ଯୋହନଙ୍କ ଦିତୀୟ ପତ୍
Chapter 1
1 ମୁଁ ଯେ ପ୍ରଧାନ ପ୍ରାଚୀନ ତୁମେ ସମସ୍ତେ ଜାଣ I ଯେଉଁ ବିଶ୍ୱାସୀ ମଣ୍ଡଳୀକୁ ମୁଁ ପ୍ରେମ କରେ ସେମାନଙ୍କୁ ଏହି ପତ୍ର ଲେଖୁଅଛି I ପ୍ରଭୁ ତୁମ୍ଭମାନଙ୍କୁ ମନୋନୀତ କରିଅଛନ୍ତି ଏବଂ ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ କାରଣ ଖ୍ରୀଷ୍ଟଙ୍କ ବିଷୟରେ ଅମ୍ଭେମାନେ ଯାହା ଜାଣୁ ତାହା ସତ୍ୟ ଅଟେ I କେବଳ ମୁଁ ତୁମକୁ ପ୍ରେମ କରେ ତାହା ନୁହେଁ ମାତ୍ର ଯେଉଁମାନେ ଯୀଶୁଙ୍କ ଶିକ୍ଷା ଦେଇଥିବା ସତ୍ୟ ବାକ୍ୟ ଜାଣିଅଛନ୍ତି ଓ ଗ୍ରହଣ କରିଛନ୍ତି ସେମାନେ ମଧ୍ୟ ତୁମକୁ ପ୍ରେମ କରନ୍ତି I 2 ଏହା ସତ୍ୟ କାରଣ ଈଶ୍ୱରଙ୍କ ସତ୍ୟ ବାକ୍ୟକୁ ଆମେ ସମସ୍ତେ ବିଶ୍ୱାସ କରୁ I ଏହା ଅମ୍ଭମାନଙ୍କ ଅନ୍ତରରେ ଅଛି ଓ ଆମ୍ଭେମାନେ ସଦାସର୍ବଦା ଏହା ବିଶ୍ୱାସ କରିବୁ I 3 ପିତା ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୟା, ଅନୁଗ୍ରହ ଓ ଶାନ୍ତି ଆମ୍ଭମାନଙ୍କୁ ପ୍ରଦାନ କରନ୍ତୁ । ଆମ୍ଭେମାନେ ଶାନ୍ତି ପାଇବା କାରଣ ସେମାନେ ଆମ୍ଭମାନଙ୍କୁ ବାସ୍ତବରେ ପ୍ରେମ କରନ୍ତି I 4 ମୁଁ ବେଶ୍ ଖୁସି କାରଣ ମୁଁ ଶୁଣିଲି ଯେ ତୁମ୍ଭମାନଙ୍କ ମଧ୍ୟରୁ କେତେକ ଶିକ୍ଷା ଦିଆଯାଇଥିବା ବାକ୍ୟ ଅନୁସାରେ ଜୀବନ କାଟୁଅଛନ୍ତି I ଏହା ହିଁ ପିତା ଈଶ୍ୱର ଆମ୍ଭମାନଙ୍କୁ କରିବା ପାଇଁ ଆଦେଶ ଦେଇଥିଲେ I 5 ପ୍ରିୟ ମଣ୍ଡଳୀ, ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି ଯେ ସେ ଯାହା ଆମ୍ଭମାନଙ୍କୁ ଆଦେଶ ଦେଇଛନ୍ତି ତାହା ମାନିବା I ଏହି ସକାଶେ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି I ପ୍ରଭୁ ଏହା ଆଦେଶ ଦିଅନ୍ତି ଯେ ଆମ୍ଭେ ସମସ୍ତେ ପରସ୍ପରକୁ ପ୍ରେମ କରିବା ଉଚିତ। ଏବଂ ଏହା ଏକ ନୂତନ ଆଜ୍ଞା ନୁହେଁ । ଏହା ସେହି ଆଜ୍ଞା, ଯାହା ଆମ୍ଭମାନଙ୍କ ନିକଟରେ ଆରମ୍ଭରୁ ଅଛି I ଯେତେବେଳେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲୁ ସେତେବେଳେ ଆମ୍ଭମାନଙ୍କୁ ଏହି ଶିକ୍ଷା ଦିଆଯାଇଥିଲା I 6 ଈଶ୍ୱରଙ୍କ ପ୍ରତି ଓ ପରସ୍ପର ପ୍ରତି ପ୍ରେମର ଅର୍ଥ ହେଉଛି, ତାହାଙ୍କର ଆଜ୍ଞା ଅନୁସାରେ ଜୀବନଯାପନ କରିବା। ପରମେଶ୍ୱରଙ୍କ ଆଜ୍ଞା ଏହି: ତୁମ୍ଭେ ଈଶ୍ୱରଙ୍କୁ ପ୍ରେମ କର ଏବଂ ପରସ୍ପରକୁ ପ୍ରେମ କର I 7 ଅନେକ ଲୋକ ଯେଉଁମାନେ ଅନ୍ୟକୁ ପ୍ରତାରଣା କରନ୍ତି ସେମାନେ ମଣ୍ଡଳୀ ପରିତ୍ୟାଗ କରିଅଛନ୍ତି ଏବଂ ବର୍ତ୍ତମାନ ସେମାନେ ଅନ୍ୟ ଦଳ ସହିତ ଅଛନ୍ତି I ଯୀଶୁ ଖ୍ରୀଷ୍ଟ ଯେ ମନୁଷ୍ୟ ରୁପ ନେଇ ଏହି ଜଗତକୁ ଆସିଛନ୍ତି, ଏହା ସେମାନେ ଅସ୍ୱୀକାର କରନ୍ତି। ସେମାନେ ମଧ୍ୟ ଅନ୍ୟକୁ ପ୍ରତାରଣା କରନ୍ତି ଏବଂ ଯୀଶୁ ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରନ୍ତି I 8 ସାବଧାନ ରୁହ, ଭଣ୍ଡ ଶିକ୍ଷକମାନେ ଯେପରି ତୁମ୍ଭମାନଙ୍କୁ ପ୍ରତାରଣା ନ କରନ୍ତି I ଯଦି ସେମାନଙ୍କୁ ସୁଯୋଗ ଦିଆଯାଏ, ତେବେ ତୁମ୍ଭେମାନେ ତୁମ୍ଭ କାର୍ଯ୍ୟର ପୁରସ୍କାର ହରାଇବ ଏବଂ ଈଶ୍ୱରଙ୍କ ସହିତ ସଂଯୁକ୍ତ ହେବା ପାଇଁ ଯେଉଁ ପୁରସ୍କାର ପାଇବା ନିମନ୍ତେ ପରିଶ୍ରମ କରୁ ଅଛୁ ତାହା ଯେପରି ନ ହରାଉ। 9 ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷାକୁ ପରିବର୍ତ୍ତନ କରନ୍ତି ଏବଂ ବିଶ୍ୱାସ କରନ୍ତି ନାହିଁ ସେମାନେ ଈଶ୍ୱରଙ୍କ ସହିତ ସଂଯୁକ୍ତ ନୁହନ୍ତି I ମାତ୍ର ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରନ୍ତି, ତେବେ ସେମାନେ ଉଭୟ ପିତା ଏବଂ ପୁତ୍ରଙ୍କ ସହିତ ସଂଯୁକ୍ତ ଅଟନ୍ତି I 10 ଯଦି ତୁମ୍ଭ ପାଖକୁ କେହି ଆସେ କିନ୍ତୁ ଏହି ଶିକ୍ଷା ନ ଦିଏ, ତେବେ ତାହାକୁ ଗୃହରେ ସ୍ୱାଗତ କିମ୍ବା ଗ୍ରହଣ କର ନାହିଁ I ଏପରି କି ନମସ୍କାର ମଧ୍ୟ କରନାହିଁ I 11 ତୁମ୍ଭେ ତାହାକୁ ଯଦି ଅନ୍ୟ ସହବିଶ୍ୱାସୀଙ୍କ ପରି ଗ୍ରହଣ କରିବ, ତେବେ ତାହାକୁ ମନ୍ଦକର୍ମ କରିବାରେ ତୁମେ ସାହାଯ୍ୟ କରୁଛ I 12 ମୋର ତୁମ୍ଭକୁ କହିବା ପାଇଁ ବହୁତ କଥା ଅଛି କିନ୍ତୁ ମୁଁ ପତ୍ରରେ ତାହା ଲେଖୁନାହିଁ । ତାହା ବଦଳରେ ମୁଁ ତୁମ୍ଭକୁ ସାକ୍ଷାତ କରିବାକୁ ଆଶା କରୁଛି, ତେବେ ଆମ୍ଭେ ମୁହାମୁହିଁ ହୋଇ କଥାବାର୍ତ୍ତା ହୋଇପାରିବା । ତାହା ଆମ୍ଭକୁ ଅତିଶୟ ଆନନ୍ଦିତ କରିବ । 13 ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଏଠାରେ ଥିବା ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନେ ତୁମ୍ଭମାନଙ୍କୁ ସେମାନଙ୍କର ନମସ୍କାର ଜଣାଇଛନ୍ତି ।