ୟନ୍ତ ଯନ୍ତ୍ରଣା ଦେଉଅଛି | 23 କିନ୍ତୁ ଯୀଶୁ ତାହାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ ଦେଖି ତାହାଙ୍କ ଶିଷ୍ୟମାନେ ତାଙ୍କୁ ଅନୁରୋଧ କରି କହିଲେ, ଏହାକୁ ବିଦାୟ କରନ୍ତୁ, କାରଣ ସେ ଏପରି ବାରମ୍ବାର କରିବା ଦ୍ଵାରା ଆମ୍ଭମାନଙ୍କୁ ବିରକ୍ତି କରୁଅଛି | 24 ଏଥିରେ ଯୀଶୁ ସେହି ସ୍ତ୍ରୀ’କୁ କହିଲେ, ଈଶ୍ଵର ମୋତେ କେବଳ ଇସ୍ରାଏଲର ଲୋକମାନଙ୍କ ନିକଟକୁ ପଠାଇଛନ୍ତି, କାରଣ ସେମାନେ ହଜି ଯାଇଥିବା ମେଷ ତୂଲ୍ୟ ଅଟନ୍ତି | 25 କିନ୍ତୁ ସ୍ତ୍ରୀ’ଲୋକଟି ଯୀଶୁଙ୍କ ଅତି ନିକଟକୁ ଆସି ତାହାଙ୍କ ପାଦ ତଳେ ପଡି ଅନୁରୋଧ କରି କହିଲା, ପ୍ରଭୁ ମୋତେ ଦୟା କରନ୍ତୁ | 26 ଏଣୁ ସେ ତାହାକୁ କହିଲେ, ପିଲାମାନଙ୍କ ନିକଟରୁ ଖାଦ୍ୟ ନେଇ କୁକୁରମାନଙ୍କୁ ଦେବା ତ ଆଦୌ ଉଚିତ ନୁହେଁ | 27 ମାତ୍ର ସ୍ତ୍ରୀ’ଲୋକଟି ତାଙ୍କୁ ଉତ୍ତର ଦେଲା, ପ୍ରଭୁ ତୁମ୍ଭେ ଯାହା ଯାହା କହିଲ, ତାହା ସତ ଅଟେ, କିନ୍ତୁ ମାଲିକ ଆପଣା ମେଜରେ ବସି ଖାଉଥିବା ସମୟରେ ତଳେ ପଡୁଥିବା ଖାଦ୍ୟ ଖଣ୍ଡଗୁଡିକୁ ତ କୁକୁରମାନେ ଖାଆନ୍ତି | 28 ତହିଁରେ ଯୀଶୁ ତାହାକୁ କହିଲେ, ଗୋ ମହିଳା, ମୋ’ଠାରେ ତୁମ୍ଭର ବଡ ବିଶ୍ୱାସ | ତୁମ୍ଭର ଏହି ବିଶ୍ୱାସ ଅନୁସାରେ ମୁଁ ତୁମ୍ଭ ଝିଅକୁ ସୁସ୍ଥ କରୁଅଛି, ଆଉ ସେହିକ୍ଷଣି ତାହାର ଝିଅଟି ସୁସ୍ଥ ହେଲା | 29 ଏହାପରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନେଇ ଗାଲିଲୀ ହ୍ରଦର ଆର ପାରିକୁ ଫେରି ଗଲେ ଏବଂ ନିକଟସ୍ଥ ଏକ ପାହାଡ଼କୁ ଯାଇ ସେଠାରେ ବସି ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ | 30 ଆଉ ଦୁଇ ଦିନ ପର୍ଯ୍ୟନ୍ତ ବହୁ ସଂଖ୍ୟକ ଲୋକ ଛୋଟା, ଅନ୍ଧ, ପଙ୍ଗୁ, ମୂକ ଓ ବିକଳାଙ୍ଗ ରୋଗୀମାନଙ୍କୁ ଯୀଶୁଙ୍କ ନିକଟକୁ ଆଣି ତାହାଙ୍କ ସମ୍ମୁଖରେ ସେମାନଙ୍କୁ ଶୁଆଇ ଦେଲେ, ତହିଁରେ ଯୀଶୁ ସେମାନଙ୍କୁ ସୁସ୍ଥ କଲେ | 31 ଯେଉଁମାନେ ପୂର୍ବେ ପଦେ ହେଲେ କଥା କହି ପାରୁ ନ ଥିଲେ, ସେମାନେ କଥା କହିବାକୁ ଲାଗିଲେ, ଏବଂ ଯେଉଁମାନଙ୍କର ହାତ ଓ ପାଦ ଚଳୁ ନ ଥିଲା, ସେମାନ ଚାଲିଲେ ଓ ଯେଉଁମାନେ ଅନ୍ଧ ଥିଲେ, ସେମାନେ ଦୃଷ୍ଟି ପାଇଲେ | ଏହା ଦେଖି ଲୋକମାନେ ଅତି ଆଶ୍ଚର୍ଯ୍ୟ ହେଲେ ଓ ଇସ୍ରାଏଲର ସ୍ଵର୍ଗସ୍ଥ ପରମେଶ୍ୱରଙ୍କ ସ୍ତୁତିଗାନ କରିବାକୁ ଲାଗିଲେ | 32 ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, ଏହି ଲୋକମାନଙ୍କ ପ୍ରତି ମୋର ଦୟା ଜାତ ହେଉଛି, କାରଣ ଏମାନେ ତିନିଦିନ ହେଲାଣି, ମୋ’ ସହିତ ଏଠାରେ ଅଛନ୍ତି ଏବଂ ଏମାନଙ୍କ ପାଖରେ ଆଉ କିଛି ଖାଦ୍ୟ ନାହିଁ, ଏମାନଙ୍କୁ ଭୋକ ଉପାସରେ ଘରକୁ ବିଦାୟ କରି ଦେବାକୁ ମୋର ଇଚ୍ଛା ହେଉ ନାହିଁ, କାରଣ ଏମାନେ ଘରକୁ ଯାଉ ଯାଉ ହୁଏତ ବାଟରେ ମୂର୍ଚ୍ଛା ଯିବେ | 33 ତହିଁରେ ଶିଷ୍ୟମାନେ କହିଲେ, ଏହି ନିର୍ଜନ ସ୍ଥାନରେ ଏତେ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଇବା ଆମ୍ଭମାନଙ୍କ ପାଇଁ ଅସମ୍ଭବ | 34 ଯୀଶୁ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୋଟୀ ଅଛି? ସେମାନ ତାହାଙ୍କୁ କହିଲେ, ଆମ୍ଭମାନଙ୍କ ପାଖରେ ସାତୋଟି ରୋଟୀ ଓ ସାନ ସାନ କେତୋଟି ମାଛ ଅଛି | 35 ଯୀଶୁ ଲୋକମାନଙ୍କୁ ଘାସ ଉପରେ ବସିବାକୁ ଆଦେଶ ଦେଲେ, 36 ଏବଂ ସେହି ସାତୋଟି ରୋଟୀ ଓ ଭଜା ମାଛଗୁଡିକୁ ହାତରେ ଧରି ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ସେଗୁଡିକୁ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କୁ ଦିଅନ୍ତେ, ସେମାନେ ତାହା ନେଇ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେଲେ, 37 କାରଣ ଯୀଶୁ ସେହି ଖାଦ୍ୟକୁ ନେଇ ଆଶ୍ଚର୍ଯ୍ୟ ଭାବେ ବହୁ ଗୁଣିତ କଲେ, ଆଉ ଲୋକମାନେ ତୃପ୍ତ ହେବା ପର୍ଯ୍ୟନ୍ତ ତାହା ଖାଇଲା ପରେ ଶିଷ୍ୟମାନେ ବଳକା ଭଙ୍ଗା ଖଣ୍ଡ ଗୁଡିକୁ ଏକାଠି କରି ସେମାନଙ୍କ ପାଖରେ ଥିବା ବଡ ବଡ ଟୋକେଇରେ ତାହା ପୂର୍ଣ୍ଣ କଲେ | 38 ସେଠାରେ ସ୍ତ୍ରୀ ଓ ପିଲାମାନଙ୍କ ବ୍ୟତୀତ ପ୍ରାୟ ଚାରି ହଜାର ପୁରୁଷ ଖାଇଲେ | 39 ତହିଁରେ ଯୀଶୁ ଲୋକମାନଙ୍କୁ ସେମାନଙ୍କ ଘରକୁ ବିଦାୟ କରି ନିଜେ ଶିଷ୍ୟ ମାନଙ୍କ ସହିତ ନୌକାରେ ବସି ମଗ୍ଦାନ ଅଞ୍ଚଳକୁ ଗଲେ |

Chapter 16

1 କେତେକ ଫାରୁଶୀ ଓ ସାଦ୍ଦୁକୀମାନେ ଯୀଶୁଙ୍କ ନିକଟକୁ ଆସି କହିଲେ, ଈଶ୍ଵର ଯେ ତୁମ୍ଭକୁ ସତରେ ଆମ୍ଭମାନଙ୍କ ନିକଟକୁ ପଠାଇଛନ୍ତି ଏହାର ପ୍ରମାଣ ସ୍ଵରୂପେ ତୁମ୍ଭେ ଆକାଶରେ ଏକ ଚିହ୍ନ ଆମକୁ ଦେଖାଅ | 2 ସେ ସେମାନଙ୍କୁ ଉତ୍ତର ଦେଲେ, ଆମ ଦେଶରେ ସନ୍ଧ୍ୟା ସମୟରେ ଯେବେ ଆକାଶ ନାଲି ଦେଖାଯାଏ, ତେବେ ଆମ୍ଭେମାନେ କହିଥାଉ, ଆସନ୍ତା କାଲି ଭଲ ପାଗ ହେବ | 3 ମାତ୍ର ଆକାଶ ଯେବେ ସକାଳ ସମୟରେ ନାଲି ଦେଖାଯାଏ, ଆମେ କହିଥାଉ, ଆଜି ଦିନ ସାରା ପାଗ ଖରାପ ରହିବ | ତୁମ୍ଭେମାନେ ତ ଆକାଶକୁ ଦେଖି ପାଗ କିପରି ହେବ ତାହା ଜାଣିପାର, ଅଥଚ଼ ବର୍ତ୍ତମାନ ସମୟର ସ୍ପଷ୍ଟ ଚିହ୍ନ ସବୁ ତୁମ୍ଭେମାନେ କିପରି ବୁଝି ପାରୁ ନାହଁ ! 4 ତୁମ୍ଭେମାନେ ଅବିଶ୍ଵାସୀ ଦୁଷ୍ଟ ଲୋକ, ତୁମ୍ଭେ ମୋ’ଠାରେ ନାନା ଆଶ୍ଚର୍ଯ୍ୟ କର୍ମ ଦେଖିଲେ ହେଁ, ବିଶ୍ଵସ୍ତ ଭାବେ ଈଶ୍ୱରଙ୍କ ଉପାସନା କରୁ ନାହଁ | ଏଣୁ ମୁଁ ତୁମ୍ଭମାନଙ୍କ ପାଇଁ କୌଣସି ଆଶ୍ଚର୍ଯ୍ୟ କର୍ମ କରିବି ନାହିଁ | କିନ୍ତୁ, ଯୂନସ ଭବିଷ୍ୟତ ବକ୍ତାଙ୍କ ପ୍ରତି ଯେଉଁ ଆଶ୍ଚର୍ଯ୍ୟ ଘଟଣା ଘଟିଥିଲା, ଯେ କି ତିନିଦିନ ଓ ତିନି ରାତି ଏକ ମତ୍ସ ଉଦରରେ ଥିଲେ, ଓ ବାହାରି ଆସିଲେ | ଏହି କର୍ମ ବିନା ଆଉ କିଛି କରା ଯାଇ ପାରିବ ନାହିଁ | ଏହା କହି ଯୀଶୁ ଶିଷ୍ୟମାନଙ୍କ ସହିତ ସେମାନଙ୍କ ନିକଟରୁ ଚାଲି ଗଲେ | 5 ଆଉ ସେମାନେ ଗାଲିଲୀ ହ୍ରଦର ଅପର ପାର୍ଶ୍ୱରେ ପହଞ୍ଚି ଦେଖିଲେ ଯେ, ସେମାନେ ଆପଣା ସଙ୍ଗରେ ଖାଦ୍ୟ ସାମଗ୍ରୀ ନେବାକୁ ଭୁଲି ଯାଇଛନ୍ତି | 6 ସେହିକ୍ଷଣି ଯୀଶୁ ତାହା ଅନ୍ତରରେ ଜାଣି ପାରି ସେମାନଙ୍କୁ କହିଲେ, ସାବଧାନ, ଫାରୁଶୀ ଓ ସାଦ୍ଦୁକୀମାନେ ତୁମ୍ଭକୁ ଦେବାକୁ ଚାହୁଁ ଥିବା ତାଡି ଗ୍ରହଣ କରିବା ପ୍ରତି ସତର୍କ ହୁଅ | 7 ତାହା ଶୁଣି ସେମାନେ ପରସ୍ପରକୁ କୁହାକୁହି ହେଲେ, ସେମାନେ ଆପଣା ସଙ୍ଗରେ ରୋଟୀ ନେବାକୁ ଭୁଲି ଯାଇଥିବାରୁ ସେ ଏପରି କହୁଅଛନ୍ତି | 8 କିନ୍ତୁ ଯୀଶୁ ସେମାନେ କହୁଥିବା କଥା ଜାଣି ପାରି, ସେମାନଙ୍କୁ ଉତ୍ତର ଦେଲେ, ହେ ଅଳ୍ପ ବିଶ୍ଵାସୀମାନେ, ତୁମ୍ଭମାନଙ୍କ ନିକଟରେ ରୋଟୀ ନାହିଁ ବୋଲି କାହିଁକି ଏତେ ଚିନ୍ତା କରୁଅଛ? ମୁଁ ତ ଫାରୁଶୀ ଓ ସାଦ୍ଦୁକୀମାନଙ୍କ ତାଡି ବିଷୟରେ ତୁମ୍ଭମାନଙ୍କୁ କହିଲି | 9 ମୁଁ ଯେ ରୋଟୀ ପାଇଁ ଚିନ୍ତିତ ଏହା ମନେ କର ନାହିଁ, ମୁଁ ପାଞ୍ଚଟି ରୋଟୀରେ ପାଞ୍ଚ ହଜାର ଲୋକଙ୍କୁ ଖୁଆଇଲି, ଓ କେତେ ଟୋକେଇ ବଳି ପଡ଼ିଲା, ତାହା କ’ଣ ତୁମ୍ଭମାନଙ୍କର ମନେ ନାହିଁ? 10 ପୁଣି ଚାରି ହଜାର ଲୋକଙ୍କୁ ସାତୋଟି ରୋଟୀକୁ ନେଇ ବହୁ ଗୁଣିତ କରି ଖୁଆଇ ଥିଲି, ଓ ଭଙ୍ଗା ଖଣ୍ଡ ଗୁଡିକୁ ତୁମ୍ଭେମାନେ କେତେ ଟୋକେଇରେ ଭର୍ତ୍ତୀ କରିଥିଲ, ତାହା କ’ଣ ତୁମ୍ଭମାନଙ୍କର ମନେ ପଡୁ ନାହିଁ? 11 ମୁଁ ଯେ ତୁମ୍ଭମାନଙ୍କୁ ରୋଟୀ ବିଷୟରେ କହି ନ ଥିଲି, ଏହା କିପରି ବୁଝୁ ନାହଁ ? କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀର ବିଷୟରେ ସାବଧାନ ହୋଇଥାଅ । 12 ସେ ଯେ ରୋଟୀର ଖମୀରଠାରୁ ସାବଧାନ ହୋଇ ରହିବା ପାଇଁ ନ କହି ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଶିକ୍ଷାରୁ ସାବଧାନ ହୋଇ ରହିବା ପାଇଁ ସେମାନଙ୍କୁ କହିଥିଲେ, ଏହା ସେମାନେ ସେତେବେଳେ ବୁଝିଲେ । 13 ପରେ ଯୀଶୁ କାଇସରିୟା ଫିଲିପ୍ପୀ ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମନୁଷ୍ୟପୁତ୍ର କିଏ ବୋଲି ଲୋକେ କ'ଣ କହନ୍ତି ? 14 ଏଥିରେ ସେମାନେ କହିଲେ, କେହି କେହି କହନ୍ତି, ବାପ୍ତିଜକ ଯୋହନ, କେହି କେହି ଏଲୀୟ, ଆଉ କେହି କେହି ଯିରିମୀୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ । 15 ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କ'ଣ କହୁଅଛ ? 16 ଶିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର । 17 ଏଥିରେ ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ହେ ଯୂନସର ପୁତ୍ର ଶିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ, ବରଂ ମୋହର ସ୍ୱର୍ଗସ୍ଥ ପିତା ପ୍ରକାଶ କରିଅଛନ୍ତି । 18 ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି, ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ପାତାଳର ବଳ ତାହାକୁ ପରାଜୟ କରିବ ନାହିଁ । 19 ମୁଁ ତୁମ୍ଭଙ୍କୁ ସ୍ୱର୍ଗରାଜ୍ୟର କଞ୍ଚି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି, ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ୱର୍ଗରେ ତାହା ମୁକ୍ତ ରହିବ । 20 ସେତେବେଳେ ସେ ଯେ ଖ୍ରୀଷ୍ଟ ଅଟନ୍ତି, ଏହା କାହାକୁ ନ କହିବା ପାଇଁ ସେ ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞା ଦେଲେ। 21 ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ଅନେକ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି, ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ। 22 ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରି କହିବାକୁ ଲାଗିଲେ, ହେ ପ୍ରଭୁ, ଈଶ୍ୱର ଆପଣଙ୍କୁ ଦୟା କରନ୍ତୁ, ନା ପ୍ରଭୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ । 23 କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, ମୋ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ । 24 ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ନେଇ ମୋହର ଅନୁଗମନ କରୁ । 25 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ’ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପାଇବ । 26 ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କ'ଣ ଦେବ ? 27 ପୁଣି, ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ । 28 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମନୁଷ୍ୟପୁତ୍ରଙ୍କର ଆପଣା ରାଜ୍ୟରେ ଆଗମନ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ ।

Chapter 17

1 ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ନେଇ ପୃଥକ କରି ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ । 2 ଆଉ ସେ ସେମାନଙ୍କ ଆଗରେ ରୂପାନ୍ତରିତ ହେଲେ; ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ତାହାଙ୍କ ବସ୍ତ୍ର ଆଲୋକ ପରି ଶୁଭ୍ରବର୍ଣ୍ଣ ହେଲା । 3 ପୁଣି, ଦେଖ, ମୋଶା ଓ ଏଲୀୟ ତାହାଙ୍କ ସହିତ କଥାବାର୍ତ୍ତା କରୁଥିବା ସେମାନଙ୍କୁ ଦେଖାଗଲା । 4 ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆପଣଙ୍କର ଇଚ୍ଛା ହେଲେ ମୁଁ ଏଠାରେ ତିନୋଟି କୁଟୀର ନିର୍ମାଣ କରିବି, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ । 5 ସେ ଏହି କଥା କହୁ କହୁ, ଦେଖ, ଖଣ୍ଡେ ମେଘ ସେମାନଙ୍କୁ ଆଚ୍ଛାଦନ କଲା, ଆଉ ଦେଖ, ସେହି ମେଘରୁ ଏହି ବାଣୀ ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ” ଏହାଙ୍କ ବାକ୍ୟ ଶୁଣ । 6 ଏହା ଶୁଣି ଶିଷ୍ୟମାନେ ମୁଁହଁ ମାଡ଼ି ପଡ଼ିଗଲେ ଓ ଅତିଶୟ ଭୀତ ହେଲେ । 7 ସେଥିରେ ଯୀଶୁ ଆସି ସେମାନଙ୍କୁ ସ୍ପର୍ଶ କରି କହିଲେ, ଉଠ, ଭୟ କର ନାହିଁ । 8 ପୁଣି, ସେମାନେ ଉପରକୁ ଚାହିଁ କେବଳ ଯୀଶୁଙ୍କ ବିନା ଆଉ କାହାରିକୁ ଦେଖିଲେ ନାହିଁ । 9 ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ଯୀଶୁ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ମନୁଷ୍ୟପୁତ୍ର ମୃତମାନଙ୍କ ମଧ୍ୟରୁ ନ ଉଠିବା ପର୍ଯ୍ୟନ୍ତ ଏ ଦର୍ଶନର କଥା କାହାରିକୁ କୁହ ନାହିଁ । 10 ପୁଣି, ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ତେବେ ଶାସ୍ତ୍ରୀମାନେ କାହିଁକି କହନ୍ତି ଯେ, ପ୍ରଥମରେ ଅବଶ୍ୟ ଏଲୀୟଙ୍କର ଆଗମନ ହେବ ? 11 ସେ ଉତ୍ତର ଦେଲେ, ଏଲୀୟ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବା କଥା ସତ, 12 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏଲୀୟ ତ ଆସି ସାରିଲେଣି, ମାତ୍ର ଲୋକେ ତାହାଙ୍କୁ ନ ଚିହ୍ନି ଯାହା ଇଚ୍ଛା, ତାହା ହିଁ ତାହାଙ୍କ ପ୍ରତି କରିଅଛନ୍ତି । ସେହି ପ୍ରକାରେ ମନୁଷ୍ୟପୁତ୍ର ମଧ୍ୟ ସେମାନଙ୍କ ହାତରେ ଦୁଃଖଭୋଗ କରିବାକୁ ଯାଉଅଛନ୍ତି । 13 ସେ ଯେ ସେମାନଙ୍କୁ ବାପ୍ତିଜକ ଯୋହନଙ୍କ ବିଷୟରେ କହିଲେ, ଶିଷ୍ୟମାନେ ସେତେବେଳେ ତାହା ବୁଝିଲେ । 14 ପରେ ସେମାନେ ଲୋକମାନଙ୍କ ନିକଟକୁ ଆସନ୍ତେ ଜଣେ ଲୋକ ତାହାଙ୍କ ନିକଟକୁ ଆସି ଆଣ୍ଠୋଇପଡ଼ି କହିଲା, 15 ହେ ପ୍ରଭୁ, ମୋହର ପୁଅକୁ ଦୟା କରନ୍ତୁ, କାରଣ ସେ ମୂର୍ଚ୍ଛାରୋଗରେ ବଡ଼ କଷ୍ଟ ପାଉଅଛି, କାରଣ ସେ ଥରକୁଥର ନିଆଁରେ ଓ ଥରକୁଥର ପାଣିରେ ପଡ଼ୁଅଛି । 16 ମୁଁ ଆପଣଙ୍କ ଶିଷ୍ୟମାନଙ୍କ ନିକଟକୁ ତାହାକୁ ଆଣିଥିଲି, ମାତ୍ର ସେମାନେ ତାହାକୁ ସୁସ୍ଥ କରି ପାରିଲେ ନାହିଁ । 17 ଯୀଶୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି ? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି ? ତାହାକୁ ଏଠିକି ମୋ’ପାଖକୁ ଆଣ । 18 ଆଉ ଯୀଶୁ ଭୂତକୁ ଧମକାନ୍ତେ ସେ ତାହାଠାରୁ ବାହାରିଗଲା ଓ ବାଳକଟି ସେହି ମୁହୂର୍ତ୍ତରୁ ସୁସ୍ଥ ହେଲା । 19 ଏହାପରେ ଶିଷ୍ୟମାନେ ଗୋପନରେ ଯୀଶୁଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ । 20 ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ଅଳ୍ପ ବିଶ୍ୱାସ ସକାଶେ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ପର୍ବତକୁ ‘ଏଠାରୁ ସେଠାକୁ ଘୁଞ୍ଚିଯା' ବୋଲି କହିଲେ ତାହା ଘୁଞ୍ଚିଯିବ, ଆଉ କିଛି ହିଁ ତୁମ୍ଭମାନଙ୍କର ଅସାଧ୍ୟ ହେବ ନାହିଁ । 21 undefined 22 ଆଉ ସେମାନେ ଗାଲିଲୀରେ ଏକତ୍ର ହେବା ସମୟରେ ଯୀଶୁ ସେମାନଙ୍କୁ କହିଲେ, ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି, 23 ପୁଣି, ସେମାନେ ତାହାଙ୍କୁ ବଧ କରିବେ, ଆଉ ତୃତୀୟ ଦିବସରେ ସେ ଉଠିବେ । ଏଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହେଲେ । 24 ଏଥିମଧ୍ୟରେ ସେମାନେ କଫର୍ନାହୂମକୁ ଆସନ୍ତେ ମନ୍ଦିରର କର ଆଦାୟକାରୀ ଲୋକେ ପିତରଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭମାନଙ୍କର ଗୁରୁ କ'ଣ ମନ୍ଦିରର କର ଦିଅନ୍ତି ନାହିଁ ? 25 ସେ କହିଲେ, ହଁ, ଦିଅନ୍ତି । ଆଉ ସେ ଘରକୁ ଆସିଲା ପରେ ଯୀଶୁ ଆଗେ ତାହାକୁ କହିଲେ, ଶିମୋନ, ତୁମ୍ଭର ମତ କ'ଣ ? ପୃଥିବୀର ରାଜାମାନେ କାହା ପାଖରୁ କର ବା ରାଜସ୍ୱ ନିଅନ୍ତି ? ସେମାନଙ୍କ ସନ୍ତାନଗଣଙ୍କଠାରୁ କିମ୍ବା ବିଦେଶୀମାନଙ୍କଠାରୁ ? 26 ସେ ବିଦେଶୀମାନଙ୍କଠାରୁ ବୋଲି କହନ୍ତେ ଯୀଶୁ ତାହାଙ୍କୁ କହିଲେ, ତେବେ ତ ପୁତ୍ରମାନେ ମୁକ୍ତ । 27 କିନ୍ତୁ ଆମ୍ଭେମାନେ ଯେପରି ସେମାନଙ୍କ ବିଘ୍ନର କାରଣ ନ ହେଉ, ଏଥିପାଇଁ ସମୁଦ୍ରକୁ ଯାଇ ବନ୍‍ଶୀ କଣ୍ଟା ପକାଅ, ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ, ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟମୁଦ୍ରା ପାଇବ; ତାହା ନେଇ ମୋ’ ପାଇଁ ଓ ତୁମ୍ଭ ପାଇଁ ସେମାନଙ୍କୁ ଦିଅ ।

Chapter 18

1 ଏହି ସମୟରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିବାକୁ ଲାଗିଲେ, ସ୍ୱର୍ଗରାଜ୍ୟରେ ଆମମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବିବେଚିତ ହେବ । 2 ଯୀଶୁ ଗୋଟିଏ ସାନ ପିଲାକୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ ଠିଆ କରାଇ, 3 କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ନିଜ ନିଜ ପାପରୁ ବିମୁଖ ହୋଇ ଏହି ସାନ ପିଲା ପରି ନିଜକୁ ନମ୍ର ନ କର, ତେବେ ତୁମ୍ଭେମାନେ କଦାପି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ । 4 ତେଣୁ ଯେ ଏହି ସାନ ପିଲା ପରି ନିଜକୁ ନମ୍ର କରେ, ତେବେ ସେ ସ୍ଵର୍ଗ ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହେବ । 5 ପୁଣି, କେହି ଯେବେ ମୋ’ନାମରେ ଏପରି ଜଣେ ସାନ ପିଲାକୁ ସାଦରେ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ । 6 କିନ୍ତୁ କେହି ଯେବେ ମୋ’ଠାରେ ବିଶ୍ଵାସ ରଖିଥିବା ଏପରି ଜଣେ ସାନ ପିଲାର ବିଶ୍ୱାସରେ ବାଧା ଜନ୍ମାଏ, ତେବେ ତାହାର ଗଳାରେ ଏକ ଚକି ପଥର ବାନ୍ଧି ତାହାକୁ ସମୁଦ୍ରରେ ନିକ୍ଷେପ କରିବା ବରଂ ଭଲ ହେବ । 7 ଯେଉଁମାନେ ଅନ୍ୟକୁ ପାପରେ ପକାନ୍ତି, ସେମାନଙ୍କ ଦଶା କେଡେ ଭୟଙ୍କର ହେବ । ପାପ ପ୍ରତି ପ୍ରଲୋଭନ ଅନିବାର୍ଯ୍ୟ । କିନ୍ତୁ ଯେଉଁ ମନୁଷ୍ୟ ଅନ୍ୟକୁ ପାପ କରିବାକୁ ପ୍ରଲୋଭିତ କରାଏ, ତାହାର ଜୀବନ ବଡ ଶୋଚନୀୟ ହେବ । 8 ଯଦି ତୁମ୍ଭେ ତୁମ୍ଭ ହାତ ପାଦ ଦ୍ୱାରା ପାପ କରିବାକୁ ହାତ ଓ ପାଦକୁ କୁହ ହାତ ପାଦକୁ ଏଥିରୁ ଅଟକାଏ, ଏପରିକି ଯଦି ସମ୍ଭବ ହୁଏ, ଏହାକୁ କାଟି ଫୋପାଡି ଦିଅ, ଯେପରି ତମେ ଆଉ ପାପ କରିବ ନାହିଁ । ତୁମ୍ଭେ ଆଉ ପାପ କରିବ ନାହିଁ । ଯଦି ହାତ ପାଦ ଥାଇ ନରକର ଅଗ୍ନିକୁ ଯିବା ଅପେକ୍ଷା ବିକଳାଙ୍ଗ ହୋଇ ଗର୍ବରେ ପ୍ରବେଶ କରିବା ଉତ୍ତମ । 9 ହଁ, ପୁଣି ଯଦି ସେହି ଜିନିଷକୁ ଦେଖି ପାପ କରିବାକୁ ଇଚ୍ଛୁକ ହୁଏ, ତେବେ ସେହି ବିଷୟଗୁଡିକ ଦେଖନାହିଁ । ଅପର କ୍ଷେତ୍ରରେ ତୁମ୍ଭର ଗୋଟିଏ ଆଖି ପାପ କରିବାକୁ ନିରୀକ୍ଷଣ କରେ ତାହାକୁ ଫୋପାଡ଼ି ବାହାର କରିପକାଅ । ଦୁଇଟି ଆଖି ଥାଇ ନରକକୁ ଯିବା ଅପେକ୍ଷା ଗୋଟିଏ ଆଖିରେ ସ୍ୱର୍ଗକୁ ଯିବା ବରଂ ଭଲ । 10 ସାବଧାନ ତୁମ୍ଭେ ଯେପରି ଏହି ସାନପିଲାମାନଙ୍କ ମଧ୍ୟରୁ ଜଣକୁ ସୁଦ୍ଧା ହେୟଜ୍ଞାନ ନ କର । କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହିଅଛି, ସ୍ୱର୍ଗରେ ଦୂତମାନେ ଯାହାକୁ ସୁରକ୍ଷା ଦିଅନ୍ତି ମୋର ସ୍ଵର୍ଗସ୍ଥ ପିତାଙ୍କ ସମ୍ମୁଖରେ ଗମନାଗମନ କରି ସମସ୍ତ ତଥ୍ୟ ପ୍ରଦାନ କରନ୍ତି । 11 undefined 12 ଏହି ବିଷୟ ନେଇ ତୁମ୍ଭେମାନେ କ'ଣ କରିପାର ? ଯଦି ତୁମ୍ଭମାନଙ୍କର ଶହେଟି ମେଣ୍ଢାଥାଏ, ସେଥିରୁ ଗୋଟିଏ ମେଣ୍ଢା ହଜିଲେ । ବାକି ଅନେଶତ ମେଣ୍ଢାକୁ ପାହାଡ ତଳକୁ ଛାଡିଦେଇ ଯେଉଁଯାଏ ସେହି ଗୋଟିଏ ମେଣ୍ଢାକୁ ଖୋଜିବା ନିମନ୍ତେ ଯିବ ନାହିଁ ? 13 ଗୋଟିଏ ଅନେଶ୍ୱତ ମେଣ୍ଢା ଅପେକ୍ଷା ସେହି ଗୋଟିଏ ପାଇଁ ଅଧିକ ଆନନ୍ଦ କରିବ । ଆଉ ଯଦି ସେ ତାହାକୁ ପାଏ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଅନେଶ୍ୱତଟି ହଜି ଯାଇ ନ ଥିଲେ, ସେମାନଙ୍କ ଅପେକ୍ଷା ଏହି ଗୋଟିକ ଲାଗି ସେ ଅଧିକ ଆନନ୍ଦ କରେ । 14 ସେହିପ୍ରକାରେ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଯେ ଗୋଟିଏ ବିନଷ୍ଟ ହୁଏ, ଏହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ନୁହେଁ । 15 ଯଦି ତୁମ୍ଭ ଭାଇ ପାପ କରେ, ତେବେ ଯାଇ କେବଳ ତୁମ୍ଭ ଦୁଇ ଜଣଙ୍କ ମଧ୍ୟରେ ତାହାକୁ ତାହାର ଦୋଷ ଦେଖାଅ; ଯଦି ସେ ତୁମ୍ଭର କଥା ଶୁଣେ, ତେବେ ତୁମ୍ଭେ ଆପଣା ଭାଇ କି ଲାଭ କଲ । 16 କିନ୍ତୁ ଯଦି ସେ ନ ଶୁଣେ, ତେବେ ତୁମ୍ଭ ସାଙ୍ଗରେ ଆଉ ଜଣେ ବା ଦୁଇ ଜଣକୁ ନେଇ ଯାଅ, ଯେପରି ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ। 17 ତଥାପି ଯଦି ସେ ସେମାନଙ୍କ କଥା ନ ମାନେ, ତେବେ ମଣ୍ଡଳୀକୁ କୁହ ଓ ସେ ମଣ୍ଡଳୀ କଥା ମଧ୍ୟ ନ ମାନେ, ତେବେ ସେ ତୁମ୍ଭ ଦୃଷ୍ଟିରେ ଅଣଯିହୂଦୀ ଓ କରଗ୍ରାହୀ ପରି ହେଉ । 18 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ପୃଥିବୀରେ ଯାହାସବୁ ବନ୍ଦ କରିବ, ସ୍ୱର୍ଗରେ ସେହି ସବୁ ବନ୍ଦ ରହିବ, ପୁଣି, ପୃଥିବୀରେ ଯାହାସବୁ ମୁକ୍ତ କରିବ, ସ୍ୱର୍ଗରେ ସେହି ସବୁ ମୁକ୍ତ ରହିବ। 19 ପୁନଶ୍ଚ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ପୃଥିବୀରେ ତୁମ୍ଭମାନଙ୍କ ମଧ୍ୟରୁ ଦୁଇ ଜଣ ଯେକୌଣସି ବିଷୟ ଏକମନା ହୋଇ ଯାହା କିଛି ମାଗିବେ, ତାହା ମୋହର ସ୍ୱର୍ଗସ୍ଥ ପିତାଙ୍କ କର୍ତ୍ତୃକ ସେମାନଙ୍କ ପ୍ରତି ଘଟିବ । 20 କାରଣ ଯେଉଁ ସ୍ଥାନରେ ଦୁଇ କି ତିନି ଜଣ ମୋ’ନାମରେ ଏକତ୍ର ହୁଅନ୍ତି, ସେହି ସ୍ଥାନରେ ମୁଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛି । 21 ସେତେବେଳେ ପିତର ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋ’ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି ? 22 କି ସାତ ଥର ପର୍ଯ୍ୟନ୍ତ ? ଯୀଶୁ ତାହାଙ୍କୁ କହିଲେ, ତୁମ୍ଭକୁ କେବଳ ସାତ ଥର ପର୍ଯ୍ୟନ୍ତ କହୁ ନାହିଁ, 23 ମାତ୍ର ସତୁରି ଗୁଣ ସାତ ଥର ପର୍ଯ୍ୟନ୍ତ । ଅତଏବ, ସ୍ୱର୍ଗରାଜ୍ୟ ଆପଣା ଦାସମାନଙ୍କ ସହିତ ହିସାବ କରିବାକୁ ଇଚ୍ଛୁକ ଜଣେ ରାଜାଙ୍କ ସଦୃଶ । 24 ସେ ହିସାବ ଆରମ୍ଭ କରନ୍ତେ ଦଶ ହଜାର ରୌପ୍ୟମୁଦ୍ରା ଋଣ କରିଥିବା ଜଣେ ଦାସ ତାହାଙ୍କ ଛାମୁକୁ ଅଣାଗଲା । 25 କିନ୍ତୁ ତାହାର ପରିଶୋଧ କରିବାକୁ କିଛି ନ ଥିବାରୁ ତାହାର ପ୍ରଭୁ ତାହାକୁ ଏବଂ ତାହାର ସ୍ତ୍ରୀ, ପିଲାପିଲି ଓ ସର୍ବସ୍ୱ ବିକ୍ରୟ କରି ପରିଶୋଧ ନେବାକୁ ଆଜ୍ଞା ଦେଲେ । 26 ତେଣୁ ସେହି ଦାସ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ଆପଣ ମୋ’ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣକୁ ସବୁ ପରିଶୋଧ କରିଦେବି । 27 ସେଥିରେ ସେହି ଦାସର ପ୍ରଭୁ ଦୟା କରି ତାହାକୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲେ । 28 କିନ୍ତୁ ସେହି ଦାସ ବାହାରିଯାଇ ତାହାଠାରୁ ପଚାଶ ଟଙ୍କା ଋଣ କରିଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ତାହାର ଗଳା ଚିପି କହିବାକୁ ଲାଗିଲା, ତୁ ଯାହା ଧାରୁ, ଶୁଝିଦେ । 29 ତେଣୁ ତାହାର ସହଦାସ ଭୂମିଷ୍ଠ ହୋଇ ତାହାକୁ ବିନତି କରି କହିବାକୁ ଲାଗିଲା, ଆପଣ ମୋ' ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ପରିଶୋଧ କରିଦେବି । 30 ମାତ୍ର ସେ ସମ୍ମତ ହେଲା ନାହିଁ, କିନ୍ତୁ ଯାଇ ଋଣ ପରିଶୋଧ ନ କରିବା ଯାଏ ତାହାକୁ କାରାଗାରରେ ପକାଇଦେଲା । 31 ତେଣୁ ତାହାର ସହଦାସମାନେ ଏହି ଘଟଣା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ ଓ ଯାଇ ସେମାନଙ୍କ ପ୍ରଭୁଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି ଜଣାଇଲେ । 32 ସେଥିରେ ତାହାର ପ୍ରଭୁ ତାହାକୁ ପାଖକୁ ଡ଼କାଇ କହିଲେ, ରେ ଦୁଷ୍ଟ ଦାସ, ତୁ ମୋତେ ବିନତି କରିବାରୁ ମୁଁ ତୋର ସେହି ସମସ୍ତ ଋଣ କ୍ଷମା କଲି; 33 ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହ ଦାସକୁ କ୍ଷମା କରିବା ତୋହର କର୍ତ୍ତବ୍ୟ ନ ଥିଲା ? 34 ଆଉ, ତାହାର ପ୍ରଭୁ ରାଗିଯାଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହାତରେ ସମର୍ପଣ କଲେ । 35 ତୁମ୍ଭେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକୁ କ୍ଷମା ନ କର, ତାହାହେଲେ ମୋହର ସ୍ୱର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ ।

Chapter 19

1 ଯୀଶୁ ଏହି ସମସ୍ତ କଥା ସମାପ୍ତ କରିବା ପରେ ଗାଲିଲୀରୁ ଚାଲିଯାଇ ଯର୍ଦ୍ଦନର ଆରପାରରେ ଥିବା ଯିହୂଦା ସୀମାରେ ଉପସ୍ଥିତ ହେଲେ । 2 ପୁଣି, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସେଠାରେ ସେମାନଙ୍କୁ ସୁସ୍ଥ କଲେ । 3 ଏହି ସମୟରେ ଫାରୂଶୀମାନେ ତାହାଙ୍କ ପାଖକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଯେକୌଣସି କାରଣରୁ ଆପଣା ସ୍ତ୍ରୀ କି ପରିତ୍ୟାଗ କରିବା କ'ଣ ନ୍ୟାୟସଙ୍ଗତ ? 4 ସେ ଉତ୍ତର ଦେଲେ, ତୁମ୍ଭେମାନେ କ'ଣ ପାଠ କରି ନାହଁ ଯେ, ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ, 5 ଆଉ କହିଲେ, ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ ? 6 ଏଣୁ ସେମାନେ ଆଉ ଦୁଇ ନୁହନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି । ଅତଏବ ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ଅଲଗା ନ କରୁ । 7 ସେମାନେ ତାହାଙ୍କୁ ପଚାରିଲେ, ତେବେ ମୋଶା କାହିଁକି ତ୍ୟାଗପତ୍ର ଦେଇ ସ୍ତ୍ରୀ’କୁ ପରିତ୍ୟାଗ କରିବା ନିମନ୍ତେ ଆଜ୍ଞା ଦେଲେ ? 8 ଯୀଶୁ ସେମାନଙ୍କୁ କହିଲେ, କାରଣ ତୁମ୍ଭମାନଙ୍କ ହୃଦୟର କଠିନତା ଦେଖି ମୋଶା ତୁମ୍ଭମାନଙ୍କୁ ଆପଣା ଆପଣା ସ୍ତ୍ରୀ କି ପରିତ୍ୟାଗ କରିବାକୁ ଅନୁମତି ଦେଲେ, କିନ୍ତୁ ଆଦ୍ୟରୁ ସେପରି ନ ଥିଲା । 9 ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀ କି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ । 10 ଶିଷ୍ୟମାନେ ତାହାଙ୍କୁ କହିଲେ, ସ୍ତ୍ରୀ ସହିତ ମନୁଷ୍ୟର ଯଦି ଏହି ପ୍ରକାର ସମ୍ଵନ୍ଧ, ତେବେ ବିବାହ କରିବା ଭଲ ନୁହେଁ । 11 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ସମସ୍ତେ ଏହି କଥା ଗ୍ରହଣ କରି ପାରନ୍ତି ନାହିଁ, କେବଳ ଯେଉଁମାନଙ୍କୁ କ୍ଷମତା ଦିଆଯାଇଅଛି, ସେମାନେ କରି ପାରନ୍ତି । 12 କାରଣ କେହି କେହି ମାତାର ଗର୍ଭରୁ ନପୁଂସକ ହୋଇ ଜନ୍ମ ହୋଇଅଛନ୍ତି, ଆଉ କେହି କେହି ମନୁଷ୍ୟମାନଙ୍କ ଦ୍ୱାରା ନପୁଂସକ କରାଯାଇଅଛନ୍ତି, ପୁଣି, ଆଉ କେହି କେହି ସ୍ୱର୍ଗରାଜ୍ୟ ସକାଶେ ଆପଣା ଆପଣାକୁ ନପୁଂସକ କରିଅଛନ୍ତି । ଯେଉଁ ଲୋକ ଗ୍ରହଣ କରିପାରେ, ସେ ଗ୍ରହଣ କରୁ । 13 ସେତେବେଳେ ଯୀଶୁ ଯେପରି ଶିଶୁମାନଙ୍କ ଉପରେ ହାତ ରଖି ପ୍ରାର୍ଥନା କରନ୍ତି, ଏଥିପାଇଁ ସେମାନେ ତାହାଙ୍କ ନିକଟକୁ ଅଣାଗଲେ । ମାତ୍ର ଶିଷ୍ୟମାନେ ଆଣୁଥିବା ଲୋକମାନଙ୍କୁ ଧମକ ଦେଲେ । 14 କିନ୍ତୁ ଯୀଶୁ କହିଲେ, ଶିଶୁମାନଙ୍କୁ ଛାଡ଼ିଦିଅ, ସେମାନଙ୍କୁ ମୋ’ ପାଖକୁ ଆସିବାକୁ ମନା କର ନାହିଁ, କାରଣ ସ୍ୱର୍ଗରାଜ୍ୟ ଏହି ପ୍ରକାର ଲୋକମାନଙ୍କର । 15 ଆଉ, ସେ ସେମାନଙ୍କ ଉପରେ ହାତ ରଖି ସେଠାରୁ ଚାଲିଗଲେ । 16 ଆଉ ଦେଖ, ଜଣେ ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁଁ କେଉଁ ସତ୍କର୍ମ କରିବି ? 17 ସେ ତାହାଙ୍କୁ କହିଲେ, ସତ୍ କେବଳ ଜଣେ; କିନ୍ତୁ ତୁମ୍ଭେ ଯଦି ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର, ତେବେ ଆଜ୍ଞାସବୁ ପାଳନ କର । 18 ସେ ତାହାଙ୍କୁ ପଚାରିଲେ, କି କି ପ୍ରକାର ଆଜ୍ଞା ? ଯୀଶୁ କହିଲେ, ଏହି ସବୁ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, 19 ପିତାମାତାଙ୍କୁ ସମାଦର କର; ପୁଣି, ତୁମ୍ଭର ପଡୋଶୀକି ଆତ୍ମତୁଲ୍ୟ ପ୍ରେମ କର । 20 ସେହି ଯୁବକ ତାହାଙ୍କୁ କହିଲେ, ଏହି ସମସ୍ତ ମୁଁ ପାଳନ କରିଅଛି, ମୋହର ଆଉ କ'ଣ ଉଣା ଅଛି ? 21 ଯୀଶୁ ତାହାଙ୍କୁ କହିଲେ, ଯଦି ତୁମ୍ଭେ ସିଦ୍ଧ ହେବାକୁ ଇଚ୍ଛା କର, ତେବେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର । 22 କିନ୍ତୁ ଏହି କଥା ଶୁଣି ଯୁବକଟି ଦୁଃଖିତ ହୋଇ ଚାଲିଗଲେ, କାରଣ ତାଙ୍କର ବହୁତ ସମ୍ପତ୍ତି ଥିଲା । 23 ସେଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଧନୀ ଲୋକ ଅତି କଷ୍ଟରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ । 24 ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟରେ ଧନୀଲୋକଙ୍କର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ପ୍ରବେଶ କରିବା ସହଜ । 25 ଶିଷ୍ୟମାନେ ଏହା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ ? 26 ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ସମସ୍ତ ସାଧ୍ୟ । 27 ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦେଖନ୍ତୁ, ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ; ଆମ୍ଭେମାନେ ତେବେ କ'ଣ ପାଇବା ? 28 ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ନୂତନ ସୃଷ୍ଟିରେ ଯେତେବେଳେ ମନୁଷ୍ୟପୁତ୍ର ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ, ସେତେବେଳେ, ମୋହର ଅନୁଗାମୀ ହୋଇଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ମଧ୍ୟ ଦ୍ୱାଦଶ ସିଂହାସନରେ ଉପବେଶନ କରି ଇସ୍ରାଏଲରେ ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ । 29 ପୁଣି, ଯେ କେହି ମୋହର ନାମ ସକାଶେ ଗୃହ କି ଭାଇ କି ଭଉଣୀ କି ପିତା କି ମାତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରେ, ସେ ବହୁଗୁଣ ପାଇବ, ପୁଣି, ଅନନ୍ତ ଜୀବନର ଅଧିକାରୀ ହେବ । 30 କିନ୍ତୁ ପ୍ରଥମେ ଥିବା ଅନେକ ଲୋକ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ଲୋକ ପ୍ରଥମ ହେବେ ।

Chapter 20

1 କାରଣ ସ୍ୱର୍ଗରାଜ୍ୟ ଏପରି ଜଣେ ଗୃହକର୍ତ୍ତାଙ୍କ ସଦୃଶ, ଯେ ସକାଳ ହେବାମାତ୍ର ଆପଣା ଦ୍ରାକ୍ଷାକ୍ଷେତ୍ରରେ ମୂଲିଆ ଲଗାଇବାକୁ ବାହାରିଗଲେ । 2 ଆଉ ସେ ମୂଲିଆମାନଙ୍କ ସହିତ ଦିନକୁ ଏକ ଦିନର ମୂଲ ପାଇଁ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୁ ପଠାଇଲେ । 3 ପୁଣି, ପ୍ରାୟ ନଅଟା ସମୟରେ ବାହାରିଯାଇ ବଜାରରେ ଅନ୍ୟମାନଙ୍କୁ ନିଷ୍କର୍ମା ହୋଇ ଠିଆ ହୋଇଥିବା ଦେଖି ସେମାନଙ୍କୁ ମଧ୍ୟ କହିଲେ, 4 ତୁମ୍ଭେମାନେ ସୁଦ୍ଧା ଦ୍ରାକ୍ଷାକ୍ଷେତ୍ରକୁ ଯାଅ, ପୁଣି, ଯାହା ଉଚିତ୍, ତାହା ତୁମ୍ଭମାନଙ୍କୁ ଦେବି; ଆଉ ସେମାନେ ଗଲେ । 5 ପୁଣି, ଥରେ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାର କଲେ । 6 ପୁଣି, ପ୍ରାୟ ପାଞ୍ଚଟା ସମୟରେ ସେ ବାହାରିଯାଇ ଆଉ କେତେକ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ଏଠାରେ ଦିନଯାକ ଖାଲିରେ ଠିଆ ହୋଇଅଛ ? 7 ସେମାନେ ତାହାଙ୍କୁ କହିଲେ, କାରଣ କେହି ଆମ୍ଭମାନଙ୍କୁ ମୂଲ ଲଗାଇ ନାହାନ୍ତି । ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମଧ୍ୟ ଦ୍ରାକ୍ଷାକ୍ଷେତ୍ରକୁ ଯାଅ । 8 ପରେ ସନ୍ଧ୍ୟା ହୁଅନ୍ତେ ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଆପଣା ବେବର୍ତ୍ତାଙ୍କୁ କହିଲେ, ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ । 9 ସେଥିରେ ଯେଉଁମାନେ ପ୍ରାୟ ପାଞ୍ଚଟା ସମୟରେ ମୂଲ ଲଗାଯାଇଥିଲେ, ସେମାନେ ଆସି ଏକ ଦିନର ମୂଲ ଲେଖାଏଁ ପାଇଲେ । 10 ପୁଣି, ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ; ମାତ୍ର ସେମାନେ ମଧ୍ୟ ଏକ ଦିନର ମୂଲ ଲେଖାଏଁ ପାଇଲେ । 11 କିନ୍ତୁ ତାହା ପାଇ ସେମାନେ ଘରର ଅଧିକାରୀଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, 12 ଏହି ଶେଷର ଲୋକମାନେ ଘଣ୍ଟାଏ ମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳି ପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ । 13 କିନ୍ତୁ ସେ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଲେ, ଭାଇ, ତୋ ପ୍ରତି ମୁଁ ଅନ୍ୟାୟ କରୁ ନାହିଁ; ତୁ କଅଣ ମୋ’ ସାଙ୍ଗରେ ଏକ ଦିନର ମୂଲ ପାଇଁ ଚୁକ୍ତି କରି ନ ଥିଲୁ ? 14 ତୋର ଯାହା, ତାହା ନେଇ ଚାଲି ଯା, କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋ’ପରି ଦେବା ପାଇଁ ମୋହର ଇଚ୍ଛା । 15 ନିଜ ସମ୍ପତ୍ତିକୁ ନିଜ ଇଚ୍ଛାନୁସାରେ ବ୍ୟବହାର କରିବାକୁ କଅଣ ମୋର ଅଧିକାର ନାହିଁ ? ନା ମୁଁ ଦାନଶୀଳ ହେବାରୁ ତୁ ଈର୍ଷାଦୃଷ୍ଟି କରୁଅଛୁ ? 16 ସେହିପରି ଶେଷରେ ଥିବା ଲୋକେ ପ୍ରଥମେ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ । 17 ଯୀଶୁ ଯିରୂଶାଲମକୁ ଯାତ୍ରା କରିବା ନିମନ୍ତେ ଉଦ୍ୟତ ହେଉଥିବା ସମୟରେ ଦ୍ୱାଦଶଙ୍କୁ ପୃଥକ୍ କରି ପଥ ମଧ୍ୟରେ ସେମାନଙ୍କୁ କହିଲେ, 18 ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରୁଅଛୁ, ଆଉ ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ, 19 ପୁଣି, ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଜ୍ଞା ଦେଇ ପରିହାସ, କୋରଡ଼ା ପ୍ରହାର ଓ କ୍ରୁଶରେ ବଧ କରିବା ନିମନ୍ତେ ଅଣଯିହୂଦୀମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉଠିବେ । 20 ସେତେବେଳେ ଜେବଦୀଙ୍କ ସ୍ତ୍ରୀ ଆପଣା ପୁତ୍ରମାନଙ୍କୁ ସାଙ୍ଗରେ ନେଇ ତାହାଙ୍କ ଛାମୁକୁ ଆସି ପ୍ରଣାମ କରି ତାହାଙ୍କଠାରୁ କିଛି ମାଗିଲେ । 21 ସେଥିରେ ସେ ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଇଚ୍ଛା କରୁଅଛ ? ସେ ତାହାଙ୍କୁ କହିଲେ, ଆପଣଙ୍କ ରାଜ୍ୟରେ ଯେପରି ମୋହର ଏହି ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣେ ବାମ ପାର୍ଶ୍ୱରେ ବସନ୍ତି, ଏହା ଆଜ୍ଞା କରନ୍ତୁ । 22 କିନ୍ତୁ ଯୀଶୁ ଉତ୍ତର ଦେଲେ, ତୁମ୍ଭେମାନେ କ'ଣ ମାଗୁଅଛ, ତାହା ଜାଣୁ ନାହଁ । ମୁଁ ଯେଉଁ ପାତ୍ରରେ ପାନ କରିବାକୁ ଯାଉଅଛି, ସେଥିରେ କି ତୁମ୍ଭେମାନେ ପାନ କରି ପାର ? 23 ସେମାନେ ତାହାଙ୍କୁ କହିଲେ, ପାରୁ । ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମୋହର ପାତ୍ରରେ ପାନ କରିବ ସତ, କିନ୍ତୁ ମୋହର ଦକ୍ଷିଣ ଓ ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ମୋହର ପିତାଙ୍କ ଦ୍ୱାରା ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ । 24 ଅନ୍ୟ ଦଶ ଜଣ ଶିଷ୍ୟ ଏହା ଶୁଣି ସେହି ଦୁଇ ଭାଇଙ୍କ ଉପରେ ବିରକ୍ତ ହେଲେ । 25 କିନ୍ତୁ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, ଅଣଯିହୂଦୀମାନଙ୍କ ଶାସନକର୍ତ୍ତାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମ୍ଭେମାନେ ଜାଣ । 26 ତୁମ୍ଭମାନଙ୍କ ମଧ୍ୟରେ ସେପ୍ରକାର ନୁହେଁ, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ, 27 ଆଉ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ, 28 ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ପାଇଁ ମୁଁକ୍ତିର ମୂଲ୍ୟ ସ୍ୱରୂପେ ପ୍ରାଣ ଦେବାକୁ ଆସିଅଛନ୍ତି । 29 ସେମାନେ ଯିରୀହୋରୁ ବାହାରିବା ସମୟରେ ବହୁସଂଖ୍ୟକ ଲୋକ ତାହାଙ୍କର ପଛେ ପଛେ ଗଲେ । 30 ଆଉ ଦେଖ, ପଥ ପାର୍ଶ୍ୱରେ ଦୁଇ ଜଣ ଅନ୍ଧ ଯୀଶୁ ସେହି ପଥ ଦେଇ ଯାଉଅଛନ୍ତି ବୋଲି ଶୁଣି ଉଚ୍ଚ ସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦଙ୍କ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ । 31 ମାତ୍ର ଲୋକସମୂହ ସେମାନଙ୍କୁ ତୁନି ହେବା ପାଇଁ ଧମକ ଦେଲେ, କିନ୍ତୁ ସେମାନେ ଆହୁରି ଉଚ୍ଚ ସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦଙ୍କ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ । 32 ସେଥିରେ ଯୀଶୁ ଠିଆ ହୋଇ ସେମାନଙ୍କୁ ଡାକି ପଚାରିଲେ, ମୁଁ ତୁମ୍ଭମାନଙ୍କ ପାଇଁ କ'ଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ ? 33 ସେମାନେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯେପରି ଆମ୍ଭମାନଙ୍କର ଆଖି ଫିଟିଯାଏ । 34 ଆଉ ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ ଓ ସେହିକ୍ଷଣି ସେମାନେ ଦେଖି ପାରିଲେ ଓ ଯୀଶୁଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ।

Chapter 21

1 ଯେତେବେଳେ ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହୋଇ ବୈଥ୍‌ଫାଗୀ ଓ ଜୀତପର୍ବତ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଦୁଇ ଶିଷ୍ୟଙ୍କୁ ଏହି କଥା କହି ପଠାଇଲେ । 2 ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ, ଆଉ ଯିବାମାତ୍ରେ ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଦଭୀ ଓ ତାହା ସହିତ ଗୋଟିଏ ଶାବକକୁ ଦେଖିବ; ସେମାନଙ୍କୁ ଫିଟାଇ ମୋ’ ନିକଟକୁ ନେଇଆସ । 3 ଆଉ ଯେବେ କେହି ତୁମ୍ଭମାନଙ୍କୁ କିଛି କହେ, ତେବେ କହିବ ଏମାନଙ୍କଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି । ସେହିକ୍ଷଣି ସେ ସେମାନଙ୍କୁ ପଠାଇଦେବ । 4 ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହା ଘଟିଲା, 5 ସିୟୋନର କନ୍ୟାକୁ କୁହ, ଦେଖ୍‌, ତୋର ରାଜା ତୋ ନିକଟକୁ ଆସୁଅଛନ୍ତି; ସେ ନମ୍ର ଓ ଗର୍ଦ୍ଦଭାରୋହୀ, ଶାବକ, ଗର୍ଦ୍ଦଭ ଶାବକାରୋହୀ । 6 ସେଥିରେ ଶିଷ୍ୟମାନେ ଯାଇ ଯୀଶୁଙ୍କ ଆଦେଶ ଅନୁସାରେ କାମ କଲେ, 7 ପୁଣି, ଗର୍ଦ୍ଦଭୀ ଓ ଶାବକଟି ଆଣି ସେମାନଙ୍କ ଉପରେ ବସ୍ତ୍ର ପାତିଦେଲେ, ଆଉ ସେ ତାହା ଉପରେ ବସିଲେ । 8 ପୁଣି, ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଆପଣା ଆପଣା ଲୁଗା ପଥରେ ବିଛାଇଲେ ଓ ଅନ୍ୟମାନେ ଗଛରୁ ଡାଳ କାଟି ଆଣି ବାଟରେ ବିଛାଇଦେବାକୁ ଲାଗିଲେ । 9 ଆଉ ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା ଦାଉଦଙ୍କ ସନ୍ତାନ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା । 10 ଆଉ ସେ ଯିରୂଶାଲମରେ ପ୍ରବେଶ କରନ୍ତେ ନଗରଯାକ ଏ କିଏ ବୋଲି ଚହଳ ପଡ଼ିଗଲା । 11 ସେଥିରେ ଲୋକସମୂହ କହିଲେ, ଏ ଗାଲିଲୀସ୍ଥ ନାଜରିତର ଭାବବାଦୀ ଯୀଶୁ । 12 ପରେ ଯୀଶୁ ଈଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କିଣାବିକା କରୁଥିବା ସମସ୍ତ ଲୋକଙ୍କୁ ବାହାର କରିଦେଲେ, ପୁଣି, ମୁଦ୍ରା ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ, 13 ଆଉ ଯୀଶୁ ସେମାନଙ୍କୁ କହିଲେ, ଲେଖା ଅଛି, ଆମ୍ଭର ଗୃହ ପ୍ରାର୍ଥନାର ଗୃହ ବୋଲି ପରିଚିତ ହେବ, କିନ୍ତୁ ତୁମ୍ଭେମାନେ ତାହାକୁ ଡକାୟତମାନଙ୍କ ବାସସ୍ଥାନ କରୁଅଛ । 14 ପୁଣି, ମନ୍ଦିରରେ ଅନ୍ଧ ଓ ଖଞ୍ଜ ଲୋକେ ତାହାଙ୍କ ପାଖକୁ ଆସନ୍ତେ ସେ ସେମାନଙ୍କୁ ସୁସ୍ଥ କଲେ । 15 କିନ୍ତୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ଓ ମନ୍ଦିର ମଧ୍ୟରେ ହୋଶାନ୍ନା ଦାଉଦଙ୍କ ସନ୍ତାନ ବୋଲି ଉଚ୍ଚ ସ୍ୱର କରୁଥିବା ପିଲାମାନଙ୍କୁ ଦେଖି ବିରକ୍ତ ହେଲେ, 16 ପୁଣି, ତାହାଙ୍କୁ ପଚାରିଲେ, ଏମାନେ କ'ଣ କହୁଅଛନ୍ତି, ତାହା କି ତୁମ୍ଭେ ଶୁଣୁଅଛ ? ଯୀଶୁ ସେମାନଙ୍କୁ କହିଲେ, ହଁ, ତୁମ୍ଭେ ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ୱାରା ଆପଣା ଉଦ୍ଦେଶ୍ୟରେ ସ୍ତବ ସିଦ୍ଧ କରିଅଛ, ଏହି କଥା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ ? 17 ଆଉ, ସେ ସେମାନଙ୍କୁ ଛାଡ଼ିଦେଇ ଯିରୂଶାଲମରୁ ବାହାରି ବେଥନିଆକୁ ଯାଇ ସେଠାରେ ରାତି କଟାଇଲେ । 18 ସକାଳେ ସେ ଯିରୂଶାଲମକୁ ଫେରିବା ସମୟରେ କ୍ଷୁଧିତ ହେଲେ, 19 ଆଉ ବାଟ ପାଖରେ ଗୋଟିଏ ଡିମ୍ବିରି ଗଛ ଦେଖି ତାହା ନିକଟକୁ ଗଲେ, ପୁଣି, କେବଳ ପତ୍ର ଛଡ଼ା ତାହାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, ଆଉ କଦାପି ତୋଠାରେ ଫଳ ନ ହେଉ । ସେଥିରେ ସେହିକ୍ଷଣି ସେହି ଡିମ୍ବିରି ଗଛ ଶୁଖିଗଲା । 20 ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମ୍ବିରିଗଛଟି କିପରି ସେହିକ୍ଷଣି ଶୁଖିଗଲା ? 21 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ଆଉ ତୁମ୍ଭେମାନେ ସନ୍ଦେହ ନ କର, ତେବେ ଏହି ଡିମ୍ବିରି ଗଛ ପ୍ରତି ଯେପରି କରାଯାଇଅଛି, କେବଳ ଯେ ସେପରି କରିବ, ତାହା ନୁହେଁ, ମାତ୍ର ଯଦି ଏ ପର୍ବତକୁ ସୁଦ୍ଧା ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ତାହାହେଲେ ତାହା ହେବ । 22 ପୁଣି, ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ, ସେହି ସବୁ ପାଇବ । 23 ପରେ ସେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବା ସମୟରେ ପ୍ରଧାନ ଯାଜକମାନେ ଓ ଲୋକଙ୍କର ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ ? ଆଉ ତୁମ୍ଭକୁ କିଏ ଏହି ଅଧିକାର ଦେଲା ? 24 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ଯଦି ତୁମ୍ଭେମାନେ ମୋତେ ତାହା କହିବ, ତେବେ କେଉଁ ଅଧିକାରରେ ମୁଁ ଏହି ସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି । 25 ଯୋହନଙ୍କର ବାପ୍ତିସ୍ମ କେଉଁଠାରୁ ହୋଇଥିଲା ? ସ୍ୱର୍ଗରୁ ବା ମନୁଷ୍ୟଠାରୁ ? ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ ଆମ୍ଭମାନଙ୍କୁ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ ? 26 କିନ୍ତୁ ଯଦି ମନୁଷ୍ୟଠାରୁ ବୋଲି କହିବୁ, ତେବେ ଲୋକସମୂହକୁ ତ ଭୟ! କାରଣ ସମସ୍ତେ ଯୋହନଙ୍କୁ ଭାବବାଦୀ ବୋଲି ମାନନ୍ତି । 27 ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହୁଁ । ସେ ମଧ୍ୟ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ । 28 ମାତ୍ର ତୁମ୍ଭେମାନେ କ'ଣ ମନେ କର ? ଜଣେ ବ୍ୟକ୍ତିଙ୍କର ଦୁଇଟି ପୁତ୍ର ଥିଲେ । ସେ ପ୍ରଥମ ନିକଟକୁ ଆସି କହିଲେ, ପୁଅ, ଯା, ଆଜି ଦ୍ରାକ୍ଷାକ୍ଷେତ୍ରରେ କାମ କର । 29 ସେ ଉତ୍ତର ଦେଲା, ମୋର ଇଚ୍ଛା ନାହିଁ, କିନ୍ତୁ ପରେ ଅନୁତାପ କରି ଗଲା । 30 ପୁଣି, ସେ ଦ୍ୱିତୀୟ ପାଖକୁ ଆସି ସେହି ପ୍ରକାର କହିଲେ । ସେ ଉତ୍ତର ଦେଲା, ଆଜ୍ଞା, ମୁଁ ଯାଉଅଛି, କିନ୍ତୁ ଗଲା ନାହିଁ । 31 ଏହି ଦୁହିଁଙ୍କ ମଧ୍ୟରୁ କିଏ ପିତାଙ୍କର ଇଚ୍ଛା ସାଧନ କଲା ? ସେମାନେ କହିଲେ, “ପ୍ରଥମ ଜଣକ ।” ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କରଗ୍ରାହୀ ଓ ବେଶ୍ୟାମାନେ ତୁମ୍ଭମାନଙ୍କ ଆଗେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରୁଅଛନ୍ତି । 32 କାରଣ ଯୋହନ ତୁମ୍ଭମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, ମାତ୍ର କରଗ୍ରାହୀ ଓ ବେଶ୍ୟାମାନେ ତାହାଙ୍କୁ ବିଶ୍ୱାସ କଲେ, କିନ୍ତୁ ତୁମ୍ଭେମାନେ ଯେପରି ତାହାଙ୍କୁ ବିଶ୍ୱାସ କରି ପାର, ଏଥି ନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ । ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ । 33 ଜଣେ ଗୃହକର୍ତ୍ତା ଥିଲେ, ସେ ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ଚାରିଆଡ଼େ ବାଡ଼ ଦେଲେ ଓ ତହିଁ ମଧ୍ୟରେ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀଗୃହ ତିଆରି କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଇ ବିଦେଶକୁ ଚାଲିଗଲେ । 34 ପରେ ଫଳର ସମୟ ପାଖେଇ ଆସନ୍ତେ ସେ ଆପଣା ଫଳ ପାଇବା ପାଇଁ କୃଷକମାନଙ୍କ ପାଖକୁ ନିଜ ଦାସମାନଙ୍କୁ ପଠାଇଲେ । 35 କିନ୍ତୁ କୃଷକମାନେ ତାହାଙ୍କ ଦାସମାନଙ୍କୁ ଧରି ଜଣକୁ ପ୍ରହାର କଲେ, ଅନ୍ୟ ଜଣକୁ ବଧ କଲେ, ପୁଣି, ଆଉ ଜଣକୁ ପଥର ଫପାଡ଼ି ମାରିପକାଇଲେ । 36 ପୁଣି, ଥରେ ସେ ପ୍ରଥମ ଥର ଅପେକ୍ଷା ଅଧିକ ସଂଖ୍ୟକ ଦାସ ପଠାଇଲେ, ଆଉ ସେମାନେ ସେମାନଙ୍କ ପ୍ରତି ସେହି ପ୍ରକାର କଲେ । 37 କିନ୍ତୁ ମୋର ପୁଅକୁ ସେମାନେ ମାନ୍ୟ କରିବେ, ଏହା କହି ସେ ପରେ ଆପଣା ପୁତ୍ରକୁ ସେମାନଙ୍କ ନିକଟକୁ ପଠାଇଲେ । 38 ମାତ୍ର ସେହି କୃଷକମାନେ ପୁତ୍ରଙ୍କୁ ଦେଖି ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ମାରି ଦେଇ ଆମ୍ଭେମାନେ ଏହାର ଅଧିକାର ଦଖଲ କରୁ । 39 ଆଉ ସେମାନେ ତାହାଙ୍କୁ ଧରି ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ମାରିଦେଲେ । 40 ଅତଏବ ଯତେବେଳେ ସେହି ଦ୍ରାକ୍ଷାକ୍ଷେତ୍ରର ମାଲିକ ଆସିବେ, ସେତେବେଳେ ସେହି କୃଷକମାନଙ୍କ ପ୍ରତି ସେ କ'ଣ କରିବେ ? 41 ସେମାନେ ତାହାଙ୍କୁ କହିଲେ, ସେ ସେହି ଦୁଷ୍ଟମାନଙ୍କୁ ନିଷ୍ଠୁରଭାବରେ ବିନାଶ କରିବେ ଓ ଯେଉଁ ଅନ୍ୟ କୃଷକମାନେ ତାହାଙ୍କୁ ଠିକ୍ ସମୟରେ ଫଳ ଯୋଗାଇବେ, ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଭାଗରେ ଦେବେ । 42 ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କି କେବେ ହେଁ ଧର୍ମଶାସ୍ତ୍ରରେ ଏହି କଥା ପାଠ କରି ନାହଁ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା; ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ ? 43 ଏଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କଠାରୁ କାଢ଼ିନିଆଯିବ, ପୁଣି, ଯେଉଁ ଜାତି ସେଥିର ଫଳ ଫଳିବ, ତାହାକୁ ଦିଆଯିବ । 44 ଆଉ ଯେ ଏହି ପ୍ରସ୍ତର ଉପରେ ପଡ଼ିବ, ସେ ଖଣ୍ଡବିଖଣ୍ଡ ହେବ, ପୁଣି, ଏହି ପ୍ରସ୍ତର ଯାହା ଉପରେ ପଡ଼ିବ, ତାହାକୁ ତାହା ଚୂର୍ଣ୍ଣବିଚୂର୍ଣ୍ଣ କରିବ । 45 ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କର ଏହି ସମସ୍ତ ଦୃଷ୍ଟାନ୍ତ ଶୁଣି, ସେ ଯେ ସେମାନଙ୍କ ବିଷୟରେ କହୁଅଛନ୍ତି, ଏହା ବୁଝିଲେ । 46 ଆଉ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ ।

Chapter 22

1 ପୁଣି ଥରେ ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଉତ୍ତର ଦେଲେ, ସ୍ୱର୍ଗରାଜ୍ୟ ଏପରି 2 ଜଣେ ରାଜାଙ୍କ ସଦୃଶ, ଯେ ଆପଣା ପୁତ୍ରଙ୍କ ବିବାହ-ଉତ୍ସବ ଆୟୋଜନ କଲେ, 3 ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ପାଇଁ ସେ ଆପଣା ଦାସମାନଙ୍କୁ ପଠାଇଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ । 4 ପୁଣି, ଥରେ ସେ ଅନ୍ୟ ଦାସମାନଙ୍କୁ ପଠାଇ କହିଲେ, ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ, ଆମ୍ଭର ବୃଷ ଓ ହୃଷ୍ଟପୁଷ୍ଟ ପଶୁଗୁଡ଼ିକ ମରାଯାଇ ଅଛନ୍ତି, ସମସ୍ତ ହିଁ ପ୍ରସ୍ତୁତ, ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ, 5 କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ, 6 ଆଉ ବଳକା ଲୋକ ତାହାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର ଓ ବଧ କଲେ । 7 କିନ୍ତୁ ରାଜା ରାଗିଯାଇ ଆପଣା ସୈନ୍ୟମାନଙ୍କୁ ପଠାଇ ସେହି ହତ୍ୟାକାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କ ନଗର ଭସ୍ମସାତ୍ କଲେ । 8 ସେଥିରେ ସେ ଆପଣା ଦାସମାନଙ୍କୁ କହିଲେ, ବିବାହ ଭୋଜ ତ ପ୍ରସ୍ତୁତ, ମାତ୍ର ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ । 9 ଏଣୁ ତୁମ୍ଭେମାନେ ରାଜଦାଣ୍ଡଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ-ଉତ୍ସବକୁ ନିମନ୍ତ୍ରଣ କର । 10 ସେଥିରେ ସେହି ଦାସମାନେ ରାଜଦାଣ୍ଡଗୁଡ଼ିକୁ ବାହାରିଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକ ଦେଖାପାଇଲେ, ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ, ଆଉ ନିମନ୍ତ୍ରିତ ଅତିଥି ଲୋକଙ୍କ ଦ୍ୱାରା ବିବାହଗୃହ ପରିପୂର୍ଣ୍ଣ ହେଲା । 11 କିନ୍ତୁ ରାଜା ନିମନ୍ତ୍ରିତ ଅତିଥିମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହବସ୍ତ୍ର ପରିଧାନ କରି ନ ଥିବା ଜଣେ ଲୋକକୁ ଦେଖି ତାହାକୁ କହିଲେ, 12 ହେ ବନ୍ଧୁ, ତୁମ୍ଭେ ବିବାହବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ ? ମାତ୍ର ସେ ନିରୁତ୍ତର ହୋଇ ରହିଲା । 13 ସେଥିରେ ରାଜା ପରିଚାରକମାନଙ୍କୁ କହିଲେ, ଏହାର ହାତଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ । 14 କାରଣ ଅନେକ ଆହୂତ, କିନ୍ତୁ ଅଳ୍ପ ମନୋନୀତ । 15 ସେତେବେଳେ ଫାରୂଶୀମାନେ ଯାଇ ତାହାଙ୍କୁ ବାକ୍ୟ ଦ୍ୱାରା ଫାନ୍ଦରେ ପକାଇବା ନିମନ୍ତେ ମନ୍ତ୍ରଣା କଲେ । 16 ଆଉ, ସେମାନେ ହେରୋଦୀୟମାନଙ୍କ ସହିତ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିକଟକୁ କହି ପଠାଇଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଏବଂ ସତ୍ୟ ରୂପେ ଈଶ୍ୱରଙ୍କ ମାର୍ଗ ଶିକ୍ଷା ଦିଅନ୍ତି ପୁଣି, କାହାରିକୁ ଭୟ କରନ୍ତି ନାହିଁ, କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ । 17 ଅତଏବ ଆମ୍ଭମାନଙ୍କୁ କୁହନ୍ତୁ, ଆପଣଙ୍କର ମତ କ'ଣ ? କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ ? 18 କିନ୍ତୁ ଯୀଶୁ ସେମାନଙ୍କର ଦୁଷ୍ଟତା ଜାଣି କହିଲେ, ରେ କପଟୀମାନେ, କାହିଁକି ମୋତେ ପରୀକ୍ଷା କରୁଅଛ ? 19 ସେହି କରର ମୁଦ୍ରା ମୋତେ ଦେଖାଅ । ତହିଁରେ ସେମାନେ ତାହାଙ୍କ ପାଖକୁ ଗୋଟିଏ ଅଧୁଲି ଆଣିଲେ । 20 ସେ ସେମାନଙ୍କୁ ପଚାରିଲେ, ଏହି ମୁର୍ତ୍ତୀ ଓ ନାମ କାହାର ? 21 ସେମାନେ କହିଲେ, କାଇସରଙ୍କର। ସେଥିରେ ସେ ସେମାନଙ୍କୁ କହିଲେ, ତେବେ କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ । 22 ସେମାନେ ଏହା ଶୁଣି ଚମତ୍କୃତ ହୋଇ ତାହାଙ୍କୁ ଛାଡ଼ି ଚାଲିଗଲେ । 23 ପୁନରୁତ୍ଥାନ ନାସ୍ତି କରୁଥିବା ସାଦ୍ଦୂକୀମାନେ ସେହି ଦିନ ତାହାଙ୍କ ପାଖକୁ ଆସି ପଚାରିଲେ, 24 ହେ ଗୁରୁ, ମୋଶା କହିଅଛନ୍ତି ଯେ, ଯଦି କେହି ନିଃସନ୍ତାନ ହୋଇ ମରେ, ତେବେ ତାହାର ଭାଇ ତାହାର ଭାର୍ଯ୍ୟାକୁ ବିବାହ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ । 25 ଦେଖନ୍ତୁ, ଆମ୍ଭମାନଙ୍କ ମଧ୍ୟରେ ସାତ ଭାଇ ଥିଲେ; ପ୍ରଥମଟି ବିବାହ କରି ମରିଗଲା, ପୁଣି,ନିଃସନ୍ତାନ ଥିବାରୁ ଆପଣା ଭାଇ ପାଇଁ ନିଜ ଭାର୍ଯ୍ୟାକୁ ଛାଡ଼ିଗଲା; 26 ଦ୍ୱିତୀୟ, ତୃତୀୟଠାରୁ ସପ୍ତମ ଜଣ ପର୍ଯ୍ୟନ୍ତ ମଧ୍ୟ ସେହି ପ୍ରକାର କଲେ । 27 ସମସ୍ତଙ୍କ ଶେଷରେ ସ୍ତ୍ରୀ’ଟି ମରିଗଲା । 28 ତେବେ ପୁନରୁତ୍ଥାନରେ ସେହି ସାତ ଜଣଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ ? ସମସ୍ତେ ତ ତାହାକୁ ବିବାହ କରିଥିଲେ । 29 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଧର୍ମଶାସ୍ତ୍ର ପୁଣି, ଈଶ୍ୱରଙ୍କ ଶକ୍ତି ମଧ୍ୟ ନ ଜାଣି ଭ୍ରାନ୍ତ ହେଉଅଛ । 30 କାରଣ ପୁନରୁତ୍ଥାନରେ ଲୋକେ ବିବାହ କରନ୍ତି ନାହିଁ, କିମ୍ବା ବିବାହିତ ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି । 31 ମାତ୍ର ମୃତମାନଙ୍କ ପୁନରୁତ୍ଥାନ ବିଷୟରେ ଈଶ୍ୱର ତୁମ୍ଭମାନଙ୍କୁ ଯାହା କହିଅଛନ୍ତି, ତାହା କି ତୁମ୍ଭେମାନେ ପାଠ କରି ନାହଁ ? 32 ଆମ୍ଭେ ଅବ୍ରାହାମଙ୍କ ଈଶ୍ୱର, ଇସ୍‌ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର। ସେ ମୃତମାନଙ୍କ ଈଶ୍ୱର ନୁହନ୍ତି, ମାତ୍ର ଜୀବିତମାନଙ୍କର । 33 ଲୋକମାନେ ଏହା ଶୁଣି ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ । 34 ସେ ସାଦ୍ଦୂକୀମାନଙ୍କୁ ନିରୁତ୍ତର କରିଅଛନ୍ତି, ଏହା ଶୁଣି ଫାରୂଶୀମାନେ ଏକତ୍ର ହେଲେ, 35 ଆଉ ସେମାନଙ୍କ ମଧ୍ୟରୁ ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ତାହାଙ୍କୁ ପରୀକ୍ଷା କରି ପଚାରିଲେ, 36 ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ମଧ୍ୟରେ କି ପ୍ରକାର ଆଜ୍ଞା ଶ୍ରେଷ୍ଠ ? 37 ସେ ତାହାଙ୍କୁ କହିଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କର । 38 ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା । 39 ଦ୍ୱିତୀୟଟି ଏହାର ସଦୃଶ, ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର । 40 ଏହି ଦୁଇ ଆଜ୍ଞା ଉପରେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ନିର୍ଭର କରେ । 41 ଫାରୂଶୀମାନେ ଏକତ୍ର ହୋଇଥିବା ସମୟରେ ଯୀଶୁ ସେମାନଙ୍କୁ ପଚାରିଲେ, 42 ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ମତ କ'ଣ ? ସେ କାହାର ସନ୍ତାନ ? ସେମାନେ ତାହାଙ୍କୁ କହିଲେ, ଦାଉଦଙ୍କର। 43 ଯୀଶୁ ସେମାନଙ୍କୁ କହିଲେ, ତେବେ ଦାଉଦ କିପ୍ରକାରେ ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ପ୍ରଭୁ ବୋଲି କହନ୍ତି ? 44 ଯଥା, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ। 45 ଅତଏବ, ଦାଉଦ ଯଦି ତାହାଙ୍କୁ ପ୍ରଭୁ ବୋଲି କହନ୍ତି, ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ ? 46 ସେଥିରେ କେହି ତାହାଙ୍କୁ ପଦେ ହେଲେ ଉତ୍ତର ଦେଇ ପାରିଲେ ନାହିଁ, ପୁଣି, ସେହି ଦିନଠାରୁ କେହି ତାହାଙ୍କୁ ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ ।

Chapter 23

1 ସେହି ସମୟରେ ଯୀଶୁ ଲୋକସମୂହ ଓ ଆପଣା ଶିଷ୍ୟମାନଙ୍କୁ କହିଲେ, 2 ଶାସ୍ତ୍ରୀ ଓ ଫାରୂଶୀମାନେ ମୋଶାଙ୍କ ବ୍ୟବସ୍ଥାକୁ ବ୍ୟାଖ୍ୟା କରିବାର ଅଧିକାର ପାଇଅଛନ୍ତି । 3 ଅତଏବ ସେମାନେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା ମାନ ଓ ପାଳନ କର, ମାତ୍ର ସେମାନଙ୍କ କର୍ମ ଅନୁସାରେ କର୍ମ କର ନାହିଁ, କାରଣ ସେମାନେ କହନ୍ତି, କିନ୍ତୁ କରନ୍ତି ନାହିଁ । 4 ସେମାନେ ଗୁରୁ ଭାର ବହନ କରି ମନୁଷ୍ୟମାନଙ୍କ କାନ୍ଧରେ ଥୋଇଦିଅନ୍ତି, କିନ୍ତୁ ନିଜେ ଅଙ୍ଗୁଳି ଦେଇ ତାହା ଟେକିବାକୁ ଇଚ୍ଛା କରନ୍ତି ନାହିଁ । 5 ସେମାନେ ଲୋକ ଦେଖାଇବା ପାଇଁ ଆପଣା ଆପଣାର ସମସ୍ତ କ୍ରିୟାକର୍ମ କରନ୍ତି, କାରଣ ସେମାନେ ନିଜ ନିଜର କବଚ ପ୍ରଶସ୍ତ କରନ୍ତି ଓ ବସ୍ତ୍ରର ଝୁମ୍ପା ବଡ଼ କରନ୍ତି, 6 ଆଉ ଭୋଜନରେ ପ୍ରଧାନ ସ୍ଥାନ ଓ ସମାଜଗୃହରେ ପ୍ରଧାନ ଆସନ, 7 ପୁଣି, ହାଟବଜାରରେ ନମସ୍କାର ପାଇବାକୁ ଓ ଲୋକଙ୍କ ଦ୍ୱାରା ଗୁରୁ ବୋଲି ସମ୍ବୋଧିତ ହେବାକୁ ଭଲ ପାଆନ୍ତି । 8 କିନ୍ତୁ ତୁମ୍ଭେମାନେ ଗୁରୁ ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ଗୁରୁ ଜଣେ, ପୁଣି, ତୁମ୍ଭେମାନେ ସମସ୍ତେ ଭାଇ । 9 ଆଉ ପୃଥିବୀରେ କାହାକୁ ହିଁ ପିତା ବୋଲି ଡାକ ନାହିଁ, କାରଣ ତୁମ୍ଭମାନଙ୍କର ପିତା ଜଣେ, ସେ ସ୍ୱର୍ଗରେ ଅଛନ୍ତି । 10 ଆଉ ତୁମ୍ଭେମାନେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ନେତା ଜଣେ, ସେ ଖ୍ରୀଷ୍ଟ । 11 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ଶ୍ରେଷ୍ଠ, ସେ ତୁମ୍ଭମାନଙ୍କର ସେବକ ହେବ । 12 ଆଉ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ କେହି ଆପଣକୁ ନତ କରେ ତାହାକୁ ଉନ୍ନତ କରାଯିବ । 13 କିନ୍ତୁ ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ୱର୍ଗରାଜ୍ୟ ବନ୍ଦ କରୁଥାଅ; ତୁମ୍ଭେମାନେ ତ ନିଜେ ପ୍ରବେଶ କରୁ ନାହଁ, ପୁଣି, ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଉ ନାହଁ । 14 undefined 15 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି, ଯେତେବେଳେ ସେ ହୁଏ, ସେତେବେଳେ ତାହାକୁ ତୁମ୍ଭମାନଙ୍କ ଅପେକ୍ଷା ଦୁଇ ଗୁଣ ନର୍କର ପାତ୍ର କରୁଥାଅ । 16 ମଧ୍ୟ, ଦଣ୍ଡର ପାତ୍ର ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ କହୁଥାଅ, କେହି ମନ୍ଦିରର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ମନ୍ଦିରସ୍ଥ ସ୍ୱର୍ଣ୍ଣର ଶପଥ କରେ, ସେ ତଦ୍ୱାରା ବନ୍ଧା । 17 ରେ ମୂଢ଼ ଓ ଅନ୍ଧମାନେ, ସ୍ୱର୍ଣ୍ଣ କିମ୍ବା ସେହି ସ୍ୱର୍ଣ୍ଣକୁ ପବିତ୍ର କରିଅଛି ଯେଉଁ ମନ୍ଦିର, ଏହି ଦୁଇ ମଧ୍ୟରେ କ'ଣ ଶ୍ରେଷ୍ଠ ? 18 ଆହୁରି କହୁଥାଅ, କେହି ବେଦିର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ତାହା ଉପରେ ଥିବା ନୈବେଦ୍ୟର ଶପଥ କରେ, ସେ ତଦ୍ୱାରା ବନ୍ଧା । 19 ରେ ଅନ୍ଧମାନେ, ନୈବେଦ୍ୟ କିମ୍ବା ସେହି ନୈବେଦ୍ୟକୁ ପବିତ୍ର କରେ ଯେଉଁ ବେଦି, ଏହି ଦୁଇ ମଧ୍ୟରେ କେଉଁଟି ଶ୍ରେଷ୍ଠ ? 20 ଅତଏବ ଯେଉଁ ଲୋକ ବେଦିର ଶପଥ କରେ, ସେ ତ ତାହା ଓ ତାହା ଉପରେ ଥିବା ପଦାର୍ଥର ଶପଥ କରେ; 21 ଆଉ ଯେ ମନ୍ଦିରର ଶପଥ କରେ, ସେ ମନ୍ଦିର ଓ ତନ୍ନିବାସୀଙ୍କର ଶପଥ କରେ; 22 ପୁଣି, ଯେ ସ୍ୱର୍ଗର ଶପଥ କରେ, ସେ ଈଶ୍ୱରଙ୍କ ସିଂହାସନ ଓ ତଦୁପବିଷ୍ଟଙ୍କର ଶପଥ କରେ । 23 ମଧ୍ୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମୋହୁରୀ ଓ ଜୀରାର ଦଶମାଂଶ ଦେଉଥାଅ, ଆଉ ମୋଶାଙ୍କ ବ୍ୟବସ୍ଥାର ଗୁରୁତର ବିଷୟଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ୱାସ, ଏହାସବୁ ପରିତ୍ୟାଗ କରିଅଛ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ପରିତ୍ୟାଗ ନ କରିବା ଉଚିତ୍ । 24 ରେ ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ ମୋଶାକୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ । 25 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଗିନା ଓ ଥାଳୀର ବାହାର ସଫା କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନକର୍ମ ଓ ଇନ୍ଦ୍ରିୟ ସେବାରେ ପରିପୂର୍ଣ୍ଣ । 26 ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ସଫା କର, ଯେପରି ସେଥିର ବାହାର ମଧ୍ୟ ସଫା ହେବ । 27 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଧଳା ରଙ୍ଗର ସମାଧି ସରୂପ । ତାହା ବାହାରେ ସୁନ୍ଦର ଦେଖାଯାଏ, କିନ୍ତୁ ଭିତରେ ମୃତମାନଙ୍କ ଅସ୍ଥି ଓ ସର୍ବ ପ୍ରକାର ଅଶୁଚିତାରେ ପରିପୂର୍ଣ୍ଣ; 28 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ । 29 ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକମାନଙ୍କ ସମାଧିସ୍ତମ୍ଭ ସଜାଇ କହୁଥାଅ, 30 ଆମ୍ଭେମାନେ ଯେବେ ଆମ୍ଭମାନଙ୍କର ପିତୃପୁରୁଷଙ୍କ ସମୟରେ ଥାଆନ୍ତୁ, ତେବେ ଭାବବାଦୀମାନଙ୍କ ରକ୍ତପାତରେ ସେମାନଙ୍କର ସହଭାଗୀ ହୋଇ ନ ଥାଆନ୍ତୁ। 31 ଏଣୁ ତୁମ୍ଭେମାନେ ଯେ ଭାବବାଦୀଙ୍କ ହତ୍ୟାକାରୀମାନଙ୍କର ସନ୍ତାନ ଅଟ, ସେ ବିଷୟରେ ତୁମ୍ଭେମାନେ ହିଁ ଆପଣା ଆପଣା ବିଷୟରେ ସାକ୍ଷ୍ୟ ଦେଉଅଛ । 32 ତୁମ୍ଭେମାନେ ନିଜ ନିଜ ପିତୃପୁରୁଷଙ୍କର ପରିମାଣ ପୂର୍ଣ୍ଣ କର । 33 ଆରେ ସର୍ପଗୁଡ଼ାକ, ଆରେ କାଳସର୍ପର ବଂଶ, ତୁମ୍ଭେମାନେ କିପ୍ରକାରେ ନର୍କ ଦଣ୍ଡରୁ ରକ୍ଷା ପାଇବ ? 34 ଏଣୁ ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପଠାଉଅଛି; ସେମାନଙ୍କ ମଧ୍ୟରୁ କାହା କାହାକୁ ତୁମ୍ଭେମାନେ ହତ୍ୟା କରିବ ଓ କ୍ରୁଶରେ ବଧ କରିବ, ଆଉ କାହା କାହାକୁ ତୁମ୍ଭମାନଙ୍କ ସମାଜଗୃହରେ କୋରଡ଼ା ମାରିବ ଓ ନଗରକୁନଗର ତାଡ଼ନା କରିବ, 35 ଯେପରି ଧାର୍ମିକ ହେବଲଙ୍କ ରକ୍ତପାତଠାରୁ, ଯେଉଁ ବେରିଖୀୟଙ୍କ ପୁତ୍ର ଯିଖରୀୟଙ୍କୁ ତୁମ୍ଭେମାନେ ମନ୍ଦିରର ପବିତ୍ର ସ୍ଥାନ ଓ ବେଦିର ମଧ୍ୟସ୍ଥଳରେ ବଧ କଲ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ପୃଥିବୀରେ ଯେତେ ଧାର୍ମିକ ଲୋକଙ୍କର ରକ୍ତପାତ ହୋଇଅଛି, ସେହି ସମସ୍ତ ତୁମ୍ଭମାନଙ୍କ ଉପରେ ଘଟିବ । 36 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ବର୍ତ୍ତମାନ ପୁରୁଷ ଉପରେ ଏହି ସମସ୍ତ ଘଟିବ । 37 ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତାରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ । 38 ଦେଖ, ତୁମ୍ଭମାନଙ୍କ ଘର ତୁମ୍ଭମାନଙ୍କ ହାତରେ ଛାଡ଼ି ଦିଆଯାଉଅଛି । 39 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ, ତୁମ୍ଭେମାନେ ଏହି କଥା ନ କହିବା ପର୍ଯ୍ୟନ୍ତ ଆଜିଠାରୁ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ ।

Chapter 24

1 ଯୀଶୁ ମନ୍ଦିରରୁ ବାହାରି ଚାଲିଯାଉଥିବା ସମୟରେ ତାହାଙ୍କର ଶିଷ୍ୟମାନେ ତାହାଙ୍କୁ ମନ୍ଦିରର ପ୍ରାସାଦସମୂହ ଦେଖାଇବା ପାଇଁ ତାହାଙ୍କ ନିକଟକୁ ଆସିଲେ, କିନ୍ତୁ ସେ ସେମାନଙ୍କୁ କହିଲେ, 2 ତୁମ୍ଭେମାନେ କ'ଣ ଏହି ସମସ୍ତ ଦେଖୁ ନାହଁ ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ସ୍ଥାନରେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ। 3 ପରେ ସେ ଜୀତପର୍ବତ ଉପରେ ବସନ୍ତେ ଶିଷ୍ୟମାନେ ତାହାଙ୍କ ଛାମୁକୁ ଗୋପନରେ ଆସି ପଚାରିଲେ, ଏସବୁ କେବେ ଘଟିବ, ପୁଣି, ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କ'ଣ, ତାହା ଆମ୍ଭମାନଙ୍କୁ କୁହନ୍ତୁ। 4 ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ। 5 କାରଣ ଅନେକେ ମୋ’ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। 6 ଆଉ, ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; ସାବଧାନ, ବ୍ୟାକୁଳ ହୁଅ ନାହିଁ। କାରଣ ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ। 7 କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। 8 କିନ୍ତୁ ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର। 9 ସେହି ସମୟରେ ଲୋକେ ତୁମ୍ଭମାନଙ୍କୁ କଷ୍ଟ ଭୋଗିବା ପାଇଁ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ ବଧ କରିବେ, ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ। 10 ସେତେବେଳେ ଅନେକେ ବିଘ୍ନ ପାଇବେ,ପୁଣି, ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ, 11 ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ, 12 ପୁଣି, ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ। 13 ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ। 14 ଆଉ, ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ପାଇଁ ରାଜ୍ୟର ଏହି ସୁସମାଚାର ସମୁଁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ। 15 ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), 16 ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ; 17 ଯେ ଛାତ ଉପରେ ଥାଏ, ସେ ଆପଣା ଘର ଭିତରୁ ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; 18 ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ନେଇଯିବା ପାଇଁ ଲେଉଟି ନ ଯାଉ। 19 ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ଧ୍ୟ, ସେମାନେ କ୍ଲେଶର ପାତ୍ର, 20 କିନ୍ତୁ ତୁମ୍ଭମାନଙ୍କର ପଳାୟନ ଯେପରି ଶୀତକାଳରେ କିମ୍ବା ବିଶ୍ରାମବାରରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର। 21 କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ। 22 ଆଉ, ସେହି ସମୟ ଯେବେ ଊଣା କରାଯାଇ ନ ଥାଆନ୍ତା, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ, ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଊଣା କରାଯିବ। 23 ସେତେବେଳେ ‘ଦେଖ, ଖ୍ରୀଷ୍ଟ ଏଠାରେ' କିବା ‘ସେଠାରେ', କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ । 24 କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହା ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। 25 ଦେଖ, ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ଜଣାଇଲି। 26 ଅତଏବ, ‘ଦେଖ, ସେ ପ୍ରାନ୍ତରରେ ଅଛନ୍ତି', ଲୋକେ ଯଦି ତୁମ୍ଭମାନଙ୍କୁ ଏହି କଥା କହିବେ, ତେବେ ବାହାରିଯାଅ ନାହିଁ; ‘ଦେଖ, ସେ ଗୁପ୍ତ କୋଠରୀରେ ଅଛନ୍ତି', ଯଦି ଏହା କହିବେ, ତେବେ ତାହା ବିଶ୍ୱାସ କର ନାହିଁ। 27 କାରଣ ବିଜୁଳି ଯେପରି ପୂର୍ବଦିଗରୁ ମାରି ପଶ୍ଚିମଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେପରି ମନୁଷ୍ୟପୁତ୍ରଙ୍କର ଆଗମନ ହେବ। 28 ଯେଉଁଠାରେ ଶବ ପଡ଼ିଥାଏ, ସେହିଠାରେ ଶାଗୁଣାଗୁଡ଼ାକ ଏକାଠି ହେବେ। 29 ମାତ୍ର ସେହି ସମୟର କଷ୍ଟ ପରେ ହଠାତ୍ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ, ପୁଣି, ନକ୍ଷତ୍ରମାଳା ଆକାଶରୁ ପଡ଼ିବେ ଓ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ। 30 ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି, ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ। 31 ଆଉ, ସେ ମହାତୂରୀଧ୍ୱନି ସହିତ ଆପଣା ଦୂତମାନଙ୍କୁ ପଠାଇବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ। 32 ଡିମ୍ବିରି ଗଛରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା କୋମଳ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ; 33 ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଦେଖିଲେ ସେ ଦ୍ୱାରର ସନ୍ନିକଟ, ଏହା ଜାଣ। 34 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ। 35 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ। 36 କିନ୍ତୁ ସେହି ଦିନ ଓ ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗର ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ମାତ୍ର ପିତା ଜାଣନ୍ତି। 37 ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କର ଆଗମନ ସମୟରେ ସେପ୍ରକାର ଘଟିବ। 38 କାରଣ ଜଳପ୍ଳାବନର ପୂର୍ବବର୍ତ୍ତୀ ସମୟରେ ଜାହାଜରେ ନୋହଙ୍କର ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଯେପରି ଭୋଜନପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ବ୍ୟସ୍ତ ଥିଲେ, 39 ପୁଣି, ଜଳପ୍ଳାବନ ଆସି ସମସ୍ତଙ୍କୁ ଭସାଇ ନ ନେବା ପର୍ଯ୍ୟନ୍ତ ଯେପରି ଜାଣି ନ ଥିଲେ, ମନୁଷ୍ୟପୁତ୍ରଙ୍କର ଆଗମନ ମଧ୍ୟ ସେହି ପ୍ରକାର ହେବ। 40 ସେତେବେଳେ ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ; 41 ଦୁଇ ଜଣ ସ୍ତ୍ରୀ ଚକି ପେଷୁଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ। 42 ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କ ପ୍ରଭୁ କେଉଁ ଦିନ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ। 43 କିନ୍ତୁ ଏହା ଜାଣିଥାଅ, କେଉଁ ପ୍ରହରରେ ଚୋର ଆସିବ, ଏହା ଗୃହକର୍ତ୍ତା ଯେବେ ଜାଣନ୍ତେ, ତାହାହେଲେ ସେ ଜାଗ୍ରତ ଥାଇ ଆପଣା ଗୃହରେ ପ୍ରବେଶ କରିବାକୁ ଦିଅନ୍ତେ ନାହିଁ। 44 ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ। 45 ତେବେ ପ୍ରଭୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ପ୍ରାପ୍ୟ ଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ ? 46 ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ । 47 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ୱ ଉପରେ ନିଯୁକ୍ତ କରିବେ। 48 କିନ୍ତୁ ଯଦି ସେହି ଦୁଷ୍ଟ ଦାସ ମୋର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି 49 ଆପଣା ସହଦାସମାନଙ୍କୁ ପ୍ରହାର କରିବାକୁ ଲାଗେ, ଆଉ ମଦୁଆମାନଙ୍କ ସହିତ ଭୋଜନପାନ କରେ, 50 ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ସମୟରେ ସେ ଜାଣି ନ ଥିବ, ସେହି ଦିନ ସେହି ସମୟରେ ତାହାର ପ୍ରଭୁ ଆସିବେ, 51 ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି କପଟୀମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ ।

Chapter 25

1 ସେତେବେଳେ ସ୍ୱର୍ଗରାଜ୍ୟ ଦଶ ଜଣ କନ୍ୟାଙ୍କ ଭଳି ହେବ; ସେମାନେ ଆପଣା ଆପଣା ପ୍ରଦୀପ ନେଇ ବରଙ୍କ ସହିତ ଭେଟିବାକୁ ବାହାରିଲେ। 2 ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ନିର୍ବୁଦ୍ଧି ଓ ପାଞ୍ଚ ଜଣ ସୁବୁଦ୍ଧି ଥିଲେ। 3 ନିର୍ବୁଦ୍ଧିମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ, 4 ମାତ୍ର ସୁବୁଦ୍ଧିମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ। 5 ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ। 6 କିନ୍ତୁ ଅର୍ଦ୍ଧରାତ୍ରରେ ‘ଏହି ଦେଖ, ବର, ତାହାଙ୍କ ସାଙ୍ଗରେ ସାକ୍ଷାତ୍ କରିବାକୁ ବାହାର', ଏପରି କୋଳାହଳ ହେଲା। 7 ସେତେବେଳେ ସେହି କନ୍ୟାସମସ୍ତେ ଉଠି ଆପଣା ପ୍ରଦୀପ ସଜାଡ଼ିଲେ। 8 କିନ୍ତୁ ନିର୍ବୁଦ୍ଧିମାନେ ସୁବୁଦ୍ଧିମାନଙ୍କୁ କହିଲେ, ତୁମ୍ଭ ତେଲରୁ ଆମକୁ ଟିକେ ଦିଅ, କାରଣ ଆମ ଦୀପସବୁ ଲିଭିଯାଉଅଛି। 9 ମାତ୍ର ସୁବୁଦ୍ଧିମାନେ ଉତ୍ତର ଦେଲେ, ନାହିଁ, ନାହିଁ, ତୁମ୍ଭ ଆମ ପାଇଁ ତ ଅଣ୍ଟିବ ନାହିଁ, ବରଂ ଦୋକାନୀମାନଙ୍କ ପାଖକୁ ଯାଇ ଆପଣା ଆପଣା ନିମନ୍ତେ କିଣି ଆଣ। 10 କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ‘ବର' ଆସିଲେ, ପୁଣି, ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାହାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା। 11 ଏହାପରେ ଅନ୍ୟ କନ୍ୟାମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ୱାର ଫିଟାଇଦିଅନ୍ତୁ। 12 କିନ୍ତୁ ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ। 13 ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ। 14 କାରଣ ବିଦେଶକୁ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଯେପରି ଆପଣା ଦାସମାନଙ୍କୁ ଡାକି ସେମାନଙ୍କ ହସ୍ତରେ ନିଜର ସର୍ବସ୍ୱ ସମର୍ପଣ କଲେ, ସ୍ୱର୍ଗରାଜ୍ୟ ସେହିପରି। 15 ସେ ଜଣକୁ ପାଞ୍ଚ ତୋଡ଼ା,ଅନ୍ୟ ଜଣକୁ ଦୁଇ ତୋଡ଼ା, ଆଉ ଜଣକୁ ଏକ ତୋଡ଼ା, ଏହିପରି ପ୍ରତ୍ୟେକକୁ ତାହାର ଶକ୍ତି ଅନୁସାରେ ଦେଇ ବିଦେଶକୁ ଯାତ୍ରା କଲେ। 16 ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ସେହିକ୍ଷଣି ତାହା ନେଇ ବ୍ୟବସାୟ କରି ଆଉ ପାଞ୍ଚ ତୋଡ଼ା ଲାଭ କଲା। 17 ସେହି ପ୍ରକାରେ ଯେ ଦୁଇଟି ପାଇଥିଲା, ସେ ଆଉ ଦୁଇଟି ଲାଭ କଲା। 18 ମାତ୍ର ଯେ ଗୋଟିଏ ପାଇଥିଲା, ସେ ଯାଇ ମାଟି ଖୋଳି ଆପଣା ପ୍ରଭୁଙ୍କ ଟଙ୍କା ପୋତି ଲୁଚାଇ ରଖିଲା। 19 ବହୁକାଳ ପରେ ସେହି ଦାସମାନଙ୍କର ପ୍ରଭୁ ଆସି ସେମାନଙ୍କ ସାଙ୍ଗରେ ହିସାବ କଲେ। 20 ଆଉ, ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ଆଉ ପାଞ୍ଚ ତୋଡ଼ା ନେଇ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ପାଞ୍ଚ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ପାଞ୍ଚ ତୋଡ଼ା ଲାଭ କରିଛି। 21 ତାହାର ପ୍ରଭୁ ତାହାକୁ କହିଲେ, ବେଶ୍ , ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ। 22 ପୁଣି, ଯେ ଦୁଇ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ଦୁଇ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ଦୁଇ ତୋଡ଼ା ଲାଭ କରିଛି। 23 ତାହାର ପ୍ରଭୁ ତାହାକୁ କହିଲେ, ବେଶ୍ , ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ। 24 ଆଉ, ଯେ ଏକ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ଯେ ଜଣେ କଠିନ ଲୋକ, ଯେଉଁଠାରେ ବୁଣି ନ ଥାଆନ୍ତି, ସେଠାରେ କାଟନ୍ତି, ଆଉ ଯେଉଁଠାରେ ଶସ୍ୟ ବିଛାଇ ନ ଥାନ୍ତି, ସେଠାରେ ସଂଗ୍ରହ କରନ୍ତି, ଏହା ମୁଁ ଜାଣିଥିଲି। 25 ଏଣୁ ଭୟ କରି ମୁଁ ଯାଇ ଆପଣଙ୍କ ତୋଡ଼ା ମାଟିରେ ପୋତି ଲୁଚାଇ ରଖିଲି; ଦେଖନ୍ତୁ, ଆପଣ ନିଜର ଧନ ପାଇଲେ। 26 କିନ୍ତୁ ତାହାର ପ୍ରଭୁ ତାହାକୁ ଉତ୍ତର ଦେଲେ, ରେ ଦୁଷ୍ଟ ଓ ଅଳସ ଦାସ, ମୁଁ ଯେଉଁଠାରେ ବୁଣି ନ ଥାଏ, ସେଠାରେ କାଟେ, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନ ଥାଏ, ସେଠାରେ ସଂଗ୍ରହ କରେ, ଏହା କ'ଣ ଜାଣିଥିଲୁ ? 27 ତେବେ ବଣିକମାନଙ୍କ ହସ୍ତରେ ମୋହର ଟଙ୍କା ରଖିବା ଉଚିତ୍ ଥିଲା; ତାହାହେଲେ ମୁଁ ଆସି ସୁଧ ସହିତ ମୋହର ଧନ ଫେରି ପାଇଥାନ୍ତି। 28 ଅତଏବ, ଏହାଠାରୁ ଏହି ତୋଡ଼ା ନେଇଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ। 29 କାରଣ ଯେକୌଣସି ଲୋକର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ। 30 ଆଉ, ତୁମ୍ଭେମାନେ ଏହି ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ। 31 ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆସିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ବସିବେ, 32 ପୁଣି, ତାହାଙ୍କ ଛାମୁଁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଛାଗଠାରୁ ମେଷ ପୃଥକ୍ କରି, 33 ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ। 34 ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିରେ ଅଧିକାରୀ ହୁଅ; 35 କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ; ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ; 36 ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ଅସୁସ୍ଥ ଥିଲି, ମୋତେ ଦେଖି ଆସିଲ; କାରାଗାରରେ ଥିଲି; ମୋ ନିକଟକୁ ଆସିଲ। 37 ସେଥିରେ ଧାର୍ମିକମାନେ ତାହାଙ୍କୁ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ ଦେଖି ଆହାର ଦେଲୁ ? ଅବା ତୃଷିତ ଦେଖି ପାନ କରିବାକୁ ଦେଲୁ ? 38 ଆଉ, କେବେ ଆପଣଙ୍କୁ ପ୍ରବାସୀ ଦେଖି ଆଶ୍ରୟ ଦେଲୁ ? କିମ୍ବା ଉଲଙ୍ଗ ଦେଖି ବସ୍ତ୍ର ପରିଧାନ କରାଇଲୁ ? 39 ଆଉ, କେବେ ଆପଣଙ୍କୁ ଅସୁସ୍ଥ ଅବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ ? 40 ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ। 41 ତାହା ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋ’ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ଚାଲିଯାଅ, 42 କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ; 43 ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ଅସୁସ୍ଥ ଓ କାରାଗାରସ୍ଥ ଥିଲି, ମୋତେ ଦେଖିବାକୁ ଆସିଲ ନାହିଁ। 44 ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ପ୍ରବାସୀ କି ଉଲଙ୍ଗ, ପୀଡ଼ିତ କି କାରଗାରସ୍ଥ ଦେଖି ଆପଣଙ୍କର ସେବା କଲୁ ନାହିଁ ? 45 ସେଥିରେ ସେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରି ନ ଥିବାରୁ ମୋ ପ୍ରତି ହିଁ ତାହା କରି ନାହଁ। 46 ଆଉ, ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ ।

Chapter 26

1 ଯୀଶୁ ଏହି ସମସ୍ତ କଥା ଶେଷ କରି ଆପଣା ଶିଷ୍ୟମାନଙ୍କୁ କହିଲେ, 2 ଦୁଇ ଦିନ ପରେ ଯେ ନିସ୍ତାର ପର୍ବ ହେବ, ଏହା ତୁମ୍ଭେମାନେ ଜାଣ, ପୁଣି, ମନୁଷ୍ୟପୁତ୍ର କ୍ରୁଶରେ ହତ ହେବା ନିମନ୍ତେ ସମର୍ପିତ ହେବେ । 3 ସେହି ସମୟରେ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗ କୟାଫା ନାମକ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହେଲେ, 4 ଆଉ ଯୀଶୁଙ୍କୁ ଛଳରେ ଧରି ବଧ କରିବା ନିମନ୍ତେ ମନ୍ତ୍ରଣା କଲେ; 5 କିନ୍ତୁ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ । 6 ଯୀଶୁ ବେଥନୀୟାରେ କୁଷ୍ଠୀ ଶିମୋନଙ୍କ ଗୃହରେ ଥିବା ସମୟରେ, 7 ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ନେଇ ତାହାଙ୍କ ନିକଟକୁ ଆସିଲେ ଏବଂ ସେ ଭୋଜନରେ ବସିଥିବା ସମୟରେ ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ । 8 କିନ୍ତୁ ତାହା ଦେଖି ଶିଷ୍ୟମାନେ ବିରକ୍ତ ହୋଇ କହିଲେ, ଏତେ ଅପବ୍ୟୟ କାହିଁକି ? 9 ଏହା ତ ଅନେକ ଟଙ୍କାରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାନ୍ତା । 10 ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, କାହିଁକି ସ୍ତ୍ରୀଲୋକଟିକୁ କଷ୍ଟ ଦେଉଅଛ ? ସେ ତ ମୋ’ ପ୍ରତି ଉତ୍ତମ କର୍ମ କରିଅଛି । 11 ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ପାଖରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ପାଖରେ ନ ଥିବି । 12 ଆଉ, ସେ ମୋର ସମାଧି-କ୍ରିୟା ସ୍ୱରୂପେ ମୋହର ଶରୀରରେ ଏହି ତୈଳ ଢାଳିଦେଇଅଛି । 13 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ । 14 ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଈଷ୍କାରିୟୋଥ ଯିହୂଦା ନାମକ ପ୍ରଧାନ ଯାଜକମାନଙ୍କ ପାଖକୁ ଯାଇ କହିଲା, 15 ମୋତେ କ'ଣ ଦେବେ କୁହନ୍ତୁ, ମୁଁ ତାହାଙ୍କୁ ଧରାଇଦେବି । ସେଥିରେ ସେମାନେ ତାହାକୁ ତିରିଶିଗୋଟି ରୌପ୍ୟମୁଦ୍ରା ତୌଲି କରିଦେଲେ । 16 ଆଉ ସେହି ସମୟଠାରୁ ସେ ତାହାଙ୍କୁ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା । 17 ପରେ ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ପାଇଁ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି ? 18 ଯୀଶୁ କହିଲେ, ନଗରରେ ଯାଇ ଅମୂକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି । 19 ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ । 20 ପରେ ସନ୍ଧ୍ୟା ହୁଅନ୍ତେ, ସେ ଦ୍ୱାଦଶ ଶିଷ୍ୟମାନଙ୍କ ସହିତ ଭୋଜନରେ ବସିଲେ । 21 ସେମାନେ ଭୋଜନ କରୁଥିବା ସମୟରେ ସେ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ । 22 ସେଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହୋଇ ପ୍ରତ୍ୟେକେ ତାହାଙ୍କୁ ପଚାରିବାକୁ ଲାଗିଲେ, ପ୍ରଭୁ, ସେ କ'ଣ ମୁଁ ? 23 ସେ ଉତ୍ତର ଦେଲେ, ଯେ ମୋ’ ସହିତ ପାତ୍ରରେ ହାତ ବୁଡ଼ାଇଲା, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ । 24 ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖା ଅଛି, ସେହିପରି ସେ ପ୍ରୟାଣ କରୁଅଛନ୍ତି ସତ୍ୟ; କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି,ମଧ୍ୟ, ସେ ଦଣ୍ଡର ପାତ୍ର; ସେହି ଲୋକର ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା । 25 ଏଥିରେ ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ଉତ୍ତର ଦେଲା, ହେ ଗୁରୁ, ସେ କ'ଣ ମୁଁ ? ସେ ତାହାକୁ କହିଲେ, ତୁମ୍ଭେ କହିଅଛ । 26 ଆଉ, ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟୀ ନେଇ ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ, ଭୋଜନ କର, ଏହା ମୋହର ଶରୀର । 27 ପୁଣି, ସେ ପାନପାତ୍ର ନେଇ ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, 28 ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ପାଇଁ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏହା ମୋହର ସେହି ରକ୍ତ । 29 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ଦିନ ମୁଁ ଆପଣା ପିତାଙ୍କ ରାଜ୍ୟରେ ତୁମ୍ଭମାନଙ୍କ ସହିତ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଆଜିଠାରୁ ଏହା କେବେ ହେଁ ପାନ କରିବି ନାହିଁ । 30 ପୁଣି, ସେମାନେ ସ୍ତବଗାନ କଲା ପରେ ଜୀତପର୍ବତକୁ ବାହାରିଗଲେ । 31 ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ଏହି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋ’ଠାରେ ବିଘ୍ନ ପାଇବ, କାରଣ ଲେଖା ଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ପଲର ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ । 32 ମାତ୍ର ମୁଁ ଉଠିବା ପରେ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯିବି । 33 କିନ୍ତୁ ପିତର ତାହାଙ୍କୁ ଉତ୍ତର ଦେଲେ, ଯଦ୍ୟପି ସମସ୍ତେ ଆପଣଙ୍କଠାରେ ବିଘ୍ନ ପାଇବେ, ତଥାପି ମୁଁ କେବେହେଁ ପାଇବି ନାହିଁ । 34 ଯୀଶୁ ତାହାଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଏହି ରାତିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ । 35 ପିତର ତାହାଙ୍କୁ କହିଲେ, ଯଦ୍ୟପି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ସମସ୍ତ ଶିଷ୍ୟ ମଧ୍ୟ ସେହି ପ୍ରକାରେ କହିଲେ । 36 ଏହାପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଗେଥ‌୍‌ଶିମାନୀ ନାମକ ଗୋଟିଏ ସ୍ଥାନକୁ ଯାଇ ସେମାନଙ୍କୁ କହିଲେ, ମୁଁ ସେଠାକୁ ଯାଇ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ । 37 ଆଉ, ସେ ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ସାଙ୍ଗରେ ନେଇ ଶୋକାକୁଳ ଓ ବ୍ୟଥିତ ହେବାକୁ ଲାଗିଲେ । 38 ସେତେବେଳେ ସେ ସେମାନଙ୍କୁ କହିଲେ, ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି, ତୁମ୍ଭେମାନେ ଏଠାରେ ରହି ମୋ’ ସାଙ୍ଗରେ ଜାଗିଥାଅ । 39 ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଉବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, ହେ ମୋହର ପିତା, ଯଦି ହୋଇପାରେ, ତେବେ ଏହି ଦୁଃଖର ପାତ୍ର ମୋ'ଠାରୁ ଦୂର ହେଉ; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା । 40 ଆଉ, ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, ତୁମ୍ଭେମାନେ କି ମୋ ସାଙ୍ଗରେ ଅଳ୍ପ ସମୟ ହେଲେ ଜାଗି ପାରିଲ ନାହିଁ ? 41 ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ । 42 ପୁଣି, ଥରେ ସେ ଦ୍ୱିତୀୟ ଥର ଯାଇ ପ୍ରାର୍ଥନା କରି କହିଲେ, ହେ ମୋହର ପିତା, ପାନ ନ କଲେ ଏହି ପାତ୍ର ଯଦି ମୋଠାରୁ ଦୂର ହୋଇ ନ ପାରେ, ତେବେ ତୁମ୍ଭର ଇଚ୍ଛା ସଫଳ ହେଉ । 43 ପୁଣି, ସେ ଆସି ପୁଣି, ଥରେ ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କର ଆଖି ମାଡ଼ିପଡ଼ୁଥିଲା । 44 ସେଥିରେ ସେ ସେମାନଙ୍କୁ ପରିତ୍ୟାଗ କରି ପୁଣି, ଥରେ ଯାଇ ଆଉ ଥରେ ସେହି କଥା କହି ତୃତୀୟ ଥର ପ୍ରାର୍ଥନା କଲେ । 45 ପରେ ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, ଅଳ୍ପ ସମୟ ଶୋଇ କରି ବିଶ୍ରାମ କର, ଦେଖ, ସେହି ସମୟ ସନ୍ନିକଟ ହେଲାଣି, ପୁଣି, ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି । 46 ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ । 47 ସେ କଥା କହୁଥିବା ସମୟରେ, ଦେଖ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗଙ୍କଠାରୁ ପ୍ରେରିତ ବହୁସଂଖ୍ୟକ ଲୋକ ଖଡ଼୍ଗ ଓ ଯଷ୍ଟି ଧରି ଆସିଲେ । 48 ଆଉ, ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି, ତାହାଙ୍କୁ ଧରିବ । 49 ଆଉ, ସେ ସେହିକ୍ଷଣି ଯୀଶୁଙ୍କ ନିକଟକୁ ଆସି, ହେ ଗୁରୁ, ନମସ୍କାର, ଏହା କହି ତାହାଙ୍କୁ ବହୁତ ଚୁମ୍ବନ କଲା । 50 କିନ୍ତୁ ଯୀଶୁ ତାହାକୁ କହିଲେ, ହେ ବନ୍ଧୁ, ଯାହା କରିବା ନିମନ୍ତେ ଆସିଅଛ, ତାହା କର । ସେଥିରେ ସେମାନେ ପାଖକୁ ଆସି ଯୀଶୁଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ । 51 ଆଉ ଦେଖ, ଯୀଶୁଙ୍କ ସାଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କର ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ । 52 ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭର ଖଡ଼୍ଗ ପୁଣି, ଥରେ ଆପଣା ସ୍ଥାନରେ ରଖ, କାରଣ ଯେଉଁମାନେ ଖଡ଼୍ଗ ଧାରଣ କରନ୍ତି, ସେ ସମସ୍ତେ ଖଡ଼୍ଗ ଦ୍ୱାରା ବିନଷ୍ଟ ହେବେ । 53 ଅଥବା ତୁମ୍ଭେ କ'ଣ ମନେ କରୁଅଛ ଯେ, ମୁଁ ମୋହର ପିତାଙ୍କୁ ବିନତି କରି ପାରେ ନାହିଁ ଓ ସେ ଏହିକ୍ଷଣି ମୋ ନିମନ୍ତେ ଦ୍ୱାଦଶ ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇଦେବେ ନାହିଁ ? 54 ତେବେ ଏହି ପ୍ରକାରେ ଅବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ରର ବାକ୍ୟ କି ପ୍ରକାର ସଫଳ ହେବ ? 55 ସେହି ସମୟରେ ଯୀଶୁ ଲୋକସମୂହକୁ କହିଲେ, ଡକଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ନେଇ ତୁମ୍ଭେମାନେ କ'ଣ ମୋତେ ଧରିବାକୁ ଆସିଲ ? ମୁଁ ପ୍ରତିଦିନ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ; 56 ମାତ୍ର ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ସେଥିନିମନ୍ତେ ଏସମସ୍ତ ଘଟିଅଛି । ସେତେବେଳେ ଶିଷ୍ୟମାନେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ । 57 ପରେ ଯେଉଁମାନେ ଯୀଶୁଙ୍କୁ ଧରିଥିଲେ, ସେମାନେ ତାହାଙ୍କୁ କୟାଫା ମହାଯାଜକଙ୍କ ନିକଟକୁ ନେଇଗଲେ; ସେହି ସ୍ଥାନରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଏକତ୍ର ହୋଇଥିଲେ । 58 କିନ୍ତୁ ପିତର ଦୂରରେ ରହି ମହାଯାଜକଙ୍କ ପ୍ରାଙ୍ଗଣ ପର୍ଯ୍ୟନ୍ତ ତାହାଙ୍କ ପଛେ ପଛେ ଗଲେ, ଆଉ ଶେଷରେ କ'ଣ ଘଟିବ, ତାହା ଦେଖିବା ନିମନ୍ତେ ସେ ଭିତରକୁ ଯାଇ ପଦାତିକମାନଙ୍କ ସହିତ ବସି ରହିଲେ । 59 ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଖୋଜିବାକୁ ଲାଗିଲେ, 60 ଆଉ ଅନେକ ମିଥ୍ୟା ସାକ୍ଷୀ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ। ଶେଷରେ ଦୁଇ ଜଣ ବାହାରି କହିଲେ, 61 ଏହି ଲୋକଟା କହିଥିଲା, ମୁଁ ଈଶ୍ୱରଙ୍କ ମନ୍ଦିରକୁ ଭାଙ୍ଗି ତାହା ତିନି ଦିନ ମଧ୍ୟରେ ତୋଳି ଦେଇପାରେ । 62 ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ ? ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ଏହା କ'ଣ ? 63 କିନ୍ତୁ ଯୀଶୁ ମୌନ ହୋଇ ରହିଲେ। ସେଥିରେ ମହାଯାଜକ ତାହାଙ୍କୁ କହିଲେ, ଆମ୍ଭେ ତୁମ୍ଭକୁ ଜୀବନ୍ତ ଈଶ୍ୱରଙ୍କ ନାମରେ ଶପଥ ଦେଉଅଛୁ, ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ? 64 ଯୀଶୁ ତାହାଙ୍କୁ କହିଲେ, ଆପଣ କହିଅଛନ୍ତି; ଆହୁରି ମୁଁ ଆପଣମାନଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ । 65 ସେଥିରେ ମହାଯାଜକ ଆପଣା ବସ୍ତ୍ର ଚିରି କହିଲେ, ଏ ଈଶ୍ୱର ନିନ୍ଦା କଲା, ସାକ୍ଷୀରେ ଆମ୍ଭମାନଙ୍କର ଆଉ କ'ଣ ଆବଶ୍ୟକ ? ଦେଖନ୍ତୁ, ଆପଣମାନେ ଏବେ ହେଁ ଈଶ୍ୱର ନିନ୍ଦା ଶୁଣିଲେ, 66 ଆପଣମାନଙ୍କର ମତ କ'ଣ ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ଡର ଯୋଗ୍ୟ । 67 ସେତେବେଳେ ସେମାନେ ତାହାଙ୍କ ମୁଁହଁରେ ଛେପ ପକାଇ ତାହାଙ୍କୁ ବିଧା ମାରିଲେ; ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରି କହିଲେ, 68 ରେ ଖ୍ରୀଷ୍ଟ, ତୁ ପରା ଭାବବାଦୀ, ଆମ୍ଭମାନଙ୍କୁ କହ ତ, କିଏ ତୋତେ ମାଇଲା ? 69 ଇତିମଧ୍ୟରେ ପିତର ବାହାରେ ପ୍ରାଙ୍ଗଣରେ ବସିଥିଲେ, ଆଉ ଜଣେ ଦାସୀ ତାହାଙ୍କ ପାଖକୁ ଆସି କହିଲା, ତୁମ୍ଭେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସାଙ୍ଗରେ ଥିଲ । 70 କିନ୍ତୁ ସେ ସମସ୍ତଙ୍କ ଆଗରେ ଅସ୍ୱୀକାର କରି କହିଲେ, ତୁମ୍ଭେ କ'ଣ କହୁଛ, ମୁଁ ଜାଣେ ନାହିଁ । 71 ପୁଣି, ସେ ଦାଣ୍ଡଦ୍ୱାରକୁ ବାହାରି ଯାଆନ୍ତେ ଆଉ ଜଣେ ଦାସୀ ତାହାଙ୍କୁ ଦେଖି ସେହି ସ୍ଥାନର ଲୋକମାନଙ୍କୁ କହିଲା, ଏ ନାଜରିତୀୟ ଯୀଶୁ ସାଙ୍ଗରେ ଥିଲା । 72 ପୁଣି, ସେ ରାଣ ପକାଇ ଆଉ ଥରେ ଅସ୍ୱୀକାର କରି କହିଲେ, ମୁଁ ସେ ଲୋକକୁ ଜାଣେ ନାହିଁ । 73 ଅଳ୍ପ କ୍ଷଣ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ତୁମ୍ଭେ ମଧ୍ୟ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭ କଥାରୁ ତ ଜଣାପଡ଼ୁଅଛି । 74 ସେଥିରେ ସେ ଅଭିଶାପ ଦେଇ ରାଣ ପକାଇ କହିବାକୁ ଲାଗିଲେ, ମୁଁ ସେ ଲୋକକୁ ଜାଣେ ନାହିଁ । 75 ସେହିକ୍ଷଣି କୁକୁଡ଼ା ରାବିଲା । ଏଥିରେ କୁକୁଡ଼ା ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ, ଏହି ଯେଉଁ କଥା ଯୀଶୁ କହିଥିଲେ, ତାହା ପିତରଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ ।

Chapter 27

1 ସକାଳ ହୁଅନ୍ତେ, ସମସ୍ତ ପ୍ରଧାନ ଯାଜକମାନେ ପୁଣି, ଲୋକମାନଙ୍କର ପ୍ରାଚୀନବର୍ଗ ଯୀଶୁଙ୍କୁ ବଧ କରିବା ପାଇଁ ତାହାଙ୍କର ବିରୁଦ୍ଧରେ ମନ୍ତ୍ରଣା କଲେ, 2 ଆଉ ସେମାନେ ତାହାଙ୍କୁ ବାନ୍ଧି ନେଇଯାଇ ପୀଲାତ ନାମକ ଶାସନକର୍ତ୍ତାଙ୍କ ହସ୍ତରେ ସମର୍ପଣ କଲେ । 3 ସେତେବେଳେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ଯିହୂଦା, ସେ ପ୍ରାଣ ଦଣ୍ଡାଜ୍ଞା ପାଇଅଛନ୍ତି, ଏହା ଦେଖି ଅନୁତାପ କରି ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗଙ୍କ ନିକଟକୁ ସେହି ତିରିଶିଗୋଟି ରୌପ୍ୟମୁଦ୍ରା ଫେରାଇ ଆଣି କହିଲା, 4 ମୁଁ ନିର୍ଦ୍ଦୋଷ ରକ୍ତ ସମର୍ପଣ କରି ପାପ କରିଅଛି । କିନ୍ତୁ ସେମାନେ କହିଲେ, ସେଥିରେ ଆମ୍ଭମାନଙ୍କର କଅଣ ଅଛି ? 5 ତୁ ତାହା ବୁଝ । ତହିଁରେ ସେ ରୌପ୍ୟମୁଦ୍ରାଗୁଡ଼ାକ ମନ୍ଦିର ଭିତରେ ଫୋପାଡ଼ିଦେଇ ଚାଲିଗଲା, ପୁଣି, ଯାଇ ଆପଣାକୁ ଫାଶୀ ଦେଲା । 6 କିନ୍ତୁ ପ୍ରଧାନ ଯାଜକମାନେ ସେହି ରୌପ୍ୟମୁଦ୍ରାଗୁଡ଼ାକ ନେଇ କହିଲେ, ଏହା ଭଣ୍ଡାରରେ ରଖିବା ବିଧିସଙ୍ଗତ ନୁହେଁ, କାରଣ ଏ ତ ରକ୍ତର ମୂଲ୍ୟ । 7 ପୁଣି, ସେମାନେ ମନ୍ତ୍ରଣା କରି ବିଦେଶୀମାନଙ୍କର ସମାଧି ନିମନ୍ତେ ସେହି ମୁଦ୍ରାରେ କୁମ୍ଭକାରର କ୍ଷେତ୍ର କିଣିଲେ । 8 ଏଣୁ ଆଜି ପର୍ଯ୍ୟନ୍ତ ସେହି କ୍ଷେତ୍ରକୁ ରକ୍ତକ୍ଷେତ୍ର ବୋଲି କହନ୍ତି । 9 ଏଥିରେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା, ଇସ୍ରାଏଲ ସନ୍ତାନମାନେ ଯାହାଙ୍କ ମୂଲ୍ୟ ନିରୂପଣ କରିଥିଲେ, ତାହାଙ୍କ ମୂଲ୍ୟ ସ୍ୱରୂପ ସେହି ତିରିଶିଗୋଟି ରୌପ୍ୟମୁଦ୍ରା ସେମାନେ ନେଇ 10 ମୋ’ ପ୍ରତି ପ୍ରଭୁଙ୍କ ଆଦେଶ ଅନୁସାରେ କୁମ୍ଭକାରର କ୍ଷେତ୍ର ନିମନ୍ତେ ଦେଲେ । 11 ଇତିମଧ୍ୟରେ ଯୀଶୁ ଶାସନକର୍ତ୍ତାଙ୍କ ସମ୍ମୁଖରେ ଠିଆ କରାଗଲେ, ଆଉ ଶାସନକର୍ତ୍ତା ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୂଦୀମାନଙ୍କ ରାଜା ? ଯୀଶୁ କହିଲେ, ଆପଣ କହୁଅଛନ୍ତି । 12 ଆଉ, ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତେ ସେ କୌଣସି ଉତ୍ତର ଦେଲେ ନାହିଁ । 13 ସେଥିରେ ପୀଲାତ ତାହାଙ୍କୁ କହିଲେ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ସାକ୍ଷ୍ୟ ଦେଉଅଛନ୍ତି, ତାହା କି ଶୁଣୁ ନାହଁ ? 14 ମାତ୍ର ସେ ତାହାଙ୍କୁ ଗୋଟିଏ କଥାର ହିଁ ପଦେ ହେଲେ ଉତ୍ତର ଦେଲେ ନାହିଁ, ସେଥିରେ ଶାସନକର୍ତ୍ତା ଅତ୍ୟନ୍ତ ଚମତ୍କୃତ ହେଲେ । 15 କିନ୍ତୁ ପର୍ବ ସମୟରେ ଲୋକସମୂହର ଇଚ୍ଛାନୁସାରେ ଜଣେ ବନ୍ଦୀକୁ ସେମାନଙ୍କ ନିମନ୍ତେ ମୁକ୍ତ କରିବା ଶାସନକର୍ତ୍ତାଙ୍କର ରୀତି ଥିଲା । 16 ସେତେବେଳେ ସେମାନଙ୍କର ବାରବ୍ବା ନାମକ ଜଣେ ବିଖ୍ୟାତ ବନ୍ଦୀ ଥିଲା । 17 ଅତଏବ, ସେମାନେ ଏକତ୍ର ହୋଇଥିବା ସମୟରେ ପୀଲାତ ସେମାନଙ୍କୁ ପଚାରିଲେ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିଦେବା ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ ? ବାରବ୍ବାକୁ, ନା ଯାହାକୁ ଖ୍ରୀଷ୍ଟ ବୋଲି କହନ୍ତି, ସେହି ଯୀଶୁକୁ ? 18 କାରଣ ସେମାନେ ଯେ ଇର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ଜାଣିଥିଲେ । 19 ଆଉ, ସେ ବିଚାରାସନରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ’ ତାହାଙ୍କ ପାଖକୁ କହି ପଠାଇଲେ, ସେହି ଧାର୍ମିକ ଲୋକଙ୍କ କଥାରେ ତୁମ୍ଭେ ଆଦୌ ହାତ ଦିଅ ନାହିଁ, କାରଣ ତାହାଙ୍କ ଯୋଗୁଁ ମୁଁ ଆଜି ସ୍ୱପ୍ନରେ ବହୁତ କଷ୍ଟ ଭୋଗିଅଛି । 20 ମାତ୍ର ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ବାରବ୍ବାକୁ ମାଗିବା ପାଇଁ ଓ ଯୀଶୁଙ୍କୁ ବିନାଶ କରିବା ପାଇଁ ଲୋକସମୂହକୁ ମଣାଇଲେ । 21 ମାତ୍ର ଶାସନକର୍ତ୍ତା ସେମାନଙ୍କୁ ଉତ୍ତର ଦେଲେ, ଆମ୍ଭେ ଏ ଉଭୟଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିବା ବୋଲି ତୁମ୍ଭମାନଙ୍କ ଇଚ୍ଛା ? ସେମାନେ କହିଲେ, ବାରବ୍ବାକୁ । 22 ପୀଲାତ ସେମାନଙ୍କୁ ପଚାରିଲେ, ତେବେ କାହାକୁ ଖ୍ରୀଷ୍ଟ କହନ୍ତି, ସେହି ଯୀଶୁ ପ୍ରତି କ'ଣ କରିବା ? ସେମାନେ ସମସ୍ତେ କହିଲେ, ସେ କ୍ରୁଶରେ ଚଢ଼ାଯାଉ । 23 ସେଥିରେ ପୀଲାତ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି ? କିନ୍ତୁ ସେମାନେ ଅତ୍ୟନ୍ତ ଚିତ୍କାର କରି କହିଲେ, ସେ କ୍ରୁଶରେ ଚଢ଼ାଯାଉ । 24 ଏଣୁ ପୀଲାତ ଯେତେବେଳେ ଦେଖିଲେ ଯେ, ସେ କିଛି କରି ପାରୁ ନାହାନ୍ତି, ବରଂ ଆହୁରି ଗଣ୍ଡଗୋଳ ହେଉଅଛି, ସେତେବେଳେ ସେ ପାଣି ନେଇ ଲୋକମାନଙ୍କ ଆଗରେ ହାତ ଧୋଇ କହିଲେ, ଏହି ରକ୍ତପାତରେ ଆମ୍ଭେ ନିର୍ଦ୍ଦୋଷ, ତୁମ୍ଭେମାନେ ତାହା ବୁଝ । 25 ଏଥିରେ ସମସ୍ତ ଲୋକ ଉତ୍ତର ଦେଲେ, ତାହାର ରକ୍ତ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ । 26 ସେଥିରେ ସେ ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ମାତ୍ର ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ । 27 ଏହାପରେ ଶାସନକର୍ତ୍ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପ୍ରାସାଦ ଭିତରକୁ ନେଇଯାଇ ସମସ୍ତ ସୈନ୍ୟଦଳକୁ ତାହାଙ୍କ ନିକଟରେ ଏକତ୍ର କଲେ । 28 ପୁଣି, ସେମାନେ ତାହାଙ୍କ ବସ୍ତ୍ର କାଢ଼ିନେଇ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ, 29 ଆଉ କଣ୍ଟାର ମୁଁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ, ପୁଣି, ତାହାଙ୍କ ସମ୍ମୁଖରେ ଜାଣୁ ପାତି, ହେ ଯିହୂଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କୁ ପରିହାସ କଲେ । 30 ଆଉ, ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ସେହି ନଳ ନେଇ ତାହାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ । 31 ପୁଣି, ସେମାନେ ତାହାଙ୍କୁ ପରିହାସ କଲା ପରେ ସେହି ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ । 32 ସେମାନେ ବାହାରିବା ସମୟରେ ଶିମୋନ ନାମକ ଜଣେ କୂରୀଣୀୟ ଲୋକକୁ ଦେଖି ଯୀଶୁଙ୍କ କ୍ରୁଶ ବହିବା ପାଇଁ ତାହାଙ୍କୁ ବାଧ୍ୟ କଲେ । 33 ଆଉ, ସେମାନେ ଗଲ୍‌ଗଥା ନାମକ ସ୍ଥାନ, ଅର୍ଥାତ୍‍ ଯାହାକୁ କପାଳସ୍ଥଳ ବୋଲି କହନ୍ତି, ସେଠାରେ ଉପସ୍ଥିତ ହୋଇ, 34 ତାହାଙ୍କୁ ପିତ୍ତ ମିଶାଯାଇଥିବା ଦ୍ରାକ୍ଷାରସ ପାନ କରିବାକୁ ଦେଲେ, ମାତ୍ର ସେ ତାହା ଆସ୍ୱାଦନ କରି ପାନ କରିବାକୁ ଇଚ୍ଛା କଲେ ନାହିଁ । 35 ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇ ତାହାଙ୍କ ବସ୍ତ୍ରସବୁ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ, 36 ପୁଣି, ସେଠାରେ ବସି ତାହାଙ୍କୁ ଜଗି ରହିଲେ। 37 ଆଉ, ସେମାନେ ତାହାଙ୍କ ମସ୍ତକର ଊର୍ଦ୍ଧ୍ୱରେ ଏହି ଅଭିଯୋଗପତ୍ର ଲେଖି ଲଗାଇଦେଲେ, ଏ ଯିହୂଦୀମାନଙ୍କର ରାଜା ଯୀଶୁ । 38 ସେତେବେଳେ ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତ ତାହାଙ୍କ ସହିତ କ୍ରୁଶରେ ଚଢ଼ାଗଲେ । 39 ଆଉ, ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, 40 ରେ ମନ୍ଦିରଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ, ତୁ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଆପଣାକୁ ରକ୍ଷା କରି କ୍ରୁଶରୁ ଓହ୍ଲାଇ ଆ । 41 ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କ ସହିତ ପରିହାସ କରିବାକୁ ଲାଗିଲେ, 42 ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରି ପାରୁ ନାହିଁ । ସେ ପରା ଇସ୍ରାଏଲର ରାଜା, ସେ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସୁ, ତେବେ ଆମ୍ଭେମାନେ ତାହାଠାରେ ବିଶ୍ୱାସ କରିବା । 43 ସେ ଈଶ୍ୱରଙ୍କଠାରେ ବିଶ୍ୱାସ କରେ; ସେ ଯଦି ତାହାଠାରେ ସନ୍ତୁଷ୍ଟ, ତାହାହେଲେ ଏହିକ୍ଷଣି ତାହାକୁ ରକ୍ଷା କରନ୍ତୁ । ସେ ତ କହିଥିଲା, ମୁଁ ଈଶ୍ୱରଙ୍କ ପୁତ୍ର । 44 ପୁଣି, ଯେଉଁ ଡକାଇତମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ସେହି ପ୍ରକାର ନିନ୍ଦା କରିବାକୁ ଲାଗିଲେ । 45 ପରେ ବାର ଘଣ୍ଟାଠାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା । 46 ଆଉ ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, ଏଲୀ, ଏଲୀ, ଲାମା ସବକ୍‌ଥାନୀ ? ଅର୍ଥାତ୍‍, ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ ? 47 ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଏ ଲୋକ ଏଲୀୟଙ୍କୁ ଡାକୁଅଛି । 48 ଆଉ ସେହିକ୍ଷଣି ସେମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ଗୋଟିଏ ସ୍ପଞ୍ଜ୍ ନେଇ ତାହା ଅମ୍ଳରସରେ ପୂର୍ଣ୍ଣ କଲା, ଆଉ ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଲା । 49 କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲୀୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ, ଦେଖିବା । 50 କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚସ୍ୱରରେ ଡାକି ପ୍ରାଣତ୍ୟାଗ କଲେ । 51 ପୁଣି, ଦେଖ, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା, 52 ପୁଣି, ସମାଧିସମୂହ ଉନ୍ମୁକ୍ତ ହେଲା ଓ ମହାନିଦ୍ରାଗତ ଅନେକ ସାଧୁଲୋକଙ୍କ ଶରୀର ଉତ୍ଥାପିତ ହେଲା, 53 ପୁଣି, ତାହାଙ୍କ ପୁନରୁତ୍ଥାନ ପରେ ସେମାନେ ସମାଧିରୁ ବାହାରି ପୁଣି, ନଗରୀରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ । 54 ଶତସେନାପତି ଓ ତାହାଙ୍କ ସାଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ, ସେମାନେ ଭୂମିକମ୍ପାଦି ଘଟଣା ଦେଖି ଅତ୍ୟନ୍ତ ଭୀତ ହୋଇ ରହିଲେ, ସତ୍ୟ, ଏ ଈଶ୍ୱରଙ୍କ ପୁତ୍ର ଥିଲେ । 55 ଆଉ, ଅନେକ ସ୍ତ୍ରୀଲୋକ ସେ ସ୍ଥାନରେ ଥାଇ ଦୂରରୁ ଦେଖୁଥିଲେ; ସେମାନେ ଯୀଶୁଙ୍କ ସେବା କରୁ କରୁ ଗାଲିଲୀରୁ ତାହାଙ୍କ ସାଙ୍ଗରେ ଆସିଥିଲେ; 56 ସେମାନଙ୍କ ମଧ୍ୟରେ ମଗ୍‌ଦଲୀନୀ ମରିୟମ, ଯାକୁବ ଓ ଯୋଷେଫଙ୍କ ମାତା ମରିୟମ, ପୁଣି, ଜେବଦୀଙ୍କ ପୁତ୍ରମାନଙ୍କ ମାତା ଥିଲେ । 57 ବେଳ ଗଡ଼ିଆସନ୍ତେ, ଯୋଷେଫ ନାମକ ହାରାମାଥୀୟାର ଜଣେ ଧନୀ ଲୋକ ଆସିଲେ, ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ହୋଇଥିଲେ । 58 ସେ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ। ସେଥିରେ ପୀଲାତ ତାହା ଦେବାକୁ ଆଜ୍ଞା କଲେ । 59 ଯୋଷେଫ ଶରୀରଟି ନେଇ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ, 60 ଆପଣାର ଯେଉଁ ନୂତନ ସମାଧି ପାହାଡ଼ରେ ଖୋଳିଥିଲେ, ସେଥିମଧ୍ୟରେ ତାହା ଥୋଇଲେ, ଆଉ ସମାଧି ଦ୍ୱାରରେ ଖଣ୍ଡିଏ ବଡ଼ ପଥର ଗଡ଼ାଇଦେଇ ଚାଲିଗଲେ । 61 ମଗ୍‌ଦଲୀନୀ ମରିୟମ ଓ ଅନ୍ୟ ମରିୟମ ସେ ସ୍ଥାନରେ ସମାଧି ସମ୍ମୁଖରେ ବସି ରହିଲେ । 62 ତା'ପର ଦିନ, ଅର୍ଥାତ୍‍ ଆୟୋଜନ-ଦିବସର ପରବର୍ତ୍ତୀ ଦିନ ପ୍ରଧାନ ଯାଜକ ଓ ଫାରୂଶୀମାନେ ପୀଲାତଙ୍କ ପାଖରେ ଏକତ୍ର ହୋଇ କହିଲେ, 63 ମହାଶୟ, ଆମ୍ଭମାନଙ୍କର ମନେ ପଢ଼ୁଅଛି, ସେହି ପ୍ରବଞ୍ଚକ ଜୀବିତ ଥିବା ସମୟରେ କହିଥିଲା, ତିନି ଦିନ ପରେ ମୁଁ ଉଠିବି । 64 ଅତଏବ, ତୃତୀୟ ଦିବସ ପର୍ଯନ୍ତ ସମାଧି ସୁରକ୍ଷିତ ହେବା ନିମନ୍ତେ ଆଜ୍ଞା କରନ୍ତୁ, ନୋହିଲେ କେଜାଣି ତାହାର ଶିଷ୍ୟମାନେ ଆସି ତାହାକୁ ଚୋରି କରି ଲୋକଙ୍କୁ କହିବେ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ତାହାହେଲେ ପ୍ରଥମ ପ୍ରବଞ୍ଚନା ଅପେକ୍ଷା ଶେଷ ପ୍ରବଞ୍ଚନା ଅଧିକ ମନ୍ଦ ହେବ । 65 ପୀଲାତ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ପ୍ରହରୀଦଳ ଅଛି, ତୁମ୍ଭେମାନେ ଯାଇ ଯଥାସାଧ୍ୟ ତାହା ସୁରକ୍ଷା କର । 66 ତେଣୁ ସେମାନେ ଯାଇ ପ୍ରହରୀଦଳ ସହିତ ସେହି ପ୍ରସ୍ତରରେ ମୁଦ୍ରାଙ୍କ ଦେଇ ସମାଧି ସୁରକ୍ଷିତ କଲେ ।

Chapter 28

1 ବିଶ୍ରାମବାର ଶେଷ ହେଲା ପରେ ସପ୍ତାହର ପ୍ରଥମ ଦିନର ପ୍ରତ୍ୟୁଷରେ ମଗ୍‌ଦଲୀନୀ ମରିୟମ ଓ ଅନ୍ୟ ମରିୟମ ସମାଧି ଦେଖିବାକୁ ଆସିଲେ । 2 ଆଉ ଦେଖ, ମହା ଭୂମିକମ୍ପ ହେଲା, କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସି ସେହି ପଥର ଖଣ୍ଡିକ ଗଡ଼ାଇଦେଇ ତାହା ଉପରେ ବସିଲେ । 3 ତାହାଙ୍କ ରୂପ ବିଜୁଳି ପରି ଓ ତାହାଙ୍କର ବସ୍ତ୍ର ବରଫ ପରି ଧଳା ରଙ୍ଗ ଥିଲା, 4 ପୁଣି, ତାହାଙ୍କ ଭୟରେ ପ୍ରହରୀମାନେ କମ୍ପମାନ ହୋଇ ମୃତବ୍ୟକ୍ତିମାନଙ୍କ ପରି ହେଲେ । 5 କିନ୍ତୁ ଦୂତ ସ୍ତ୍ରୀଲୋକମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଭୟ କର ନାହିଁ, କାରଣ ତୁମ୍ଭେମାନେ ଯେ କ୍ରୁଶରେ ହତ ଯୀଶୁଙ୍କୁ ଖୋଜୁଅଛ, ତାହା ମୁଁ ଜାଣେ । 6 ସେ ଏଠାରେ ନାହାନ୍ତି, କାରଣ ସେ ଯେପରି କହିଥିଲେ, ସେହିପରି ଉଠିଅଛନ୍ତି । ଆସ, ସେ ଯେଉଁଠାରେ ଶୋଇଥିଲେ ସେହି ସ୍ଥାନ ଦେଖ । 7 ଆଉ, ତୁମ୍ଭେମାନେ ଶୀଘ୍ର ଯାଇ ତାହାଙ୍କ ଶିଷ୍ୟମାନଙ୍କୁ କୁହ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ପୁଣି, ଦେଖ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି, ସେଠାରେ ତୁମ୍ଭେମାନେ ତାହାଙ୍କର ଦର୍ଶନ ପାଇବ; ଦେଖ, ମୁଁ ତୁମ୍ଭମାନଙ୍କୁ କହିଲି । 8 ଏଥିରେ ସେମାନେ ଭୟ ଓ ମହାନନ୍ଦରେ ସମାଧି ନିକଟରୁ ଶୀଘ୍ର ଚାଲିଯାଇ ତାହାଙ୍କ ଶିଷ୍ୟମାନଙ୍କୁ ସମ୍ବାଦ ଦେବା ପାଇଁ ଦୌଡ଼ିଲେ । 9 ଆଉ ଦେଖ, ଯୀଶୁ ସେମାନଙ୍କୁ ସାକ୍ଷାତ କରି କହିଲେ, ତୁମ୍ଭମାନଙ୍କର ମଙ୍ଗଳ ହେଉ । ତହୁଁ ସେମାନେ ନିକଟକୁ ଆସି ତାହାଙ୍କ ପାଦ ଧରି ତାହାଙ୍କୁ ପ୍ରଣାମ କଲେ । 10 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଭୟ କର ନାହିଁ, ତୁମ୍ଭେମାନେ ଯାଇ ମୋହର ଭାଇମାନଙ୍କୁ ଜଣାଅ, ସେମାନେ ଗାଲିଲୀକୁ ଯାଆନ୍ତୁ; ସେଠାରେ ସେମାନେ ମୋହର ଦର୍ଶନ ପାଇବେ । 11 ସେମାନେ ଯାଉଥିବା ସମୟରେ, ଦେଖ, ପ୍ରହରୀଦଳ ମଧ୍ୟରେ କେତେକ ଜଣ ନଗରକୁ ଯାଇ ସେହି ସମସ୍ତ ଘଟଣାର ବିବରଣ ପ୍ରଧାନ ଯାଜକମାନଙ୍କୁ ଜଣାଇଲେ । 12 ସେମାନେ ପ୍ରାଚୀନବର୍ଗ ସହିତ ଏକତ୍ର ହୋଇ ମନ୍ତ୍ରଣା କଲା ପରେ ସେହି ସୈନ୍ୟମାନଙ୍କୁ ବହୁତ ଟଙ୍କା ଦେଇ କହିଲେ, 13 ତୁମ୍ଭେମାନେ କୁହ, ଆମ୍ଭେମାନେ ଶୋଇପଡ଼ିଥିବା ସମୟରେ ତାହାଙ୍କର ଶିଷ୍ୟମାନେ ରାତିରେ ଆସି ତାହାଙ୍କୁ ଚୋରି କରି ନେଇଗଲେ । 14 ପୁଣି, ଏକଥା ଯେବେ ଶାସନକର୍ତ୍ତାଙ୍କ କର୍ଣ୍ଣଗୋଚର ହୁଏ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ବୁଝାଇ ତୁମ୍ଭମାନଙ୍କୁ ଚିନ୍ତାରୁ ମୁକ୍ତ କରିବା । 15 ସେଥିରେ ସେମାନେ ଟଙ୍କା ନେଇ ଯେପରି ଶିକ୍ଷା ପାଇଥିଲେ, ସେହିପରି କଲେ । ଏଣୁ ଏହି କଥା ଯିହୂଦୀମାନଙ୍କ ମଧ୍ୟରେ ବ୍ୟାପିଯାଇ ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି । 16 କିନ୍ତୁ ଏକାଦଶ ଶିଷ୍ୟ ଗାଲିଲୀକୁ ଯାଇ, ଯୀଶୁ ଯେଉଁ ପର୍ବତ ବିଷୟ ସେମାନଙ୍କୁ କହିଥିଲେ, ସେହି ପର୍ବତକୁ ଗଲେ । 17 ଆଉ, ସେମାନେ ତାହାଙ୍କୁ ଦେଖି ପ୍ରଣାମ କଲେ, ମାତ୍ର କେହି କେହି ସନ୍ଦେହ କଲେ ।

18 ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି । 19 ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, 20 ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ।